ତାଙ୍କ ଛାତ ତାଙ୍କ ଉପରେ ଏକ୍‌ଦମ୍‌ ପଡ଼ିଯାଇନାହିଁ, କିନ୍ତୁ ଏହା ଗୁଣଓ୍ୱନ୍ତଙ୍କୁ ତାଙ୍କ କ୍ଷେତ ସାରା ଗୋଡ଼ାଇଛି । ଏହି ଛବି ତାଙ୍କ ମନରେ ଦୃଢ଼ ଭାବରେ ଆଙ୍କି ହୋଇଯାଇଛି । ସେ ମନେପକାଇ କୁହନ୍ତି, ‘‘ଆମ ଜମି କଡ଼ରେ ଥିବା ଟିଣ ଛାତ ଭାଙ୍ଗିଗଲା ଏବଂ ଏହା ମୋ ଆଡ଼କୁ ଉଡ଼ି ଆସିଲା । ମୁଁ କୁଟା ଗଦା ତଳେ ଲୁଚିଗଲି, ଯାହା ଫଳରେ ମୋ ଦେହରେ କୌଣସି ଆଘାତ ଲାଗିଲା ନାହିଁ।’’

ଏ କଥା ନୁହେଁ ଯେ ସବୁଦିନ ଛାତ ଆପଣଙ୍କୁ ଗୋଡ଼ାଇବ। ହେଲେ ଗୁଣଓ୍ୱନ୍ତ ହୁଲ୍‌ସୁଲ୍‌କର୍‌ ଯେଉଁ ଛାତଠାରୁ ରକ୍ଷା ପାଇବାକୁ ଦୌଡ଼ୁଥିଲେ ତାହା ଗତ ଏପ୍ରିଲ୍‌ରେ କୁଆପଥର ବର୍ଷାସହ ପ୍ରବଳ ପବନରେ ଛିଣ୍ଡି ପଡ଼ିଥିଲା ।

୩୬ ବର୍ଷ ବୟସ୍କ ଗୁଣଓ୍ୱନ୍ତ କୁଟାଗଦା ତଳୁ ବାହାରିବା ପରେ ନିଲଙ୍ଗା ତାଲୁକାରେ ଥିବା ନିଜ କ୍ଷେତକୁ ଚିହ୍ନି ପାରିଲେ ନାହିଁ । ସେ କୁହନ୍ତି, ‘‘ତାହା ମାତ୍ର ୧୮-୨୦ ମିନିଟ୍‌ ପାଇଁ ଥିଲା । କିନ୍ତୁ ଗଛଗୁଡ଼ିକ ଭାଙ୍ଗି ପଡ଼ିଲା, ମଲା ପକ୍ଷୀମାନେ ଚାରିଆଡ଼େ ବିଛାଡ଼ି ହୋଇ ପଡ଼ିଲେ, ଏବଂ ଆମ ଗୃହପାଳିତ ଜୀବମାନେ ଖୁବ୍‌ ଆଘାତ ପାଇଲେ ।’’ ସେ ଗଛରେ ଥିବା କୁଆପଥର ମାଡ଼ର ଚିହ୍ନ ସବୁ ଦେଖାଉଥିଲେ ।

ତାଙ୍କ ମା’ ୬୦ ବର୍ଷ ବୟସ୍କ ଧୋନ୍ଦାବାଇ କୁହନ୍ତି, ‘‘ପ୍ରତି ୧୬-୧୮ ମାସରେ ଥରେ କୁଆପଥର ବର୍ଷା କିମ୍ବା ଅଦିନିଆ ମେଘ ହେଉଛି। ଆମକୁ ସାରା ବର୍ଷ ଗଛଗୁଡ଼ିକର ଯତ୍ନ ନେବାକୁ ହେଉଛି ମାତ୍ର ଚରମ ପାଣିପାଗ ଘଟଣା  ମାତ୍ର କେଇ ମିନିଟ୍‌ରେ ଆମର ସବୁ ନିବେଶକୁ ଧ୍ୱଂସ କରିଦେଉଛି ।’’ ସେ ତାଙ୍କ ଅମ୍ବୁଲ୍‌ଗାରେ ତାଙ୍କର ଦୁଇ ବଖରା ମାଟି ଏବଂ ପଥର ତିଆରି ଘରର ପାହାଚ ଉପରେ ବସିଥିଲେ । ୨୦୦୧ରେ ତାଙ୍କ ପରିବାର ଡାଲି (ହରଡ଼ ଏବଂ ମୁଗ) ଚାଷ ବନ୍ଦ କରି ତାଙ୍କର ସମୁଦାୟ ୧୧ ଏକର ଜମିକୁ ଆମ୍ବ ଏବଂ ପିଜୁଳି ବଗିଚାରେ ବଦଳାଇ ଦେଲେ ।

ଏହା ଚଳିତ ବର୍ଷର କେବଳ ଗୋଟିଏ ଅସ୍ୱାଭାବିକ ଘଟଣା ନଥିଲା । ଭୀଣେ ବୃଷ୍ଟି ଏବଂ କୁଆପଥର ସମେତ ଚରମ ପାଣିପାଗ ଘଟଣାଗୁଡ଼ିକ ମହାରାଷ୍ଟ୍ରର ଲାଟୁର୍‌ ଜିଲ୍ଲାର ଏହି ଅଂଶରେ ଏକ ଦଶନ୍ଧିରୁ ଅଧିକ କାଳ ହେବ ଦେଖାଦେଇଛି । ଅମ୍ବୁଲ୍‌ଗାରେ ଥିବା ଉଦ୍ଧବ ବିରାଦର୍‌ଙ୍କ ଛୋଟ ଏକ ଏକରର ଆମ୍ବ ବଗିଚା ୨୦୧୪ କୁଆପଥର ବର୍ଷାରେ ନଷ୍ଟ ହୋଇଗଲା । ସେ କୁହନ୍ତି ‘‘ମୋର ୧୦-୧୫ ଟି ଗଛ ଥିଲା । ସେଗୁଡ଼ିକ ସେହି ତୋଫାନରେ ମରିଗଲେ । ମୁଁ ସେଗୁଡ଼ିକୁ ବଞ୍ଚାଇବାକୁ କୌଣସି ଚେଷ୍ଟା କଲି ନାହିଁ ।’’

୩୭ ବର୍ଷ ବୟସ୍କ ବିରାଦର କୁହନ୍ତି, ‘‘କୁଆପଥର ଲାଗି ରହିଛି’’। ୨୦୧୪ ତୋଫାନ ପରେ ଗଛଗୁଡ଼ିକୁ ଦେଖିବା ଯନ୍ତ୍ରଣା ଦାୟକ ଥିଲା । ଆପଣ ଗଛ ଲଗାଇବେ, ତା’ର ଯତ୍ନ ନେବେ ଏବଂ ତା’ ପରେ ସେଗୁଡ଼ିକ କେଇ ମିନିଟ୍‌ରେ ଉଡ଼ିଯିବ । ମୁଁ ଭାବି ପାରୁନି ମୁଁ ପୁଣି ସେଗୁଡ଼ିକ ଭିତର ଦେଇ ଯାଇପାରିବି ।’’

PHOTO • Parth M.N.

ଗୁଣଓ୍ୱନ୍ତ ହୁଲ୍‌ସୁଲ୍‌କାର୍‌ (ଉପର ବାମ), ତାଙ୍କ ମା’ ଧୋନ୍ଦାବାଇ (ଉପର ଡାହାଣ) ଏବଂ ବାପା ମଧୁକର (ତଳ ଡାହାଣ) ଏବେ ଏହି ଅବାଞ୍ଛିତ କୁଆପଥର ପାଇଁ ବଗିଚା ଛାଡି ଦେବେ ବୋଲି ଚିନ୍ତା କରୁଛନ୍ତି, ଯେତେବେଳେ କି ସୁଭାଷ ଶିନ୍ଦେ (ତଳ ବାମ) କୁହନ୍ତି ସେ ହୁଏତ ଏଥର ମଧ୍ୟ ଖରିଫ୍ ଋତୁଠାରୁ ଦୂରେଇ ରହିପାରନ୍ତି 

କୁଆପଥର? ଲାଟୁର୍‌ ଜିଲ୍ଲାର ମରାଠାଓ୍ୱାଡା ଅଞ୍ଚଳରେ? ଏହା ସେହି ସ୍ଥାନ ଯେଉଁଠାରେ ବର୍ଷର ଅଧାରୁ ଅଧିକ ସମୟ ତାପମାତ୍ରା ୩୨ ଡିଗ୍ରୀ ସେଲ୍‌ସିୟସ୍‌ ଉପରେ ଥାଏ । ନିକଟରେ ହୋଇଥିବା କୁଆପଥର ବୃଷ୍ଟି ଚଳିତ ବର୍ଷ ଏପ୍ରିଲ୍‌ ମାସର ପ୍ରଥମ ସପ୍ତାହରେ ହୋଇଥିଲା ଯେତେବେଳେ ତାପମାତ୍ରା ୪୧ ରୁ ୪୩ ଡିଗ୍ରୀ ମଧ୍ୟରେ ଥିଲା ।

କିନ୍ତୁ ଏଠାରେ ପ୍ରାୟ ସବୁ ଚାଷୀ ଉଦାସୀନ ଭାବରେ ଆପଣଙ୍କୁ କହିବେ, ସେମାନେ ଆଉ ତାପମାନ, ହାଓ୍ୱାମାନ ଏବଂ ବର୍ତ୍ତମାନ (ତାପମାତ୍ରା, ପାଣିପାଗ ଏବଂ ଜଳବାୟୁ )ର ବ୍ୟବହାର ବୁଝିପାରୁ ନାହାଁନ୍ତି ।

ସେମାନେ ଯାହା ଆକଳନ କରନ୍ତି ସେ ଅନୁଯାୟୀ ବାର୍ଷିକ ବୃଷ୍ଟିର ଦିନଗୁଡ଼ିକ କମ୍‌ ହେବାରେ ଲାଗିଛି ଏବଂ ଉତ୍ତପ୍ତ ଦିନଗୁଡ଼ିକର ସଂଖ୍ୟା ବଢ଼ୁଛି। ୧୯୬୦ ମସିହାରେ ଯେଉଁ ବର୍ଷ ଧୋନ୍ଦାବାଈ ଜନ୍ମଗ୍ରହଣ କରିଥିଲେ, ସେତେବେଳେ ଲାଟୁର୍‌ରେ ବାର୍ଷିକ ଅତିକମ୍‌ରେ ୧୪୭ଦିନର ତାପମାତ୍ରା ୩୨ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ଥିଲା। ଏହି ତଥ୍ୟ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱତାପାୟନ ଉପରେ ଏକ ଆପ୍‌ର ତଥ୍ୟରୁ ଗ୍ରହଣ କରାଯାଇଛି। ଚଳିତବର୍ଷ, ଏପରି ଦିନର ସଂଖ୍ୟା ୧୮୮ଦିନ ହୋଇପାରେ। ଯେତେବେଳେ ଧୋନ୍ଦାବାଈଙ୍କୁ ୮୦ବର୍ଷ ହେବ, ସେତେବେଳେ ଏଭଳି ଉତ୍ତପ୍ତଦିନର ସଂଖ୍ୟା ୨୧୧କୁ ବୃଦ୍ଧି ପାଇଥିବ।

ଗତ ମାସରେ ମୁଁ ଯେତେବେଳେ ଆମ୍ବୁଲଗାଁଠାରେ ଥିବା ତାଙ୍କର ୧୫ ଏକର କ୍ଷେତ ଦେଖିବାକୁ ଯାଇଥିଲି ସୁବାସ ସିନ୍ଦେ ମୋତେ କହିଥିଲେ, ‘‘ଜୁଲାଇ ଶେଷ ହେବାକୁ ଯାଉଛି ଏକଥା ବିଶ୍ୱାସ କରିବା କଷ୍ଟ।’’ ତାଙ୍କ କ୍ଷେତ ନିଷ୍ଫଳା ଦେଖାଯାଉଥିଲା, ମୃତ୍ତିକା ଧୂସର ଥିଲା, ସବୁଜିମାର କୌଣସି ଚିହ୍ନ ନ ଥିଲା। ୬୩ବର୍ଷ ବୟସ୍କ ସିନ୍ଦେ ତାଙ୍କ ଧଳା କୁର୍ତ୍ତାରୁ ଗୋଟିଏ ରୁମାଲ କାଢ଼ିଲେ ତାଙ୍କ ମଥାରେ ଥିବା ଝାଳ ପୋଛିଲେ ଏବଂ କହିଲେ, ‘‘ମୁଁ ସାଧାରଣତଃ ଜୁନ୍‌ ମଝି ସୁଧା ସୋୟାବିନ ବୁଣିଥାଏ। କିନ୍ତୁ ଏଥର ମୁଁ ବୋଧହୁଏ ସମ୍ପୂର୍ଣ୍ଣ ଖରିଫ ଋତୁଠାରେ ଦୂରେଇ ରହିବି’’।

ଦକ୍ଷିଣ ଲାଟୁରକୁ ତେଲେଙ୍ଗାନାର ହାଇଦ୍ରାବାଦ ସହ ଯୋଡ଼ୁଥିବା ଏହି ୧୫୦ କିଲୋମିଟର ବ୍ୟାପ୍ତ ଅଞ୍ଚଳରେ ମୁଖ୍ୟତଃ କୃଷକମାନେ ସୋୟାବିନ ଚାଷ କରନ୍ତି। ସିନ୍ଦେ କୁହନ୍ତି, ୧୯୯୮ ପର୍ଯ୍ୟନ୍ତ ଯଅ, ହରଡ଼ ଏବଂ ମୁଗ ଏଠାର ମୁଖ୍ୟ ଖରିଫ ଫସଲ ଥିଲା। ‘‘ଏଗୁଡ଼ିକ ଅଧିକ ବର୍ଷା ଆବଶ୍ୟକ କରୁଥିଲା, ଭଲ ଅମଳ ପାଇଁ ଆମେ ନିୟମିତ ମୌସୁମୀ ଆବଶ୍ୟକ କରୁଥିଲୁ’’।

ପ୍ରାୟ ୨୦୦୦ ମସିହା ବେଳକୁ ସିନ୍ଦେ ଏବଂ ପ୍ରାୟ ଅନ୍ୟ ସମସ୍ତେ ସୋୟାବିନ ଆଡ଼କୁ ମୁହାଁଇଲେ, ଏହାର କାରଣ ଭାବରେ ସେ କୁହନ୍ତି, ‘‘ଏହା ଏକ ନମନୀୟ ଫସଲ। ଯଦି ପାଣିପାଗ ସାମାନ୍ୟ ବଦଳେ ଏହା ନଷ୍ଟ ହୁଏନାହିଁ। ଏହା ଅନ୍ତଃରାଷ୍ଟ୍ରୀୟ ବଜାରରେ ମଧ୍ୟ ଖୁବ୍‌ ଆକର୍ଷଣୀୟ ଥିଲା। ଅମଳ ସରିଲା ବେଳକୁ ଆମେ କିଛି ଅର୍ଥ ସଞ୍ଚୟ କରିପାରୁଥିଲୁ। ଏହାଛଡ଼ା ଅମଳ ପରେ ବଳୁଥିବା ସୋୟାବିନଗୁଡ଼ିକ ପଶୁ ଖାଦ୍ୟ ଭାବରେ ବ୍ୟବହୃତ ହେଉଥିଲା। କିନ୍ତୁ ଗତ ୧୦-୧୫ବର୍ଷରୁ ଅଧିକ ସମୟ ହେବ  ସୋୟାବିନ ମଧ୍ୟ ଅନିୟମିତ ପାଣିପାଗ ସହ ଖାପ ଖୁଆଇପାରୁନି।’’

ଲାଟୁରରେ ନିକଟରେ ହୋଇଥିବା କୁଆପଥର ବୁଷ୍ଟିଜନିତ କ୍ଷୟକ୍ଷତି: ନଷ୍ଟ ହୋଇଥିବା ସାଫ ଫ୍ଲାଓ୍ୱାର (ଉପର ବାମ: ଫଟୋ ନାରାୟଣ ପାଓ୍ୱାଲେ); କୁଆପଥର ବୃଷ୍ଟି ପରେ ଗୋଟିଏ କ୍ଷେତ (ଉପର ଡାହାଣ; ଫଟୋ: ନିଶାନ୍ତ ଭଦ୍ରେଶ୍ୱର); ନଷ୍ଟ ହୋଇଥିବା ତରଭୁଜ (ତଳ ବାମ; ଫଟୋ: ନିଶାନ୍ତ ଭଦ୍ରେଶ୍ୱର); ନଷ୍ଟ ହୋଇଥିବା ଯଅ (ତଳ ଡାହାଣ; ଫଟୋ: ମନୋଜ ଆଖଡ଼େ)

ଏବଂ ଏହି ବର୍ଷ, ଲାଟୁର ଜିଲ୍ଲାର ଜିଲ୍ଲାପାଳ ଜି. ଶ୍ରୀକାନ୍ତ କୁହନ୍ତି, ‘‘ଯେଉଁମାନେ ସେମାନଙ୍କ ଫସଲ ବୁଣିଛନ୍ତି, ଏବେ ଅନୁତାପ କରୁଛନ୍ତି।’’ ‘‘କାରଣ ପ୍ରଥମେ ବର୍ଷା ହେବା ପରେ ବହୁଦିନ ପର୍ଯ୍ୟନ୍ତ ଶୁଖିଲା ରହିଲା।’’ ଜିଲ୍ଲାରେ  ମାତ୍ର ୬୪ ପ୍ରତିଶତ ବୁଣାବୁଣି (ସମସ୍ତ ଫସଲ) ହୋଇଛି। ନିଲାଙ୍ଗ ତାଲୁକାରେ ୬୬ ପ୍ରତିଶତ, ମୁଖ୍ୟତଃ ସୋୟାବିନ ଯାହାକି ଜିଲ୍ଲାରେ ସମୁଦାୟ କୃଷି କ୍ଷେତ୍ରର ୫୦ ପ୍ରତିଶତରେ ହୋଇଥିାଏ, ଭୀଷଣ ଭାବରେ କ୍ଷତିଗ୍ରସ୍ତ ହୋଇଛି।

ଲାଟୁର ମରାଠାଓ୍ୱାଡାର କୃଷି ଅଞ୍ଚଳରେ ରହିଛି ଏବଂ ଏହାର ବାର୍ଷିକ ସ୍ୱାଭାବିକ ବୃଷ୍ଟିପାତ ୭୦୦ ମିଲିମିଟର। ଚଳିତବର୍ଷ ମୌସୁମୀ ଜୁନ୍‌ ୨୫ରେ ଆସିଥିଲା ଏବଂ ସେବେଠାରୁ ଅନିୟମିତ ଅଛି। ଶ୍ରୀକାନ୍ତ ମୋତେ କହିଥିଲେ, ଜୁଲାଇ ମାସର ଶେଷ ସୁଦ୍ଧା ସେହି ଅବଧିରେ ହେଉଥିବା ସ୍ୱାଭାବିକ ବୃଷ୍ଟିପାତ ତୁଳନାରେ ଏବର୍ଷ ବର୍ଷା ୪୭ ପ୍ରତିଶତ କମ୍‌ ଅଛି।

ସୁବାସ ସିନ୍ଦେ କୁହନ୍ତି ୨୦୦୦ର  ଆରମ୍ଭ ବେଳକୁ ପ୍ରାୟ ୪୦୦୦ଟଙ୍କା ନିବେଶରେ ଗୋଟିଏ ଏକରରୁ ପ୍ରାୟ ୧୦-୧୨ କ୍ୱିଣ୍ଟାଲ ସୋୟାବିନ ଅମଳ ହେଉଥିଲା। ଏହାର ପ୍ରାୟ ଦୁଇ ଦଶକ ପରେ ସୋୟାବିନର ଦାମ ପ୍ରାୟ ଦୁଇଗୁଣ ହୋଇଛି, କ୍ୱିଣ୍ଟାଲ ପିଛା ଟ.୧,୫୦୦ଙ୍କାରୁ ଟ ୩,୦୦୦ ହୋଇଛି। କିନ୍ତୁ ସେ କୁହନ୍ତି କୃଷିର ଖର୍ଚ୍ଚ ତିନିଗୁଣ ହୋଇଛି ଏବଂ ଏକର ପିଛା ଅମଳ ଅଧା ହୋଇଛି।

ରାଜ୍ୟ କୃଷି ବିପଣନ ବୋର୍ଡର ତଥ୍ୟ ମଧ୍ୟ ସିନ୍ଦେଙ୍କ ନିରୀକ୍ଷଣକୁ ସମର୍ଥନ କରୁଛି। ୨୦୧୦-୧୧ରେ ସମୁଦାୟ ୧.୯୪ ଲକ୍ଷ ହେକ୍ଟର ଜମିରେ ସୋୟାବିନ ଚାଷ କରାଯାଉଥିଲା ଏବଂ ଉତ୍ପାଦନ ୪.୩୧ ଲକ୍ଷ ଟନ ଥିଲା ବୋଲି ବୋର୍ଡର ଓ୍ୱେବ୍‌ସାଇଟ୍‌ରେ କୁହାଯାଇଛି। ୨୦୧୬ ମସିହାରେ ସୋୟାବିନ ୩.୬୭ ଲକ୍ଷ ହେକ୍ଟର ଜମିରେ ଚାଷ ହୋଇଥିଲା ଏବଂ ଉତ୍ପାଦନ ଥିଲା ମାତ୍ର ୩.୦୮ଲକ୍ଷ ଟନ୍‌। ଚାଷ ଜମିର ପରିମାଣ ୮୯ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଉତ୍ପାଦନ ୨୮.୫ ପ୍ରତିଶତ ହ୍ରାସ ପାଇଥିଲା। 

ଧୋନ୍ଦାବାଈଙ୍କ ସ୍ୱାମୀ ମଧୁକର ହୁଲ୍‌ସୁଲ୍‌କର ଚଳିତ ଦଶନ୍ଧିର ଆଉ ଏକ ବୈଶିଷ୍ଟ୍ୟ ଆଡ଼କୁ ନିର୍ଦ୍ଦେଶ କରିଛନ୍ତି। ସେ କୁହନ୍ତି, ‘‘୨୦୧୨ ମସିହାଠାରୁ, ଆମର କୀଟନାଶକ ବ୍ୟବହାର ମଧ୍ୟ ବହୁତ ବଢ଼ିଯାଇଛି। କେବଳ ଏହି ବର୍ଷ, ଆମକୁ ୫-୭ଥର ସିଞ୍ଚନ କରିବାକୁ ହୋଇଥିଲା।’’

ଧୋନ୍ଦାବାଈ ମଧ୍ୟ ପରିବର୍ତ୍ତିତ ଦୃଶ୍ୟପଟ୍ଟ ଆଡ଼କୁ ଅଧିକ ସୂଚନା ଦିଅନ୍ତି।  ସେ କୁହନ୍ତି, ‘‘ଆଗରୁ ଆମେ ବାଦୁଡି, ଶାଗୁଣା ଏବଂ ଘରଚଟିଆଙ୍କୁ ନିୟମିତ ଭେଟୁଥିଲୁ। କିନ୍ତୁ ଗତ ୧୦ବର୍ଷ ହେବ ସେଗୁଡ଼ିକ ବିରଳରୁ ବିରଳତର ହୋଇଯାଉଛନ୍ତି।’’

PHOTO • Parth M.N.

ମଧୁକର ହୁଲ୍‌ସୁଲ୍‌କର ତାଙ୍କର ଆମ୍ବ ଗଛ ତଳେ: ‘୨୦୧୨ ମସିହାଠାରୁ ଆମର କୀଟନାଶକ ବ୍ୟବହାର ବହୁତ ବଢ଼ିଯାଇଛି। ଆମକୁ ୫-୭ଥର ସିଞ୍ଚନ କରିବାକୁ ହେଉଛି’

ଲାଟୁରରେ ଅବସ୍ଥାପିତ ପରିବେଶ ସାମ୍ବାଦିକ ଅତୁଲ ଦେଉଲଗାଁଓକର କୁହନ୍ତି, ‘‘ଭାରତରେ ଏ ପର୍ଯ୍ୟନ୍ତ କୀଟନାଶକ ବ୍ୟବହାର ହେକ୍ଟର ପିଛା ୧କିଲୋଗ୍ରାମରୁ କମ୍‌ ଅଛି।’’ ‘‘ଆମେରିକା, ଜାପାନ ଏବଂ ଅନ୍ୟ ଉନ୍ନତ ଶିଳ୍ପ ସମୃଦ୍ଧ ଦେଶଗୁଡ଼ିକରେ ୮ରୁ ୧୦ ଗୁଣ ବ୍ୟବହାର କରାଯାଉଛି। କିନ୍ତୁ ସେମାନେ ସେମାନଙ୍କର କୀଟନାଶକକୁ ନିୟନ୍ତ୍ରିତ କରିଛନ୍ତି। ଆମେ କରୁନୁ। ଆମ କୀଟନାଶକରେ କ୍ୟାନସର କାରକ ଉପାଦାନ ରହୁଛି, ଯାହାକି ଜମି ଚାରିପାଖରେ ଥିବା ପକ୍ଷୀମାନଙ୍କୁ ପ୍ରଭାବିତ କରୁଛି। ଏହା ସେମାନଙ୍କୁ ମାରିଦେଉଛି।’’

ସିନ୍ଦେ ଜଳବାୟୁ ଶୈଳୀରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଉତ୍ପାଦନ ହ୍ରାସ ପାଇଁ ଦାୟୀ ବୋଲି କୁହନ୍ତି। ସେ କୁହନ୍ତି, ‘‘ଚାରି ମାସ ମୌସୁମୀ ସମୟରେ [ଜୁନ୍‌-ସେପ୍ଟେମ୍ବର] ଏଠି ସାଧାରଣତଃ ୭୦-୭୫ଦିନ ବର୍ଷା ହୋଇଥାଏ।’’ ‘‘ଝିପିଝିପି, ଭୀଷଣ କିମ୍ବା ହାଲକା ବର୍ଷା ହୋଇଥାଏ। ଗତ ୧୫ବର୍ଷ ମଧ୍ୟରେ, ବର୍ଷାଦିନର ସଂଖ୍ୟା ଅଧା ହୋଇଯାଇଛି। ଯେତେବେଳେ ବର୍ଷା ହେଉଛି ସେତେବେଳେ ଏହା ପାଗଳ ପରି ଅଜାଡି ଦେଉଛି। ଏହା ପରେ ପରେ ପ୍ରାୟ ୨୦ଦିନ ଶୁଖିଲା ରହୁଛି। ଏପରି ଜଳବାୟୁରେ ଚାଷ କରିବା ଅସମ୍ଭବ।’’

ଲାଟୁର ପାଇଁ ଭାରତୀୟ ପାଣିପାଗ ବିଭାଗର ତଥ୍ୟ ମଧ୍ୟ ତାଙ୍କ ନିରୀକ୍ଷଣର ସମର୍ଥନ କରେ। ୨୦୧୪ ମସିହାରେ ମୌସୁମୀର ଚାରୋଟି ମାସରେ ବୃଷ୍ଟିପାତ ପରିମାଣ ୪୩୦ ମିଲିମିଟର ଥିଲା। ପରବର୍ତ୍ତୀ ବର୍ଷ, ଏହା ୩୧୭ ମିମି ହେଲା। ୨୦୧୬ ମସିହାରେ ସେହି ଚାରିମାସରେ ଜିଲ୍ଲାରେ ୧,୦୧୦ ମିଲିମିଟର ବର୍ଷା ହୋଇଥିଲା। ୨୦୧୭ରେ, ଏହା ଥିଲା ୭୬୦ ମିଲିମିଟର। ଗତ ବର୍ଷ ମୌସୁମୀ ଋତୁରେ ଲାଟୁରରେ ମାତ୍ର ୫୩୦ ମିଲିମିଟର ବର୍ଷା ହୋଇଥିଲା, ସେ ମଧ୍ୟରୁ ୨୫୨ ମିଲିମିଟର କେବଳ ଜୁନ୍‌ ମାସରେ ହିଁ ହୋଇଥିଲା। ଏପରିକି ଯେଉଁ ବର୍ଷମାନଙ୍କରେ ଜିଲ୍ଲାରେ ସ୍ୱାଭାବିକ ବୃଷ୍ଟିପାତ ହୋଇଛି ଏହାର ବ୍ୟାପ୍ତି ଏବଂ ବଣ୍ଟନ ସବୁଠାରୁ ଅସମାନ ହୋଇଛି।

ଭୂତଳ ଜଳ ସର୍ବେକ୍ଷଣ ଏବଂ ବିକାଶ ଏଜେନ୍ସିର ବରିଷ୍ଠ ଭୂତତ୍ତ୍ୱବିତ୍‌ ଚନ୍ଦ୍ରକାନ୍ତ ଭୋୟାର ଦର୍ଶାନ୍ତି; ‘‘ଗୋଟିଏ ସୀମିତ ସମୟ ମଧ୍ୟରେ ଭୀଷଣ ବର୍ଷା ମୃର୍ତ୍ତିକା କ୍ଷୟ କରିଥାଏ। କିନ୍ତୁ ଯେତେବେଳେ ଏହା ନିରବଚ୍ଛିନ୍ନ ଭାବରେ ଝିପିଝିପି ହୋଇ ହୋଇଥାଏ ଏହା ଭୂତଳ ଜଳସ୍ତର ବୃଦ୍ଧି କରିବାରେ ସହାୟକ ହୋଇଥାଏ।’’

ସିନ୍ଦେ ଆଉ ଭୂତଳ ଜଳ ଉପରେ ନିର୍ଭର କରିପାରିବେ ନାହିଁ କାରଣ ତାଙ୍କର ଚାରୋଟି ବୋରଓ୍ୱେଲଗୁଡ଼ିକ ଅଧିକାଂଶ ସମୟରେ ଶୁଖିଲା। ସେ କୁହନ୍ତି ‘‘ଆମେ ସାଧାରଣତଃ ୫୦ଫୁଟରେ ପାଣି ପାଉଥିଲୁ କିନ୍ତୁ ଏବେ ୫୦୦ ଫୁଟ ଗଭୀର ବୋରଓ୍ୱେଲଗୁଡ଼ିକ ମଧ୍ୟ ଶୁଖିଲା।’’

ଏହା ଅନ୍ୟ ସମସ୍ୟାକୁ ମଧ୍ୟ ଜନ୍ମ ଦେଉଛି। ‘‘ଯଦି ଆମେ ଯଥେଷ୍ଟ ବୁଣିବୁ ନାହିଁ ତେବେ ଆମ ପଶୁମାନଙ୍କ ପାଇଁ ଚାରା ଅଭାବ ହେବ’’। ‘‘ଜଳ ଏବଂ ଚାରା ବିନା ଚାଷୀମାନେ ସେମାନଙ୍କର ପଶୁ ସମ୍ପଦ ଚଳାଇପାରିବେ ନାହିଁ। ୨୦୦୯ ମସିହା ପର୍ଯ୍ୟନ୍ତ ମୋର ୨୦ଟି ଗୋରୁଗାଈ ଥିଲେ ଏବେ ମାତ୍ର ୯ଟି।’’

2014 hailstorm damage from the same belt of Latur mentioned in the story
PHOTO • Nishant Bhadreshwar
2014 hailstorm damage from the same belt of Latur mentioned in the story
PHOTO • Nishant Bhadreshwar
2014 hailstorm damage from the same belt of Latur mentioned in the story
PHOTO • Nishant Bhadreshwar

ଏହା ମରାଠାଓ୍ୱାଡାର ଲାଟୁର ଜିଲ୍ଲା, ଯେଉଁଠାରେ ଛଅମାସରୁ ଅଧିକ ସମୟ ତାପମାତ୍ରା ୩୨ ଡିଗ୍ରୀ ଉପରେ ଥାଏ। ନିକଟରେ ହୋଇଥିବା କୁଆପଥର ବୃଷ୍ଟି ଏପ୍ରିଲ୍‌ ମାସର ପ୍ରଥମ ସପ୍ତାହରେ ହୋଇଥିଲା ଯେତେବେଳେ ତାପମାତ୍ରା ୪୧ରୁ ୪୩ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ମଧ୍ୟରେ ଥିଲା

ସିନ୍ଦେଙ୍କ ମା’ କାବେରୀବାଈ ୯୫ବର୍ଷ ବୟସରେ ବି ସକ୍ରିୟ ଓ ସତର୍କ ଅଛନ୍ତି। ସେ କୁହନ୍ତି ‘‘୧୯୦୫ ମସିହାରେ ଲୋକମାନ୍ୟ ତିଲକ ଏହାକୁ କପା ସହ ପରିଚିତ କରାଇବା ପରଠାରୁ ଏହା କପାର କେନ୍ଦ୍ର ହୋଇଥିଲା। ଏହା ଚାଷ କରିବା ପାଇଁ ଆମେ ଯଥେଷ୍ଟ ବର୍ଷା ମଧ୍ୟ ପାଉଥିଲୁ। ଆଜି ସୋୟାବିନ ଏହାର ସ୍ଥାନ ନେଇଯାଇଛି।’’ ସେ ଚଟାଣରେ ଚକା ପକାଇ ବସିଥିଲେ ଏବଂ ଉଠିବା ପାଇଁ କାହାର ସାହାଯ୍ୟ ଆବଶ୍ୟକ କରୁନଥିଲେ।

ସିନ୍ଦେ ଖୁସୀ ଯେ ତାଙ୍କ ମାଆ ପ୍ରାୟ ଦୁଇଦଶକ ତଳୁ ସକ୍ରିୟ କୃଷି ଛାଡ଼ି ଦେଇଛନ୍ତି- କୁଆପଥର ବୃଷ୍ଟି ଆରମ୍ଭ ପୂର୍ବରୁ। ‘‘ସେଗୁଡ଼ିକ କେଇ ମିନିଟ୍‌ରେ କ୍ଷେତକୁ ସମ୍ପୂର୍ଣ୍ଣ ଉଜାଡ଼ିଦିଏ। ଯେଉଁମାନଙ୍କର ଫଳ ବଗିଚା ଅଛି ସେମାନେ ହିଁ ସବୁଠାରୁ ଅଧିକ କଷ୍ଟ ପାଆନ୍ତି।’’

ଦକ୍ଷିଣ ଅଞ୍ଚଳରେ ଅବସ୍ଥା ଟିକେ ଭଲ। ଫଳ ବଗିଚା କରିଥିବା ଚାଷୀମାନେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି। ମଧୁକର ହୁଲସୁଲକର କୁହନ୍ତି, ‘‘ଚଳିତବର୍ଷ ଏପ୍ରିଲ୍‌ ମାସରେ ଶେଷ ଥର ପାଇଁ କୁଆପଥର ବୃଷ୍ଟି ହୋଇଥିଲା।’’ ‘‘ମୁଁ ଟ୧.୫ ଲକ୍ଷର ଫଳ ହରାଇଲି। ୨୦୦୦ ମସିହା ଆରମ୍ଭରେ ଆମେ ୯୦ଟି ଗଛରୁ ଆରମ୍ଭ କରିଥିଲୁ, ଏବେ ୫୦ ଗଛକୁ ଖସିଲୁ। ଏବେ ସେ ଫଳ ବଗିଚା ଛାଡ଼ିବାକୁ ଚିନ୍ତା କରୁଛନ୍ତି କାରଣ କୁଆପଥରଗୁଡ଼ିକ କ୍ରମଶଃ ଅଭିନ୍ନ ଅଙ୍ଗ ପାଲଟି ଯାଉଛି।’’ ସେ ମୋତେ ବଗିଚାକୁ ନେଇଥିଲେ ଯେଉଁଠାରେ ଗଛ ଗଣ୍ଡିଗୁଡ଼ିକରେ ହଳଦିଆ ଦାଗ ଦେଖାଯାଉଥିଲା।’’ 

ଲାଟୁର ଗୋଟିଏ ଶତାବ୍ଦୀ ମଧ୍ୟରେ ଫସଲ ଶୈଳୀରେ ଅନେକ ପରିବର୍ତ୍ତନ ଦେଖିଛି। ଏକଦା ଏଠାରେ ଯଅ (ସୋରଘମ) ଏବଂ ଅନ୍ୟ ବାଜରାର ଆଧିପତ୍ୟ ଥିଲା ଏବଂ ମକା ମଧ୍ୟ କିଛି ପରିମାଣରେ ହେଉଥିଲା, ୧୯୦୫ଠାରୁ ଏହା ବୃହତ ପରିମାଣରେ କପାକୁ ଗ୍ରହଣ କରିଥିଲା। 

ଏହା ପରେ ୧୯୭୦ଠାରୁ ଆଖୁ ଆସିଲା, ସୂର୍ଯ୍ୟମୁଖୀ ଅଳ୍ପ ସମୟ ପାଇଁ ଏବଂ ୨୦୦୦ଠାରୁ ବୃହତ୍‌ ପରିମାଣରେ ସୋୟାବିନ ଚାଷ। ଆଖୁ ଏବଂ ସୋୟାବିନର ବ୍ୟାପକତା ଦେଖିବା ଯୋଗ୍ୟ ଥିଲା। ୨୦୧୮-୧୯ରେ, ଆଖୁ ୬୭,୦୦୦ ହେକ୍ଟର ଜମିରେ ହୋଇଥିଲା (ପୁନେସ୍ଥିତ ବସନ୍ତଦାଦା ସୁଗାର ଇନ୍‌ଷ୍ଟିଚ୍ୟୁଟ୍‌ର ତଥ୍ୟରୁ) ଏବଂ ୧୯୮୨ରେ ଗୋଟିଏ ଚିନି କଳରୁ ବର୍ତ୍ତମାନ ଲାଟୁରରେ ୧୧ଟି ଅଛି। ଅର୍ଥକରୀ ଫସଲ ସହ ବୋରଓ୍ୱେଲ ବିସ୍ଫୋରଣ ମଧ୍ୟ ଆରମ୍ଭ ହେଲା- କେତେକ ଖୋଳା ହୋଇଛି ତାହାର କୌଣସି ହିସାବ ନାହିଁ- ଏବଂ ଭୀଷଣ ଭୂତଳ ଜଳ ଦୋହନ। ଯେଉଁ ମୃର୍ତ୍ତିକା ଐତିହାସିକ ଭାବରେ ବାଜରା ଜାତୀୟ ଫସଲ ପାଇଁ ଅନୁକୂଳ ସେଠାରେ ୧୦୦ ବର୍ଷରୁ ଅଧିକ କାଳ ଅର୍ଥକରୀ ଫସଲ ଚାଷ ନିଶ୍ଚିତ ଭାବରେ ଜଳ, ମୃର୍ତ୍ତିକା, ଆଦ୍ରତା ଏବଂ ଗଛ ଲତାକୁ ପ୍ରଭାବିତ କରିଛି। 

ଏଥିସହ ଲାଟୁରର ଜଙ୍ଗଲ ପରିମାଣ ମାତ୍ର ୦.୫୪ ପ୍ରତିଶତ ବୋଲି ରାଜ୍ୟ ସରକାରଙ୍କ ଓ୍ୱେବ୍‌ସାଇଟ୍‌ କହୁଛି। ଯାହାକି ମରଠାଓ୍ୱାଡାର ବ୍ୟାପକ ବିପନ୍ନ ଅବସ୍ଥା ୦.୯ ପ୍ରତିଶତରୁ ବି କମ୍‌।

Kaveribai
PHOTO • Parth M.N.
Madhukar and his son Gunwant walking through their orchards
PHOTO • Parth M.N.

ବାମ : କାବେରୀ ବାଈ ସିନ୍ଦେ, ୯୫, ମନେପକାନ୍ତି, ‘ଲାଟୁର ଗୋଟିଏ କପା କେନ୍ଦ୍ର ଥିଲା… ଆମେ ଏହା ଚାଷ କରିବା ପାଇଁ ଯଥେଷ୍ଟ ବର୍ଷା ମଧ୍ୟ ପାଉଥିଲୁ’ ଡାହାଣ: ମଧୁକର ହୁଲ୍‌ସୁଲ୍‌କର ଏବଂ ତାଙ୍କପୁଅ ଗୁଣଓ୍ୱନ୍ତ- ଜଳବାୟୁ ଯୋଗୁଁ ଏକାବେଳକେ ଚାଷରୁ ଦୂରେଇ ଯାଉଛନ୍ତି ?

ଅତୁଲ ଦେଉଲଗାଓଁକର କୁହନ୍ତି, ‘‘ଏ ସମସ୍ତ ପ୍ରକ୍ରିୟା ଏବଂ ଜଳବାୟୁ ପରିବର୍ତ୍ତନ ମଧ୍ୟରେ ଏକ ସ୍ୱାଭାବିକ ସମୀକରଣ ସୃଷ୍ଟି କରିବା ଭୁଲ୍‌ ହେବ ଏବଂ ଦୃଢ଼ ପ୍ରମାଣ ସହ ଏହାକୁ ସମର୍ଥନ କରିବା କଷ୍ଟକର’’। ଏପରି ପରିବର୍ତ୍ତନ ବିଶାଳ କ୍ଷେତ୍ରରେ ହୋଇଥାଏ, ଏବଂ ମନୁଷ୍ୟ ତିଆରି ଜିଲ୍ଲା ସୀମା ମଧ୍ୟରେ ନୁହେଁ। ଲାଟୁର ଯାହାକି ମରାଠାଓ୍ୱାଡାର ଏକ ଅଂଶ ତାହା ଏହି ଦୃଶ୍ୟମାନ ପରିବର୍ତ୍ତନକୁ ସାମ୍ନା କରୁଛି ଯାହାକି କୌଣସି ଉପାୟରେ କ୍ରମବର୍ଦ୍ଧିଷ୍ଣୁ କୃଷି-ପରିସଂସ୍ଥାନ ଅସନ୍ତୁଳନ ବୃଦ୍ଧି ସହ ସମ୍ପୃକ୍ତ।

‘‘କିନ୍ତୁ କେତେକ ପ୍ରକ୍ରିୟା ମଧ୍ୟରେ କିଛି ସମ୍ପର୍କ ବ୍ୟାପକ କ୍ଷେତ୍ର ମଧ୍ୟରେ ରହିଛି ଏବଂ ଏହା ମଜାଦାର। ଗତ ବୃହତ୍ତ ଫସଲ ପରିବର୍ତ୍ତନ ଏବଂ ଜମି ଉପଯୋଗ ଏବଂ ଟେକ୍ନୋଲୋଜିରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ଏକ ଦଶନ୍ଧି ପରେ ଚରମ ଜଳବାୟୁ ଘଟଣା ଏବଂ କୁଆପଥର ଆସି ପହଞ୍ଚିଛି। ଯଦିଓ ମାନବିକ କାର୍ଯ୍ୟକଳାପକୁ ଏହାର କାରଣ ଭାବରେ ଦର୍ଶାଯାଇପାରିବ ନାହିଁ ତଥାପି  ଆମେ ଦେଖୁଥିବା ଜଳବାୟୁ ଅସନ୍ତୁଳନରେ ଏହାର ଉଲ୍ଲେଖଯୋଗ୍ୟ ଯୋଗଦାନ ନିଶ୍ଚୟ ରହିଛି।’’

ଏ ମଧ୍ୟରେ ଲୋକମାନେ ଚରମ ଜଳବାୟୁ ଘଟଣାଗୁଡ଼ିକର ସଂଖ୍ୟା ବୃଦ୍ଧିରେ ହତପ୍ରଭ ହୋଇଯାଉଛନ୍ତି।

ଗୁଣଓ୍ୱନ୍ତ ହୁଲ୍‌ସୁଲ୍‌କାର କୁହନ୍ତି, ‘‘ପ୍ରତ୍ୟେକ କୃଷି ଚକ୍ର ଚାଷୀମାନଙ୍କୁ ଖୁବ୍‌ ଅଧିକ ଚାପରେ ପକାଉଛି’’। ‘‘ଯାହାକି କୃଷକ ଆତ୍ମହତ୍ୟାର ଅନ୍ୟତମ କାରଣ। ମୋ ପିଲାମାନେ ସରକାରୀ କାର୍ଯ୍ୟାଳୟରେ କିରାଣୀ ଭାବରେ କାମ କରିବା ବରଂ ଭଲ ହେବ’’। ଜଳବାୟୁ ପରିବର୍ତ୍ତନ ସହ କୃଷିରେ ତାଙ୍କର ଦୃଷ୍ଟିକୋଣ ମଧ୍ୟ ପରିବର୍ତ୍ତିତ ହୋଇଯାଇଛି।

ସୁବାସ ସିନ୍ଦେ କୁହନ୍ତି, ‘‘କୃଷି କ୍ରମଶଃ ସମୟ, ଶକ୍ତି ଏବଂ ଅର୍ଥ ନଷ୍ଟ ପରି ଜଣାଯାଉଛି।’’ ଏହା ତାଙ୍କ ମାଆଙ୍କ ସମୟରେ ଭିନ୍ନ ଥିଲା। ଉତ୍ସାହର ସହ କାବେରୀବାଈ କୁହନ୍ତି, ‘‘କୃଷି ଆମର ପ୍ରାକୃତିକ ପସନ୍ଦ ଥିଲା।’’

ଯେତେବେଳେ ମୁଁ ନମସ୍କାର ସହ କାବେରୀବାଈଙ୍କଠାରୁ ବିଦାୟ ନେଲି ସେ ଏହା ବଦଳରେ ମୋ ସହ କରମର୍ଦ୍ଦନ କଲେ। ଗୌରବ ସହ ହସି ସେ କହିଲେ, ‘‘ଗତବର୍ଷ ମୋ ନାତି ଅର୍ଥ ସଞ୍ଚୟ କଲା ଏବଂ ମୋତେ ଉଡ଼ାଜାହାଜରେ ବୁଲାଇନେଲା। ମୋତେ ଉଡ଼ାଜାହାଜରେ କେହି ଜଣେ ଏମିତି ଶୁଭେଚ୍ଛା ଜଣାଇଥିଲେ। ପାଣିପାଗ ବଦଳୁଛି। ମୁଁ ଭାବୁଛି ଆମର ଶୁଭେଚ୍ଛା ଜଣାଇବା ଅଭ୍ୟାସ ମଧ୍ୟ ବଦଳିବା ଦରକାର।

ପ୍ରଛଦ ଫଟୋ (ଲାଟୁରରେ କୁଆପଥର ବୃଷ୍ଟି କ୍ଷୟକ୍ଷତି) : ନିଶାନ୍ତ ଭଦ୍ରେଶ୍ୱର

ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ପରୀ’ର ଜାତୀୟସ୍ତରୀୟ ରିପୋର୍ଟିଂ ପ୍ରକଳ୍ପ ୟୁଏନଡିପି-ସହାୟତା ପ୍ରାପ୍ତ ପଦକ୍ଷେପର ଏକ ଅଂଶ। ଯାହାକି ସାଧାରଣ ଲୋକଙ୍କ ସ୍ୱର ଏବଂ ପ୍ରତ୍ୟକ୍ଷ ଅନୁଭୂତି ଜରିଆରେ ସେହି ପ୍ରକ୍ରିୟାକୁ ବୁଝିବା ପାଇଁ ଉଦ୍ଦିଷ୍ଟ।

ଏହି ପ୍ରବନ୍ଧକୁ ଆଉ ଥରେ ପ୍ରକାଶିତ କରିବାକୁ ଚାହାଁନ୍ତି? ଦୟାକରି  [email protected] କୁ ଏକ ସିସି ସହ [email protected] କୁ ଲେଖନ୍ତୁ

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Parth M.N.

ପାର୍ଥ ଏମ.ଏନ୍ ହେଉଛନ୍ତି ୨୦୧୭ ପରି ସହିତ ଜଡ଼ିତ ଅଛନ୍ତି। ଲସ୍ ଆଞ୍ଜେଲିସ୍ ଟାଇମସ ଖବର କାଗଜ ପାଇଁ ଭାରତରୁ ବିଶେଷ ସମ୍ବାଦଦାତା ଅଛନ୍ତି ଆଉ ଅନ୍ୟ ୱେବ୍ ପୋର୍ଟାଲ ପାଇଁ ଲେଖାଲେଖି କରନ୍ତି। ସେ କ୍ରିକେଟ୍ ଏବଂ ଭ୍ରମଣ କରିବାକୁ ଭଲପାଆନ୍ତି।

Other stories by Parth M.N.