କିଛି ବର୍ଷ ତଳେ ତାଙ୍କ କୂଅଟି ଶୁଖିଯିବାରୁ ଖୋଳାକାମ ଆରମ୍ଭ ହେଲା । ଭଲ ବର୍ଷା ହୋଇ ନଥିଲା । ଭୂତଳ ଜଳ ସାରଣୀ ଖସିବାରେ ଲାଗିଥିଲା । ତେଣୁ ବିଶ୍ଵମ୍ଭର ଜଗତାପ ନଳକୂଅଟିଏ ଖୋଳିବାକୁ ସ୍ଥିର କରିଥିଲେ ।

ଏଇଟା ଶସ୍ତା । କେଇ ଘଣ୍ଟା ଭିତରେ ହୋଇଯାଏ । ଏହା ସେହି କୁତ୍ସିତ ସତ୍ୟଟିକୁ ବି ଢାଙ୍କି ଦିଏ-ଆପଣ ବାସ୍ତବରେ ଅତି ଗଭୀରକୁ ଯାଇପାରନ୍ତି ଏବଂ ବିନା ଝଞ୍ଜଟରେ ପାଣି ବାହାର କରିପାରନ୍ତି ।

ପ୍ରଥମଟିରେ ପ୍ରାୟ ୪୦୦ ଫୁଟ୍‌ ତଳୁ କିଛି ପାଣି ବାହାରିଲା । ଦିନ କେଇଟାରେ ଏହା ଶୁଖିଗଲା । ସେ ଆଉ ଗୋଟିକର କାମ ଆରମ୍ଭ କଲେ । ଏଥିରେ ପାଣି ପଡ଼ିଲା ନାହିଁ । ତା ପରେ ତୃତୀୟ, ଚତୁର୍ଥ .... ପାଣିପାଇବା ଲାଗି ପ୍ରତି ଥର ସେ ଗଭୀରରୁ ଅତି ଗଭୀରକୁ ଯାଉଥିଲେ ।

ବର୍ଷର ଏହି ସମୟରେ ଏ ଅଞ୍ଚଳ ପାଇଁ ଏକ ପ୍ରକାର ବିଷମ ସ୍ଥିତି ଦେଖାଦେଇଛି । ନେତାମାନେ ଏହାକୁ ମରୁଡ଼ି ବୋଲି କହନ୍ତି, ଏକ ପ୍ରାକୃତିକ ଦୁର୍ବିପାକ; ଜଳଧାରାର ଗତି ଉପରେ ନଜର ରଖିଥିବା ବିଶେଷଜ୍ଞମାନେ ଏହାକୁ ମନୁଷ୍ୟକୃତ ବିପର୍ଯ୍ୟୟ ବୋଲି କହନ୍ତି ।

ହୁଏତ ଏକାଠି ଦୁଇଟା ଯାକ ସତ । ମହାରାଷ୍ଟ୍ରର ପ୍ରାୟ ଏକ ତୃତୀୟାଂଶ ଅଞ୍ଚଳକୁ ଗ୍ରାସ କରିଥିବା ଏହି ଉତ୍କଟ ଜଳାଭାବ ସ୍ଥିତିର ନଥିଭୁକ୍ତ ଇତିହାସ ନାହିଁ । ହେଲେ ରାଜ୍ୟ ପାଇଁ ମରୁଡ଼ି ନୂଆକଥା ନୁହେଁ ।

ଦୁଇ ବର୍ଷ ଭିତରେ ଏହି ୪୨ ବର୍ଷୀୟ ବିଜ୍ଞାନ ଗ୍ରାଜୁଏଟ୍‌ ଏବଂ ଉଦ୍ୟାନବିତ୍‌ଜଣକ ତାଙ୍କ ୧୮ ଏକର ଜମିରେ ଏତେ ଗାତ ଖୋଳିଲେଣି ଯେ,ଏହା ତକାଲସିମ ଗାଁର ଅନ୍ୟ ସମସ୍ତ ଚାଷୀ ଖୋଳିଥିବା ଗାତ ସଂଖ୍ୟାଠାରୁ ଅଧିକ । ଏହି ଜମିର କିଛି ଭାଗରେ ତାଙ୍କର ଏକ ଡାଳିମ୍ବ ବଗିଚା ରହିଛି ।

ଗତ ମାସ ଶେଷ ଭାଗରେ, ଆମେ ତାଙ୍କୁ ସାକ୍ଷାତ କରିବାର କିଛି ଦିନ ଆଗରୁ ତାଙ୍କର ୩୬ତମ ଉଦ୍ୟମ କାର୍ଯ୍ୟତଃ ବିଫଳ ହୋଇଥିଲା । ଜଗତାପ କହନ୍ତି, ସେ ଆଉ ଗୋଟିଏ ଥର ଚେଷ୍ଟା କରି ଦେଖିବେ ବୋଲି ସ୍ଥିର କରିଥିଲେ। ଏଥର ସଫଳତା ନ ମିଳିବା ଯାଏଁ ଖୋଳାକାମ ବନ୍ଦ ନ କରିବାକୁ ସେ ନଳକୂଅ ଖୋଳା ମେସିନ୍‌ର ମାଲିକଙ୍କୁ କହିଥିଲେ ।

PHOTO • Jaideep Hardikar

ଜଗତାପଙ୍କ ଗାଁ କେନ୍ଦ୍ରୀୟ ମହାରାଷ୍ଟ୍ରର ବୀଡ଼ ଜିଲ୍ଲା ଅନ୍ତର୍ଗତ ଅଷ୍ଟି ବ୍ଲକ୍‌ରେ । ନଳକୂଅ ପ୍ରତି ତାଙ୍କର ପ୍ରବଳ ଉତ୍ସାହ ଯୋଗୁଁ ଏହି ଅଞ୍ଚଳରେ ସେ ଏକପ୍ରକାର ଖ୍ୟାତି ଅର୍ଜନ କରିଛନ୍ତି । ଏ ଅଞ୍ଚଳର ଅଧିକାଂଶ ଭାଗରେ ସର୍ବତ୍ର ନଳକୂଅ ଖୋଳା  ଯାଉଥିଲେ ହେଁ, ପାଣି ଖୋଜିବା ପାଇଁ ନଳକୂଅ ଖୋଳିବାରେ ଅନ୍ୟ କୌଣସି ଚାଷୀ ତାଙ୍କ ପାଖାପାଖି ବି ନାହାନ୍ତି ।

ପଶ୍ଚିମ ମହାରାଷ୍ଟ୍ରର କେତେକ ଭାଗ ଏବଂ ମରାଠୱାଡ଼ା ଅଞ୍ଚଳର ଜନସଂଖ୍ୟା ମୋଟାମୋଟି ୨ କୋଟି, ଯାହା ରାଜ୍ୟର ଏକ ତୃତୀୟାଂଶ । ଏ ଅଞ୍ଚଳର ଲୋକେ ଏବେ ସେହି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ଯାହାକି ରାଜସ୍ଥାନର ମରୁଭୂମି କିମ୍ବା ଉପସାଗରୀୟ ରାଷ୍ଟ୍ର ସମୂହରେ ଲୋକଙ୍କ ପରିସ୍ଥିତି ସହ ସମାନ । କ୍ରମାଗତ ଦୁଇ ବର୍ଷ ଏବଂ କେତେକ ସ୍ଥାନରେ ତିନି ବର୍ଷ ଧରି ପର୍ଯ୍ୟାପ୍ତ ବର୍ଷା ହୋଇ ନଥିବାରୁ ଜଳ ଭଣ୍ଡାର ଓ ନଦୀଗୁଡ଼ିକ ଶୁଖିଯାଇଛି ।

ଭୂତଳ ଜଳ ସାରଣୀ ଉଦ୍‌ବେଗଜନକ ଭାବେ ହ୍ରାସ ପାଉଛି । କେତେକ ସ୍ଥାନରେ ଏହା ୫୦୦ ଫୁଟ୍‌ରୁ ବହୁତ ତଳେ ରହିଛି ଏବଂ ବୀଡ଼ ଭଳି ଜିଲ୍ଲାରେ ଏହା ଆଶ୍ଚର୍ଯ୍ୟଜନକ ଭାବେ ୧୨୦୦ ଫୁଟ୍‌ ତଳେ ରହିଛି ।

ମୃଦୁଭାଷୀ ଜଗତାପ କହନ୍ତି, “ଠିକ୍‌ ଜାଗା ଖୋଜିବାକୁ ମୋତେ କିଛି ସମୟ ଲାଗିଲା ।” ତାଙ୍କ ଜମିର ପଶ୍ଚିମରେ ଥିବା ଗଡ଼ାଣିଆ ଅଞ୍ଚଳ ଦେଇ ନଳକୂଅ ଖୋଳା ମେସିନ୍‌ ଲାଗିଥିବା ଗୋଟିଏ ଟ୍ରକ୍‌କୁ ଏକ ନିମ୍ବଗଛ ପାଖକୁ ଅଣାଗଲା । ଦୁଇ ଦିନ କାଳ ମେସିନ୍‌ ମାଟି ଖୋଳିବାରେ ଲାଗିଲା, ଗୋଟିଏ ପରେ ଗୋଟିଏ କରି ପ୍ଲାଷ୍ଟିକ୍‌ ଟ୍ୟୁବ୍‌କୁ ମାଟି ତଳେ ପୂରାଇ ଦିଆଗଲା । କେବଳ ଏଇ ଆଶାରେ ଯେ ଏ ଅଞ୍ଚଳର ଲୋକେ ରତ୍ନପଥର ଭଳି ବିରଳ ମଣୁଥିବା ବସ୍ତୁଟିର ସନ୍ଧାନ କାଳେ ଅବା ମିଳିଯିବ । ଶେଷରେ, ୧୦୧୦ ଫୁଟ୍‌ ତଳେ ପାଣିର ଝର ପଡ଼ିଲା । ଆଇନ ଅନୁସାରେ ସେ ୨୫୦ ଫୁଟ୍‌ ତଳକୁ ଖୋଳିବା କଥା ନୁହେଁ ।

ତାଙ୍କ ଫଳ ବଗିଚାକୁ ରକ୍ଷା କରିବା ଲାଗି ଜଗତାପ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ । ବାଜିରେ ଲାଗିଥିଲା, ସମୃଦ୍ଧି ଆଶା ନେଇସେ କରିଥିବା ସାତ ବର୍ଷର ସଂଘର୍ଷ । ୨୦୦୫ରେ ସେ ଫୁଲଚାଷ ଲାଗି ମନ ବଳାଇଥିଲେ । ପ୍ରଭାବଶାଳୀ ଢଙ୍ଗରେ ପାଣିର ସର୍ବାଧିକ ଉପଯୋଗ ଲାଗି ବୁନ୍ଦା ଜଳସେଚନ ପଦ୍ଧତିରେ ସେ ଏହା କରିବାକୁ ସ୍ଥିର କରିଥିଲେ । କାରଣ, ତାଙ୍କ କହିବା କଥା ଯେ ପାରମ୍ପରିକ ଚାଷବାସରେ ତାଙ୍କର କୌଣସି ଫାଇଦା ହେଉନାହିଁ ।

ଡାଳିମ୍ବରୁ ମିଳୁଥିବା ଫାଇଦା ଯୋଗୁଁ ସେ ଧନୀ ଚାଷୀଙ୍କ ଶ୍ରେଣୀକୁ ଉନ୍ନୀତ ହୋଇଥିଲେ । ନିଜେ ସେ ଓ ତାଙ୍କ ସ୍ତ୍ରୀ ଫଳ ବଗିଚାରେ କାମ କରୁଥିଲେ । ଶ୍ରମିକ ମଜୁରି ହ୍ରାସ କରିବା ଲାଗି ସେମାନେ ଅଧିକାଂଶ ଚାଷକାମରେ ଯନ୍ତ୍ରପାତି ବ୍ୟବହାର କରୁଥିଲେ ।

ନଳକୂଅ ଗାତରେ ଭର୍ତ୍ତି ଏକ ଅନୁର୍ବର ଜମିରେ ୫,୦୦୦ ଡାଳିମ୍ବ ଗଛ ଏକ ସୁନ୍ଦର ସବୁଜିମାର ସଂକେତ ପ୍ରଦାନ କରେ । ନିଖୁଣ ଭାବେ ପତ୍ରକଟା ହୋଇଥିବା ଏହି ଗଛଗୁଡ଼ିକ ଶୃଙ୍ଖଳିତ ସୈନିକଙ୍କ ଭଳି ଧାଡ଼ିରେ ଠିଆ ହୋଇଥାଆନ୍ତି ।

ଏବେ ସେଥିରେ ଲାଲ ଲାଲ ଫୁଲ ଫୁଟୁଛି । ସେ କହନ୍ତି, “ମୋର ଫଳଗୁଡ଼ିକ ବି ସେଇ ଏକା ରଙ୍ଗର ଏବଂ ବଡ଼ ବଡ଼ ଆକାରରେ ଫଳିବେ ।” ଗୋଟିଏ ଗୋଟିଏ ଡାଳିମ୍ବ ୪୦୦ରୁ ୬୦୦ ଗ୍ରାମ ଓଜନର ହେବ ।

PHOTO • Jaideep Hardikar

କାମ ଅଧା ହୋଇଥିଲେ ହେଁ ଧୀରେ ଧୀରେ ସେ ସମଗ୍ର ଜମିକୁ ଫଳବଗିଚାର ରୂପ ଦେଉଛନ୍ତି । କେତେକ ଗଛ ପୂରା ବଡ଼ ହୋଇଗଲେଣି, ଆଉ କେତେକ ଏବେ ଏବେ ଲଗାଯାଇଛି । ଆକାର ଓ ପ୍ରକାର ଭିତ୍ତିରେ ଡାଳିମ୍ବଗୁଡ଼ିକୁ ଭିନ୍ନ ଭିନ୍ନ ପ୍ଲାଷ୍ଟିକ୍‌ ଝୁଡ଼ିରେ ସୁନ୍ଦର ଭାବେ ସଜାଇ ରଖନ୍ତି ଜଗତାପ ପରିବାର । ବ୍ୟବସାୟୀମାନେ ତାଙ୍କ ବଗିଚାକୁ ଆସି ଡାଳିମ୍ବ କିଣି ନିଅନ୍ତି ।

ମହାରାଷ୍ଟ୍ରର ବିଭିନ୍ନ ବଜାର ଏବଂ ଚେନ୍ନାଇ, ବାଙ୍ଗାଲୋର ଓ କୋଲକାତା ଭଳି ଦୂର ଜାଗାର ବଜାରରେ ତାଙ୍କ ଡାଳିମ୍ବ ପହଞ୍ଚେ ।

ଫଳ ବଗିଚାରୁ ତାଙ୍କୁ ବାର୍ଷିକ ୪୫ ଲକ୍ଷ ଟଙ୍କା ମିଳେ । ସବୁ ଖର୍ଚ୍ଚକୁ ବାଦ ଦେଲେ ତାଙ୍କର ପ୍ରାୟ ୨୪ ଲକ୍ଷ ଟଙ୍କା ଲାଭ ହୁଏ । ଜଗତାପ କହନ୍ତି, “ଗତ ତିନି ବର୍ଷ ହେଲା ମୋର ଉତ୍ପାଦନ ଖର୍ଚ୍ଚର ବେଶୀ ଭାଗ ପାଣି ପାଇଁ ହୋଇଛି ।

ଘରୋଇ ଟ୍ୟାଙ୍କରରୁ ସେ ପାଣି କିଣି ଆସୁଛନ୍ତି କିମ୍ବା ନଳକୂଅ କି ପୋଖରୀ ଖୋଳି ବିଫଳ ହୋଇଛନ୍ତି । ଦୁଇ ବର୍ଷ ହେଲା ଆଦୌ ବର୍ଷା ହୋଇନାହିଁ ।

ସେ କହନ୍ତି, “ମୋର ଦରକାର, ଅଧିକ କିଛି ମାସ ପାଇଁ ପାଣି ରହୁଥିବା ଗୋଟିଏ ଭଲ ଭୂତଳ ଜଳ ଉତ୍ସ ।” ସେ ଏକଥା ବି ଜାଣନ୍ତି ଯେ ସେତିକି ଗଭୀରରୁ ପାଣି ପାଇବାକୁ ହେଲେ ତାଙ୍କୁ ସରକାରୀ ନୀତି ନିୟମ ଉଲ୍ଲଂଘନ କରିବାକୁ ପଡ଼ିବ । “ହେଲେ ମୁଁ ମୋ ଗଛଗୁଡ଼ିକ ଶୁଖି ମରିଯିବାକୁ ଦେବିନାହିଁ ।”

ଏ ଅଞ୍ଚଳରେ ପାଣି ପାଇଁ ଏକୁଟିଆ ଜଗତାପ ଗାତ ଖୋଳୁନାହାନ୍ତି ।

କେନ୍ଦ୍ରୀୟ ମହାରାଷ୍ଟ୍ରର ହଜାର ହଜାର କୃଷକ ନିଜ ନିଜର ଫଳନ୍ତି କ୍ଷେତ ଓ ଫଳବଗିଚାକୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି । ଫଳ ଭିତରେ ରହିଛି ବାତାପି, ଡାଳିମ୍ବ, ସପେଟା ଏବଂ ଅମୃତଭଣ୍ଡା ।

ଏବେ ଫେବ୍ରୁଆରୀ ମାସ ଏବଂ ସେମାନଙ୍କ ମଧ୍ୟରୁ ଅନେକ ପାଣିର ଆଶା ଛାଡ଼ି ଦେଲେଣି । ଚାଷଜମି ଓ ଫଳବଗିଚା କଥା ଛାଡ଼ନ୍ତୁ, ଏବେ ପିଇବା ପାଣି ମିଳିବା ଉପରେ ସମସ୍ତଙ୍କର ନଜର ।

୧୯୭୨ରେ ମହାରାଷ୍ଟ୍ରରେ ଉତ୍କଟ ମରୁଡ଼ି ଦେଖାଦେଇଥିଲା । ଏହା ଲୋକଙ୍କ ଅର୍ଥନୈତିକ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲା ଏବଂ ପ୍ରତ୍ୟେକ କ୍ଷେତ୍ରରେ ସମୃଦ୍ଧ ସମବାୟ ଅର୍ଥନୀତିର ପୁନର୍ଗଠନ ଦିଗରେ ଲୋକେ ସାମୂହିକ ଉଦ୍ୟମ ଆରମ୍ଭ କରିଥିଲେ ।

ଏଠି ହେଉ କି ସେଠି, ରାଜ୍ୟର ଅନେକ ଭାଗରେ ପ୍ରାୟ ସବୁ ବର୍ଷ ମରୁଡ଼ି ଓ ବର୍ଷାଭାବ ଲାଗି ରହିଛି । କିନ୍ତୁ, ଏହି ପ୍ରାକୃତିକ ପ୍ରକ୍ରିୟାକୁ ବର୍ଷ ବର୍ଷ ଧରି ଅଙ୍ଗେ ନିଭାଇଥିବା ଅନେକଙ୍କ ମତରେ ଏଥରର ସ୍ଥିତି ସବୁଠାରୁ ଅଧିକ ଗୁରୁତର ।

ନିକଟରେ ନାଗପୁର ଗସ୍ତରେ ଥିବା ସମୟରେ କେନ୍ଦ୍ର କୃଷି ମନ୍ତ୍ରୀ ଶରଦ ପାୱାର ଏହି ସାମ୍ବାଦିକଙ୍କୁ କହିଥିଲେ, “ଆମର ଖାଦ୍ୟ ଅଛି, ଆମ ପାଖରେ ଅର୍ଥ ଅଛି, ଲୋକଙ୍କୁ ଯୋଗାଇ ଦେବା ପାଇଁ ଆମ ପାଖରେ କାମ ଅଛି, କିନ୍ତୁ ଆମ ପାଖରେ ପାଣି ନାହିଁ।”୧୯୭୨ର ମରୁଡ଼ି ସମୟରେ ଲୋକଙ୍କ ପାଖରେ ଖାଦ୍ୟ କି କାମ ନଥିଲା, କିନ୍ତୁ ସେମାନଙ୍କ ପାଖରେ ପାଣି ଥିଲା ।

ଅଧିକାଂଶ ଅଞ୍ଚଳରେ ବୃଷ୍ଟିପାତ ହାର ହ୍ରାସ ପାଇବା ସହିତ ଗତ ଅକ୍ଟୋବର ମାସରୁ ହିଁ ଏହି ଜଳ ସଂକଟର କଳାବାଦଲ ଘୋଟି ଆସିଥିଲା । ଅକ୍ଟୋବର ଶେଷ ଭାଗରେ ମୌସୁମୀ ଛାଡ଼ି ଆସିବା ବେଳକୁ ରାଜ୍ୟର ୧୨୩ଟି ତହସିଲରେ ମରୁଡ଼ି-ସଦୃଶ ସ୍ଥିତି ଉପୁଜିଛି ବୋଲି ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀ ପୃଥ୍ଵିରାଜ ଚୌହ୍ଵାନ ବାଧ୍ୟ ହୋଇଥିଲେ ।

ଆର୍ଥିକ ସହାୟତା ପାଇଁ ଗତ ନଅ ମାସ ଭିତରେ ମହାରାଷ୍ଟ୍ର ତିନି ଥର କେନ୍ଦ୍ର ସରକାରଙ୍କ ଦ୍ଵାରସ୍ଥ ହୋଇଛି । ପ୍ରଭାବିତ ଅଞ୍ଚଳରେ କ୍ରମାଗତ ତିନି ବର୍ଷ ଧରି ବୃଷ୍ଟିପାତ ହାର ଦୀର୍ଘକାଳୀନ ହାରାହାରି ବୃଷ୍ଟିପାତ ପରିମାଣର ୫୦ ପ୍ରତିଶତରୁ କମ୍ ରହିଛି, ବିକ୍ଷିପ୍ତ ଓ ଅନିୟମିତ ବର୍ଷା ହୋଇଛି ।

ମହାରାଷ୍ଟ୍ରର ଏକ ତୃତୀୟାଂଶ ଛାୟା ବୃଷ୍ଟି ଜୋନ୍‌ ରୂପେ ପରିଚିତ ଅଞ୍ଚଳରେ, ଯେଉଁଠି ବୃଷ୍ଟିପାତ ଉପରେ ଭରସା କରିହୁଏ ନାହିଁ ଏବଂ ହାରାହାରି ୫୦୦ମି.ମି. କିମ୍ବା ତା’ଠାରୁ କମ୍‌ ବର୍ଷା ହୋଇଥାଏ । ପାଣିର ଆବଶ୍ୟକତା ପୂରଣ ପାଇଁ ଲୋକେ ଗଭୀର ଗାତ ଖୋଳୁଥିବାରୁ ଏ ଅଞ୍ଚଳର ଭୂତଳ ଜଳ ସାରଣୀ କେଇ ମିଟର ତଳକୁ ଖସିଯାଇଛି ।

ନିକଟରେ ମରାଠୀ ଖବରକାଗଜ ଲୋକମତରେ ଅହମଦ ନଗରର ଲୋକସଭା ସଦସ୍ୟ ବିଠଲ ଗଦାଖ ଲେଖିଥିଲେ ଯେ, ଏହି ମରୁଡ଼ିର ଦୀର୍ଘକାଳୀନ ଏବଂ ବହୁବିଧ ପରିଣତି ଭୋଗିବାକୁ ପଡ଼ିବ ଏବଂ ଏହା ଫଳରେ ହଜାର ହଜାର କୋଟି ଟଙ୍କାର କ୍ଷତି ସହିବାକୁ ହେବ। କାରଣ, ଏ ବର୍ଷର ପ୍ରାରମ୍ଭରୁ ଉପୁଜିଥିବା ଦୁଃସ୍ଥିତିର ପରିଣାମ ପିଢ଼ି ପରେ ପିଢ଼ି ଧରି ଅନୁଭୂତ ହେବ । ତାଙ୍କ ଜିଲ୍ଲାର ଜିଲ୍ଲା ପରିଷଦ ସଦସ୍ୟ ଥିବା ବେଳେ ଗଦାଖ ୧୯୭୨ର ମରୁଡ଼ି ଦେଖିଥିଲେ । ସେତେବେଳେ ଲୋକେ ଓ ଗୃହପାଳିତ ପଶୁ ମାସ ମାସ ଧରି ଅନାହାରରେ ରହିଥିଲେ ।

ଏକ ଆକଳନ ଅନୁସାରେ ମରୁଡ଼ି ଯୋଗୁଁ ମହାରାଷ୍ଟ୍ର ପ୍ରାୟ ୫ ଲକ୍ଷ ହେକ୍‌ଟର ଫଳ ବଗିଚା ହରାଇବ ଏବଂ ବ୍ୟକ୍ତିଗତ ଭାବେ ଚାଷୀମାନଙ୍କର ଏହି କ୍ଷତି ପରବର୍ତ୍ତୀ ବର୍ଷଗୁଡ଼ିକରେ ବି ଅନୁଭୂତ ହେବ । କାରଣ, ଡାଳିମ୍ବ କିମ୍ବା ବାତାପି ବଗିଚାରୁ ଆୟ କରିବା ଲାଗି ପ୍ରାୟ ଚାରିରୁ ନଅ ବର୍ଷ ଲାଗିଯାଏ । ଅନେକ ଅଞ୍ଚଳରେ ପାଣି ଅଭାବରୁ ବହୁ ଅଙ୍ଗୁର ବଗିଚା ପୋଡ଼ି ନଷ୍ଟ ହୋଇଯାଇଛି ।

ଶୁଷ୍କ ଜମିରେ ଏବଂ ଜୀବନ ଧାରଣ ପାଇଁ ଚାଷ କରୁଥିବା ଚାଷୀମାନଙ୍କ ଅବସ୍ଥା ଆହୁରି ଶୋଚନୀୟ । ଖରିଫ ଓ ରବି ଚାଷ ଉଭେଇ ଯାଇଛି । ଖାଦ୍ୟ ଶସ୍ୟ ଅମଳ ଠପ୍‌ ହୋଇଯାଇଛି । ଗୋଖାଦ୍ୟ ଅଭାବ ଯୋଗୁଁ ଗୃହପାଳିତ ପଶୁମାନଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି ।

PHOTO • Jaideep Hardikar

ଜଗତାପ କହନ୍ତି ଯେ ଏହି ସଂକଟର ଗୁରୁତ୍ଵ ଆକଳନ ପାଇଁ ତାଙ୍କୁ କିଛି ସମୟ ଲାଗିଲା ସତ, କିନ୍ତୁ ସେ ଏହି ବିଷମ ସ୍ଥିତିକୁ ସମ୍ଭାଳି ନେଉଛନ୍ତି । କିନ୍ତୁ ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରେ ହଜାର ହଜାର ଲୋକ ଏହି ଜଳ ସଂକଟ ସ୍ଥିତିକୁ ଧୀରେ ଧୀରେ ହୃଦୟଙ୍ଗମ କରୁଛନ୍ତି । ଭୂପୃଷ୍ଠରୁ ପାଣି ଉଭେଇ ଯାଇଛି । ନଦୀଗୁଡ଼ିକ ଶୁଖିଲା ପଡ଼ିଛି । ଏବଂ ଭୂତଳ ଜଳ ହିଁ ଏକମାତ୍ର ଆଶା ।

ଲୋକେ ଓ ସରକାରୀ ଅଧିକାରୀମାନେ ଏଥିପାଇଁ ଚିନ୍ତିତ ଯେ. ଯଦି ଏବେକାର ପରିସ୍ଥିତି ଏତେ ଖରାପ, ତା ହେଲେ ଗ୍ରୀଷ୍ମ ଋତୁ ବେଳକୁ ଏହା ଆହୁରି ଖରାପ ହୋଇଯିବ । ଉଦାହରଣତଃ, ଜାଲନା ଏବଂ ବୀଡ଼ ଜିଲ୍ଲାରେ ନଳକୂଅ ବସାଇବା ପାଇଁ ୧,୦୦୦ ଫୁଟ ଖୋଳିବା ପରେ ବି ଧୂଳି ବାହାରିବା ସାର ହେଉଛି । ଯେଉଁମାନଙ୍କର ନଳକୂଅ ଖୋଳିବାର ସାମର୍ଥ୍ୟ ନାହିଁ, ସେମାନେ ବଡ଼ ବଡ଼ ସହରକୁ ଚାଲିଯିବା ଲାଗି ଚିନ୍ତା କରିବା ଆରମ୍ଭ କଲେଣି ।

ଅନେକ ସ୍ଥାନରେ ଗତ ବର୍ଷ ତମାମ ସରକାରୀ ଓ ବେସରକାରୀ ପାଣି ଟ୍ୟାଙ୍କର ଯିବାଆସିବା ଲାଗି ରହିଥିଲା । ସେଗୁଡ଼ିକର ସଂଖ୍ୟା ଦ୍ରୁତ ହାରରେ ବୃଦ୍ଧି ପାଉଛି । ପ୍ରାୟ୨,୦୦୦ ସରକାରୀ ଟ୍ୟାଙ୍କର ବିଭିନ୍ନ ଗାଁକୁ ପାଣି ଯୋଗାଇ ଦେଉଛନ୍ତି ଏବଂ ଏହାର ବହୁଗୁଣ ବେସରକାରୀ ଯୋଗାଣ ହେଉଛି । ଅନେକ ଲୋକଙ୍କ ପାଇଁ ପାଣି ଏବେ ଏକ ବିଳାସ ସାମଗ୍ରୀ ଏବଂ କିଛି ଲୋକଙ୍କ ପାଇଁ ଏହା ଏକ ବେଶ୍‌ ଲାଭଦାୟକ ବ୍ୟବସାୟ ।

ପାଖାପାଖି ୧୦,୦୦୦ ଛୋଟ ଓ ମଧ୍ୟମ ଧରଣର ଜଳ ଭଣ୍ଡାରରେ ପାଣି ନାହିଁ । ନାସିକରୁ ବାହାରି ମରାଠୱାଡ଼ା ଅଞ୍ଚଳ ଦେଇ ପ୍ରବାହିତ, ଦକ୍ଷିଣର ଗଙ୍ଗା ରୂପେ ପରିଚିତ, ଗୋଦାବରୀ ନଦୀ ଅବିଶ୍ଵସନୀୟ ଭାବେ ଶୁଖିଯାଇଛି ।

ନାସିକ ଓ ଅହମଦନଗର ଜିଲ୍ଲାର ଉତ୍ତର ଭାଗରେ ନଦୀ ଉପର ମୁଣ୍ଡରେ ଥିବା ଅଳ୍ପ କେତେକ ବନ୍ଧରେ କିଛି ପାଣି ରହିଛି । ଯାହାକି ଏବେ କେବଳ ପିଇବା ପାଣି ପାଇଁ ସଂରକ୍ଷିତ ହୋଇଛି ।ଔରଙ୍ଗାବାଦ ଜିଲ୍ଲାରେ ଗୋଦାବରୀ ନଦୀ ଉପରେ ଥିବା ରାଜ୍ୟର ଦ୍ଵିତୀୟ ବୃହତ୍ତମ ବନ୍ଧ, ଜୟାକୱାଡ଼ିରେ ପାଣି ନାହିଁ କହିଲେ ଚଳେ । ଜଳଭଣ୍ଡାରର ଜଳସ୍ତର ଏତେ ତଳକୁ ଖସିଯାଇଛି ଯେ ଯେଉଁଠାରୁ ଆପଣ ପାଣି ନେଇପାରିବେ ନାହିଁ ।

ପ୍ରାୟ ପାଞ୍ଚ ଲକ୍ଷ ଗୃହପାଳିତ ପଶୁ ସରକାରୀ ଆଶ୍ରୟ ଶିବିରରେ ରହିଛନ୍ତି । ଗ୍ରୀଷ୍ମକାଳ ପାଖେଇ ଆସିବା ସହିତ ଏହି ସଂଖ୍ୟା ଦଶ ଲକ୍ଷ କିମ୍ବା ତା ଠାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ିଛି । ସେମାନେ ବାପା-ମାଆଙ୍କ ସହିତ ଅନ୍ୟ ସ୍ଥାନକୁ ଚାଲିଯାଇଛନ୍ତି । ଗ୍ରାମାଞ୍ଚଳରୁ ଯାଇ କଲେଜରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏ ବର୍ଷ ସେମାନଙ୍କର ପାଠପଢ଼ା ଜାରି ରଖିବା କଷ୍ଟକର ମନେ ହେଉଛି ।

ପାଣି ନାହିଁ ବୋଲି ଜାଲନା ଏବଂ ଓସମାନାବାଦ ସହରର ବାସିନ୍ଦାମାନେ ସେମାନଙ୍କ ବାସସ୍ଥାନ ବଦଳାଇବାରେ ଲାଗିଛନ୍ତି । ବୋଧହୁଏ, ପ୍ରଥମ ଥର ପାଇଁ ଜଳାଭାବ ଯୋଗୁଁ ଏ ଅଞ୍ଚଳର ଅନେକ ଲୋକ ବାହାରକୁ ପଳାଇବା ଲାଗି ବାଧ୍ୟ ହେବେ ।

ମହାରାଷ୍ଟ୍ରର ମରୁଡ଼ିଗ୍ରସ୍ତ ଅଞ୍ଚଳରେ ସାରା ଭାରତର ଏକ ସାମଗ୍ରୀକ ଧାରା ନଜରରେ ପଡ଼େ: ତାହା ହେଲା ପିଇବା, ଚାଷବାସ କରିବା ଏବଂ ଏବେ ଶିଳ୍ପ ସଂସ୍ଥାର ଆବଶ୍ୟକତା ପୂରଣ ପାଇଁ ଭୂତଳ ଜଳ ଉପରେ ନିର୍ଭରଶୀଳତା ବୃଦ୍ଧି ପାଉଛି । ଏହାର ପରିଣତି ଅତି ସ୍ପଷ୍ଟ: ସାରା ଦେଶରେ ଭୂତଳ ଜଳ ସାରଣୀ ଦ୍ରୁତ ହାରରେ ହ୍ରାସ ପାଉଛି ଏବଂ ଭୂତଳ ଜଳର ବ୍ୟବହାର ଓ ପୁନଃସଂରକ୍ଷଣ ମଧ୍ୟରେ ବ୍ୟବଧାନ ବଢ଼ିବାରେ ଲାଗିଛି ।

କେବଳ ଗତ କିଛି ମାସ ଭିତରେ, ତକାଲସିମ୍‌ ଗାଁରେ ନଳକୂଅ ଖୋଳିବା ପାଇଁ ଜଗତାପ ତାଙ୍କ ହାତରୁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି । ସେ କହନ୍ତି, “ମୋ ବଡ଼ଝିଅ ପାଇଁ ଲ୍ୟାପ୍‌ଟପ୍‌ କିଣିବାରେ ମୁଁ ସମୟ ଗଡ଼ାଇ ଚାଲିଛି । ଯେତେବେଳେ ମୁଁ ତାକୁ ଏହା କିଣିଦେବି ବୋଲି ଭାବେ, ଟଙ୍କା ପାଣିକୁ ଚାଲିଯାଏ ।” ତାଙ୍କ କଥାରେ ରହିଛି ଏ ଅଞ୍ଚଳର ସବୁ ପରିବାରରେ ଲାଗି ରହିଥିବା ସ୍ଥିତିର ପ୍ରତୀକାତ୍ମକ ପ୍ରତିଫଳନ ।

PHOTO • Jaideep Hardikar

ଗାଁ ଲୋକେ ଭାବିଲେ ସେ ପାଗଳ ହୋଇଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଥରେ ଦିଥର ଲେଖାଏଁ ଚେଷ୍ଟା କରିଥିଲେ । କ୍ଷେତରେ ୫୦୦ ଫୁଟ୍‌ ଯାଏ ଖୋଳିବା ପରେ ବି ଭଲ ଜଳଝର ନ ପାଇବାରୁ ସେମାନେ ଖୋଳିବା ବନ୍ଦ କରିଦେଇଥିଲେ । କିନ୍ତୁ ଜଗତାପଙ୍କ ସନ୍ଧାନ ଅବିରତ ଥିଲା । ଏବେ ଖୋଳୁଥିବା ସ୍ଥାନରୁ ପାଣି ନ ବାହାରିଲେ ସେ ହୁଏତ ଆଉ ଗୋଟିଏ ସ୍ଥାନରେ ଚେଷ୍ଟା କରିବେ । ତାଙ୍କ ଡାଳିମ୍ବ ଗଛଗୁଡ଼ିକରେ ଫଳ ଧରିଆସିଲାଣି ।

“ପୈସେ ଗେଲେ ତାର ଚଲତି, ବଗିଚା ବଚ୍‌ଲା ପାହିଜେ” (ମାଟି ଖୋଳିବାରେ ଯଦି ମୁଁ ଟଙ୍କା ନଷ୍ଟ କରୁଛି, ଚଳିବ, ଯେ କୌଣସି ମୂଲ୍ୟରେ ବି ମୋ ବଗିଚା ବଞ୍ଚିବା ଦରକାର), ଜଗତାପ କହନ୍ତି । “ମୁଁ ଜାଣେ ସେମାନେ ମୋତେ ପାଗଳ ବୋଲି ଭାବିଲେ, ମୋତେ ସେମାନେ ଭିନ୍ନ ଭିନ୍ନ ନାଁରେ ଟାହିଟାପରା ବି କଲେ ।”

ସେ କହନ୍ତି, ଏବେ ସବୁଠୁ କଷ୍ଟକର କାମ ହେଲା ପାଣି କେମିତି ବାହାରକୁ ଅଣାଯିବ ଏବଂ ଗଛରେ ଦିଆଯିବ । ଏଠାକାର ବଜାରରେ ମିଳୁଥିବା ପମ୍ପ୍‌ ଏତେ ଗଭୀରରୁ ପାଣି ବାହାର କରିପାରିବ ନାହିଁ । ତେଣୁ ସେ ଉନ୍ନତ ମାନର ପମ୍ପ ଆଣିବା ଦରକାର । “ଅତି ବେଶୀରେ ମୁଁ ପ୍ରତି ମିନିଟ୍‌ରେ ୫୦ ଲିଟର ପାଣି ପାଇପାରିବି ।” ତାଙ୍କ କହିବା କଥା ଯେ, ସେମିତି ହେଲେ ଆସନ୍ତା କେଇ ମାସରେ ତାଙ୍କର ବିଦ୍ୟୁତ ବିଲ୍‌ ବହୁତ ବଢ଼ିଯିବ ।

ଏହି ନଳକୂଅରୁ ପାଣି ଉଠାଇ ସେ ଉପରେ ଥିବା ଏକ ବଡ଼ କଂକ୍ରିଟ୍‌ ଟାଙ୍କିରେ ଭରିବେ ଏବଂ ସେଥିରୁ ପମ୍ପରେ ପାଣି ବାହାର କରିବୁନ୍ଦା ସେଚନ ପାଇପ୍‌ ଜରିଆରେ ଗଛଗୁଡ଼ିକରେ ଦେବେ । ସେ କହନ୍ତି, “ଆମ ପାଖରେ ପାଞ୍ଚ ମାସ ଅଛି ।” ସେଆଉ ଥରେ କହନ୍ତି, “ପାଞ୍ଚ, ଆମେ ଭୋକଉପାସରେ ରହିବୁ ନାହିଁ ସିନା କିନ୍ତୁ ପାଣି ସମସ୍ୟା ଜଟିଳ ହେଲେ ପୂରା ବରବାଦ ହୋଇଯିବୁ ।”

ଆବଶ୍ୟକତା ହିଁ ସବୁ ଶିକ୍ଷାର ମୂଳପିଣ୍ଡ । ଆସନ୍ତା ବର୍ଷାଋତୁ ପୂର୍ବରୁ ପୋଖରୀ ଖୋଳିବା, ବନ୍ଧ ନିର୍ମାଣ କରିବା ଏବଂ ନିଜ କ୍ଷେତ ପାଇଁ ବର୍ଷା ପାଣିର ପ୍ରତିଟି ବୁନ୍ଦା ସଂରକ୍ଷଣ କରି ରଖିବା ସହିତ ଭୂତଳ ଜଳସ୍ତରସାରଣୀକୁ ପୁଣି ବଢ଼ାଇବା ପାଇଁ ଯାହା କିଛି ଦରକାର ସବୁ କରିବା ଲାଗି ଜଗତାପ ଯୋଜନା କରିଛନ୍ତି । “ଆମେ ଭୂତଳ ଜଳର ପୁନଃସଂରକ୍ଷଣ ନ କରି ଏହାର ଅତ୍ୟଧିକ ବ୍ୟବହାର କରିପାରିବା ନାହିଁ । ମୁଁ ଆଶା କରୁଛି, ଏ ବର୍ଷ ଭଲ ବର୍ଷା ହେବ ।”

ଏଇ ଆଶାରେ ହିଁ ଏ ଅଞ୍ଚଳର ପ୍ରତ୍ୟେକ ଲୋକ ବଞ୍ଚି ରହିଛନ୍ତି ।

ଏହି ଲେଖା ପ୍ରଥମେ ଦି ଟେଲିଗ୍ରାଫ୍‌ର ୨୦ ଫେବ୍ରୁଆରୀ ୨୦୧୩ ସଂଖ୍ୟାରେ ପ୍ରକାଶିତ ହୋଇଥିଲା http://www.telegraphindia.com/1130220/jsp/nation/story_16583227.jsp#.VJPSWsADE )

ଅନୁବାଦ: ଓଡ଼ିଶାଲାଇଭ୍‍

Jaideep Hardikar

Jaideep Hardikar is a Nagpur-based journalist and writer, and a PARI core team member.

Other stories by Jaideep Hardikar
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE