ଭୂମିରୁ ୨୫ ଫୁଟ ଉଚ୍ଚ ମଂଚା ଉପରେ ବସିଥିଲେ ସଂଗୀତା କୁମାରୀ ସାହୁ। ଧୀରେ ଏବଂ ନିରନ୍ତର ଭାବେ ତାଙ୍କ ହାତ ଚାଲିଥିଲା। ବର୍ଷବର୍ଷ ଧରି ଅବହେଳିତ ହୋଇ ପଡି ରହିଥିବା କୋଠାରେ ଜମିଥିବା  ଆସ୍ତରଣକୁ ଛଡାଉଥିଲେ। ଧୂଳିରୁ ସୁରକ୍ଷା ପାଇଁ ସେ ଦୁପଟ୍ଟାକୁ ମୁଖା ଭଳି ବ୍ୟବହାର କରୁଥିଲେ। ଏ ଲେଖକ ତାଙ୍କୁ ମୁହଁରୁ ଦୁପଟ୍ଟା ହଟାଇବାକୁ କହିଲା। ସେ ନିଜର ହାତକୁ ଅଟକାଇଲେ। ଆଉ ଘୋଷଣା କଲେ ଯେ ସେ ଜଣେ ସାଧାରଣ ଶ୍ରମିକ ନୁହନ୍ତି।

ଛତିଶଗଡ ଦୁର୍ଗ ଜିଲ୍ଲା ବେମିତରା ବ୍ଳକର ବେହେରା ଗାଁରେ ତାଙ୍କ ଘର। ସେଠାରୁ ପ୍ରାୟ ୮ଶହ କିଲୋମିଟର ଦୂରରେ ରହି ୧୯ ବର୍ଷୀୟା ସଂଗୀତା ଏବଂ ୪୫ ବର୍ଷୀୟା ତାଙ୍କ ମା’ ନୀର ଏଠାରେ ଏହି କାମ କରନ୍ତି। ସିମେଣ୍ଟ ଆଉ ରଂଗର ସ୍ତର ଭିତରେ ସେମାନେ ଖୁବ ହାଲକା ଭାବେ ୬ ଇଞ୍ଚର ସିନ୍ଥେଟିକ୍ ବ୍ରସ ଚାଳନା କରିଥାନ୍ତି। ତାଙ୍କ ପାଖରେ ଭିନ୍ନଭିନ୍ନ ଆକାରର ବ୍ରସ୍ ଥାଏ। ବ୍ରସ ଗୁଡିକର କେଶର ଦୈର୍ଘ୍ୟ ୦.୭ ଇଞ୍ଚରୁ ୪ ଇଞ୍ଚ ପର୍ଯ୍ୟନ୍ତ। କାମ ଅନୁସାରେ ଏହି ବ୍ରସ ଗୁଡିକ ବ୍ୟବହାର ହୋଇଥାଏ। ଲକ୍ଷ୍ନୌର ଅନ୍ୟତମ ପ୍ରସିଦ୍ଧ ସ୍ଥାନ କନଷ୍ଟାନସିଆକୁ ତାର ମୂଳ ସୌନ୍ଦର୍ଯ୍ୟ ପ୍ରଦାନ କରାଯାଉଥିଲା। ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବେଙ୍ଗଲ ଆର୍ମୀର ମେଜର ଜେନେରାଲ କ୍ଲାଉଡ୍ ମାର୍ଟିନ୍ ଏହାର ନିର୍ମାଣ କରିଥିଲେ। ବର୍ତ୍ତମାନ ଏହା ଲା ମାର୍ଟିନିୟର ପୁରୁଷ ମହାବିଦ୍ୟାଳୟ। 

ସଂଗୀତାଙ୍କର ଏହି ଦକ୍ଷତା ତାଙ୍କୁ କାମର ଶାରୀରିକ ଅବସାଦରୁ ସାମାନ୍ୟ ଆଶ୍ୱସ୍ତି ଦିଏ। ତାଙ୍କ ପୋଷାକରେ ଜମି ଯାଇଥିବା ଧୂଳିକୁ ଦେଖାଇ ସେ କହିଲେ, “ମୁଁ  ଅଧିକାଂଶ ଦିନ ଭୂତ ଭଳି ଦେଖାଯାଏ।”

ଭିଡିଓ ଦେଖନ୍ତୁ: ଲକ୍ଷ୍ନୌର ଏହି ପ୍ରସିଦ୍ଧ କୋଠାର କାନ୍ଥରୁ ଆସ୍ତରଣ ବାହାର କରିବାବେଳେ ଛତିଶଗଡ ବିଳାସପୁରୀ ଭାଷାରେ ସଂଗୀତା ଗୀତ ଗାଉଛନ୍ତି

କୌଣସି ପୁନରୁଦ୍ଧାର କାର୍ଯ୍ୟର ପ୍ରଥମ ଏବଂ ଜରୁରି ସୋପାନ ହେଉଛି ସ୍କ୍ରାପିଙ୍ଗ। ୨୦୧୩ରୁ ପ୍ରକଳ୍ପର ନେତୃତ୍ଵ ନେଉଥିବା ୫୦ ବର୍ଷୀୟ ଅନସାରୁଦ୍ଦିନ ଅମନ କହନ୍ତି ଏହା ଏକ ‘କମନୀୟ କାମ’। ଭଲ ସ୍କ୍ରାପିଂ ବିନା କୌଣସି ପୁନରୁଦ୍ଧାର କାର୍ଯ୍ୟ ସମ୍ଭବ ନୁହେଁ। ଅନସାରୁଦ୍ଦିନ ପ୍ରଥମେ ସାଇନବୋର୍ଡ ପେଣ୍ଟର ଭାବେ କାମ ଆରମ୍ଭ କରିଥିଲେ। ଉତ୍କର୍ଷ କାମ ପାଇଁ ୨୦୧୬ରେ ସେ ଫ୍ରାନ୍ସ ସରକାରଙ୍କ ଦ୍ୱାରା ସମ୍ମାନୀତ ହୋଇଥିଲେ।

ଫ୍ରେଞ୍ଚ ବାରାକ୍ ଶୈଳୀରେ ନିର୍ମିତ ଏହି ସ୍ଥାପତ୍ୟ ୨୦୦ ବର୍ଷର ପୁରୁଣା। ଏହାର କାନ୍ଥ ଏବଂ ଭିତର ଛାତରେ ଚାରିଆଡେ ମୂର୍ତ୍ତି ଏବଂ ଚିତ୍ର। ଏହି ମା’ ଝିଅଙ୍କ କାମ ହେଉଛି ଫୁଲ, ପତ୍ର ଆଉ ମୁହଁ କରିବା। ବେଳେବେଳେ ମୌଳିକ ଖୋଦେଇ ତାଙ୍କୁ ଅଧିକ କ୍ଳାନ୍ତ କରେ। ସଂଗୀତା ମୁରୁକି ହସିଲେ। କହିଲେ, “କୌଣସି ନବଜାତକୁ ପ୍ରଥମ ଥର ଦେଖିଲେ ଯେଉଁ ଆନନ୍ଦ ମିଳେ, ଏହା ମୋତେ ସେହି ଆନନ୍ଦ ଦିଏ।”  କୌଣସି ବ୍ୟକ୍ତିଗତ କ୍ଷତି ହୋଇଥିବା ପରି ସେ ପୁଣି କ୍ଷୀଣ କଣ୍ଠରେ କହିଲେ, “ବେଳେବେଳେ ଭାରି ହତାଶ ଲାଗେ, ଯେମିତିକି କୌଣସି ଚିତ୍ରରେ ମୁହଁ ନଥିଲେ। ଏହା କେମିତି ହୋଇପାରିବ ବୋଲି ମୁଁ ଚିନ୍ତା କରେ।” 

PHOTO • Puja Awasthi
PHOTO • Puja Awasthi

ଏହି କନଷ୍ଟାନସିଆରେ ସ୍କ୍ରାପିଂ କରୁଥିବା ସଂଗୀତାଙ୍କର କାହ ହେଉଛି ଫୁଲ, ପତ୍ର ଏବଂ ମୁହଁ କରିବାତାଙ୍କ ଜୀବନରେ ଏମିତି ଅନ୍ୟ କୌଣସି ନିର୍ମାଣ ସେ ଦେଖି ନଥିଲେ।

ବାସ୍ତବ ଜୀବନରେ ଦେଖିଥିବା ଦୁଇଟି ବାସସ୍ଥଳୀଠାରୁ ଏହାର ନିର୍ମାଣ ଶୈଳୀ ସଂପୂର୍ଣ୍ଣ ଅଲଗା। ସଂଗୀତା ତାଙ୍କ ବାପା ମା’, ବଡ ଭାଇ ଶ୍ୟାମୁ ଏବଂ ସାନ ଭଉଣୀ ଆରତୀ ସହ ରୁହନ୍ତି। ଯଦିଓ ଏହା ଲକ୍ଷ୍ନୌ ପଡୋଶୀ ସ୍ୱଛଳ ବର୍ଗଙ୍କ ସ୍ଥାନ, ତେବେ ତେବେ ଏହି ପରିବାରଟି ଗୋଟିଏ କୋଠରୀ ବିଶିଷ୍ଟ ଘରେ ରହନ୍ତି। ଘରଟି ୬ ଫୁଟରେ ୮ ଫୁଟ। ଫିକା ପିଙ୍କ ରଂଗର କାନ୍ଥ। ଦୁଇ ପାଖ କାନ୍ଥରେ ହିନ୍ଦୁ ଦେବଦେବୀଙ୍କ ଚିତ୍ର। ଠାକୁରଙ୍କ ତଳକୁ କିଛି ଲୁଗାପଟା ଟଙ୍ଗା ଯାଇଛି। କାନ୍ଥରେ ଥିବା ତାଜାରେ ଦସ୍ତା ବାକ୍ସ, ପରିବାରର ଫଟୋ ଏବଂ ଆସବାବପତ୍ର। ଏହା ତଳକୁ ଟେଲିଭିଜନଟିଏ ରଖାଯାଇଛି। ଟିଭିରେ କେବଳ ପରିବାରିକ ଏବଂ ପ୍ରେମ କାହାଣୀ ଦେଖନ୍ତି ସଂଗୀତା। କାଠ ତିଆରି ଫର୍ଣିଚର ଭିତରେ ତାଙ୍କ ଘରେ କେବଳ ଖଟଟିଏ ରହିଛି। ଆଉ ଗୋଟିଏ ଫୋଲଡିଂ ଖଟ କାନ୍ଥକୁ ଡେରା ହୋଇଛି। ଘର ବାହାରେ ମଧ୍ୟ କୋଠରୀ ପରିମିତ ଜାଗା ଖଣ୍ଡିଏ ରହିଛି। ଏହା ରୋଷେଇବାସ ଏବଂ ଅତିରିକ୍ତ ଶୋଇବା ସ୍ଥାନ ଭାବରେ ବ୍ୟବହାର ହୋଇଥାଏ।

୨୦,୦୦୦ ଫୁଟ ପରିମିତ ଏକ ପ୍ଲଟ୍‌ ଉପରେ ଏହି ଘରଟି (ଏହିଭଳି ଅନେକ ଘର ମାସିକ ୬୦୦ ଟଙ୍କାରେ ଭଡା ଲାଗିଛି) ନିର୍ମିତ ହୋଇଛି। ହେଲେ ଏହି ଜାଗାରେ ଭଡାଟିଆ ବୁଲାବୁଲି କରିବାକୁ ମାଲିକ (ଜଣେ ଶିକ୍ଷକ) ପସନ୍ଦ କରେ ନାହିଁ।

ବାହାରକୁ ପାଦ କାଢିବାକୁ ସଂଗୀତା କେବେ ସାହସ କରି ନାହାନ୍ତି। କେବଳ ୧୫ ମିନିଟ ସାଇକେଲ ଚଳାଇ(ମା’ଙ୍କୁ ପଛ ସିଟ୍‌ରେ ବସାଇ) ସେ କର୍ମସ୍ଥଳୀକୁ ଆସନ୍ତି। ସେ ସକାଳ ୮ଟା ୧୫ରେ କାମରେ ଯୋଗ ଦିଅନ୍ତି ଆଉ ଅପରାହ୍‌ଣ ସାଢେ ୫ଟା ୩୦ରେ ଘରକୁ ଫେରନ୍ତି। ସଂଗୀତା କହିଲେ, “ମୁଁ ଶୁଣିଛି ଲକ୍ଷ୍ନୌ ସୁରକ୍ଷିତ ସ୍ଥାନ ନୁହେଁ। ବିଶେଷ କରି ଝିଅମାନଙ୍କ ପାଇଁ ଭଲ ନୁହେଁ।” ବାହେରାରେ ସେ ମୁକ୍ତ ଭାବରେ ବୁଲାଚଲା କରନ୍ତି। ସାଙ୍ଗ ସାଥୀଙ୍କ ସହ ସେ ଗାଁର ଏମୁଣ୍ଡ ସେମୁଣ୍ଡ ବୁଲନ୍ତି, ହସଖୁସି ହୁଅନ୍ତି, ଭାବ ବିନିମୟ କରନ୍ତି। 

PHOTO • Puja Awasthi
PHOTO • Puja Awasthi

ବାମ: ସଂଗୀତା, ତାଙ୍କ ମାନୀରା ,ଏବଂ ତାଙ୍କ ସାନ ଭଉଣୀ ଆରତୀଡାହଣ: କେବଳ କାମ ପାଇଁ ଯିବାବେଳେ ସଂଗୀତା ତାଙ୍କ ସାଇକେଲ ବ୍ୟବହାର କରନ୍ତି

ବାହେରାରୁ ବହୁ ଲୋକ ବାହାରକୁ ଯାଆନ୍ତି କାମ କରିବା ପାଇଁ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ନିର୍ମାଣ କାର୍ଯ୍ୟ କରନ୍ତି। ବାହେରାରେ ଏହି ପରିବାରର ଛୋଟ ଚାଷ ଜମି ଖଣ୍ଡିଏ ରହିଛି, ଯାହା ଏକ ଏକରରୁ କମ୍ ହେବ। ନିରା କହିଲେ, ‘ଅନ୍ୟ କାହା ଜମିରେ କାମ କଲେ ଆମେ ଦିନକୁ ୧୦୦ ଟଙ୍କା ପାଇଥାଉ। ଏହି ଜମିକୁ ଲିଜ୍ ଦିଆଯାଇଛି। ପ୍ରତିବର୍ଷ ଭାଗଚାଷୀ ଆମକୁ ୧୦ରୁ ୨୦ ବସ୍ତା ଧାନ କିମ୍ବା ଗହମ ଦେଇଥାଏ। ଯହା ଅମଳ ଉପରେ ନିର୍ଭର କରେ। ଲକ୍ଷ୍ନୌରେ ୪ ବର୍ଷ କାମ କରି ଏହି ପରିବାର ଯାହା ଉପାର୍ଜନ କରିଛନ୍ତି, ସେଥିରେ ଗାଁରେ ତିନି ବଖୁରିଆ ଇଟା ଘର ଖଣ୍ଡିଏ ହୋଇପାରିବ। ତା ପରେ ସେମାନେ ପାଇଖାନାଟିଏ କରିବେ ଏବଂ ସବୁ ଇଟା କାନ୍ଥକୁ ପ୍ଲାଷ୍ଟର କରିବେ।

ପ୍ରତିଦିନ ସାଢେ ୭ଘଣ୍ଟାର କାମ ପାଇଁ ସଂଗୀତା ଏବଂ ତାଙ୍କ ମାଆଙ୍କୁ ୩୫୦ ଟଙ୍କା ଲେଖାଏଁ ମିଳିଥାଏ। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ସେମାନେ ଯାହା ପାଆନ୍ତି, ତାହା ଜଣେ ସାଧାରଣ ଶ୍ରମିକର ମଜୁରୀ ସହ ସମାନ। କାମରେ କେବେ ଛୁଟି ନାହଁ। କାମ ନକଲେ ମଜୁରୀ ମିଳେନି। ସଂଗୀତାଙ୍କ ବାପା ସଲିକ୍ରମ ସେହି ଗୋଟିଏ ସ୍ଥାନରେ ମିସ୍ତ୍ରୀ ଭାବେ କାମ କରନ୍ତି। ତାଙ୍କର ଦୈନିକ ମଜୁରୀ ୫୫୦ଟଙ୍କା। ଉଭୟ ମିସ୍ତ୍ରୀ ଏବଂ ଶ୍ରମିକ କାର୍ଯ୍ୟ କରନ୍ତି ଶ୍ୟାମୁ। ତାଙ୍କ ଦୈନିକ ମଜୁରୀ ୪୦୦ ଟଙ୍କା। ସବା ସାନ ଝିଅ ଆରତୀର ମାସିକ ରୋଜଗାର ୬୦୦ ଟଙ୍କା। ମାଲିକଙ୍କ ଘରେ ରୋଷେଇ କରି ସେ ଏହି ଅର୍ଥ ଉପାର୍ଜନ କରନ୍ତି। ଏହି ପରିବାର ସମସ୍ତଙ୍କ ଆୟରୁ ମାସିକ ୧୦, ୦୦୦ ଟଙ୍କା ସଂଚୟ କରିଥାନ୍ତି।

ଏଠାରେ ପ୍ରାୟ ଅଧିକାଂଶ ନିର୍ମାଣ କାର୍ଯ୍ୟରେ ମହିଳାମାନେ ଶ୍ରମିକ ଭାବେ କାମ କରିଥାନ୍ତି। ସେମାନେ ୫୦ କିଲୋଗ୍ରାମ ବିଶିଷ୍ଟ ସିମେଣ୍ଟ ଅଖା ଏବଂ ବାଲି ସିମେଣ୍ଟ ମସଲା କାନ୍ଧ ଏବଂ ମୁଣ୍ଡରେ ଉଠାଇଥାନ୍ତି। ସଂଗୀତାଙ୍କ ବଡ ଭଉଣୀ ସନ୍ତୋଷୀ ଏଥିରେ ବ୍ୟତିକ୍ରମ ଥିଲେ। ତାଙ୍କର ଧୈର୍ଯ୍ୟ ଏବଂ ଦୃଷ୍ଟି ଯୋଗୁ ତାଙ୍କୁ ଜଣେ ସ୍କ୍ରାପର ଭାବେ ତାଲିମ ଦେବାକୁ ଆଗ୍ରହ କରିଥିଲେ ଅନସାରୁଦ୍ଦିନ।  ସେ କହନ୍ତି ‘ସନ୍ତୋଷୀ ପ୍ରାୟ ୭୦ ପ୍ରତିଶତ ମିସ୍ତ୍ରୀ ପାଲଟି ଯାଇଥିଲେ। ତା ପରେ କିନ୍ତୁ ସେ ବାହା ହୋଇଗଲେ।’ ବତ୍ତମାନ ସନ୍ତୋଷୀ ତାଙ୍କ ସ୍ୱାମୀଙ୍କ ସହ ପୁନେରେ ଜଣେ ସାଧାରଣ ଶ୍ରମିକ ଭାବେ କାମ କରୁଛନ୍ତି। ମିସ୍ତ୍ରୀ ଭାବରେ ନୁହେଁ, ଯାହା ସେ ହୋଇପାରିଥାନ୍ତେ।

ସଲିକ୍ରମଙ୍କୁ ଜଣେ ସ୍କ୍ରାପର ଭାବେ ତାଲିମ ଦେଇ ସେ ସନ୍ତୋଷୀଙ୍କ କ୍ଷତି ଭରଣା ପାଇଁ ଉଦ୍ୟମ କଲେ। ଅନସାରୁଦ୍ଦିନ କହିଲେ, ‘ସଲିକ୍ରମ କୌଣସି ପୁନରୁଦ୍ଧାର କାମ ପାଇଲେ ସେଠାରେ ସଂଗୀତାଙ୍କ ଦକ୍ଷତାର ଭଲ ବ୍ୟବହାର ହୋଇପାରିବ। ସଂଗୀତାଙ୍କ କଳା ପ୍ରକୃତିର ଦାନ। ୨୦ ବର୍ଷର କାମ ଭିତରେ ସେ ସଂଗୀତା ଭଳି ଝିଅ ଦେଖି ନାହାନ୍ତି।  କିନ୍ତୁ ସଲିକ୍ରମ ଏଥିରେ ବେଶି ଉତ୍ସାହିତ ନୁହନ୍ତି। ତେଣୁ ସଂଗୀତା ନିଜର  ଅଜଣା ଭବିଷ୍ୟତ ସହ ନ୍ଧି କରିଛନ୍ତି।

ସଂଗୀତାଙ୍କର ଏହି ଦକ୍ଷତା ତାଙ୍କୁ ଶାରୀରିକ କଷ୍ଟ କମ୍ କରିବାରେ ଯତ୍ କିଞ୍ଚିତ କାର୍ଯ୍ୟ କରିଥାଏ। ତାଙ୍କ ପୋଷାକରେ ଜମି ଯାଇଥିବା ପେଣ୍ଟିଂ ଏବଂ ସିମେଣ୍ଟ ଗୁଣ୍ଡକୁ ଦେଖାଇ ସେ କହିଲେ, ‘ମୋ ଆଖି ଏବଂ କାନ୍ଧ ଆଘାତପ୍ରାପ୍ତ। ଅଧିକାଂଶ ଦିନ ମୁଁ ଭୁତ ଭଳି ଦେଖାଯାଏ।’ ସକାଳ ୬ଟାରୁ ତାଙ୍କ ଦିନ ଆରମ୍ଭ ହୁଏ। ତାଙ୍କ ଘର ଠାରୁ ୨୦ ଫୁଟ ଦୂରରେ ଥିବା ହାଣ୍ଡ ପମ୍ପ ମାରି ସେ ୧୫ରୁ ୨୦ ବାଲ୍‌ତି ପାଣି ଉଠାନ୍ତି। ପରେ ସେ ଲୁଗା ସଫା କରନ୍ତି ଆଉ ଗାଧାନ୍ତି। ସେତେବେଳେ ଆରତୀ ଜଳଖିଆ ଏବଂ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରନ୍ତି। ଦିନର କାମ ସରିବା ପରେ ସେ ପୁଣି ୪-୫ ବାଲ୍‌ତି ପାଣି ଉଠାନ୍ତି ଏବଂ ରାତି ଖାଇବା ପ୍ରସ୍ତୁତ କରନ୍ତି। ନୁଡୁଲ, ଚିକେନ୍ ଏବଂ ମାଛ ତାଙ୍କର ପ୍ରିୟ ଖାଦ୍ୟ। ଘରର ପୁରୁଷ ଲୋକ କିଛି କିଣାକିଣି କରିବାକୁ ବାହାରକୁ ଯଆନ୍ତି ନହେଲେ ବିଶ୍ରାମ କରନ୍ତି। ଥରେ ଜଣେ କ୍ୟାଟରର ସହ କାମ କରୁଥିଲେ ଶ୍ୟାମୁ। ବେଳେବେଳେ ସେ ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରିଦିଅନ୍ତି। ତେବେ ଅନେକ ସମୟରେ ସେ ନିଜ ପାଇଁ କାଦ୍ୟ ପ୍ରସ୍ତୁତ କରନ୍ତି ବୋଲି ସଂଗୀତା କହନ୍ତି। ତେବେ ଭଉଣୀମାନେ ଏ ସଂପର୍କରେ ଆଦୌ ପ୍ରଶ୍ନ କରନ୍ତି ନାହିଁ। 

PHOTO • Puja Awasthi
PHOTO • Puja Awasthi

ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ କାମ କରୁଥିବା ସଂଗୀତା ଏବଂ ତାଙ୍କ ମା’ ନୀରା ମାତ୍ର ୩୫୦ ଟଙ୍କା ଲେଖାଏଁ ପାଆନ୍ତି

ତାଙ୍କର ଏହି ଶାରୀରିକା କାର୍ଯ୍ୟ ଏବଂ କିଛି ପ୍ରତିବନ୍ଧକ ଭାଙ୍ଗିବା ସତ୍ତେ୍ୱ ନିଜ ହୃଦୟରେ ବିବାହକୁ ଅଧିକ ଗୁରୁତ୍ୱ ଦିଅନ୍ତି ସଂଗୀତା। ସେ ଘୋଷଣା କରିବା ପରି କହିଲେ, “ଏହି କ୍ଲାନ୍ତିକର କାମ ଛାଡି ମୁଁ ବୁଲିବି ଆଉ ମୋର ପ୍ରିୟ ଖାଦ୍ୟ ଖାଇବି।” ନୀର ଏ କଥାକୁ ଗ୍ରହଣ କରି ପାରୁନଥିଲେ। ସେ କହିଲେ, “ତାର ବହୁତ ରାଜକୀୟ ସ୍ୱପ୍ନ ରହିଛି, ସେ ବାସ୍ତବତା ସହ ଅଧିକ ପରିଚିତ ହେବା ଆବଶ୍ୟକ।”

ସଂଗୀତା କିନ୍ତୁ ବେଫିକର ଥିଲେ। ବିବାହ ପାଇଁ କଣ ସବୁ ଜାନିଯୌତୁକ ଆବଶ୍ୟକ ମନେମନେ ସେ ତାର ହିସାବ କରୁଥିଲେ। (ସେ ଗୁଣୁଗୁଣୁ ହୋଇ କହିଲେ, ‘ଝିଅଟିଏ ଯେତେ ସୁନ୍ଦର ହେଲେ ବି ଯୌତୁକରୁ ମୁକ୍ତି ନାହିଁ।’)  ତାଙ୍କ ତାଲିକାରେ ଥିଲା ଗୋଟିଏ ଟେଲିଭିଜନ୍, ଗୋଟିଏ ରେଫ୍ରିଜରେଟର, ଗୋଟିଏ ଷ୍ଟିଲ ଆଲମିରା ଏବଂ ଗୋଟେ ଓ୍ୱାସିଂ ମେସିନ୍। ସେ କହି ଉଠିଲେ, ‘ ହଁହଁ ରୁପା ପାଉଞ୍ଜି, ଚିକ୍‌ଚିକ୍ କରୁଥିବା ରଂଗନୀ ପୋଷାକ।’ ହସ ଭିତରେ ତାଙ୍କ କଥା ମିଳେଇ ଗଲା।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Puja Awasthi

ଲେଖକ ପରିଚୟ: ପୂଜା ଅୱସ୍ତି ଜଣେ ମୁକ୍ତବୃତ୍ତି ଖବରକାଗଜ ଓ ଅନ୍ଲାଇନ୍ ସାମ୍ବାଦିକ। ଲକ୍ଷ୍ନୌରେ ରହୁଥିବା ପୂଜା ଜଣେ ଉଦୀୟମାନ ଫଟୋଗ୍ରାଫର। ସେ ଯୋଗ, ଭ୍ରମଣ ଓ ସବୁ ହାତ ତିଆରି ଜିନିଷକୁ ଭଲ ପାଆନ୍ତି।

Other stories by Puja Awasthi