ରତ୍ନା ବିଶ୍ୱାସଙ୍କର ମାସରେ ୧୫ ଦିନ ଏକ କାମ ଅଛି। ସେ କୁହନ୍ତି, ‘‘ମତେ ୨୦ଟି କୋଠରୀ ଏବଂ ଚାରୋଟି ଗାଧୁଆ ଘର ସଫା କରିବାକୁ ହୁଏ।’’ ସେ ତାଙ୍କ ଗାଁ, ପଶ୍ଚିମବଙ୍ଗର ତେମାରପୁରର ସରକାରୀ ପ୍ରାଇମେରୀ ସ୍କୁଲ୍‌ରେ କାମ କରନ୍ତି। ରତ୍ନା ଜାଣନ୍ତି ନାହିଁ ସେ ସ୍କୁଲ୍‌ର ଜଣେ କର୍ମଚାରୀ ନା ଜଣେ ଅନୌପଚାରିକ କର୍ମଚାରୀ। ସେଠାରୁ ସେ ମାସିକ ୨୫୦୦ ଟଙ୍କା ପାଉଣା ପାଆନ୍ତି। ମାସର ଅନ୍ୟ ୧୫ ଦିନ ପାଇଁ ଅନ୍ୟ ଜଣେ ସଫେଇ କର୍ମଚାରୀ ସମାନ କାମ କରନ୍ତି।

୩୫ ମର୍ଷ ବୟସ୍କା ରତ୍ନା ଜାଣନ୍ତି ନାହିଁ, ଏହି ହାଫ୍‌-ଟାଇମ୍‌ ଦରମା ମଧ୍ୟ ସେ ପାଇବେ କି ନାହିଁ । ସେ କୁହନ୍ତି, ‘‘ଏବେ ବର୍ଷେ ହେଲାଣି ସ୍କୁଲ୍‌ ମତେ ଦରମା ଦେଇନି। ପଞ୍ଚାୟତ କହୁଛି ସେମାନେ ଆମ ପାଇଁ ପାଣ୍ଠି ପାଇ ନାହାଁନ୍ତି ଏବଂ ସେମାନେ ଆମକୁ ଅର୍ଥ ଦେଇପାରିବେ ନାହିଁ। ’’

୨୦୧୮ ମସିହା ନଭେମ୍ବର ମାସରେ ରତ୍ନା ଅନ୍ୟ ସରକାରୀ ସ୍କୁଲ୍‌ କର୍ମଚାରୀମାନଙ୍କ ସହ ଉଦାହରଣ ସୃଷ୍ଟିକାରୀ କିଷାନ ମୁକ୍ତି ମୋର୍ଚ୍ଚାରେ ଯୋଗ ଦେବା ପାଇଁ ଦିଲ୍ଲୀ ଆସିଥିଲେ। ସେମାନେ ସମସ୍ତେ ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଜିଲ୍ଲାର କରାଣ୍ଡିଘି ବ୍ଲକ୍‌ର ବିଭିନ୍ନ ଗ୍ରାମରୁ ଆସିଥିଲେ।

A group of women sitting
PHOTO • Sanket Jain

ତେମାରପୁର ଗ୍ରାମର ରତ୍ନା ବିଶ୍ୱାସ ତିନୋଟି କାମ ମଧ୍ୟରେ ବାଣ୍ଟି ହୋଇ ଯାଆନ୍ତି- ସେ ସରକାରୀ ସ୍କୁଲ୍‌ରେ ଜଣେ ସଫେଇ କର୍ମଚାରୀ, ଜଣେ ଘରୋଇ ସହାୟିକା ଏବଂ ଜଣେ କୃଷି ଶ୍ରମିକ

ଏହି ଦଳରେ ଥିଲେ ଫୁଲ୍‌ମୋନି କିସ୍କୁ। ୪୦ ମର୍ଷ ବୟସ୍କା ଫୁଲ୍‌ମୋନି ରୋସନ୍‌ଗଞ୍ଜ ଗାଁର ଜଣେ ସାନ୍ତାଳ ଆଦିବାସୀ। ସେ ମଧ୍ୟ ୧୫ ବର୍ଷ ହେବ ସ୍କୁଲ୍‌ ସଫା କରୁଛନ୍ତି। ନିଜ ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସେ ୧୦ଟି କୋଠରୀ ଏବଂ ତିନୋଟି ଗାଧୁଆ ଘର ସେ ଦୈନିକ ସଫା କରୁଛନ୍ତି । ୧୫ ଦିନର କାମ ପାଇଁ ସେ ଦିନକୁ ୧୫୦ ଟଙ୍କା ଲେଖାଁଏ ପାଆନ୍ତି। ସେ କୁହନ୍ତି ,‘‘ଆମମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବା ଉଚିତ ଯଦ୍ୱାରା ଆମେ ପେନ୍‌ସନ୍‌ ପାଇପାରିବୁ ।’’

ସେମାନଙ୍କ ସହ ଥିଲେ ଲୁଥ୍‌ଫା ବେଗମ୍‌ । ମାସରେ ୧୫ ଦିନର ମଜୁରୀ ବଦଳରେ ସେ ବର୍ଷକୁ ୧୦ ମାସର ପାଉଣା ପାଆନ୍ତି। ୩୦ ବର୍ଷ ବୟସ୍କା ଲୁଥ୍‌ଫା ଭବାନୀପୁର ଗ୍ରାମର ଏସ୍‌ଏସ୍‌କେ ପ୍ରାଥମିକ ବିଦ୍ୟାଳୟରେ ୧୫ ବର୍ଷ ହେବ ମଧ୍ୟାହ୍ନ ଭୋଜନ କର୍ମୀ ଅଛନ୍ତି। ତାଙ୍କର ଦାୟିତ୍ୱ ସ୍କୁଲ୍‌ର ୨୦୦ ପିଲାଙ୍କ ପାଇଁ ରୋଷେଇ କରିବା (ଅନ୍ୟ ଦୁଇଜଣ ମଧ୍ୟାହ୍ନ ଭୋଜନ କର୍ମୀଙ୍କ ସହ ମିଶି), ସେମାନଙ୍କୁ ଖାଦ୍ୟ ପରିବେଷଣ କରିବା ଏବଂ ବାସନ ସଫା କରିବା। ଏହା ଦିନରେ ତାଙ୍କର ଚାରିଘଣ୍ଟାରୁ ଅଧିକ ସମୟ ନେଇଯାଏ।

ସେ କୁହନ୍ତି, ‘‘ସେମାନେ ଆମକୁ ଗ୍ରୀଷ୍ମ ଛୁଟି, ରବିବାର ଏବଂ ଦୁର୍ଗାପୂଜା ଛୁଟି ପାଇଁ ପଇସା ଦିଅନ୍ତି ନାହିଁ, ଯଦିଓ ସ୍କୁଲ୍‌ ଶିକ୍ଷକ ମାନେ ପାଆନ୍ତି [ଏହି ଅବଧି ପାଇଁ]। ଆମେ ଗୋଟିଏ ଜିନିଷ ଚାହୁଁ ତାହା ହେଉଛି ଆମ ଦରମା ବଢ଼ିବା।’’ ସେ ଯେତେବେଳେ ୨୦୦୪ ମସିହାରେ କାମ କରିବା ଆରମ୍ଭ କଲେ ଲୁଥ୍‌ଫା ମାସକୁ ୩୦୦ ଟଙ୍କା ପାଉଥିଲେ – ସେହି ପରିମାଣ ଏବେ ୧୫୦୦ ପର୍ଯ୍ୟନ୍ତ ଯାଇଛି।

Mother and daughter standing
PHOTO • Sanket Jain
Old woman sitting on makeshift bed
PHOTO • Sanket Jain

‘ଆମେ ଗୋଟିଏ ଜିନିଷ ଚାହୁଁ ତାହା ହେଉଛି ଆମ ଦରମା ବଢ଼ିବା’, କୁହନ୍ତି ଭବାନୀପୁର ଗ୍ରାମର ଲୁଥ୍‌ଫା ବେଗମ୍‌ (ବାମ, ଝିଅ ରିଫାତ୍‌ ସହ)। ରୋଶନ୍‌ଗଞ୍ଜ ଗାଁରେ ରହୁଥିବା ଫୁଲ୍‌ମୋନି କିସ୍କୁ (ଡାହାଣ) କୁହନ୍ତି, ‘ଆମମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବା ଉଚିତ ଯଦ୍ୱାରା ଆମେ ପେନ୍‌ସନ୍‌ ପାଇପାରିବୁ’

କିଷାନ ମୁକ୍ତି ମୋର୍ଚ୍ଚା ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଦକ୍ଷିଣ ପଶ୍ଚିମ ଦିଲ୍ଲୀର ବିଜ୍ୱାସନଠାରେ ସ୍ଥାପିତ ହୋଇଥିବା ଶିବିରରେ ମୁଁ ସରକାରୀ ସ୍କୁଲର ଯେଉଁ କର୍ମଚାରୀମାନଙ୍କୁ ଭେଟିଲି ସେମାନେ ସମସ୍ତେ କିଛି ଅଧିକ ରୋଜଗାର ପାଇଁ କରୁଥିବା ଅତିରିକ୍ତ କାର୍ଯ୍ୟ ସମ୍ପର୍କରେ କହିଥିଲେ। ସ୍କୁଲ୍‌ରେ ଛ’ ଘଣ୍ଟା କାମ କରିବା ପରେ ରତ୍ନା ସକାଳ ୬ଟାରୁ ଲୋକମାନଙ୍କ ଘର ସଫା କରନ୍ତି । ସେ କାମ ଦିନକୁ ପ୍ରାୟ ସାତ ଘଣ୍ଟାର।ଜଣେ ଘରୋଇ ସହାୟିକା ଭାବରେ ସେ ମାସକୁ ୧୬୦୦ ଟଙ୍କା ରୋଜଗାର କରନ୍ତି। ସେ ଏକ ତୃତୀୟ କାର୍ଯ୍ୟ ମଧ୍ୟ କରନ୍ତି। ମାସରେ ୧୦ ଦିନ ସେ ଗ୍ରାମର ଚାଷୀମାନଙ୍କ ଧାନ ଅମଳ କରନ୍ତି। ସେ କୁହନ୍ତି,‘‘ସେମାନେ ମତେ ସେଥିରୁ ପ୍ରାୟ ପାଞ୍ଚ କିଲୋ ଧାନ ଦିଅନ୍ତି।’’ ପାଞ୍ଚ ବର୍ଷ ତଳେ ତାଙ୍କ ସ୍ୱାମୀ ପରିବାର ଛାଡ଼ି ଚାଲିଗଲେ; ରତ୍ନା ଜାଣନ୍ତିନି ସେ ଏବେ କେଉଁଠି। ତାଙ୍କ ଦୁଇଝିଅ, ୧୪ ବର୍ଷୀୟା ସରସ୍ୱତୀ ଏବଂ ୧୦ବର୍ଷୀୟା ଭୁମିକା ଗାଁରେ ପଢ଼ୁଛନ୍ତି।

ଭବାନୀପୁର ଗ୍ରାମର ୩୨ ବର୍ଷ ବୟସ୍କା ସଫିନା ବେବି ଲୁଥ୍‌ଫା ଯେଉଁ ସ୍କୁଲ୍‌ରେ କାମ କରନ୍ତି ସେଠାରେ ପାଞ୍ଚ ବର୍ଷ ହେବ ମାସରେ ୧୫ ଦିନ ସଫେଇ କର୍ମଚାରୀ ଭାବରେ କାମ କରନ୍ତି। ଅତିରିକ୍ତ ଆୟ ପାଇଁ ସେ ବିଡ଼ି ବୋଳନ୍ତି। ୧୦୦୦ ବିଡ଼ି ପାଇଁ ସେ ଗ୍ରାମ ନିକଟସ୍ଥ ଏକ କାରଖାନାରୁ ୧୪୫ ଟଙ୍କା ଲେଖାଏଁ ପାଆନ୍ତି । ତାଙ୍କର ତିନି ପୁଅ ଏବଂ ଗୋଟିଏ ଝିଅ। ୪ରୁ ୧୨ ବର୍ଷ ମଧ୍ୟରେ ସେମାନଙ୍କର ବୟସ। ସେମାନେ ସମସ୍ତେ ଗାଁରେ ପଢ଼ନ୍ତି।

PHOTO • Sanket Jain
PHOTO • Sanket Jain

ବାମ: ପଶ୍ଚିମ ପିପଲା ଗ୍ରାମର ସୋନ୍ଧା ମଣ୍ଡଳ ପଚାରନ୍ତି, ‘ଗତ ଚାରି ମାସ ହେବ ମୁଁ କୌଣସି ଦରମା ପାଇ ନାହିଁ। ଆମେ କେମିତି ବଞ୍ଚିବୁ ?’ ଡାହାଣ: ଭବାନୀପୁର ଗ୍ରାମର ସଫିନା ବେବି ସ୍କୁଲ ସଫା କରନ୍ତି ଏବଂ ଏହାପରେ ଛୋଟ ଅତିରିକ୍ତ ଆୟ ପାଇଁ ବିଡ଼ି ବୋଳନ୍ତି ।

ଫୁଲମୋନିଙ୍କ ସ୍ୱାମୀ ଧାବୁ ମାର୍ଦ୍ଦି ଯକ୍ଷ୍ମା ଯୋଗୁ ଚାରି ବର୍ଷ ତଳେ ପ୍ରାଣ ହରାଇଲେ। ସେ ହତାଶ ହୋଇ କୁହନ୍ତି, ‘‘ମୋ ପୁଅ ଆଠ ବର୍ଷ ତଳେ ହଇଜାରେ ପ୍ରାଣ ହରାଇଲା। ଜମି [ଏକରେରୁ କମ୍‌] ମୋ ସ୍ୱାମୀଙ୍କ ନାମରେ ଏବଂ ମୁଁ ଜାଣିନି ଏହାକୁ ନିଜ ନାମକୁ କେମିତି ବଦଳାଇବି। କିଛି ଶ୍ରମିକଙ୍କ ସହଯୋଗରେ ଫୁଲମୋନି ଏହି ଜମିରେ କିଛି ଧାନ ଚାଷ କରନ୍ତି।

ପଶ୍ଚିମ ପିପଲା ଗ୍ରାମର ୪୨ ବର୍ଷ ବୟସ୍କା ସୋନ୍ଧା ମଣ୍ଡଳ ଚାଷ କାମର ମୁଖ୍ୟ ଅଂଶ ଦେଖନ୍ତି। ପରିବାରର ଏକ ଏକର ଜମିରେ ସେ ସ୍ୱାମୀ ଅଜିତଙ୍କ ସହ ଧାନ ଏବଂ ସୋରିଷ ବୁଣା ଠାରୁ କଟା ହେବା ପର୍ଯ୍ୟନ୍ତ ସବୁକାମ କରନ୍ତି। ସୋନ୍ଧା ମଧ୍ୟ ନିଜ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଧ୍ୟାହ୍ନ ଭୋଜନ କର୍ମୀ। ସେ ପଚାରନ୍ତି, ‘‘ଗତ ଚାରି ମାସ ହେବ ମୁଁ କୌଣସି ଦରମା ପାଇ ନାହିଁ। ଆମେ କେମିତି ବଞ୍ଚିବୁ?’’ ଯେତେବେଳେ ମୁଁ ତାଙ୍କୁ ଦିନରେ କେତେ ଘଣ୍ଟା ସେ କାମ କରନ୍ତି ବୋଲି ପଚାରିଲି, ସେ ହସିଲେ ଏବଂ କହିଲେ, ‘‘ଦିନରେ ୨୪ ଘଣ୍ଟା [କାମ ପାଇଁ] ମଧ୍ୟ ଆମ ପାଇଁ ଯଥେଷ୍ଟ ନୁହେଁ। ’’

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Sanket Jain

ସଙ୍କେତ ଜୈନ ହେଉଛନ୍ତି ମହାରାଷ୍ଟ୍ରର କୋହ୍ଲାପୁରର ଜଣେ ସାମ୍ବାଦିକ ଏବଂ ୨୦୧୯ର ପରୀ ଫେଲୋ।

Other stories by Sanket Jain