୧୪ ବର୍ଷୀୟା ସନ୍ଧ୍ୟା ସିଂ କୁହନ୍ତି, ‘‘ମୋ ପାଠପଢ଼ା ସରିବା ପରେ, ମୁଁ ଜଣେ ଅଫିସର ହେବାକୁ ଚାହେଁ - ଜଣେ ହୋମ୍‌ଗାର୍ଡ ।’’ ତାଙ୍କର ୧୬ ବର୍ଷୀୟ ଭାଇ ଶିବମ ସ୍ଥଳସେନାରେ ଏକ କାମ ପାଇବାକୁ ଆଶା କରୁଛନ୍ତି ଏବଂ ସନ୍ଧ୍ୟାଙ୍କ ବୟସର ହେବା ଦିନରୁ ସେ ସେଥିପାଇଁ ତାଲିମ ନେଉଛନ୍ତି । ସେ କୁହନ୍ତି, ‘‘ମୁଁ ସକାଳେ ୪ଟା ସମୟରେ ଉଠେ ଏବଂ ପ୍ରତିଦିନ ବ୍ୟାୟାମ କରେ । ମୁଁ ସ୍ଥଳସେନା ତାଲିମ ସମ୍ପର୍କରେ ଯାହା ପଚାରେ ୟୁଟ୍ୟୁବ୍‌ ମୋତେ କୁହେ- କିପରି ଓହଳିବାକୁ ହେବ [ବାର୍‌ ରୁ], ପୁସ୍‌ ଅପ୍‌ କରିବା, ଏଭଳି ଜିନିଷ ସବୁ - ଏବଂ ମୁଁ ଏହା କରେ ।’’ 

ସେମାନେ ଉତ୍ତରପ୍ରଦେଶର ଜଲନ ଜିଲ୍ଲାର ବିନୋରା ଗ୍ରାମରେ ଥିବା ସେମାନଙ୍କ ଘର ଛାତ ଉପରୁ ମୋ ସହ ଫୋନ୍‌ରେ କଥା ହେଉଥିଲେ । ଏହି ଭାଇଭଉଣୀ ସେମାନଙ୍କ ପିତାମାତା କାମ କରୁଥିବା ଆନ୍ଧ୍ରପ୍ରଦେଶର କାଲିକିରି ଗାଁରୁ ମେ ୨୧ ତାରିଖରେ ଏଠାକୁ ଫେରି ଆସିଥିଲେ । ସେମାନଙ୍କର ମାଆ ୩୨ବର୍ଷ ବୟସ୍କା ରାମଦେକାଲି କୁହନ୍ତି, ‘‘ଯେତେବେଳେ ଆମେ ଘରେ ପହଞ୍ଚିଲୁ ଏଠାରେ କିଛି ନଥିଲା ଏବଂ ଆମେ ମଧ୍ୟ କିଛି ଆଣିନଥିଲୁ। ଆମେ ସେହି ରାତିରେ ଖାଲିପେଟରେ ଶୋଇଲୁ..।’’ 

ଜୁଲାଇ ୮ ତାରିଖରେ ରାମଦେକାଲି ଗର୍ବର ସହିତ ମୋତେ ସୂଚନା ଦେଲେ ଯେ ଶିବମ ୭୧ ପ୍ରତିଶତ ସହ ତାଙ୍କ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଯେତେବେଳେ ମୁଁ ତାଙ୍କୁ ତାଙ୍କର ୧୧ ଏବଂ ୧୨ ଶ୍ରେଣୀ ପାଇଁ ଆଡ୍‌ମିଶନ ପଦ୍ଧତି ସମ୍ପର୍କରେ ପଚାରିଲି ତାଙ୍କ ସ୍ୱର ବଦଳିଗଲା । ସେ କହିଲେ, ‘‘ଆମ ପିଲାମାନେ ସେମାନେ କିପରି ଅନ୍‌ଲାଇନ୍‌ ସ୍କୁଲରେ ଯୋଗ ଦେବେ ସେ ନେଇ ବ୍ୟସ୍ତ । ଯଦି ଆମେ ଫେରିଯାଉ [ଆନ୍ଧ୍ରପ୍ରଦେଶକୁ], ଏହି ଫୋନ୍‌ ଆମ ସହ ଚାଲିଯିବ । ଶିବମ ଉତ୍ତରପ୍ରଦେଶରେ ଅନ୍‌ଲାଇନ୍‌ରେ କିପରି ପାଠପଢ଼ିବ ? ଏବଂ ଯଦି ଆମେ ଏଠାରେ ରହୁ ତେବେ କିଏ ସେମାନଙ୍କ ପାଠପଢ଼ାର ଖର୍ଚ୍ଚ ବହନ କରିବ।’’ ଘରୋଇ ସ୍କୁଲମାନଙ୍କରେ ପାଠ ପଢ଼ୁଥିବା ଏହି ଦୁଇ ପିଲାଙ୍କର ବାର୍ଷିକ ଦେୟ ଟ. ୧୫,୦୦୦/- ।

କେଇମାସ ପୂର୍ବ ପର୍ଯ୍ୟନ୍ତ ରାମଦେକାଲି ଏବଂ ତାଙ୍କ ସ୍ୱାମୀ ୩୭ ବର୍ଷ ବୟସ୍କ ବୀରେନ୍ଦ୍ର ସିଂ ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାରେ କାଲିକିରି ଗାଁରେ ତିନୋଟି ପାନି-ପୁରୀ ଠେଲା ଚଳାଉଥିଲେ । ସନ୍ଧ୍ୟା ସେମାନଙ୍କ ସହ ରହୁଥିଲା, ଯେତେବେଳେ କି ଶିବମ ଜଲନ ଜିଲ୍ଲାର ବର୍ଦ୍ଦାର ଗାଁରେ ତାଙ୍କ ଅଜା-ଆଇଙ୍କ ପାଖରେ ରହୁଥିଲା । ଏହି ପରିବାର ଯାଯାବର ଆଦିବାସୀ ଭାବରେ ତାଲିକାଭୁକ୍ତ ପାଲ ସମୁଦାୟର ଅଂଶ ।

'She is worried about how her studies in Andhra Pradesh will continue, now that we are here [in UP],' Ramdekali said about her daughter Sandhya
PHOTO • Shivam Singh
'She is worried about how her studies in Andhra Pradesh will continue, now that we are here [in UP],' Ramdekali said about her daughter Sandhya
PHOTO • Birendra Singh

 ‘ସେ ବ୍ୟସ୍ତ ଯେ, ଆନ୍ଧ୍ରପ୍ରଦେଶରେ କେମିତି ତାଙ୍କର ପାଠପଢ଼ା ଜାରି ରହିବ, ଯେତେବେଳେ କି ବର୍ତ୍ତମାନେ ଆମେ ଏଠାରେ ଅଛୁ [ଉତ୍ତରପ୍ରଦେଶ]’,  ରାମଦେକାଲି ତାଙ୍କ ଝିଅ ସନ୍ଧ୍ୟା ବିଷୟରେ ଏହା କହିଥିଲେ

ଯଦିଓ ଶିବମର ଗୋଟିଏ ଫୋନ୍‌ ଅଛି (ଯାହାକି ସେ ପିତାମାତାଙ୍କଠାରୁ ଦୂରରେ ଥିବା ବେଳେ ବ୍ୟବହାର କରୁଥିଲା), ବର୍ତ୍ତମାନ ପରିବାର ଦୁଇଟି ଫୋନ୍‌ ରିଚାର୍ଜ କରିବାର ଖର୍ଚ୍ଚ ବହନ କରିପାରିବେ ନାହିଁ । ରାମଦେକାଲି କହିଲେ, ‘‘ଆମ ପାଇଁ ଗୋଟିଏ ଫୋନ୍‌ ମଧ୍ୟ ରିଚାର୍ଜ କରିବା [ପୈଠ କରିବା] କଷ୍ଟକର ହୋଇଯାଉଛି’’।

ଏଥିସହ ବୀରେନ୍ଦ୍ର ସିଂ କହିଥିଲେ, ‘‘ଆନ୍ଧ୍ରପ୍ରଦେଶରେ ଅତିକମ୍‌ରେ ଲାଇଟ୍‌ [ବିଦ୍ୟୁତ୍‌] ଥିଲା। ଏଠାରେ ଆମେ ଜାଣୁନି ଏହା କେତେବେଳେ ଆସିବ । କେତେଦିନ ଏହା କେବଳ ଫୋନ୍‌ ଚାର୍ଜ କରିବା ପାଇଁ ଯେତିକି ସମୟ ଦରକାର ସେତିକି ସମୟ ଆସିଥାଏ, ଅନ୍ୟଦିନେ ଏହା ନଥାଏ।’’

ବୀରେନ୍ଦ୍ରଙ୍କ ରୋଜଗାର ବନ୍ଦ ହେବା ଲକ୍‌ଡାଉନ୍‌ ପୂର୍ବରୁ ଆରମ୍ଭ ହୋଇଯାଇଥିଲା । ମାର୍ଚ୍ଚ ୨୪ରୁ ଦୁଇମାସ ପୂର୍ବରୁ – ଯେତେବେଳେ କେନ୍ଦ୍ର ସରକାର କୋଭିଡ୍‌-୧୯ ବ୍ୟାପିବାକୁ ରୋକିବା ନିମନ୍ତେ ଦେଶବ୍ୟାପୀ ସଟ୍‌ଡାଉନ ଘୋଷଣା କଲେ- ସେ ବିନୋରରେ ତାଙ୍କ ମାଆଙ୍କର ଶେଷକୃତ୍ୟ ଏବଂ ତାଙ୍କ ଅସୁସ୍ଥ ପିତାଙ୍କ ଯତ୍ନ ନେବା ପାଇଁ ଫେରି ଆସିଥିଲେ ।

ମାର୍ଚ୍ଚ ୨୦ ତାରିଖରେ, ସିଂ ଶିବମଙ୍କ ସହିତ ଆନ୍ଧ୍ରପ୍ରଦେଶର କାଲିକିରି ଗାଁ କୁ ଗଲେ । ରାମଦେକାଲି ଏବଂ ସନ୍ଧ୍ୟା ପୂର୍ବରୁ ସେଠାରେ ଥିଲେ । ଏହାପରେ ଲକଡାଉନ୍‌ ଆରମ୍ଭ ହେଲା ।

ଏପ୍ରିଲ୍‌ ୬ ତାରିଖରେ ବୀରେନ୍ଦ୍ର ଆନ୍ଧ୍ରପ୍ରଦେଶରେ ବିଭିନ୍ନ ନାଗରିକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଏକ କୋଭିଡ୍‌-୧୯ ହେଲ୍‌ପ ଲାଇନ୍‌କୁ ଫୋନ୍‌ କଲେ । ସେତେବେଳକୁ ତାଙ୍କ ପରିବାର ରାମଦେକାଲିଙ୍କ ଭାଇ ଉପେନ୍ଦ୍ର ସିଂଙ୍କ ଘରକୁ ଚାଲିଆସିଥିଲେ । ଉପେନ୍ଦ୍ର ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାର କୋକାଣ୍ଟି ଗାଁରେ ଏକ ଚାର୍ଟ ସାମଗ୍ରୀ ବିକ୍ରି କରୁଥିବା ଠେଲା ଚଳାଉଥିଲେ । ହେଲ୍‌ପ ଲାଇନ ପକ୍ଷରୁ ନଅ ଜଣିଆ ସଂଯୁକ୍ତ ପରିବାର ଏପ୍ରିଲ ମାସରେ ଦୁଇଥର ଅଟା, ଡାଲି, ତେଲ ଏବଂ ଅନ୍ୟ ଜରୁରୀ ସାମଗ୍ରୀ ପାଇଥିଲେ ।

ରାମଦେକାଲି କହିଲେ, ‘ଯଦି ଆମେ ଫେରିଯିବୁ [ଆନ୍ଧ୍ରପ୍ରଦେଶକୁ], ଫୋନ୍‌ ଆମ ସହ ଚାଲିଯିବ । ଶିବମ ଉତ୍ତରପ୍ରଦେଶରେ ଅନ୍‌ଲାଇନରେ କିପରି ପାଠପଢ଼ିବ ? ଏବଂ ଯଦି ଆମେ ଏଠାରେ ରହୁ, ତେବେ ଆମେ କିପରି ସେମାନଙ୍କର ପାଠପଢ଼ାର ଖର୍ଚ୍ଚ ଦେବୁ?’

ଭିଡିଓ ଦେଖନ୍ତୁ : ‘କ’ଣ ହେବ, କେବେ ହେବ, ମୁଁ ଜାଣେ ନାହିଁ…’

ବୀରେନ୍ଦ୍ର ସିଂ ଏପ୍ରିଲ୍‌ ୧୩ ତାରିଖରେ ମୋତେ ଫୋନ୍‌ରେ କହିଥିଲେ, ‘‘କିଛି ସରକାରୀ ଅଧିକାରୀ ଆସିଥିଲେ ଏବଂ ଆମେ ସେମାନଙ୍କୁ କହିଲୁ ଯେ, ଆମର ଗ୍ୟାସ ୧-୨ ଦିନରେ ଶେଷ ହୋଇଯିବ। ସେମାନେ ଆମକୁ କହିଲେ, କାଠ ଆଣ ଏବଂ ଚଳାଅ। ତେଣୁ ଆମେ ଚଳଉଛୁ। ଆମେ କେମିତି ଘରକୁ ଫେରିବାକୁ ହେବ ସେ ସମ୍ପର୍କରେ କୌଣସି ସୂଚନା ଆନ୍ଧ୍ରପ୍ରଦେଶ ସରକାର କିମ୍ବା ଉତ୍ତରପ୍ରଦେଶ ସରକାର କିମ୍ବା ମୋଦୀଜୀଙ୍କ ସରକାରଠାରୁ ପାଇନାହୁଁ।’’ 

ମେ ୨ ତାରିଖ ସୁଦ୍ଧା ଏହି ପରିବାର ସରକାରଙ୍କ ଦ୍ୱାରା ପରିଚାଳିତ ଶ୍ରମିକ ସ୍ପେଶାଲ ଟ୍ରେନରେ ସିଟ୍‌ ପାଇଁ ଫର୍ମ ପୂରଣ କରିଥିଲେ ଏବଂ ମେ ୬ ତାରିଖରେ ସେମାନେ ଯାତ୍ରା ନିମନ୍ତେ ଆବଶ୍ୟକ ବାଧ୍ୟତାମୂଳକ ଡାକ୍ତରୀ ଚିକିତ୍ସା ଦେଇ ଯାଇଥିଲେ। ସିଂ କୁହନ୍ତି, ‘‘ଆମେ ଫେରିଗଲୁ ଏବଂ ଅଧିକାରୀମାନଙ୍କୁ ସପ୍ତାହେ ପରେ କହିଲୁ ଯେ, ରିପୋର୍ଟ ଏ ମଧ୍ୟରେ ଆସିଯିବା କଥା ।’’ କିଛି ସମୟ ପରେ ସେ ପୁଣି ପଚାରିଲେ; ଗୋଟିଏ ମାସ ଚାଲିଗଲା । ଏ ମଧ୍ୟରେ ମେ ୧୦ ତାରିଖରେ ଯେଉଁ ହେଲ୍‌ପ ଲାଇନ ତାଙ୍କ ପରିବାରକୁ ରାସନରେ ସାହାଯ୍ୟ କରୁଥିଲା ବନ୍ଦ ହୋଇଗଲା। 

‘‘ଆରମ୍ଭରେ [ଲକ୍‌ଡାଉନର], ଯେତେବେଳେ ଆମ ପାଖରେ ଖାଦ୍ୟ ଥିଲା, ମୁଁ ଅନେକ ନମ୍ବରରୁ ଫୋନ୍‌ ପାଉଥିଲି [ଏନ୍‌ଜିଓ, ନାଗରିକ ଗୋଷ୍ଠୀ ଏବଂ ଅନ୍ୟଗୁଡ଼ିକ] ଏବଂ ସେମାନେ ପଚାରୁଥିଲେ ଆମର ରାସନ ଆବଶ୍ୟକ କି । ଆମେ ସତ କହିଥିଲୁ ଏବଂ କହିଲୁ ଆମେ ଭଲରେ ଅଛୁ । ବର୍ତ୍ତମାନ କେହି ଫୋନ୍‌ କରୁନାହାନ୍ତି। ’’ ବୀରେନ୍ଦ୍ର ମେ ୧୧ ତାରିଖରେ ମୋତେ ଏହା କହିଥିଲେ ।

ପାଞ୍ଚ ଦିନ ପରେ ଏହି ନଅଜଣିଆ ପରିବାର ନିଜ ଘର ୟୁପିକୁ ଫେରିବା ପାଇଁ ଚାଲିବା ଆରମ୍ଭ କଲେ । ସେମାନଙ୍କ ମଧ୍ୟରେ ଥିଲା ଉପେନ୍ଦ୍ର ଏବଂ ତାଙ୍କ ପତ୍ନୀ ରେଖାଦେବୀଙ୍କ ପୁଅ କାର୍ତ୍ତିକ, ଯାହାର ବୟସ ତିନିବର୍ଷ ବି ନୁହେଁ ।

ସେମାନେ ତିନିଦିନରେ ପ୍ରାୟ ୩୬ ଘଣ୍ଟା ଚାଲିଥିଲେ । ବୀରେନ୍ଦ୍ର ମନେପକାଉଥିଲେ, ‘‘ମୋଟର ସାଇକେଲରେ ଯାଉଥିବା ଲୋକମାନେ ଖାଇବାକୁ ଦେଉଥିଲେ। ଦଳରେ ପିଲାମାନେ ଥିବାରୁ ସେମାନଙ୍କୁ ରାସ୍ତାକଡ଼ରେ ଏବଂ ଦୋକାନଗୁଡ଼ିକ ତଳେ ଅନେକ ଥର ବିଶ୍ରାମ ନେବା ପାଇଁ ରହିବାକୁ ପଡୁଥିଲା। ଏହି ପରିବାର କୋକ୍କାଣ୍ଟି ଗାଁରେ ସେମାନଙ୍କ ଜିନିଷପତ୍ର -ମୁଖ୍ୟତଃ ଲୁଗାପଟା ପାଇଁ ଏକ ସାଇକେଲ ଭଡ଼ା ନେଲେ । ବୀରେନ୍ଦ୍ର କୁହନ୍ତି, ଯେ ସେମାନଙ୍କର ଅଧିକାଂଶ ଜିନିଷ ଏବେ ବି କାଲିକିରିରେ ସେମାନଙ୍କ କୋଠରୀରେ ଅଛି ଏବଂ ସେ ଏ ନେଇ ଅନିଶ୍ଚିତ ଯେ ଯେହେତୁ ସେ ମାର୍ଚ୍ଚ ମାସରୁ ଭଡ଼ା ଦେଇନାହାନ୍ତି ଘର ମାଲିକ ଏଗୁଡ଼ିକ କ’ଣ କରିଥିବେ ।

Birendra Singh and his wife Ramdekali ran three paani puri carts in Kalikiri village of Andhra’s Chittoor district
PHOTO • Birendra Singh
Birendra Singh and his wife Ramdekali ran three paani puri carts in Kalikiri village of Andhra’s Chittoor district
PHOTO • Sandhya Singh

ବୀରେନ୍ଦ୍ର ସିଂ ଏବଂ ତାଙ୍କ ପତ୍ନୀ ରାମଦେକାଲି ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାର କାଲିକାରି ଗାଁରେ ତିନୋଟି ପାନି-ପୁରି ଠେଲା ଚଳାଉଥିଲେ

ପାଦରେ ଚାଲି ୧୫୦ କିଲୋମିଟରରୁ ଅଧିକ ଅତିକ୍ରମ କରିବା ପରେ ଏହି ପରିବାର ଉତ୍ତରପ୍ରଦେଶକୁ ଯିବା ପାଇଁ ଏକ ଟ୍ରକ ପାଇଲେ। ଏହି ଟ୍ରକରେ ଅନେକ ଛୋଟ ପିଲାଙ୍କ ସହ ୪୧ଜଣ ବୟସ୍କ ବ୍ୟକ୍ତି ଥିଲେ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହି ଯାତ୍ରା ପାଇଁ ଟ.୨,୫୦୦ ଟଙ୍କା ଦେବାକୁ କୁହାଗଲା । ବୀରେନ୍ଦ୍ରଙ୍କ ପାଖରେ ଟ. ୭,୦୦୦ଥିଲା  ଏବଂ ସେ ଏହି ଯାତ୍ରା ସମୟରେ ପରିଚିତ ହେଉଥିବା ଲୋକଙ୍କଠାରୁ ୪ଟି ସିଟ୍‌ ପାଇଁ ପଇସା ଦେବାକୁ ଉଧାର କଲେ।  ବୀରେନ୍ଦ୍ରଙ୍କ ପରିବାର ପାଇଁ ଏହି ଆଠଦିନିଆ ଯାତ୍ରାରେ ଖାଦ୍ୟ ଏବଂ ପାଣିର ଖର୍ଚ୍ଚ ଦିନକୁ ଟ. ୪୫୦-୫୦୦ ଥିଲା – ଯଦି ଟ୍ରକ ଡ୍ରାଇଭର ଅଟକିବାକୁ ରାଜି ହେଉଥିଲେ ।

ଲକ୍‌ଡାଉନ୍‌ ପୂର୍ବରୁ ବୀରେନ୍ଦ୍ର ଏବଂ ରାମଦେକାଲି ଗୋଟିଏ ମାସରେ ଟ. ୨୦,୦୦୦ରୁ ଟ. ୨୫,୦୦୦ ଆୟ କରୁଥିଲେ । ସେମାନେ ତିନୋଟି ପାନି-ପୁରୀ ଠେଲା ଚଳାଉଥିଲେ ଏବଂ ୨୦୧୯ର ଶେଷ ଭାଗ ପର୍ଯ୍ୟନ୍ତ ଦୁଇଜଣ ସମ୍ପର୍କୀୟଙ୍କୁ (ଉଭୟଙ୍କ ନାମ ଥିଲା ରାହୁଲ ପାଲ) ସେମାନଙ୍କ ସହ ଏହି ଗାଡ଼ିଗୁଡ଼ିକ ଚଳାଇବାକୁ ନିଯୁକ୍ତି ଦେଇଥିଲେ। (ଜଣେ ରାହୁଲ ଦୀପାବଳୀ ସମୟରେ ଉତ୍ତରପ୍ରଦେଶରେ ଥିବା ନିଜ ଘରକୁ ଫେରିଆସିଥିଲା, ଅନ୍ୟ ଜଣଙ୍କ ଡିସେମ୍ବରରେ ଫେରିଯାଇଥିଲେ)।

ପ୍ରତିଦିନ ରାମଦେକାଲି ଏବଂ ବୀରେନ୍ଦ୍ର ସକାଳ ପ୍ରାୟ ୪ଟା ବେଳକୁ କାମ ଆରମ୍ଭ କରୁଥିଲେ ଏବଂ ସେମାନେ ପ୍ରାୟତଃ ମଧ୍ୟରାତ୍ରିବେଳକୁ ଶୋଉଥିଲେ ଘରଭଡ଼ା, ଘର ଖର୍ଚ୍ଚ, ବ୍ୟବସାୟ ଖର୍ଚ୍ଚ, ସ୍କୁଲ ଦେୟ ଏବଂ ଅନ୍ୟଗୁଡ଼ିକ ପାଇଁ ଦେବା ପରେ ସେମାନଙ୍କ ପାଖରେ ସଞ୍ଚୟ ପାଇଁ ଖୁବ୍‌ କମ୍‌ ବଞ୍ଚୁଥିଲା। ଜୁନ୍‌ ୨୬ ତାରିଖରେ ଶ୍ରୀ ସିଂ ମୋତେ କହିଲେ, ‘‘ଆମ ପାଖରେ  ଅଧିକ ଅର୍ଥ ନଥିଲା। ଘରକୁ ଫେରିବା ପାଇଁ ଟ. ୧୦,୦୦୦ରୁ ଅଧିକ ଖର୍ଚ୍ଚ କରିବା ମୋର ଏହି କମ୍‌ ସଞ୍ଚୟକୁ ଆହୁରି କମ୍‌ କରିଦେଇଥିଲା।’’

ସନ୍ଧ୍ୟା କୁହନ୍ତି, ‘‘ଫେରନ୍ତା ଯାତ୍ରାର ଦ୍ୱିତୀୟ କିମ୍ବା ତୃତୀୟ ଦିନରେ ଏତେ ଜୋର୍‌ରେ ବର୍ଷା ହେଲା ଯେ, ଟ୍ରକ ଅଟକିବାକୁ ହେଲା । ଆମେ ସମସ୍ତେ ଓଦା ହୋଇଗଲୁ । ଆମକୁ ଟ୍ରକ ସଫା କରିବାକୁ ହେଲା ଏବଂ ଏହା ପରେ ସେହି ଓଦାରେ [ଓଦାଳିଆ]ରେ ଆମେ ଯାତ୍ରା ଜାରି ରଖିଲୁ ।’’ ଅନେକ ଯାତ୍ରା ସମୟରେ ଦୀର୍ଘ ଘଣ୍ଟା ଛିଡ଼ା ହେଉଥିଲେ; ଯେଉଁ କେତେଜଣ ବସିବା ପାଇଁ ଯଥେଷ୍ଟ ସ୍ଥାନ ପାଇବାକୁ ଭାଗ୍ୟବାନ ଥିଲେ, ସେମାନଙ୍କ ମଧ୍ୟରେ ସେ ଥିଲେ ।

'It’s very difficult to work outside the house [in UP] because I have to wear a purdah', Ramdekali said – here, with Shivam (right) and Birendra Singh
PHOTO • Sandhya Singh

ରାମଦେକାଲି କୁହନ୍ତି, ‘ଏଠି ଘର ବାହାରେ [ଉତ୍ତରପ୍ରଦେଶରେ] କାମ କରିବା ଖୁବ୍‌ କଷ୍ଟକର କାରଣ ମୋତେ ଓଢ଼ଣା ଦେବାକୁ ହୁଏ,’ ଶିବମ (ଡାହାଣ) ଏବଂ ବୀରେନ୍ଦ୍ର ସିଂଙ୍କ ସହିତ

ବିନୋର ଗାଁରେ ଥିବା ଘରେ ପହଞ୍ଚିବାର ଗୋଟିଏ ସପ୍ତାହ ପରେ ସନ୍ଧ୍ୟାଙ୍କୁ ଜ୍ୱର ହେଲା । ରାମଦେକାଲି କୁହନ୍ତି, ‘‘ସେ ଚିନ୍ତାରେ ଥିଲେ, ଏମିତି ହୁଏ। ଏବେ ଆମେ ଏଠାରେ ଥିବାରୁ ସେ ଆନ୍ଧ୍ରପ୍ରଦେଶରେ କେମିତି ତା’ର ପାଠପଢ଼ା ଜାରି ରହିବ ଏହା ନେଇ ସେ ଚିନ୍ତିତ। ସେ ଖୁବ୍‌ ଭଲ ପଢ଼େ, ସେ ଅଧା କର୍ଣ୍ଣାଟକ ଏବଂ ଅଧା ଆନ୍ଧ୍ରପ୍ରଦେଶ ଜାଣେ ।’’ ରାମଦେକାଲି ତାଙ୍କ ଝିଅ କନ୍ନଡ଼ ଏବଂ ତେଲୁଗୁ ଭାଷାରେ ପ୍ରାଞ୍ଜଳ ବୋଲି କହୁଥିଲେ । 

୨୦୧୮ରେ ଆନ୍ଧ୍ରପ୍ରଦେଶର କାଲିକିରି ଗାଁକୁ ଯିବା ପୂର୍ବରୁ ଏହି ପରିବାର କର୍ଣ୍ଣାଟକର ଗଦାଗ ସହରରେ ୧୦ ବର୍ଷ ରହିଥିଲେ । ବୀରେନ୍ଦ୍ର କୁହନ୍ତି, ‘‘ମୁଁ ସାଧାରଣତଃ ସନ୍ଧ୍ୟାରେ ଗୋବି-ମଞ୍ଚୁରିଆନ [ଏକ ଛଣା ଫୁଲକୋବି ବ୍ୟଞ୍ଜନ] ବିକ୍ରି କରିବା ପାଇଁ ବିଭିନ୍ନ ରାସ୍ତାରେ ବୁଲୁଥିଲି।’’ ଦିନ ସମୟରେ ରାମଦେକାଲି ଉପାଦାନଗୁଡ଼ିକ ପ୍ରସ୍ତୁତ କରୁଥିଲେ । ବୀରେନ୍ଦ୍ର କୁହନ୍ତି, ‘‘ଅନେକ ସମୟରେ ଲୋକମାନେ ଖାଆନ୍ତି କିନ୍ତୁ ପଇସା ଦିଅନ୍ତି ନାହିଁ । ଏହାପରେ ସେମାନେ ଗାଳି [ଅପଶବ୍ଦ] ଦିଅନ୍ତି । ମୁଁ ଝଗଡ଼ା କରିପାରେ ନାହିଁ-ମୁଁ ଅନ୍ୟ ଗାଁରେ ରହୁଥିଲି। ତେଣୁ ମୁଁ ଚଳାଇ ନେବାକୁ ବାଧ୍ୟ ହେଉଥିଲି।’’

ଜୁଲାଇ ୮ ତାରିଖରେ ସିଂ ଏବଂ ମୁଁ କଥା ହେବା ସମୟରେ ତାଙ୍କ ପରିବାର ନିଜ ଘରକୁ ଫେରିବା ମାସେରୁ ଅଧିକ ସମୟ ହୋଇଯାଇଥିଲା। ସେ ମୋତେ କହିଲେ, ‘‘ମୁଁ ଫେରିବାକୁ [ଆନ୍ଧ୍ରପ୍ରଦେଶକୁ] ପ୍ରସ୍ତୁତ ହେଉଛି । କିନ୍ତୁ ରୋଗୀ ସଂଖ୍ୟା [କୋଭିଡ-୧୯] ବଢ଼ୁଥିବା ଦେଖି ମୁଁ ଜାଣିପାରୁନି ଗ୍ରାହକ ଆସିବେ କି [ପାନି-ପୁରୀ ଖାଇବା ପାଇଁ]।’’

ଷ୍ଟାଣ୍ଡାର୍ଡ ଓ୍ୱାକର୍ସ ଆକ୍ସନ ନେଟଓ୍ୱର୍କର ସୂଚନା ଅନୁଯାୟୀ, ବୀରେନ୍ଦ୍ରଙ୍କ ପରି ୯୯ ପ୍ରତିଶତ ଆତ୍ମନିଯୁକ୍ତ ବ୍ୟକ୍ତି (ବୁଲା ବିକାଳିଙ୍କ ସମେତ)ଙ୍କର ଲକ୍‌ଡାଉନ୍‌ ସମୟରେ ପ୍ରାୟତଃ କୌଣସି ଆୟ ନାହିଁ । (ଏହି ନେଟ୍‌ଓ୍ୱର୍କ ୨୭ ମାର୍ଚ୍ଚରେ ପ୍ରବାସି ଶ୍ରମିକଙ୍କଠାରୁ ସାହାଯ୍ୟ ଅନୁରୋଧ ସମାଧାନ କରିବା ପାଇଁ ଗଠନ କରାଯାଇଥିଲା ଏବଂ ପ୍ରାୟ ୧୭୫୦ ଫୋନ୍‌ କଲ୍‌ ବିଶିଷ୍ଟ ତିନୋଟି ରିପୋର୍ଟ ପ୍ରକାଶ କରିଛି।)

ଏ ମଧ୍ୟରେ, ବୀରେନ୍ଦ୍ର ଛୋଟ ମୋଟ କାମ କରୁଛନ୍ତି, ବିନୋର ଏବଂ ଏହାର ଆଖପାଖରେ ଲୋକମାନଙ୍କର ଚାଳଘର ମରାମତି କରୁଛନ୍ତି । ଏଥିପାଇଁ ସେ ଦିନକୁ ଟ. ୨୦୦ ଆୟ କରୁଛନ୍ତି ଏବଂ କେତେକ ସପ୍ତାହରେ ୨-୩ ଦିନ କାମ ପାଉଛନ୍ତି ଏବଂ ବେଳେ ବେଳେ ତାହା ମଧ୍ୟ ନୁହେଁ । ରାମଦେକାଲି ଘର କାମ କରୁଛନ୍ତି-ରୋଷେଇ, ଲୁଗାସଫା, ସଫାସୁତୁରା । ଜୁଲାଇ ୩୦ ତାରିଖରେ ସେ ମୋତେ କହିଲେ, ‘‘ଘର ବାହାରେ କାମ କରିବା ଖୁବ୍‌ କଷ୍ଟକର କାରଣ ମୋତେ ଗୋଟିଏ ପର୍ଦ୍ଦା ପିନ୍ଧିବାକୁ ହେବ । ଏହି ଜମିରେ କାମ କରିବାକୁ ମଧ୍ୟ ମୋ ପାଇଁ କଷ୍ଟକର କରିଦେଉଛି। କିନ୍ତୁ ଯେତେବେଳେ ସମ୍ଭବ ମୁଁ ଯାଉଛି।’’

Shivam (left) and Birendra: On the family 2.5 acres of land in Binaura village, they are cultivating til, bhindi and urad dal
PHOTO • Sandhya Singh
Shivam (left) and Birendra: On the family 2.5 acres of land in Binaura village, they are cultivating til, bhindi and urad dal
PHOTO • Shivam Singh

ଶିବମ (ବାମ) ଏବଂ ବୀରେନ୍ଦ୍ର : ବିନୋର ଗାଁରେ ପରିବାରର ଥିବା ୨.୫ ଏକରରେ ସେମାନେ ରାଶି, ଭେଣ୍ଡି ଏବଂ ହରଡ଼ ଡାଲି ଚାଷ କରୁଛନ୍ତି

ସେ କୁହନ୍ତି, ‘‘ଆମେ ସଢ଼ୁଛୁ, କିଛି ନ କରି ଏଠି ବସିଛୁ ଏବଂ ଋଣ ବଢ଼ି ଚାଲିଛି…। ଏପରିକି ଫୋନ୍‌ ରିଚାର୍ଜ କରିବା ପାଇଁ ମଧ୍ୟ ମାଗିବାକୁ ପଡୁଛି।’’ ବୀରେନ୍ଦ୍ର ହିସାବ କରିଥିଲେ ଯେ,  କେବଳ ଲକ୍‌ଡାଉନ୍‌ ସମୟରେ ହୋଇଥିବା ଖର୍ଚ୍ଚ ପାଇଁ ପରିବାର ଏବଂ ସାଙ୍ଗସାଥୀଙ୍କ ଠାରୁ ସେମାନେ ଟ. ୩୦,୦୦୦ରୁ ଅଧିକ ଧାର କରିସାରିଲେଣି। ରାମଦେକାଲି କୁହନ୍ତି ଜୁଲାଇ ୩୦ ତାରିଖରେ ଯେତେବେଳେ ସେମାନଙ୍କ ଗ୍ୟାସ ସିଲିଣ୍ଡର ସରିଗଲା, ‘‘ମୋତେ ଆଉ ଜଣଙ୍କ ଘରକୁ ରୋଷେଇ କରିବାକୁ ଯିବାକୁ ହୋଇଥିଲା। ଏବେ ଆମେ କେବଳ ପେଟ ପାଇଁ ରୋଜଗାର କରୁଛୁ। ପୂର୍ବରୁ ଏମିତି ନଥିଲା। ’’

ତାଙ୍କ ପରିବାରର ବିନୋର ଗାଁରେ ପ୍ରାୟ ୨.୫ ଏକର ଜମି ଅଛି । ବର୍ଷା ପାଇଁ ଦୁଇମାସ ଅପେକ୍ଷା କରିବା ପରେ ଜୁଲାଇ ୨୯ ତାରିଖରେ ଭଲ ଭାବରେ ବର୍ଷା ହେଲା, ସେମାନେ ତିଳ [ରାଶି] ବୁଣିଲେ । ବୀରେନ୍ଦ୍ର ଭେଣ୍ଡି ଏବଂ ହରଡ଼ ଡାଲି ଚାଷ କରିଛନ୍ତି । ଯେତେବେଳେ ସେ ଆନ୍ଧ୍ରରେ ଥାଆନ୍ତି ତାଙ୍କ ଦାଦା ଜମିର ଦେଖାଶୁଣା କରୁଥିଲେ ଏବଂ ଗତବର୍ଷ ସେମାନେ ଗହମ, ସୋରିଷ ଏବଂ ମଟର ଚାଷ କରିଥିଲେ । ସେମାନଙ୍କର ଅମଳ ମଧ୍ୟରୁ କିଛି ବିକ୍ରି ହୋଇଛି ବଳକା ପରିବାର ପାଇଁ ରଖାଯାଇଛି ।

ବିନୋରରେ ପହଞ୍ଚିବାର ଏକ ସପ୍ତାହ ପରେ ବୀରେନ୍ଦ୍ର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ପଞ୍ଜୀକରଣ କରିବା ପାଇଁ ଚେଷ୍ଟା କଲେ । ଏହା ଯୋଗ୍ୟ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ କେନ୍ଦ୍ର ସରକାରଙ୍କଠାରୁ ସିଧାସଳଖ ବାର୍ଷିକ ଟ. ୬,୦୦୦ ଟଙ୍କା ଦେଇଥାଏ । କିନ୍ତୁ ସେ କଟ-ଅଫ୍‌ ତାରିଖ ହରାଇଲେ । ତଥାପି ସେ ଗୋଟିଏ ରାସନ କାର୍ଡ ପାଇଁ ପଞ୍ଜୀକରଣ କରିପାରିଛନ୍ତି।

ଯେତେବେଳେ ଶେଷ ଥର ପାଇଁ ଆମେ ଜୁଲାଇ ୩୦ ତାରିଖରେ କଥା ହୋଇଥିଲୁ, ବୀରେନ୍ଦ୍ର ଚଳିତବର୍ଷ ଚାଷରୁ ରୋଜଗାର ସମ୍ପର୍କରେ ଅନିଶ୍ଚିତ ଥିଲେ : ‘‘ଯଦି ବର୍ଷା ଆଉଥରେ ଆସେ ଫସଲ ବଢ଼ିବ। କିନ୍ତୁ ମୁଁ ଜାଣିନି କେତେବେଳେ ବର୍ଷା ହେବ ଏବଂ ଏହା ବଢ଼ିବ କି ନାହିଁ ।’’

ସେ ତାଙ୍କର ପାନି ପୁରି ବ୍ୟବସାୟ ଆରମ୍ଭ କରିବା ପାଇଁ ଅପେକ୍ଷା କରିଥିଲେ ଏବଂ କହିଲେ, ‘‘ଯାହାର ପାଣି ଦରକାର ସେ ତାହା ଖୋଜିବା ଦରକାର । ପାଣି ଆପଣଙ୍କ ପାଖକୁ ଆସିବ ନାହିଁ।’’ 

ଏହି ସମ୍ବାଦଦାତା ଏପ୍ରିଲ ଏବଂ ମେ ୨୦୨୦ରେ ଆନ୍ଧ୍ରପ୍ରଦେଶ କୋଭିଡ୍‌ ଲକଡାଉନ ରିଲିଫ ଆଣ୍ଡ୍‌ ଆକ୍ସନ କଲେକ୍ଟିଭ ଭାବରେ କାର୍ଯ୍ୟ କରୁଥିଲେ, ଏହି ଅନୁଷ୍ଠାନ କାହାଣିରେ ଉଲ୍ଲେଖ କରାଯାଇଥିବା ହେଲ୍ପ ଲାଇନ ପରିଚାଳନା କରୁଥିଲା ।

ପ୍ରଚ୍ଛଦ ଫଟୋ : ଉପେନ୍ଦ୍ର ସିଂ

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Riya Behl

ରିୟା ବେହଲ୍‌ ସୋନପତ୍‌ର ଅଶୋକା ବିଶ୍ୱବିଦ୍ୟାଳୟର ଜଣେ ମଦର୍‌ ଟେରେସା ଫେଲୋ (୨୦୧୯-୨୦୨୦) । ସେ ମୁମ୍ବାଇରେ ରୁହନ୍ତି ।

Other stories by Riya Behl