ତାଙ୍କର ୩ଟି ଛେଳି ଜଣକା ୩ଟି ଲେଖାଏଁ ଛୁଆ ଦେଇଥିବାରୁ ହୁସନ ଆରା ଅତିଶୟ ଖୁସି ଅଛନ୍ତି । ସେମାନଙ୍କ ମଧ୍ୟରୁ ୬ଟି ଛୁଆ ଚଳିତବର୍ଷ ଅକ୍ଟୋବର ୩୦ ତାରିଖରେ ଜନ୍ମ ହୋଇଥିଲେ । ବାକି ୩ଟି ଦିନକ ପୂର୍ବରୁ ଦୁନିଆକୁ ଆସିଥିଲେ । ନିଜେ କ୍ଷୀର ଖାଇବା ଭଳି ସେମାନେ ଉପଯୁକ୍ତ ହୋଇନଥିବାରୁ ହୁସନ ଆରା ପ୍ରାୟତଃ ସେମାନଙ୍କୁ କିଭଳି ଠିକ୍ ଭାବେ କ୍ଷୀର ମିଳିବ ସେ ନେଇ ଯତ୍ନବାନ ଥାଆନ୍ତି । ସେ ଜାଣିଛନ୍ତି ଯେ ଛେଳିଛୁଆଗୁଡ଼ିକ ବଡ଼ ହୋଇଯିବା ପରେ ତାହା ତାଙ୍କ ପାଇଁ ରୋଜଗାରର ଏକ ଉତ୍ସ ହେବ ।

ହୁସନ ଆରା ବିହାରର ସୀତାମାଢି ଜିଲ୍ଲାର ବାଜପଟ୍ଟି ବ୍ଲକର ବାରି ଫୁଲୱାରିଆ ଗାଁରେ ରହନ୍ତି । ସେହି ପଞ୍ଚାୟତରେ ରହୁଥିବା ୫୭୦୦ ବାସିନ୍ଦାଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଗରିବ ଏବଂ ନାମମାତ୍ର ଚାଷୀ ବା ଭୂମିହୀନ କୃଷି ଶ୍ରମିକ । ହୁସନ ଆରା ସେମାନଙ୍କ ମଧ୍ୟରୁ ଜଣେ ।

ଖୁବ୍ ସାନ ବୟସରୁ ସେ ତାଙ୍କର ସଂପର୍କୀୟ ମହମ୍ମଦ ସବିରଙ୍କୁ ବିବାହ କରିଥିଲେ । ୫ ବର୍ଷ ତଳେ ସବିର ଏକ ଚମଡ଼ା ବ୍ୟାଗ୍ ନିର୍ମାଣକାରୀ ୟୁନିଟରେ କାମ କରିବା ଲାଗି ହାଇଦ୍ରାବାଦ ଯାଇଥିଲେ । ତା’ ପୂର୍ବରୁ ସେ ମଧ୍ୟ ଜଣେ କୃଷି ଶ୍ରମିକ ଥିଲେ । ହୁସନ ଆରା କହନ୍ତି, “ସବିର ମାସକୁ ୫୦୦୦ ଟଙ୍କା ରୋଜଗାର କରନ୍ତି ଏବଂ ସମୟ ସମୟରେ ଘରକୁ ୨୦୦୦ ଟଙ୍କା ପଠାନ୍ତି । ଯେହେତୁ ତାଙ୍କୁ ନିଜର ଖର୍ଚ୍ଚ ତୁଲାଇବାକୁ ଥାଏ ତେଣୁ ତାଙ୍କ ପଟରୁ ଘରକୁ ଟଙ୍କା ପଠାଇବାରେ ଅନିୟମିତତା ହୋଇଥାଏ ।’’

Husn Ara trying to feed her 2 day old kids
PHOTO • Mohd. Qamar Tabrez
Husn Ara with her grand children_R-L_Rahnuma Khatoo_Anwar Ali_Nabi Alam_Murtuza Ali
PHOTO • Mohd. Qamar Tabrez

୨ ଦିନର ହୋଇଥିବା ଛେଳିଛୁଆଗୁଡ଼ିକୁ ଖାଇବାକୁ ଦେବାକୁ ଚେଷ୍ଟା କରୁଛନ୍ତି ହୁସନ ଆରା(ଡାହାଣ); ନିଜର ନାତିନାତୁଣୀମାନଙ୍କ ସହ(ବାମରୁ ଡାହାଣ) ରହନୁମା ଖାତୋ, ଅନୱର ଅଲ୍ଲୀ, ନବି ଆଲମ ଓ ମୁର୍ତୁଜା ଅଲ୍ଲୀ

 

ସେହି ଗାଁର ଅଧିକାଂଶ ଲୋକ ଅହମ୍ମଦାବାଦ, ଦିଲ୍ଲୀ, ଜୟପୁର, କୋଲକାତା ଏବଂ ମୁମ୍ବାଇ ଭଳି ସହରରେ କାମ କରିଥାନ୍ତି । ସେମାନେ ମୁଖ୍ୟତଃ ବୟନ କଂପାନିରେ ଟେଲର ଭାବେ ହ୍ୟାଣ୍ଡ ବ୍ୟାଗ୍ ତିଆରି କରନ୍ତି, ରାସ୍ତା କଡ଼ ଦୋକାନରେ ରୋଷେୟା ଓ ସହାୟକ ଭାବେ କାମ କରିଥାନ୍ତି । ସେମାନେ ଘରକୁ ପଠାଉଥିବା ଟଙ୍କା ଯୋଗୁ ଗାଁରେ କିଛି ପରିବର୍ତ୍ତନ ହୋଇଛି । କିଛି ଦଶନ୍ଧି ତଳେ ଗାଁରେ ପାଣି ପାଇଁ ମାତ୍ର ୩-୪ଟି ହ୍ୟାଣ୍ଡ ପମ୍ପ ଥିବାବେଳେ ବର୍ତ୍ତମାନ ପ୍ରାୟ ସବୁ ଘରେ ହ୍ୟାଣ୍ଡ ପମ୍ପ ରହିଛି । ମାଟି ଓ ବାଉଁଶରେ ତିଆରି ଅଧିକାଂଶ ପୁରୁଣା ଘର ଏବେ ଇଟା ଓ ସିମେଣ୍ଟ ଘରରେ ପରିବର୍ତ୍ତନ ହୋଇସାରିଛି, ଯଦିଓ ହୁସନ ଆରାଙ୍କ ଭଳି କିଛି ଲୋକଙ୍କ ଘରରେ ଏବେ ମଧ୍ୟ ଶୌଚାଳୟ ନାହିଁ । ପ୍ରଧାନମନ୍ତ୍ରୀ ୨୦୨୨ ସୁଦ୍ଧା ‘ଖୋଲାରେ ମଳମୂତ୍ର ତ୍ୟାଗ’ ଦେଶ ପାଇଁ ଯୋଜନା କରୁଥିଲେ ମଧ୍ୟ ହୁସନ ଆରାଙ୍କ ଭଳି କିଛି ଲୋକ ସେଥିରୁ ବଞ୍ଚିତ ହୋଇଛନ୍ତି । ତାଙ୍କ ଗ୍ରାମବାସୀ ୨୦୦୮ରେ ହିଁ ବିଦ୍ୟୁତ୍ ସଂଯୋଗ ପାଇଲେ ଏବଂ ୨୦୧୬ରେ ସେମାନଙ୍କ ଗାଁକୁ କଂକ୍ରିଟ ରାସ୍ତା କରାଗଲା ।

ଫୁଲୱାରିଆର ଅନ୍ୟ ମୁସଲିମ ମହିଳାଙ୍କ ଭଳି ୫୬ ବର୍ଷୀୟା ହୁସନ ଆରା ମଧ୍ୟ ତାଙ୍କର ପିଲାଦିନରୁ କୃଷିଶ୍ରମିକ ଭାବେ କାମ କରିଛନ୍ତି । ୯ ବର୍ଷ ତଳୁ ମୃତ୍ୟୁବରଣ କରିଥିବା ତାଙ୍କ ମା’ ସାମେଲ ମଧ୍ୟ ସମାନ କାମ କରୁଥିଲେ । ତାଙ୍କ ପରିବାରର ଦାରିଦ୍ର ଯୋଗୁ ହୁସନ ଆରା କିମ୍ବା ତାଙ୍କର ପିଲାମାନେ ସ୍କୁଲ ବା ମଦ୍ରାସାକୁ ଯାଇପାରିନଥିଲେ । ବାରି ଫୁଲୱାରିଆରେ ସାକ୍ଷରତା ହାର ମାତ୍ର ୩୮.୮୧ ପ୍ରତିଶତ(୨୦୧୧ର ଜନଗଣନା ଅନୁସାରେ) ଏବଂ ମହିଳାଙ୍କ ସାକ୍ଷରତା ହାର କେବଳ ୩୫.୦୯ ପ୍ରତିଶତ ।

ହୁସନ ଆରାଙ୍କ ବାପା ମହମ୍ମଦ ଜହୁର ଏବେ ମଧ୍ୟ ଦିନ ମଜୁରୀ କାମ କରିବାକୁ ଉଦ୍ୟମ କରୁଛନ୍ତି । ଜହୁରଙ୍କ ଅନୁସାରେ ତାଙ୍କୁ ପ୍ରାୟ ୧୦୦ ବର୍ଷ ହେବ । ସେ ଏବେ ଆଉ ସାରାଦିନ କୋଦାଳରେ ହାଣି ପାରୁନାହାନ୍ତି କିମ୍ବା ହଳ କରିପାରୁନାହାନ୍ତି, ତେଣୁ ସେ ଚାଷଜମିରେ ବୁଲି ମଞ୍ଜି ବୁଣିଥାନ୍ତି ଏବଂ ଫସଲ ଅମଳ ସମୟରେ ତାକୁ କାଟିଥାନ୍ତି । ସେ କହନ୍ତି, “ମୁଁ ଜଣେ ଭାଗଚାଷୀ’’ । ଚାଷ କାମ ଏବେ ଅନିଶ୍ଚିତ ଓ ଅଣଲାଭଦାୟକ ହୋଇଯାଇଛି ଏବଂ ଧାନ ଓ ଗହମ ଫସଲ ଅନିୟମିତ ହେଉଛି । “ପାରମ୍ପରିକ ଧାନ ଚାଷର ପଦ୍ଧତି ଧୀରେ ଧୀରେ ଲୋପ ପାଇଯାଉଛି, ଚାଷୀମାନେ ଟ୍ରାକ୍ଟର ବ୍ୟବହାର କରୁଛନ୍ତି ଯାହାଦ୍ୱାରାକି ଦିନ ମଜୁରିଆଙ୍କ କାମ କମିଯାଉଛି । ଯେଉଁମାନେ କିଛି କାମ ପାଉଛନ୍ତି ସେମାନେ ଦିନକୁ ୩୦୦-୩୫୦ଟଙ୍କାରୁ ଅଧିକ ରୋଜଗାର କରିପାରୁନାହାନ୍ତି ।’’

Husn Ara's father M. Zahoor
PHOTO • Mohd. Qamar Tabrez
Handpump outside Husn Ara's house
PHOTO • Mohd. Qamar Tabrez

ହୁସନ ଆରାଙ୍କ ବୃଦ୍ଧ ବାପା ମହମ୍ମଦ ଜହୁର(ବାମରେ ବସିଛନ୍ତି) ଏବେ ମଧ୍ୟ ଦିନ ମଜୁରୀ କରିବାକୁ ଉଦ୍ୟମ କରୁଛନ୍ତି । ଅନ୍ୟ ସ୍ଥାନକୁ ଯାଇ କାମ କରୁଥିବା ପରିବାର ଲୋକମାନେ ପଠାଉଥିବା ଟଙ୍କା ଯୋଗୁ ହ୍ୟାଣ୍ଡ ପମ୍ପ(ବାମ) ଓ ଅନ୍ୟ ସୁବିଧା ହୋଇପାରିଛି କିନ୍ତୁ ଗ୍ରାମବାସୀ ଗରିବ ଓ ଅବହେଳିତ ହୋଇ ରହିଛନ୍ତି

ଯଦିଓ ବାରି ଫୁଲୱାରିଆ ଓ ଆଖପାଖ ଅଞ୍ଚଳର ଜମି ଉର୍ବର କିନ୍ତୁ ଜଳସେଚନ ପାଇଁ ପାଣିର ସୁବିଧା ନାହିଁ । ଗାଁର ପଶ୍ଚିମ ପାଶ୍ୱର୍ରୁ ମାତ୍ର ୧ କିମି ଦୂରରେ ଅଧବର ନଦୀ ବହିଯାଇଛି, ତାହା କିନ୍ତୁ କେବଳ ବର୍ଷା ଦିନରେ ପୂର୍ଣ୍ଣ ରହିଥାଏ ଏବଂ ବାକି ବର୍ଷର ଅନ୍ୟ ସମୟରେ ଶୁଖିଲା ପଡ଼ିଥାଏ । ଗତ ୩ ବର୍ଷ ହେଲା ଏହି ଅଞ୍ଚଳରେ ଅପର୍ଯ୍ୟାପ୍ତ ବର୍ଷା ଯୋଗୁ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ହୁସନ ଆରାଙ୍କର ୫ଟି ପିଲା ଅଛନ୍ତି । ସବା ବଡ଼ ପୁଅ ମହମ୍ମଦ ଅଲ୍ଲୀ, (୩୨), ତାଙ୍କ ମା’ଙ୍କ ଘରେ ଏକ ଭିନ୍ନ କୋଠରୀରେ ତାଙ୍କର ପତ୍ନୀ ସାହିଦା ଏବଂ ସେମାନଙ୍କର ୨ଟି ପିଲାଙ୍କ ସହ ରହୁଛନ୍ତି । ସେ ପରିବାରର ଖର୍ଚ୍ଚ ପାଇଁ ନିୟମିତ ଭାବେ ଟଙ୍କା ଦିଅନ୍ତି ନାହଁ । ତାଙ୍କର ଦ୍ୱିତୀୟ ପୁଅ ଖୁବ୍ ଅଳସୁଆ । କିଛି ବର୍ଷ ତଳେ ହୁସନ ଆରାଙ୍କର ବଡ଼ ଝିଅ ବିବାହ କରି ବାରି ଫୁଲୱାରିଆଠାରୁ ପ୍ରାୟ ୪୦ କିମି ଦୂର ନେପାଳର ସାମସି ଗାଁକୁ ପଳାଇଛନ୍ତି । ହୁସନ ଆରାଙ୍କର ତୃତୀୟ ପୁଅ ଏବଂ ଜଣେ ୧୮ ବର୍ଷୀୟ ଝିଅ  ଏବେ ମଧ୍ୟ ବିବାହ କରିନାହାନ୍ତି । ସେମାନେ ସମୟ ସମୟରେ ମଞ୍ଜି ବୁଣିବା ଓ ଫସଲ ଅମଳ ସମୟରେ ଦିନ ମଜୁରିଆ ଭାବେ କାମ କରନ୍ତି ।

ପରିବାରକୁ ଆର୍ଥିକ ଭାବେ ସମର୍ଥନ କରିବା ହୁସନ ଆରାଙ୍କ ପାଇଁ କଷ୍ଟକର ହୋଇପଡ଼ିଛି ଏବଂ ସେ ଘରକୁ ଖାଦ୍ୟପଦାର୍ଥ ଯୋଗାଇବା ଲାଗି ସଂଘର୍ଷ କରୁଛନ୍ତି । ତାଙ୍କ ପରିବାରର ରାସନ୍ କାର୍ଡରେ ସେ ପ୍ରତି ମାସରେ କିଲୋ ପିଛା ୨ ଟଙ୍କା ଦେଇ ଘରକୁ୧୪ କିଲୋ ଚାଉଳ  ଏବଂ କିଲୋ ପିଛା ୩ଟଙ୍କା ଦେଇ ୨୧ କିଲୋ ଗହମ ଏବଂ ଅନ୍ୟ କିଛି ଜିନିଷ ଆଣୁଛନ୍ତି । “ସେ କହନ୍ତି, “ଆଜିକାଲି ଆଉ ଯଥେଷ୍ଟ ଚାଷ କାମ ମିଳନୁାହିଁ । ମୋର ଦେହ ଖରାପ ହେଉଛି । ଆମର ପରିବାର ସଦସ୍ୟଙ୍କ ସଂଖ୍ୟା ବଢିଛି କିନ୍ତୁ ରୋଜଗାର ବଢିନାହିଁ । ମୋତେ ମୋର ନାତିନାତୁଣୀଙ୍କୁ ଖାଇବାକୁ ଦେବାକୁ ପଡୁଛି ।  ମୁଁ ଜାଣିନାହିଁ କେତେଦିନ ଯାଏ ମୋତେ ଏସବୁ କରିବାକୁ ପଡ଼ିବ ।’’

Husn Ara inside her house
PHOTO • Mohd. Qamar Tabrez

ହୁସନ ଆରା ତାଙ୍କର ୫ ପିଲାଙ୍କ ଉପରେ ଆଶା ରଖିଛନ୍ତି ଯେ ଯେତେବେଳେ ସେମାନେ ବଡ଼ ହୋଇଯିବେ ସେମାନେ ପରିବାରକୁ ଟଙ୍କା ଦେବେ ଏବଂ ଘରକୁ ଖୁସି ଓ ସୌଭାଗ୍ୟ ଆସିବ

ପରିବାରର ସ୍ପଳ୍ପ ରୋଜଗାରରେ ଯୋଗଦାନ ପାଇଁ ହୁସନ ଆରା କୁକୁଡ଼ା ଓ ଛେଳି ପାଳନ ଆରମ୍ଭ କରିଛନ୍ତି । ତାଙ୍କ ଗାଁରେ ଅନେକଙ୍କ ପାଇଁ ଏହା ରୋଜଗାରର ଏକ ଉତ୍ସ ।  କୁକୁଡ଼ା ଅଣ୍ଡା ଯୋଗୁ ସେ ମାସିକ କେଇ ଶହ ଟଙ୍କା ପାଇଯାନ୍ତି କିମ୍ବା ତାହା ଘରେ ଖାଦ୍ୟ ଭାବେ ବ୍ୟବହାର ହୋଇଥାଏ । ଛେଳିଗୁଡ଼ିକ ପ୍ରତି ୨-୩ ବର୍ଷରେ ଛୁଆ ଦେଇଥାନ୍ତି । ସେ ଛୁଆଙ୍କୁ ବଡ଼ କରନ୍ତି ଓ ପରେ ତାକୁ ବିକ୍ରି କରିଥାନ୍ତି । କିନ୍ତୁ ତାଙ୍କ ଛେଳିର ଯେଉଁ ଦାମ୍ ମିଳେ ତାହା ଅନ୍ୟମାନଙ୍କ ସହ ତୁଳନୀୟ ନୁହେଁ । ସେ କହନ୍ତି,  “ଯେଉଁମାନଙ୍କ ନିକଟରେ ଟଙ୍କା ଅଛି ସେମାନେ ତାଙ୍କର ଛେଳିକୁ ଭଲ ଦାନା ଖୁଆଇଥାନ୍ତି । ମୁଁ ଗରିବ । ମୁଁ ମୋର ଛେଳିଗୁଡ଼ିକୁ କେବଳ ଘାସ ଖୁଆଇଥାଏ । ତେଣୁ ସେମାଦେ ଦୁର୍ବଳ.. ।’’

ପୋଷକ ତତ୍ତ୍ୱଯୁକ୍ତ ଖାଦ୍ୟ ଖାଇଥିବା ଛେଳିଗୁଡ଼ିକ ୪ ମାସରେ ୮-୧୦ କିଲୋ ବିଶିଷ୍ଟ ହୋଇପାରିବେ ଏବଂ ସେହି ଛେଳିଗୁଡ଼ିକୁ ୪୦୦୦ ଟଙ୍କା ଲେଖାଏଁରେ ବିକ୍ରି କରାଯାଇପାରିବ । ହୁସନ ଆରାଙ୍କ ବଢିଯାଇଥିବା ଛେଳି କେବେହେଲେ ୫ କିଲୋରୁ ଅଧିକ ହୁଅନ୍ତି ନାହିଁ ଏବଂ ୪ ମାସ ପରେ ସେମାନଙ୍କୁ ବିକ୍ରି କଲେ ୨୦୦୦ ଟଙ୍କା ଲେଖାଏଁରୁ ଅଧିକ ହୁଏନାହିଁ । ଯଦି ସେ ଛେଳିଗୁଡ଼ିକୁ ଗୋଟିଏ ବର୍ଷ ରଖିବେ ତା’ ହେଲେ ସେ ନିକଟସ୍ଥ ଗାଁରେ ରହୁଥିବା ଆର୍ଥିକ ଭାବେ ସ୍ୱଚ୍ଛଳ ମୁସଲିମଙ୍କଠାରୁ ୧୦ ହଜାର ଟଙ୍କା ଆଦାୟ କରିପାରିବେ । ଇଦ-ଉଲ-ଅଝା କିମ୍ବା ବକ୍ରି ଇଦ୍‌ରେ ବଳି ପାଇଁ ସେମାନେ ଏହି ଟଙ୍କା ଦେଇଥାନ୍ତି ।

ହୁସନ ଆରା ତାଙ୍କର ୫ ପିଲାଙ୍କ ଉପରେ ଆଶା ରଖିଛନ୍ତି ଯେ ଯେତେବେଳେ ସେମାନେ ବଡ଼ ହୋଇଯିବେ ସେମାନେ ପରିବାରକୁ ଟଙ୍କା ଦେବେ ଏବଂ ଘରକୁ ଖୁସି ଓ ସୌଭାଗ୍ୟ ଆସିବ । ସେମାନେ ଏବେ କେବଳ ବଡ଼ ହୋଇଯାଇନାହାନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ନିଜର ପିଲା ଅଛନ୍ତି । ତଥାପି ମଧ୍ୟ ହୁସନ ଆରାଙ୍କ ପାଇଁ ଖୁସି ଓ ସୌଭାଗ୍ୟ ଅପହଞ୍ଚ ପାଲଟିଛି ।

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Mohd. Qamar Tabrez

Mohd. Qamar Tabrez is PARI’s Urdu/Hindi translator since 2015. He is a Delhi-based journalist, the author of two books, the news editor at the Urdu daily ‘Roznama Mera Watan’, and associated with newspapers like ‘Rashtriya Sahara’, ‘Chauthi Duniya’ and ‘Avadhnama’. He has a degree in History from Aligarh Muslim University and a PhD from Jawaharlal Nehru University, Delhi.

Other stories by Mohd. Qamar Tabrez