ବେଲଦାଙ୍ଗ ସହରରୁ କୋଲକାତା ଯାଉଥିବା ହଜାରଦୁଆରି ଏକ୍ସପ୍ରେସ ପ୍ଲାସି ଅତିକ୍ରମ କଲାବେଳେ କମ୍ପାର୍ଟମେଣ୍ଟ ଭିତରେ ଏକତାରାର ମୂର୍ଚ୍ଛନା ଭରିଗଲା। କାଠ ନିର୍ମିତ ବିଭିନ୍ନ କଳାକୃତି ଥିବା ବଡ଼ ଝୁଡ଼ିଟିଏ ଧରିଥିଲେ ସଂଜୟ ବିଶ୍ୱାସ । ସେଥିରେ ଥିଲା ଗୋଟିଏ ଚରଖା, ଗୋଟିଏ ଟେବୁଲ ଲ୍ୟାମ୍ପ, ଗୋଟିଏ କାର୍, ଗୋଟିଏ ବସ୍ ଏବଂ ଗୋଟିଏ ତାର ବିଶିଷ୍ଟ ଏକତାରା।   

ସୂକ୍ଷ୍ମ କାରୁକାର୍ଯ୍ୟ ହୋଇଥିବା ଜିନିଷଗୁଡ଼ିକ ବିକ୍ରି ହେବାକୁ ଥିବା ଚାଇନା ଜିନିଷ - ଖେଳଣା, ଚାବି ରିଙ୍ଗ, ଛତା, ଟର୍ଚ୍ଚ, ଲାଇଟର ଗୁଡିକ ଭିତରେ ବାରି ହୋଇ ପଡ଼ୁଥିଲେ - ଅନ୍ୟ ବେପାରୀମାନେ ରୁମାଲ, କ୍ୟାଲେଣ୍ଡର, ମେହେନ୍ଦି ପୁସ୍ତିକା, ଝାଲ-ମୁଢି, ସିଝାଅଣ୍ଡା, ଚା’, ବାଦାମ, ସିଙ୍ଗଡ଼ା, ମିନେରାଲ ପାଣି ଆଦି ବିକ୍ରି କରୁଥିଲେ। ଟ୍ରେନ୍ରେ ଥିବା ସବୁ ବେପାରୀଙ୍କ ରାସ୍ତା ଅଲଗା ଆଉ କମ୍ପାର୍ଟମେଣ୍ଟ ଅଲଗା ଥିଲା। 

ଯାତ୍ରୀମାନେ ଖୁବ୍ ମୂଲଚାଲ କରୁଥିଲେ। ମୁର୍ସିଦାବାଦ ଜିଲ୍ଲା ବାହାରାମପୁର ସବଡିଭିଜନ୍ର ବେଲଦାଙ୍ଗ ଏବଂ ରାଣାଘାଟ ମଧ୍ୟରେ ଥିବା ୧୦୦ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ଦୁଇ ଘଣ୍ଟା ଲାଗୁଥିଲା। ଏହି ସମୟ ମଧ୍ୟରେ ହକରମାନେ ଭଲ ବ୍ୟବସାୟ କରୁଥିଲେ। ଅଧିକାଂଶ ବେପାରୀ ରାଣାଘାଟରେ ଓହ୍ଲାଇ ଯାଉଥିଲେ। ଆଉ କିଛି କ୍ରିଷ୍ଣାନଗରରେ ଓହ୍ଲାଉଥିଲେ। ଏହି ରାସ୍ତାରେ ଏ ଦୁଇଟି ହେଉଛି ବଡ ଜଙ୍କସନ୍। ସେଠାରୁ ସ୍ଥାନୀୟ ଟ୍ରେନ୍ ଧରି ସେମାନେ ନିଜନିଜର ଗାଁ ଏବଂ ସହରକୁ ଯାଆନ୍ତି। 

କିଛି ଲୋକ ସଂଜୟଙ୍କୁ ଏକତାରାର ଦାମ୍ ପଚାରିଲେ। ସେ କହିଲେ ୩୦୦ ଟଙ୍କା। କିଣିବା ଭଳି କ୍ଷମତା ଥିବା ଗ୍ରାହକ ମଧ୍ୟ ମୂଲଚାଲ କରୁଥିଲେ। ସଂଜୟ କହିଲେ, ‘‘ଏଇଟା ଶସ୍ତା ଖେଳଣା ନୁହେଁ, ଖୁବ ନିଷ୍ଠାରେ ତିଆରି କରିଛି। ଏଥିରେ ସବୁଠୁ ଭଲ ଜିନିଷ ଲାଗିଛି। ଏକତାରାର ତଳପଟେ ଖାଣ୍ଟି ଚମଡ଼ା ଲାଗିଛି।’’ ଆଉ ଜଣେ ଯାତ୍ରୀ ଯୁକ୍ତି କଲେ: ‘‘ମେଳା ମହୋତ୍ସବରେ ବହୁତ ଶସ୍ତାରେ ମିଳୁଛି।’’ ସଂଜୟ ଉତ୍ତର ଦେଲେ, ‘‘ମେଳାରେ ବିକ୍ରି ହେଲାଭଳି ଏଇଟା ଶସ୍ତା ଜିନିଷ ନୁହେଁ। ଲୋକଙ୍କୁ ଠକିବା ମୋର ବେପାର ନୁହେଁ।’’ 

ସେ ଯାତ୍ରୀଙ୍କ ସିଟ୍ ମଝିରେ ଥିବା ବାଟରେ ଆଗକୁ ଗଲେ, ନିଜେ ତିଆରି କରିଥିବା ଜିନିଷ ଦେଖାଇଲେ ଆଉ କିଛି ଛୋଟମୋଟ ଜିନିଷ ବିକିଲେ। ସଂଜୟ କହିଲେ, ‘‘ଜିନିଷକୁ ନିଜ ହାତରେ ଧରି ଦେଖନ୍ତୁ, ମୋ ହାତ ତିଆରି କଳାକୃତି ଦେଖିବାକୁ କିଛି ପଇସା ଦେବାକୁ ପଡ଼ିବନି।’’ ସାଙ୍ଗେ ସାଙ୍ଗେ ଗୋଟିଏ ଦମ୍ପତି ବିନା ମୂଲଚାଲରେ ଗୋଟିଏ ଏକତାରା କିଣିଲେ। ସଂଜୟଙ୍କ ମୁହଁ ଉଜ୍ୱଳ ହୋଇ ଉଠିଲା। ସେ କହିଲେ, ‘‘ଏଥିରେ ବହୁ ପରିଶ୍ରମ କରିବାକୁ ପଡ଼ିଛି - ଏହାର ସ୍ୱରକୁ ଦେଖନ୍ତୁ।’’ 

Man selling goods in the train
PHOTO • Smita Khator
Man selling goods in the train
PHOTO • Smita Khator

‘ମେଳାରେ ଲାଗିଥିବା ଜିନିଷ ଭଳି ଏଇଟା ଶସ୍ତାଳିଆ ନୁହେଁ - ଆଉ ଲୋକଙ୍କୁ ଠକିବା ମୋ ବେପାର ନୁହେଁ’

ମୁଁ ପଚାରିଲି ଏଇ କଳା ତୁମେ କେଉଁଠୁ ଶିଖିଲ। ୪୭ ବର୍ଷୀୟ ସଂଜୟ କହିଲେ, ‘‘ମୁଁ ନିଜେ ନିଜେ ଶିଖିଛି। ଅଷ୍ଟମ ଶ୍ରେଣୀରେ ଯେତେବେଳେ ପରୀକ୍ଷା ଦେଇ ପାରିଲିନି, ମୋ ପାଇଁ ସେଇଠି ପାଠପଢା ବନ୍ଦ ହୋଇଗଲା।’’ ‘‘୨୫ ବର୍ଷ ଧରି ମୁଁ ହାରମୋନିୟମ ସଜାଡିଲି। ତା’ ପରେ ସେ କାମରେ ମୋର ଆଉ ମନ ଲାଗିଲାନି। ଗତ ଦେଢ ବର୍ଷ ହେଲା ଏଇ କାମରେ ଲାଗିଛି। ବେଳେବେଳେ ଲୋକେ ତାଙ୍କ ହାରମୋନିୟମ ଆଣିଲେ ମୁଁ ସାହାଯ୍ୟ କରୁଛି। କିନ୍ତୁ ଏଇ କାମ ମୋ ପାଇଁ ପେଶା ହୋଇଯାଇଛି। ୟାକୁ ତିଆରି କରିବା ପାଇଁ ଆବଶ୍ୟକ ଯନ୍ତ୍ରପାତି ବି ମୋ ନିଜ ହାତରେ କରିଛି। ଆପଣ ଆମ ଘରକୁ ଆସିଲେ ମୋ ହାତ ତିଆରି ଜିନିଷ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ।’’ ତାଙ୍କର ଏହି କଳାକୃତିକୁ ନେଇ ସେ ବେଶ୍ ଗର୍ବ ଅନୁଭବ କରୁଥିଲେ। 

ସଂଜୟଙ୍କ ସବୁ ଦିନିଆ ଟ୍ରେନ୍ ରାସ୍ତା ହେଉଛି ପ୍ଲାସି (ବା ପଲାସୀ) ଏବଂ କ୍ରିଷ୍ଣାନଗର ମଧ୍ୟରେ। ‘‘ମୋ ହାତକୁ କାଠ ତିଆରି ମିନି-ବସ୍ଟିଏ ଧରେଇ ଦେଇ କହିଲେ, ମୁଁ ସପ୍ତାହରେ ତିନି ଦିନ ବିକେ ଆଉ ତିନି ଦିନ ତିଆରି କରେ। ଏଇଟା ସ୍ୱତନ୍ତ୍ର, ଜାହିତାହି ତିଆରି କରି ହେବନି। ଏଇ କାଠ ବସ୍ଟି ତିଆରି କରିବାକୁ ବହୁ ସମୟ ଲାଗିଛି। ଆପଣ ନିଜ ହାତରେ ଧରି ୟାର ମାନ ପରୀକ୍ଷା କରିପାରିବେ।’’ 

କେତେ ଟଙ୍କା ରୋଜଗାର ହେଉଛି? ‘‘ଆଜି ୮୦୦ ଟଙ୍କାର ବିକିଛି। ଲାଭ ଖୁବ୍ କମ୍। କଞ୍ଚା ମାଲ ଅଧିକ ପଇସା ହେଲାଣି। ମୁଁ ଶସ୍ତା କାଠ ବ୍ୟବହାର କରେନି। ଏଥିରେ ବର୍ମା ଶାଗୁଆନ, ସେଗୁନ ବା ଶିରିଷ କାଠ ଲାଗୁଛି। ମୁଁ ଏସବୁ କାଠ-ବେପାରୀଙ୍କଠାରୁ କିଣୁଛି। କୋଲକାତାର ବୁରା ବଜାର ବା ଚାଇନା ବଜାରରୁ ଭଲ ମାନର ରଂଗ ଏବଂ ସ୍ପିରିଟ୍ କିଣୁଛି। ଠକିବା କଳା ମୁଁ ଶିଖିନି ...... ମୁଁ ପ୍ରାୟ ସବୁବେଳେ କାମ କରେ। ଯଦି ଆପଣ ମୋ ଘରକୁ ଆସିବେ, ଦେଖିବେ ମୁଁ ଦିନ ରାତି କାମ କରୁଥିବି। କାଠକୁ ଚିକ୍କଣ କରିବା ପାଇଁ ମୁଁ କୌଣସି ଯନ୍ତ୍ରପାତି ବ୍ୟବହାର କରେନି। ସେଇଥି ପାଇଁ ଏତେ ସୂକ୍ଷ୍ମ।’’ 

ସଂଜୟ ନିଜେ ତିଆରି କରି ବିକ୍ରି କରୁଥିବା ଜିନିଷ ଗୁଡ଼ିକର ଦାମ ୪୦ ଟଙ୍କା (ଗୋଟିଏ ଶିବ ଲିଙ୍ଗକୁ) ରୁ ୫୦୦ ଟଙ୍କା (ଗୋଟିଏ ମିନି-ବସ୍) ଭିତରେ। ସେ ପଚାରିଲେ, ‘‘ମୋତେ କୁହନ୍ତୁ ସପିଂ ମଲ୍ରେ ଏହି ବସ୍ର ମୂଲ୍ୟ କେତେ ହେବ?’’ ‘‘ଶ୍ରଦ୍ଧାର ସହ ଯେଉଁ କାମ ହୋଇଛି ତାକୁ ଅନେକ ଯାତ୍ରୀ ବୁଝି ପାରନ୍ତିନି। ସେମାନେ ଭାରି ମୂଲାମୂଲି କରନ୍ତି। ଏଥିରେ ଯାହା ଯେମିତି ମୁଁ ବଂଚି ଯାଉଛି। ହୁଏତ ଦିନେ ସେମାନେ ମୋ କାମକୁ ଆଦର କରିବେ।’’    

ଟ୍ରେନ୍ କ୍ରିଷ୍ଣାନଗର ଭିତରକୁ ପଶିବା ମାତ୍ରେ ସଂଜୟ ତାଙ୍କୁ ଝୁଡିଟି ଧରି ଓହ୍ଲାଇବାକୁ ପ୍ରସ୍ତୁତ ହେଲେ। ତା’ ପରେ ସେ ତାଙ୍କ ଘରମୁହାଁ ହେବେ। ନଦିଆ ଜିଲ୍ଲା ବକୁଳ ସହରର ଘୋଷପଡ଼ା ବସ୍ତିରେ ତାଙ୍କ ଘର। ଯେହେତୁ ସେ ହାରମୋନିୟମ ସଜାଡ଼ନ୍ତି ଆଉ ଏକତାରା ତିଆରି କରନ୍ତି, ତେଣୁ ଗୀତ ଗାଆନ୍ତି କି ବୋଲି ପଚାରିଲି। ସେ ସ୍ମିତ ହସି କହିଲେ, ‘‘ବେଳେ ବେଳେ ଆମ ଗାଁ ଗୀତ।’’ 

ଅନୁବାଦ: ଓଡ଼ିଶାଲାଇଭ୍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Smita Khator

ମିତା ଖାତୁରଙ୍କ ଘର କୋଲକାତାରେ। ପରୀ ଅନୁବାଦର ସଂଯୋଜକ ଏବଂ ଜଣେ ବେଙ୍ଗଲୀ ଅନୁବାଦକ

Other stories by Smita Khator