ଆଜିକାଲି ବେଳେବେଳେ ସୁଖମତି ଦେବୀଙ୍କ ଗୋଡ଼ ଥରେ। ଦୀର୍ଘ ବର୍ଷ ଧରି ପାହାଡ଼ିଆ ଅଞ୍ଚଳରେ ଉପରକୁ ଚଢ଼ିବା ଓ ଓହ୍ଲାଇବାର ପରିଣାମ। ପ୍ରାୟ ୩୬୦୦ ମିଟର ଉଚ୍ଚରେ ଥିବା ତାଙ୍କ ଗାଁ କୁଟିରେ ପହଞ୍ଚିବାକୁ ୭୦ କିଲୋମିଟରରୁ ଅଧିକ ଚାଲି ଚାଲି ଆସିଛନ୍ତି ୬୫ ବର୍ଷୀୟା କୃଷକ ସୁଖମତି । ମେ ମାସରୁ ନଭେମ୍ବର ପର୍ଯ୍ୟନ୍ତ ସେ କୁଟିରେ ରହନ୍ତି । ଯେତେବେଳେ ଗାଁ ବରଫରେ ଢାଙ୍କି ହୋଇଯାଏ, ସେ ୭୦ କିଲୋମିଟର ତଳକୁ ଓହ୍ଲାଇ ସମୁଦ୍ର ପତ୍ତନଠାରୁ ୯୦୦ ମିଟର ଉଚ୍ଚ ଧାରଚୁଲା ସହରକୁ ଯାଆନ୍ତି ।

କେବେ କେମିତି ସେ ଘୋଡ଼ାର ଉପଯୋଗ କରନ୍ତି, ସେତେବେଳେ ରାସ୍ତା ଏତେ ତୀଖ ହୋଇଥାଏ ଯେ, ପ୍ରାୟ ସାଢ଼େ ତିନି କିଲୋମିଟର ଚଢ଼ିବାକୁ ଘଣ୍ଟା ଘଣ୍ଟା ଲାଗିପାରେ । କିନ୍ତୁ ସେଇ ବିକଳ୍ପ ବି ଆଜିକାଲି କଷ୍ଟସାଧ୍ୟ । କାରଣ, ବର୍ଷାରେ ଧୋଇ ହୋଇ ତଳକୁ ଆସୁଥିବା ମାଟି ଓ ପଥର ଗଦା ତଳେ ରହି ପାଦଚଲା ରାସ୍ତାଟିର ଅନେକ ଅଂଶ ଉଭେଇ ଯାଇଛି । ଏଠାକାର ଗାଁ ଲୋକେ କହନ୍ତି ଯେ, ଲିପୁଲେଖ ଘାଟି ପର୍ଯ୍ୟନ୍ତ ରାସ୍ତା ତିଆରି କରୁଥିବା ସୀମା ସଡ଼କ ସଂଗଠନ (BRO) ଦ୍ୱାରା ଯେତେବେଳେ ପାହାଡ଼ ଫଟାଇବାକୁ ଡିନାମାଇଟ୍‌ ବିସ୍ଫୋରଣ କରାଯାଏ, ଏଭଳି ଘଟେ ।

ତେଣୁ, ମାଟି ଓ ପଥର ଗଦା ଉପରେ ଗୁରୁଣ୍ଡି ଗୁରୁଣ୍ଡି ଯିବାକୁ ପଡୁଥିବାରୁ, କୁଟି ପର୍ଯ୍ୟନ୍ତ ପାହାଡ଼ିଆ ରାସ୍ତାରେ ସୁଖମତିଙ୍କ  ବାର୍ଷିକ ଯାତ୍ରା ଆହୁରି କଷ୍ଟକର ହୋଇପଡ଼ିଛି । ଏହି ବାଟରେ ରହିଛି ବିପଜ୍ଜନକ ଅଣଓସାରିଆ ଉଠାଣି ଯାହାର ବିଭିନ୍ନ ଭାଗ ଦେଇ କାଳୀ ଓ କୁଟି-ୟାଙ୍ଗ୍‌ତି ନଦୀ ବହିଯାଇଛି । ୨୦୧୭ମେ ମାସରେ ଆମେ ୭୦ କିଲୋମିଟର ଚାଲି ଚାଲି କୁଟିକୁ ଯିବା ବେଳେ ସେ ମତେ କହିଥିଲେ, “ମୁଁ ଆଶା କରେ ଯେ ଦିନେ ମୁଁ ମୋ ଗାଁକୁ କାର୍‌ରେ ଯାଇପାରିବି”। ହିମାଳୟର ବ୍ୟାସ ଉପତ୍ୟକାରେ ଥିବା ୩୬୩ଜଣ ଲୋକ ରହୁଥିବା ତାଙ୍କ ଗାଁରେ ପହଞ୍ଚିବା ପାଇଁ ଆମକୁ ପାଞ୍ଚ ଦିନ ଲାଗିଥିଲା ।

ଭାରତ-ଚୀନ ସୀମା ନିକଟବର୍ତ୍ତୀ ସାତଟି ଗାଁରେ ରହୁଥିବା ଭୋଟିଆ ଅଧିସୂଚିତ ଜନଜାତିର ୨,୦୫୯ ଅଧିବାସୀଙ୍କ ମଧ୍ୟରୁ ସୁଖମତି ଦେବୀ (ଉପରେ କଭର୍‌ ଫଟୋ) ଜଣେ । ଏହି ରାସ୍ତା ହିଁ ସେମାନଙ୍କ ପାଇଁ ୨୦୧୯ ଲୋକସଭା ନିର୍ବାଚନର ବଡ଼ ପ୍ରସଙ୍ଗ। ରାଜ୍ୟ ହେଉ କି ସାଧାରଣ ନିର୍ବାଚନ, ବହୁ ବର୍ଷ ହେଲା ପ୍ରତ୍ୟେକ ନିର୍ବାଚନ ସମୟରେ ଏହା ହିଁ ସେମାନଙ୍କ ପ୍ରମୁଖ ସମସ୍ୟା ମଧ୍ୟରୁ ଅନ୍ୟତମ । ଏପ୍ରିଲ ୧୧ରେ ଏହି ସବୁ ଗାଁ ଲୋକେ ଭୋଟ୍‌ ଦେବେ ।

Sukhmati Devi is trudging along the 70 km route to her village Kuti in Vyas valley in Dharchula in Pithoragarh district of Uttarakhand. Before her, a porter is carrying her basic necessities including grains, packet of biscuits and a solar panel for charging of phone and torches
PHOTO • Arpita Chakrabarty
Kuti village, the last village of the upper-Himalayan Vyas valley.
PHOTO • Arpita Chakrabarty

ଉତ୍ତରାଖଣ୍ଡର ଉଚ୍ଚ ପାହାଡ଼ରେ ଥିବା ତାଙ୍କ ଗାଁ କୁଟି (ଡାହାଣ)କୁ ଯିବା ପାଇଁ ୬୫ ବର୍ଷୀୟା ସୁଖମତି ଦେବୀଙ୍କୁ ୭୦ କିଲୋମିଟର ପାଦରେ ଚାଲିବାକୁ ପଡ଼େ ଏବଂ ଜଣେ ଭାରୁଆ ତାଙ୍କର କିଛି ଜିନିଷପତ୍ର ବୋହି ନିଅନ୍ତି । ଗାଁ ଲୋକେ କହନ୍ତି, ଆଗାମୀ ଲୋକସଭା ନିର୍ବାଚନରେ ରାସ୍ତା ହିଁ ସେମାନଙ୍କ ପାଇଁ ସବୁଠୁ ବଡ଼ ପ୍ରସଙ୍ଗ ।

କୁଟି ବ୍ୟତୀତ, ଉତ୍ତରାଖଣ୍ଡ ପିଥୋରାଗଡ଼ ଜିଲ୍ଲାର ଧାରଚୁଲା ବ୍ଲକ୍‌ରେ ଥିବା ବୁନ୍ଦି, ଗର୍ବ୍ୟାଙ୍ଗ, ଗୁଞ୍ଜି, ନାପାଲାଛୁ, ରାଉଂ କୋଂ ଏବଂ ନାବି ପ୍ରଭୃତି ଗାଁର ଜୀବନରେଖା ରୂପେ ବିବେଚିତ ଏହି ଖଚର ଚଲା ବାଟ ଏବେ ଧୀରେ ଧୀରେ ଏକ ରାସ୍ତାର ରୂପ ନେଉଛି । ଋତୁ ଭିତ୍ତିରେ ସ୍ଥାନାନ୍ତରିତ ହେବା ପାଇଁ ଏବଂ ଧାରଚୁଲା ସହରରୁ ସେମାନଙ୍କ ମୌଳିକ ଆବଶ୍ୟକତା ପୂରଣ ପାଇଁ ସବୁ ଜିନିଷପତ୍ର ଆଣିବା ଲାଗି ଗାଁ ଲୋକେ ଏହି ରାସ୍ତାକୁ ବ୍ୟବହାର କରନ୍ତି। ଏହି ରାସ୍ତା ଭାରତୀୟ ସେନାବାହିନୀ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସବୁଠୁ ପାଖରେ ଥିବା ନଜଙ୍ଗ୍‌ ରାସ୍ତାମୁଣ୍ଡରୁ ୧୬ କିଲୋମିଟର ଦୂର ବୁନ୍ଦି ଗାଁରେ ପହଞ୍ଚିବା ପାଇଁ ଦୁଇ ଦିନ ଲାଗିପାରେ ଏବଂ କୁଟି ଯିବାକୁ ୫-୬ ଦିନ ଲାଗେ ।

ବାର୍ଷିକ ସୀମାବର୍ତ୍ତୀ ବଜାର ପାଇଁ ବ୍ୟବସାୟୀମାନେ ଏବଂ ସେମାନଙ୍କ ତଟୁଘୋଡ଼ାମାନେ ଜୁନ୍‌ ଓ ଅକ୍‌ଟୋବର ମାସରେ ଏହି ରାସ୍ତାରେ ଚୀନ୍‌ ଭିତରକୁ ଯାଇଥାଆନ୍ତି । ସେମାନେ କଫି, କାଜୁବାଦାମ ଭଳି ଶୁଖିଲା ଫଳ, ଲୁଗାପଟା, ଖାଦ୍ୟଶସ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀ ନେଇ ଯାଆନ୍ତି ଏବଂ ବଦଳରେ ଉଲ୍‌ ତିଆରି ଲୁଗାପଟା, ଗାଲିଚା ଏବଂ ଅନ୍ୟାନ୍ୟ ସାମଗ୍ରୀ ନେଇ ଫେରନ୍ତି । କୈଳାସ ମାନସରୋବର ତୀର୍ଥଯାତ୍ରା ପାଇଁ ପ୍ରତି ବର୍ଷ ଜୁନ୍‌ରୁ ସେପ୍‌ଟେମ୍ବର ଭିତରେ ୧,୦୦୦ରୁ ଅଧିକ ଭାରତୀୟ ତୀର୍ଥଯାତ୍ରୀ ଏହି ରାସ୍ତା ଦେଇ ଚୀନ୍‌ ଭିତରକୁ ପ୍ରବେଶ କରନ୍ତି ।

ଧାରଚୁଲା ବିଧାନସଭା ନିର୍ବାଚନମଣ୍ଡଳୀର ଏହି ସାତଟି ଗାଁ, ଲୋକସଭା ନିର୍ବାଚନରେ ରାଜ୍ୟର ଅଧିସୂଚିତ ଜନଜାତିଙ୍କ ପାଇଁ ଥିବା ଏକମାତ୍ର ଆଲମୋରା (ଯାହା ୨୦୦୯ରେ ଅଧିସୂଚିତ ଜନଜାତିଙ୍କ ଆସନ ହୋଇଥିଲା) ନିର୍ବାଚନମଣ୍ଡଳୀରେ ରହିଛି। ଆଲମୋରା, ବାଘେଶ୍ୱର, ଚମ୍ପାୱତ ଏବଂ ପିଥୋରାଗଡ଼ ପ୍ରଭୃତି ଚାରିଟି ଜିଲ୍ଲାର ୧୪ଟି ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ଏହି ଆସନ ଗଠିତ । ୨୦୧୪ରେ ଏଠାରେ ୧୨.୫୪ ଲକ୍ଷ ପଞ୍ଜୀକୃତ ଭୋଟଦାତା ଥିଲେ ।

୧୯୯୬ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି (BJP)ର ବାଚି ସିଂହ ରାୱତ ଏହି ଆସନରୁ ନିର୍ବାଚିତ ହୋଇଥିଲେ। ପରେ ୨୦୦୯ରେ କଂଗ୍ରେସର ପ୍ରଦୀପ ଟମ୍‌ଟା ଏଠାରୁ ବିଜୟ ଲାଭ କରିଥିଲେ ।

୨୦୧୪ ସାଧାରଣ ନିର୍ବାଚନରେ ଧାରଚୁଲାରେ ଉଭୟ ଦଳ ମଧ୍ୟରେ ତୀବ୍ର ଲଢ଼େଇ ହୋଇଥିଲା। ପ୍ରଦୀପ ଟମ୍‌ଟା ଧାରଚୁଲାରେ ବିଜେପିର ଅଜୟ ଟମ୍‌ଟାଙ୍କଠାରୁ ୨,୫୨୦ ଅଧିକ ଭୋଟ୍‌ ପାଇଥିଲେ । କିନ୍ତୁ ସମୁଦାୟ ଭୋଟ୍‌ ହିସାବରେ ନିର୍ବାଚନମଣ୍ଡଳୀରେ ବିଜୟ ଲାଭ କରିଥିଲେ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଅଜୟ ଟମ୍‌ଟା। (ପାରମ୍ପରିକ ଭାବେ ଟମ୍‌ଟାମାନେ ଥିଲେ କଂସାରି, ଅଧିସୂଚିତ ଜାତି)।୨୦୧୯ ଲୋକସଭା ନିର୍ବାଚନରେ ଉଭୟ ପୁଣି ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହେବେ ।

The residents and traders use this mule route for seasonal migration and transportation of goods. The government and the Indian Army also send ration by this trail. The pilgrims of the government-conducted Kailash Mansarovar yatra also take this route to cross Lipulekh Pass to China. When this route is broken, all supplies including government ration to the upper altitude villages stop
PHOTO • Arpita Chakrabarty
The newly levelled road constructed by BRO from Chiyalekh to Garbyang village
PHOTO • Arpita Chakrabarty

ବାମ: ଗ୍ରାମବାସୀ ଏବଂ ବ୍ୟବସାୟୀ, ଭାରତୀୟ ସେନା, ତୀର୍ଥଯାତ୍ରୀ, ସମସ୍ତେ ଏହି ରାସ୍ତା ବ୍ୟବହାର କରନ୍ତି । ଡାହାଣ: BRO ଦ୍ୱାରା ତିଆରି ହୋଇଥିବା ଏବେକାର ସମତୁଲ ରାସ୍ତା ସଂପୂର୍ଣ୍ଣ ଦୂରତାର କେବଳ କିଛି ଅଂଶ ମାତ୍ର ।

ଉଭୟ ପ୍ରାର୍ଥୀ ଲୋଅର୍‌ କୁମାଓଁ ଅଞ୍ଚଳରେ ରହନ୍ତି । ଆଲ୍‌ମୋରା ସହରରେ ଅଜୟ ଟମ୍‌ଟା ଏବଂ ନୈନିତାଲ ଜିଲ୍ଲା ହଲ୍‌ଦୱାନି ସହରରେ ପ୍ରଦୀପ ଟମ୍‌ଟା (ମୂଳତଃ ସେ ବାଘେଶ୍ୱର ଜିଲ୍ଲାର ବାସିନ୍ଦା)। ଏହି ସହରଗୁଡ଼ିକ ଧାରଚୁଲାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଅବସ୍ଥିତ। ଏତେ ଦୂରରୁ, ଉଚ୍ଚ ପର୍ବତ ଅଞ୍ଚଳର ଗାଁରେ ରହୁଥିବା ଲୋକମାନେ କ’ଣ କହୁଛନ୍ତି, ତାହା ଶୁଣିବାରେ ସେମାନେ ଅସମର୍ଥ ।

ମୋଟର ଗାଡ଼ି ଯିବା ଯୋଗ୍ୟ ଏହି ୯୫ କିଲୋମିଟର ଲମ୍ବା ରାସ୍ତାର କାମ ୨୦୧୩ ମସିହାରେ ଆରମ୍ଭ ହେଲା । ନିର୍ମାଣ କାମ ସରିଲେ ଏହା ତାୱାଘାଟ (ଧାରଚୁଲା ସହରରୁ ବେଶୀ ଦୂର ନୁହେଁ) ସହରରୁ ଲିପୁଲେଖ ଘାଟି ରାସ୍ତା ପର୍ଯ୍ୟନ୍ତ ଯିବ ଏବଂ ବ୍ୟାସ ଉପତ୍ୟକା ନିକଟରେ ଭାରତ-ଚୀନ୍‌ ସୀମାର ଅନ୍ତିମ ସୁରକ୍ଷା ଶିବିରକୁ ସଂଯୋଗ କରିବ ।

୨୦୦୮ରେ କାମ ସଂପୂର୍ଣ୍ଣ ହେବାର ଲକ୍ଷ୍ୟ ରଖାଯାଇଥିଲା । ଏହା ଏକ ବିରାଟ ବଡ଼ କାମ, ଯେଉଁଥିରେ ବିଶାଳକାୟ ପଥର କାଟିବାକୁ ପଡୁଥିଲା । ତେଣୁ କାମ ଶେଷ ହେବାର ତାରିଖ ୨୦୧୨କୁ, ପରେ ୨୦୧୬ ଏବଂ ୨୦୧୮କୁ ଘୁଞ୍ଚାଇ ଦିଆଗଲା । ଏବେ ସରକାରୀ ଭାବେ ଏହାକୁ ସଂପୂର୍ଣ୍ଣ କରିବାର ପ୍ରସ୍ତାବିତ ତାରିଖ ୨୦୨୨ । ୨୦୧୭ର ଅଡିଟ୍‌ ରିପୋର୍ଟରେ ନିୟନ୍ତ୍ରକ ଏବଂ ମହାଲେଖା ପରୀକ୍ଷକ, କଥିତ ଭାବେ ଭାରତ-ଚୀନ୍‌ ସୀମାବର୍ତ୍ତୀ ଅଞ୍ଚଳରେ ରାସ୍ତା ନିର୍ମାଣ କାର୍ଯ୍ୟର ମନ୍ଥର ଗତିକୁ ଚିହ୍ନିଚ କରିବା ସହିତ ନିମ୍ନମାନର କାମ ଏବଂ ଅତ୍ୟଧିକ ବ୍ୟୟକୁ ସମାଲୋଚନା କରିଥିଲେ ।

ଏ ପର୍ଯ୍ୟନ୍ତ, କେବଳ ତାୱାଘାଟରୁ ଲଖନପୁର ପର୍ଯ୍ୟନ୍ତ ୨୩ କିଲୋମିଟର ଅଂଶକୁ କଂକ୍ରିଟ୍‌ ରାସ୍ତା କରାଯାଇଛି। ନିକଟରେ ଲଖନପୁରରୁ ନଜଙ୍ଗ ପର୍ଯ୍ୟନ୍ତ ୨.୫ କିଲୋମିଟର ମାଟି ରାସ୍ତାକୁ ସମତୁଲ କରାଯାଇଛି। ନଜଙ୍ଗରୁ ଚିଭାଲେଖ ପର୍ଯ୍ୟନ୍ତ ୨୦ କିଲୋମିଟର ରାସ୍ତାରେ ନିର୍ମାଣ କାମ ଚାଲିଛି। ପାହାଡ଼ଗୁଡ଼ିକୁ କାଟିବା ଦରକାର। ଚିଭାଲେଖରୁ କୁଟି ଯାଏଁ ପାହାଡ଼ କଟାଯାଇ ମାଟିକୁ ସମତୁଲ କରାଯିବା ଫଳରେ BROର ଟ୍ରକ୍‌ଗୁଡ଼ିକ ଯା’ଆସ କରିପାରୁଛନ୍ତି। ଲିପୁଲେଖ ଘାଟି ରାସ୍ତାରୁ ନାବି ଡାଙ୍ଗ ପର୍ଯ୍ୟନ୍ତ ଆଉ ପାଞ୍ଚ କିଲୋମିଟର ରାସ୍ତାକାମ ବାକି ରହିଛି। (ଧାରଚୁଲାର ସବ୍‌-ଡିଭିଜନାଲ ମାଜିଷ୍ଟ୍ରେଟ୍‌ଙ୍କ କାର୍ଯ୍ୟାଳୟରୁ ଏହି ସବୁ ବିବରଣୀର ସତ୍ୟତା ଯାଞ୍ଚ କରାଯାଇଛି)।

The walking route disappeared when the road was still under construction in Najang
PHOTO • Arpita Chakrabarty
The new road in Najang
PHOTO • Arpita Chakrabarty

ପାଦଚଲା ରାସ୍ତା (ବାମ), ଯାହା ନିର୍ମାଣ କାମର ଅବଶେଷ ତଳେ ହଜିଗଲା, ଏବେ ସଡ଼କ ସଫା ଓ ସମତୁଲ କରି (ଡାହାଣ) ନଜଙ୍ଗରେ ନିର୍ମାଣାଧୀନ ରାସ୍ତା

ଯଦିଓ ଏବେ BROର ଟ୍ରକ୍‌ଗୁଡ଼ିକ ରାସ୍ତାର ସମତୁଲ ଅଂଶରେ ଯିବାଆସିବା କରନ୍ତି, ଧାରଚୁଲା ଓ ସେମାନଙ୍କ ଗାଁ ମଧ୍ୟରେ ଥିବା ରାସ୍ତାର ଅବଶିଷ୍ଟ ଭାଗରେ ଲୋକେ ଉଠାପକା ହୋଇ ଚାଲନ୍ତି । ସୀମାବର୍ତ୍ତୀ ବଜାରରେ ଗୁଡ଼, କଫି ଓ ଅନ୍ୟାନ୍ୟ ଜିନିଷ ବିକ୍ରି କରୁଥିବା ରାଉଂ କୋଂ ଗାଁର ୭୫ ବର୍ଷୀୟ ଜୀବନ ସିଂହ ରୋଙ୍କାଲି, ନିଜ ଜିନିଷପତ୍ର ଧରି ବର୍ଷକୁ ପାଞ୍ଚ ଥର ଏହି କଷ୍ଟକର ଯାତ୍ରା କରନ୍ତି । ସେ କହନ୍ତି, “ମୁଁ ମୋର ବହୁ ଜିନିଷ ସହିତ ଅନେକ ତଟୁଘୋଡ଼ା ହରାଇ ସାରିଛି ।’’ ‘‘ସେମାନେ (BRO) ଡିନାମାଇଟ୍‌ ଲଗାଇ ପାହାଡ଼ରେ ବିସ୍ଫୋରଣ କରନ୍ତି । ଏହା ବଡ଼ ବଡ଼ ପଥରଖଣ୍ଡକୁ ଏଭଳି ଭାବରେ ଭାଙ୍ଗି ଦିଏ ଯେ ଭଙ୍ଗା ପଥର ଗଦା ତଳେ ଆମର ପାଦଚଲା ରାସ୍ତା ରହିଯାଏ ଏବଂ ବର୍ଷାରେ ସବୁ କିଛି ଧୋଇ ହୋଇଯାଏ ।”

ଏହା ଯୋଗୁଁ ଗାଁ ଲୋକେ ବଡ଼ ବଡ଼ ପଥର ଚଢ଼ିବାକୁ ଏବଂ ରସି ଧରି ପ୍ରଖର ସୁଅ ଥିବା ଝରଣା ପାର କରି ଯିବାକୁ ବାଧ୍ୟ ହୁଅନ୍ତି । ରୋଙ୍କାଲି କଥା ଯୋଡ଼ନ୍ତି, “କିନ୍ତୁ ସରକାର ଆମ କଥା ଶୁଣନ୍ତି ନାହିଁ,’’ ‘‘ଏବଂ ଏବେ ମୋର ଗୋଟିଏ ଚିନ୍ତା ଯେ ମୁଁ ମୋ ଜନିଷପତ୍ର କେମିତି ନେବି, କାରଣ (ଡିନାମାଇଟ୍‌ ବିସ୍ଫୋରଣ ଜାରି ରହିଥିବା ବେଳେ) ୨୦୧୯ ମସିହାର ବେପାର ଋତୁ ବେଳକୁ ରାସ୍ତାଟି ସଂପୂର୍ଣ୍ଣ ଭାଙ୍ଗି ଯାଇଥିବ ।”

ଏହି ରାସ୍ତାରେ ଯିବାଆସିବା କରୁଥିବା ଗାଁ ଲୋକେ କହନ୍ତି ଯେ, ସେମାନେ ସେହି ଦଳକୁ ଭୋଟ ଦେବେ ଯିଏ ଏହି ରାସ୍ତା କାମ ପୂରା କରିବ । ଏତେ ବଡ଼ ପ୍ରକଳ୍ପକୁ ସଂପୂର୍ଣ୍ଣ କରିବାରେ କୌଣସି ସରକାର ସକ୍ଷମ ହେବକି ବୋଲି ସେମାନେ ସନ୍ଦେହ କରନ୍ତି। “BROର ବେଗ ଏବଂ କାର୍ଯ୍ୟଦକ୍ଷତା ଆମର ଆଶାନୁରୂପ ହୋଇନାହିଁ । ଯେଉଁ ଦଳର ହେଉ ନା କାହିଁକି, ସରକାର ଯେ ଅପାରଗ ଏହା ପ୍ରମାଣିତ ହୋଇସାରିଛି ।” ଏହା କହନ୍ତି, କୁଟି ଗାଁରେ ତୀର୍ଥଯାତ୍ରୀଙ୍କ ରହଣି ଗୃହ ଚଳାଉଥିବା ୫୦ ବର୍ଷୀୟ ଲକ୍ଷ୍ମଣ ସିଂହ କୁଟିୟାଲ।

When a landslide washed away the route in Malpa in August 2017, residents walked by holding ropes.
PHOTO • Krishna Garbyang
Kutiyal and other villagers are cooking. Behind, their village Kuti stands tall
PHOTO • Laxman Singh Kutiyal

ବାମ:୨୦୧୭ ଅଗଷ୍ଟରେ ଭୂସ୍ଖଳନ ପରେ କେତେକ ବିପଜ୍ଜନକ ରାସ୍ତାରେ ଗାଁ ଲୋକେ ରସି ବ୍ୟବହାର କରିବାକୁ ବାଧ୍ୟ ହେଲେ। ଡାହାଣ: କୁଟି ଗାଁ ନିକଟରେ ଦୀୱାନ ସିଂହ କୁଟିୟାଲ (ବାମରେ) ଏବଂ ଅନ୍ୟମାନେ

ଏଠାକାର ଗାଁ ଲୋକଙ୍କ ମଧ୍ୟରୁ ଅନେକ କହନ୍ତି ଯେ,କୌଣସି ରାଜନୈତିକ ଦଳ ଅଲଗା ନୁହେଁ, କିନ୍ତୁ ବିପର୍ଯ୍ୟୟ ବେଳେ ବର୍ତ୍ତମାନର ବିଜେପି ସରକାର ସେମାନଙ୍କ ସହାୟତା କରିବାକୁ ମନା କରିଦେଲା।୨୦୧୭ ଅଗଷ୍ଟରେ, ଏହି ରାସ୍ତାର ଦୁଇଟି ପୃଥକ୍‌ ପୃଥକ୍‌ ସ୍ଥାନରେ ଭୂସ୍ଖଳନ ଘଟି ୯ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୮ ଜଣ (ଛଅ ଜଣ ସେନା ଯବାନଙ୍କ ସମେତ) ନିଖୋଜ ହୋଇଯାଇଥିଲେ ।

ରୋଙ୍କାଲି କହନ୍ତି, “ଏହି ବିପଜ୍ଜନକ ରାସ୍ତାରେ ଚାଲିବାକୁ ଅସମର୍ଥ ବରିଷ୍ଠ ନାଗରିକମାନଙ୍କ ପାଇଁ ହେଲିକପ୍‌ଟର ବ୍ୟବସ୍ଥା କରିବାକୁ (ସେହି ସମୟରେ) ଆମେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲୁ । ରାସ୍ତାରୁ ପ୍ରାୟ ୫୦ କିଲୋମିଟର ଦୂର ଗୁଞ୍ଜି ଗାଁରେ ଆମେମାନେ ଫସିଯାଇଥିଲୁ । କିନ୍ତୁ କୈଳାସ ମାନସରୋବର ଯାତ୍ରୀଙ୍କ ପାଇଁ ହେଲିକପ୍‌ଟର ଉଡ଼ିଲା, ଗାଁ ଲୋକଙ୍କ ପାଇଁ ନୁହେଁ । ନିର୍ବାଚନ ଆସିଲେ ରାଜନୈତିକ ଦଳଗୁଡ଼ିକ ଶୁଭେଚ୍ଛା ବାର୍ତ୍ତା ପଠାନ୍ତି, ଏମିତିକି କୁକୁର ପାଇଁ ବି । କିନ୍ତୁ ନିର୍ବାଚିତ ହୋଇଗଲା ପରେ ଆମର ସବୁ ଦୁଃଖକଷ୍ଟ ଭୂଲିଯାଆନ୍ତି ।” ସେ କହନ୍ତି ଯେ, ଭୂସ୍ଖଳନରେ ସେ ୫ ଲକ୍ଷ ଟଙ୍କାର କ୍ଷତି ସହିଲେ। ସବୁ ଜିନିଷପତ୍ର ସହିତ ତଟୁଘୋଡ଼ାଗୁଡ଼ିକ ବି ମାଟିରେ ମିଶିଗଲେ। ସରକାର ତାଙ୍କୁ କ୍ଷତିପୂରଣ ଦେଇନାହାନ୍ତି ।

ଏହା ଥରକର ଘଟଣା ନୁହେଁ । ଅକ୍ଟୋବର ୨୦୧୮ରେ, ଗାଁ ଲୋକେ ଧାରଚୁଲାରେ ସେମାନଙ୍କର ଶୀତଦିନିଆ ଘରକୁ ଫେରୁଥିବା ବେଳେ ଖଚର ଚଲା ରାସ୍ତାର ଅଧିକାଂଶ ଭାଗ ବର୍ଷାରେ ନଷ୍ଟ ହୋଇଗଲା । ପୁଣି ହେଲିକପ୍‌ଟର ଯୋଗାଇ ଦେବାକୁ ସେମାନଙ୍କ ଅନୁରୋଧକୁ ସରକାର ପ୍ରତ୍ୟାଖ୍ୟାନ କଲେ। କୁଟି ଗାଁ ନିବାସୀ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଦୀୱାନ ସିଂହ କୁଟିୟାଲ କହନ୍ତି, “ଆମକୁ ନେପାଳ ଭିତରେ ପଶି (କାଳୀ ନଦୀ ପାର ହୋଇ) ଧାରଚୁଲା ଯିବାକୁ ପଡ଼ିଲା, ଯାହା କି ଭାରତ ଭିତର ଦେଇ ଯାଇଥିବା (ଏବଂ ପୁଣି ଭାରତକୁ ଫେରିଆସିଥିବା) ରାସ୍ତା ତୁଳନାରେ ପ୍ରାୟ ୨୦ କିଲୋମିଟର ଅଧିକ ।”

ଏହି ରାସ୍ତା ବ୍ୟତୀତ, ଗାଁ ଲୋକଙ୍କ ରାଗ ଏଇଥିପାଇଁ ଯେ, ବିଜେପି ସରକାର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସେମାନଙ୍କୁ ଚାଉଳ ଯୋଗାଣ କମ୍‌ କରିଦେଇଛି

ଭିଡିଓ ଦେଖନ୍ତୁ:୨୦୧୯ ନିର୍ବାଚନକୁ ଲମ୍ବା ଏବଂ ବୁଲାଣିଆ ରାସ୍ତା

ଏହି ରାସ୍ତା ବ୍ୟତୀତ, ଗାଁ ଲୋକଙ୍କ ରାଗ ଏଥିପାଇଁ ଯେ ସାଧାରଣ ବଣ୍ଟନ ବ୍ୟବସ୍ଥା (PDS)ରେ ବିଜେପି ସରକାର ସେମାନଙ୍କୁ ଚାଉଳ ଯୋଗାଣ କମ୍‌ କରିଦେଇଛି । ପାହାଡ଼ିଆ ଉଚ୍ଚ ସ୍ଥାନରେ ଥିବା ଗାଁରେ ଧାନ କି ଗହମ ଚାଷ ହୁଏନାହିଁ ଏବଂ ଗୁଞ୍ଜି ଗାଁରେ ଥିବା ଏକ ସରକାରୀ ଭଣ୍ଡାର ଘରକୁ ସବୁ ମାସରେ ଆସୁଥିବା ଖାଉଟି ସାମଗ୍ରୀ ଉପରେ ସେମାନେ ନିର୍ଭର କରନ୍ତି । କିନ୍ତୁ ୨୦୧୭ ନଭେମ୍ବରରୁ ପରିବାର ପିଛା ମାସକୁ ୧୦ କିଲୋଗ୍ରାମ ବଦଳରେ (ଯଦିଓ ମାସକୁ ପାଞ୍ଚ କିଲୋଗ୍ରାମ ଗହମ ଯୋଗାଣ ଅପରିବର୍ତ୍ତିତ ରହିଛି) କେବଳ ୨.୫ କିଲୋଗ୍ରାମ ଚାଉଳ ପାଉଛନ୍ତି । ସବ୍‌ସିଡି ବାବଦ ଅବଶିଷ୍ଟ, ମୋଟ ୭୫ ଟଙ୍କା, ଖାଉଟି କାର୍ଡଧାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ‘ପ୍ରତ୍ୟକ୍ଷ ସହାୟତା ହସ୍ତାନ୍ତରଣ’ ଭାବେ ଜମା କରାଯାଉଛି । କିନ୍ତୁ, ଦୀୱାନ ସିଂହ କହନ୍ତି, ଏହି ଯୋଜନା ଆରମ୍ଭ ହେବା ପରଠାରୁ ସେ କୌଣସି ଅର୍ଥ ପାଇନାହାନ୍ତି । “ସମତଳ ଅଞ୍ଚଳର ସବୁ ସ୍ଥାନରେ ଦୋକାନ ରହିଛି। ଆମ ଗାଁରେ ସେମିତି କିଛି ନାହିଁ । ଅଧିକନ୍ତୁ, ଯଦିବା ଆମେ ଟଙ୍କା ପାଉ, ଖାଦ୍ୟଶସ୍ୟ ନ ଥିଲେ ଆମେ ସେ ଟଙ୍କାରେ କ’ଣ କିଣିବୁ?” ସେ ପଚାରନ୍ତି ।

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗାଁଗୁଡ଼ିକୁ ପିଡିଏସ୍‌ ସାମଗ୍ରୀ ସହିତ ସବୁ ସାମଗ୍ରୀ ଯୋଗାଣ ବନ୍ଦ ହୋଇଯାଏ। ୨୦୧୮ ଅକ୍ଟୋବରରେ, ଯେତେବେଳେ ଖଚର ଚଲା ରାସ୍ତା ଅବରୁଦ୍ଧ ହୋଇଗଲା ଏବଂ ଗାଁଗୁଡ଼ିକରେ ଖାଉଟି ସାମଗ୍ରୀ ପହଞ୍ଚି ପାରିଲା ନାହିଁ, ଗାଁ ଲୋକେ ନେପାଳ ଭିତର ଦେଇ ଚୀନ୍‌ରେ ଉତ୍ପାଦିତ ଖାଦ୍ୟଶସ୍ୟ ପରିବହନ କଲେ ।

ସାଧାରଣତଃ, ପରିବହନ ବାବଦ ଖର୍ଚ୍ଚ ଯୋଗୁଁ କୁଟି ଗାଁରେ ପହଞ୍ଚିଲା ବେଳକୁ କୌଣସି ଏକ ବସ୍ତୁର ମୂଲ୍ୟ ତିନି ଗୁଣ ବଢ଼ିଯାଏ । “ଅଧିକ ଉଚ୍ଚ ସ୍ଥାନରେ ଥିବା ଗାଁଗୁଡ଼ିକରେ ଗୋଟିଏ ଲିଟର ଖାଇବା ତେଲ ଦର ୨୦୦ ଟଙ୍କା । କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଯେତେବେଳେ ଖଚରରେ ବି ଜିନିଷପତ୍ର ପରିବହନ ବନ୍ଦ ହୋଇଯାଏ, ସାମଗ୍ରୀର ଦର ପାଞ୍ଚ ଗୁଣ ବୃଦ୍ଧି ପାଏ । ଗୋଟିଏ ପ୍ୟାକେଟ୍‌ ଲୁଣ ଦର ବି ୧୦୦ ଟଙ୍କା ହୋଇପାରେ । କୋଉ ସରକାର ଏ ସବୁ ଆବଶ୍ୟକତା କଥା ବୁଝିବ ?” ଦୀୱାନ ସିଂହ ପଚାରନ୍ତି ।

କଂଗ୍ରେସ ସରକାର କଲେ ଭଲ ହେବ ବୋଲି ବ୍ୟାସ ଉପତ୍ୟକାର ଅଧିବାସୀମାନେ ମନେ କରନ୍ତି । କିନ୍ତୁ ଅତୀତ ରେକର୍ଡକୁ ଦେଖି ସେମାନେ ଏତେଟା ଆଶାବାଦୀ ନୁହନ୍ତି । ରୋଙ୍କାଲି କହନ୍ତି, “ଆଉ କିଛି ନ ହେଉ ପଛକେ, ଅତି କମ୍‌ରେ କଂଗ୍ରେସ ଆମ ଖାଉଟି ସାମଗ୍ରୀ କୋଟା ବଢ଼ାଇବ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ହେଲିକପ୍‌ଟର ସେବା ଯୋଗାଇ ଦେବ।’’ ‘‘ଦୂରତା ଦୃଷ୍ଟିରୁ ଦିଲ୍ଲୀ ତୁଳନାରେ ଆମକୁ ଚୀନ୍‌ ଓ ନେପାଳ ପାଖ ପଡୁଛି । ଦେଶର ରାଜଧାନୀରେ ଆମ କଥା ପହଞ୍ଚେନାହିଁ । ଅନେକ ସମୟରେ, ଚୀନ ଓ ନେପାଳ ଆମକୁ ଖାଦ୍ୟ, ଟେଲିଫୋନ୍‌ ସୁବିଧା ଓ କାମ ଦେଇ ସହାୟତା କରିଛନ୍ତି । ଯଦି ଆମ ସରକାର ଆମକୁ ଆମର ମୌଳିକ ଅଧିକାର ଦେବାକୁ ମନା କରନ୍ତି, ଆମର ଆଉ କିଛି କହିବାର ନାହିଁ ।”

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Arpita Chakrabarty

ଲେଖକ ପରିଚୟ: ଅର୍ପିତା ଚକ୍ରବର୍ତ୍ତୀ ଜଣେ କୁମାଓନ ଭିତ୍ତିକ ମୁକ୍ତବୃତ୍ତ ସାମ୍ବାଦିକା ଏବଂ ୨୦୧୭ର ପରୀ ବ୍ୟକ୍ତିବିଶେଷ।

Other stories by Arpita Chakrabarty