ଶକୀଲା ନିଜାମୁଦ୍ଦିନ କହନ୍ତି,“ମୋର ପାଞ୍ଚ ବର୍ଷର ଝିଅକୁ ଭୀଷଣ ଜ୍ଵର ହୋଇଛି, କିନ୍ତୁ (ତାକୁ ଡାକ୍ତରଙ୍କ ପାଖକୁ ନେବା ବାଟରେ) ପୋଲିସ ମୋ ସ୍ଵାମୀଙ୍କୁ ଅଟକାଇଲା । ସେ ଭୟରେ ଫେରି ଆସିଲେ । ଆମକୁ କଲୋନି ବାହାରକୁ ଯିବାକୁ ଅନୁମତି ମିଳୁନି, ଏମିତି କି ଡାକ୍ତରଖାନାକୁ ବି ନୁହେଁ ।”

ଅହମ୍ମଦାବାଦ ସହରର ସିଟିଜେନ୍‌ ନଗର ରିଲିଫ୍‌ କଲୋନିରେ ରହନ୍ତି ୩୦ ବର୍ଷୀୟା ଶକୀଲା । ଘରେ ଗୁଡ଼ି ତିଆରି କରି କଷ୍ଟେମଷ୍ଟେ ଗୁଜୁରାଣ ମେଣ୍ଟାନ୍ତି । ଲକ୍‌ଡାଉନ୍‌ ଯୋଗୁଁ ତାଙ୍କର ଓ ତାଙ୍କ ଦିନ ମଜୁରିଆ ସ୍ଵାମୀଙ୍କର ସବୁ ଆଶା ମଉଳି ଯିବାସହିତ ରୋଜଗାର ସମ୍ଭାବନା କ୍ଷୀଣ ହେବାରେ ଲାଗିଛି । ଭିଡିଓ କଲ୍‌ରେ କଥାବାର୍ତ୍ତା କରି ସେ ମୋତେ କହିଲେ, “କ୍ଲିନିକ୍‌ ବନ୍ଦ ହୋଇଯାଇଛି’’ । “ସେମାନେ ଆମକୁ କହୁଛନ୍ତି ‘ଘରକୁ ପଳାଅ, କିଛି ଘରୋଇ ଉପଚାର କର’ । ହାସପାତାଳ ଯିବାକୁ ଚାହିଁଲେ ପୋଲିସ ଆମକୁ ଫାଇଲ୍‌ ଆଉ କାଗଜପତ୍ର ମାଗୁଛନ୍ତି । ସେସବୁ ପାଇବାକୁ ଆମେ କେଉଁଠାକୁ ଯିବୁ ?”

୨୦୦୨ର ଭୟାବହ ସାଂପ୍ରଦାୟିକ ଦଙ୍ଗା ଯୋଗୁଁ ବାସଚ୍ୟୁତ ୫୦,୦୦୦ରୁ ଅଧିକ ଲୋକଙ୍କ ବସବାସ ପାଇଁ ଗୁଜରାଟର ବିଭିନ୍ନ ସ୍ଥାନରେ କେତେକ ଦାତବ୍ୟ ସଂସ୍ଥା ପକ୍ଷରୁ୨୦୦୪ରେ ସ୍ଥାପିତ ୮୧ଟି କଲୋନି ମଧ୍ୟରୁ ଏହା ଗୋଟିଏ । ଲକ୍‌ଡାଉନ୍‌ କଟକଣା ଯୋଗୁଁ ଏବେ ଏହି କଲୋନିର ଲୋକେ ଦୁଃସ୍ଵପ୍ନରେ ଆଚ୍ଛନ୍ନ ସମୟ ଅତିବାହିତ କରୁଛନ୍ତି ।

କିନ୍ତୁ, ସେମାନଙ୍କ ମଧ୍ୟରୁ ଜଣେ ମୋତେ ଯାହା କହିଲେ, ସେମାନେ ନିଜ ଟେଲିଭିଜନ ସ୍କ୍ରିନ୍‌ ଉପରେ ଅମିତାଭ ବଚ୍ଚନଙ୍କୁ ମଧ୍ୟ ଦେଖୁଛନ୍ତି, ଯିଏ କି ଭାରତରେ ଏହି ନୂତନ କରୋନା ଭାଇରସ୍‌ର ବ୍ୟାପ୍ତିକୁ ରୋକିବା ପାଇଁ ସମସ୍ତେ ମିଳିମିଶି ଆଗେଇ ଆସିବାକୁ ନିବେଦନ କରୁଛନ୍ତି ।

“ଯଦି ଆମକୁ କେବଳ ଘରେ ହାତ ବାନ୍ଧି ବସି ରହିବାକୁ ହେବ, ତେବେ କ’ଣ ପାଇଁ ଆମେ ହାତ ଧୋଇବୁ?” ଏହା ପଚାରନ୍ତି ରେଶମା ସୈୟଦ, ସିଟିଜେନ୍‌ ନଗର କଲୋନି ବାସିନ୍ଦାଙ୍କର ଜଣେ ନେତା, ଯାହାଙ୍କୁ ଲୋକେ ଆଦରରେ ରେଶମା ଆପା ବୋଲି ଡାକନ୍ତି । ୨୦୦୨ ଦଙ୍ଗା ପ୍ରପୀଡ଼ିତ ନରୋଦା ପାଟିୟା ବାସିନ୍ଦାଙ୍କ ଥଇଥାନ ପାଇଁ ଅହମ୍ମଦାବାଦରେ ନିର୍ମିତ୧୫ଟି ଥଇଥାନ କଲୋନିରୁ ଏହା ଗୋଟିଏ । କଲୋନିର ପ୍ରବେଶ ପଥରେ ଲାଗିଥିବା ପଥର ନିର୍ମିତ ଫଳକରୁ ଜଣାପଡ଼େ ଯେ କେରଳ ରାଜ୍ୟ ମୁସ୍‌ଲିମ ରିଲିଫ କମିଟି ଦ୍ଵାରା ୨୦୦୪ରେ ଏହି କଲୋନି ନିର୍ମାଣ କରାଯାଇଥିଲା । ତାହା ହେଲା ସେ ସମୟର କଥା, ଯେତେବେଳେ ଦଙ୍ଗାରୁ ବର୍ତ୍ତି ଯାଇଥିବା ୪୦ଟି ପରିବାର ପ୍ରଥମେ ଏଠାକୁ ଆସିଥିଲେ । ସେମାନଙ୍କ ଆଖି ଆଗରେ ସେମାନଙ୍କର ସବୁ ସଂପତ୍ତି ପୋଡ଼ି ପାଉଁଶ ହୋଇଯାଇଥିଲା ।

In Citizen Nagar, the threat the coronavirus brings is not just that infection, but also a heightened hunger and lack of access to medical help
PHOTO • Nijammuddin Saiyed
In Citizen Nagar, the threat the coronavirus brings is not just that infection, but also a heightened hunger and lack of access to medical help
PHOTO • Nijammuddin Saiyed
In Citizen Nagar, the threat the coronavirus brings is not just that infection, but also a heightened hunger and lack of access to medical help
PHOTO • Nijammuddin Saiyed

ସିଟିଜେନ ନଗରରେ କରୋନା ଭାଇରସ୍‌ ସଂଲଗ୍ନ ବିପତ୍ତି କେବଳ ରୋଗ ସଂକ୍ରମଣ ନୁହେଁ, ବରଂ ତୀବ୍ର ଭୋକର ଜ୍ଵାଳା ଏବଂ ଡାକ୍ତରୀ ସହାୟତାର ଅଭାବ

ଏବେ ସେଠାରେ ପ୍ରାୟ ୧୨୦ଟି ମୁସଲମାନ ପରିବାର ରହୁଛନ୍ତି । ଏବଂ ଆଉ ଶହ ଶହ ପରିବାର ରହୁଛନ୍ତି କଲୋନିକୁ ଲାଗିଥିବା ମୁବାରକ ନଗର ଏବଂ ଘାସିଆ ମସଜିଦ ଅଞ୍ଚଳରେ –ଏସବୁ ଅଞ୍ଚଳ ୨୦୦୨ ପୂର୍ବରୁ ଥିବା ଏକ ବଡ଼ ବସ୍ତି ଇଲାକାରେ ସାମିଲ ଥିଲା । ପାଖାପାଖି ସେହି ସମୟରେ, ଦଙ୍ଗା ପ୍ରପୀଡ଼ିତ ଶରଣାର୍ଥୀଙ୍କ ଆଗମନ ସହିତ ସେମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା ଏବଂ ସିଟିଜେନ୍‌ ନଗର ଆତ୍ମପ୍ରକାଶ କଲା ।

ଅଖ୍ୟାତ ପିରାନା ‘ଆବର୍ଜନା ପାହାଡ଼’ର ପାଦଦେଶରେ ସିଟିଜେନ ନଗର ଅବସ୍ଥିତ । ୧୯୮୨ରୁ ଏହି ଅଞ୍ଚଳ ଅହମ୍ମଦାବାଦର ଏକ ପ୍ରମୁଖ ଅଳିଆଗଦାରେ ପରିଣତ ହୋଇଛି । ୮୪ ଏକରରେ ବ୍ୟାପ୍ତ ଏହି ଅଞ୍ଚଳ,ଏଠାରେ ପାହାଡ଼ ଭଳି ଗଦା ହୋଇଥିବା ଅଳିଆ ଆବର୍ଜନା ଯୋଗୁଁ ସୁପରିଚିତ ଏବଂ କେତେକ ଅଳିଆଗଦାର ଉଚ୍ଚତା ୭୫ ମିଟରରୁ ଅଧିକ । ଆକଳନ ଅନୁସାରେ ପିରାନାରେ ୮୫ ଲକ୍ଷ ମେଟ୍ରିକ୍‌ ଟନ୍‌ ଓଜନର ଆବର୍ଜନା ରହିଛି ଏବଂ ଏଥିରୁ ବାହାରି ସାରା ସହରର ଆକାଶକୁ ଆଚ୍ଛାଦିତ କରୁଥିବା ବିଷାକ୍ତ ଧୂଆଁ ପାଇଁ ଏହା ବେଶ୍‌ ଜଣାଶୁଣା ।

ଏହି ଅଳିଆଗଦା ସଫା କରିବା ପାଇଁ ଜାତୀୟ ସବୁଜ ପ୍ରାଧିକରଣ, ଅହମ୍ମଦାବାଦ ପୌର ନିଗମ (ଏଏମ୍‌ସି) କୁ ଗୋଟିଏ ବର୍ଷ ସମୟ ଦେବା ଦିନଠାରୁ ଆଜିକୁ ସାତ ମାସ ପୂରିଗଲାଣି । ଅତି ବେଶୀରେ ଆଉ ୧୫୦ ଦିନ ବାକି ଥିବା ବେଳେ ଅଳିଆଗଦା ହୋଇଥିବା ସ୍ଥାନରେ କେବଳ ଗୋଟିଏ ଟ୍ରାମେଲ ମେସିନ୍‌ କାମ କରୁଥିବା ଭଳି ମନେ ହେଉଛି । ଏହି କାମରେ ଲାଗିବାକୁ ଥିବା ୩୦ଟି ମେସିନ୍‌ରୁ ମାତ୍ର ଗୋଟିଏ ।

ଏଭଳି ସମୟରେ, ପ୍ରାୟତଃ ଅଳିଆଗଦାରେ ନିଆଁ ଲାଗି ଛୋଟ ଛୋଟ ଆଗ୍ନେୟଗିରିରୁ ଉଦ୍‌ଗୀରଣ ସଦୃଶ ଧୂଆଁର ବାଦଲ ନିର୍ଗତ ହୁଏ ।  ଏଭଳି ଘଟଣା ଘଟିଲେ ହିଁ ଏହି କଲୋନି ଗଣମାଧ୍ୟମରେ ସ୍ଥାନ ପାଏ, ଏଠାରେ ରହୁଥିବା ଲୋକଙ୍କ ଅବସ୍ଥା, ବିନା କାଗଜପତ୍ରରେ ସେମାନେ ରହୁଥିବା ଘର ଏବଂ ବର୍ଷ ପରେ ବର୍ଷ କେବଳ ‘ପୁନର୍ବାସ’ କରାଯାଉଥିବା ଲୋକଙ୍କ ସଂପର୍କରେ ଖବର ପ୍ରକାଶିତ ହୁଏ । ଏହି ‘ନଗର’ର ‘ସିଟିଜେନ୍‌ମାନେ’୧୫ ବର୍ଷରୁ ଅଧିକ ସମୟ ହେଲା ଏହି ବିଷାକ୍ତ ଗ୍ୟାସ୍‌କୁ ଶ୍ଵାସପ୍ରଶ୍ଵାସରେ ନେଇଆସୁଛନ୍ତି ।

“ବହୁସଂଖ୍ୟକ ରୋଗୀ ଶୁଖିଲା କାଶ ଏବଂ ସର୍ଦ୍ଦିରେ ପୀଡ଼ିତ ହୋଇ ଏଠାକୁ ଆସନ୍ତି,” ଏହା କହନ୍ତି ଡାକ୍ତର ଫରହିନ୍‌ ସୈୟଦ । ଦାତବ୍ୟ ସଂସ୍ଥା ଏବଂ ସଂପ୍ରଦାୟର ସାମାଜିକ କର୍ମୀମାନଙ୍କ ଦ୍ଵାରା ପରିଚାଳିତ ନିକଟସ୍ଥ ରାହତ ସିଟିଜେନ କ୍ଲିନିକ୍‌ରେ ରୋଗୀସେବା କରୁଥିବା ସୈୟଦ କହନ୍ତି, “ବାୟୁ ପ୍ରଦୂଷଣ ଏବଂ ସବୁ ସମୟରେ ବିଷାକ୍ତ ଗ୍ୟାସ୍‌ ନିର୍ଗତ ହେବା କାରଣରୁ ଏ ଅଞ୍ଚଳର ଲୋକଙ୍କ ଶ୍ଵାସକ୍ରିୟାରେ ସମସ୍ୟା ଏବଂ ଫୁସ୍‌ଫୁସ୍‌ ସଂକ୍ରମଣ ସାଧାରଣ କଥା। ଏହି କଲୋନିରେ ବହୁସଂଖ୍ୟକ ଯକ୍ଷ୍ମା ରୋଗୀ ମଧ୍ୟ ଅଛନ୍ତି ।” ଲକ୍‌ଡାଉନ୍‌ ଆରମ୍ଭ ହେବା ପରେ ଏହି କ୍ଲିନିକ୍‌ ବନ୍ଦ କରିବାକୁ ପଡ଼ିଲା ।

ବାରମ୍ବାର ସେମାନଙ୍କୁ ହାତ ଧୋଇବାକୁ ପରାମର୍ଶ ଦେଉଥିବା କୋଭିଡ୍‌-୧୯ ସ୍ଵାସ୍ଥ୍ୟରକ୍ଷା ନିୟମାବଳୀ ରେଶମା ଆପାଙ୍କ ଭଳି ସିଟିଜେନ ନଗର କଲୋନି ବାସିନ୍ଦାଙ୍କ ଅସହାୟତାକୁ ଉପହାସ କରିବା ଭଳି ମନେହୁଏ । କାରଣ କଲୋନିରେ ପାଣି ଖୁବ୍‌ କମ୍‌ ମିଳେ କିମ୍ବା ଆଦୌ ମିଳେନାହିଁ ।

Around 120 families live in Citizen Nagar, a relief colony for 2002 riot victims at the foothills of the Pirana landfill in Ahmedabad
PHOTO • Nijammuddin Saiyed
PHOTO • Nijammuddin Saiyed

ସିଟିଜେନ୍‌ ନଗରରେ ପ୍ରାୟ ୧୨୦ଟି ପରିବାର ରହନ୍ତି, ଏହି ଥଇଥାନ କଲୋନିଟି ଅହମ୍ମଦାବାଦର ପିରାନା ଆବର୍ଜନା ପାହାଡ଼ର ପାଦଦେଶରେ୨୦୦୨ର ଦଙ୍ଗା ପ୍ରପୀଡ଼ିତଙ୍କ ପାଇଁ ସ୍ଥାପିତ ହୋଇଥିଲା

କରୋନା ଭାଇରସ୍‌ ଯୋଗୁଁ ଏହି କଲୋନି ପ୍ରତି କେବଳ ଯେ ମୃତ୍ୟୁର ବା ସଂକ୍ରମଣର ବା ରୋଗର ଆଶଙ୍କା ରହିଛି ତାହା ନୁହେଁ- ସେ ସବୁତ ଆଗରୁ ରହିଛି- ବରଂ, ଭୋକର ଜ୍ଵାଳା ବୃଦ୍ଧି ଏବଂ ସଂପୂର୍ଣ୍ଣ ଲକ୍‌ଡାଉନ୍‌ ପରେ ଡାକ୍ତରୀ ସହାୟତାର ଅଭାବ ।

“ଅଧିକାଂଶ ମହିଳା ଆଖପାଖରେ ଥିବା ପ୍ଲାଷ୍ଟିକ୍‌, ଡେନିମ୍‌, ତମାଖୁର ଛୋଟ ଛୋଟ କାରଖାନାରେ କାମ କରନ୍ତି,”୪୫ ବର୍ଷ ବୟସ୍କା ରେହାନା ମିର୍ଜା କହନ୍ତି । “ଆଉ ସେ ସବୁ କାରଖାନାରେ କାମର ଠିକ୍‌ ଠିକଣା ନଥାଏ । ଯଦି କାମ ଥାଏ ସେମାନେ ଡାକନ୍ତି ଏବଂ କାମ ନଥିଲେ ବାହାର କରିଦିଅନ୍ତି ।” ରେହାନା ଜଣେ ବିଧବା ଏବଂ ପାଖରେ ଥିବା ଏକ ତମାଖୁ କାରଖାନାରେ କାମ କରୁଥିଲେ । ୮ରୁ ୧୦ ଘଣ୍ଟା କାଳ ପରିଶ୍ରମ କରି ଦିନକୁ ୨୦୦ ଟଙ୍କା ରୋଜଗାର କରୁଥିଲେ । ଲକ୍‌ଡାଉନ୍‌ର ଦୁଇ ସପ୍ତାହ ପୂର୍ବରୁ ସେହି କାମ ବନ୍ଦ ହୋଇଗଲା ଏବଂ ଏବେ ଲକ୍‌ଡାଉନ୍‌ ନ ଉଠିଲେ ଆଉ କୌଣସି କାମ ମିଳିବାର ଆଶା ନାହିଁ । ଖାଦ୍ୟ କିଣିବା ପାଇଁ ତାଙ୍କ ପାଖରେ ପଇସା ନାହିଁ ।

ରେଶମା ଆପା କହନ୍ତି, “ଆମ ପାଖରେ ପରିବା ନାହିଁ, କ୍ଷୀର ନାହିଁ କି ଚା’ପତି ନାହିଁ, ଏବଂ ଅନେକ ଲୋକେ ସପ୍ତାହ ହେଲା ଖାଇବାକୁ ପାଇନାହାନ୍ତି । ସେମାନେ (ସରକାରୀ କର୍ତ୍ତୃପକ୍ଷ) ପନିପରିବା ଠେଲାଗାଡ଼ିକୁ ବି ବାହାରୁ ଏଠାକୁ ଆସିବା ଲାଗି ଛାଡୁନାହାନ୍ତି । ସେମାନେ ପାଖରେ ଥିବା ତେଜରାତି ଦୋକାନ ଖୋଲିବାକୁ ଦେଉନାହାନ୍ତି । ଏଠାକାର ଅନେକ ଲୋକ ବୁଲାବିକାଳି, ଅଟୋ ଡ୍ରାଇଭର, ବଢ଼େଇ, ଦିନ ମଜୁରିଆ । ସେମାନେ ରୋଜଗାର କରିବା ଲାଗି ବାହାରକୁ ଯାଇପାରିବେ ନାହିଁ । କେଉଁଠାରୁ ହେଲେ ପଇସା ମିଳୁନାହିଁ । ଆମେ କ’ଣ ଖାଇବୁ ? କ’ଣ ଆମେ କରିବୁ” ?

କଲୋନିରେ ରହୁଥିବା ଅଟୋ ରିକ୍‌ସା ଡ୍ରାଇଭରଙ୍କ ମଧ୍ୟରୁ ଜଣେ ଫାରୁକ୍‌ ଶେଖ୍‌ କହନ୍ତି, “ଦିନକୁ ୩୦୦ ଟଙ୍କା ଭଡ଼ାରେ ମୁଁ ଅଟୋ ଆଣେ । କିନ୍ତୁ ମୋର ନିଶ୍ଚିତ ରୋଜଗାର ବୋଲି କିଛି ନାହିଁ । କୌଣସି ଦିନ ଯଦି ମୋର ଭଲ କାରବାର ହୋଇ ନଥାଏ, ତଥାପି ମୋତେ ଭଡ଼ା ଦେବାକୁ ପଡ଼େ । କେବେ କେବେ ମୁଁ ପଇସା ପାଇଁ କାରଖାନାରେ ବି କିଛି କାମ କରେ ।” ଅଟୋ ଚଳାଇବାରେ ଦିନକୁ ୧୫ ଘଣ୍ଟା କାମ କରି ସେ ହାରାହାରି ୬୦୦-୭୦୦ ଟଙ୍କା ରୋଜଗାର କରୁଥିଲେ, କିନ୍ତୁ ତାଙ୍କ ହାତରେ ଏହାର କେବଳ ୫୦ ପ୍ରତିଶତ ବା ତା’ଠାରୁ କମ୍‌ ରହୁଥିଲା ।

ଛଅ ଜଣିଆ ପରିବାରର ଏକମାତ୍ର ଉପାର୍ଜନକାରୀ ସଦସ୍ୟ ଫାରୁକ୍‌ ତାଙ୍କ ଅଞ୍ଚଳରେ ଲାଗୁ ଲକ୍‌ଡାଉନ୍‌ର, ଏବଂ ଏବେ କର୍ଫ୍ୟୁର ପ୍ରକୋପକୁ ଅନୁଭବ କରିଛନ୍ତି । “ଆମେ ନିତିଦିନ ରୋଜଗାର କରୁ ଏବଂ ଖାଉ । ଏବେ ଆମେ ରୋଜଗାର ପାଇଁ ବାହାରକୁ ଯାଇପାରିବୁନି । ପୋଲିସ ଆମକୁ ବାଡ଼ାଏ ।” ସେ କହନ୍ତି, “କେତେକ ଲୋକଙ୍କ ଘରେ ପାଣି ବି ନାହିଁ । ସାନିଟାଇଜର କ’ଣ ? ମାସ୍କ୍‌ କ’ଣ ? ଆମେ ଗରିବ ଲୋକ । ଆମ ପାଖରେ ସେମିତିକା ସୌଖୀନ ଜିନିଷ ନାହିଁ । ହେଲେ, କୌଣସିମତେ ସବୁଦିନ ପ୍ରଦୂଷଣ ରହିଛି । ଠିକ୍‌ ସେମିତି ରୋଗ ଏବଂ ଅସୁସ୍ଥତା ବି ରହିଛି ।”

Left: 'Many are without food for a week now', says community leader Reshma aapa. Centre: Farooq Sheikh with his rented auto; he is feeling the heat of the lockdown. Right: Even the Rahat Citizen Clinic has been shut for the lockdown (file photo)
PHOTO • Nijammuddin Saiyed
Left: 'Many are without food for a week now', says community leader Reshma aapa. Centre: Farooq Sheikh with his rented auto; he is feeling the heat of the lockdown. Right: Even the Rahat Citizen Clinic has been shut for the lockdown (file photo)
PHOTO • Nijammuddin Saiyed
Left: 'Many are without food for a week now', says community leader Reshma aapa. Centre: Farooq Sheikh with his rented auto; he is feeling the heat of the lockdown. Right: Even the Rahat Citizen Clinic has been shut for the lockdown (file photo)
PHOTO • Nijammuddin Saiyed

ବାମ: କଲୋନି ବାସିନ୍ଦାଙ୍କ ନେତା ରେଶମା ଆପା କହନ୍ତି, ‘ଅନେକ ଲୋକଙ୍କ ପାଖରେ ସପ୍ତାହ ହେଲା ଖାଦ୍ୟ ନାହିଁ ।’ ମଝି:ତାଙ୍କ ଭଡ଼ା ଅଟୋ ସହିତ ଫାରୁକ୍‌ ଶେଖ; ଲକ୍‌ଡାଉନ୍‌ର ପ୍ରକୋପକୁ ସେ ଅନୁଭବ କରୁଛନ୍ତି । ଡାହାଣ: ଲକ୍‌ଡାଉନ୍‌ ଯୋଗୁଁ ରାହତ ସିଟିଜେନ୍‌ କ୍ଲିନିକ୍‌ ମଧ୍ୟ ବନ୍ଦ କରିଦିଆଯାଇଛି (ଫାଇଲ୍‌ ଫଟୋ)

ଜୀବନ ଧାରଣର ଏଭଳି ଦୟନୀୟ ଅବସ୍ଥା ଏବଂ ବିପଜ୍ଜନକ ସ୍ଥିତିରେ ଥିବା ଏହି ଅଞ୍ଚଳରେ ଏକ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ସ୍ଥାପନ ପାଇଁ ବାରମ୍ବାର ଅନୁରୋଧ କରାଯାଇଥିବା ସତ୍ତ୍ଵେ ତାହା କରାଯାଇନାହିଁ । ଶେଷରେ, ୨୦୧୭ ମସିହାରେ ଏଠାରେ ରାହତ ସିଟିଜେନ୍‌ କ୍ଲିନିକ୍‌ ଖୋଲିଥିଲା, ଯାହାକି ସଂପୂର୍ଣ୍ଣ ଭାବରେ ବେସରକାରୀ ସଂସ୍ଥାର ଦାନ ଅର୍ଥରେ ଏବଂ ଆବ୍ରାର ଅଲିଙ୍କ ଭଳି ବ୍ୟକ୍ତିଙ୍କ ଉଦ୍ୟମ ଯୋଗୁଁ ସମ୍ଭବ ହୋଇଥିଲା । ଅହମ୍ମଦାବାଦ ବିଶ୍ଵବିଦ୍ୟାଳୟର ଯୁବ ଅଧ୍ୟାପକ ଅଲି, ସ୍ଵାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଏହି ସଂପ୍ରଦାୟର ସମସ୍ୟାକୁ ନେଇ କାର୍ଯ୍ୟରତ । କିନ୍ତୁ ଏହି କ୍ଲିନିକ୍‌ ଚଳାଇବା ଏତେ ସହଜ ନଥିଲା । ଫଳରେ, ମାତ୍ର ଅଢ଼େଇ ବର୍ଷ ଭିତରେ ଏହି କ୍ଲିନିକ୍‌ର ତିନିଟି ଘର ଏବଂ ଚାରି ଜଣ ଡାକ୍ତର ବଦଳି ସାରିଲେଣି । ଏବଂ ଏବେ ସାରା ସହରରେ ଲକ୍‌ଡାଉନ୍‌ ଯୋଗୁଁ ଏହି କ୍ଲିନିକ୍‌ ମଧ୍ୟ ବନ୍ଦ ହୋଇଯାଇଛି ।

ସିଟିଜେନ୍‌ ନଗର ଅହମ୍ମଦାବାଦ ପୌର ନିଗର ପରିସରରେ ରହିଥିଲେ ହେଁ ଏଠାକୁ ପୌର ସଂସ୍ଥା ପକ୍ଷରୁ ଜଳଯୋଗାଣ  କରାଯାଏ ନାହିଁ । ୨୦୦୯ରେ ଏକ ନଳକୂପ ଖୋଳା ନ ହେବା ଯାଏଁ ଏଠାକାର ଲୋକେ ଘରୋଇ ପାଣି ଟ୍ୟାଙ୍କର ଉପରେ ନିର୍ଭର କରୁଥିଲେ । କିନ୍ତୁ ଏହି ନଳକୂଅର ପାଣି କେବେ ବି ପିଇବା ଯୋଗ୍ୟ ନୁହେଁ । ଅହମ୍ମଦାବାଦର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ୍‌ ଦ୍ଵାରା ହୋଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଥିଲା ଯେ ଏହି ପାଣିରେ ବହୁ ମାତ୍ରାରେ ଲବଣ, ଧାତବ, କ୍ଲୋରାଇଡ୍‌, ସଲ୍‌ଫେଟ୍‌ ଏବଂ ମ୍ୟାଗ୍ନେସିୟମ ରହିଛି । ପ୍ରାୟ ଛଅ ମାସ ତଳେ ଖୋଳାଯାଇଥିବା ଅନ୍ୟ ଏକ ନଳକୂଅ ଏବେ କଲୋନିର ଅଳ୍ପ କିଛି ଆବଶ୍ୟକତା ପୂରଣ କରୁଛି । କିନ୍ତୁ ଜଳବାହକ ରୋଗ ଏବଂ ପାକସ୍ଥଳୀ ସଂକ୍ରମଣରେ ଏଠାକାର ଲୋକେ ଆକ୍ରାନ୍ତ ହେବା ଅବ୍ୟାହତ ରହିଛି । ଦୂଷିତ ପାଣି ପିଇବା ଏବଂ ଅନ୍ୟାନ୍ୟ କାମ କରିବା କାରଣରୁ ମହିଳା ଓ ଶିଶୁମାନେ ବିଭିନ୍ନ ପ୍ରକାରର ଚର୍ମରୋଗ ଏବଂ ଫଙ୍ଗଲ୍‌ ସଂକ୍ରମଣରେ ପୀଡ଼ିତ ହେଉଛନ୍ତି ।

ସିଟିଜେନ ନଗର ଲୋକଙ୍କ ପାଇଁ ସରକାର ବହୁ ଆଗରୁ ସେମାନଙ୍କ ନିକଟରୁ ସାମାଜିକ ଦୂରତା ବଜାୟ ରଖିସାରିଛନ୍ତି । ପୂର୍ବରୁ ଦୁର୍ଦ୍ଦଶାଗ୍ରସ୍ତ ଏହି ସଂପ୍ରଦାୟ ପାଇଁ କୋଭିଡ୍‌-୧୯ ସର୍ବବ୍ୟାପୀ ମହାମାରୀ ଏବଂ ଲକ୍‌ଡାଉନ୍‌ କେବଳ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ । ଏଠାରେ ରହୁଥିବା ଜଣେ ପାଇପ୍‌ ମିସ୍ତ୍ରୀ ମୁସ୍ତାକ୍‌ ଅଲି (ପରିବର୍ତ୍ତିତ ନାମ) କହନ୍ତି ଯେ,“ସରକାର କେବଳ କଥା ଦେଇ ଭୋଟ ଚାହୁଁଛନ୍ତି । ଆମ ଅଞ୍ଚଳ ଗସ୍ତରେ ଆସି ଏ ପର୍ଯ୍ୟନ୍ତ ଆମେ କେମିତି ରହୁଛୁ ବୋଲି ଦେଖିବାକୁ କୌଣସି ନେତା ତତ୍ପରତା ପ୍ରକାଶ କରିନାହାନ୍ତି । ଏମିତିକା ସରକାର କୋଉ କାମର ? ଲୋକେ (ଏଠାକାର) ବି ସେମାନଙ୍କ ଖେଳକୁ ବୁଝିଲେଣି।”

ମୁସ୍ତାକଙ୍କ ବଖୁରିକିଆ ଘରେ ଏବଂ ସେହିଘନ ଜନବସତିପୂର୍ଣ୍ଣ କଲୋନିର ଅନ୍ୟମାନଙ୍କ ଘରେ ଲାଗିଥିବା ଟେଲିଭିଜନ୍‌ରେ ଅମିତାଭ ବଚ୍ଚନଙ୍କର ସେହି ସୁପରିଚିତ ସ୍ଵର ସେମାନଙ୍କୁ ପରାମର୍ଶ ଦେଉଥିଲା “...ଅକାରଣରେ ଆପଣଙ୍କ ଆଖି, ନାକ, ପାଟିକୁ ଛୁଅଁନ୍ତୁ ନାହିଁ... ଆପଣଙ୍କ ଶରୀରରେ ଏଭଳି କୌଣସି ଲକ୍ଷଣ ଦେଖାଦେଲେ, ତୁରନ୍ତ ନିକଟବର୍ତ୍ତୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ କିମ୍ବା ଆପଣଙ୍କ ଡାକ୍ତରଙ୍କ ପାଖକୁ ଯାଆନ୍ତୁ.... ।”

ଅନୁବାଦ: ଓଡ଼ିଶାଲାଇଭ୍‍

Pratishtha Pandya

Pratishtha Pandya is a Senior Editor at PARI where she leads PARI's creative writing section. She is also a member of the PARIBhasha team and translates and edits stories in Gujarati. Pratishtha is a published poet working in Gujarati and English.

Other stories by Pratishtha Pandya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE