ମାୟା ମୋହିତ୍‌ ତିନି-ମାସର ଶିଶୁ ଶୀତଲର ଯତ୍ନ ନେଉଛି ଯେତେବେଳେକି ପିଲାର ମା, ପୂଜା, ସେମାନଙ୍କ ଟେଣ୍ଟଠାରୁ ଅଳ୍ପ ଦୂରରେ ଥିବା ଏକ ସ୍ଥାନରେ କାମ କରୁଛି । ଦୁଇଟି କପଡା ଓ ଏକ ଟ୍ରାପ୍‌ଲିନ୍‌କୁ ନେଇ ସଞ୍ଜୟ ଗାନ୍ଧୀ ଜାତୀୟ ଉଦ୍ୟାନରେ ହୋଇଥିବା ଟେଣ୍ଟ ହେଉଛି ତାଙ୍କର ଘର । ମାୟା ଏକ ପଥର ଉପରେ ବସି, ସେହି ଉଦ୍ୟାନର ଏକ ଝରଣାରୁ ଆସୁଥିବା ପାଣିକୁ ରଖି ବାସନ ଧୋଉଛି, ଯେତେବେଳେକି ଶିଶୁଟି ତାର ଦୋଳି – ଲାଲ୍‌ କଭର୍‌ରେ ଆବୃତ୍ତ  ଏକ ପୁରୁଣା ଜରି ସିମେଣ୍ଟ ବ୍ୟାଗ୍‌- ରେ ଶୋଇଛି ।

ଏଠାରେ ଏକ କାର୍‌ ପାର୍କ ନିର୍ମାଣ କାମ ଚାଲିଛି’’, ବୋଲି ମାୟା କୁହେ । ପାର୍କିଂ ଜୋନ୍‌ ମୁମ୍ବାଇର ବୋରିଭଲି ଇଷ୍ଟରେ ଉଦ୍ୟାନର ପ୍ରବେଶ ପଥରେ ତିଆରି ହେବ । ମାୟା ଡିସେମ୍ବର ୨୦୧୮ରେ ପରିବାରର ଅନ୍ୟ ସାତ ଜଣ ସଦସ୍ୟଙ୍କ ସହିତ ଆସିଥିଲା, ଯେଉଁଥିରେ ପୂଜା, ତାର ନଣନ୍ଦ ମଧ୍ୟ ସାମିଲ୍‌ ଅଛନ୍ତି । ସେମାନଙ୍କ ମଧ୍ୟରୁ କେତେଜଣ ମୁମ୍ବାଇ ଠାରୁ ୭୦କି.ମି. ଦୂରରେ ଥିବା ଖୋପୋଲିରେ ଥିବା ନିର୍ମାଣ ସାଇଟ୍‌ରେ କାମ କରିବାକୁ ଆସିଥିବା ବେଳେ, ପରିବାର ବର୍ଗଙ୍କ ମଧ୍ୟରୁ କେତେଜଣ ରାଜସ୍ଥାନରେ ଗୋଟିଏ ସାଇଟ୍‌ରେ କାମ ସମ୍ପୂର୍ଣ୍ଣ କରି ସାରିବା ପରେ ବରିଭଲି ଆସିଥିଲେ । 

ପ୍ରତିବର୍ଷ ବର୍ଷା ଋତୁରେ, ମୋହିତ ପରିବାର ଜଲ୍‌ନା ଜିଲ୍ଲାର ଜାଫେରାବାଦ୍‌ ତାଲୁକାରେ ଥିବା ତାଙ୍କ ଗ୍ରାମ ହର୍‌ପାଲ୍‌କୁ ଫେରି ଯାଆନ୍ତି । ଏହି ପରିବାର ବେଲ୍‌ଦାର୍‌ ସମ୍ପ୍ରଦାୟର ଅଂଶ ଅଟେ (କେତେକ ରାଜ୍ୟରେ ଏମାନଙ୍କୁ ଯାଯାବର ଭାବେ ତାଲିକାଭୂକ୍ତ କରାଯାଇଛି) । ମାୟାର ବାପାମା ଓ ତାର ଅନ୍ୟ ତିନି ଭାଇ ମଧ୍ୟ ହର୍‌ପାଲ୍‌ ଓ ଏହାର ଆଖପାଖ ଅଞ୍ଚଳରେ ବିଭିନ୍ନ ନିର୍ମାଣ ସାଇଟ୍‌ଗୁଡିକରେ କାମ କରନ୍ତି ବା ସେମାନେ କୃଷି ଶ୍ରମିକ ଭାବେ କାମ କରନ୍ତି । “ବହୁତ ଛୋଟ ବୟସରେ ମୋର ବାହଘର ହୋଇଥିଲା । ସେହି ସମୟରେ ମୁଁ ଚାଷଜମିରେ କାମ କରୁଥିଲି,” ବର୍ତ୍ତମାନ ମାୟାର ବୟସ ୨୫ ବର୍ଷ ବୋଲି ସେ କୁହେ । 

ମାୟାର ଶାଶୁ-ଶ୍ୱଶୁର ଦୀର୍ଘଦିନ ପର୍ଯ୍ୟନ୍ତ ମୁମ୍ବାଇ ଓ ମହାରାଷ୍ଟ୍ରର ଅନ୍ୟ ସ୍ଥାନଗୁଡିକରେ ବିଭିନ୍ନ ନିର୍ମାଣ ସାଇଟ୍‌ଗୁଡିକରେ କାମ କରୁଥିଲେ । “ତାପରେ ସେମାନେ ଗ୍ରାମରେ ଏକ ଏକର୍‌ ଜମି କିଣିଲେ ଓ ଗ୍ରାମକୁ ଫେରିଗଲେ,’’ ବୋଲି କହେ ମୁକେସ୍‌ ମୋହିତ୍‌, ତାଙ୍କର ଦେଢଶୁର। କିଛି ବର୍ଷ ପର୍ଯ୍ୟନ୍ତ ସେମାନେ କେବଳ କୃଷି ଶ୍ରମିକ ଭାବେ କାମ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବହୁଦିନ ପର୍ଯ୍ୟନ୍ତ କାମ ପାଇଁ ମିଳୁଥିବା ଦୈନିକ ପାରିଶ୍ରମିକର ପରିମାଣ ୧୫୦-୨୦୦ ଟଙ୍କା ମଧ୍ୟରେ ଅପରିବର୍ତ୍ତିତ ରହିବାରୁ, ପୁଣି ଥରେ ନିର୍ମାଣ ସାଇଟ୍‌କୁ ଫେରିବାକୁ ପରିବାର ନିଷ୍ପତ୍ତି ନେଇଥିଲା, ଯେଉଁଠାରେ ଦୈନିକ ପାରିଶ୍ରମିକ ୪୦୦-୫୦୦ ଟଙ୍କା ପର୍ଯ୍ୟନ୍ତ ମିଳିବା ସମ୍ଭାବନା ରହିଛି ।
Avinash with his mobile phone in the tent
PHOTO • Aakanksha
Maya Mohite washing the utensils. This is in the same area where her tent is set up.
PHOTO • Aakanksha

ବାମ : ସଞ୍ଜୟ ଗାନ୍ଧୀ ଜାତୀୟ ଉଦ୍ୟାନରେ ଥିବା ସେମାନଙ୍କ ଟେଣ୍ଟରେ ମାୟାର ୫-ବର୍ଷ- ବୟସ୍କ ପୁଅ । ଡାହାଣ : ମାୟା ମୋହିତ୍‌ ତାଙ୍କ ଘର ପାଖରେ ବାସନ ସଫା କରୁଛି

ଏହି ପରିବାର ବିଭିନ୍ନ ରାଜ୍ୟକୁ ଯାତ୍ରା କରିଥାଏ, ଯାହା କଣ୍ଟ୍ରାକ୍ଟର ସେମାନଙ୍କୁ ଦେଇଥିବା କାମ ଉପରେ ନିର୍ଭର କରିଥାଏ । “ଆମେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ ଆଦି ସ୍ଥାନରେ କାମ କରିସାରିଛୁ । ଆମର କଣ୍ଟ୍ରାକ୍ଟର୍‌ ଆମକୁ କେଉଁଠାକୁ ଯିବାକୁ ହେବ ତାହା ଜଣାଇଥାଏ, ବୋଲି ମାୟା କୁହେ’’। ବର୍ଷା ସମୟରେ ମୋହିତ୍‌ ପରିବାର କୃଷି ଶ୍ରମିକ ଭାବେ ବା ନିର୍ମାଣ ସାଇଟ୍‌ରେ, ହର୍‌ପାଲ୍‌ ଗ୍ରାମର ଆଖପାଖ ଅଞ୍ଚଳରେ କାମ କରିଥାନ୍ତି ।

“ଆମେ ଅଗ୍ରୀମ ଭାବେ  ୨୦,୦୦୦ ଟଙ୍କା ନେଇଛୁ [କଣ୍ଟ୍ରାକ୍ଟର୍‌ ଠାରୁ], ବୋଲି’’ ମାୟା କହେ । ଏଥିରୁ କିଛି ଟେଣ୍ଟ ତିଆରି କରିବାରେ ଖର୍ଚ୍ଚ ହୋଇଯାଇଛି । ମୁମ୍ବାଇର ଏକ ଜାତୀୟ ଉଦ୍ୟାନରେ କ୍ୟାମ୍ପ କରି ରହୁଥିବା ୧୦ଜଣିଆ ପରିବାରର ସାପ୍ତାହିକ ଖର୍ଚ୍ଚ (ଯେଉଁଥିରେ ଅବିନାଶ, ମାୟାର ପୁଅ ଓ ଶୀତଳ, ଛୋଟ ଶିଶୁ) ପାଇଁ ତାଙ୍କ କଣ୍ଟ୍ରାକ୍ଟରଙ୍କ ଠାରୁ ୫,୦୦୦-୧୦,୦୦୦ ପର୍ଯ୍ୟନ୍ତ ଟଙ୍କା ପାଇଥାନ୍ତି, ଯାହା ସାପ୍ତାହିକ ଆବଶ୍ୟକତା ଓ ଚୁକ୍ତି ଉପରେ ନିର୍ଭର କରିଥାଏ । “ପ୍ରତିଦିନ ମୁଁ ସାପ୍ତାହିକ ରାସନ୍‌ କିଣିବାକୁ ଯାଏ; ବାକି ଟଙ୍କା (ସାପ୍ତାହିକ ମୂଲ୍ୟ) ମୋ ଶାଶୁଙ୍କ ପାଖକୁ ପଠାଇ ଦିଏ," ମାୟା କୁହେ । ଏହି ସାପ୍ତାହିକ ପେମେଣ୍ଟକୁ କାର୍ଯ୍ୟ ସମାପ୍ତ ହେବାପରେ ସେମାନେ ପାଇବାକୁ ଥିବା ସମ୍ପୂର୍ଣ୍ଣ ରାଶିରୁ ବିଯୁକ୍ତ କରିଦିଆଯାଏ । 

ପରିବାରର ସମସ୍ତ ସକାଳ ୭:୦୦ଟା ବେଳକୁ ଉଠି ଯାଆନ୍ତି ଓ ପ୍ରାୟତଃ ସନ୍ଧ୍ୟା ୬:୩୦-୭:୦୦ ମଧ୍ୟରେ କାମ ବନ୍ଦ କରି ଦିଅନ୍ତି । ମାୟା ଓ ତାର ୧୦ ଜଣିଆ ଦଳରେ ଥିବା ଅନ୍ୟ ଦୁଇଜଣ ମହିଳା (ପୂଜା ଓ ଲକ୍ଷ୍ମୀ, ଜଣେ ସମ୍ପର୍କୀୟ, ଯିଏ ତାଙ୍କ ସହିତ ରହେ), ସଞ୍ଜୟ ଗାନ୍ଧୀ ଉଦ୍ୟାନରେ ଏକ ଶୌଚାଳୟ ଥିବାରୁ ଆଶ୍ୱସ୍ଥ ମନେ କରୁଛନ୍ତି । ଅନ୍ୟ ସ୍ଥାନରେ, ମାୟା କୁହେ, “ବହୁଦୂର ପର୍ଯ୍ୟନ୍ତ କୌଣସି ସୁବିଧା ନଥାଏ ଓ ଆମକୁ ଅପେକ୍ଷା କରିବାକୁ ହୁଏ ।’’

କାର୍ଯ୍ୟ ନିର୍ଘଣ୍ଟ କଣ୍ଟ୍ରାକ୍ଟର୍‌ କରିବାକୁ ଦେଇଥିବା କାର୍ଯ୍ୟର ପରିମାଣ ଉପରେ ନିର୍ଭର କରିଥାଏ । ରବିବାର ହେଉଛି ସାପ୍ତାହିକ ଛୁଟି । ତୁଳସୀଦାସ ଭାଟିଆ, ଏହି ପ୍ରୋଜେକ୍ଟର ମୁଖ୍ୟ କଣ୍ଟ୍ରାକ୍ଟର, କୁହନ୍ତି, ‘‘ପ୍ରତ୍ୟେକ ଶ୍ରମିକ ଭିନ୍ନ ଭିନ୍ନ ବର୍ଗ ଅନ୍ତର୍ଭୁକ୍ତ ଅଟନ୍ତି । କିଛି ଶ୍ରମିକଙ୍କ ଆୟ ଦିନକୁ ୨୦୦ ଟଙ୍କା ହୋଇଥିବା ବେଳେ କିଛିଙ୍କ ଆୟ ଦିନକୁ ୨,୦୦୦ ଟଙ୍କା ହୋଇଥାଏ ।’’ ଦିନକୁ ୨,୦୦୦ ଟଙ୍କା କେଉଁ ଶ୍ରମିକମାନେ ପାଆନ୍ତି ବୋଲି ସେମାନଙ୍କୁ ପଚାରିଲେ ସେମାନେ କୁହନ୍ତି – ସେଇମାନେ ଯେଉଁମାନେ ‘କଠିନ ପରିଶ୍ରମ’ କରନ୍ତି । ଉପ-କଣ୍ଟ୍ରାକ୍ଟର୍‌, ଯେଉଁମାନେ ଭାଟିଆଙ୍କ ସହିତ କାମ କରନ୍ତି, ସେମାନେ ଶ୍ରମିକ ଆଣିଥାନ୍ତି – ଯେପରିକି ମୋହିତ୍‌ ପରିବାର- ବିଭିନ୍ନ ରାଜ୍ୟରୁ ବିଭିନ୍ନ ନିର୍ମାଣାଧୀନ ସାଇଟ୍‌କୁ ।

PHOTO • Aakanksha

ଉଦ୍ୟାନରେ ବଞ୍ଚିବା ଓ କାମ କରିବା : ପୂଜା (ଶୀର୍ଷ ବାମ); ଲକ୍ଷ୍ମୀ (ଶୀର୍ଷ ଡାହାଣ); ମୁକେଶ (ନିମ୍ନ ବାମ); ମୁକେଶ, ମାୟା, ପୂଜା, ତାର ଝିଅ ଶୀତଳ ଓ ମାୟାର ପୁଅ ଅବିନାଶ (ନିମ୍ନ ଡାହାଣ)

ତାଙ୍କ ପରିବାରର କୌଣସି ସଦସ୍ୟଙ୍କ ପାଖରେ କୌଣସି ବ୍ୟାଙ୍କ ଆଙ୍କାଉଣ୍ଟ ନାହିଁ, କେବଳ ହର୍‌ପାଲ୍‌ରେ ତାର ଶ୍ୱଶୁରଙ୍କ ବ୍ୟତୀତ, ବୋଲି ମାୟା କୁହେ । ସମସ୍ତ ପ୍ରକାରର ବ୍ୟୟ ପରେ, ଆୟରୁ ଆଉ ଯାହା ବାକି ରହିଯାଏ, ତାହା ସେମାନେ ସେମାନଙ୍କ ଶ୍ୱଶୁରଙ୍କୁ ପଠାଇ ଦିଅନ୍ତି  “ଆମେ ବ୍ୟାଙ୍କରେ ପଇସା ଜମା କରୁନୁ, ଯେହେତୁ ବ୍ୟାଙ୍କରେ ପଇସା ରଖିବା ପାଇଁ ଆମ ପାଖରେ କିଛି ପଇସା ରହିବା ଦରକାର ।’’ ଆବଶ୍ୟକ ହେଲେ, ସେ ତାର ବଡ ଭାଇଠାରୁ ସପ୍ତାହକୁ ୨୦୦ଟଙ୍କା ପାଇଥାଏ । ତାକୁ ଯଦି ପଚାରିବ କାହିଁକି, ତେବେ ସେ ଧୀର ସ୍ୱରରେ କହେ ଯେ, “ବେଳେବେଳେ ତମାଖୁ ପାଇଁ ଓ ଅନ୍ୟ ସମୟରେ ଫୋନ୍‌ ରିଚାର୍ଜ କରିବା ପାଇଁ ।

ବର୍ତ୍ତମାନ ଶିଶୁଟି କାନ୍ଦିବାକୁ ଆରମ୍ଭ କଲାଣି, ତାକୁ ଭୋକ ହେଉଛି । ମାୟା ତାକୁ ପୂଜା ପାଖକୁ ନେଇଗଲା, ଯିଏ ପାର୍କିଂ ସ୍ଥାନ ପାଖରେ ଥିବା କାନ୍ଥରେ ସିମେଣ୍ଟ ଲଗାଉଥିଲା ।  “ତାର ପାପା ଓ ପରିବାରର ଅନ୍ୟ ସଦସ୍ୟମାନେ ତାକୁ ଦେଖି ପାରିନାହାନ୍ତି କାରଣ ସେମାନେ କାମ କରୁଛନ୍ତି । ତାକୁ ଦେଖିବା ପାଇଁ ସମସ୍ତେ ପାଟି କରି ଡାକୁଛନ୍ତି । ସେ ଯେତେବେଳେ ଏଠାକୁ ଆସିଥିଲା ସେତେବେଳେ ତାକୁମାତ୍ର ଏକ ମାସ ହୋଇଥିଲା , ପୂଜା କହେ” । ଦୁଇ ବର୍ଷ ପୂର୍ବେ ସେ ରାଜେଶ ମୋହିତ୍‌କୁ ବିବାହ କରିଥିଲା, ସେତେବେଳେ ତାକୁ ୧୬ ବର୍ଷ ହୋଇଥିଲା (ସେ ହିସାବ କଲା) ଓ ସେହି ଦିନଠାରୁ ସେ ମଧ୍ୟ ନିର୍ମାଣ ସାଇଟ୍‌ରେ କାମ କରୁଛି । 

ଏକ ଛୋଟ ବାଳକ ହାତରେ ଏକ ଫୋନ୍‌ ଧରି ଟେଣ୍ଟ ଆଡକୁ ଆସୁଛି । ସେ ହେଉଛି ମାୟାର ପାଞ୍ଚ ବର୍ଷର ପୁଅ ଅବିନାଶ । ତାର ଦୁଇ ଝିଅ, ପୁନମ୍‌, ୯, ଓ ବୈଶାଳୀ, ୭, ତାର ଶାଶୁ-ଶ୍ୱଶୁରଙ୍କ ସହିତ ଗ୍ରାମରେ ରହୁଛନ୍ତି । ମାୟା କୁହେ ସେ ଆଉ ପିଲା କରିବ ନାହିଁ । “ସେ ଜନ୍ମ ହେବା ପରେ ମୁଁ ମୋର ଅପରେସନ୍‌ କରି ଦେଇଛି, ପାଞ୍ଚ ବର୍ଷ ପୂର୍ବେ ।’’ ତାର ସ୍ୱାମୀ ଉରାଜ୍‌ ତାକୁ ଏକ ବର୍ଷ ପୂର୍ବେ ତାକୁ ଛାଡି ଦେଇ, ଅନ୍ୟ ଏକ ସ୍ତ୍ରୀ ସହିତ ରହୁଛି ବୋଲି ସେ ବିଶ୍ୱାସ କରୁଛି । ସେ ନିଜ ଝିଅମାନଙ୍କୁ ୧୨ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢାଇବାକୁ ଚାହୁଁଛି, ତାପରେ ସେ ତାଙ୍କ ବିବାହ କଥା ବିଚାର କରିବ । କିନ୍ତୁ ସେ ନିଜ ପୁଅକୁ ଆହୁରି ଅଧିକ ଶିକ୍ଷିତ କରିବା ପାଇଁ ଆଶା ରଖିଛି ଓ ସେ ତାର ଦାଦାମାନଙ୍କ ସହିତ ମିଶି ଏହି କାମ କରୁ, ଏହା ସେ ଇଚ୍ଛା କରୁନାହିଁ ।

ମାୟା ପ୍ରାୟତଃ ନିକଟରେ ଥିବା ବୋରିଭଲି ବଜାରକୁ ପରିବାର ପାଇଁ ପନିପରିବା ଓ ଯୋଗାଣ ସାମଗ୍ରୀ କିଣିବା ପାଇଁ ଯାଇଥାଏ। କିନ୍ତୁ ଏକ ବଡ ଅବସର ଆଗକୁ ଆସୁଛି ଓ ଅତିଶୀଘ୍ର ତାକୁ ସାପ୍ତାହିକ ଆବଶ୍ୟକତାଠାରୁ ଅଧିକ କିଛି ସଉଦା କରିବା ଆବଶ୍ୟକ ହୋଇପାରେ । ମୁକେଶ ବାହାହେବାକୁ ଯାଉଛି । “ମୁଁ ଖୁସି ଅଛି,” ମାୟା କହିଲା । ‘[ଏହା ହେଉଛି ସେହି ସମୟ ଯେତେବେଳେ ] ସମସ୍ତେ ଏକାଠି ହୋଇ ଗାଇବେ ଓ ହସିବେ ।’’

Pooja and Maya buying vegetables at the market.
PHOTO • Aakanksha
Pooja buys her daughter Sheetal a new clip to match with her frock form the market
PHOTO • Aakanksha

ବାମ: ମାୟା ଓ ପୂଜା ପରିବାର ପାଇଁ ସାପ୍ତାହିକ ରାସନ୍‌ ଓ ପନିପରିବା ବୋରିଭଲି ବଜାରରୁ ନେଉଛନ୍ତି । ଡାହାଣ : ପୂଜା ଏହିକ୍ଷଣି ଶୀତଳର ଫ୍ରକ୍‌କୁ ମ୍ୟାଚ୍‌ କରିବା ଭଳି ଏକ ନୀଳ କ୍ଲିପ୍‌ କିଣିଛି

ମୁମ୍ବାଇରେ ନିର୍ଦ୍ଧାରିତ ତିନି-ମାସ ପାଇଁ କାର୍ଯ୍ୟ କରିସାରିବା ପରେ, ମାୟା ଓ ତାର ପରିବାର, ଅଗ୍ରୀମ ଓ ଅନ୍ୟାନ୍ୟ ବିଷୟ ପାଇଁ ନେଇଥିବା ସମସ୍ତ ରାଶିକୁ ବାଦ୍‌ ଦେବା ପରେ ୪୦,୦୦୦ଟଙ୍କା ପାଇଲେ । ଅଗ୍ରୀମ ଭାବେ ନିଆଯାଇଥିବା ଅର୍ଥ ପରିମାଣ ଓ ସାପ୍ତାହିକ ଖର୍ଚ୍ଚ ବାବଦକୁ ଅର୍ଥ, ଏ ସମସ୍ତ ମିଶାଇବା ପରେ, ସମୁଦାୟ ଟଙ୍କାର ପରିମାଣ ପ୍ରାୟ ୧୬୦,୦୦୦ଟଙ୍କା ହୋଇଥାଏ, ଯେଉଁଥିପାଇଁ ଆଠ ଜଣ ପ୍ରାପ୍ତ ବୟସ୍କ ଶ୍ରମିକ ୯୦ଦିନ ପର୍ଯ୍ୟନ୍ତ କାମ କରିଛନ୍ତି – ବା ଜଣେ ବ୍ୟକ୍ତି ପ୍ରତି ପ୍ରାୟ ୨୨୫ଟଙ୍କା ପାରିଶ୍ରମିକ । 

ମାର୍ଚ୍ଚ ମାସ ଶେଷ ଆଡକୁ, ଜାତୀୟ ଉଦ୍ୟାନ ନିର୍ମାଣ ସାଇଟ୍‌ରେ କାମ ସମାପ୍ତ କରିସାରିବା ପରେ, ମୋହିତ୍‌ ପରିବାରର କେତେକ ସଦସ୍ୟ ଗ୍ରାମକୁ ଫେରିଗଲେ ଓ ଅନ୍ୟ କେତେଜଣ ବାହାଘର ଅନୁଷ୍ଠିତ ହେବା ପୂର୍ବରୁ ଅଧିକ କିଛି ଆୟ କରିବା ଆଶାରେ ଖପୋଲିକୁ ଚାଲିଗଲେ ।

ବିବାହ କାର୍ଯ୍ୟ ଶେଷହେବା ପରେ ପରେ, ସମ୍ପୂର୍ଣ୍ଣ ଦଳ ପରିବାରର ନୂତନ ସଦସ୍ୟ ସହିତ ପୁଣିଥରେ କାମ ପାଇଁ ବାହାରି ଯିବାକୁ ଯୋଜନା କରିନ୍ତି – ମୁକେଶର ସ୍ତ୍ରୀ ରୂପାଲୀ । ଯଦି ସେ ତା ସହିତ କାମ କରିବ ନାହିଁ, ତେବେ “ସେ କଣ ଖାଇବ”, ବୋଲି ମୁକେଶ କହେ ? ଏବଂ ଏବେ ଯେତେବେଳେ ବର୍ଷା ଋତୁ ଆସିଲାଣି ସେମାନେ ଚାଷଜମିରେ କାମ କରିବା ପାଇଁ ହର୍‌ପାଲ୍‌ ଫେରିଯିବେ ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Aakanksha

ଆକାଂକ୍ଷା (ସେ କେବଳ ତାଙ୍କର ପ୍ରଥମ ନାମ ବ୍ୟବହାର କରିବାକୁ ପସନ୍ଦ କରନ୍ତି) ପରୀରେ ଆସିଷ୍ଟାଣ୍ଟ କଣ୍ଟେଣ୍ଟ କୋର୍ଡିନେଟର୍‌ ଭାବେ କାମ କରନ୍ତି ।

Other stories by Aakanksha