ଶ୍ୟାମରାଓ ଏବଂ ଅଞ୍ଜାମ୍ମାଙ୍କର ସ୍ୱାସ୍ଥ୍ୟ ଖୁବ୍ ଦୁର୍ବଳ।  କିନ୍ତୁ ଏମାନେ ସ୍ୱାସ୍ଥ୍ୟ ବାବଦରେ ଆଉ କିଛି କରିବା ବନ୍ଦ କରିଦେଇଛନ୍ତି।  ଶ୍ୟାମରାଓ କହନ୍ତି, "ଡାକ୍ତର? ଚିକିତ୍ସା? ଏ ସବୁ ଖୁବ୍ ବ୍ୟୟବହୁଳ।" ୱାର୍ଧା ଅସ୍ଥି ଗାଁର ଏହି ଯୋଡି ଏହିପରି ନିଷ୍ପତ୍ତି ନେଇଥିବା ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରେ ସାମିଲ୍ ହୋଇଯାଇଛନ୍ତି।  ୨୧ ପ୍ରତିଶତ ପର୍ଯ୍ୟନ୍ତ ଭାରତୀୟ ସେମାନଙ୍କର କୌଣସି ନା କୌଣସି ରୋଗ ପାଇଁ ଆଉ ଡାକ୍ତରୀ ଚିକିତ୍ସା କରାଉନାହାନ୍ତି।  (ଯାହାକି ଗତ ଦଶ ବର୍ଷ ପୂର୍ବରୁ  ୧୧ ପ୍ରତିଶତ ଥିଲା)। ସେମାନେ ଏହି ଖର୍ଚ୍ଚ ତୁଲାଇ ପାରିବେ ନାହିଁ।  ଶ୍ୟାମରାଓ ପଚାରିଲେ, "ଯଦି ଆମେ ଡାକ୍ତର ପାଖକୁ ଯିବୁ, ଔଷଧ କେମିତି କିଣିବୁ।" 

ଗତ ଜୁଲାଇରେ ତାଙ୍କ ପୁଅ ପ୍ରଭାକର ଖାଟଲେ ଆତ୍ମହତ୍ୟା କରିଥିଲେ। କୃଷି କାମ କରୁଥିବା ବହୁ ଅନ୍ୟ ଲୋକଙ୍କ ଭଳି ସେ ମଧ୍ୟ କୃଷି କ୍ଷେତ୍ରରେ ଦେଖାଦେଉଥିବା ବିପର୍ଯ୍ୟୟ ଦ୍ୱାରା ସମ୍ପୂର୍ଣ ଭାବେ ଭାଙ୍ଗି ପଡିଥିଲେ। ଶ୍ୟାମରାଓ କହନ୍ତି, ସେ କରିଥିବା ଋଣ ପାଇଁ ହିଁ ଜୀବନ ଦେଇଦେଲା।  ଏହି ଘଟଣା ପରେ ସେମାନଙ୍କ ଦ୍ୱିତୀୟ ପୁଅ ଘୋର ଅବସାଦ ଭିତରକୁ ଚାଲିଯାଇଛି, ସେ ଏବେ ବୃଦ୍ଧ ବାପା ମାଙ୍କର ଦେଖାଶୁଣା କରିବା ଅବସ୍ଥାରେ ନାହିଁ। ତାର ଏ ଅବସ୍ଥାରେ ଚିକିତ୍ସା ବି ହେଉଥିବା ଭଳି ଲାଗୁନାହିଁ। 

ଘରୋଇ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଛାଳ

ସ୍ୱାସ୍ଥ୍ୟ ହିଁ ସମ୍ପଦ, ଏହି ଲୋକକଥାକୁ, ଅପ୍ରତ୍ୟାଶିତ ଭାବେ ବଢୁଥିବା-ନିୟନ୍ତ୍ରଣହୀନ- ଘରୋଇ ସ୍ୱାସ୍ଥ୍ୟସେବା କ୍ଷେତ୍ର ଏଠାରେ ଏକ ସମ୍ପୂର୍ଣ ନୂଆ ଅର୍ଥ ଦେଇଛି। ସରକାରୀ ସ୍ୱାସ୍ଥ୍ୟସେବାରେ ଅବନତିର ଅର୍ଥ ଗରିବ ଲୋକମାନେ ଘରୋଇ ଡାକ୍ତରଖାନା ଓ ଡାକ୍ତରମାନଙ୍କୁ ଅଧିକ ଲାଭ ଦେବେ। ସାରା ଦେଶରେ ସ୍ୱାସ୍ଥ୍ୟ ହେଉଛି ଗ୍ରାମୀଣ ପରିବାର ଗୁଡିକର ଦ୍ୱିତୀୟ ସର୍ବାଧିକ ହାରରେ ବଢୁଥିବା ଋଣ ଭାର। (ଭାରତର ମୁଣ୍ଡ ପିଛା ସ୍ୱାସ୍ଥ୍ୟ ଖର୍ଚ୍ଚ ସାରା ବିଶ୍ୱର ସର୍ବନିମ୍ନ କେତୋଟି ଦେଶ ମଧ୍ୟରୁ ଅନ୍ୟତମ।  ଦେଶର ମୋଟ ଘରୋଇ ଉତ୍ପାଦର ୧ ପ୍ରତିଶତରୁ ବି କମ୍ ସ୍ୱାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ ହେଉଛି। 

ସମାନ ଜିଲ୍ଲାର ବାଇଫାଡ ଗାଁରେ ଗୋପାଳ ବିଥୋବା ଯାଦବ ନାମକ ଜଣେ କୃଷକ ତାଙ୍କର ସ୍ୱାସ୍ଥ୍ୟ ଖର୍ଚ୍ଚ ତୁଲାଇବା ପାଇଁ ତାଙ୍କ ଜମି ବନ୍ଧା ପକାଇଛନ୍ତି।  ସେ କହନ୍ତି, "ଡାକ୍ତରଖାନାରେ ମାତ୍ର ୪୦ ମିନିଟ୍ ରହିବା ପାଇଁ ମୋତେ ୧୦,୦୦୦ ଟଙ୍କା ଦେବାକୁ ହେଲା।" ଅନ୍ୟମାନଙ୍କ ମଧ୍ୟରୁ ଅନେକ ଏହାଠାରୁ ବହୁ ଅଧିକ ଦେଇଛନ୍ତି। ଯେହେତୁ ଟଙ୍କା ଆବଶ୍ୟକ ଥିଲା ଯାଦବ ତାଙ୍କର ନଅ ଏକର ଜମିର ମାଲିକାନାକୁ ବନ୍ଧକ ସ୍ୱରୂପ ପରିବର୍ତ୍ତିତ କରିଛନ୍ତି। ଏହା ପରେ ବର୍ଷ ପରେ ବର୍ଷ ଭଲ ଫସଲ ହେଲାନାହିଁ, ଫଳରେ ସେ କହନ୍ତି, "ଜମି ଏବେ ମୋ ଦଖଲରେ ଅଛି, କିନ୍ତୁ ମାଲିକାନା ଋଣ ଦେଇଥିବା ଲୋକ ନାଁରେ ଅଛି।"

ତାଙ୍କ ପଡୋଶୀ ବିଶ୍ୱନାଥ ଜାଡେଙ୍କ ପରିବାରରେ ଆଠଜଣ ସଦସ୍ୟ, ଯେଉଁମାନେ ଚାରି ଏକର ଜମିରୁ ଚଳନ୍ତି। ମେରୁହାଡରେ ଗୋଟିଏ ଅସ୍ତେ୍ରାପଚାର ଫଳରେ ତାଙ୍କୁ ୩୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ହେଲା।  ଏମ୍ଆର୍ଆଇ ସ୍କାନ୍ ବାବଦକୁ ୫,୦୦୦ ଟଙ୍କା, ଡାକ୍ତରଖାନାରେ ରୁମ୍ ପାଇଁ ୭,୫୦୦ ଟଙ୍କା ଏବଂ ଔଷଧ ପାଇଁ ୨୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ହେଲା। ଏ ସବୁ ପରେ ଯିବା ଆସିବା ଖର୍ଚ୍ଚ। ମାତ୍ର ଗୋଟିଏ ବର୍ଷ ଭିତରେ ଜାଡେଙ୍କୁ ୬୫,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ହେଲା। 

ଏହି ପରିବାରମାନେ ସ୍ୱାସ୍ଥ୍ୟ ସେବା ବାବଦକୁ ଯେତେ ଟଙ୍କା ଖର୍ଚ୍ଚ କରିଛନ୍ତି, ତାହା ଆଶ୍ଚଯର୍ଜନକ। ଚାଷରେ କ୍ଷତିକୁ ସହି ନ ପାରି ଗତବର୍ଷ ନଭେମ୍ବରରେ ନାମଦେଓ ବୋଣ୍ଡେ ଆତ୍ମହତ୍ୟା କଲେ।  ତାଙ୍କର ମଧ୍ୟ ସ୍ୱାସ୍ଥ୍ୟ ସେବା ବାବଦକୁ ବହୁ ଖର୍ଚ୍ଚ ହୋଇଥିଲା। ୟାଭାତମାଲର କୋଠୁଡା ଗାଁରେ ରହୁଥିବା ତାଙ୍କ ଭାଇ ପାଣ୍ଡୁରାଙ୍ଗ କହନ୍ତି, "ନାମଦେଓ ମଧ୍ୟ ଚନ୍ଦ୍ରପୁର, ୟାଭାତମଲ ସହର ଓ ବାନି ସହରକୁ ତିନି ଥର ଯାଇଥିଲେ। ଏହି ତିନି ଥରକୁ ମିଶାଇ ସ୍ୱାସ୍ଥ୍ୟ ସମସ୍ୟା ବାବଦକୁ ତାଙ୍କୁ ୪୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା।"

ଅସ୍ଥି ଗାଁର ସେମାନଙ୍କ ଘରେ ଶ୍ୟାମରାଓ ଖଟାଲେ ଏବଂ ତାଙ୍କ ଝିଅ ଗଙ୍ଗା

ଆମେ ସର୍ବେକ୍ଷଣ କରିଥିବା ଅନ୍ୟ ଆତ୍ମହତ୍ୟା ଘଟିଥିବା ପରିବାର ଗୁଡିକ ପାଇଁ ସ୍ୱାସ୍ଥ୍ୟ ଖର୍ଚ୍ଚ ବଡ ବୋଝ ଥିଲା।  ୨୫,୦୦୦ ଟଙ୍କାରୁ ୩୦,୦୦୦ ଟଙ୍କା ସାଧାରଣ ଖର୍ଚ୍ଚ ଥିଲା।  ତାହା ପୁଣି ସେହି ପରିବାର ଗୁଡିକରେ ଯେଉଁମାନଙ୍କ ପାଖରେ ମୋଟ ଦୁଇରୁ ଚାରି ଏକର ଜମି ଅଛି ଏବଂ ସେମାନେ ଚାଷ ନଷ୍ଟ ହେଉଥିବାରୁ ଅଧିକାଂଶ ଥର ପ୍ରବଳ କ୍ଷତି ସହୁଛନ୍ତି। ଏଥିପାଇଁ ଶ୍ୟାମରାଓ ଏବଂ ଅଞ୍ଜମ୍ମା ଔଷଧ କିଣିବା ବନ୍ଦ କରିଦେଇଛନ୍ତି। ବାଇପାଡରେ କୃଷକମାନେ କହନ୍ତି, "ସରକାରୀ ଡାକ୍ତରଖାନାରେ ଆପଣ କିଛି ପାଇବେନି।" 

ମନୋଜ ଚନ୍ଦୁରଭାରକର କହନ୍ତି "ଅନ୍ୟପକ୍ଷେ, ଆମେ ଯଦି ନାଗପୁର ଯାଉ, ତେବେ ସେଠାରେ ଆମକୁ ବହୁ ଖର୍ଚ୍ଚ କରିବାକୁ ହୁଏ।  ଫଳରେ ଲୋକେ ଡାକ୍ତରଖାନାକୁ ଭୟ କରନ୍ତି। ନାଗପୁରର ଘରୋଇ ଡାକ୍ତରଖାନା ଗୁଡିକ ସାଧାରଣତଃ ଲୋକମାନେ ୱାର୍ଧାରେ କରିଥିବା ରକ୍ତ ପରୀକ୍ଷା ରିପୋର୍ଟ ବା ଏକ୍ସରେ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଦିଅନ୍ତି, ରିପୋର୍ଟ ଗୁଡିକ ଭଲ ଥିଲେ ବି। ସୁପାରିଶ ରାକେଟ୍ ସେମାନଙ୍କର ଭାଗିଦାରୀ ଛାଡିବେ ନାହିଁ। ତେଣୁ ଆମକୁ ସବୁ ପରୀକ୍ଷା ଗୁଡିକୁ ପୁଣି ଥରେ କରାଇବାକୁ ହୁଏ। ସମସ୍ତେ ନିଜ ନିଜ ଭାଗ ପାଆନ୍ତି, ଏବଂ ଖୁସି ହୁଅନ୍ତି।"   

ଆଉ ଜଣେ କୃଷକ ରାମେଶ୍ୱର ଚାରଡ଼ି କହନ୍ତି, "ସିଟି ସ୍କାନ୍ ଏବଂ ଔଷଧ ଏ ସବୁ ବଡ଼ ଲୋକଙ୍କ ପାଇଁ। ଆମ ପାଖରେ ଟଙ୍କା ନାହିଁ।" ଅନିୟନ୍ତ୍ରିତ ଘରୋଇ କ୍ଷେତ୍ର ସେମାନଙ୍କ ମନ ଇଚ୍ଛା ପାଉଣା ନିଅନ୍ତି। କମ୍ ଅନୁଦାନ ମିଳୁଥିବା, ଯନ୍ତ୍ରାଂଶ ଓ ସୁବିଧା ନ ଥିବା, ଘୁଷୁରୁଥିବା ସରକାରୀ ଡାକ୍ତରଖାନା ସବୁ ଅଧିକାଂଶ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବାର ଦୁର୍ବଳ ବିକଳ୍ପ।  ମଲୱାଗଡ଼ର ସନ୍ତୋଷ ଇଶାୟୀ ହସି କହନ୍ତି, "ଚିକିତ୍ସା ମାଗଣା ଥିଲା, କିନ୍ତୁ ଏହାର ମାନେ କିଛି ନ ଥିଲା।" ସେ କ୍ୟାନସରରେ ପୀଡ଼ିତ ତାଙ୍କ ଭାଇ ଅଶୋକଙ୍କର ଚିକିତ୍ସା ଏବଂ ଔଷଧ ବାବଦକୁ ୩୫,୦୦୦ ଟଙ୍କା ଖର୍ଚ୍ଚ କରିଥିଲେ।  ଟଙ୍କା ପାଇଁ ୟାଭାତମାଲ ଗାଁରେ ଥିବା ତାଙ୍କର ତିନି ଏକର ଜମିକୁ ସେ ବିକ୍ରି କରିଦେଲେ। ତା’ପରେ ତାଙ୍କର ସବୁ ଟଙ୍କା ସରିଗଲା।  

ତାଙ୍କ ସାଙ୍ଗ ସନ୍ଦିପ କଦମ୍ ସିଧା ଗୋଟିଏ ଘରୋଇ ହସ୍ପିଟାଲକୁ ଗଲେ।  ସେ ତାଙ୍କ ବାପାଙ୍କ ପାଇଁ ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ କଲେ, ଯିଏ ଟିବି ରୋଗରେ ପ୍ରାଣ ହରାଇତେଲ। ସେ କହନ୍ତି, "ତିନି ଏକର ବିକ୍ରି କରିବାର ଅର୍ଥ," ତାଙ୍କ ବଡ଼ ପରିବାରର ଥିବା ମୋଟ ଜମିର ଏକ ତୃତୀୟାଂଶ।  

ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଭଳି, ଏସବୁ କୃଷି କ୍ଷେତ୍ରରେ ଜାରି ରହିଥିବା ସଙ୍କଟ ମଧ୍ୟରେ କୃଷକ ସମୁଦାୟଙ୍କୁ ଗୁରୁତର ଭାବେ ପ୍ରଭାବିତ କରୁଛି। ମାତ୍ର ଅଳ୍ପ କେତେଜଣ ଋଣ ନ କରି ବଡ଼ ସ୍ୱାସ୍ଥ୍ୟ ସମସ୍ୟାର ଚିକିତ୍ସା କରିପାରୁଛନ୍ତି।  

ଅଞ୍ଜାମ୍ମା ଚଟାଣରେ ଅସୁସ୍ଥ ଅବସ୍ଥାରେ ପଡ଼ିଛନ୍ତି, ସେ ଉଠି ବସିବା ପାଇଁ ମଧ୍ୟ ଦୁର୍ବଳ ଓ ଅକ୍ଷମ।  ଶ୍ୟାମରାଓ ଖଟ ଉପରେ ବସିଛନ୍ତି, ସେ ମଧ୍ୟ ଦୁର୍ବଳ ଏବଂ ଅଚଳ ଭାବେ ବସିଛନ୍ତି। ସେ ଖୁସି ଯେ ସେ ତାଙ୍କ ମୃତ ପୁଅର ଋଣ ସୁଝି ଦେଇଛନ୍ତି। "ଆମେ ସେ ଋଣରୁ ମୁକ୍ତ ହୋଇଛୁ, ତା ଆତ୍ମା ଶାନ୍ତି ପାଇବ।" ଯଦିଓ ସେମାନଙ୍କ ନିଜ ଶରୀର ନୁହେଁ।  ଅସୁସ୍ଥତା ତାଙ୍କୁ ଜବାବ୍ ଦେଇ ଦେଉଛି। ଏ ପରିଣତ ବୟସରେ ନା ସେମାନେ କାମ କରିପାରୁଛନ୍ତି ନା ବଞ୍ଚିବା ପାଇଁ ଆୟ କରିପାରୁଛନ୍ତି। କିନ୍ତୁ ସ୍ୱାସ୍ଥ୍ୟ ପାଇଁ ମୂଲ୍ୟ ଦେବାକୁ ପଡେ। ଗୋଟିଏ ଏମିତି ମୂଲ୍ୟ ଯାହାକୁ ସେମାନେ ଏବଂ ସେମାନଙ୍କ ଭଳି ଅଗଣିତ ଭାରତୀୟ ପଇଠ କରିପାରିବେ ନାହିଁ।  

ବାଇଫାଡ୍ରେ, ସେମାନେ ଆମକୁ ବିଦାୟ ଜଣାଇଲେ। ସେମାନଙ୍କ ଭିତରୁ ଜଣେ କହିଲେ, "ଯଦି ଆପଣ ସ୍ୱାସ୍ଥ୍ୟ ବାବଦରେ ଜାଣିବାକୁ ଚାହାନ୍ତି, ଆମର ଚାଷକୁ ଦେଖନ୍ତୁ, ତାପରେ ଆପଣ ଜାଣିବେ। ଆମେ ଚାଷୀମାନେ ସମସ୍ତେ ସମାନ ଧାରାରେ ଅଛୁ। ଆଜିଠାରୁ ଦୁଇ ବର୍ଷ ଭିତରେ ଆମେ ସମସ୍ତେ ଶ୍ୱାସରୁଦ୍ଧ ହୋଇସାରିଥିବୁ।"

ଉପସଂହାର

ଅକ୍ଟୋବର ୩୧, ୨୦୦୫ - କୃଷକ ମାନଙ୍କ ପାଇଁ ଗଠିତ ଜାତୀୟ କମିସନର ଟିମ୍ ଅସ୍ଥି ଗାଁରେ ତାଙ୍କ ଘରେ ପହଞ୍ଚିବାର ଗୋଟିଏ ଦିନ ପୂର୍ବରୁ ଶ୍ୟାମରାଓ ଖଟାଲେ ପ୍ରାଣ ହରାଇଥିଲେ। କାରଗୁଡ଼ିକର ଗୋଟିଏ କାରକେଡ୍ତାଙ୍କ ସ୍ତ୍ରୀଙ୍କୁ ଭେଟିବାକୁ ୱାର୍ଦ୍ଧା ଗାଁକୁ ଛୁଟି ଯାଇଥିଲା, କିନ୍ତୁ ସେ ତାଙ୍କର ସିନ୍ଦୁର ହରାଇ ସାରିଥିଲେ। ଠିକ୍ ଯେମିତି ତାଙ୍କର ଗୋଟିଏ ପୁଅ ଗତ ବର୍ଷ କରିଥିଲେ। ଅନ୍ୟ ପୁଅ ପ୍ରଭାକର, ୨୦୦୪ରେ ଆତ୍ମହତ୍ୟା କରିଥିଲେ। ଶ୍ୟାମାରାଓଙ୍କ ସ୍ତ୍ରୀ ଏକଥା ସ୍ୱୀକାର କରିବାକୁ ପ୍ରସ୍ତୁତ ନ ଥିଲେ ଯେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଛି। ସେ ଏକ ଏମିତି ଦୁନିଆକୁ ଚାଲିଯାଇଥିଲେ, ଯେଉଁଠି ଏସବୁ ଭିତରୁ କିଛି ଘଟିନ ଥିଲା।  ପରିବାରର ଯେଉଁ ଜଣକ କଥା ହୋଇପାରୁଥିଲେ ସେ ଥିଲେ ୩୧ ବର୍ଷ ବୟସ୍କ ଝିଅ ଗଙ୍ଗା, ଚାଷରେ ସଙ୍କଟ କାରଣରୁ ପରିବାରର ଆର୍ଥିକ ଦୂରବସ୍ଥା ଫଳରେ  ଯାହାଙ୍କର ବିବାହ ହୋଇପାରିନଥିଲା। ଏବଂ ଆଉ ଜଣେ ପୁଅ ବି ଥିଲେ ଯିଏ ଅମରାବତୀରୁ କାମ ନ ପାଇ ଫେରିଆସିଥିଲେ। ଶ୍ୟାମରାଓ ଏବଂ ତାଙ୍କ ସ୍ତ୍ରୀ ଉଭୟ ଗୁରୁତର ଭାବେ ଅସୁସ୍ଥ ଥିଲେ, ଗୋଟିଏ ବର୍ଷରୁ ଅଧିକ ସମୟ ଧରି ଔଷଧ ଖାଉ ନ ଥିଲେ। ଜୁନ୍ ମାସରେ ଶ୍ୟାମରାଓ ମୋତେ ପ୍ରଶ୍ନ କରିଥିଲେ "କିଏ ଡାକ୍ତରଙ୍କ ଖର୍ଚ୍ଚ ତୁଲାଇ ପାରିବ ? ଆମେ ପାରିବୁ ନାହିଁ, ଏହା ଆମ ପାଇଁ ଖୁବ୍ ବ୍ୟୟସାପେକ୍ଷ। ଏବଂ ଆମେ ଔଷଧ କେମିତି କିଣିବୁ।" 

ଏହି ଆଲେଖ୍ୟର ଗୋଟିଏ ରୂପ ଦି ହିନ୍ଦୁରେ ପ୍ରକାଶିତ ହୋଇଥିଲା: http://www.hindu.com/2005/07/01/stories/2005070105241300.htm

ଅନୁବାଦ: ଓଡ଼ିଶାଲାଇଭ୍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ପି ସାଇନାଥ ହେଉଛନ୍ତି ପିପୁଲ୍ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ। ସେ ଦୀର୍ଘ ଦଶନ୍ଧି ଧରି ଗ୍ରାମାଞ୍ଚଳର ବିଭିନ୍ନ ରିପୋର୍ଟ ପ୍ରସ୍ତୁତ କରିଆସୁଛନ୍ତି ଏବଂ ସେ ହେଉଛନ୍ତି ‘ଏଭ୍ରି ୱାନ ଲଭ୍ସ ଏ ଗୁଡ଼୍ ଡ୍ରଟ୍’ର ଲେଖକ।

Other stories by P. Sainath