“କାଳେ ମୁଣ୍ଡ ବାଜିବ”, ସେଥିପାଇଁ ମହମ୍ମଦ ଇଲିୟାସ ମୋତେ ସାବଧାନ କରିଦେଲେ। ହଣ୍ଡରମନ୍ ବ୍ରୋକ୍ ଭିତରେ ବୁଲିବାବେଳେ ସେ ଏବଂ ସବୀର ହୁସେନ ମୋତେ ସମସ୍ତ ବିଷୟତରେ ସୂଚନା ଦେଉଥିଲେ। ଲଦାଖର କାର୍ଗିଲ ବଜାରରୁ ଏହା ପାହାଡ଼ ଉପରକୁ ଆଠ କିଲୋମିଟର ଦୂରରେ ଅବସ୍ଥିତ। ରାସ୍ତା ଖୁବ ତୀକ୍ଷ୍ଣ ଭାବେ ଅଙ୍କାବଙ୍କା ଏବଂ ଅଣଓସାରିଆ। 

କାର୍ଗିଲର ଦୁଇଟି ଗାଁ ପୋଏନ ଏବଂ କାର୍କେଚୁ (ଜନଗଣନାରେ ପୋୟାନ ଏବଂ କାର୍କିଟ୍ ଭାବେ ଉଲ୍ଲେଖ ହୋଇଛି)। ଚାରି ଶତାବ୍ଦୀ ତଳେ ଏହି ଦୁଇଟି ଗାଁର ୩୦ଟି ପରିବାର ଉଚ୍ଚ ହିମାଳୟର ଏହି ବ୍ରୋକ୍ (ବାଲ୍ଟି ଭାଷାରେ ବ୍ରୋକ୍ ଅର୍ଥ ଗୋରୁ ଚରିବା ପାଇଁ ଗ୍ରୀଷ୍ମର ସ୍ୱର୍ଗ) ରେ ବସବାସ କରୁଥିଲେ। ଏଠି ଉର୍ବର ମାଟି ଏବଂ ପାଣିର ପ୍ରଚୁର ଉତ୍ସଥିଲା। ଘର ଗୁଡିକ ପଥର, କାଠ, ମାଟି ଏବଂ ମଞ୍ଜିରେ ଛଅଟି ସ୍ତରରେ ତିଆରି । ୨,୭୦୦ ମିଟର ଉଚ୍ଚରେ ଥିବା ସୀମାନ୍ତର ଏହି ଘରଗୁଡିକ ପାହାଡ଼ର ବନ୍ଧୁର ଶିଳା ସହ ଯେମିତି ମିଶି ଯାଇଛନ୍ତି। 

ଘର ଗୁଡିକ ପରସ୍ପର ସହ ଲଗାଲଗି ହୋଇ ରହିଛି। ଡିସେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଏଠି ଭୀଷଣ ଥଣ୍ଡା ହୁଏ। ଏହି ସମୟରେ ୫ରୁ ୭ ଫୁଟ ବହଳର ବରଫ ପଡେ। ସେଥିପାଇଁ ଘରଗୁଡିକର ଛାତ, କବାଟ, ଝରକା ଖୁବ ଛୋଟ ଏବଂ ନୁଆଣିଆ। ଘରକୁ ଯେତେ ସମ୍ଭବ ଗରମ ରଖିବାକୁ ଏଭଳି ତିଆରି ହୋଇଛି। ଖରା ଦିନେ କିନ୍ତୁ ପବନ ଚଳାଚଳ ପାଇଁ କାନ୍ଥରେ ୱିଲୋ ଗଛର ଡାଳ ବ୍ୟବହାର କରାଯାଇଛି। ଭଙ୍ଗାରୁଜା, ଆବଡାଖାବଡ଼ା ପଥର ଦେଇ ଗୋଟିଏ ଘରର ଛାତକୁ ଉଠିବାବେଳେ ଇଲିୟାସ ଆମକୁ ଏସବୁ ବୁଝାଉଥିଲେ। 

PHOTO • Stanzin Saldon
PHOTO • Stanzin Saldon

ସ୍ଥାନ, ପାରିପାର୍ଶ୍ୱିକ ଅବସ୍ଥାକୁ ଦେଖି ଏଭଳି ଶୈଳୀରେ ହଣ୍ଡରମ୍ୟାନ ବ୍ରୋକ୍ନିର୍ମିତ ହୋଇଛି। ପବନ ଚଳାଚଳ ପାଇଁ କାନ୍ଥର ପ୍ରତି ସ୍ତରରେ ୱିଲୋ ଗଛର ଡାଳକୁ ଛନ୍ଦାଛନ୍ଦି କରି ଲଗାଯାଇଛି। 

୩୦ ବର୍ଷୀୟ ଇଲିୟାସ ଏବଂ ସବିର, ଏହି ଗାଁରେ ତାଙ୍କ ବାଲ୍ୟ ଜୀବନ କାଟିଛନ୍ତି। ଇଲିଆସ ଏବେ କାର୍ଗିଲରେ ଗୋଟିଏ ଛୋଟ ପ୍ରିଣ୍ଟିଂ ପ୍ରେସ୍ କରିଛନ୍ତି, ସବିର ଟ୍ୟାକ୍ସି ଚଳାନ୍ତି। ତାଙ୍କ ଟ୍ୟାକ୍ସିରେ ଆମେ ଏଠିକି ଆସିଛୁ। ଗତ କିଛି ଦଶନ୍ଧି ହେବ ହଣ୍ଡରମନ ବ୍ରୋକ୍ (ସରକାରୀ ନଥିରେ ପୋଏନ ଗାଁର ପଡ଼ା) ରେ ଦୁଇଟି ପରିବାର ରହି ଯାଇଛନ୍ତି। ଅନ୍ୟ ସବୁ ପରିବାର ପାହାଡର ଆଉ ଏକ କିଲୋମିଟର ଉପରେ ଥିବା ଏକ ବିସ୍ତିର୍ଣ୍ଣ ଅଞ୍ଚଳକୁ ସ୍ଥାନାନ୍ତର ହୋଇଯାଇଛନ୍ତି । ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ପରେ ଏମାନଙ୍କୁ ସ୍ଥାନାନ୍ତର କରାଯାଇଛି। ଏହା ଛଡା ଲୋକ ସଂଖ୍ୟା ବଢୁଥିବାରୁ ଜାଗାର ମଧ୍ୟ ଅଭାବ ହେଲା। (୨୦୧୧ ଜନଗଣନା ଅନୁସାରେ ଏହାର ଲୋକସଂଖ୍ୟା ୨୧୬) ବରଫ ସ୍ଖଳନରୁ ବର୍ତ୍ତିବା ପାଇଁ ମଧ୍ୟ ସ୍ଥାନାନ୍ତର କରାଗଲା। ନୂଆ ସ୍ଥାନର ନାଁ ବି ରହିଲା ହଣ୍ଡରମନ୍। 

ଛଅ ବର୍ଷ ପୂର୍ବରୁ ଜଣେ ସିଭିଲ ଇଞ୍ଜିନିୟର ଏହାର ସାଂସ୍କୃତିକ ଐତିହ୍ୟ ଆବିସ୍କାର କରିଥିଲେ। ସେ ପର୍ଯ୍ୟନ୍ତ ପୁରୁଣା ଗାଁକୁ ଆଶ୍ରୟ ସ୍ଥଳ ଏବଂ ଷ୍ଟୋର ହାଉସ ଭାବେ ବ୍ୟବହାର କରାଯାଉଥିଲା। ଏ ସଂପର୍କରେ ସେ ଜଣେ କାର୍ଗିଲ ବାସିନ୍ଦା ଏବଂ ସଂଗ୍ରହାଳୟ କର୍ମଚାରୀ ଅଜାଜ୍ ହୁସେନ ମୁନ୍ସୀଙ୍କ ଦୃଷ୍ଟିକୁ ଆଣିଲେ। ଏହାକୁ ପର୍ଯ୍ୟଟନ ସ୍ଥଳ କରାଯାଇପାରିବ ବୋଲି ସେ ସେଠାକାର ନୂଆ ହଣ୍ଡରମନ ବାସିନ୍ଦାଙ୍କୁ ବୁଝାଇଲେ। ଏହା ପରେ ମିଳିତ ଉଦ୍ୟମରେ ହଣ୍ଡରମନ ବ୍ରୋକ ଏକ ଐତିହ୍ୟ ସ୍ଥଳ ଭାବେ ବିକଶିତ ହେଲା। ତିନିଟି ଘରକୁ ସଂଗ୍ରାହାଳୟ କରଗଲା। ଏଠାରେ ପୂରାତନ ଏବଂ କିଛି ନୂତନ କଳାକୃ​ତି ସ୍ଥାନ ପାଇଲା। ଅପୋ ହସନ୍ଙ୍କ ଏହି ପୁରୁଣା ଘରକୁ ଏବେ ସ୍ମୃତିର ସଂଗ୍ରହାଳୟ କୁହାଯାଉଛି। ଅପୋ ହସନ୍ ଏବେ ନୂଆ ହଣ୍ଡରମନ ବ୍ରୋକ୍ରେ ଅଛନ୍ତି। ସେ ବାର୍ଲି ଏବଂ ପରିବା ଚାଷ କରୁଛନ୍ତି। 

ଆମେ ସଂଗ୍ରହାଳୟ ଚାରିପାଖରେ ବୁଲିବାବେଳେ ହଠାତ୍ ମହମ୍ମଦ ମୁସା ପହଞ୍ଚି ଆମକୁ ଅଭିନନ୍ଦନ ଜଣାଇଲେ। ଆସଲମ ଆଲେକମ୍ କହି ସ୍ମିତ ହସିଲେ। ପାହାଡ଼ ଉପରେ ପାଦ ଚଲା ରାସ୍ତାଟି ଦେଖିଛନ୍ତି କି?- ସେ ପଚାରିଲେ। ସେ ପୂର୍ବରୁ ପରିବହନ କାର୍ଯ୍ୟ କରୁଥିଲେ। ଏବେ ସେ ବିଦ୍ୟୁତ ବିଭାଗରେ ଶ୍ରମିକ ଭାବେ କାମ କରୁଛନ୍ତି। ବୟସ ପ୍ରାୟ ୫୦ ବର୍ଷ। ସେ କହିଲେ, “ମୋ ପିଲାବେଳେ ସ୍କୁଲରେ ପହଞ୍ଚିବାକୁ ଘଣ୍ଟେ କି ଦି ଘଣ୍ଟା ପାଦ ଚଲା ରାସ୍ତାରେ ଯିବାକୁ ପଡ଼ୁଥିଲା। ହଣ୍ଡରମନ ନିକଟରେ ଥିବା ପଡୋଶୀ ବ୍ରୋଲ୍ମୋ ସ୍କୁଲକୁ ଆମେ ପଢିବାକୁ ଯାଉ। ଏହି ଗାଁଟି ଏବେ ପାକିସ୍ତାନରେ ଅଛି।”

PHOTO • Sharmila Joshi
PHOTO • Stanzin Saldon

ମହମ୍ମଦ ମୁସା କହିଲେ, ‘ଯୁଦ୍ଧ ସମୟରେ ମୁଁ ଏଇଠି ରହୁଥିଲି।’ ଡାହାଣ : ସବିର ହୁସେନ, ମହମ୍ମଦ ଇଲିୟାସ ଏବଂ ଅଜାଜ୍ ମୁନ୍ସୀ, ହଣ୍ଡମନ୍ର ଏକ ପଥର ଚଟାଣ ଉପରେ। 

ହଣ୍ଡରମନ୍କୁ ଯାଇଥିବା ଉଚ୍ଚ ପାହାଡ ଉପର ଅଙ୍କାବଙ୍କା ରାସ୍ତାରୁ ବ୍ରୋମ୍ଲୋ ଦେଖାଯାଏ। ଉପତ୍ୟାକାର ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ସବୁକିଛି ଦେଖିହୁଏ। ଏହି ଗାଁଗୁଡ଼ିକ ଭାରତ-ପାକିସ୍ତାନ ଏଲଓସିର ଉତ୍ତର କାର୍ଗିଲରେ ଅବସ୍ଥିତ। ସେଥିପାଇଁ ଏଠାରେ ସବୁବେଳେ ସେନା ମୁତୟନ ଥାଆନ୍ତି। 

ସ୍ଥାନୀୟ ଲୋକେ କହନ୍ତି, ବ୍ରୋମ୍ଲେ ଭଳି ପୂର୍ବରୁ ଏହା ବ୍ରୋକ୍ହଣ୍ଡରମୋ ଭାବେ ପରିଚିତ ଥିଲା। ଭାରତୀୟ ସେନାର ମେଜର ମନ୍ ବାହାଦୁରଙ୍କ ସମ୍ମାନରେ ପରବର୍ତ୍ତୀ ସମୟରେ ଏହାର ନାଁ ହଣ୍ଡରମନ୍ ରଖାଗଲା। ୧୯୭୧ ଯୁଦ୍ଧରେ ପାକିସ୍ତାନ ସେନାକୁ ପଛକୁ ଫେରାଇବାରେ ମନ୍ ବାହାଦୂରଙ୍କର ବଡ଼ ଭୂମିକା ଥିଲା। ୧୯୬୫ ପର୍ଯ୍ୟନ୍ତ ଏହି ଅଞ୍ଚଳ ପାକିସ୍ତାନର ଅଂଶବିଶେଷ ଥିଲା। ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧ ପରେ ଏଠାରେ ଆଉ କେହି ଲୋକ ରହୁ ନଥିଲେ। ୧୯୭୧ରେ ହଣ୍ଡରମନ ଭାରତର ବୋଲି ସରକାରୀ ଭାବେ ଘୋଷଣା ହେଲା। ସେତେବେଳେ ବ୍ରୋଲ୍ମୋ, ବିଲାର୍ଗୁ ଏବଂ ଓଲ୍ଡିଂ ପାକିସ୍ତାନକୁ ଚାଲିଗଲା। 

ମୁସା କହିଲେ, "୧୯୭୧ରେ ଏହି ଅଞ୍ଚଳର ଅଧିକାଂଶ ମୁସଲିମ ପରିବାର ପାକିସ୍ତାନକୁ ଚାଲିଯିବାକୁ ସ୍ଥିର କଲେ। ଯେଉଁମାନେ ଘର ଛାଡିବା କଥା ଚିନ୍ତା କରିପାରିଲେନି ସେମାନେ ରହିଗଲେ।" ତେଣୁ ଦୁଇ ଶତ୍ରୁ ଦେଶର ସୀମା ଦ୍ୱାରା ପରିବାରଗୁଡ଼ିକ ଭାଗଭାଗ ହୋଇଗଲେ। 

ସୀମା ସେପାଖରେ ଥିବା ତାଙ୍କ ସଂପର୍କୀୟଙ୍କ ବିବାହର କିଛି ଫଟୋ ଦେଖାଇଲେ ଇଲିଆସ୍ - "ଦେଖନ୍ତୁ ଏ ହେଉଛନ୍ତି ମୋ ମାମୁଁ ଓ ତାଙ୍କ ଝିଅମାନେ। ଆମେ ତାଙ୍କ ବାହାଘରକୁ ଯାଇପାରିଲୁନି। ଦୁଃଖର କଥା, ବାହାଘରକୁ ମାସେ ପୂରିବ। ବିଧି ଅନୁସାରେ ଆମେ ତାଙ୍କ ଘରକୁ ବୁଲି ଯିବା କଥା। ପୂର୍ବରୁ ଏଠୁ ସେଠିକି ଯିବା ପାଇଁ ଗୋଟିଏ ଦିନ ଲାଗୁଥିଲା। ସେମିତି ଆହୁରି ଅନେକ ପରିବାର ଅଲଗା ହୋଇ ଯାଇଛନ୍ତି। ଆମେ ପରସ୍ପରର ଖୁବ୍ ନିକଟତର, ହେଲେ ଭୌଗୋଳିକ ଭାବେ ଅଲଗା ହୋଇ ଯାଇଛୁ।"

PHOTO • Stanzin Saldon
PHOTO • Stanzin Saldon

ସୀମାପାର ପାକିସ୍ତାନର ବ୍ରୋଲ୍ମୋ ଗାଁ (ବାମ)। ମ୍ୟୁଜିୟମରେ ଥିବା କଳାକୃତି ଭିତରେ ରହିଛି ପାକିସ୍ତାନର ପୁରୁଣା ଚିଠି ଏବଂ ପାସପୋର୍ଟ।

ଆମେ ହଣ୍ଡରମନ ମ୍ୟୁଜିୟମ ବାହାରେ ଖରାରେ ଛିଡା ହୋଇଥିଲୁ। କାର୍ଗିଲ ମ୍ୟୁଜିୟମର ରକ୍ଷକ ଆଜାଜ ମୁନ୍ସୀ (ମୁନସୀ ଆଜିଜ ଭଟ୍ଟ ମ୍ୟୁଜିଅମ ଯାହା ସେ କାର୍ଗିଲ ସହିତ ରଖିଥିଲେ, ସେଥିରେ ଅନ୍ୟ ଏକ କାହାଣୀ କରାଯାଇପାରିବ)  କହିଲେ, "ଛଅ ବର୍ଷ ପୂର୍ବରୁ ସେନାର ବିନା ଅନୁମତିରେ କୌଣସି ପର୍ଯ୍ୟଟକ ହଣ୍ଡରମନ ଆସିପାରୁ ନଥିଲେ। ଏହାର ଐତିହ୍ୟ ସଂପର୍କରେ ସେନାକୁ ଜଣାଇବା ଏବଂ ବାହାର ଲୋକଙ୍କୁ ଛାଡିବା ପାଇଁ ଅନୁରୋଧ କରି ଅନୁମତି ଆଣିବାରେ ଅନେକ ସମୟ ଲାଗିଗଲା।" 

ଉତ୍ତର କାର୍ଗିଲର ଏମିତି ଏକ ସୀମାନ୍ତ ଗାଁରେ ପ୍ରକଳ୍ପର ପୁନରୁଦ୍ଧାର ପାଇଁ ପରିବେଶ ସୃଷ୍ଟି କରିବା ଦିଗରେ ଅର୍ଥ ଏବଂ ସାଂସ୍କୃତିକ ବଧା ରହିଛି। ସ୍ଓେ୍ଛାକୃତ କାର୍ଯ୍ୟ ଏବଂ କିଛି ବ୍ୟକ୍ତି ବିଶେଷ ଏଥିପାଇଁ ଦାନ କରିଛନ୍ତି। ପ୍ରଥମେ ପ୍ରଥମେ ଏଠିକାର ଲୋକେ ବିରୋଧ କରୁଥିଲେ। ସେମାନଙ୍କ ସଂସ୍କୃତି ଏବଂ ଧାର୍ମିକ ମୂଲ୍ୟବୋଧରେ ଅପମିଶ୍ରଣ ଘଟିବ ବୋଲି ସେମାନେ ଭୟ କରୁଥିଲେ। ମୁଜାମିଲ ହୁସେନ୍ କହିଲେ, "ସଂରକ୍ଷଣ ଏବଂ ପୁନରୁଦ୍ଧାରର ମୂଲ୍ୟ କଣ ସେ ସମ୍ପର୍କରେ ଏଠାକାର ଲୋକଙ୍କୁ ଏବଂ ପ୍ରଶାସନକୁ ବୁଝାଇବା ଭାରି ମୁସ୍କିଲ।"  ସେ କାର୍ଗିଲରେ ସଂରକ୍ଷଣ, ସଂସ୍କୃତି ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ କାର୍ଯ୍ୟ କରନ୍ତି। ହଣ୍ଡରମନ ପ୍ରକଳ୍ପ ପାଇଁ ମଧ୍ୟ କାମ କରନ୍ତି। “ଏହି ଭଙ୍ଗା, ପୁରୁଣା ଘର ଗୁଡିକୁ ଲୋକେ ବୁଲି ଆସିବା ପ୍ରଥମେ ପ୍ରଥମେ ଏଠାକାର ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଥିଲା। ବାହାର ଦୁନିଆର କୁପ୍ରଭାବ ପଡ଼ିବା ନେଇ ମଧ୍ୟ ଆଶଂକା କରୁଥିଲେ। ହେଲେ ସମୟ ଅନୁସାରେ ଲୋକେ ଗ୍ରହଣ କରିନେଇଛନ୍ତି। ଏପରିକି ବର୍ତ୍ତମାନ ଯୁବକମାନେ ଏଥିରେ ଅଧିକ ଶ୍ରମଦାନ କରୁଛନ୍ତି”। 

୨୦୧୫ରେ ଗୁଜରାଟ ଏବଂ ମହାରାଷ୍ଟ୍ରର ସ୍ଥାପତ୍ୟ ବିଭାଗର କିଛି ଛାତ୍ରଛାତ୍ରୀ ଏବଂ ଫ୍ରନ୍ସ ଓ ଜର୍ମାନୀର କିଛି ଛାତ୍ରଛାତ୍ରୀ ଏଠାକୁ ବୁଲି ଆସିଥିଲେ। ପୁନରୁଦ୍ଧାର ପାଇଁ ସେମାନେ ଗାଁ ଲୋକଙ୍କୁ କିଛି ଯୋଜନା ଦେଇଥିଲେ। ଏହା ପରଠାରୁ ଏହି ମ୍ୟୁଜିୟମ ଅତୀତ ଜୀବନର ସ୍ମୃତି ପାଲଟିଯାଇଛି। ଏଠାରେ ସ୍ଥାନ ପାଇଥିବା ସାଂସ୍କୃତିକ କଳାକୃତି ଭିତରେ ରହିଛି ରୋଷେଇ ଉପକରଣ, ବ୍ୟାବହାରିକ ଯନ୍ତ୍ରପାତି, ପରିଧାନ, ପାରଂପରିକ ଇନ୍ଡୋର ଖେଳ। ଭାରତ-ପାକିସ୍ତାନ ଯୁଦ୍ଧର କିଛି ସ୍ମାରକ ମଧ୍ୟ ରହିଛି। ପାକିସ୍ତାନୀ ସୈନ୍ୟ ଛାଡି ଯାଇଥିବା କିଛି ବ୍ୟକ୍ତିଗତ ଜିନିଷ ଏବଂ ସୀମା ଆରପାରିକୁ ଚାଲିଯାଇଥିବା ଗାଁ ଲୋକଙ୍କର କିଛି ଫଟୋ ସ୍ଥାନ ପାଇଛି। କିଛି ଚିଠି ମଧ୍ୟ ସଂଗ୍ରାହାଳୟରେ ରହିଛି। ତା ଭିତରେ ରହିଛି ଇଲିୟାସଙ୍କ ଜଣେ ସଂପର୍କୀୟଙ୍କ ଚିଠି। ଏଠି ଏମାନେ କେମିତି ଅଛନ୍ତି ସେ ସଂମ୍ପର୍କରେ ଜିଜ୍ଞାସା କରିବା ସହ ମଙ୍ଗଳ କାମନା କରି ସେ ଏହି ଚିଠି ଲେଖିଥିଲେ। 

PHOTO • Stanzin Saldon
PHOTO • Stanzin Saldon
PHOTO • Stanzin Saldon

ମ୍ୟୁଜିୟମରେ ପୁରୁଣା ରୋଷେଇ ଉପକରଣ, ପାରମ୍ପରିକ ଇନଡୋର ଖେଳ, ଭାରତ-ପାକିସ୍ତାନ ଯୁଦ୍ଧରେ ବ୍ୟବହୃତ କ୍ଷେପଣାସ୍ତ୍ରର ଅବଶେଷ

ଯୁଦ୍ଧର ସ୍ମାରକୀ ଭାବେ ଗୁଳି, କ୍ଷେପଣାସ୍ତ୍ରର ଅବଶେଷ, ବନ୍ଧୁକ ଏବଂ ପିସ୍ତଲ ମଧ୍ୟ ମ୍ୟୁଜିୟମରେ ସ୍ଥାନ ପାଇଛି। ମୁସା କହିଲେ, “ଯୁଦ୍ଧ ସମୟରେ ମଧ୍ୟ ମୁଁ ଏଠି ରହୁଥିଲି। ପ୍ରାୟ ୩୦ ବର୍ଷ ଏଠାରେ ରହିଛି। ମୋ ବାପା ଏବଂ ଗାଁର ଅନ୍ୟ ଲୋକମାନେ ପାକିସ୍ତାନ ସେନାର ଜିନିଷପତ୍ର ବୁହାବୋହି କରୁଥିଲେ। କିନ୍ତୁ ମୁଁ ଏବଂ ମୋ ବୟସର ଲୋକମାନେ ଭାରତୀୟ ସେନା ପାଇଁ ଏହି କାମ କରୁଥିଲୁ। ସେନାର ଖାଦ୍ୟ, ଅସ୍ତ୍ରଶସ୍ତ୍ର, ଔଷଧ ଏବଂ ବିଭିନ୍ନ ପ୍ରକାର ସାମଗ୍ରୀ ମୋ ଗଧ ପିଠିରେ ପକାଇ ପାହାଡ଼ ଉପରକୁ ବୋହୁଥିଲି। ଏହ ମ୍ୟୁଜିୟମରେ ଏମିତ ଅନେକ କିଛି ରହିଛି ଯାହା ଅତୀତକୁ ମନେ ପକାଇଦେବ। ଏଠାକୁ ଲୋକ ବୁଲିବାକୁ ଆସିଲେ ମୁଁ ଭାରି ଖୁସି ହୁଏ। ସେମାନଙ୍କ ପାଖରେ ହଣ୍ଡରମନ ଏବଂ ଏହାର ଲୋକଙ୍କ ସଂପର୍କରେ ବିଭିନ୍ନ କାହାଣୀ ବର୍ଣ୍ଣନା କରେ”। 

ମ୍ୟୁଜିୟମର ଭବିଷ୍ୟତ ପାଇଁ ଅନେକ ଯୋଜନା ହୋଇଛି। ଅଜିଜ ମୁନ୍ସୀ କହିଲେ, "ପଢା ଘର, ଧ୍ୟାନ ପାଇଁ ପ୍ରକୋଷ୍ଠ ଏବଂ ଲଦାଖି ଖାଦ୍ୟର ଏକ ରେଷ୍ଟୁରାଣ୍ଟ ପାଇଁ ଆମେ ଯୋଜନା କରୁଛୁ। କିନ୍ତୁ ଏଥିପାଇଁ ଆର୍ଥିକ ସହଯୋଗ ମିଳୁନି।"

ଏହି ଗାଁର ଆର୍ଥିକ ସ୍ଥିତି ଧୀରେଧୀରେ ବଦଳୁଛି। ଚାଷ ଏବଂ ପରିବହନ ଛଡା ପର୍ଯ୍ୟଟନ ଯୋଗୁଁ ଏବେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେଲାଣି। ଏବେ ଏଠି ଛୋଟଛୋଟ ଦୋକାନ ଖୋଲିଲାଣି। ସ୍ଥାନୀୟ ଜିନିଷ ସବୁ ଏହି ଦୋକାନ ଗୁଡ଼ିକରେ ବିକ୍ରି ହୁଏ। ଆମ ସହ ଥିବା ସବୀର କହିଲେ, "ମୁଁ ୯ ବର୍ଷ ହେବ ଗୋଟିଏ ଟ୍ୟାକ୍ସି ଚଳାଉଛି। ହଣ୍ଡରମନ୍କୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଖରା ଋତୁରେ କାର୍ଗିଲ ବଜାରରୁ ମୁଁ ଦିନକୁ ତିନି ଟ୍ରିପ୍ କରେ। ସ୍ଥାନୀୟ, ଭାରତୀୟ ଏବଂ ବିଦେଶୀ ପର୍ଯ୍ୟଟକମାନେ ଆସନ୍ତି। ମୁଁ ଏକା ନୁହେଁ, ଅନ୍ୟ ଟ୍ୟାକ୍ସିରେ ମଧ୍ୟ ପର୍ଯ୍ୟଟକ ବି ଅଛନ୍ତି।" 

ହଣ୍ଡରମନ ବ୍ରୋକ୍, ଏବେ ଏହାର ଆଶା, ପାରିବାରିକ ଇତିହାସ ଏବଂ ସ୍ମୃତି କାର୍ଗିଲ ଡେଇଁ ସାରା ଦୁନିଆରେ ପହଞ୍ଚିଲାଣି। ଇଲିୟାସ କହିଲେ, "ଏଠିକାର ଲେକେ ଭାବିଲେଣି ଯେ, ଏହାର ଉପଯୁକ୍ତ ସଂରକ୍ଷଣ ନହେଲେ ସବୁଦିନ ପାଇଁ ଇତିହାସରୁ ଲିଭିଯିବ। ଆମେ ଖୁବ୍ ଶୀଘ୍ର କାମ କରିବାକୁ ଚାହୁଁଛୁ। ଗ୍ରୀଷ୍ମ ଋତୁ ଭିତରେ ପୁନରୁଦ୍ଧାର କାମ ସାରିବାକୁ ପଡ଼ିବ। କାରଣ ଶୀତ ଦିନେ ଅଧିକ କ୍ଷତି ହୋଇଥାଏ। ଦଶନ୍ଧି ପରେ ଭାରତ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ହେଉଛି। ଏଠାକାର ଲୋକେ ଶାନ୍ତି ଚାହାନ୍ତି। ସେ କହିଲେ, "ଆମେ ଆଉ ଯୁଦ୍ଧ ଚାହୁନୁ। ଏହି ଐତିହ୍ୟ ଆମର ସ୍ୱପ୍ନ। ଏହାର ମହକ ଆମେ ବାଣ୍ଟିବାକୁ ଚାହୁଛୁ। ଏହାହିଁ ବାସ୍ତବତା।"

ଅନୁବାଦ: ଓଡ଼ିଶାଲାଇଭ୍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Stanzin Saldon

ଲେଖକଙ୍କ ସମ୍ପର୍କରେ: ଷ୍ଟାନଜି ସାଲଡନ ହେଉଛନ୍ତି ଲେହ ଲଦାଖ ଅଞ୍ଚଳର ୨୦୧୭ ପରିର ବ୍ୟକ୍ତିବିଶେଷ। ପିରାମାଲ ଫାଉଣ୍ଡେସନ୍ ଫର ଏଜୁକେସନ୍ ଲିଡରସିପ୍, ଷ୍ଟେଟ୍ ଏଜୁକେସନାଲ ଟ୍ରାନ୍ସଫର୍ମେସନ ପ୍ରକଳ୍ପର କ୍ୱାଲିଟି ଇମ୍ପ୍ରୁଭମେଣ୍ଟ ମ୍ୟାନେଜର। ସେ ମଧ୍ୟ ଆମେରିକୀୟ ଭାରତ ପ୍ରତିଷ୍ଠାନ ଡବ୍ଲୁ.ଜେ. କ୍ଲିଣ୍ଟନ (୨୦୧୫-୧୬)ର ସହଯୋଗୀ।

Other stories by Stanzin Saldon