୨୫୦୦ ଟଙ୍କାର ଡାଉନ ପେମେଣ୍ଟ ଦେବା ପରେ ଜୀବନରେ ପ୍ରଥମ ଥର ପାଇଁ ରାଜେଶ ଅନ୍ଧାରେ ସ୍ମାର୍ଟଫୋନ ଧରିଲେ। ଦୁଇ ବର୍ଷ ପରେ, ତଥାପି ସେ ଏହାକୁ ଚଳାଇ ପାରୁନଥିଲେ। “ଏହା ମୋ ବଡ଼ ପୁଅ ଦିନେଶ ପାଇଁ ଏକ ଉପହାର ଥିଲା, ଯିଏକି ସ୍କୁଲରୁ ପାସ କରିଥିଲା,” ବୋଲି କୁହନ୍ତି ୪୩ ବର୍ଷୀୟ ରାଜେଶ। “ଅବଶିଷ୍ଟ ଅର୍ଥ ମୁଁ ୫ଟି କିସ୍ତିରେ ୧୦୦୦ ଟଙ୍କା ଲେଖାଏଁ ଦେଇ ସୁଝିଥିଲି। ଫୋନର ମୂଲ୍ୟ ପାଖାପାଖି ୭୫୦୦ ଟଙ୍କା ଥିଲା।”

ସ୍ମାର୍ଟଫୋନଟି ୧୬ ବର୍ଷୀୟ ଦିନେଶ ପାଇଁ ଥିଲା, କିନ୍ତୁ ମହାରାଷ୍ଟ୍ରର ପାଲଘର ଜିଲ୍ଲାର ଡୋଙ୍ଗରୀ ଗାଁ ଘରେ ଥିବା ରାଜେଶ ଏହାକୁ ବ୍ୟବହାର କରିବା ଲାଗି ଚେଷ୍ଟା କରିଥିଲା - ହେଲେ କିଛି ଫଳ ମିଳିଲା ନାହିଁ। 

ଏ ଫୋନ ପାଇଁ ଦିନକୁ ୨୫୦ରୁ ୩୦୦ଟଙ୍କା ମଧ୍ୟରେ ରୋଜଗାର କରୁଥିବା ରାଜେଶଙ୍କ ଭଳି ଜଣେ ଦିନ ମଜୁରିଆ ନିଜର ଗୋଟିଏ ମାସର ଆୟକୁ ଖର୍ଚ୍ଚ କରିଥିଲେ। “ମୁଁ ଏହାକୁ ବ୍ୟବହାର କରି ଶିଖିବା ଲାଗି ଚେଷ୍ଟା କରିଥିଲି,” ସେ କୁହନ୍ତି। “କିନ୍ତୁ କିଛିଦିନ ପରେ ମୁଁ ନିରାଶ ହୋଇ ଛାଡ଼ି ଦେଇଥିଲି। ମୋର ପୁରୁଣା ଫୋନ ଭଲ, ଯାହାର କିପ୍ୟାଡ ରହିଛି”।

ତଲାସରୀର ଉପାନ୍ତ ପାର୍ବତ୍ୟାଞ୍ଚଳ ଏବଂ କଷ୍ଟକର ସ୍ଥିତିରେ ମୁଖ୍ୟତଃ କମ୍ ଆୟକାରୀ ଆଦିବାସୀ ପରିବାର ରହିଥାନ୍ତି। ଏହା ସତ୍ତ୍ୱେ ତାଙ୍କ ପୁଅଙ୍କ ବୟସର ପିଲାମାନେ ସ୍ମାର୍ଟଫୋନ ବ୍ୟବହାର କରିବାରେ ବେଶ୍ ସିଦ୍ଧହସ୍ତ। କିନ୍ତୁ ସେମାନେ ଏହାର ଦର ଏବଂ ସଂଯୋଗ ସ୍ଥିତି ସମ୍ପର୍କରେ ଅନଭିଜ୍ଞ।

ଗୁଜରାଟ ସୀମା ନିକଟରେ ଥିବା ଏହି ଆଦିବାସୀ ଇଲାକା ମୁମ୍ବାଇରୁ ମାତ୍ର ୧୩୦ କିମି ଦୂର-କିନ୍ତୁ ଏଠାରେ ଇଣ୍ଟରନେଟ ସଂଯୋଗ ସୁବିଧା ଅତ୍ୟନ୍ତ ଦୁର୍ବଳ। “ଏପରିକି ବିଦ୍ୟୁତ ଯୋଗାଣ ମଧ୍ୟ ଖୁବ୍ ଅସ୍ଥିର, ବିଶେଷ କରି ମୌସୁମୀ ଋତୁରେ,” କୁହନ୍ତି ୱାର୍ଲି ଜନଜାତିର ରାଜେଶ।

ତେଣୁ ଯଦି ଆପଣ ଡୋଙ୍ଗରିରେ ଏକ ଗଛ ମୂଳେ କିଛି ପୁଅପିଲାଙ୍କୁ ବସିଥିବା ଦେଖନ୍ତି ତ’ ସହଜରେ କହିହେବ ଯେ ସେଠାରେ କିଛି ମାତ୍ରାରେ ନେଟୱର୍କ ରହିଛି। ସେହି ପିଲାମାନଙ୍କ ମଧ୍ୟରୁ ଜଣେ କିମ୍ବା ଦୁଇ ଜଣଙ୍କ ନିକଟରେ ସ୍ମାର୍ଟ ଫୋନ ଥିବ, ଅନ୍ୟମାନେ ଆଗ୍ରହର ସହ ଏହାକୁ ଚାହିଁଥିବେ। ଆହୁରି ହଁ, ସେମାନେ କେବଳ ପୁଅ ପିଲା ହୋଇଥିବେ। ଏଠାରେ ନିଜର ସ୍ମାର୍ଟଫୋନ ଥିବା ଝିଅଙ୍କୁ ପାଇବା କଷ୍ଟକର।

Rajesh Andhare, a labourer, spent a month's earnings to buy a smartphone for his son Dinesh. Here, with his wife Chandan and their daughter Anita, who is doubtful about learning through  a phone
PHOTO • Parth M.N.

ଶ୍ରମିକ ରାଜେଶ ଅନ୍ଧାରେଙ୍କୁ ନିଜ ପୁଅ ଦିନେଶ ପାଇଁ ସ୍ମାର୍ଟଫୋନ କିଣିବା ଲାଗି ମାସକର ରୋଜଗାର ଖର୍ଚ୍ଚ କରିବାକୁ ପଡ଼ିଥିଲା। ଏଠାରେ, ତାଙ୍କ ପତ୍ନୀ ଚନ୍ଦନା ଓ ସେମାନଙ୍କର ଝିଅ ଅନୀତା ଅଛନ୍ତି, ଯିଏ କି ଏକ ସ୍ମାର୍ଟଫୋନ ଜରିଆରେ ପାଠ ପଢ଼ିବା ନେଇ ସନ୍ଦିହାନ

କରୋନା ଭୂତାଣୁ କାରଣରୁ ଜାରି ଲକଡାଉନକୁ ଆଖି ଆଗରେ ରଖି “ଅନଲାଇନ ପାଠପଢ଼ା’’ ଓ ଶିକ୍ଷାଦାନ ଆଡ଼କୁ ଦ୍ରୁତ ପରିବର୍ତ୍ତନ ସହିତ ମହାରାଷ୍ଟ୍ରର ଗ୍ରାମାଞ୍ଚଳ ଜିଲ୍ଲାଗୁଡ଼ିକରେ ଥିବା ଲକ୍ଷ ଲକ୍ଷ ଗରିବ ଛାତ୍ରଛାତ୍ରୀ କିଭଳି ଭାବେ ଖାପଖୁଆଇ ଚାଲିପାରିବେ? ରାଜ୍ୟ ଅର୍ଥନୈତିକ ସର୍ବେକ୍ଷଣ ଅନୁଯାୟୀ କେବଳ ପ୍ରାଥମିକ ବିଦ୍ୟାଳୟରେ ୧୫ ନିୟୁତ ଛାତ୍ରଛାତ୍ରୀ ରହିଛନ୍ତି, ସେମାନଙ୍କ ମଧ୍ୟରୁ ୭୭ ପ୍ରତିଶତ ଗ୍ରାମୀଣ ଜିଲ୍ଲାର । ଅଧିକାଂଶ ପିଲାମାନଙ୍କର ଅଭିଭାବକ ରାଜେଶ ଅନ୍ଧାରେଙ୍କ ଭଳି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ।

******

ଅନଲାଇନ ଶିକ୍ଷାଦାନ ଦୌଡ଼ରେ ଥିବା ଅହମଦନଗର ଜିଲ୍ଲାର ଆକୋଲେ ସହରର ସ୍କୁଲ ଶିକ୍ଷକ ତଥା ସାମାଜିକ କର୍ମୀ ଉାଉ ଚସ୍କର କୁହନ୍ତି, “ଏହା କିଛି ନୁହେଁ ବରଂ ଡିଜିଟାଲ ବିଭାଜନ। ଶିକ୍ଷାଦାନର ଉପଯୁକ୍ତ ମାଧ୍ୟମ ହ୍ୱାଟ୍ସଆପ ନୁହେଁ।”

ଚଳିତ ବର୍ଷ ଜୁନ ୧୫ ତାରିଖରେ ମହାରାଷ୍ଟ୍ର ସରକାର ଏକ ନିର୍ଦ୍ଦେଶନାମା ଜାରି କରିଥିଲେ ଯେଉଁଥିରେ ଶିକ୍ଷାବର୍ଷ ଆରମ୍ଭ କରିବାରେ ସମସ୍ୟା ବିଷୟରେ ଉଲ୍ଲେଖ କରାଯାଇଥିଲା।  ବର୍ତ୍ତମାନର ସଙ୍କଟଜନକ ପରିସ୍ଥିତିରେ ତିନି ମାସ ଧରି ସ୍କୁଲଗୁଡ଼ିକ ବନ୍ଦ ଥିବାବେଳେ ଏଥିରେ ବିକଳ୍ପ ମାର୍ଗ ବିଷୟରେ ଉଲ୍ଲେଖ କରାଯାଇଥିଲା।

“ଆଗକୁ ଦେଖିଲେ, ବିକଳ୍ପ ମାର୍ଗରେ ଶିକ୍ଷାଦାନ ଜାରି ରଖିବା ଆମ ପାଇଁ ଜରୁରି। ସ୍ୱାଭାବିକ ପ୍ରକ୍ରିୟାରେ ଶିକ୍ଷାଦାନ ଛାଡ଼ିବାକୁ ହେବ । ପିଲାମାନେ ନିଜେ ପଢ଼ିବେ ଏବଂ ଶିକ୍ଷକମାନେ ପରବର୍ତ୍ତୀ ସମୟରେ ସେମାନଙ୍କର ପ୍ରଶ୍ନର ସମାଧାନ କରିପାରିବେ । ଆମ ପାଖରେ ଟିଭି, ରେଡିଓ ଏବଂ ଅନ୍ୟ ଅନଲାଇନ ମାଧ୍ୟମ ରହିଛି । ଆମେ ଏହାକୁ ବ୍ୟବହାର କରିବା ଉଚିତ, ” ବୋଲି ଏହି ନିର୍ଦ୍ଦେଶନାମାରେ କୁହାଯାଇଥିଲା ।

ବାସ୍ତବରେ, ଅନଲାଇନ ମାର୍ଗ ଉପରେ ବିଶେଷ ଜୋର ଦିଆଯାଇଥିଲା। 

ଡୋଙ୍ଗରି ଗ୍ରାମର ଜିଲ୍ଲା ପରିଷଦ ସ୍କୁଲର ଜଣେ ଶିକ୍ଷକ ରବି ରାଖ କୁହନ୍ତି, ଜୁନ ୧୫ରେ ନିର୍ଦ୍ଦେଶନାମା ପ୍ରକାଶ ପାଇବା ପରେ ସେ ଓ ତାଙ୍କ ସହଯୋଗୀମାନେ ଘରେ ସ୍ମାର୍ଟ ଫୋନ ଥିବା ପିଲାମାନଙ୍କର ନମ୍ବର ସଂଗ୍ରହ କରିବା ଆରମ୍ଭ କଲେ। ସେ କୁହନ୍ତି, “ଆମ ଶିକ୍ଷକମାନଙ୍କର ଏକ ହ୍ୱାଟ୍ସଆପ ଗ୍ରୁପ ରହିଛି ଯେଉଁଥିରେ ଆମେ ପିଲାମାନଙ୍କ ପାଇଁ ଆବଶ୍ୟକ ନିର୍ଦ୍ଦେଶ ଏବଂ ସିଲାବସ୍ ସହିତ ପିଡିଏଫ୍ ଫାଇଲ୍ କିମ୍ବା ଭିଡିଓ ଗ୍ରହଣ କରୁ । ସେଗୁଡ଼ିକୁ ଆମେ ପିଲାମାନଙ୍କର ଘରେ ଥିବା ସ୍ମାର୍ଟଫୋନକୁ ପଠାଇ ଦେଉଛୁ। ପିଲାମାନଙ୍କ ପାଇଁ ସ୍ମାର୍ଟଫୋନ ରଖିବା ନିମନ୍ତେ ଆମେ ଅଭିଭାବକମାନଙ୍କୁ ଅନୁରୋଧ କରୁଛୁ। ସେମାନେ ହଁ କହୁଛନ୍ତି, କିନ୍ତୁ ଏହା ଭଲ ଭାବେ କାମ କରୁନାହିଁ।”

ବିକଳ୍ପ ମାର୍ଗରେ କିପରି କାର୍ଯ୍ୟ କରିହେବ ତାହା କଳ୍ପନା କରିବା କଷ୍ଟକର।

Most students with smartphones are aged 16 and above in Dongari village, where the zilla parishad school (right) is up to Class 8
PHOTO • Parth M.N.
Most students with smartphones are aged 16 and above in Dongari village, where the zilla parishad school (right) is up to Class 8
PHOTO • Ravi Rakh

ସ୍ମାର୍ଟଫୋନ ଥିବା ଅଧିକାଂଶ ଛାତ୍ରଛାତ୍ରୀଙ୍କ ବସୟ ୧୬ ବର୍ଷ ହେବ ଏବଂ ଗାଁରେ ଥିବା ଜିଲ୍ଲା ପରିଷଦ ସ୍କୁଲ (ଡାହାଣ)ରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ସୁବିଧା ରହିଛି।

୨୦୧୭-୧୮ର ଜାତୀୟ ନମୁନା ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ରର ମାତ୍ର ୧୮.୫ ପ୍ରତିଶତ ଗ୍ରାମୀଣ ପରିବାର ନିକଟରେ ଇଣ୍ଟରନେଟ ସଂଯୋଗ ରହିଛି। ଏହାଛଡ଼ା ମହାରାଷ୍ଟ୍ରର ଗ୍ରାମୀଣ ଇଲାକାରେ ପ୍ରତି ୬ ଜଣଙ୍କ ମଧ୍ୟରେ ଜଣେ ଲୋକ “ଇଣ୍ଟରନେଟ ବ୍ୟବହାର କରିବା” ଜାଣନ୍ତି । ମହିଳାମାନଙ୍କ ମଧ୍ୟରେ ଅନୁପାତ ପ୍ରତି ୧୧ ଜଣଙ୍କ ମଧ୍ୟରେ ଜଣେ ରହିଛି।

ଏହି ରିପୋର୍ଟରେ ଆହୁରି ଉଲ୍ଲେଖ କରାଯାଇଛି ଯେ ଏହି ସର୍ବେକ୍ଷଣ ଆରମ୍ଭ ହେବାର ୩୦ ଦିନ ମଧ୍ୟରେ ମହାରାଷ୍ଟ୍ରର ପ୍ରତି ୭ ଜଣଙ୍କ ମଧ୍ୟରେ ଜଣେ ବ୍ୟକ୍ତି ଇଣ୍ଟରନେଟ ବ୍ୟବହାର କରିବାରେ ସମର୍ଥ ହୋଇଥିଲେ। ମହିଳାମାନଙ୍କ ପାଇଁ ଏହା ୧୨ ଜଣଙ୍କ ମଧ୍ୟରେ ଜଣେ ଥିଲା। ମହାରାଷ୍ଟ୍ରର ଜନସଂଖ୍ୟା ମଧ୍ୟରେ ଏହି ସୁବିଧାରୁ ସବୁଠାରୁ ବଞ୍ଚିତ ବର୍ଗ ହେଲେ ଆଦିବାସୀ ଓ ଦଳିତ, ଏମାନଙ୍କ ମଧ୍ୟରେ ଯଥାକ୍ରମେ ମାତ୍ର ୯.୪ ଓ ୧୨ ପ୍ରତିଶତ ଲୋକଙ୍କ ନିକଟରେ ଇଣ୍ଟରନେଟ ସୁବିଧା ରହିଛି।

ଏହି ଗ୍ରାମୀଣ କ୍ଷେତ୍ରରେ ବିଦ୍ୟାଳୟଗୁଡ଼ିକର ସ୍ଥିତିକୁ ଉଚ୍ଚଶିକ୍ଷା ପ୍ରତିଫଳିତ କରିଥାଏ ବୋଲି ବମ୍ବେ ବିଶ୍ୱବିଦ୍ୟାଳୟ ଏବଂ କଲେଜ ଶିକ୍ଷକ ସଂଘର ସର୍ବେକ୍ଷଣରୁ ଜଣପଡ଼ିଛି। ଜୁନ ୭ ତାରିଖରେ ଡ. ତାପତୀ ମୁଖୋପାଧ୍ୟାୟ ଏବଂ ଡ. ମଧୁ ପାରାଞ୍ଜପେଙ୍କ ଦ୍ୱାରା ପ୍ରସ୍ତୁତ ଏହି ରିପୋର୍ଟ ପ୍ରକାଶ ପାଇଥିଲା। ଯେଉଁଥିରେ ପାଲଘର ଜିଲ୍ଲାର ଜବାହର ତାଲୁକା ବିଷୟରେ ଉଲ୍ଲେଖ କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ, ସବୁକିଛି ଠପ୍ ହୋଇଯାଇଛି। କ୍ୟାମ୍ପସଗୁଡ଼ିକ ବନ୍ଦ ହୋଇଯାଇଛି ଏବଂ  ଶିକ୍ଷାଦାନ କିମ୍ବା ପାଠ୍ୟୋତ୍ତର ଗତିବିଧି ଆଦୌ ହେଉନାହିଁ ।” ଇଣ୍ଟରନେଟ ସଂଯୋଗ ନାହିଁ, ଯେଉଁଠି ଅଛି ସେଠାରେ ଅତ୍ୟନ୍ତ ଦୁର୍ବଳ ସ୍ଥିତିରେ ରହିଛି। ବିଦ୍ୟୁତ ସଂଯୋଗ ଅତ୍ୟନ୍ତ ଅସ୍ଥିର । “ଏଭଳି ସ୍ଥିତିରେ ଅନଲାଇନ ଶିକ୍ଷାଦାନ/ପାଠପଢ଼ା ହୋଇପାରିବ ନାହିଁ,” ବୋଲି ସେମାନେ ଆକଳନ କରିଥିଲେ।

ଭାଉ ଚସ୍କର ଚେତାଇ ଦେଇଛନ୍ତି ଯେ- ଯେଉଁ ପିଲାମାନେ ଦାମୀ ଫୋନ, କମ୍ପ୍ୟୁଟର କିଣି ନପାରିବା କାରଣରୁ ପଛରେ ପଡ଼ିଯାଇଛନ୍ତି “ସେମାନଙ୍କ ମନରେ ନ୍ୟୁନ ଭାବନା ସୃଷ୍ଟି ହୋଇପାରେ”। ସେ ଯୁକ୍ତି ବାଢ଼ିଥାନ୍ତି ଯେ ଗ୍ରାମାଞ୍ଚଳରେ ଟେଲିଭିଜନ ଯଥେଷ୍ଟ ପରିମାଣରେ ଉପଲବ୍ଧ ରହିଛି, ଏବଂ କୁହନ୍ତି, “ରାଜ୍ୟ ସରକାର ଏକ ଚ୍ୟାନେଲ ଆରମ୍ଭ କରିବା ଉଚିତ, ଯେଉଁଠି ଆମେ ପିଲାମାନଙ୍କୁ ପାଠ ପଢ଼ାଇପାରିବୁ ଏବଂ ସେମାନଙ୍କୁ ବିଭିନ୍ନ କାର୍ଯ୍ୟକଳାପରେ ସମ୍ପୃକ୍ତ ରଖିପାରିବୁ। ଏଥିପାଇଁ ରାଜ୍ୟ ସରକାର ତୁରନ୍ତ ଏକ କାର୍ଯ୍ୟପୁସ୍ତିକା ପ୍ରସ୍ତୁତ କରିବା ଉଚିତ। କେରଳ ସରକାର ଏହିପରି ଏକ ପଦକ୍ଷେପ ଗ୍ରହଣ କରିଛନ୍ତି।  ମହାରାଷ୍ଟ୍ର ସରକାରଙ୍କ ନିର୍ଦ୍ଦେଶନାମାରେ ଟିଭି ଓ ରେଡିଓ ବିଷୟରେ ଉଲ୍ଲେଖ କରାଯାଇଛି, କିନ୍ତୁ ଏହାକୁ କିଭଳି ବ୍ୟବହାର କରିବା ଉଚିତ ସେ ବିଷୟରେ କିଛି ଯୋଜନା ନାହିଁ।

*****

ରାଜେଶ ଅନ୍ଧାରେଙ୍କ ସାନ ଝିଅ ଅନୀତା (୧୧) ଗାଁରେ ଥିବା ଜିଲ୍ଲା ପରିଷଦ ସ୍କୁଲରେ ପଢ଼ିଥାନ୍ତି। ତାଙ୍କର ପାଠପଢ଼ା ପାଇଁ ଦରକାର ହେଲେ ବଡ଼ ଭାଇ ଦିନେଶ ତାଙ୍କୁ ସ୍ମାର୍ଟଫୋନ ଦେବେ କି? “ସେ ଦେବେ, କିନ୍ତୁ ଅନିଚ୍ଛାରେ,” ଅନୀତା କୁହନ୍ତି। “ଲକଡାଉନ ପୂର୍ବରୁ, ସେ ମୋତେ ଏହାକୁ ବ୍ୟବହାର କରିବାକୁ ଦେଉନଥିଲା।

'The kids were well looked after by their teachers [when schools were open]', says 40-year-old Chandan (left), Anita’s mother
PHOTO • Parth M.N.
'The kids were well looked after by their teachers [when schools were open]', says 40-year-old Chandan (left), Anita’s mother
PHOTO • Parth M.N.

“ସ୍କୁଲ ଖୋଲିଲେ ଶିକ୍ଷକମାନେ ହିଁ ପିଲାମାନଙ୍କର ଭଲ ଭାବେ ଯତ୍ନ ନେଇପାରିବେ”, ବୋଲି କୁହନ୍ତି ଅନୀତାଙ୍କ ମା’ ୪୦ ବର୍ଷୀୟା ଚନ୍ଦନ(ବାମ)।

ଗତ ଦୁଇ ବର୍ଷ ଧରି, ଅନୀତା କିଛି ମାତ୍ରାରେ ସ୍ମାର୍ଟଫୋନ ଚଳାଇବା ଶିଖିଯାଇଛନ୍ତି। କିନ୍ତୁ ଏହା ମାଧ୍ୟମରେ ପାଠ ପଢ଼ିବା ନେଇ ସେ ସନ୍ଦିହାନ ଅଛନ୍ତି। “ଅନଲାଇନ ପାଠପଢ଼ା ବିଷୟରେ ମୁଁ ଚିନ୍ତା ମଧ୍ୟ କରିପାରୁନାହିଁ। ମୋର ଯଦି କିଛି ପ୍ରଶ୍ନର ପଚାରିବାର ଥାଏ? ଯଦି ମୁଁ ହାତ ଉଠାଏ, ଶିକ୍ଷକମାନେ ମୋତେ ଦେଖିପାରିବେ ତ’?”

ଭିକ୍ଲୁ ଭିଲାଟ (୧୩)ଙ୍କର ସେପରି କୌଣସି ଚିନ୍ତା ନାହିଁ। ସେହି ଗ୍ରାମର ପଡ଼ୋଶୀ ପଡ଼ାରେ ରହୁଥିବା ଏହି ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କ ଭାଗ୍ୟରେ କେବେ ସ୍ମାର୍ଟ ଫୋନ ଧରିବାର ସୁଯୋଗ ଆସିନାହିଁ। ଅନଲାଇନ ପାଠପଢ଼ା କେମିତି ହୋଇଥିବ ସେ କେବଳ ସେହି କଳ୍ପନା କରୁଛନ୍ତି। ତାଙ୍କ ବାପା ଶଙ୍କର, ରାଜେଶଙ୍କ ଭଳି ଜଣେ ଗରିବ ଶ୍ରମିକ। “ଆମର ମାତ୍ର ଗୋଟିଏ ଏକର ଚାଷ ଜମି ରହିଛି,” ସେ କୁହନ୍ତି। “ଏଠାରେ ଅନ୍ୟମାନଙ୍କ ଭଳି ଶ୍ରମିକ ଭାବେ କାମ କରି ମୁଁ ମୋ ପରିବାର ଚଳାଇଥାଏ।”

ଯେଉଁମାନଙ୍କ ପାଖରେ ସ୍ମାର୍ଟ ଫୋନ ନାହିଁ ସେମାନଙ୍କର କ’ଣ ହେବ? ଡୋଙ୍ଗରିର ସ୍କୁଲ ଶିକ୍ଷକ ରବି ରଖ କୁହନ୍ତି, ସବୁ ଛାତ୍ରଛାତ୍ରୀଙ୍କୁ ଶିକ୍ଷକମାନେ ପାଠ୍ୟପୁସ୍ତକ ବିତରଣ କରି ଦେଇଛନ୍ତି। “ଆମେ ସେମାନଙ୍କୁ କିଛି ବିଷୟ ପଢ଼ିବା ଆରମ୍ଭ କରି ଦେବାକୁ କହି ଦେଇଛୁ”, ସେ କୁହନ୍ତି। “ଆମେ ପିଲାମାନଙ୍କ ପାଠପଢ଼ା ଉପରେ ନଜର ରଖିବାକୁ ଅଭିଭାବକମାନଙ୍କୁ କହିଛୁ, କିନ୍ତୁ ଏହି କାର୍ଯ୍ୟ ସେମାନଙ୍କ ପାଇଁ ଟିକିଏ କଷ୍ଟକର”।


ସାଧାରଣତଃ ବିଗତ ବର୍ଷଗୁଡ଼ିକରେ ଏହି ସମୟରେ ସ୍କୁଲ ଖୋଲିଲେ କାମ ପାଇଁ ଘର ଛାଡ଼ି ଯିବାର ଚିନ୍ତା ନଥାଏ। “ଶିକ୍ଷକମାନେ ପିଲାମାନଙ୍କର ଭଲ ଯତ୍ନ ନେଇଥାନ୍ତି। ସେମାନଙ୍କୁ ମଧ୍ୟାହ୍ନ ଭୋଜନ ମିଳିଥାଏ। ତାଙ୍କ ଲାଗି ଗୋଟିଏ ଥରର ଖାଦ୍ୟ ଯୋଗାଡ଼ ହୋଇଥାଏ। ଆମକୁ ଚିନ୍ତା କରିବାକୁ ପଡ଼ିନଥାଏ”, ବୋଲି କୁହନ୍ତି ଅନୀତାଙ୍କ ମା’ ୪୦ ବର୍ଷୀୟା ଚନ୍ଦନ।

Vikloo Vilat (right), a Class 8 schoolgirl, has never held a smartphone
PHOTO • Parth M.N.

ଭିକ୍ଲୁ ବିଲାଟ (ଡାହାଣ), ଅଷ୍ଟମ ଶ୍ରେଣୀ ଛାତ୍ରୀ, କେବେହେଲେ ସ୍ମାର୍ଟଫୋନ ଧରିନାହାନ୍ତି।

କିନ୍ତୁ ଏବେ ସେମାନଙ୍କୁ ଚିନ୍ତା କରିବାକୁ ପଡ଼ୁଛି, ଲକଡାଉନ ସମୟରେ। ଏହି କ୍ଷେତ୍ରରେ କାମ ପାଇବାକୁ ସଂଘର୍ଷ କରୁଥିବା ଶ୍ରମିକମାନେ ଦେଖୁଛନ୍ତି ଯେ ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ତେବେ ଅର୍ଥନୈତିକ କାର୍ଯ୍ୟକଳାପ ଧୀରେ ଧୀରେ ଆରମ୍ଭ ହେବା ପରେ ଅଭିଭାବକମାନେ ଘରୁ ଗୋଡ଼ କାଢ଼ିବା ଆରମ୍ଭ କରିଛନ୍ତି। ଶଙ୍କର କୁହନ୍ତି, “ଆମକୁ ଗତ ଅଢ଼େଇ ମାସର କ୍ଷତି ଭରଣା କରିବାକୁ ହେବ। ଆହୁରି, ଆମକୁ ନିଜ ଚାଷ ଜମିରେ ଧାନ ବୁଣିବାକୁ ହେବ। ଏହା ନିଜ ଖାଇବା ପାଇଁ, ବିକ୍ରି ପାଇଁ ନୁହେଁ। ଆମକୁ ନିଜ ଚାଷ ଜମିରେ ଓ ବାହାରେ କାମ କରିବାର ଅଛି, ଆମେ ଘରେ ବସି ପିଲାମାନଙ୍କର ପାଠପଢ଼ା ଦେଖିପାରିବୁ ନାହିଁ।”

ବହି ଏବଂ ହ୍ୱାଟ୍ସଆପରେ ପିଡିଏଫ ଆକାରରେ ମିଳୁଥିବା ବିଷୟ ପଢ଼ିବା ଲାଗି ପିଲାମାନଙ୍କୁ କହିବାର ବୋଝ ମାତାପିତାଙ୍କ ଉପରେ ଲଦି ଦେବା ଦ୍ୱାରା ସେମାନେ ଏକ ନିଷିଦ୍ଧାଞ୍ଚଳରେ ପ୍ରବେଶ କରିବା ଭଳି ଅନୁଭବ କରୁଛନ୍ତି । “ଆମେ ଆଦୌ ଅଧିକ ପାଠ ପଢ଼ିନାହୁଁ । ତେଣୁ ପିଲାମାନେ ଠିକ ଭାବେ ପଢ଼ୁଛନ୍ତି ନା ନାହିଁ କହିବା ମଧ୍ୟ ଆମ ପାଇଁ କଷ୍ଟକର । ସେମାନେ ସ୍କୁଲରେ ପଢ଼ିବା ହିଁ ଭଲ । ତେବେ ସେଠାରେ ମଧ୍ୟ କରୋନା ଭୂତାଣୁର ଭୟ ରହିଛି । କିନ୍ତୁ ସରକାର ଯଦି ପୁଣି ସ୍କୁଲ ଚାଲୁ କରନ୍ତି, ଆମେ ଅନୀତାକୁ ପାଠ ପଢ଼ିବା ଲାଗି ପଠାଇବୁ”, ବୋଲି କୁହନ୍ତି ଚନ୍ଦନ ।

ଅଭିଭାବକଙ୍କ ମଧ୍ୟରେ ଇଣ୍ଟରନେଟ ସାକ୍ଷରତା ଏଠାରେ ଅତ୍ୟନ୍ତ ଦୁର୍ବଳ। ଘରେ ଗୋଟିଏ ସ୍ମାର୍ଟ ଫୋନ ରଖିବାର ଖର୍ଚ୍ଚ ଖୁବ କମ୍ ପରିବାର ତୁଲାଇପାରିବେ। ଏହାଛଡ଼ା ରାଖ କୁହନ୍ତି, ଡୋଙ୍ଗରିରେ ଆମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଯାଏଁ ଶ୍ରେଣୀ ରହିଛି। ଯେଉଁ ଛାତ୍ରଛାତ୍ରୀଙ୍କ ନିକଟରେ ସ୍ମାର୍ଟଫୋନ ରହିଛି ସେମାନଙ୍କର ବୟସ ୧୬ ବର୍ଷ କିମ୍ବା ତା’ଠାରୁ ଅଧିକ ।”

*****

ଜୁନ୍ ୧୫ରେ ପ୍ରକାଶ ପାଇଥିବା ସରକାରୀ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଯେଉଁ ଗ୍ରାମରେ କରୋନା ଭୂତାଣୁ ସଂକ୍ରମଣ ମାମଲା ନଥିବ ସେହି ସବୁ ଅଞ୍ଚଳରେ ବିଦ୍ୟାଳୟଗୁଡ଼ିକ ଗୋଟିଏ ପରେ ଗୋଟିଏ ଖୋଲିପାରିବ। ଅଗଷ୍ଟ ୨୦୨୦ ଠାରୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀ ସ୍କୁଲକୁ ଫେରିପାରିବେ। ତୃତୀୟରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ଏହାର ଗୋଟିଏ ମାସ ପରେ ସ୍କୁଲକୁ ଫେରିବେ। ତେବେ ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ସମ୍ପର୍କରେ ନିଷ୍ପତ୍ତି ବିଦ୍ୟାଳୟ ପରିଚାଳନା କମିଟି ଉପରେ ନ୍ୟସ୍ତ କରାଯାଇଛି। 

ନିର୍ଦ୍ଦେଶନାମାରେ ଆହୁରି ଉଲ୍ଲେଖ କରାଯାଇଛି, “ରାଜ୍ୟର ପ୍ରତ୍ୟେକ ବିଦ୍ୟାଳୟ ଖୋଲିବା ପୂର୍ବରୁ ବ୍ୟାପକ ମାତ୍ରାରେ ପରିମଳ ବ୍ୟବସ୍ଥା, ବସିବା ବ୍ୟବସ୍ଥା ଓ ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନ ଦେବେ।” ଆହୁରି, “ଯଦି କରୋନା ଭୂତାଣୁ କାରଣରୁ ବିଦ୍ୟାଳୟ ଖୋଲିବା ପରେ ପୁନର୍ବାର ବନ୍ଦ କରିବାକୁ ପଡ଼େ, ତା’ହେଲେ ଅନଲାଇନ ଶିକ୍ଷାଦାନ ଜାରି ରଖିବାକୁ ପ୍ରସ୍ତୁତି କରାଯିବା ଆବଶ୍ୟକ’’।

କିନ୍ତୁ ତଲାସରୀରେ ଜଣେ ହେଲେ ସଂକ୍ରମିତ ନଥିବା ଦୃଷ୍ଟିରୁ ଏହା ଗ୍ରୀନ ଜୋନରେ ଥିଲେ ମଧ୍ୟ ଶିକ୍ଷକମାନେ ବିଦ୍ୟାଳୟ ଖୋଲିବାକୁ ଅସହଜ ମନେ କରୁଛନ୍ତି।

Ankesh Yalvi uses online education apps, but only when there is network
PHOTO • Parth M.N.

ଅଙ୍କେଶ ୟାଲଭି ଅନଲାଇନ ଶିକ୍ଷାଦାନ ଆପ୍‌ଗୁଡ଼ିକୁ ବ୍ୟବହାର କରୁଛନ୍ତି, କିନ୍ତୁ ଯେତେବେଳେ ନେଟୱର୍କ ରହୁଛି

ଏପରି ପଦକ୍ଷେପ ବିପଜ୍ଜନକ ହୋଇପାରେ ବୋଲି କୁହନ୍ତି, ତଲାସରୀ ସହରର ଜିଲ୍ଲା ପରିଷଦ ସ୍କୁଲରେ ଥିବା ଶିକ୍ଷକ ଦତ୍ତାତ୍ରେୟ କୋମ । “ଆମର ହୁଏତ’ ସକ୍ରିୟ ମାମଲା ନଥାଇପାରେ, କିନ୍ତୁ ପଡ଼ୋଶୀ ଦାହାନୁ ତାଲୁକାରେ ରହିଛି,” ସେ କୁହନ୍ତି। “ତଲାସରୀର ଅଧିକାଂଶ ଶିକ୍ଷକ ସେଠାକୁ ଏବଂ ଅନ୍ୟ ସ୍ଥାନକୁ ଯିବାଆସିବା କରିଥାନ୍ତି। ଶ୍ରମିକ ଭାବେ କାମ କରୁଥିବା କିଛି ଅଭିଭାବକ ମଧ୍ୟ ଆମ ତାଲୁକାରୁ ବାହାରକୁ ଯାଇଥାନ୍ତି।” 

କୋମ କୁହନ୍ତି ଯେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ସୁରକ୍ଷା ପାଇଁ ଯଥେଷ୍ଟ ସଂଖ୍ୟକ ମାସ୍କ ଓ ସାନିଟାଇଜରର ଆବଶ୍ୟକତା ରହିଛି। ସେ କୁହନ୍ତି, “ନିରାପଦ ଭାବେ କିଭଳି ମଧ୍ୟାହ୍ନ ଭୋଜନ ବିତରଣ କରାଯାଇପାରିବ ସେମାନଙ୍କୁ ସେଥିପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରିବାକୁ ହେବ। ସାଧାରଣତଃ ସେମାନେ ବଡ଼ ବଡ଼ ପାତ୍ରରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରି ଛାତ୍ରଛାତ୍ରୀଙ୍କୁ ଖାଇବାକୁ ଦେଉଥିଲେ।”

୭ରୁ ୧୩ ବର୍ଷର ପିଲାମାନେ ବିଦ୍ୟାଳୟରେ ଶାରୀରିକ ଦୂରତା ରକ୍ଷା କରିପାରିବେ କି ନାହିଁ ସେଥିନେଇ ମଧ୍ୟ ଶିକ୍ଷକମାନଙ୍କ ମନରେ ସନ୍ଦେହ ରହିଛି। “ସେମାନେ ଦୁଷ୍ଟାମୀ କରିବେ, ସେମାନେ ଖେଳାଖେଳି କରିବେ”, କୋମ କୁହନ୍ତି। “ଭଗବାନ ନକରନ୍ତୁ- ସେମାନେ ଯଦି କରୋନା ଭୂତାଣୁ ସଂକ୍ରମିତ ହୁଅନ୍ତି, ଶେଷରେ ଶିକ୍ଷକମାନଙ୍କୁ ହିଁ ଦାୟୀ କରାଯିବ। ଆମେ ଏପରି ଦୋଷ ମୁଣ୍ଡାଇବାକୁ ଚାହୁଁନା।’’ 

ଡୋଙ୍ଗରି ଗାଁର ଅଙ୍କେଶ ୟାଲଭି (୨୧), ସରକାରୀ ଚାକିରି ପାଇବା ଲାଗି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ସେ ଏକ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ଏବଂ ଅନଲାଇନ ଶିକ୍ଷା ଆପ୍ ଓ ସେବା ପାଇଁ ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ସେ କୁହନ୍ତି, “ଯେତେବେଳେ ଭଲ ନେଟୱର୍କ ରହୁଛି ମୁଁ ଏହାର ବ୍ୟବହାର କରିପାରୁଛି”।

୧୨ ବର୍ଷୀୟା ଭଉଣୀ ପ୍ରିୟଙ୍କାଙ୍କୁ ପାଠ ପଢ଼ିବା ପାଇଁ ନିଜର ଫୋନ ଦେବାରେ ଅଙ୍କେଶ କୁଣ୍ଠାବୋଧ କରନ୍ତି ନାହିଁ। “କିନ୍ତୁ ଯଦି ଆମେ ଦୁହେଁ ନିୟମିତ ଫୋନ ବ୍ୟବହାର କରିବୁ, ଆମକୁ ଡାଟା ପ୍ୟାକ ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ,” ସେ କୁହନ୍ତି। “ଆମେ ବର୍ତ୍ତମାନ ଦିନକୁ ୨ ଜିବି ଡାଟା ପାଇଁ ମାସକୁ ୨୦୦ ଟଙ୍କା ଖର୍ଚ୍ଚ କରୁଛୁ’’।

ଡୋଙ୍ଗରି ଗାଁଠାରୁ ୧୩ କିମି ଦୂର ତଲାସରୀ ସହରରେ ରହୁଥିବା ୯ବର୍ଷୀୟ ଛାତ୍ର ନିଖିଲ ଦୋଭାରେ ସୌଭାଗ୍ୟବଶତଃ  ଭଲ ସ୍ମାର୍ଟ ଫୋନଟିଏ ପାଇଛନ୍ତି-ଯାହାକି ରାଜେଶ ଅନ୍ଧାରେ ନିଜ ଫୋନ ପାଇଁ କରିଥିବା ଖର୍ଚ୍ଚ ଠାରୁ ୪ଗୁଣ ଅଧିକ। ସେ ସହରର ଏକ ଘରୋଇ ସ୍କୁଲରେ ପଢ଼ିଥାନ୍ତି ଏବଂ ତାଙ୍କ ବାପା ଜିଲ୍ଲା ପରିଷଦ ସ୍କୁଲରେ ଶିକ୍ଷକତା କରିଥାନ୍ତି। ନିଖିଲ ତୁଳନାତ୍ମକ ଭାବେ ଭଲ ନେଟୱର୍କ ଉପଲବ୍ଧତା ପାଇଥାନ୍ତି ।

କିନ୍ତୁ, ତାଙ୍କ ବାପା କୁହନ୍ତି, “ସେ ଏପରି ଶିକ୍ଷାଦାନକୁ ଉପଭୋଗ କରିପାରିବା ଭଳି ଦେଖାଯାଉନାହିଁ...” 

“ପୁଣିଥରେ ସ୍କୁଲ ଖୋଲିବାକୁ ମୁଁ ଆଉ ଅଧିକ ଦିନ ଅପେକ୍ଷା କରିପାରିବି ନାହିଁ। ମୋର ମୋ ସାଙ୍ଗମାନଙ୍କ କଥା ମନେ ପଡ଼ୁଛି। ଏକୁଟିଆ ପାଠ ପଢ଼ିବାରେ କିଛି ମଜା ନାହିଁ”, ନିଖିଲ କୁହନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Other stories by Parth M.N.