କିଛି ସମୟ ପୂର୍ବରୁ ଶଙ୍କର ଆତରାମ ଗୋଟିଏ ବଡ ଧାରୁଆ କଂସେଇ ଛୁରୀ, ଲୁହାକଣ୍ଟା, ତାର ଜାଲି, ଗୋଟିଏ ପୁରୁଣା ହେଲମେଟ୍, ଏବଂ ତେଲ ଟିଣ ନେଲେ। ମୁହଁ ଏବଂ ମୁଣ୍ଡକୁ ଢାଙ୍କିବା ପାଇଁ ତାର ଜାଲିର ଗୋଟେ ହେଲମେଟ୍ ତିଆରି କଲେ। ତେଲ ଟିଣକୁ କାଟି ସେଥିରେ ଦେହ ପାଇଁ ସାଞ୍ଜୁ ତିଆରି କଲେ। କଂସେଇ ଛୁରୀକୁ ତରଳାଇ ବେକ ପାଇଁ ପଟି ତିଆରି କଲେ ଏବଂ ଏହା ଉପରେ ରବର ଏବଂ କେଇ ପରସ୍ତ କପଡ଼ା ଗୁଡ଼ାଇଲେ। ବେକ ପଟିର ବାହାର ପଟକୁ କେତୋଟି ତୀକ୍ଷ୍ଣ କଣ୍ଟା ବାହାର କଲେ। ବେକ ପଛ ପାଖକୁ ଏକ ଗୋଲ ପ୍ଲେଟ୍ ଝୂଲାଇଦେଲେ, ଯେପରି ତାଙ୍କ ପଛ ପଟେ ମୁହଁ ଥିବା ଭ୍ରମ ସୃଷ୍ଟି ହେବ। ସେ କହିଲେ, ‘‘ଲୋକେ ମୋତେ ଦେଖି ହସନ୍ତି, ଏହା ମୁହଁ ଜାଣେ।’’  

ଆତରାମ ଯୁଦ୍ଧ କ୍ଷେତ୍ରକୁ ଯାଉନାହାନ୍ତି। ଏହାକୁ ସୁରକ୍ଷା କବଚ କରି ସେ ଗାଁ ଲୋକଙ୍କ ଗାଈ ଚରାଇବାକୁ ଜଂଗଲକୁ ଯାଆନ୍ତି। ସେ ଜୀବନ ସାରା ଗାଈ ଚରାଉଛନ୍ତି। ୩୦୦ ଜନସଂଖ୍ୟା (୨୦୧୧ ଜନଗଣନା ଅନୁସାରେ) ବିଶିଷ୍ଟ ବୋରାଟି ଗାଁର ସେ ଏକମାତ୍ର ଗାଈଚରାଳି। ବୋରାଟି ହେଉଛି ପଶ୍ଚିମ ବିଦର୍ଭର କପା ଚାଷ ପାଇଁ ପ୍ରସିଦ୍ଧ ଜବତମାଲ ଜିଲ୍ଲାର ରାଲେଗାଓଁ ତହସିଲ ଅନ୍ତର୍ଗତ ଏକ ଗାଁ। 

୨୦୧୬ ମାର୍ଚ୍ଚ ଠାରୁ ପ୍ରାୟ ଏକ ଡଜନରୁ ଅଧିକ ଲୋକ ବାଘ ଆକ୍ରମଣରେ ପ୍ରାଣ ହରାଇଲେଣି।  ଅନେକ ଲୋକ ଆହତ ହୋଇଥିବା ବେଳେ ଅନେକ ଗୋରୁଗାଈଙ୍କୁ ବାଘ ମାରି ସାରିଲାଣି। ବାରମ୍ବାର ଚାଷୀ ଆତ୍ମହତ୍ୟା ପାଇଁ ଏହି ଜିଲ୍ଲାର ଅପଖ୍ୟାତି ରହିଛି।

ରାଲେଗାଓ ଅଞ୍ଚଳରେ ପ୍ରାୟ ୫୦ ବର୍ଗ କିଲୋମିଟର ଅଞ୍ଚଳରେ ଜଂଗଲ, ବୁଦା ଏବଂ କପା କ୍ଷେତରେ ଏକ ଭୟଙ୍କର ବାଘୁଣୀ - ଟି୧ ବା ସ୍ଥାନୀୟ ଭାଷାରେ ଆଭନୀ - ଘୂରି ବୁଲୁଥିଲା। ଏହି ଅଞ୍ଚଳରେ ଅନେକ କ୍ଷୁଦ୍ର ଏବଂ ମଧ୍ୟମ ଜଳସେଚନ ପ୍ରକଳ୍ପ ରହିଛି।

ବରୋଟି ସମେତ ପ୍ରାୟ ୧୨ଟି ଗାଁର ୧୩ ଜଣଙ୍କୁ ଟି୧ ମାରି ସାରିଲାଣି। ବାଘୁଣୀକୁ କାବୁ କରିବା ପାଇଁ ମହାରାଷ୍ଟ୍ରର ବନ କର୍ମଚାରୀମାନେ ଅପରେସନ୍ ଆରମ୍ଭ କରିଛନ୍ତି। ଏହା ୨୦୧୮, ସେପଟେମ୍ବର ୧ ରେ ଆରମ୍ଭ ହୋଇଛି । କିନ୍ତୁ ଟି୧ କୁ ଧରିବା ପାଇଁ ବନ କର୍ମଚାରୀମାନେ ବହୁ ଦିନର ଉଦ୍ୟମ ଜାରି ରଖିଥିଲେ ବି ପ୍ରାୟ ଦୁଇ ବର୍ଷ ହେବ ବାଘୁଣୀ ଚମ୍ପଟ ମାରି ଖସି ଯାଉଛି। ଏହା ଭିତରେ ରାଜନୈତିକ ଏବଂ ଜନସାଧାରଣଙ୍କ ଚାପ ପଡ଼ିଛି। ଲୋକଙ୍କ ନିରାଶା ଏବଂ ଅକାଂକ୍ଷା ବି । 

Maharashtra's  forest officials launched the complex operation
PHOTO • Jaideep Hardikar

ବାଘୁଣୀକୁ କାବୁ କରିବା ପାଇଁ ସେପଟେମ୍ବର ୧ରେ ମହାରାଷ୍ଟ୍ର ବନ ବିଭାଗ ଅଧିକାରୀମାନେ ଜଟିଳ ଅପରେସନ୍ ଆରମ୍ଭ କଲେ। 

୨୦୦୮ ରୁ ବିଦର୍ଭରେ ବାର୍ଷିକ ୩୦ ରୁ ୫୦ ଜଣ ଲୋକଙ୍କର ବାଘ ଆକ୍ରମଣରେ ମୃତ୍ୟୁ ଘଟୁଛି। ଅନେକ ବାଘ ମଧ୍ୟ ମରିଛନ୍ତି। ସ୍ଥାନୀୟ ଲୋକ, ସଂଗଠିତ ଶିକାରୀ ଏବଂ ବେଳେବେଳେ ବନ କର୍ମଚାରୀମାନେ ବାଘ ଶିକାର କରିଛନ୍ତି। କୌଣସି ବାଘ ରକ୍ତମୁଖା ହେଲେ ବନ କର୍ମଚାରୀମାନେ ତାକୁ ମାରି ଦିଅନ୍ତି। 

୨୦୦ ରୁ ଅଧିକ ଫରେଷ୍ଟର ବାଘ ଧରା ଅଭିଯାନରେ ସାମିଲ ହେଲେ। ବାଘକୁ ଠାବ କରିବା ପାଇଁ ପୂରା ଅଞ୍ଚଳର ବିଭିନ୍ନ ସ୍ଥାନରେ ୯୦ ଟି କ୍ୟାମେରା ଲାଗିଲା। ବନ୍ୟପ୍ରାଣୀ ବିଭାଗ ଏବଂ ହାଇଦ୍ରାବାଦରୁ ଆସିଥିବା ଏକ ସାର୍ପସୁଟର ଟିମ୍ ବାଘୁଣୀକୁ ଧରିବା ପାଇଁ ଏହି ଅଞ୍ଚଳରେ ଡେରା ମାରିଲେ।

ମହାରାଷ୍ଟ୍ର ବନ ବିଭାଗର ବନ୍ୟପ୍ରାଣୀ ଶାଖାର ତଥ୍ୟ ଅନୁଯାୟୀ ୨୦୦୮ ରୁ ପୂରା ବିଦର୍ଭ ଅଞ୍ଚଳରେ ବାର୍ଷିକ ୩୦ ରୁ ୫୦ ଜଣ ଲୋକ ବାଘ ଆକ୍ରମଣର ଶିକାର ହେଉଛନ୍ତି। ପୂରା ବିଦର୍ଭର ବନାଞ୍ଚଳଗୁଡ଼ିକରେ ବିରୋଧ ବ୍ୟାପିଯାଇଥିଲା।

ବହୁ ବାଘ ମଧ୍ୟ ମରିଛନ୍ତି। ସ୍ଥାନୀୟ ଲୋକେ ଏବଂ ସଂଗଠିତ ଶିକାରୀମାନେ ଅନେକ ବାଘ ମାରିଛନ୍ତି। ବେଳେବେଳେ ମଣିଷ ପାଇଁ ଭୟଙ୍କର ପାଲଟୁଥିବା ବାଘମାନଙ୍କୁ ବନ ବିଭାଗ କର୍ମଚାରୀମାନେ ମଧ୍ୟ ମାରି ଦେଇଛନ୍ତି।  

ଟି୧ ମଧ୍ୟ ଭୟଂକର ଥିଲା - ମଣିଷର ଚକ୍ତ ଚାଖିଥିଲା - ନଭେମ୍ବର ୨ ତାରିଖ ରାତିରେ ତାକୁ ମାରି ଦିଅଗଲା। (ବାଘୁଣୀ ଟି୧ ସାମ୍ରାଜ୍ୟ: ହତ୍ୟାର ବିବରଣୀରେ ଦେଖନ୍ତୁ)

ଗାଈ ଚରାଳି ଓ ତାଙ୍କ ନିଜ ସୁରକ୍ଷା

ସେପଟେମ୍ବର ମାସରେ, ଯେତେବେଳେ ଲୋକଙ୍କ ଭୟ ଏବଂ କ୍ରୋଧ ବଢୁଥିଲା ସେତେବେଳେ ଟି୧ ଘରି ବୁଲୁଥିବା ଅଞ୍ଚଳରେ ଗାଈ ଚରାଳିଙ୍କୁ ସହାୟତା ପାଇଁ ବନ ବିଭାଗ ଜଣେ ଚୌକିଦାର ନିଯୁକ୍ତ କଲା। ମୁକାବିଲା ପାଇଁ ଅସ୍ତ୍ର ଭାବେ ତାଙ୍କ ହାତରେ ଦିଆଯାଇଥିଲା ଗୋଟିଏ ବାଡ଼ି। ଆତରାମ ଯେତେବେଳେ ଜଂଗଲକୁ ଗାଈ ନେଇ ଯାଆନ୍ତି, ତାଙ୍କ ସାଙ୍ଗରେ ମଧ୍ୟ ଜଣେ ଜଗୁଆଳି ଯାଆନ୍ତି।  

ହାତରେ ବାଡ଼ି ଧରି ସକାଳ ୧୦ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଆତରାମ ଓ ଗାଈଗୋରୁଙ୍କୁ  ‘ସୁରକ୍ଷା’ ଦେଉଥିବା ପଣ୍ଡୁରଙ୍ଗ ମେଶରାମ କହନ୍ତି, ‘‘ମୁଁ ଜଣେ କୃଷକ, କିନ୍ତୁ ମୋତେ ଜଣେ ବନ ଅଧିକାରୀ ଏହି କାମ ଦେବାକୁ ଚାହିଁବାରୁ ମୁଁ ଗ୍ରହଣ କଲି।’’ 

Shankar Atram starts his day by herding the village cattle into the neighbouring forests for grazing; keeping him company now is his bodyguard Pandurang Meshram, who walks behind the caravan
PHOTO • Jaideep Hardikar
Pandurang Meshram in the cattle shed
PHOTO • Jaideep Hardikar

ପ୍ରତିଦିନ ଆତରାମ ଗାଁର ଗାଈଗୋରୁଙ୍କୁ ନେଇ ଜଂଗଲକୁ ଚରାଇବାକୁ ଯାଆନ୍ତି; ହାତରେ ଠେଙ୍ଗାଧରି ଅଙ୍ଗରକ୍ଷୀ ଭଳି ତାଙ୍କ ସାଙ୍ଗରେ ରହନ୍ତି ପଣ୍ଡୁରଙ୍ଗ ମେଶରାମ। 

ମେଶରାମଙ୍କ ଘର ପିମ୍ପଲସେନ୍ଦା ଗାଁରେ। ବୋରାଟିରୁ ପ୍ରାୟ ୪ କିଲୋମିଟର ଦୂର, ଯେଉଁଠି ଜଂଗଲକୁ ଗାଈ ଚରାଇବାକୁ ଯାଇଥିବା ନାଗୋରାଓ ଜୁଙ୍ଘାରେଙ୍କୁ ୨୦୧୮, ଅଗଷ୍ଟ ୨୮ରେ ଟି୧ ମାରି ଦେଇଥିଲା। ବୋରାଟି ଆଖପାଖ ଗାଁରେ ଏହା ଥିଲା ସେହି ମାସର ତୃତୀୟ ମୃତ୍ୟୁ। ଏହି ଘଟଣା ପରେ ଆତଙ୍କ ଖେଳିଗଲା ଆଉ ଲୋକେ ତାତି ଉଠିଲେ। ବାଘୁଣୀକୁ ଧରିବା ପାଇଁ କିମ୍ବା ମାରି ଦେବା ପାଇଁ ନିର୍ଦେଶ ଦେବାକୁ ରାଜ୍ୟ ଜଂଗଲ କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଇଲେ।   

ମେଶରାମ କହିଲେ, ‘‘ସେ [ଆତରାମ] ଜଙ୍ଗଲ ଭିତରେ ଭୟରେ ଗଛ ଉପରେ ଚଢି ବସୁଥିବେ, କିନ୍ତୁ ବର୍ତ୍ତମାନ ଆମେ ଦୁଇ ଜଣ ଏବଂ ଫରେଷ୍ଟରମାନେ ଜଙ୍ଗଲରେ ଅନବରତ ପାଟ୍ରୋଲିଂ କରୁଛନ୍ତି, ତେଣୁ ସେ ବର୍ତ୍ତମାନ ଅଧିକ ସୁରକ୍ଷିତ ମନେ କରୁଛନ୍ତି।’’  

ନିଜର ସୁରକ୍ଷା ପାଇଁ ଜଣେ ଜଗୁଆଳି ପାଇବା ଆତରାମଙ୍କ ପାଇଁ ବିଳାସ ଥିଲା। ତେବେ ଏହି ଘଟଣାରେ ତାଙ୍କୁ ଗାଁଲୋକଙ୍କର ବିରୋଧ ଥିଲା : ମେଶରାମଙ୍କର ଜମିବାଡ଼ି ଅଛି; ଆତରାମ ଜଣେ ଭୂମିହୀନ ଗରିବ ଗ୍ରାମବାସୀ। ଆତରାମଙ୍କୁ ସୁରକ୍ଷା ଦେଉଥିବା ଜଗୁଆଳିଙ୍କର ମାସିକ ଦରମା ଥିଲା ୯,୦୦୦ ଟଙ୍କା, ଯାହା ଗାଈ ଚରାଇବାରୁ ଆତରାମ ପାଉଥିବା ଟଙ୍କାଠାରୁ ଢେର ଅଧିକ। ବ୍ୟଥିତ ଆତରାମ ଆମକୁ କହିଲେ, ‘‘ମୋତେ ବି ଦରମା ଦେବାକୁ ସରକାରଙ୍କୁ କୁହନ୍ତୁ। ମୋ ଭୟରୁ ଆପଣମାନେ ସମସ୍ତେ ଟଙ୍କା ରୋଜଗାର କରୁଛନ୍ତି ଏବଂ ମୋ ଭଳି ଲୋକଙ୍କୁ ବାଘୁଣୀ ମାରିଚାଲୁ ଏହା ଚାହୁଁଛନ୍ତି। ’’ 

ଆତରାମଙ୍କ ବାଘ-ସୁରକ୍ଷା କବଚ

ସବୁ ଦିନ ଜଂଗଲକୁ ଯାଉଥିବା ଆତରାମ ନିଜର ଅଧିକ ସୁରକ୍ଷା ପାଇଁ ତାଙ୍କ ଶାଳକଙ୍କଠାରୁ ଏକ ପୁରୁଣା ହଳଦୀ ରଙ୍ଗର ହେଲମେଟ୍‌ଟିଏ ଆଣିଥିଲେ, ଯିଏ ଆଗରୁ ଜଣେ ନିର୍ମାଣ ଶ୍ରମିକ ଥିଲେ। ଅନ୍ୟ ଜିନିଷଗୁଡ଼ିକ ସେ ତାଙ୍କ ପଡୋଶୀଙ୍କଠାରୁ ଆଣିଥିଲେ।

ଆଉ କିଛି ଅଧିକ: ଲୁହାର ଏକ ମୋଟା ତାର ଜାଲିରେ ସେ ‘ଟ୍ରାଉଜର’ ତିଆରି କରିଥିଲେ, କିନ୍ତୁ ଏସବୁ ସେ ଜଂଗଲ ଭିତରେ ଗୋଟିଏ ଜାଗାରେ ଲୁଚେଇ ରଖନ୍ତି। କାହିଁକି ? ସେ ଲଜ୍ଜିତ ହୋଇ କହନ୍ତି, ‘‘ଏ ସବୁ ପିନ୍ଧିଲେ, ପିଲାମାନେ ଦେଖି ହସନ୍ତି। ’’

ସମ୍ଭାବ୍ୟ ବାଘ ଆକ୍ରମଣରୁ ସୁରକ୍ଷା ପାଇଁ ଆତରାମଙ୍କର ଏହି ଅଭିନବ ଚିନ୍ତାଧାରା। ଯଦି ପଛପଟୁ ଜନ୍ତୁ ଆକ୍ରମଣ କଲା ତେବେ ? ଯଦି ଗୋଡ଼କୁ ଧରିଦେଲା ତାହେଲେ ? ଯଦି ସେ ବେକକୁ ଧରିଲା ତାହାଲେ କଣ ମୃତ୍ୟୁ ? ଯଦି ସେ ମୁଣ୍ଡକୁ ପଞ୍ଝା ମାରିଲା ତାହାଲେ କଣ ହେବ ? ଯଦି କଣ, ଯଦି କଣ ଯଦି କଣ ! 

Shankar Atram  in his protective gear at his home. Atram’s wife Sulochana and his daughter, Diksha, smile at him as he wears his ‘Jugaad’.
PHOTO • Jaideep Hardikar

ଏକ ପୁରୁଣା ହଳଦୀ ରଙ୍ଗର ନିର୍ମାଣ ଶ୍ରମିକ ହେଲମେଟ୍, ଗୋଟିଏ ବଡ଼ କଂସେଇ ଛୁରୀ, କଣ୍ଟା, ଲୁହା ଜାଲି, ଗୋଟିଏ ତେଲ ଟିଣ, ଗୋଟିଏ ଗୋଲ ପ୍ଲେଟ୍ ଏବଂ ଅନ୍ୟାନ୍ୟ ଜିନିଷ ବ୍ୟବହାର କରି ବାଘ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଆତରାମ ନିଜପାଇଁ ତିଆରି କରିଥିବା କୌତୁକିଆ ପୋଷାକ। ସେ କହନ୍ତି, ‘ଲୋକେ ମୋତେ ଦେଖି ହସନ୍ତି, ମୁଁ ଏହା ଜାଣିଛି।ତାଙ୍କ ସ୍ତ୍ରୀ ଏବଂ ପିଲାମାନେ ମଧ୍ୟ ଏଥିରୁ ମଜା ନିଅନ୍ତି କିନ୍ତୁ ସେମାନେ ଭୟଭିତ ଥାଆନ୍ତି। 

ଆତରାମ କହାନ୍ତି, ‘‘ମୁଁ ସବୁ ପରିସ୍ଥିତି କଥା ଚିନ୍ତା କରିଛି। ମୁଁ ଅନୁଭବ କରେ, ମୋ ସୁରକ୍ଷା ପାଇଁ ଏହାର ସର୍ବନିମ୍ନ ଆବଶ୍ୟକତା ରହିଛି। ଯଦି ସେଭଳି କିଛି ନହୁଏ, ତାହାଲେ ମଧ୍ୟ ଏସବୁ ପିନ୍ଧିଲେ ମୁଁ ନିଜକୁ ସୁରକ୍ଷିତ ବୋଲି ଭାବେ। ’’  

ସେ ବର୍ଷେ ହେଲା ସାଞ୍ଜୁ ଏବଂ ସାଜ ସରଞ୍ଜାମ ଜୋଗାଡ କରି ଚାଲିଛନ୍ତି। ଏହା ଭିତରେ ସେ ଦୁଇ ଥର ବାଘ ଦେଖିଲେଣି। ଥରେ ୨୦୧୬ରେ ଏବଂ ପରବର୍ଷ ଆଉଥରେ । ପ୍ରତିଥର ସେ ଭଗବାନଙ୍କୁ ପ୍ରାର୍ଥନା କରନ୍ତି - ଆଉ ଦୌଡ଼ନ୍ତି। 

ବାଘ ସହ ପ୍ରଥମ ମୁହାଁମୁହିଁ

୨୦୧୭ରେ ଏକ ବାଘ ସହ ଆତରାମ ସାମ୍ନାସାମ୍ନି ହୋଇଥିଲେ। ଗାଈ ଗୋଠଠାରୁ ମାତ୍ର କେଇ ମିଟର ଦୂରରେ ଏହି ବିଶାଳ ଜନ୍ତୁ ଛିଡା ହୋଇଥିଲା। ସେଦିନ କଥା ମନେ ପକାଇ ସେ ଶିହରିତ ହୋଇଥିଲେ, ‘‘ମୁଁ ଭୟରେ ଜଡ଼ ପାଲଟିଗଲି। ମଣିଷ ରକ୍ତକୁ ବାଘ ଭଲପାଏ ବୋଲି ଗାଁ ଲୋକଙ୍କଠାରୁ ଶୁଣିଥିବା କଥା ମନେ ପଡ଼ିଲା। ଏହି ବାଘ ମଣିଷ ଖାଇପାରେ, ପଛପଟୁ ଆକ୍ରମଣ କରିପାରେ। ’’ ତାଙ୍କ ମନରେ ଏମିତି ଆଶଙ୍କା ପଶିଲା।

ଗଛକୁ ଚଢିଯିବା ଛଡା ଆତରାମଙ୍କ ପାଖରେ ଆଉ କିଛି ଉପାୟ ନଥିଲା। ଗୋଠରୁ ଗୋଟିଏ ଗାଈ ମାରିବା ପରେ ବାଘଟି ଗଛ ତଳେ ବସି ରହିଲା। ଆତରାମ ଅନେକ ଘଣ୍ଟା ଧରି ଗଛ ଉପରେ ବସି ଜୀବନ ପାଇଁ ପ୍ରାର୍ଥନା କରୁଥିଲେ। ଯେତେବେଳେ ବିଶାଳ ଜନ୍ତୁଟି ଶିକାରକୁ ଘୋଷାଡି ଘୋଷାଡି ଜଙ୍ଗଲ ଭିତରକୁ କିଛି ମିଟର ପର୍ଯ୍ୟନ୍ତ ନେଇଗଲା, ୪୫ ବର୍ଷୀୟ ଆତରାମ ଗଛ ଉପରୁ ତଳକୁ ଡେଇଁଲେ ଆଉ ଗାଈ ଗୋଠକୁ ଛାଡି ଯେତେ ସମ୍ଭବ ଦ୍ରୁତ ଗତିରେ ଗାଁକୁ ଦୌଡ଼ିଲେ। 

Shankar Atram in his protective gear outside his cattleshed
PHOTO • Jaideep Hardikar

ଗୁହାଳ ଭିତରେ ଥିବା ଆତରାମ ସଂପୂର୍ଣ୍ଣ ସୁରକ୍ଷା ପୋଷାକରେ ଆଛାଦିତ

ସ୍ତ୍ରୀ ସୁଲୋଚନା, ୧୮ ବର୍ଷର ଝିଅ ଦିଶା ଏବଂ ୧୫ ବର୍ଷର ଝିଅ ବୈଷ୍ଣବୀଙ୍କ ଆଡକୁ ଚାହିଁ ଭୟ ମିଶା ସ୍ମିତହସ ଦେଇ କହିଲେ, ‘‘ସେଦିନ ମୁଁ ଯେତେ ଜୋରରେ ଦୌଡ଼ିଲି, ଏତେ ଜୋରରେ ମୋ ଜୀବନରେ କେବେ ଦୌଡ଼ି ନଥିଲି। ’’ ସେମାନେ ମଧ୍ୟ ଭୟମିଶା ହସ ହସୁଥିଲେ। ସେମାନେ ଜାଣିଥିଲେ, ଯେ ଆତରାମ ସେଦିନ ମୃତ୍ୟୁ ସହ ସାମ୍ନାସାମ୍ନି ହୋଇଥିଲେ। ସେ କହନ୍ତି, ସେଦିନ ଘରେ ପହଞ୍ଚିବା ପରେ ଗୁହାଳକୁ ଲାଗିଥିବା ତାଙ୍କ ଏକ ବଖୁରିଆ କୁଡ଼ିଆରେ ପୂରା ରାତି କବାଟ କିଳି ଭିତରେ ରହିଲେ। ସେ କହନ୍ତି ଭୟରେ ସେ ଗୋଟାପରି ଥରୁଥିଲେ। 

ବିଦର୍ଭ ଭାଷାରେ ସେ କହିଲେ, ‘‘ଆଜି ଲଗିତ ମୋଠା ହୋତା ଜୀ (ଏହା ଏକ ବିରାଟ ବାଘ ଥିଲା)’’। ତାଙ୍କ ସ୍ୱରରେ ବ୍ୟଙ୍ଗ ମିଶିଥିଲା, କିନ୍ତୁ ସାହସିକତା ନଥିଲା। ସେ ଭୟଭିତ ହୋଇ ଯାଇଥିଲେ କି? ‘‘ ମାଙ୍ଗ କା ଜୀ! [ତା ପରେ କଣ ହେଲା !] ’’

 ମଣିଷ-ବାଘ ସଂଘର୍ଷ ବଢୁଥିଲା

ମହାରାଷ୍ଟ୍ରର ପୂର୍ବାଞ୍ଚଳ ବିଦର୍ଭ ଜଙ୍ଗଲରେ ବାଘ-ମଣିଷ ମଧ୍ୟରେ ବଢୁଥିବା ସଂଘର୍ଷର ଏକ ଅଂଶ ବିଶେଷ ଥିଲା ଜଙ୍ଗଲରେ ବାଘ ସହ ଆତରାମଙ୍କ ମୁହାଁମୁହିଁ ପରିସ୍ଥିତି।  

ବୋରାଟିର ଜଣେ ବର୍ଷିଆନ କୃଷକ ସିଦ୍ଧାର୍ଥ ଦୁଢେ କହିଲେ, ଏଭଳି ଘଟଣା ଏବେ ଏବେ ଘଟୁଛି। ଦୈନିକ ମଜୁରୀରେ ସିଦ୍ଧାର୍ଥ ଜଙ୍ଗଲ ଜଗନ୍ତି। ତିପେଶ୍ୱର ଭଳି ଛୋଟଛୋଟ ଅଭୟାରଣ୍ୟରୁ ବାଘମାନେ ଏହି ଅଞ୍ଚଳକୁ ଚାଲି ଆସୁଛନ୍ତି। ବୋରାଟି ଗାଁରୁ ଦକ୍ଷିଣ ପଶ୍ଚିମ ଦିଗକୁ ପ୍ରାୟ ୧୦୦ କିଲୋମିଟର ଦୂରରେ ତିପେଶ୍ୱର ଅବସ୍ଥିତ। ସେ କହନ୍ତି, ‘‘ଭୟ, ଉତ୍କଣ୍ଠା ଏବଂ ଉତ୍ତେଜନା, ସବୁକିଛି ରହିଛି। ’’(ବାଘୁଣୀ ଟି୧ର ଆକ୍ରମଣ ଏବଂ ଆତଙ୍କର ଝଲକ ଦେଖନ୍ତୁ)

ଜବତମାଲ ଜିଲ୍ଲାର ବୁଦାଳିଆ ଏବଂ ପର୍ଣ୍ଣମୋଚି ଜଙ୍ଗଲ ସବୁ ଜନବହୁଳ ଗାଁଗୁଡ଼ିକ ସହ ଖଣ୍ଡ ବିଖଣ୍ଡିତ ହୋଇ ରହିଛନ୍ତି। ତା ଭିତରେ ବୁଲୁଥିବା ବାଘମାନେ ତୃଣଭୋଜି ପ୍ରଣୀ ଏବଂ ଗାଁର ଗୃହପାଳିତ ପଶୁଙ୍କୁ ସହଜରେ ଶିକାର କରନ୍ତି। ଆତରାମଙ୍କ ଘରେ ବନ ରକ୍ଷକ ମେଶରାମ କହିଲେ, ‘‘ବର୍ତ୍ତମାନ ଆମ ଗାଁ ପରିସୀମା ଭିତରେ ଟି୧ ଦେଖାଯାଉନି। କିନ୍ତୁ ଆମେ ପହରା ଦେଉଛୁ ଏବଂ ତାର ଅବସ୍ଥିତି ସଂପର୍କରେ ସୂଚନା ପାଇଲେ ଲୋକଙ୍କୁ ସତର୍କ କରାଉଛୁ।’’

ଏହି ସଂଘର୍ଷର ଦୁଇଟି ପାର୍ଶ୍ୱ ଥିବା ମହାରାଷ୍ଟ୍ରର ପ୍ରଧାନ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଅଶୋକ କୁମାର ମିଶ୍ର କହନ୍ତି: “ଗୋଟେ ପଟେ ଶିକାରୀଙ୍କ ଉପରେ ନଜର ଏବଂ ସଂରକ୍ଷଣ ଉଦ୍ୟମ ଯୋଗୁ ବାଘ ସଂଖ୍ୟା ବଢିଛି। ଅନ୍ୟପଟେ ଜନ ସଂଖ୍ୟା ବଢୁଥିବାରୁ ଜଂଗଲ ଉପରେ ନିରର୍ଭରଶୀଳତା ବଢିବା ସହ ଚାପ ବଢୁଛି। ’’

ଏହା ଛଡ଼ା ରାସ୍ତା ଏବଂ ରାଜପଥ ଭଳି ବିଭିନ୍ନ ପ୍ରକଳ୍ପ ଯୋଗୁ ଜଙ୍ଗଲଗୁଡ଼ିକ ଧୀରେ ଧୀରେ ଭାଗଭାଗ ହୋଇଯାଉଛି। ମିଶ୍ର କହନ୍ତି ବାଘର ବାସସ୍ଥଳୀ ଉଜୁଡି ଗଲାଣି, ଜୀବଜନ୍ତୁଙ୍କ ପାରଂପରିକ ଯାତାୟାତ ରାସ୍ତ ନଷ୍ଟ ହୋଇଗଲାଣି, ତାଙ୍କ ବିଚରଣ ପାଇଁ ଆଉ ଜାଗା ନାହିଁ। ଏହା ବ୍ୟତୀତ ସଂଘର୍ଷର ଆଉ କଣ କାରଣ ଦେଖୁଛନ୍ତି? ମିଶ୍ର ଆଶ୍ଚର୍ଯ୍ୟ ପ୍ରକାଶ କରି କହିଲେ, ‘‘ଏ ଦିଗରେ ଉଦ୍ୟମ ନହେଲେ ଏହି ସଂଘର୍ଷ ଆଗକୁ ଆହୁରି ବଢିବ। ’’ 

Subhash Ghosale, a tribal farmer in village Borati, holds the photo of her mother Sonabai Ghosale, T1’s first victim. She died in T1’s attack on her field close to the village on June 1, 2016.
PHOTO • Jaideep Hardikar

୨୦୧୬ ଜୁନ୍ ୧ ତାରିଖରେ ଚାଷ ଜମିରେ ଟି୧ର ଶିକାର ହୋଇଥିବା ସୋନାବାଇଙ୍କ ଫଟୋ ଧରିଛନ୍ତି ତାଙ୍କ ପୁଅ ସୁଭାଷ ଘୋଷଲେ। ବୋରାଟି ଗାଁର ସେ ଜଣେ ଆଦିବାସୀ କୃଷକ। 

୨୦୧୬ ମଧ୍ୟଭାଗ ଆଡ଼କୁ ବୋରାଟି ଗାଁର ସୋନାବାଇ ଭୋଷଲେଙ୍କୁ ତାଙ୍କ ଚାଷ କ୍ଷେତରେ ବାଘ ମାରି ଦେଇଥିଲା। ଜଂଗଲ ପାଖକୁ ଲାଗିଥିବା ଏହି ଜମିଟି ଗାଁଠାରୁ ପ୍ରାୟ ୫୦୦ ମିଟର ଦୂରରେ ଅବସ୍ଥିତ। ଜାଳେଣି କାଠ, ଲଘୁ ବନଜାତ ଦ୍ରବ୍ୟ ଏବଂ ଗାଈଗୋରୁ ଚରିବା ପାଇଁ ବୋରାଟି ଗାଁ ଜଙ୍ଗଲ ଉପରେ ନିର୍ଭର କରେ।

ଜଣେ ସ୍ଥାନୀୟ ସାମାଜିକ ଏବଂ ରାଜନୈତିକ କର୍ମୀ ରମେଶ ଖାନ୍ନି କହିଲେ, ‘‘ଏହା ପରେ ଆମେ ଭୟ ଏବଂ ଉତ୍କଣ୍ଠାରେ ଦିନ କାଟୁଛୁ।’’ ତାଙ୍କ ନେତୃତ୍ଵରେ ଗ୍ରାମବାସୀମାନେ ଜଂଗଲ ଅଧିକାରୀ, ଜିଲ୍ଲାପାଳ ଏବଂ ସ୍ଥାନୀୟ ରାଜନେତାଙ୍କ ପାଖକୁ ଯାଇଥିଲେ। ସେ କହିଲେ, ‘‘ବନ୍ୟଜନ୍ତୁମାନେ ଆମ ଫସଲ ନଷ୍ଟ କରୁଥିଲେ - ଏବେ ବାଘ। ’’  

୫୦ଟି ଗାଇ ଓ ଗୋଟିଏ ବାଘ

ବର୍ଷ ବର୍ଷ ହେବ ଆତରାମଙ୍କର ସେଇ ଗୋଟିଏ ରୁଟିନ୍। ଗୋରୁଙ୍କୁ ସଫାସୁତୁରା କରିବା ଏବଂ ଜଂଗଲକୁ ଚରେଇବାକୁ ନେବା​‌ରେ ତାଙ୍କ ଦିନ ଆରମ୍ଭ ହୁଏ।

ସେ ସଂଜ ନଇଁଲେ ଘରକୁ ଫେରନ୍ତି, ଏବଂ ପରଦିନ ପୁଣି ସେହି କାର୍ଯ୍ୟରୁ ତାଙ୍କ ଦିନ ଆରମ୍ଭ ହୁଏ। ପୂର୍ବରୁ ସେ ପ୍ରତି ଗାଈ ପିଛା ୧୦୦ ଟଙ୍କା ନେଉଥିଲେ। ସୁଲୋଚନା କହିଲେ, ‘‘ଅଧିକ ବିପଦ ଥିବାରୁ ଆମେ ମଜୁରୀ ବଢାଇବାକୁ ଦାବି କଲୁ। ’’ ଏବେ ଗାଁ ଲୋକ ପ୍ରତି ଗାଈ ପିଛା ମାସକୁ ୧୫୦ ଟଙ୍କା ଦେଉଛନ୍ତି। ବିପଦ ଯୋଗୁ ୫୦ ଟଙ୍କା ବଢିଲା। ଦିନେ ଜଙ୍ଗଲରୁ ଫେରି ଘରେ ପହଞ୍ଚବା ପରେ ଆତରାମ କହିଲେ, ‘‘ମୁଁ ପ୍ରାୟ ୫୦ଟି ଗାଈ ନେଇ ଜଙ୍ଗଲକୁ ଯାଉଛି । ଯଦି ଏହା ନକରିବି ତେବେ ଆଉ କଣ କରିବି ?’’

ଗାଁ ଲୋକେ ଆତରାମଙ୍କୁ ଏକଥା ସ୍ପଷ୍ଟ କରିଦେଇଥିଲେ: ‘‘କେତେବେଳେ କିଛି ସମସ୍ୟାରେ ପଡ଼ିଲେ, ଆମ ଗାଈ କଥା ଚିନ୍ତା କରିବନି। ’’ ସେ କହନ୍ତି ଏଇଟା ଗୋଟେ ବଡ଼ ଆଶ୍ୱାସନା। ସେମାନେ କେତେ ବିଚାରଶୀଳ ଏଥିରୁ ଜଣ ପଡ଼ୁଛି। ସେ କହନ୍ତି, ‘‘ଗତ ଦୁଇ ବର୍ଷ ମଧ୍ୟରେ ଗୋଠରୁ ଅନେକ ଗାଈ ମାରି ସାରିଲାଣି ବାଘ। ଗାଈଙ୍କୁ ହରାଇଲା ବେଳେ ମୋତେ କଷ୍ଟ ହୁଏ ଆଉ ମୁଁ ବଞ୍ଚିଛି ବୋଲି ମୋତେ ଦୁଃଖ ଲାଗେ। ’’

ଆତରାମ ଆଦୌ ସ୍କୁଲ ଯାଇନାହାନ୍ତି। କିନ୍ତୁ ତାଙ୍କ ତିନି ଜଣ ପିଲା ପାଠ ପଢୁଛନ୍ତି। ତାଙ୍କ ପିଲାମାନେ ପଢନ୍ତୁ ବୋଲି ସେ ଚାହାନ୍ତି, ଏଥିପାଇଁ ଜୀବନ ଉପରେ ଯେତେ ବିପଦ ଆସୁ ପଛେ। ପାଖ କଲେଜରେ ପଢୁଥିବା ଦିଶାଙ୍କର ଏବେ ବିଏ ପ୍ରଥମ ବର୍ଷ ସରିଲା, ବୈଷ୍ଣବୀ ଏ ବର୍ଷ ଦଶମ ପାସ କରିଛନ୍ତି, ଏବଂ ସାନ ପୁଅ ଅନୁଜ ଏକ ଘରୋଇ ସ୍କୁଲରେ ନବମ ଶ୍ରେଣୀରେ ପଢୁଛନ୍ତି। 

ଗାଁ ଅଙ୍ଗନବାଡ଼ିରେ ସହାୟିକା ଭାବେ କାମ କରୁଥିବା ସୁଲୋଚନା ତାଙ୍କ ପରିବାର ଆୟରେ ମାସକୁ ୩,୦୦୦ ଟଙ୍କା ଯୋଡ଼ନ୍ତି। ସେ କହନ୍ତି, ‘‘ସେ କିଭଳି ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ, ସେଥିପାଇଁ ମୁଁ ପ୍ରତି ଦିନ ସକାଳେ ପ୍ରାର୍ଥନା କରେ। ସବୁ ଦିନ ସଂଧ୍ୟାରେ ସେ ସୁରକ୍ଷିତ ଭାବେ ଘରକୁ ଫେରିଲେ, ମୁଁ ବାଘକୁ ଧ୍ୟନବାଦ ଦିଏ। ’’

 ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Jaideep Hardikar

ଜୟଦୀପ ହାର୍ଦିକର୍‌ ନାଗପୁରର ଜଣେ ସାମ୍ବାଦିକ ଏବଂ ଲେଖକ, ଏବଂ PARIର ଜଣେ କୋର୍‌ ଟିମ୍‌ ସଦସ୍ୟ

Other stories by Jaideep Hardikar