ହୀରା ନିନିମା ଓ କଳ୍ପନା ରାୱଲ, ଉଭୟଙ୍କୁ ୩୫ ବର୍ଷ, ୧୫ କିଲୋମିଟର ଦୂରରେ ରୁହନ୍ତି। କିନ୍ତୁ ପୁତ୍ର ସନ୍ତନାର ଇଚ୍ଛା ଉଭୟଙ୍କୁ ଏକାଠି କରିଛି। ବଂଶଓ୍ୱାଡ଼ା ଜିଲ୍ଲାର ସେବନା ଗାଁରେ ମୁଁ ହୀରାଙ୍କୁ ଭେଟିବା ବେଳେ ସେ କହିଲେ, ‘‘ଝିଅମାନେ ବାପା ମାଆଙ୍କର କ’ଣ କରିବେ?’’ କଳ୍ପନା କହିଲେ, ‘‘ଜଣେ ଉତ୍ତରାଧିକାରୀ ରହିବା କଥା - ଅତି କମ୍‌ରେ ଗୋଟିଏ ପୁଅ।’’ କଳ୍ପନାଙ୍କ ଘର ରାଜସ୍ଥାନର ଏହି ସମାନ ଜିଲ୍ଲାର ୱାକା ଗାଁରେ।

ବେଳେବେଳେ କୃଷି ଶ୍ରମିକ ଭାବେ କାମ କରନ୍ତି ହୀରା, ଅନ୍ୟ ସମୟରେ ଘର କାମ କରନ୍ତି, ୨୦୧୨ରୁ ୭ ବର୍ଷ ଭିତରେ ସେ ୬ଟି କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ତାଙ୍କ ସାନ ଝିଅର ବୟସ ମାତ୍ର ଦୁଇ ମାସ। ସେ କହନ୍ତି, ‘‘ମୋ ଷଷ୍ଠ ପିଲାଟି ଝିଅ ବୋଲି ମୋତେ କୁହାଯାଇ ନଥିଲା। କିନ୍ତୁ ମୁଁ ଯେତେବେଳେ ଶୁଣିଲି ମୋ ଶାଶୁ କାନ୍ଦୁଛନ୍ତି, ମୋ ଆଖିରୁ ବି ଲୁହ ଖସିବା ଆରମ୍ଭ ହେଲା। ଏମିତିକି ମୋ ସ୍ୱାମୀଙ୍କ ଠାରୁ ମଧ୍ୟ ମୁଁ ବେଶୀ କାନ୍ଦିଲି।’’

ବହୁ ଦୁଃଖର ସହ ସେ କହିଲେ, ‘‘ମୋ ଦ୍ୱିତୀୟ ଝିଅ [ଜନ୍ମ] ପରଠାରୁ ମୁଁ ଜଣେ ବାବାଜୀ ପାଖକୁ ଯାଉଛି। ଗୋଟେ ନଡ଼ିଆ ରଖି ସେ କିଛି ମନ୍ତ୍ର ଉଚ୍ଚାରଣ କରନ୍ତି। ତା ପରେ ନଡ଼ିଆକୁ ଭାଙ୍ଗି ମୁଁ ପାଣି ପିଏ। କିନ୍ତୁ ସେ କହନ୍ତି, ମୁଁ ମୋ ମାଆଙ୍କ ଠାରୁ ମଧ୍ୟ ବେଶୀ ଅଭିଶପ୍ତ।’’ ତାଙ୍କର ପାଞ୍ଚ ଭଉଣୀଙ୍କ ଭିତରୁ ସେ ସାନ।

ସେବନା ଗାଁର ଭିଲ୍ ଆଦିବାସୀ ସଂପ୍ରଦାୟର ହେଉଛନ୍ତି ହୀରା। ଗାଁରେ ପ୍ରାୟ ୧,୨୩୭ ଜଣ ଲୋକ ବସବାସ କରନ୍ତି। ସଂପୂର୍ଣ୍ଣ ଗାଁ ନିରକ୍ଷର। ସେ ଏବଂ ଏଠାକାର ଅନେକ ମହିଳାମାନେ ବହୁ ପିଲାଙ୍କୁ ଜନ୍ମ ଦିଅନ୍ତି। ସେଥିପାଇଁ ତାଙ୍କ ସ୍ୱାସ୍ଥ୍ୟ ପାଇଁ ବେଳେବେଳେ ତାଙ୍କୁ ବହୁ ମୂଲ୍ୟ ଦେବାକୁ ପଡେ। ତାଙ୍କୁ ୩୫ ବର୍ଷ, କିନ୍ତୁ ତା ଠାରୁ ସେ ଢେର ଅଧିକ ବୟସ୍କ ଏବଂ ଦୁର୍ବଳ ଦେଖାଯାଉଛନ୍ତି। ତାଙ୍କ ଶରୀର କ୍ଷୀଣ ହେବା ସାଙ୍ଗକୁ ଭାବାବେଗ ସହ ମଧ୍ୟ ଲଢେଇ କରି ମାନସିକସ୍ତରରେ ଦୁର୍ବଳ ହୋଇ ପଡ଼ିଲେଣି।

Niranjana Joshi, the ANM at the health sub centre administers the first ever vaccines to Hira Ninama’s fifth daughter
PHOTO • Puja Awasthi
Hira Ninama with her 40-day old daughter at the Health sub centre at Sewna
PHOTO • Puja Awasthi

ସେବନା ଉପ-ସ୍ୱାସ୍ଥ୍ୟକେନ୍ଦ୍ରର ଏଏନଏମ ନିରଂଜନା ଯୋଷୀ, ହୀରା ଓ ନିନାମାଙ୍କ ଷଷ୍ଠ ଝିଅଙ୍କୁ ପ୍ରଥମ ପର୍ଯ୍ୟାୟ ଟିକା ଦେଉଛନ୍ତି ।

ଏହା ସୂଚିତ କରୁଛି, ଯେ ରାଜସ୍ଥାନରେ କାହିଁକି ମାତୃ ମୃତ୍ୟୁହାର ହ୍ରାସର (MMR) ଅନୁପାତ ମାତ୍ର ୧୮.୩ ପ୍ରତିଶତ। ତୁଳନାତ୍ମକ ଭାବେ ୨୦୧୧-୧୩ ଏବଂ ୨୦୧୪-୧୬ ମଧ୍ୟରେ ଦେଶରେ ଦେଶରେ ଏହି ହାର ୨୨ ପ୍ରତିଶତ। ଏ ହେଉଛି ‘ସ୍ପେସାଲ ବୁଲେଟିନ୍ ଅନ ମାଟରନାଲ ମୋର୍ଟାଲିଟି ଇନ୍ ଇଣ୍ଡିଆ ୨୦୧୪-୧୬’ର ତଥ୍ୟ (୨୦୧୮ ମଇ ମାସରେ ରେଜିଷ୍ଟ୍ରାର ଜେନେରାଲଙ୍କ କାର୍ଯ୍ୟାଳୟ ଦ୍ୱାରା ପ୍ରକାଶିତ)। ଅର୍ଥାତ ସାରା ଦେଶରେ ପିଲା ଜନ୍ମ ବେଳେ ପ୍ରତି ୧୦୦,୦୦୦ ମହିଳାଙ୍କ ମଧ୍ୟରୁ ହାରାହାରି ୧୩୦ ଜଣ ମହିଳା ମୃତ୍ୟୁମୁଖରେ ପଡ଼ୁଛନ୍ତି। ରାଜସ୍ଥାନରେ ଏହି ସଂଖ୍ୟା ୧୯୯।

ୟୁଏନଡିପି’ର ମାପଦଣ୍ଡ ଅନୁଯାୟୀ ଆହୁରି ଅନେକ କାରଣରୁ ରାଜସ୍ଥାନର ରାଙ୍କ ବହୁ ତଳେ ରହିଛି। ଯେପରି ଆର୍ଥିକ ଏବଂ ରାଜନୈତିକ ଜୀବନ କ୍ଷେତ୍ରର ମହିଳାଙ୍କ ଦକ୍ଷତା ଓ ରୋଜଗାରରେ ଭାଗିଦାରିତା। ୨୦୦୯ରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଏକ ଅନୁଧ୍ୟାନରୁ ଜାଣିବାକୁ ପାଇଥିଲେ ୟୁଏନଡିପି କାର୍ଯ୍ୟକ୍ରମରେ ମଧ୍ୟ ରାଜସ୍ଥାନର ପ୍ରଦର୍ଶନ କ୍ରମାଗତ ଭାବେ କମ୍ ରହୁଥିଲା। ଏଥିପାଇଁ ପୁରୁଷ ଓ ମହିଳାଙ୍କ ମଧ୍ୟରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ଆର୍ଥିକ ସମ୍ବଳ କ୍ଷେତ୍ରରେ ବଡ଼ ତାରତମ୍ୟ ପରିଲକ୍ଷିତ ହୋଇଥାଏ।

ସେବନା ଉପ-ସ୍ୱାସ୍ଥ୍ୟକେନ୍ଦ୍ରର ଅକଜୁଲାରୀ ନର୍ସ ଆଣ୍ଡ ମିଡ଼ୱାଇଫ (ଏଏନଏମ) ନିରଂଜନା ଯୋଶୀ କହନ୍ତି, ଝିଅ ଜନ୍ମ ପାଇଁ ସେ ଦାୟୀ ହୋଇନପାରନ୍ତି ବୋଲି ଏହାକୁ ହୀରା ଗ୍ରହଣ କରି ପାରୁନାହାନ୍ତି। ତାଙ୍କ ସ୍ୱାସ୍ଥ୍ୟ କ୍ଷୀଣ ହେବାରେ ଲାଗିଛି। କୃଷି ଶ୍ରମିକ ଓ ନିର୍ମାଣ ଶ୍ରମିକ ଭାବେ କାମ କରୁଥିବା ତାଙ୍କ ସ୍ୱାମୀ କ୍ଷେମା ତାଙ୍କୁ ଗାଳିଗୁଲଜ କରିବା ସହ ଶାରୀରିକ ନିର୍ଯାତନା ବି ଦେଉଛନ୍ତି। ଏପରିକି ସେ ଝିଅମାନଙ୍କୁ ମଧ୍ୟ ଅବହେଳା କରୁଥିବା ହୀରା ସ୍ୱୀକାର କରନ୍ତି। 

ହୀରା ଓ କଳ୍ପନାଙ୍କ ନିଜ ଜିଲ୍ଲା ବଂଶୱାଡ଼ାରେ ତିନି ଚତୁର୍ଥାଂଶ ଲୋକ ଭିଲ୍ ସଂପ୍ରଦାୟର, ସେମାନେ ହେଉଛନ୍ତି ପ୍ରତି ୧,୦୦୦ ଜଣ ପୁରୁଷରେ ୯୮୦ ଜଣ ମହିଳା । ଏଠାରେ ରାଜ୍ୟରେ ପୁରୁଷ ଓ ମହିଳାଙ୍କ ଅନୁପାତ ହେଉଛି ପ୍ରତି ୧,୦୦୦ ଜଣ ପୁରୁଷରେ ୯୮୦ ଜଣ ମହିଳା (୨୦୧୧ ଜନଗଣନା), କିନ୍ତୁ ଜିଲ୍ଲାର ଅଧାରୁ ଅଧିକ ଲୋକ ନିରକ୍ଷର (୫୬.୩୩ ପ୍ରତିଶତ)। ତୁଳନାତ୍ମକ ଭାବେ ରାଜସ୍ଥାନର ମୋଟ ସାକ୍ଷରତା ହାର ୬୬.୧୧ ପ୍ରତିଶତ। ଯେତେବେଳେ ରାଜ୍ୟରେ ପ୍ରତି ୧୦ ରୁ ୭ ଜଣ ମହିଳାଙ୍କର ସାମାନ୍ୟ ଶିକ୍ଷାଦୀକ୍ଷା ରହିଛି ସେତେବେଳେ ବଂଶଓ୍ୱାଡ଼ା ଜିଲ୍ଲାରେ ଏହି ହାର ହେଉଛି ୧୦ ରେ ୪। 

Kalpana Rawal (blue saree) is leading a women’s group in her village to promote women’s health
PHOTO • Puja Awasthi
Kalpana Rawal (blue saree) is leading a women’s group in her village to promote women’s health
PHOTO • Puja Awasthi

ମହିଳାଙ୍କ ସ୍ୱାସ୍ଥ୍ୟର ବିକାଶ କ୍ଷେତ୍ରରେ କଳ୍ପନା ରାୱଲ (ନୀଳ ରଂଗର ଶାଢୀ ପିନ୍ଧିଛନ୍ତି) ତାଙ୍କ ଗାଁରେ ଗୋଟିଏ ଦଳର ନେତୃତ୍ୱ ନେଉଛନ୍ତି। କିନ୍ତୁ ମହିଳାଙ୍କ ଭଲ ସ୍ୱାସ୍ଥ୍ୟ ପାଇଁ କେବଳ ଶିକ୍ଷା ଓ ସଚେତନତା ସବୁବେଳେ କାରଣ ହୋଇ ନପାରେ।

ଅନେକ ସମୟରେ ଏଭଳି ବିଶ୍ୱାସ କଳ୍ପନା ଅନ୍ୟମାନଙ୍କ ପାଇଁ ଆହ୍ୱାନ ପାଲଟିଛି। ରାଓ୍ୱଲ ସଂପ୍ରଦାୟର (ରାଜସ୍ଥାନରେ ଅନୁସୂଚିତ ବର୍ଗ ଭାବେ ତାଲିକାଭୁକ୍ତ) କଳ୍ପନା ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି। ସେ ବଂଶୱାଡ଼ା ଜିଲ୍ଲାର ଘଲକିଆ ପଂଚାୟତର ୱାକା ଗାଁରେ ରହନ୍ତି। ଏହି ଗାଁର ମୋଟ ଜନସଂଖ୍ୟା ୧,୩୯୭। ନୂଆକରି ଗଠିତ ହୋଇଥିବା ତାଜୋ ପରିବାର (ସ୍ଥାନୀୟ ବଗାଡ଼ି ଭାଷାରେ ‘ସୁସ୍ଥ ପରିବାର’)ର ସ୍ଥାନୀୟ ଶାଖାର ସେ ନେତୃତ୍ଵ ନେଉଛନ୍ତି। ଏଥିରେ ୨୫ ଜଣ ମହିଳା ଅଛନ୍ତି। ଗର୍ଭାବସ୍ଥାରେ କିଭଳି ସୁସ୍ଥ ରହିହେବ ସେ ସଂପର୍କରେ ତାଙ୍କ ସଂପ୍ରଦାୟ ମଧ୍ୟରେ ସେମାନେ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ କରୁଛନ୍ତି। ଡିସେମ୍ବର ୨୦୧୮ରେ ତାଜୋ ପରିବାର ଗଠନ ହୋଇଥିଲା। ଏହା ହେଉଛି ଦିଲ୍ଲୀସ୍ଥିତ ଅନୁଧ୍ୟାନ ଓ ତାଲିମ କେନ୍ଦ୍ର ପିଆରଆଇଏ (ପାର୍ଟିସିପାଟୋରୀ ରିସର୍ଚ୍ଚ ଇନ୍ ଏସିଆ)ର ଅପନା ସ୍ୱାସ୍ଥ୍ୟ, ଅପନି ପେହେଲ୍ (ଆମ ସ୍ୱାସ୍ଥ୍ୟ ଆମ ହାତରେ)ର ଏକ ଅଂଶ ବିଶେଷ। ଏହି ସଂଗଠନ ଗର୍ଭାବସ୍ଥାରେ ସ୍ୱାସ୍ଥ୍ୟର ଯତ୍ନ ସଂପର୍କିତ ସୂଚନା ପ୍ରଦାନ କରିଥାଏ ଏବଂ ଶିଶୁ ଓ କିଶୋରଙ୍କ ସ୍ୱାସ୍ଥ୍ୟର ବିକାଶ ସହ ପଂଚାୟତକୁ ସଶକ୍ତ କରିବା କ୍ଷେତ୍ରରେ କାର୍ଯ୍ୟ କରିଥାଏ।

ଯେଉଁ ମହିଳାମାନଙ୍କର ‘ଇଛାକୃତ ଦୁର୍ବଳ ସ୍ୱାସ୍ଥ୍ୟ ପ୍ରବୃତ୍ତି’ ରହିଛି ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ତାଜୋ ପରିବାର କାମ କରୁଥିବା ଏହି ସଂଗଠନର ଅଧ୍ୟୟନରୁ ଜଣାଯାଏ। ୨୦୧୮ରେ ପିଆରଆଇଏ ସଂଗଠନ ଏକ ଅଧ୍ୟୟନ କରିଥିଲା। ଦୁଇଟି ବ୍ଲକର (ବଂଶୱାଡ଼ା ଓ ଗୋବିନ୍ଦଡ଼) ୧,୮୦୮ ଜଣ ମହିଳାଙ୍କ ଉପରେ ହୋଇଥିବା ଏହି ଅଧ୍ୟୟନରୁ ଜଣାଯାଏ, ବଂଶୱାଡ଼ା ଜିଲ୍ଲାରେ ପ୍ରତି ୧୦ ଜଣ ମହିଳାଙ୍କ ମଧ୍ୟରୁ ୭ ଜଣଙ୍କୁ ମା ଓ ଶିଶୁର ସ୍ୱାସ୍ଥ୍ୟ ସଂପର୍କରେ ବୁଝାଇବା ପାଇଁ କେହି ନାହାନ୍ତି। ଏକ ତୃତୀୟାଂଶ ଲୋକଙ୍କ ପାଖରେ ଜରୁରୀକାଳୀନ ଚିକିତ୍ସା ପାଇଁ ମଧ୍ୟ ସମ୍ବଳ ନାହିଁ। ସେହିଭଳି ପ୍ରତି ୫ ରୁ ୩ ଜଣ ମହିଳା ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକରଣ ସଂପର୍କରେ କିଛି ଜାଣନ୍ତି ନାହିଁ।

ତାଜୋ ପରିବାରର କାମ ସଂପର୍କରେ କଳ୍ପନା କହନ୍ତି, ‘‘ଆମ ସଂପ୍ରଦାୟର ଲୋକେ ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ହୋଇ ରହୁଛନ୍ତି। ଆମେ ଘରକୁ ଘର ବୁଲି କଣ୍ଡୋମ ବିତରଣ କରୁ, ଟୀକାକରଣ ପାଇଁ କହୁ, ସରଳ ଉପାୟରେ କିପରି ସଂକ୍ରମଣରୁ ରକ୍ଷା ପାଇହେବ ସେ କଥା କହୁ ଏବଂ ଏଭଳି ଆହୁରି ଅନେକ କିଛି’’। ଏଭଳି ଗ୍ରୁପମାନେ ଏବେ ବଂଶୱାଡ଼ା ଓ ଗୋବିନ୍ଦଗଡ଼ ବ୍ଲକର ୧୮ଟି ପଞ୍ଚାୟତରେ ସକ୍ରିୟ ଅଛନ୍ତି। ପ୍ରତି ଗ୍ରୁପରେ ହାରାହାରି ୨୦ ଜଣ ସଦସ୍ୟ, ସମସ୍ତେ ସ୍ୱେଛାସେବୀ।

‘ମନରେଗା ସାଥୀ’ (ଯୋଜନାରେ ଲୋକଙ୍କ ନାଁ ପଞ୍ଜିକରଣ କରିବାକୁ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଛନ୍ତି) କଳ୍ପନା କହନ୍ତି, ମହିଳାମାନେ ନିରବରେ ଯନ୍ତ୍ରଣା ଭୋଗନ୍ତି। ସେ କହନ୍ତି, ‘‘ଏପରିକି ରାତି ଅଧିକ ହୋଇଥିଲେ, ସେମାନେ ଆମ୍ବୁଲାନ୍ସ ମଧ୍ୟ ଡାକିବେ ନାହିଁ। ପିଏଚସି [ଏଠାରୁ ତିନି କିଲୋମିଟର ଦୂର ଘଲକିଆରେ] ଯିବା ବଦଳରେ ଝୋଲା ଚାପ୍ [ସ୍ୱୀକୃତି ନଥାଇ ସ୍ଥାନୀୟ ଅଞ୍ଚଳରେ ଚିକିତ୍ସା କରୁଥିବା ବ୍ୟକ୍ତି] ଉପରେ ବେଶୀ ଭରସା କରନ୍ତି। ସେମାନେ ଗାଁରେ ଥିବାଦୋକାନରୁ ଔଷଧ ନେବାକୁ କହନ୍ତି।’’

Kalpana Rawal’s and her husband Gorak Nath
PHOTO • Puja Awasthi
Members of the Tajo Parivar believe they can overcome tradition barriers to health seeking behaviour
PHOTO • Puja Awasthi

ବାମ: କଳ୍ପନାଙ୍କ ସ୍ୱାମୀ ଗୋରଖନାଥ କହିଲେ, ‘ମୁଁ ଜାଣେ ପିଲା ନହେବା ମୋ ସ୍ତ୍ରୀଙ୍କର ଦୋଷ ନୁହେଁ’। ଡାହଣ: ୱାକା ଗାଁରେ ତାଜୋ ପରିବାରରର ସଦସ୍ୟମାନେ।

କିନ୍ତୁ ଶିକ୍ଷା ଏବଂ ସଚେତନତା ସବୁବେଳେ ମହିଳାଙ୍କୁ ଭଲ ସ୍ୱାସ୍ଥ୍ୟ ଦେଇପାରିବେ ନାହିଁ। ଲୋକଙ୍କ ଭିତରେ ପରସ୍ତ ପରସ୍ତ ହୋଇ ଜମିଥିବା ଏହି ବଦ୍ଧ ଧାରଣା କଳ୍ପନାଙ୍କ ପାଇଁ ଆହ୍ୱାନ ଓ କଷ୍ଟସାଧ୍ୟ ପାଲଟିଛି। ନିଜ ଅଭିଜ୍ଞତା କଳ୍ପନାଙ୍କୁ ଏଭଳି ଦ୍ୱନ୍ଦ୍ୱରେ ପକାଇଛି। ୨୦ ବର୍ଷର ବୈବାହିକ ଜୀବନରେ ସେ ଓ ତାଙ୍କ ସ୍ୱାମୀ ଗୋରଖନାଥ (ସେ ମଧ୍ୟ ‘ମନରେଗା ସାଥୀ’) ନିସନ୍ତାନ ଅଛନ୍ତି - ଏହା ତାଙ୍କ ପରିବାର ଭିତରେ ତିନି ବିଘା [୧ ବିଘା ହେଉଛି ୦.୪୦ ଏକର] ପୈତୃକ ସଂପତ୍ତିର ଭାଗବଣ୍ଟାକୁ ନେଇ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ସେମାନେ ଭାଗ ପାଇବେ କି ନାହିଁ ତାକୁ ନେଇ ତର୍କବିତର୍କ ଚାଲିଛି।

ସେମାନେ କାହିଁକି ନିସନ୍ତାନ, ତାହା ଜାଣିବା ପାଇଁ କଳ୍ପନା ଓ ତାଙ୍କ ସ୍ୱାମୀ ବହୁବାର ଡାକ୍ତରୀ ପରୀକ୍ଷା କରି ସାରିଲେଣି। ପରୀକ୍ଷାରୁ ଯାହା ଜଣାପଡ଼ିଛି କଳ୍ପନାଙ୍କର କୌଣସି ଶାରୀରିକ ସମସ୍ୟା ନାହିଁ। କିନ୍ତୁ ଗୋରଖନାଥଙ୍କର ଶୁକ୍ରାଣୁ ସଂଖ୍ୟା କମ ଥିବା ଜଣାପଡ଼ିଛି। ଏହା ଜାଣିବା ପରେ ବି ତାଙ୍କ ସ୍ୱାମୀ ପୁନର୍ବିବାହ କରନ୍ତୁ ଏକଥା ଭାବିବାରୁ ସେ ନିବୃତ୍ତ ହୋଇପାରୁ ନାହାନ୍ତି। ସେ କହିଲେ, ‘‘ମୋ ସ୍ୱାମୀ ଯଦି ପୁନର୍ବିବାହ କରନ୍ତି କାହିଁକି ମୁଁ ବିରୋଧ କରିବି? ଜଣେ ଉତ୍ତରାଧୀକାରୀ ରହିଲେ ଭଲ, ଅତି କମ୍‌ରେ ପୁଅଟିଏ’’

ଗୋରଖନାଥ କିନ୍ତୁ ଅନ୍ୟ ପ୍ରକାର ଭାବନ୍ତି। ସେ କହନ୍ତି, ‘‘ନିସନ୍ତାନ ରହିବା ମୋ ସ୍ତ୍ରୀଙ୍କର ଦୋଷ ନୁହେଁ ବୋଲି ମୁଁ ଜାଣିଛି’’। ‘‘କେବେ ବି ଆଉ ଥରେ ବାହା ହେବାକୁ ମୁଁ ଭାବି ନାହିଁ। ଏଥିପାଇଁ ସେ ମୋତେ ପ୍ରବର୍ତ୍ତାଇଲେ ବି କୌଣସି ଫରକ ପଡ଼ିବନି। ସଂପ୍ରଦାୟର ବୟସ୍କ ଲୋକ ଓ ମୋ ପରିବାର ଭିତରେ ଏହି ବିଶ୍ୱାସ ଅଛି ଯେ, କେବଳ ମହିଳାମାନେ ଗର୍ଭଧାରଣ ପାଇଁ ଦାୟୀ। କିନ୍ତୁ ମୁଁ ଜାଣିଛି, ଉଭୟ ପକ୍ଷ ସମାନ ଭାବେ ଛିଡା ହେବା ଉଚିତ [ସମାନ ଭାବେ ଦାୟୀ]।’’

ସେ ଯାହାହେଉ, ଏଥିପାଇଁ କେବଳ ମହିଳାମାନେ ଯେ ଦାୟୀ, ଏହି ଧାରଣା ବଦଳାଇବା ପାଇଁ ସେ ସଚେତନତା ସୃଷ୍ଟି କରୁଛନ୍ତି। ସେ କହନ୍ତି, ‘‘ପୁରୁଷମାନେ ମହିଳାଙ୍କ ସହ ଏଭଳି ପ୍ରସଙ୍ଗରେ [ଯେମିତି ପିଲା ଜନ୍ମ] ଆଲୋଚନା ପାଇଁ କୁଣ୍ଠାବୋଧ କରନ୍ତି। ତେଣୁ ଏ କ୍ଷେତ୍ରରେ ମହିଳାମାନେ କାମ କରିବା ସବୁଠୁ ଭଲ।’’

କଳ୍ପନା ଯଦିଓ ଜାଣନ୍ତି ଯେ, ତାଙ୍କ ପୁରା ସଂପ୍ରଦାୟର ଧାରଣା ବଦଳାଇବାକୁ ପଡ଼ିବ। ସେ କହନ୍ତି, ‘‘ଆମକୁ ନିଜେ ନିଜର ନେତା ହେବାକୁ ପଡ଼ିବ।’’

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Puja Awasthi

ଲେଖକ ପରିଚୟ: ପୂଜା ଅୱସ୍ତି ଜଣେ ମୁକ୍ତବୃତ୍ତି ଖବରକାଗଜ ଓ ଅନ୍ଲାଇନ୍ ସାମ୍ବାଦିକ। ଲକ୍ଷ୍ନୌରେ ରହୁଥିବା ପୂଜା ଜଣେ ଉଦୀୟମାନ ଫଟୋଗ୍ରାଫର। ସେ ଯୋଗ, ଭ୍ରମଣ ଓ ସବୁ ହାତ ତିଆରି ଜିନିଷକୁ ଭଲ ପାଆନ୍ତି।

Other stories by Puja Awasthi