ଏଇ ବର୍ଷ ମାର୍ଚ୍ଚ ୧୫ ତାରିଖରେ ଯେତେବେଳେ ମରାଠୱାଡାର ଲାଟୁର୍‌ ଜିଲ୍ଲା ଅନ୍ତର୍ଗତ ୟେଲ୍ଲୋରୀ ଗ୍ରାମରେ କୁଆପଥର ଝଡ଼ ହେବା ଆରମ୍ଭ ହେଲା, ସେତେବେଳକୁ ରାଓସାହେବ ୱାଲ୍‌କେ ତାଙ୍କ କ୍ଷେତରୁ ବାହାରି ଯାଇଥିଲେ ଓ ସେ ଘର ଆଡ଼କୁ ଆସୁଥିଲେ । “ଏହି ତାଣ୍ଡବଲୀଳା ପ୍ରାୟ ୧୯ ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିଲା’’, ବୋଲି ସେ ମନେପକାଇ କୁହନ୍ତି । “କୁଆପଥରଗୁଡିକ ବିରାଟ ଆକାରର ହୋଇଥିଲେ ଓ ସେଗୁଡ଼ିକ ଜୋର୍‌ରେ ବାଡ଼େଇ ହେଉଥିଲା । ମୁଁ ବଞ୍ଚିଗଲି କାରଣ ମୁଁ ସଙ୍ଗେ ସଙ୍ଗେ ମୋ ଜମିରେ ଥିବା ଏକ ପାଳଗଦା ତଳେ ଲୁଚିଗଲି । ମୋ ଚାରିପାଖରେ ଅନେକ ପକ୍ଷୀଙ୍କର କରୁଣ ବିଳାପ ଶବ୍ଦ ମୁଁ ଶୁଣିପାରୁଥିଲି। 

ଉଣେଇଶି ମିନିଟ୍‌ ପରେ, ଯେତେବେଳେ ୭୦ ବର୍ଷ ବୟସ୍କ ୱାଲ୍‌କେ, ପାଳଗଦା ଭିତରୁ ବାହାରକୁ ଆସିଲେ, ସେତେବେଳେ ସେ ନିଜ ଚାଷଜମିର ଅବସ୍ଥା ଦେଖି ବିଶ୍ୱାସ କରିପାରିଲେ ନାହିଁ ।  “କେବଳ ମୃତ ପକ୍ଷୀ, ଚେରସହିତ ଉପୁଡି ଯାଇଥିବା ଗଛ, ନଷ୍ଟ ହୋଇଯାଇଥିବା ବିଲାତିବାଇଗଣ ଓ ଆହତ ପଶୁମାନେ ଦିଶୁଥିଲେ’’ ସେ କୁହନ୍ତି । “ଧ୍ୱଂସର ତାଣ୍ଡବଲୀଳାରଭୟାବହତା ଦେଖି ମୁଁ ନିଜକୁ ନିଜେ ବିଶ୍ୱାସ କରିପାରିଲି ନାହିଁ । ମୋର ଅନୁଭବ ହେଲା ଯେ ମୁଁ ଯେପରି ପକ୍ଷୀମାନଙ୍କ ଶବାଗାର ଭିତରେ ଚାଲୁଛି; କାଳେ ସେମାନଙ୍କ ଉପରେ ମୋର ଗୋଡ଼ ପଡ଼ିଯିବ’’, ସେଥିପାଇଁ ମୋତେ ସତର୍କ ରହିବାକୁ ହେଲା। 

ସେ କିନ୍ତୁ ଅଧିକ ସମୟ ପାଇଁ ନିଶ୍ଚିନ୍ତ ହୋଇ ରହିପାରିଲେ ନାହିଁ । ଦୁଇଟି ସ୍ଥାନରେ ୱାଲ୍‌କେଙ୍କ ଜମି ରହିଛି, ପ୍ରତ୍ୟେକ ଜମିର ଆକାର ୧୧ଏକର ହେବ । ଘରକୁ ପହଞ୍ଚିବା ପରେ, ତାଙ୍କର ୨୫ ବର୍ଷ ବୟସର ବୋହୁ ଲଳିତା, ଜମିରୁ ଘରକୁ ଫେରିବା ରାସ୍ତାରେ ସେହି ପ୍ରବଳ ଝଡ଼ରେ ଫସି ଯାଇଥିବା କଥା ଜାଣିବାକୁ ପାଇଲେ। ୱାଲକେ କହନ୍ତି “ଲଳିତା ମୁଣ଼୍ଡରେ ଏକ ଝୁଡ଼ି ମୁଣ୍ଡାଇଥିଲେ’’। କିନ୍ତୁ ଲୁଚିବା ପାଇଁ ବା ଆଶ୍ରୟ ନେବା ପାଇଁ ସେଠାରେ କୌଣସି ସ୍ଥାନ ନଥିଲା । ‘‘ସେ ଝୁଡ଼ିଟିକୁ ନିଜ ମୁଣ୍ଡରେ ଧରିଥିବାରୁ, କୁଆପଥରଗୁଡିକ ତାଙ୍କ ଆଙ୍ଗୁଳିରେ ଆସି ବାଡ଼େଇ ହେଉଥିଲା । ତିନିଟି ଆଙ୍ଗୁଠି ଛିଡ଼ିଯାଇଛି ।’’

୧୭ ସଦସ୍ୟ ବିଶିଷ୍ଟ ୱାଲ୍‌କେଙ୍କ ପରିବାର, ଝଡ଼ ଥମିବା ସଙ୍ଗେ ସଙ୍ଗେ ଲଳିତାଙ୍କୁ ଡାକ୍ତରଖାନାକୁ ନେଇଗଲେ । “ତାଙ୍କ ବାମ ହାତର ସେହି ଆଙ୍ଗୁଠିଗୁଡ଼ିକୁ ତାଙ୍କୁ ହରାଇବାକୁ ପଡିଲା,” ବୋଲି ୱାଲ୍‌କେ କୁହନ୍ତି ।" “ଏଥିରେ ତାଙ୍କ ଶରୀରରୁ ବହୁ ପରିମାଣର ରକ୍ତସ୍ରାବ ମଧ୍ୟ ହୋଇଛି। ବର୍ତ୍ତମାନ ସେ ତାଙ୍କ ମା’ଙ୍କ ଘରେ ଅଛନ୍ତି’’ ।

PHOTO • Parth M.N.

ମୃତ ପକ୍ଷୀ, ଚେର ସହିତ ଉପୁଡି ପଡିଥିବା ଗଛ ଓ ଆହତ ପଶୁମାନେ ; ୟେଲ୍ଲୋରୀ ଗ୍ରାମର ରାଓସାହେବ କୁହନ୍ତି। ‘ମୁଁ ଧ୍ୱଂସର ଭୟାବହତାକୁ ବିଶ୍ୱାସ କରିପାରିଲି ନାହିଁ’

ମାର୍ଚ୍ଚ ୧୫ରେ ହୋଇଥିବା କୁଆପଥର ଝଡ଼ ଦ୍ୱାରା ଲାଟୁର୍‌, ବିଡ୍‌ ଓ ଓସ୍‌ମାନାବାଦ୍‌ର ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଛି । ଛଅ ସପ୍ତାହ ପରେ ଆମେ ଯେତେବେଳେ ୟେଲ୍ଲୋରୀ ମଧ୍ୟ ଦେଇ ଗଲୁ, ସେତେବେଳେ ମଧ୍ୟ ଆମ ଚାରିପାଖରେ ଧ୍ୱଂସଲୀଳାର ଛାପ ଦେଖି ପାରିଥିଲୁ – ଚେର ସହିତ ଉପୁଡି ଯାଇଥିବା ଗଛ, ଛିଣ୍ଡି ଯାଇଥିବା ତାର, ବଙ୍କା ହୋଇ ଯାଇଥିବା ବିଦ୍ୟୁତ ଖୁଣ୍ଟ ଓ ପକ୍ଷୀ ଶୂନ୍ୟ ଅଞ୍ଚଳ । “ତୁମେ କଣ ମୟୁରଗୁଡିକର ସେହି ଛୋଟିଆ ଦଳକୁ ଦେଖିପାରୁଛ?’’ ଜଣେ କୃଷକ ପଚାରିଲା । “କୁଆପଥର ଝଡ଼ ହେବା ପୂର୍ବରୁ ଏମାନଙ୍କ ସଂଖ୍ୟା ୩୦୦ରୁ ଅଧିକ ଥିଲା । ବର୍ତ୍ତମାନ ଏମାନଙ୍କ ସଂଖ୍ୟା ୨୫ ମଧ୍ୟରେ ସୀମିତ।’’  

ଜୁନ୍‌ ମାସରେ ଖରିଫ୍‌  ଋତୁ ଆରମ୍ଭ ହେବାକୁ ଥିବାବେଳେ, ଏହି ଧ୍ୱଂସଲୀଳା ଯୋଗୁଁ ଚାଷୀମାନେ ସମ୍ପୂର୍ଣ୍ଣ ଭାବେ ନିରୁତ୍ସାହିତ ହୋଇଯାଇଛନ୍ତି । ୱାଲ୍‌କେଙ୍କ ୨୦ ଟନ୍‌ ବିଲାତିବାଇଗଣ ଫସଲ ହାନି ହୋଇଛି, ଯାହାର ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ; ଖରିଫ୍‌ ଋତୁରେ ସେ ଗହମ, ଯଅ ଓ ସୋୟାବିନ୍‌ ବୁଣିବା ପାଇଁ ଯୋଜନା କରୁଛନ୍ତି । 

ଗୁଣ୍ଡପ୍ପା ନିତୁରେଙ୍କର ବୟସ ୬୦ ବର୍ଷ ହେଲାଣି, ଏବେବିୟେଲ୍ଲୋରୀରେ ଥିବା ତାଙ୍କର ୨୩ ଏକର ଜମିରେ ଉଜୁଡ଼ି ଯାଇଥିବା ଫସଲକୁ ସେ ସଫା କରିପାରିନାହାନ୍ତି । ମୋତେ ତାଙ୍କ ଜମିକୁ ନେବାବେଳେ “ମୋ ଜମିରେ ଚାଲିବା ଓ ସେହି ଅନୁଭୂତିଗୁଡ଼ିକୁ ପୁଣି ଉଜ୍ଜୀବିତ କରିବା ଅତ୍ୟନ୍ତ ଅବସାଦମୟ ଅଟେ” ବୋଲି ସେ କହନ୍ତି । ଆମ ଚାରିପାଖରେ ଦିଶୁଥିଲା କେବଳ ମାଟିରେ ପଡ଼ି ପଚୁଥିବା ଡାଳିମ୍ବ, ଭାଙ୍ଗି ତଳେ ନଇଁ ପଡ଼ିଥିବା ଗଛ, ଗଛ ଗଣ୍ଡିରେ କୁଆପଥର ମାଡ଼ର ଚିହ୍ନ ।

ଭିଡିଓ ଦେଖନ୍ତୁ : ୟେଲ୍ଲୋରୀ ଗ୍ରାମର ଗୁଣ୍ଡପ୍ପା ନିତୁରେ ସେହି ୧୯ ମିନିଟ୍‌ ବ୍ୟାପୀ ଚାଲିଥିବା ଧ୍ୱଂସର ତାଣ୍ଡବଲୀଳା ବିଷୟ ମନେ ପକାଉଛନ୍ତି

ମାର୍ଚ୍ଚର ମଧ୍ୟ ଭାଗରେ, ଯେତେବେଳେଝଡ଼ତୋଫାନ ଆସିଥିଲା, ସେତେବେଳେ ଯେଉଁ କୃଷକମାନେ ଉଦ୍ୟାନ କୃଷିରେ ପୁଞ୍ଜି ନିବେଶ କରିଥିଲେ, ସେମାନେ ତାଙ୍କର ଫସଲ ଅମଳ କରୁଥିଲେ ଓ ଆସନ୍ତା ବର୍ଷା ଋତୁରେ ବୁଣିବା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ । ଉଦ୍ୟାନ କୃଷି ବହୁତ ବ୍ୟୟବହୁଳ ହୋଇଥାଏ କିନ୍ତୁ ଏଥିରୁ ଲାଭ ମଧ୍ୟ ଭଲ ମିଳିଥାଏ । “ଏକ କିଲୋଗ୍ରାମ ଡାଳିମ୍ବ ପିଛା ମୋତେ ୧୦୦ ଟଙ୍କା ମିଳିଥାଏ’’ ବୋଲି ନିତୁରେ କୁହନ୍ତି, ଏବଂ “ମୋ ପାଖରେ ୪୦ ଟନ୍‌ ଫଳ ଥିଲା । ସେହି ୧୯ ମିନିଟରେ ମୋତେ ୪୦ ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡିଲା ।’’

ନିତୁରେଙ୍କ ଅଙ୍ଗୁର ଓ ବିଲାତିବାଇଗଣ ଫସଲ ମଧ୍ୟ ଉଜୁଡ଼ି ଯାଇଛି । ଯଦି ଆଉ କିଛି ଦିନ ବିଳମ୍ବରେ ଏହି କୁଆପଥର ଝଡ଼ ହୋଇଥାନ୍ତା, ତେବେ ବୋଧହୁଏ ସେ ନିଜ ଫସଲ ବଞ୍ଚେଇବାରେ ସଫଳ ହୋଇପାରିଥାନ୍ତେ । “ମୁଁ ଯେ କେବଳ ମୋର ଭଣ୍ଡାର ହରେଇଛି ତାହା ନୁହେଁ, ଏହାସହିତ ଏହି ଫସଲରେ ନିବେଶ କରିଥିବା ୨୦ଲକ୍ଷ ଟଙ୍କା ମଧ୍ୟ ହରାଇଛି,’’ ବୋଲି  ସେ କୁହନ୍ତି । “ମୁଁ ନିଜକୁ ନିଜେ କିଭଳି ଭାବେ ପୁନର୍ଜ୍ଜୀବିତ କରିପାରିବି? ଗତ କିଛି ବର୍ଷ ହେବ ଆମକୁ ଉତ୍କଟ ଜଳ ସଂକଟର ସାମନା କରିବାକୁ ପଡୁଛି । ମୁଁ ଏହି ଗଛଗୁଡିକୁ ଜୀବିତ ରଖିବା ପାଇଁ ଅନେକ ପାଣି ଭରା ଟାଙ୍କି କିଣିଛି । ଶେଷରେ, ଏହି ବର୍ଷ ଲାଭଜନକ ଫସଲ ହୋଇଥିଲା କିନ୍ତୁ କୁଆପଥର ଝଡ଼ ଏସବୁ ଧ୍ୱଂସ କରିଦେଲା ।’’ 

PHOTO • Parth M.N.

ମାର୍ଚ୍ଚରେ ହୋଇଥିବା କୁଆପଥର ଝଡ଼ରେ ଡାଳିମ୍ବ ଫସଲ ବିଧ୍ୱଂସ୍ତ ହୋଇଯିବା ଯୋଗୁଁ ନିତୁରେଙ୍କୁ ୪୦ ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡିଲା ; ତାଙ୍କର ଅଙ୍ଗୁର ଓ ବିଲାତିବାଇଗଣ ଫସଲରେ ମଧ୍ୟ ହାନି ହୋଇଛି ଓ ତାଙ୍କ ଉପରେ ୧୭ ଲକ୍ଷ ଟଙ୍କା ଋଣ ଭାର ଅଛି

ନିତୁରେଙ୍କ ଉପରେ ବର୍ତ୍ତମାନ ୧୭ ଲକ୍ଷ ଟଙ୍କାର ଋଣ ବୋଝ ରହିଛି ଓ ତାଙ୍କ ପରିବାରରେ ତାଙ୍କର ଦୁଇଟି ପୁଅ, ଗୋଟିଏ ବୋହୁ ଓ ବର୍ଷକର ନାତି ରହନ୍ତି । ସେ ତାଙ୍କ ଋଣର ପରିମାଣ ସବୁ ମିଶାଇଲେ :‘‘[ମୁଁ ନେଇଛି] ବ୍ୟାଙ୍କରୁ ୮ଲକ୍ଷ, ବେସରକାରୀ ଭାବେ ୫ ଲକ୍ଷ ଓ ବିଭିନ୍ନ ଦୋକାନୀମାନଙ୍କଠାରୁ ପ୍ରାୟ ୪ ଲକ୍ଷ ଟଙ୍କା”  ସେ ଋଣ କରିଥିବା କଥା ସେ କୁହନ୍ତି । ‘‘ଭଗବାନ ସେହି ଦୋକାନୀମାନଙ୍କୁ ଆଶୀର୍ବାଦ କରନ୍ତୁ । ସେମାନେ ନିଜ ଟଙ୍କା ଫେରି ପାଇବା ପାଇଁ ଏ ପର୍ଯ୍ୟନ୍ତ ମୋ ପାଖକୁ ଆସି ବା କଲ୍‌ କରି ମୋତେ ହଇରାଣ କରିନାହାନ୍ତି’’ । 

ଅତୀତରେ ମଧ୍ୟ ମରାଠ୍‌ୱାଡାର କୃଷକମାନେ ଏପରି କୁଆପଥର ଝଡ଼ର ସାମନା କରିଛନ୍ତି କିନ୍ତୁ ଗତ ପାଞ୍ଚ ବର୍ଷ ହେବ ଝଡ଼ର ପୁନଃପୌନିକତା ଓ ତୀବ୍ରତା ବୃଦ୍ଧି ପାଇଛି ବୋଲି ସେମାନେ କହୁଛନ୍ତି । ଏପରିକି ମୌସୁମୀ ଜନିତ ବର୍ଷା ମଧ୍ୟ ଅନିୟମିତ ଭାବେ ହେଉଛି ବୋଲି ନିତୁରେ ସୂଚୀତ କରଛନ୍ତି । “ମୋର ମନେ ଅଛି, ସେତେବେଳେ କିଭଳି ଭାବେ ଦୁଇ ତିନି ଦିନ ଧରି ଝଡି ବର୍ଷା ଲାଗି ରହୁଥିଲା” ବୋଲି ସେ କୁହନ୍ତି । “ବହୁ ବର୍ଷ ହେବ ଆଉ ସେପରି ଅନୁଭବ ହେଉନାହିଁ ।’’

ନିୟମିତ ବୃଷ୍ଟିପାତ ଭୂତଳଜଳ ସ୍ତର ବୃଦ୍ଧି ହେବାରେ ସହାୟକ ହୋଇଥାଏ । ତେବେ, ଏବେ ଯେଉଁ ଢାଞ୍ଚାରେ ବର୍ଷା ହେଉଛି, ସେଥିରେ କେବଳ ଏକ ଘଣ୍ଟା ବା ଦୁଇ ଘଣ୍ଟା ପର୍ଯ୍ୟନ୍ତ ଖୁବ୍‌ ଜୋର୍‌ରେ ବର୍ଷା ହୋଇଯାଉଛି ଓ ତାପରେ ଅନେକ ଦିନ ପର୍ଯ୍ୟନ୍ତ ଆଉ ବର୍ଷା ହେଉନାହିଁ । ୨୦୧୪ ରେ ଅଉସା ଓ ପର୍‌ଭାନୀରେ ୨୦୦ମିଲିମିଟରର ଅସ୍ୱାଭାବିକ ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା ବେଳେ ମାତ୍ର ୧୦୦ ମିନିଟ୍‌ରେ ୧୨୩ ମିଲିମିଟର ବର୍ଷା ହୋଇଥିଲା ।

PHOTO • Parth M.N.

ୟେଲ୍ଲୁର୍‌ ସ୍ଥିତ ତାଙ୍କ ଫାର୍ମ ଘରରେ ଗୁଣ୍ଡପ୍ପା ନିତୁରେ : ଆଉଥେ ପଶାକାଠି ପକାଇବାକୁ ନିଜକୁ ପ୍ରସ୍ତୁତ କରୁଛନ୍ତି

ଲାଟୁର୍‌ ଅଞ୍ଚଳରେ କାର୍ଯ୍ୟରତ ପରିବେଶ ଭିତ୍ତିକ ସାମ୍ବାଦିକ ଅତୁଲ ଦେଉଲ୍‌ଗାଓଁକର୍‌ କୁହନ୍ତି ଯେ ଯଦିଓ  ଏହି ଋତୁ ପାଇଁ ସମୁଦାୟ ବୃଷ୍ଟିପାତ ହାର ପର୍ଯ୍ୟାପ୍ତ ଅଟେ, ତଥାପି ଯଦି ଏହା ସଠିକ୍‌ ବ୍ୟବଧାନରେ ହେବନାହିଁ, ତେବେ ଫସଲ ଗମ୍ଭୀର ଭାବେ ପ୍ରଭାବିତ ହୋଇଥାଏ । “ଅନିୟମିତ ପାଣିପାଗ ଢାଞ୍ଚା ଜଳବାୟୁ ପରିବର୍ତ୍ତନର ନିଦର୍ଶନ,” ବୋଲି ସେ କୁହନ୍ତି । ‘‘ରାତିରେ ଅଣ ଋତୁରେ ବର୍ଷା ହେବା ଓ କୁଆପଥର ଝଡ଼ର ପୁନଃପୌନିକତାରେ ବୃଦ୍ଧି ଏହାକୁ ସୂଚିତ କରୁଛି । ଜଳବାୟୁ ଜନିତ ଏହି ପରିବର୍ତ୍ତନର ସମ୍ମୁଖୀନ ହେବାପାଇଁ ଆମେମାନେ ଗବେଷଣା କରିବା ଆବଶ୍ୟକ ।’’ 

ଏହିପରି ପରିସ୍ଥିତିରେ, କୃଷି କାର୍ଯ୍ୟ କରିବା ଜୁଆ  ଖେଳିବା ସହିତ ସମାନ ହୋଇଯାଇଛି । କୃଷକମାନେ ବିପର୍ଯ୍ୟୟ ଜନିତ କ୍ଷତି ଭରଣା କରିବାପାଇଁ ଶସ୍ୟ ବୀମା କରିଛନ୍ତି, କିନ୍ତୁ ଶସ୍ୟ କ୍ଷତି ଆକଳନ କରାଯିବା ପ୍ରଣାଳୀ ବିଦ୍ରୁପାତ୍ମକ ଅଟେ । ସାତ ଖଣ୍ଡ ଗ୍ରାମରେ ମାତ୍ର ୧୦୦୦ ବର୍ଗମିଟରରୁ ଅଧିକ କିଛି ଜମିରୁ ଶସ୍ୟ ମୂଲ୍ୟ ନିର୍ଦ୍ଧାରଣ କରିବା ପାଇଁ ଚିହ୍ନଟ କରାଯାଇଛି, ଯାହା ୪୦ଗ୍ରାମ ବିଶିଷ୍ଟ ଏକ ସର୍କଲ୍‌ରୁ ମିଶାମିଶି କରି ଚୟନ କରାଯାଇଛି । ଚିହ୍ନଟ କରାଯାଇଥିବା ସେହି ସାତ ଖଣ୍ଡ ଗ୍ରାମରେ ହୋଇଥିବା ଶସ୍ୟ ହାନି ଆଧାରରେ ସମ୍ପୂର୍ଣ୍ଣ ସର୍କଲ ପାଇଁ ଅନୁକମ୍ପା ରାଶିର ମୂଲ୍ୟ ନିର୍ଦ୍ଧାରଣ କରାଯିବ ।

ୟେଲ୍ଲୋରୀର କିଛି କୃଷକ, ଯେଉଁମାନେ ଗତ ବର୍ଷ ଶସ୍ୟ ବୀମା କରିଥିଲେ, ଏହି ବର୍ଷ ସେମାନେ ସେଥିରୁ ନିଜ ନାମ ବାହାର କରିଦେଇଛନ୍ତି । ଶିବଶଙ୍କର ଓଞ୍ଜାଲେ କୁହନ୍ତି ଯେ ୨୦୧୬ରେ ହୋଇଥିବା ଏକ କୁଆପଥର ଝଡ଼ ପରେ ସେ ମାତ୍ର ୧୪,୦୦୦ ଟଙ୍କା ପାଇଥିଲେ । (ଶସ୍ୟ ବୀମା ହେଉଛି ଏକ ରାଜ୍ୟ ଯୋଜନା; କୃଷକମାନେ ଏକ ବୀମା କମ୍ପାନିରେ ପ୍ରିମିୟମ୍‌ ପଇଠ କରିଥାନ୍ତି ଓ ରାଜ୍ୟ ଏଥିରେ କେବଳ ଏକ ସେତୁ ଭଳି କାମ କରିଥାଏ । “ଏହା କଟା ଘା’ରେ ଚୂନ ମାରିବା ଭଳି” ବୋଲି ସେ କୁହନ୍ତି । “ମୋର ୧୦ ଲକ୍ଷ ଟଙ୍କାର ଅଙ୍ଗୁର ଫସଲ ନଷ୍ଟ ହୋଇଗଲା । ନିର୍ଦ୍ଧାରିତ ହୋଇଥିବା ଅଞ୍ଚଳ ଏହି ଅଞ୍ଚଳଠାରୁ ଯଥେଷ୍ଟ ଦୂରରେ ଅବସ୍ଥିତ ଓ ଯେଉଁ ସ୍ଥାନରେ କ୍ଷୟକ୍ଷତି ହୋଇଛି ସେଠାରେ କୁଆପଥର ଝଡ଼ର ପରିମାଣ ପ୍ରାୟତଃ ଅଧିକ ଅଟେ ।’’

PHOTO • Parth M.N.

ନିତୁରେ ଓ ୱାଲ୍‌କେଙ୍କ ଭଳି କୃଷକମାନେ ଏହିପରି ବଡ ଧରଣର କ୍ଷତି ଯୋଗୁଁ ଚିନ୍ତାଗ୍ରସ୍ତ ହୋଇ ବସିଗଲେ ଚଳିବନି; କୃଷି ଚକ୍ର ଅହରହ ଚାଲିବାକୁ ହେବ, ଓ ସେମାନେ ଆଉଥରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ହେବ

କୁଆପଥର ଝଡ଼  ଏପିପରି ଅନ୍ୟ ଅପ୍ରତ୍ୟାଶିତ ପାଣିପାଗ ଜନିତ  କ୍ଷୟକ୍ଷତିର ପରିମାଣ ହ୍ରାସ କରିବା ପାଇଁ, ମଇ ୨୦୧୫ ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍‌  ସମଗ୍ର ରାଜ୍ୟରେ ସ୍ୱୟଂଚାଳିତ ପାଣିପାଗ ଷ୍ଟେସନ୍‌ ପ୍ରତିଷ୍ଠା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହା କୃଷକମାନଙ୍କୁ ଭବିଷ୍ୟତର ଚରମ ପାଣିପାଗ ବିଷୟରେ ଆଗୁଆ ସତର୍କ କରିବ, ଯାହା ଫଳରେ ସେମାନେ ନିଜର ଶସ୍ୟ ବଞ୍ଚେଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିପାରିବେ। ଚଳିତ ବର୍ଷ ଏପ୍ରିଲରେ, ନାଗପୁର ନିକଟସ୍ଥ ଦୋଂଗ୍ରାଗାଓଁରେ ଫଡ୍‌ନାଭିସ୍‌ ଏହାର ସର୍ବପ୍ରଥମ ଷ୍ଟେସନ୍‌  ଉଦ୍‌ଘାଟନ କରିଛନ୍ତି ।

ରାଜ୍ୟର କୃଷି ଭିତ୍ତିକ ଅଞ୍ଚଳଗୁଡିକରେ ଥିବା ୬୫ ଲକ୍ଷ କୃଷକଙ୍କ ସୁବିଧା ନିମନ୍ତେ ଏହିପରି ୨୦୬୫ ଷ୍ଟେସନ୍‌ ଖୋଲାବା ପାଇଁ ସରକାର ଯୋଜନା କରିଛନ୍ତି । ଏଥିମଧ୍ୟରୁ ୯୦୦ଟି ଷ୍ଟେସନ୍‌ର ସଂସ୍ଥାପନ କାର୍ଯ୍ୟ ସମାପନ ହୋଇସାରିଛି ବୋଲି ମାହାରାଷ୍ଟ୍ରର ମୁଖ୍ୟ କୃଷି ସଟିବ କରିଛନ୍ତି । “ଅଗଷ୍ଟ ସୁଦ୍ଧା ଆମେ ସମସ୍ତ ୨୦୬୫ ଟି ଷ୍ଟେସନର ସଂସ୍ଥାପନ କାର୍ଯ୍ୟ ଶେଷ କରିବାକୁ ଯୋଜନା କରିଛୁ । ପୂର୍ବ ପ୍ରଣାଳୀରେ କେବଳ ବୃଷ୍ଟିପାତ ମାତ୍ରା ରେକର୍ଡ ହେବା ବ୍ୟବସ୍ଥା ରହିଥିଲା, ତାହା ମଧ୍ୟ ହସ୍ତଚାଳିତ । ଏହି ପାଣିପାଗ ଷ୍ଟେସନ୍‌ଗୁଡିକ ଆମକୁ ପାଣିପାଗ ପରିସ୍ଥିତିର ପୂର୍ବାନୁମାନ କରିବାରେ ସହାୟତା ହେବ । ପ୍ରତି ୧୦ ମିନିଟ୍‌ରେ, ଆମ ପ୍ରଣାଳୀରେ ପାଣିପାଗ ସମ୍ବନ୍ଧୀୟ ତଥ୍ୟଗୁ଼ଡିକ ରେକର୍ଡ ହୋଇରହିବ ।’’

ଦୂରବର୍ତ୍ତୀ ଗ୍ରାମଗୁଡିକରେ ଏହି ଷ୍ଟେସନ୍‌ଗୁଡିକ କିଭଳି ଭଲଭାବେ କାମ କରିବ ଓ କେତେଦୂର ପର୍ଯ୍ୟନ୍ତ ଏହାର କାର୍ଯ୍ୟକାରିତା ବଜାୟ ରହିବ, ଏହା ଏହି ଯୋଜନାର ମୁଖ୍ୟ ଦିଗ ଅଟେ । ଚଳିତ ବର୍ଷ ଯଦିଓ କ୍ଷୟକ୍ଷତି ହୋଇସାରିଲାଣି ଓ ୱାଲ୍‌କେ ଓ ନିତୁରେଙ୍କ ଭଳି କୃଷକମାନେ ଝଡ଼ ଜନିତ ଧ୍ୱଂସ ସ୍ତୁପରୁ ବାହାରକୁ ଆସିବାକୁ ଚେଷ୍ଟା କରୁଛନ୍ତି । ତଥାପି ସେମାନେ ଏହି କ୍ଷୟକ୍ଷତି ଯୋଗୁଁ ଉଦ୍‌ବିଗ୍ନତା ସହିତ ବସି ରହିପାରିବେ ନାହିଁ । “ପ୍ରଥମେ ଯାହା କରାଯିବା ଉଚିତ, ତାହା କରିବାକୁ ହେବ” ବୋଲି ନିତୁରେ କୁହନ୍ତି । “ମୁଁ ମୋର ଉଜୁଡି ଯାଇଥିବା ଡାଳିମ୍ବ ଚାଷ ସଫା କରିବାକୁ ଚାହୁଁଛି । ମୋତେ ମୋର ବୁଦ୍ଧି ଖର୍ଚ୍ଚ କରିବାକୁ ହେବ ଓ ସାର ଓ ମଞ୍ଜି ଉଧାରରେ କେଉଁଠାରୁ ମିଳିପାରିବ, ସେ ସ୍ଥାନ ଖୋଜି ବାହାର କରିବାକୁ ହେବ ।’’ 

ଯଦି ଯଥା ସମୟରେ ଖରିଫ୍‌ ଋତୁ ପାଇଁ ପ୍ରସ୍ତୁତି ଆରମ୍ଭ କରାନଯାଏ, ତେବେ ଆସନ୍ତା ଛଅ ମାସ ନିତୁରେଙ୍କ ପାଇଁ ଅଫଳପ୍ରଦ ହୋଇଯିବା ଆଶଙ୍କା ରହିଛି । ସେହି ୧୯ମିନିଟ୍‌କୁ ପଛରେ ଛାଡିଦେଇ ଆଗକୁ ବଢିବା ବ୍ୟତୀତ ନିତୁରେଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ । ଆଉଥରେ ପଶା ଫିଙ୍ଗିବା ପାଇଁ ଏହା ହେଉଛି ସମୟ ।

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Other stories by Parth M.N.