ରାଜକୁମାରୀ ଭୁୟା କହନ୍ତି, “କୌଣସି ଅପରାଧ ପାଇଁ ନୁହେଁ, ମୋର ଜମି ପାଇଁ ଲଢେଇ କରିବା ଯୋଗୁ ମୁଁ ଜେଲ୍‌ରେ ଥିଲି । ସେତେବେଳେ ମୁଁ ଜେଲ୍ ଯିବାକୁ ଭୟ କରିନଥିଲି ଏବଂ  ଏବେ ମଧ୍ୟ ଭୟଭୀତ ନାହିଁ ।’’

୫୫ ବର୍ଷୀୟ ରାଜକୁମାରୀ ଉତ୍ତରପ୍ରଦେଶର ସୋନଭଦ୍ରା ଜିଲ୍ଳାର ଧୁମା ଗାଁର ଭୁୟା ଆଦିବାସୀ ସଂପ୍ରଦାୟର ବାସିନ୍ଦା । ୨୦୧୫ରେ କାନହର ଜଳସେଚନ ପ୍ରକଳ୍ପକୁ ବିରୋଧ କରି ହୋଇଥିବା ବିକ୍ଷୋଭରେ ଭାଗ ନେବା ଯୋଗୁ ସେ ଜେଲ୍‌ରେ ୪ ମାସରୁ ଅଧିକ ସମୟ ଧରି ରହିଥିଲେ । ବାସଚ୍ୟୁତ ହେବା ଏବଂ ସେମାନଙ୍କ ପାଣିର ଉତ୍ସ ପ୍ରଦୂଷିତ ହେବାକୁ ଭୟ କରି ଦୁଧି ବ୍ଲକ୍‌ର କାନହର ନଦୀରେ ଡ୍ୟାମ୍ ନିର୍ମାଣକୁ ସମାଜସେବୀ ଏବଂ ସ୍ଥାନୀୟ ସଂପ୍ରଦାୟର ଲୋକେ ବିରୋଧ କରୁଛନ୍ତି ।

ନ୍ୟୁଜ ରିପୋର୍ଟ ଅନୁସାରେ ସେହିବର୍ଷ ଏପ୍ରିଲ ମାସରେ ହୋଇଥିବା ବିକ୍ଷୋଭ ସମୟରେ ପୁଲିସ ବିକ୍ଷୋଭକାରୀଙ୍କ ଉପରକୁ ଗୁଳିଚାଳନା କରିଥିଲା ଏବଂ ଲୋକଙ୍କୁ ଗିରଫ କରିବା ଆରମ୍ଭ କରିଥିଲା । ରାଜକୁମାରୀ (ଉପରେ ଥିବା କଭର ଫଟୋରେ ବାମରୁ ଦ୍ୱିତୀୟ)ଙ୍କୁ ତାର କିଛି ଦିନ ପରେ ଗିରଫ କରାଯାଇଥିଲା ଏବଂ ତାଙ୍କୁ ଧୁମା ଠାରୁ ପ୍ରାୟ ୨୦୦ କିମି ଦୂର ମୀର୍ଜାପୁର ଜିଲ୍ଲା କାରାଗାରକୁ ନିଆଯାଇଥିଲା ।

ରାଜକୁମାରୀଙ୍କ ଭଳି ଦ ଅଲ୍ ଇଣ୍ଡିଆ ୟୁନିଅନ୍ ଅଫ୍ ଫରେଷ୍ଟ ୱାର୍କିଂ ପିପୁଲ (ଏଆଇୟୁଏଫଡବ୍ଲ୍ୟୁପି)ର ସଦସ୍ୟ ଥିବା ସୁକାଲୋ ଗୋଣ୍ଡ ମଧ୍ୟ କାନହର ବିକ୍ଷୋଭରେ ଭାଗ ନେଇଥିଲେ । ସେ କହନ୍ତି, ‘‘ମୁଁ କାନହରରେ ଜନ୍ମ ନେଇଥିଲି ଏବଂ ସଂପ୍ରଦାୟକୁ ସମର୍ଥନ କରିବାକୁ ଚାହୁଁଥିଲି । ପୋଲିସ ଗୁଳିଚାଳନା କରିବା ସମୟରେ (୨୦୧୫ ମସିହା ଏପ୍ରିଲ ମାସ ୧୪ ତାରିଖ ସକାଳ ପ୍ରାୟ ୧୦ଟା ସମୟରେ ପୋଲିସ ପ୍ରାୟ ୨ ଘଣ୍ଟା ଧରି ଗୁଳିଚାଳନା କରିଥିଲା) ମୁଁ ସେଠାରେ ନଥିଲି । ମୁଁ ତା’ ପରେ ସେଠାକୁ ଗଲି, କିନ୍ତୁ ବିକ୍ଷୋଭ ହିଂସାତ୍ମକ ହୋଇଗଲା । ତେଣୁ ଆମେ ସମସ୍ତେ ସେ ସ୍ଥାନ ଛାଡ଼ି ବିଭିନ୍ନ ଦିଗରେ ପଳାଇଗଲୁ । ରାଜକୁମାରୀ ତାଙ୍କର ରାସ୍ତାରେ ଗଲେ, ଆଉ ମୁଁ ମୋ ରାସ୍ତାରେ ।’’ (ଯେହେତୁ ଏହି ଆଲେଖ୍ୟ ପାଇଁ ତାଙ୍କର ସାକ୍ଷାତକାର ନିଆଗଲା, ସୁକାଲୋଙ୍କୁ ପୁଣି ଗିରଫ କରାଯାଇ ଜେଲ୍‌ରେ ରଖାଯାଇଛି ।) ଆହୁରି ମଧ୍ୟ ଦେଖନ୍ତୁ:  https://cjp.org.in/sonebhadras-daughter-sukalo/)

ସୁକାଲୋ (ଉପରେ ଥିବା କଭର ଫଟୋରେ ଡାହାଣରୁ ଦ୍ୱିତୀୟ) କହିବା ଜାରି ରଖିଲେ, ‘‘ମୁଁ ଦୁଇ ସପ୍ତାହ ଧରି ଘରଠାରୁ ଦୂରରେ ଥିଲି ।” “ଜଣେ ଦୂର ସଂପର୍କୀୟ ଆଦିବାସୀ ପରିବାର ଯିଏକି ଆମର ଯନ୍ତ୍ରଣାକୁ ବୁଝନ୍ତି ତାଙ୍କ ଘରକୁ ୫ ଘଣ୍ଟା ଧରି ଚାଲି ଚାଲି ଯାଇଥିଲି । ମୁଁ ସେଠାରେ ୨ ରାତି ରହିଲି, ଏବଂ ତା’ ପରେ ଅନ୍ୟ ଜଣକ ଘରକୁ ଗଲି, ସେଠାରେ ୧୦ ଦିନ ରହିଲି । ଆଉ ତା’ ପରେ ପୁଣି ଅନ୍ୟଜଣକ ଘରକୁ ଗଲି ।’’

Rajkumari and Sukalo cleaning greens at Sukalo’s house
PHOTO • Sweta Daga

ଧୁମା ଗାଁର ରାଜକୁମାରୀ ଭୁୟା(ବାମ) ଏବଂ ମାଝୋଉଲି ଗାଁର ସୁକାଲୋ ଗୋଣ୍ଡ (ଡାହାଣ)ସେମାନଙ୍କର ସଂଘର୍ଷ ଓ ଜେଲ୍‌ର ବିତାଇଥିବା ସମୟ କଥା କହୁଛନ୍ତି

ସୁକାଲୋଙ୍କୁ ଏବେ ୫୧ ବର୍ଷ, ସେ ଗୋଣ୍ଡ ଆଦିବାସୀ ସଂପ୍ରଦାୟର ବାସିନ୍ଦା ହୋଇଥିବାବେଳେ ଦୁଧି ବ୍ଲକ୍‌ର ମାଝୋଉଲି ଗାଁରେ ରହନ୍ତି । ସୁକାଲୋ କହନ୍ତି ଯେ ସେ ଭୟଭୀତ ହୋଇନଥିଲେ । ‘‘ମୁଁ ଜାଣିଥିଲି ମୋର ପିଲାମାନେ ଚିନ୍ତିତ ଥିଲେ, କିନ୍ତୁ ମୁଁ ସେମାନଙ୍କ ସହିତ ଫୋନ୍ ମାଧ୍ୟମରେ ଯୋଗାଯୋଗ ସ୍ଥାପନ କରିବାକୁ ଉଦ୍ୟମ କରିଥିଲି । ଶେଷରେ ଜୁନ୍ ମାସରେ ମୁଁ ଘରକୁ ଫେରିଲି ।’’

ସେହି ମାସରେ ପରେ, ଯେତେବେଳେ ସୁକାଲୋ ଏଆଇୟୁଏଫଡବ୍ଲ୍ୟୁପିର ସଦସ୍ୟମାନଙ୍କ ସହିତ ଏକ ବୈଠକ ପାଇଁ ରବର୍ଟଗଞ୍ଜ ସହରକୁ ଆସିଲେ ତାଙ୍କୁ ଗିରଫ କରାଗଲା । ‘‘ସେଦିନ ଥିଲା ୨୦୧୫ ଜୁନ୍ ୩୦ ତାରିଖ । ସାଙ୍ଗେ ସାଙ୍ଗେ (ସଂଘ )ଅଫିସ୍‌କୁ କିଛି ପୋଲିସକର୍ମୀ ଘେରିଗଲେ । ମୋତେ ଲାଗିଲା ୧୦୦୦ ଜଣ ପୋଲିସ୍‌ କର୍ମୀ ଘେରାଉ କରିଛନ୍ତି! । ସେଦିନ ଜେଲ୍‌ ଯିବି ବୋଲି ମୁଁ ଜାଣିଥିଲି…  ।’’

ଜେଲ୍‌ରେ ସୁକାଲୋ ପ୍ରାୟ ୪୫ ଦିନ ବିତାଇଲେ । ‘‘ସେ ସଂପର୍କରେ କହିବାକୁ କ’ଣ ଅଛି? ଜେଲ୍‌ଟା ସବୁବେଳେ ଜେଲ୍ ।  ନିଶ୍ଚିତ ଭାବେ ସେଠାରେ ସମୟ କଷ୍ଟକର ଥିଲା, ଆମର ସ୍ୱାଧୀନତା ବୋଲି କିଛି ନଥିଲା, କାହାରିକୁ ନ ଦେଖିବା ଖୁବ୍ କଷ୍ଟକର ଥିଲା । କିନ୍ତୁ ମୁଁ ଜାଣିଥିଲି ଯେ ଏହି ଆନ୍ଦୋଳନ ଯୋଗୁ ମୁଁ ଜେଲ୍ ଯାଇଥିଲି, ମୁଁ ଅପରାଧୀ ହୋଇଥିବା ଯୋଗୁ ନୁହେଁ । ମୁଁ ଅଧିକ କିଛି ଖାଉନଥିଲି, ଯଦିଓ ମୋର କମ୍ରେଡମାନେ ମୋତେ ଖାଇବାକୁ କହୁଥିଲେ । ମୋର  ସେଥିପ୍ରତି ଇଚ୍ଛା ନଥିଲା । ମୁଁ ଜେଲ୍‌ରେ ଏହିପରି ଚଳିଗଲି ଏବଂ ତାହା ମୋତେ ଅଧିକ ଦୃଢ କଲା ।’’

ସୁକାଲୋ ଜାମିନରେ ମୁକୁଳିଛନ୍ତି କିନ୍ତୁ ତାଙ୍କର ଗଣନା ଅନୁସାରେ ଏବେ ମଧ୍ୟ ତାଙ୍କ ବିରୋଧରେ ପ୍ରାୟ ୧୫ଟି ମାମଲା ପଡ଼ି ରହିଛି । ସେଥିମଧ୍ୟରେ ଦଙ୍ଗା ସୃଷ୍ଟି କରିବା, ଡକାୟତି କରିବା ଏବଂ ଅସ୍ତ୍ରଶସ୍ତ୍ର ପାଖରେ ରଖିବା ଭଳି ମାମଲା ସାମିଲ । ରାଜକୁମାରୀଙ୍କ ବିରୋଧରେ ମଧ୍ୟ ଦୁଧି ପୋଲିସ ଷ୍ଟେସନରେ ଏହିପରି ଅନେକ ମାମଲା ପଡ଼ି ରହିଛି । କୋର୍ଟର ତାରିଖ ପାଇବା, କାଗଜପତ୍ରରେ ଦସ୍ତଖତ କରିବା ଏବଂ ସେ ସହର ଛାଡ଼ି ଯାଇନାହାନ୍ତି ବୋଲି ସ୍ପଷ୍ଟ କରିବା ଲାଗି ତାଙ୍କୁ ୨୦୧୫ରୁ ଦୁଧି ସହରର ଜୁନିୟର ମାଜିଷ୍ଟ୍ରେଟଙ୍କ କୋର୍ଟକୁ ବାରମ୍ବାର ଯିବାକୁ ପଡୁଛି ।

ନିଜ ବିରୋଧରେ ଥିବା ସବୁ ମାମଲାର ସବିଶେଷ ବିବରଣୀ ସେ ମନେ ରଖିନାହାନ୍ତି । ଏ ସଂପର୍କରେ ତାଙ୍କର ଓକିଲ ରବିନ୍ଦର ଯାଦବ କହନ୍ତି, ଏହି ସବୁ ମାମଲା ଗୁଡ଼ିକ ମଧ୍ୟରୁ ଅଧିକାଂଶ ମିଥ୍ୟା । ସେ ଆହୁରି କହନ୍ତି ଯେ, “ସେମାନେ (ଯେଉଁମାନେ ଏଆଇୟୁଏଫଡବ୍ଳ୍ୟୁପି ସହିତ ସଂପର୍କିତ ଯାହାକି ସେମାନଙ୍କର ଆଇନଗତ ଖର୍ଚ୍ଚ ଉଠାଇଥାଏ); ଏହା ମଧ୍ୟ ଦେଖନ୍ତୁ - https://cjp.org.in/cjp-in-action-defending-adivasi-human-rights-activists-in-courts/ ] ନିଶ୍ଚିତ ଭାବେ କିଛି କରିଛନ୍ତି, ନ ହେଲେ ପୋଲିସ କ’ଣ ପାଇଁ ମାମଲା ରୁଜୁ କରିଥାନ୍ତା?’’ ଏହାଶୁଣି ରାଜକୁମାରୀ କିଛି ଆଶ୍ଚର୍ଯ୍ୟ ହେଲେ ନାହିଁ । ସେ କହନ୍ତି, ‘‘ନ୍ୟାୟ ମିଳିବା ଏତେ ସହଜ ନୁହେଁ ।’’

Rajkumari with her lawyer in his chambers
PHOTO • Sweta Daga
Rajkumari leads a community meeting in her village
PHOTO • Sweta Daga

ଦୁଧିରେ ରାଜକୁମାରୀ (ମଝି) ତାଙ୍କର ଓକିଲ ରବିନ୍ଦର ଯାଦବଙ୍କ ସହିତ ଅଛନ୍ତି; ଏବଂ ନିଜ ଗାଁରେ ଅନୁଷ୍ଠିତ ତାଙ୍କ ସଂପ୍ରଦାୟର ଏକ ବୈଠକକୁ ସମ୍ବୋଧିତ କରୁଛନ୍ତି

ସେ ମନେ ପକାଇଲେ, ‘‘ସେମାନେ (ପୁଲିସକର୍ମୀ) ମୋତେ ଟାର୍ଗେଟ୍ କଲେ କାରଣ ମୁଁ ସଂଘ ପାଇଁ କାମ କରୁଥିଲି । ଯେତେବେଳେ ସେମାନେ ମୋତେ ଗିରଫ କଲେ “ମୋତେ ପାଣି ପିଇବାକୁ ବି ଦିଆଗଲା ନାହିଁ । ଜେଲ୍‌ରେ, ଆମକୁ ଏକ ପ୍ଲେଟ୍, ଲୋଟା (ମଗ୍), ଏକ କମ୍ବଳ, ଏକ ଗିନା ଏବଂ ଏକ ମସିଣା ମିଳିଥିଲା । ସକାଳ ୫ଟାରୁ ଆମେ ଉଠୁଥିଲୁ । ଆମେ ନିଜର ଖାଇବା ତିଆରି କରୁଥିଲୁ । ଆମେ ଜେଲ୍ ସଫା କରୁଥିଲୁ । ଆମର ପିଇବା ପାଣି ଖୁବ୍ ଅପରିଷ୍କାର ଥିଲା । ଜେଲ୍ ଭିତରେ ମାତ୍ର ୩୦ ଜଣ ମହିଳା ରହିବାର ସୁବିଧା ଥିଲା, କିନ୍ତୁ ସମୟ ସମୟରେ ଏହି ସଂଖ୍ୟା ପ୍ରାୟ ୯୦ ହୋଇଯାଉଥିଲା । ଜେଲ୍‌ରେ ଏକ ଶିଶୁ ମଧ୍ୟ ଜନ୍ମ ନେଲା । ଜେଲ୍‌ରେ ବନ୍ଦୀ ଥିବା ମହିଳାଙ୍କ ମଧ୍ୟରେ ଅନେକ କଳହ (ଜାଗା, ଖାଇବା, ସାବୁନ, କମ୍ବଳ ପାଇଁ) ହେଉଥିଲା । ସମୟ ସମୟରେ ଜେଲ୍‌ରେ ଆମକୁ ବାଥରୁମ୍‌ରେ ଶୁଆଉଥିଲେ କାରଣ ସେଠାରେ ସ୍ଥାନାଭାବ ଥିଲା ।’’

ଯେତେବେଳେ ରାଜକୁମାରୀଙ୍କ ସ୍ୱାମୀ ମୁଲଚାନ୍ଦ ଭୁୟା ତାଙ୍କ ପତ୍ନୀଙ୍କ ଜେଲ୍ ଯିବା କଥା ଜାଣିଲେ ସେ ଖୁବ୍ ଦୁଃଖିତ ହୋଇପଡ଼ିଥିଲେ । ମୁଲଚାନ୍ଦ ମଧ୍ୟ ସଂଘର ସଦସ୍ୟ ଥିଲେ ।  ମୁଲଚାନ୍ଦ କହନ୍ତି, “ମୁଁ କ’ଣ କରିବି ତାହା ଜାଣିପାରିଲି ନାହିଁ । ମୋର ପ୍ରଥମ ଚିନ୍ତା ମୋର ପିଲାଙ୍କ ପାଇଁ ଥିଲା- ଆମେ କେମିତି ଚଳିବୁ? ପତ୍ନୀଙ୍କୁ ଜାମିନରେ ଆଣିବା ଲାଗି ଆବଶ୍ୟକୀୟ ଟଙ୍କା ଯୋଗାଡ଼ କରିବାକୁ ମୁଁ ମୋର ଉତ୍ପାଦିତ ଗହମକୁ ବିକ୍ରି କରିଦେଲି । ନହେଲେ ମୁଁ ଅମଳ କରିଥିବା ଗହମକୁ ଆମ ପରିବାର ପାଇଁ ରଖିଥାଏ । ମୋର ସବା ବଡ଼ ପୁଅ ତାର ମା’ଙ୍କୁ ଜାମିନରେ ଆଣିବା ଉପରେ ଧ୍ୟାନ ଦେବା ଲାଗି ଚାକିରି ଛାଡ଼ିଦେଲା । ଆଉ ଗୋଟିଏ ପୁଅ କାମ କରି ଟଙ୍କା ପଠାଇବା ପାଇଁ ଦିଲ୍ଳୀ ପଳାଇଲା । ସେ ଯିବା ଯୋଗୁ ଆମେ ଖୁବ୍ କଷ୍ଟ ସହିଲୁ ।’’

ରାଜକୁମାରୀ ଏବଂ ସୁକାଲୋଙ୍କ ସଂପ୍ରଦାୟ ଭଳି ଦେଶର ବିଭିନ୍ନ ଅଞ୍ଚଳର ଆଦିବାସୀମାନେ ପ୍ରକଳ୍ପ ଓ ନୀତିକୁ ବିରୋଧ କରିବା ଯୋଗୁ ଅନେକ ଦଶନ୍ଧି ହେଲା ଖୁବ୍ କଠିନ ସ୍ଥିତିର ସାମ୍ନା କରିଛନ୍ତି। ଯେତେବେଳେ ବିକ୍ଷୋଭକାରୀ ବା ବନ୍ଦୀମାନେ ମହିଳା ହୋଇଥାନ୍ତି, ଏହି ସମସ୍ୟା ଆହୁରି ବଢିଯାଏ ।

ଭାରତରେ ଜେଲ୍ ସଂସ୍କାର ପାଇଁ କାମ କରୁଥିବା ସ୍ୱାଧୀନ ଗବେଷକ ଏବଂ ରାଜସ୍ଥାନ ରାଜ୍ୟ ଆଇନଗତ ସେବା ଅଧିକାରୀଙ୍କ ଦ୍ୱାରା ମୁକ୍ତାକାଶ ଜେଲ୍ ବ୍ୟବସ୍ଥା ସଂପର୍କରେ ଅଧ୍ୟୟନ କରିବାକୁ ନିଯୁକ୍ତ ଅନରାରି କମିଶନର ସ୍ମିତା ଚକ୍ରବୁର୍ତ୍ତିୀ କହନ୍ତି, ‘‘ଜେଲ୍‌ରେ ମହିଳାମାନେ ରହିବା ଦୁଇ ଗୁଣ ବିପଦରେ ପକାଇବା ଭଳି ମାମଲା । ସେମାନେ ସାମାଜିକ ତିରସ୍କାର ଓ ଅସମାନ ଆଇନଗତ ଯୁଦ୍ଧ ଲଢିଥାନ୍ତି । ଯେତେବେଳେ ଜଣେ ପୁରୁଷ ଲୋକ ଜେଲ୍ ଯାଆନ୍ତି ବିଶେଷ କରି ଯଦି ସେ ପରିବାରର ରୋଜଗାରିଆ ଲୋକ ହୋଇଥାନ୍ତି, ତାଙ୍କ ପରିବାର ଲୋକେ ତାଙ୍କୁ ଜେଲରୁ ମୁକ୍ତ କରିବା ଲାଗି ସେମାନଙ୍କ ସାଧ୍ୟମତେ ଉଦ୍ୟମ କରିଥାନ୍ତି। କିନ୍ତୁ ମହିଳା କଏଦୀମାନଙ୍କୁ ସେମାନଙ୍କର ପରିବାର ଲୋକ ଖୁବ୍ ଶୀଘ୍ର ପରିତ୍ୟକ୍ତ କରି ଦିଅନ୍ତି । ଜେଲ୍ ସଂପର୍କରେ ସମାଜରେ ଏକ ବଦ୍ଧମୂଳ ଧାରଣା ରହିଛି । ଜେଲ୍ ଗଲେ ଜଣେ ବନ୍ଦୀ ଅପରାଧୀ ଭାବେ ପର୍ଯ୍ୟାୟଭୁକ୍ତ ହେବାର କଷ୍ଟ ଭୋଗ କରିଥାନ୍ତି । ତାଙ୍କ ବିରୋଧରେ ଶୁଣାଣି ଚାଲିଛି, ସେ ଖଲାସ ହୋଇସାରିଛନ୍ତି କିମ୍ବା ଦୋଷୀସାବ୍ୟସ୍ତ ହୋଇଛନ୍ତି ତାହା କିଛି ମାନେ ରଖେନାହିଁ । ଏହାବାଦ୍ ମହିଳାଙ୍କୁ ଅତିରିକ୍ତ ଭାବେ ସାମାଜିକ ତିରସ୍କାରର ସାମ୍ନା କରିବାକୁ ପଡିଥାଏ ଏବଂ ସେମାନଙ୍କୁ ପୁନଃ  କଷ୍ଟକର ହୋଇପଡ଼େ ।’’

(ଉପରେ କଭର୍ ଫଟୋରେ ପୂରା ବାମରେ ଥିବା ଲାଲତି ଏବଂ ପୂରା ଡାହାଣରେ ଥିବା ଶୋଭାଙ୍କ  କାହାଣୀ ଦେଖନ୍ତୁ । Take us, it is better than taking our land') 

‘ମହିଳାମାନେ ବିଭିନ୍ନ କ୍ଷେତ୍ରରେ ସଂଘର୍ଷ କରୁଛନ୍ତି’

ରବର୍ଟଗଞ୍ଜରେ ଏକ ରାଲିରେ ଯୋଗ ଦେବା ପରେ ସୁକାଲୋ ୨୦୦୬ ମସିହାରେ ଅଲ ଇଣ୍ଡିଆ ୟୁନିଅନ୍ ଅଫ୍ ଫରେଷ୍ଟ ୱାର୍କିଂ ପିପୁଲରେ ସାମିଲ ହେଲେ । ପରବର୍ତ୍ତୀ ସମୟରେ ସଂଗଠନର କୋଷାଧ୍ୟକ୍ଷ ହେଲେ । ସେ ହସି କରି କହନ୍ତି, ‘‘ଯେତେବେଳେ ମୁଁ ଘରକୁ ଫେରିଲି (ରାଲିରୁ), ମୋର ସ୍ୱାମୀଙ୍କୁ ସେଥିରେ ସାମିଲ ହେବାକୁ ଚାହୁଁଥିବାର କହିଲି । ସେ କିନ୍ତୁ ଥର୍ମାଲ ପାୱାର ପ୍ଲାଣ୍ଟ (ରିହାନ୍ଦ)ରେ କାମ କରୁଥିଲେ । ସେ କହିଲେ ତୁମେ କିପରି ସଂଗଠନରେ ସାମିଲ ହୋଇପାରିବ? ପିଲାମାନଙ୍କର ଦେଖାଶୁଣା କିଏ କରିବ? ମୁଁ କହିଲି ନାଁ, ଏହା ଆମ ପାଇଁ ଏକ ଭଲ କଥା ହେବ ବୋଲି ମୁଁ ଭାବୁଛି । ତା’ ପରେ ସେ ହଁ ଭରିଲେ ।’’

ସୁକାଲୋ ଏବଂ ତାଙ୍କର ସ୍ୱାମୀ ନାନକ ଚାଷ ମଧ୍ୟ କରନ୍ତି । ସେମାନଙ୍କର ୪ ଜଣ ଝିଅ ଅଛନ୍ତି ଏବଂ ଗୋଟିଏ ପୁଅ ମରିଯାଇଛି । ଝିଅଙ୍କ ମଧ୍ୟରୁ ୨ ଜଣ ବିବାହ କରିଛନ୍ତି ଏବଂ ଆଉ ଦୁଇ ଜଣ ନିଶାକୁମାରୀ (୧୮) ଏବଂ ଫୁଲୱନ୍ତୀ(୧୩) ଘରେ ଅଛନ୍ତି । ‘‘ପ୍ରଥମ ଥର ବୈଠକକୁ ଯିବା ପରଠାରୁ ମୁଁ ସଂଘରେ ସାମିଲ ହୋଇଗଲି । ସେଥିରେ ସାମିଲ ହେବା ପରେ ଗୋଟିଏ ବି ବୈଠକରେ ଅନୁପସ୍ଥିତ ରହିନାହିଁ । ଏହା ଖୁବ୍ ଭଲ ଲାଗୁଥିଲା କାରଣ ଆମେ ଏକ ଦୃଢ ସଂପ୍ରଦାୟ ତିଆରି କରୁଥିଲୁ । ମୋ ଜୀବନରେ ପ୍ରଥମ ଥର ପାଇଁ ମୁଁ ଦୃଢ ଅନୁଭବ କଲି । ମୁଁ ପୂର୍ବରୁ କେବେହେଲେ ମୋର ଅଧିକାର ସଂପର୍କରେ ଚିନ୍ତା କରିନଥିଲି; ମୁଁ କେବଳ ବାହା ହୋଇଯାଇଥିଲି ଏବଂ ପିଲା ଜନ୍ମ କରିଥିଲି ଓ କାମ କରୁଥିଲି( ଘରେ ଓ ଚାଷୀ ଭାବେ) । କିନ୍ତୁ ସଂଘରେ ସାମିଲ ହେବା ପରେ ମୁଁ ମୋର ଅଧିକାର ଜାଣିପାରିଲି ଏବଂ ଏବେ ସେ ସଂପର୍କରେ ସେମାନଙ୍କୁ ପଚାରିବା ପାଇଁ ମୁଁ ଭୟଭୀତ ନୁହେଁ ।’’

Sukalo at the Union office, cleaning dal
PHOTO • Sweta Daga
The members of the Union from Sukalo’s community
PHOTO • Sweta Daga

ରବର୍ଟଗଞ୍ଜସ୍ଥିତ ସଂଘର ଅଫିସ୍‌ରେ ସୁକାଲୋ; ମାଝୋଉଲି ଗାଁ ନିକଟରେ ସଂଘର ସଦସ୍ୟମାନେ

ଏଆଇୟୁଏଫଡବ୍ଲ୍ୟୁପି (ମୂଳତଃ ନ୍ୟାସନାଲ ଫୋରମ୍ ଅଫ୍ ଫରେଷ୍ଟ ପିପୁଲ ଆଣ୍ଡ ଫରେଷ୍ଟ ୱାର୍କର୍ସ ଭାବେ ୧୯୯୬ ମସିହାରେ ଗଠିତ ହୋଇଥିଲା)୨୦୧୩ରେ ଗଠିତ ହେଲା । ସେଥିରେ ଉତ୍ତରାଖଣ୍ଡ, ବିହାର, ଝାଡଖଣ୍ଡ ଏବଂ ମଧ୍ୟପ୍ରଦେଶ ଭଳି ପ୍ରାୟ ୧୫ଟି ରାଜ୍ୟର ୧୫୦,୦୦୦ ଜଣ ସଦସ୍ୟ ଅଛନ୍ତି।

ଉତ୍ତରପ୍ରଦେଶରେ ଏହି ସଂଘ ୧୮ଟି ଜିଲ୍ଲାରେ ସକ୍ରିୟ ଥିବାବେଳେ ଏଥିରେ ୧୦,୦୦୦ ସଦସ୍ୟ ଅଛନ୍ତି । ଏହାର ପ୍ରାୟ ୬୦ ପ୍ରତିଶତ  ନେତା ହେଉଛନ୍ତି ମହିଳା । ଏବଂ ସେମାନଙ୍କର ମୁଖ୍ୟ ଦାବି ହେଲା ଜଙ୍ଗଲ ଅଧିକାର ଆଇନ(ଏଫ୍‌ଆର୍‌ଏ)କୁ ଲାଗୁ କରିବା, ଗ୍ରାମ ସଭା(ଗାଁ ପରିଷଦ)ର କର୍ତ୍ତୃପକ୍ଷଙ୍କୁ ମାନ୍ୟତା ଦେବା ଏବଂ ଜଙ୍ଗଲ ସଂପ୍ରଦାୟଗୁଡ଼ିକ ସ୍ଵଶାସିତ ହେବାକୁ ବିକଳ୍ପ ପ୍ରଦାନ କରିବା । ଦଶକ ଦଶକ ଧରି ଆଦିବାସୀ ଏବଂ ଅନ୍ୟ ସଂପ୍ରଦାୟଗୁଡ଼ିକ ସାମ୍ନା କରୁଥିବା ଐତିହାସିକ ଅର୍ଥନୈତିକ ଏବଂ ସାମାଜିକ ଅନ୍ୟାୟକୁ ଦୂର କରିବାକୁ ୨୦୦୬ ମସିହାରେ ଏଫ୍‌ଆର୍‌ଏ ପ୍ରଣୟନ କରାଯାଇଥିଲା ।

 ଏଆଇୟୁଏଫ୍‌ଡବ୍ଲୁପିର ସାଧାରଣ ସଂପାଦିକ ରୋମା ମଲ୍ଲିକ କହନ୍ତି, ‘‘ଏହି ମହିଳାମାନେ ବିଭିନ୍ନ କ୍ଷେତ୍ରରେ ଲଢୁଛନ୍ତି,’’ “ଏଫ୍‌ଆର୍‌ଏ ଅଧୀନରେ ସଂପ୍ରଦାୟଙ୍କୁ ଜମି ଉପରେ ଅଧିକାର ମିଳିବା କଥା, କିନ୍ତୁ ଏହା ଏକ ସଂଘର୍ଷ। ଆଦିବାସୀ ମହିଳାମାନଙ୍କୁ ଅଧିକ ସଂଘର୍ଷ କରିବାକୁ ପଡ଼େ-ସେମାନେ ଅଧିକାଂଶ ଲୋକଙ୍କୁ ଅଦୃଶ୍ୟ । ଆଇନ ଆମ ସପକ୍ଷରେ ଥିଲେ ବି କ୍ଷମତାରେ ଥିବା ଲୋକେ ଲୋକଙ୍କୁ ଜମି ଦେବାକୁ ଚାହାନ୍ତି ନାହିଁ । ସୋନଭଦ୍ରା ଜିଲ୍ଲା ଏବେ ମଧ୍ୟ ଗୋଟିଏ ସାମନ୍ତବାଦୀ ରାଜ୍ୟ ଭାବେ ଚାଲୁଛି, କିନ୍ତୁ ମହିଳାମାନେ ସେମାନଙ୍କ ଜମି ପାଇଁ ମିଳିତ ଭାବେ ଲଢ଼େଇ କରୁଛନ୍ତି ।’’

Rajkumari with her bows and arrow
PHOTO • Sweta Daga

ସଂପ୍ରଦାୟର ପାରମ୍ପରିକ ଧନୁ ଓ ତୀର ସହିତ ରାଜକୁମାରୀ । ସେ କହନ୍ତି, ସେ ନଇଁବେ ନାହିଁ ଏବଂ ତାଙ୍କ ଜମି ଛାଡ଼ିବେ ନାହିଁ ।

ରାଜକୁମାରୀ ୨୦୦୪ରେ ସଂଘରେ ଯୋଗ ଦେଇଥିଲେ । ଗୋଟିଏ ଛୋଟ ପ୍ଲଟ୍‌ ଜମିରେ, ସେ ଏବଂ ତାଙ୍କର ସ୍ଵାମୀ ମୁଲଚାନ୍ଦ ଗହମ ଓ ପନିପରିବା ଚାଷ କରୁଥିଲେ । ସେମାନେ ମଧ୍ୟ କୃଷି ଶ୍ରମିକ ଭାବେ କାମ କରୁଥିଲେ। କିନ୍ତୁ ସେମାନଙ୍କ ପରିବାର ପୋଷିବା ପାଇଁ ତାହା ଯଥେଷ୍ଟ ନ ଥିଲା । ୨୦୦୫ରେ ରାଜକୁମାରୀ ଏବଂ ମୁଲଚାନ୍ଦ, ପରିବାରର ଅନ୍ୟ ସଦସ୍ୟଙ୍କ ସହ, ଧୁମାରେ ଜଙ୍ଗଲ ବିଭାଗ ନେଇଯାଇଥିବା ଜମିକୁ ତାଙ୍କର ନିଜ ଜମି ଭାବେ ପୁଣି ଜମି ଦାବି କଲେ । ଗୋଟିଏ ବର୍ଷ ପରେ, ପୁରୁଣା ଜମିରେ ଚାଷ ଜାରି ରଖିଥିବାବେଳେ ପୁନଃ ଦାବି କରୁଥିବା ସେହି ଜମିରେ ସେମାନେ ଏକ ନୂଆ ଘର ବି ତିଆରି କଲେ ।

ରାଜକୁମାରୀ ସଂଘ ମାଧ୍ୟମରେ ଜମି ଅଧିକାର ପ୍ରସଙ୍ଗରେ ତାଙ୍କ କାମ ଜାରି ରଖିବାକୁ ଚାହୁଁଛନ୍ତି । ସେ କହନ୍ତି ଜଙ୍ଗଲ ବିଭାଗ ପ୍ରତି ଥିବା ଭୟ କାରଣରୁ ତାଙ୍କ ସଂପ୍ରଦାୟର ସେ ଅନ୍ୟ ମହିଳାଙ୍କଠାରୁ ସେ ସହଯୋଗ ଚାହାନ୍ତି। କିନ୍ତୁ ସେ ନଇଁ ଯିବାକୁ କିମ୍ବା ଜମି ଛାଡ଼ି ଦେବାକୁତ ଚାହାନ୍ତି ନାହିଁ । ବିରକ୍ତିର ସହ ସେ କୁହନ୍ତି, ‘‘ଶକ୍ତିଶାଳୀ ଲୋକେ ଆଦିବାସୀଙ୍କ ସହ ଖେଳୁଛନ୍ତି, ଆମେ ମାନେ ସେମାନଙ୍କ ପାଇଁ ଖେଳଣା ।’’

ଉତ୍ତରପ୍ରଦେଶ ଜଙ୍ଗଲ ବିଭାଗ ଅଧିକାରୀଙ୍କ ସହ ଏକ ବୈଠକରେ ଆଦିବାସୀଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ନେଇ ବିରୋଧ କରିବା ଫଳରେ ୨୦୧୮, ଜୁନ୍‌ ୮ ତାରିଖରେ, ଚୋପାନ ରେଲୱେ ଷ୍ଟେସନ୍‌ ସୋନଭଦ୍ରାରେ ସୁକାଲୋ ଅନ୍ୟ ଦୁଇ ଜଣଙ୍କ ସହ ଗିରଫ ହୋଇଥିଲେ । ସେମାନେ ମୀର୍ଜାପୁର ଜେଲ୍‌କୁ ନିଆଯାଇଥିଲେ । ରୋମା ମଲ୍ଲିକ କହନ୍ତି, ‘‘ତାଙ୍କ ନାଁ ଏଫ୍‌ଆଇଆର୍‌ରେ ନ ଥିଲା, ତଥାପି ତାଙ୍କୁ ଶିକ୍ଷା ଦେବା ପାଇଁ ଗିରଫ କରିନିଆଗଲା । ତାଙ୍କ ସ୍ଵାସ୍ଥାବସ୍ଥା ଖରାପ ହୋଇଗଲା ଏବଂ ପ୍ରତିବାଦରେ ସେ ଖାଦ୍ୟ ଗ୍ରହଣ କଲେନାହିଁ । ସେ ବନ୍ଧୁମାନଙ୍କ ଦ୍ଵାରା ଅଣାଯାଇଥିବା ଚଣା ଏବଂ ଫଳ ଖାଇ ବଞ୍ଚିଲେ । ସେ ବେଲ୍‌ ପାଇନାହାନ୍ତି।’’

ସୁକାଲୋ ଏବଂ ଅନ୍ୟମାନେ ବେଆଇନ ଭାବେ ଅଟକ ରଖାଯାଇଥିବା ନେଇ ଆହ୍ଲାବାଦ ହାଇକୋର୍ଟରେ ଓକିଲଙ୍କ ଦ୍ଵାରା ଏକ ହାବିସ୍‌ କର୍ପସ ରିଟ୍‌ ପିଟିସନ୍‌ ଦାଏର କରାଯାଇଥିଲା । ପିଟିସନ୍‌ ସେପ୍ଟେମ୍ବର ୧୯ ତାରିଖରେ ଖାରଜ ହୋଇଗଲା । ଅକ୍ଟୋବର ୪ତାରିଖରେ ସୁକାଲୋ ବେଲ୍‌ ପାଇଲେ, କିନ୍ତୁ ତାଙ୍କ ପ୍ରକ୍ରିୟାଗତ ବିଳମ୍ବ ଫଳରେ ତାଙ୍କୁ ମୁକ୍ତ କରିବାକୁ ବିଳମ୍ବିତ କରାଗଲା । ସେ ଓ ତାଙ୍କ କମ୍ରେଡ୍‌ମାନେ ଜେଲ୍‌ରେ ଅଛନ୍ତି ।

ନ୍ୟାସନାଲ୍‌ ଫାଉଣ୍ଡେସନ୍‌ ଅଫ୍‌ ଇଣ଼୍ଡିଆ ଆୱାର୍ଡସ୍‌ ପ୍ରୋଗ୍ରାମ୍‌ର ଏକ ଅଂଶ ଭାବେ ଏହି ଆଲ୍ଲେଖ୍ୟ ଲେଖାଯାଇଥିଲା ; ଲେଖକ ୨୦୧୭ରେ ଜଣେ ବୃତ୍ତି ହାସଲକାରୀ ।

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Sweta Daga

Sweta Daga is a Bangalore-based writer and photographer. She is working on several multi-media projects, including fellowships with the People's Archive of Rural India, and the Centre for Science and Environment.

Other stories by Sweta Daga