“ବନ୍ଦର କି ଫେରି ଲାଓ, ବନ୍ଦର କି ଫେରି ଲାଓ...(ମାଙ୍କଡ଼ଙ୍କ ପାଇଁ ଖାଇବା ଦିଅ...)’’

ରାଜସ୍ଥାନର ସିରୋହି ଜିଲ୍ଲାରେ ଥିବା ସେଓଗଞ୍ଜ ସହରର ଗଳିକନ୍ଦିରେ ସାଇକେଲ ଚଳାଇ ଯିବା ସମୟରେ ଝୁଜାରାମ ଧର୍ମଜି ସନ୍ତ ଏହା ଉଚ୍ଚାରଣ କରିଥାନ୍ତି । “ଲୋକମାନେ ସବୁବେଳେ ବଳି ପଡ଼ିଥିବା ଖାଦ୍ୟ ଯେପରିକି ରୁଟି, ଉଭୟ ରୋଷେଇ ହୋଇଥିବା ଏବଂ କଞ୍ଚା ପରିବା ସଙ୍ଗେ ସଙ୍ଗେ ଦେଇଥାନ୍ତି ।’’ ସେ କହିଲେ, “୬-୭ଟି ଗଳିରୁ ମୁଁ ସଂଗ୍ରହ (ଖାଦ୍ୟ) କରିବା ପରେ, ଏକ ଅଖାରେ ତାହା ଭର୍ତ୍ତି କରେ ।’’ ସେ ଏକ ପ୍ଲାଷ୍ଟିକ୍ ଅଖା ବ୍ୟବହାର କରିଥାନ୍ତି ଯେଉଁଥିରେ ୧୫-୨୦ କିଲୋ ଜିନିଷ ଧରେ ।

ପ୍ରତିବର୍ଷ ୮ ମାସ ଧରି ଝୁଜାରାମ ସକାଳ ୮.୩୦ ମିନିଟ୍‌ରୁ ମାଙ୍କଡ଼ଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିବାରେ ବ୍ୟସ୍ତ ରହିଥାନ୍ତି । ଅଖା ଭର୍ତ୍ତି ହୋଇଯିବା ପରେ ସେ ତାକୁ ସାଇକେଲ୍‌ରୁ ତାଙ୍କର ମୋପେଡ୍‌ରେ ନେଇ ରଖନ୍ତି । ସେ ୮କିମି ଧରି ମୋପେଡ୍ ଚଳାଇ ୬୨ ନମ୍ବର ଜାତୀୟ ରାଜପଥ ନିକଟରେ ପାଲରି ଗାଁର ଦକ୍ଷିଣରେ ସିରୋହି ତହସିଲରେ ପାହାଡ଼ ଦ୍ୱାରା ପରିବେଷ୍ଟିତ ଥିବା ଏକ ଛୋଟ ମନ୍ଦିର ଗାଙ୍କେଶ୍ୱର ମହାଦେବ ମନ୍ଦିରକୁ ଯାଇଥାନ୍ତି ।

ସକାଳ ୧୧ଟା ମଧ୍ୟରେ ସେ ମନ୍ଦିରରେ ପହଞ୍ଚିଥାନ୍ତି ଏବଂ “ ଆଓ, ଆେଓା” (“ଆସ, ଆସ”) ବୋଲି ମାଙ୍କଡ଼ଙ୍କୁ ଡାକିଥାନ୍ତି । ତା’ ପରେ ଯାଦୁ ପ୍ରଦର୍ଶନ ହେଲା ଭଳି ୨୦୦-୩୦୦ ଲାଙ୍ଗୁର (ମାଙ୍କଡ) ତୁରନ୍ତ ଆସିଯାନ୍ତି, ସମସ୍ତେ ତାଙ୍କ ଆଡକୁ ଚାହିଁବା ସହ ସୁନା ପିଲା ଭଳି ଖାଦ୍ୟ ପାଇଁ ଅପେକ୍ଷା କରନ୍ତି । କିନ୍ତୁ ସେ ସେମାନଙ୍କୁ ରୁଟି ଦେବା ପରେ ସେମାନଙ୍କର ସୁନା ପିଲା ଢଙ୍ଗ ଛାଡ଼ିଯାଏ । ମାଙ୍କଡ଼ମାନେ ଚାରିଆଡେ ଦଉଡ଼ାଦଉଡ଼ି କରିବା ସହ ଯେତେ ଅଧିକ ପାରନ୍ତି ଖାଇଚାଲନ୍ତି। କାରଣ ଧୀରେ ଧୀରେ ଆହୁରି ଅଧିକ ମାଙ୍କଡ଼ ଏକତ୍ରିତ ହୁଅନ୍ତି। ଏହି ଜଙ୍ଗଲରେ ଥିବା ସବୁ ୭୦୦ ମାଙ୍କଡ଼ଙ୍କୁ ଅଧ ଘଣ୍ଟା ମଧ୍ୟରେ ସେ ଖାଦ୍ୟ ଖୁଆଉଥିବା କଥା ଝୁଜାରାମ କହନ୍ତି । ସେ କହିଲେ, “ମାଙ୍କଡ଼ମାନେ ଖରାଦିନେ ଆଳୁ, ବିସ୍କୁଟ, ଲାଉ ଏବଂ ଗାଜର ଖାଇବାକୁ ଭଲ ପାଆନ୍ତି । ଏହା ସହ ରୁଟି ଏପରିକି ସପେଟା ବି ଖାଇଥାନ୍ତି ।’’

ସେ କହିଲେ ଅନ୍ୟମାନେ ଯେଉଁମାନେ ସେମାନଙ୍କୁ ଖାଦ୍ୟ ଖୁଆଇବାକୁ ଉଦ୍ୟମ କରିଥାନ୍ତି ସେମାନଙ୍କୁ ସେମାନେ ଭୟଭୀତ କରିଥାନ୍ତି । “ମାଙ୍କଡ଼ମାନେ ବାହାର ଲୋକଙ୍କୁ ଡରିଯାଆନ୍ତି । ଲୋକମାନେ ସେମାନଙ୍କ ଉପରକୁ ପଥର ଫିଙ୍ଗିବା ଏବଂ ସେମାନଙ୍କୁ ଆହତ କରିବା କଥା ସେମାନେ ଜାଣିଛନ୍ତି । ଲୋକମାନେ ସେମାନଙ୍କୁ ଆଘାତ ପହଞ୍ଚାଇବା ଖୁବ୍ ଦୁଃଖର କଥା, ସେମାନେ ଏପରି କାହିଁକି କରନ୍ତି ବୋଲି ସେ ପଚାରିଲେ ।’’

Jhujaram Dharmiji Sant with his moped and the sack of food on the ground
PHOTO • Sidh Kavedia ,  Ganesh Venkatraman

ନିକଟବର୍ତ୍ତୀ ପାହାଡ଼କୁ ଖାଦ୍ୟ ଜିନିଷ ନେଇଯିବା ପାଇଁ ଝୁଜାରାମ ସନ୍ତ ଏକ ସାଇକେଲ ଏବଂ ପରେ ଏକ ମୋପେଡ୍ ବ୍ୟବହାର କରନ୍ତି ।

Jhujaram Dharmiji Sant feeding the langurs
PHOTO • Sidh Kavedia ,  Ganesh Venkatraman
Langurs eating rotis that have been given to them by Jhujaram Dharmiji Sant
PHOTO • Sidh Kavedia ,  Ganesh Venkatraman

ବାମ:ଝୁଜାରାମ ଲାଙ୍ଗୁରମାନଙ୍କୁ ଖାଇବା ଦେଉଛନ୍ତି । ଡାହାଣ: ଏକ ମା’ ମାଙ୍କଡ଼ ଝୁଜାରାମଙ୍କ ଦ୍ୱାରା ଦିଆଯାଇଥିବା ରୁଟିକୁ ତାର ପିଲା ସହ ଖାଉଛି ।

ଝୁଜାରାମ ମାଙ୍କଡ଼ମାନଙ୍କୁ ହିନ୍ଦୁ ଭଗବାନ ହନୁମାନଙ୍କର ସ୍ୱରୂପ ବୋଲି ମନେ କରନ୍ତି ଏବଂ ନିଜ କାମକୁ ସେ ସେବା (କର୍ତ୍ତବ୍ୟ) ଭାବେ ବିବେଚନା କରନ୍ତି । ସେ କହିଲେ, “ମାଙ୍କଡ଼ମାନେ ସବୁବେଳେ ଆସୁଛନ୍ତି କାରଣ ଏହି କାମ ବହୁ ବର୍ଷ ଧରି ହେଉଛି ଏବଂ ସେମାନେ ଏହା ସହ ଅଭ୍ୟସ୍ତ ହୋଇଯାଇଛନ୍ତି। ଯଦି କିଛି କାରଣ ପାଇଁ ମୁଁ କିଛି ଦିନ ଧରି ଏହି କାମ କରିନପାରେ ତା’ ହେଲେ ସେମାନଙ୍କୁ ବାହାରକୁ ଆସିବାକୁ ସମୟ ଲାଗେ ।’’

ସିରୋହି ଜିଲ୍ଲାର ପାଲାଡି ପଞ୍ଚାୟତ ନିକଟସ୍ଥ ଆନ୍ଦୋର ଗାଁରେ ଜନ୍ମିତ ଝୁଜାରାମଙ୍କୁ ଏବେ ପାଖାପାଖି ୪୦ ବର୍ଷ । ସେ ପ୍ରାୟ ୫ ବର୍ଷ ଧରି ଏହି କାମ କରୁଛନ୍ତି । ସେଓଗଞ୍ଜର ଏକ ସ୍ଥାନୀୟ ସଂଗଠନ ହନୁମାନ ସେବା ସଂଘ ତାଙ୍କୁ ଏଥିପାଇଁ ମାସିକ ୪୦୦୦ ଟଙ୍କା ଦେଉଛି । “ମୁଁ ଏଥିପାଇଁ ଟଙ୍କା ପାଉଛି, କିନ୍ତୁ କେବଳ ଶ୍ରମିକ ଭାବେ ଏହି କାମ କରୁନାହିଁ, ମାଙ୍କଡ଼ଙ୍କ ପ୍ରତି ଭଲ ପାଇବା ଯୋଗୁ ଏହା କରୁଛି । ସେହି ଟଙ୍କା ମୋର ବ୍ୟାଙ୍କ ଏକାଉଣ୍ଟ ନୁହେଁ, ଉପରେ ବସିଥିବା ମାଲିକ (ଈଶ୍ୱର)ଙ୍କ ଏକାଉଣ୍ଟକୁ ଯାଉଛି । ଏହି କାମ ହେଉଛି ପୁଣ୍ୟ କାମ (ଜନମଙ୍ଗଳକାରୀ)। ସେମାନଙ୍କର (ମାଙ୍କଡ଼ମାନଙ୍କର) ଆଶୀର୍ବାଦ ହେଉଛି ଅମୂଲ୍ୟ। ସେମାନଙ୍କର ଯତ୍ନ ନେବା ମାଧ୍ୟମରେ ମାଲିକ ମଧ୍ୟ ସେମାନଙ୍କ କଥା ଶୁଣିବେ ଏବଂ ମୋତେ ଆଶୀର୍ବାଦ କରିବେ ।’’

ଝୁଜାରାମ ରେବାରି ଜାତିର ବାସିନ୍ଦା (ରାଜସ୍ଥାନରେ ଏହି ଜାତି ଓବିସି, ଅନ୍ୟାନ୍ୟ ପଛୁଆ ବର୍ଗ ଭାବେ ପଞ୍ଜିକୃତ ହୋଇଛି) ଏବଂ ସେ ଜଣେ ଗାୟକ ମଧ୍ୟ । ତାଙ୍କ ପରିବାର ବିଭିନ୍ନ ଉତ୍ସବରେ ଭଜନ ପରିବେଷଣ କରିଥାନ୍ତି । ତାଙ୍କର ଦୁଇଟି ପୁଅ ଅଛନ୍ତି; ଜଣେ ସ୍ଥାନୀୟ ଲୁଗା ଦୋକାନରେ କାମ କରୁଥିବା ବେଳେ ଅନ୍ୟଜଣଙ୍କ ୫ମ ଶ୍ରେଣୀରେ ପଢୁଛନ୍ତି । ତାଙ୍କର ପତ୍ନୀ ସମୟ ସମୟରେ ଶ୍ରମିକ ଭାବେ କାମ କରୁଥିବା ବେଳେ ସେ ସେମାନଙ୍କର ଘର ଏବଂ ଝୁଜାରାମଙ୍କ ମା’ ଯିଏକି ସେମାନଙ୍କ ସହ ରହିଥାନ୍ତି ତାଙ୍କର ଦେଖାଶୁଣା କରନ୍ତି ।

ଯେଉଁ ୪ ମାସ ଝୁଜାରାମ ମାଙ୍କଡ଼ମାନଙ୍କୁ ଖାଦ୍ୟ ଖୁଆନ୍ତି ନାହିଁ, ସେ ସମୟ ସମୟରେ ଜଣେ ନିର୍ମାଣ ଶ୍ରମିକ ଭାବେ କାମ କରନ୍ତି କିମ୍ବା ସେଓଗଞ୍ଜର ରାସ୍ତାରେ ଆଇସକ୍ରିମ ବିକ୍ରି କରନ୍ତି । ସେ ଆହୁରି କହିଲେ, “ଏହାଦ୍ୱାରା ମୁଁ ମାସିକ ୧୦୦୦-୨୦୦୦ ଟଙ୍କା ରୋଜଗାର କରେ, ବେଳେବେଳେ କିଛି ବି ପାଏନାହିଁ । ମୋ’ ପୁଅ (ଯିଏକି ଏକ ଲୁଗା ଦୋକାନରେ କାମ କରେ) ସେ ପ୍ରାୟ ୪୦୦୦ ଟଙ୍କା ପାଇଥାଏ । ଯଦି କିଛି ନିଅଣ୍ଟ ପଡ଼ିବ ତା’ ହେଲେ ଭୋଲେନାଥ (ହିନ୍ଦୁ ଭଗବାନ, ଶିବ) ସେ କଥା ବୁଝିବେ ।’’

Illustration of Jhujaram Dharmiji Sant feeding the langurs rotis
PHOTO • Srishti Vaishnavi Kumaran
Jhujaram Dharmiji Sant feeding the langurs rotis
PHOTO • Sidh Kavedia ,  Ganesh Venkatraman

ସେମାନଙ୍କର (ମାଙ୍କଡ଼ମାନଙ୍କର) ଆଶୀର୍ବାଦ ହେଉଛି ଅମୂଲ୍ୟ’

ଉତ୍କଟ ଖରାମାସରେ ଯେଉଁ ସମୟରେ କି ଅଧିକ ଖାଦ୍ୟଦ୍ରଦ୍ୟ ଥାଏ ମାଙ୍କଡ଼ମାନଙ୍କୁ ଖାଦ୍ୟ ଖୁଆଇବା ଲାଗି ଝୁଜାରାମଙ୍କୁ ସାହାଯ୍ୟ କରିବାକୁ ଆଉ ଜଣେ ଲୋକଙ୍କୁ ହନୁମାନ ସେବା ସଂଘ ନିଯୁକ୍ତ କରିଥାଏ । ମୌସୁମୀ ପରେ ସେମାନେ ଉଭୟ କିଛି ଦିନ ପାଇଁ ଏହି କାମ ବନ୍ଦ କରି ଦିଅନ୍ତି । “ବର୍ଷା ଦିନ ପରେ ଜଙ୍ଗଲରେ ପ୍ରଚୁର ପରିମାଣର ଖାଦ୍ୟ ମିଳିଯାଏ (ମାଙ୍କଡ଼ମାନଙ୍କ ପାଇଁ) । ଗତ ବର୍ଷ ମୌସୁମୀ ଭଲ ଥିଲା, ଏହି ସ୍ଥାନ ସବୁଜ ଥିଲା, ସେ ମନେ ପକାଇଲେ ।’’ 

“କିନ୍ତୁ ଖରାଦିନରେ ଯେତେବେଳେକି କୌଣସି ସ୍ଥାନରେ ପାଣିନଥାଏ ସବୁ ଟୁକୁଡ଼ି (ଦଳ-ମାଙ୍କଡ଼ମାନଙ୍କର ଦଳ) ଏଠାକୁ ଆସିଥାନ୍ତି। ଏଠାରେ ୫ଟି ଦଳ ଅଛନ୍ତି, ଶୀତ ଦିନେ ସେମାନଙ୍କ ମଧ୍ୟରୁ ୩ଟି ଦଳ ଏଠାକୁ ଖାଇବାକୁ ଆସିଥାନ୍ତି । ଅନ୍ୟମାନେ ଯେଉଁମାନେ କି ପାହାଡ଼ ଉପରକୁ ଯାଇଥାନ୍ତି ସେମାନେ ସେଠାରେ ରହିଥାନ୍ତି।” ପାହାଡ଼ର ଏକ ଶୃଙ୍ଗକୁ ଦେଖାଇ ସେ ଏହା କହିଲେ । “ମନ୍ଦିର ଛଡ଼ା ଗ୍ରାମବାସୀମାନେ ମଧ୍ୟ ଅଛନ୍ତି, ତେଣୁ ସେମାନେ ସେଠାକୁ ଯାଇଥାନ୍ତି । ଶୀତଦିନେ ଅନେକ ମାଙ୍କଡ଼ ଗାଁ ଭିତରକୁ ପଳାଇଯାଇଥାନ୍ତି ଯେଉଁଠାରେ ସେମାନେ ଖାଇବା ପାଇଁ ଫସଲ ସମେତ ପ୍ରଚୁର ଖାଦ୍ୟ ପାଇପାରିବେ । 

“ଖରାଦିନେ ସେମାନଙ୍କ ଖାଇବା ପାଇଁ କିଛି ମିଳୁନଥିବାରୁ ମୁଁ ଅଧିକ ଖାଦ୍ୟ ଆଣିବାକୁ ଉଦ୍ୟମ କରେ । ଖରାଦିନେ ଦିନ ମଧ୍ୟ ବଡ଼ ହୋଇଥାଏ ଏବଂ ସକାଳେ ବେଶୀ ଥଣ୍ଡା ହୁଏନାହିଁ, ତେଣୁ ମୋ ପାଖରେ ଅଧିକ ସମୟ ଥିବାରୁ ମୁଁ ଅଧିକ ଖାଦ୍ୟ ସଂଗ୍ରହ କରେ’’ ସେ କହିଲେ। “ସେମାନେ ଏହି ବବୁଲ (ଆକାସିଆ ନିଲୋଟିକା)କୁ ଖାଆନ୍ତି ନାହିଁ କାରଣ ଏହା ଖାଇବା ଯୋଗ୍ୟ ନୁହେଁ । କିନ୍ତୁ ସମୟ ସମୟରେ ସେମାନେ ପାପଡ଼ି (ବିନ୍ ଭଳି ବବୁଲ ଗଛର ମଞ୍ଜିକୁ) ଖାଇଥାନ୍ତି । ଶୀତଦିନେ କୋଳି (ନାରକୋଳି)ର ସମୟ ହୋଇଥାଏ, ତେଣୁ ସେମାନେ ମଧ୍ୟ ତାକୁ ଖାଇଥାନ୍ତି ।’’

ଝୁଜାରାମ ଆମକୁ କହିଲେ ସେ ମାଙ୍କଡ଼ମାନଙ୍କୁ ୫ ବର୍ଷ ତଳୁ ଖୁଆଇବା ଆରମ୍ଭ କରିଛନ୍ତି । “ତା’ ପୂର୍ବରୁ ମୁଁ ଏକ ଦୋକାନରେ କାମ କରୁଥିଲି, ଅନ୍ୟ ଜଣେ ସେମାନଙ୍କୁ ପ୍ରତିଦିନ ଏଠାରେ ଖୁଆଉଥିଲା । ମାଙ୍କଡ଼ମାନଙ୍କୁ ଏହି ଖାଦ୍ୟ ଖୁଆଇବା ପ୍ରାୟ ୫୦ ବର୍ଷ ହେଲା ଚାଲିଛି । ଲୋକମାନେ ବଦଳନ୍ତି କିନ୍ତୁ ଏହି କାମ ବଦଳିନି ।’’

କିଛି ଦିନ ପାଇଁ ସେ ଏହି କାମ କରିନପାରିଲେ ଆଉ କିଏ ତାଙ୍କ ସ୍ଥାନରେ ଏଠାକୁ ଆସନ୍ତି ବୋଲି ପଚାରିବାରୁ ସେ କହିଲେ, “କେହି ଆସନ୍ତି ନାହିଁ! ଅନ୍ୟ ଲୋକମାନେ ଏହି କାମ କରିବାକୁ ଚାହାନ୍ତି ନାହିଁ କାରଣ ମାଙ୍କଡ଼ମାନେ ସେମାନଙ୍କୁ ଆକ୍ରମଣ କରିବେ ବୋଲି ସେମାନେ ଭୟ କରନ୍ତି । ପଶୁମାନେ ବି ନୂଆ ଲୋକଙ୍କୁ ଭରସା କରିବେ ନାହିଁ । ଦେଖ-ତୁମେ ସମସ୍ତେ (ସ୍କୁଲ ପିଲା) ଆସିଲ ଏବଂ ସେମାନେ ତୁରନ୍ତ କିଭଳି ହେଲେ ।’’

Langurs eating rotis distributed by Jhujaram Dharmiji Sant
PHOTO • Sidh Kavedia ,  Ganesh Venkatraman
Langurs eating rotis distributed by Jhujaram Dharmiji Sant
PHOTO • Sidh Kavedia ,  Ganesh Venkatraman

‘ସେ ପିଲା ହୁଅନ୍ତୁ ବା ବୟସ୍କ, ମୁଁ ସେମାନଙ୍କୁ କହେ ଯେ ମାଙ୍କଡ଼ମାନଙ୍କୁ ରୁଟି ଦିଅ କିମ୍ବା ଇଚ୍ଛା ନ ଥିଲେ ଦିଅ ନାହିଁ, କିନ୍ତୁ ସେମାନଙ୍କୁ ଦୟାକରି ଆଘାତପ୍ରାପ୍ତ କରନାହିଁ କିମ୍ବା ବିରକ୍ତ କରନାହିଁ ।’

ଝୁଜାରାମ ବୁଝାଇଲେ ସେ ଏକ କିରାନା (ଖୁଚୁରା ଦୋକାନ)ରେ କାମ କରୁଥିଲେ ଯେତେବେଳେ କି ଥରେ ଖରାଦିନେ ତାଙ୍କର ବସ୍ ତାଙ୍କୁ ମାଙ୍କଡ଼ମାନଙ୍କୁ ଖୁଆଇବା ଲାଗି ଜଣେ ଲୋକ ଆବଶ୍ୟକ ବୋଲି କହିଲେ। ନ ହେଲେ ମାଙ୍କଡ଼ମାନେ ଭୋକରେ ମରିଯିବେ ଏବଂ ସେମାନଙ୍କ ଆତ୍ମା ଘୂରି ବୁଲିବ ବୋଲି ସେ କହିଲେ। ସେ ମୋତେ କହିଲେ, “ତୁମେ ଏଠାରେ ଏବେ ମଧ୍ୟ ଚାକିରିରେ ଅଛ କିନ୍ତୁ ଦୟାକରି ସେହି ମାଙ୍କଡ଼ମାନଙ୍କୁ ଖାଦ୍ୟ ଖୁଆଇବା କାମ ଆଗ କର ।’’ ତେଣୁ ପରବର୍ତ୍ତୀ ୪ ବର୍ଷ ଧରି ଝୁଜାରାମ ତାହା କଲେ ଏବଂ ଆଉ ଜଣେ ଲୋକ ମିଳିବା ଯାଏ ଦୋକାନରେ କାମ କରିବା ଜାରି ରଖିଲେ । ଆଉ ଜଣେ ଲୋକ ଆସିବା ପରେ  ସେ ମାଙ୍କଡ଼ମାନଙ୍କୁ ଖୁଆଇବା ବନ୍ଦ କରିପାରିବେ ବୋଲି ମନେ କରିଥିଲେ ।

୧୫ ବର୍ଷ ଧରି ସେହି ଦୋକାନରେ କାମ କରିବା ପରେ ମାଲିକଙ୍କ ସହ ମନୋମାଳିନ୍ୟ ହେବାରୁ ଝୁଜାରାମ ପ୍ରାୟ ୨ ବର୍ଷ ତଳୁ ଚାକିରି ଛାଡ଼ିଦେଲେ । କିନ୍ତୁ ଯେତେବେଳେ ଖରାଦିନ ଆସିଲା ଏବଂ ମାଙ୍କଡ଼ଙ୍କୁ ଖୁଆଇବା ପାଇଁ ଆଉ ଜଣେ ଲୋକ ଆବଶ୍ୟକ ହେଲେ, ସେତେବେଳେ ଝୁଜାରାମ ଆଗକୁ ଆସିଲେ ଏବଂ  ସେବେଠାରୁ ପୁଣି ଏହା କରି ଆସୁଛନ୍ତି । 

“ମୁଁ ଶୁଣିଛି, ସହରମାନଙ୍କରେ, ଲୋକମାନେ ଗଛ କାଟି ଦିଅନ୍ତି ଏବଂ ପଶୁମାନଙ୍କୁ କ୍ଷତି ପହଞ୍ଚାଇଥାନ୍ତି । ଲୋକମାନେ ମାଙ୍କଡ଼ଙ୍କ ଉପରକୁ ପଥର ଫିଙ୍ଗୁଥିବା କଥା ବି ତୁମେ ନିଶ୍ଚିତ ଶୁଣିଥିବ । ତେଣୁ ତୁମେ କ’ଣ କରିବ?’’ ସେ ଆମକୁ ପଚାରିଲେ । “ସେ ପିଲା ହୁଅନ୍ତୁ ବା ବୟସ୍କ, ମୁଁ ସେମାନଙ୍କୁ କହେ ମାଙ୍କଡ଼ଙ୍କୁ ରୁଟି (ଖାଦ୍ୟ) ଦିଅ କିମ୍ବା ଇଚ୍ଛା ନଥିଲେ ଦିଅନାହିଁ, କିନ୍ତୁ ସେମାନଙ୍କୁ ଆଘାତପ୍ରାପ୍ତ କରନାହିଁ କିମ୍ବା ବିରକ୍ତ କରନାହିଁ । ତୁମ ଚାରିପଟେ ରହୁଥିବା ପଶୁ ଓ ପକ୍ଷୀଙ୍କର ଯତ୍ନ ନିଅ; ଅନ୍ୟ ଜୀବଜନ୍ତୁମାନଙ୍କୁ କ୍ଷତି ପହଞ୍ଚାଇବାର ଅଧିକାର ଆମର ନାହିଁ ।’’

ଝୁଜାରାମ କହିଲେ ଏକଦା ସେ ସେଓଗଞ୍ଜ ବାହାରକୁ ପଳାଇଯିବା କଥା ମନେ କରିଥିଲେ ଏବଂ ତାଙ୍କ ପିଲାମାନେ ମଧ୍ୟ ପଳାଇ ଯାଆନ୍ତୁ ବୋଲି ସେ ଚାହୁଁଥିଲେ । “ସେମାନେ ଯିବାକୁ ଚାହୁଁଛନ୍ତି କି ନାହିଁ ସେ ସଂପର୍କରେ ସେମାନେ ସିଦ୍ଧାନ୍ତ ନେବା ଉଚିତ୍ । ମୁଁ ନିଶ୍ଚିତ ମୁଁ ସହରକୁ ଯିବାକୁ ଚାହୁଁନାହିଁ । ମୁଁ ମୋର କାମ ଓ ଏହି ସେବା ପାଇଯାଇଛି ।’’

ଆମେ ଝୁଜାରାମଙ୍କ ପୁଅ ୧୯ ବର୍ଷୀୟ ଦୀନେଶ କୁମାର (ଯିଏକି ଏକ ଲୁଗା ଦୋକାନରେ କାମ କରନ୍ତି) ତାଙ୍କୁ ପଚାରିଲୁ ସେ କେବେ ତାଙ୍କ ବାପାଙ୍କ ଭୂମିକା ନିର୍ବାହ କରିବେ କି? ସେ କହିଲେ, “ଏହା ଏକ ଧାର୍ମିକ କାମ ।’’ “ଯଦି ଏହା ମୋ ଭାଗ୍ୟରେ ଲେଖାଥିବ, ମୁଁ ମଧ୍ୟ ଏହା କରିବି ।’’.  

ଏହି ସମ୍ବାଦଦାତା ଝୁଜାରାମ ଧର୍ମଜୀ ସନ୍ତଙ୍କୁ ତାଙ୍କର ସମୟ, ଧେର୍ଯ୍ୟ ଏବଂ ତାଙ୍କର କାହାଣୀ କହିବା ଲାଗି ଉତ୍ସାହ ପାଇଁ ଧନ୍ୟବାଦ ଦେବାକୁ ଚାହିଁବେ । ମୁଁ ମଧ୍ୟ ମୋର ଶିକ୍ଷକ ଗଣେଶ ଭେଙ୍କଟରମଣଙ୍କୁ ତାଙ୍କର ଦିଗଦର୍ଶନ ପାଇଁ ଧନ୍ୟବାଦ ଦେବାକୁ ଚାହିଁବି ।

ଜଣେ ଲୋକ ଏବଂ ସାଇକେଲର ଚିତ୍ର: ବେଙ୍ଗାଲୁରୁର ଶିବୁମି ସ୍କୁଲରେ ୧୦ମ ଶ୍ରେଣୀରେ ପଢୁଥିବା ସ୍ରିଷ୍ଟି ବୈଷ୍ଣବୀ କୁମାରନ୍ ଏହାକୁ ଆଙ୍କିଛନ୍ତି ।

ସମସ୍ତ ଫଟୋ: ବେଙ୍ଗାଲୁରୁର ଶିବୁମି ସ୍କୁଲର ସିଦ୍ଧ କାଭେଦିଆ ଏବଂ ଗଶେଶ ଭେଙ୍କଟରମଣ ଉତ୍ତୋଳନ କରିଛନ୍ତି ।

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Sidh Kavedia

ସିଦ୍ଧ କାଭେଦିଆ ବେଙ୍ଗାଲୁରୁର ଶିବୁମି ସ୍କୁଲର ଜଣେ ୧୦ମ ଶ୍ରେଣୀ ଛାତ୍ର ।

Other stories by Sidh Kavedia