ଗୋଥି ପଡ଼ାର ଅଣଓସାରିଆ ମୁଖ୍ୟ ଗଳି। ପ୍ରାୟ ସବୁ ଘର ଆଗରେ କିଛି ବସ୍ତା ସହ କଂକ୍ରିଟ୍ ଗଦା ହୋଇଛି। ସବୁ ବୟସର ମହିଳା, ଏପରିକି ସ୍କୁଲ ଝିଅମାନେ ମଧ୍ୟ ଆବଡ଼ାଖାବଡ଼ା କଂକ୍ରିଟ୍ ଗଦା ଉପରେ ବସି ହାମର ଓ କ୍ଲାମ୍ପ ସାହାଯ୍ୟରେ ଗୋଟେ ପରେ ପରେ ଗୋଟେ ପଥର ଭାଙ୍ଗୁଛନ୍ତି। ପାହାଡ ଓ ନଦୀ ଶଯ୍ୟାରୁ ପଥର ସଂଗ୍ରହ କରି ଆଣିବା ପରେ ପୁରୁଷ ଲୋକମାନେ ଗଳିର ଘର ବାହାରେ ବସି କ୍ୟାରମ୍ ଆଉ ତାସ୍ ଖେଳୁଛନ୍ତି। 

ଉତ୍ତରାଖଣ୍ଡର ପୂର୍ବ ପିଥୋରଗଡ଼ ଜିଲ୍ଲାର ଜଉଲଜିବି ବଜାର ଅଞ୍ଚଳରୁ ଧାରଚୁଲା ସହରକୁ ଯିବା ବାଟରେ କାଳିକା ପଞ୍ଚାୟତ ଗାଁରେ ଗୋଥି ପଡ଼ା ଅବସ୍ଥିତ। ଜଉଲଜିବିରେ ଦୁଇ ନଦୀ କାଳୀ ଓ ଗୋରୀ ମିଶିଛନ୍ତି। ଏଠି ସବୁବେଳେ ପାଣିର ଶବ୍ଦ ଶୁଭିଥାଏ। ଏଠାରୁ ନେପାଳ ମାତ୍ର କେଇ ମିଟର ଦୂର। କେତେକ ଅଣଓସାରିଆ ପାଦଚଲା ସେତୁ ଦୁଇ ଦେଶକୁ ସଂଯୋଗ କରୁଛନ୍ତି। ଉଭୟ ପାର୍ଶ୍ୱରେ ବସବାସ କରୁଥିବା ଲୋକଙ୍କ ଜୀବନ ଭଳି ସେତୁଗୁଡ଼ିକ ଦୋଦୁଲ୍ୟମାନ। 

Woman on road outside house. Road lined with stacked stones
PHOTO • Arpita Chakrabarty

ଗୋଥି ପଡ଼ାର ପ୍ରାୟ ସବୁ ଘର ଆଗରେ ଗଦା ହୋଇଥିବା କଂକ୍ରିଟ୍ ଘର ଓ ରାସ୍ତା ନିର୍ମାଣ କାମରେ ଲାଗିଥାଏ

ଗାଁ ସରକାରୀ ସ୍କୁଲରେ ପାଚିକା ଭାବେ କାମ କରୁଥିବା ୩୨ ବର୍ଷୀୟା ଫୁଲମତି ହୁନାର କହନ୍ତି, ‘‘ଏଠି କାମ ପାଇବା ଭାରି କଷ୍ଟ। ଖରାଦିନେ ଆମେ ଉପର-ହିମାଳୟରେ ଥିବା ଆମ ଘରକୁ ଫେରିଯାଉ।’’ ଏଗୁଡ଼ିକ ଭାରତ-ଚୀନ୍ ସୀମାନ୍ତକୁ ଲାଗିଥିବା ଉପର-ହିମାଳୟର ଦର୍ମା ଉପତ୍ୟାକାର ଗୋ ଓ ବଉନ୍ ଗାଁଗୁଡ଼ିକରେ ଅବସ୍ଥିତ। 

ଏଠି ୨,୫୦୦ ମିଟର ଅକ୍ଷାଂଶ ଉପରେ ରହୁଥିବା ଅଧିକାଂଶ ପରିବାର ୪୫ ଦିନ ୟର୍ସଗୁମ୍ବ ସଂଗ୍ରହ କରନ୍ତି। ମଧ୍ୟାହ୍ନରୁ ଏହା ସଂଗ୍ରହ ହୋଇଥାଏ। ୟର୍ସଗୁମ୍ବ ଏକ ବିରଳ ଏବଂ ମୂଲ୍ୟବାନ ଛତୁ ଯାହାର ଔଷଧୀୟ ଗୁଣ ରହିଛି। ଅନ୍ତର୍ଜାତୀୟ ବଜାରରେ ଏହାର ଉଚ୍ଚ ମୂଲ୍ୟ ଥିଲେ ବି ଏଠାରୁ ବାହାରକୁ ପଠାଇବା ବେଆଇନ ନୁହେଁ। କୁମାଓଁର ବିଭିନ୍ନ ଅଞ୍ଚଳରେ ବିକ୍ରି କରିବାକୁ ଲୋକେ ବୃକ୍ଷଲତାରୁ ଖାଦ୍ୟ ପଦାର୍ଥ ବି ସଂଗ୍ରହ କରନ୍ତି। ଫୁଲମତି କହନ୍ତି, ‘‘ଖାଦ୍ୟ ପଦାର୍ଥ ବିକ୍ରି କରି ଆମେ ରୋଜଗାର କରୁ। କିନ୍ତୁ ଘର ଚଳାଇବାକୁ ତାହା ଯଥେଷ୍ଟ ନୁହେଁ। ତେଣୁ ଆମେ ପଥର ଭାଂଗି ବିକ୍ରି କରିଥାଉ।’’ 

ସ୍ଥାନୀୟ ମଧ୍ୟସ୍ଥି ପଥର କିଣି ନେଇ ରାସ୍ତା ଓ ଘର ତିଆରି କରୁଥିବା ଠିକାଦାରଙ୍କୁ ବିକ୍ରି କରନ୍ତି। ଏହା ପ୍ରାୟ ବର୍ଷ ତମାମ ଚାଲେ। ୨୦୧୩ ବନ୍ୟା ପରେ ଏହା ବଢିଛି। ସେବର୍ଷ ଜୁନ ମାସରେ ଉତ୍ତରାଖଣ୍ଡର ପ୍ରାୟ ସବୁ ଜାଗାରେ ଆକସ୍ମିକ ବର୍ଷା ହୋଇଥିଲା। କାଳୀ ନଦୀର ଉଛୁଳା ପାଣିରେ ଧାରଚୁଲା ବ୍ଲକ୍‌ର ଗୋଥି ନୟା ବସ୍ତି, କାଳିକା ଓ ବଲୱାକୋଟ ଗାଁର ବହୁ ଘର ଓ ରାସ୍ତା ଧୋଇ ଯାଇଥିଲା। ସେହି ଘର ଓ ରାସ୍ତାର ପୁନଃନିର୍ମାଣ ଏବଂ ନୂଆ ଘର ନିର୍ମାଣରେ ଏହି ପଥର ବ୍ୟବହାର ହୋଇଥାଏ। 

କଂକ୍ରିଟ୍ ବସ୍ତା ପିଛା ଦର ୪୫ ଟଙ୍କା। ଫୁଲମତି କହନ୍ତି, ଗୋଟିଏ ଦିନରେ ସେ ଦୁଇଟି ଅଖା ଭର୍ତ୍ତି କରିପାରିବେ। ସ୍କୁଲରେ ଅଣ୍ଡା ତରକାରି କରୁ କରୁ ସେ କହିଲେ, ‘‘କେତେକ ମହିଳା ଦିନକୁ ତିନି ବସ୍ତା ବିକ୍ରି କରିପାରନ୍ତି। ଏଥିପାଇଁ ବହୁ ସମୟ ଲାଗେ, କାରଣ ଏ କାମ ଛଡ଼ା ଘର କାମ ବି ଅଛି।’’  

Woman breaking stones
PHOTO • Arpita Chakrabarty
Woman breaking stones with hammer and clamp.
PHOTO • Arpita Chakrabarty

୬୫ ବର୍ଷୀୟ ବାତୁଲି ଦେବୀ, ବିନା କୌଣସି ସୁରକ୍ଷା ଉପକରଣରେ କେବଳ ଗୋଟିଏ ହାମର ଓ କ୍ଲାମ୍ପ ସାହାଯ୍ୟରେ ପଥର ଭାଙ୍ଗନ୍ତି; ବେଳେବେଳେ ଛୋଟ ଛୋଟ ପଥର ଖଣ୍ଡ ତାଙ୍କ ଆଖିରେ ପଶିଯାଏ, ଆଉ ବେଳେବେଳେ ତାଙ୍କ ଆଙ୍ଗୁଠି କ୍ଷତାକ୍ତ ହୋଇଥାଏ 

ଗୋଥି ଗାଁର ଏକ ଗଳିରେ ଦୁଇ ଜଣ ମହିଳା ବଡ଼ ପଥର ଉପରେ ଛୋଟ ​‌ଛୋଟ ପଥର ଖଣ୍ଡକୁ କ୍ଲାମ୍ପରେ ଧରି ହାମର ସାହାଯ୍ୟରେ ପିଟୁଥିଲେ। ପଥର ଖଣ୍ଡ ସବୁ ଛିଟିକି ପଡୁଥିଲା। ଗୁଣ୍ଡରେ ସେମାନଙ୍କ ହାତ, ପାଦ ଆଉ ମୁହଁ ଧୂସର ଦେଖାଯାଉଥିଲା। ସେମାନେ ସୁରକ୍ଷାକାରୀ ଗ୍ଳୋବ୍‌ସ୍ କିମ୍ବା ମାସ୍କ ପିନ୍ଧି ନଥିଲେ। ୬୫ ବର୍ଷୀୟ ବାତୁଲୀ ଦେବୀ କୁହନ୍ତି, ‘‘ବେଳେବେଳେ ଛୋଟ ଛୋଟ ପଥର ଆମ ଆଖିରେ ପଶିଯାଏ। ଆମେ ହସ୍ପିଟାଲ ଧାଉଁ [ଏଠାରୁ ୬ କିଲୋମିଟର ଦୂର ଧାରଚୂଲାରେ]। ବେଳେବେଳେ ଆମ ଆଙ୍ଗୁଠି କ୍ଷତାକ୍ତ ହୁଏ। କିନ୍ତୁ ସେ ସବୁ ଚଳିଯାଏ।’’ ସମୟ ଅପରାହ୍‌ଣ। ସେ ଗୋଟିଏ ବସ୍ତା ପଥର ସଂଗ୍ରହ କରିଥିଲେ। ଦିନ ଥିବା ପର୍ଯ୍ୟନ୍ତ କାମ କରନ୍ତି ବୋଲି ସେ କହନ୍ତି। 

ଗୋଥିର ମହିଳାଙ୍କ ପାଇଁ ପଥର ଭାଙ୍ଗିବା ଏକ ପୂର୍ଣ୍ଣ ସମୟର ଜୀବିକା ପାଲଟି ଯାଇଛି। ଏହା କେବଳ କଂକ୍ରିଟ୍‌ର ଚାହିଦା ବୃଦ୍ଧି ଯୋଗୁଁ ନୁହେଁ, ବରଂ ହାତବୁଣା ଜିନିଷର ଚାହିଦା କମିବା କାରଣରୁ। ଅଧିକାଂଶ ମହିଳା ଭୂତିଆ ଆଦିବାସୀ ସଂପ୍ରଦାୟର। ବୁଣାବୁଣିରେ ଦକ୍ଷତା ପାଇଁ ଏମାନେ ବେଶ ପରିଚିତ। ସେମାନେ ଯେକୌଣସି ଜିନିଷ ବୁଣିପାରନ୍ତି, ମଶିଣାଠାରୁ କମ୍ବଳ, ସ୍ୱିଟରରୁ ମୌଜା ପର୍ଯ୍ୟନ୍ତ। ସ୍ଥାନୀୟ ଅଞ୍ଚଳରେ ଥିବା ମେଣ୍ଢା ଗୋଠରୁ ଉଲ୍ ସଂଗ୍ରହ ହୋଇଥାଏ। ଭୂତିଆ ମହିଳାମାନେ ବୁଣାବୁଣିରୁ ଆନନ୍ଦ ପାଆନ୍ତି। ପୂର୍ବରୁ ଏମାନେ ବଞ୍ଚିବା ପାଇଁ ଏଇଥିରୁ ରୋଜଗାର କରୁଥିଲେ। ହସ୍ତତନ୍ତ ତାଙ୍କୁ ସମ୍ମାନ ଦେଉଥିଲା। କିନ୍ତୁ ତାହା ଅନ୍ୟ ଏକ ସମୟ ଥିଲା ବୋଲି କୁହନ୍ତି ବାତୁଲି ଦେବୀ। 

କାଠର ତନ୍ତ ସବୁ ବନ୍ୟା ପାଣିରେ ଭାସି ଯାଇଥିଲା ବା ନଷ୍ଟ ହୋଇଯାଇଥିଲା, ଆଉ ଥରେ ତିଆରି କରିବାକୁ ହେଲା - ଏବେ ଘର କଣରେ ଅଳିଆ ହୋଇ ପଡ଼ିଛି। ବନ୍ୟାରୁ ବର୍ତ୍ତିଥିବା କିଛି ତନ୍ତ ଶହେ ବର୍ଷର ପୁରୁଣା। ଅମୂଲ୍ୟ ଉପହାର ଭାବେ ମା’ ତାଙ୍କ ଝିଅ ଆଉ ବୋହୂଙ୍କୁ ଦେଇଥାନ୍ତି। ପିଢି ପିଢି ଧରି ଏମାନଙ୍କର ବୁଣିବାରେ ଦକ୍ଷତା ରହିଛି। ୫୨ ବର୍ଷୀୟା କିସମତି ଦେବୀ କହନ୍ତି, ‘‘ଜଣେ ଭୂତିଆ ଝିଅ କିଛି ନଜାଣିଲେ ବି ବୁଣାବୁଣି ଜାଣିଥିବ ଆଉ କିଭଳି ମଦ ପ୍ରସ୍ତୁତ ହୁଏ [ଗହମରୁ] ଜାଣିଥିବ।’’

Woman weaving carpet outside her home.
PHOTO • Arpita Chakrabarty
Woman weaving a carpet inside her home.
PHOTO • Arpita Chakrabarty

ହାତବୁଣାର ଯୁଗ ଶେଷ କରିଦେଲା ସିନ୍ଥେଟିକ୍ ଗାଲିଚା, କିନ୍ତୁ ଆରତୀ ବୋନା (ବାମ) ଓ କୁସୁମ କୁଟିୟାଲ (ଡାହଣ)ଙ୍କ ଭଳି ବୁଣାଳି ତଥାପି ବେଳେବେଳେ ବୁଣୁଛନ୍ତି 

ଫୁଲମତି କହନ୍ତି ସେମାନେ ଖାଣ୍ଟି ଉଲ୍‌ରେ ଛୁଟ୍‌ଖା, ମୋଟା କମ୍ବଳ ବୁଣନ୍ତି ଆଉ ନଭେମ୍ବରରେ ବାର୍ଷିକ ଜଉଲଜୀବୀ ମେଳାରେ ବିକ୍ରି କରନ୍ତି। ଏଇ କମ୍ବଳ ଖୁବ୍ ମଜବୁତ ଆଉ କୁମାଓଁର ଥଣ୍ଡା ଜଳବାୟୁ ପାଇଁ ବେଶ୍ ଭଲ। ଫୁଲମତିଙ୍କ ମାଆ ସୁପୁ ଦେବୀ କହନ୍ତି, ‘‘ଆମ ବାପା ଆଉ ଭାଇମାନେ ଚୁଟ୍‌ଖା ବିକ୍ରି କରିବାକୁ ଆଲମୋରା ଓ ପିଥୋରଗଡ଼ ସହରକୁ ଯାଆନ୍ତି। ପ୍ରତି ଖଣ୍ଡର ଦାମ୍ ୩,୫୦୦ ରୁ ୬,୦୦୦ ଟଙ୍କା। ଉଲ୍ କେତେ ଖାଣ୍ଟି ତା ଉପରେ ଦାମ୍ ନିର୍ଭର କରେ। କିନ୍ତୁ ତିଆରି କରିବାକୁ ବହୁ ପରିଶ୍ରମ ଆଉ ସମୟ ଲାଗେ। ଜଣେ ଦିନ ତମାମ କାମ କଲେ ଗୋଟିଏ ଚୁଟ୍‌ଖା ତିଆରି ପାଇଁ ୧୫-୨୦ ଦିନ ସମୟ ଲାଗେ। ବେଳେବେଳେ ଖଣ୍ଡେ କାମ ସାରିବାକୁ ୩ ମାସ ପର୍ଯ୍ୟନ୍ତ ଲାଗିଯାଏ।’’ 

Woman holding up weaving thread outside her home.
PHOTO • Arpita Chakrabarty

ଚୁଟ୍‌ଖା ତିଆରି କରିବାକୁ ସୁପୁ ଦେବୀ ସୂତା ବଣ୍ଡଲ ଧରିଛନ୍ତି। ଚୁଟ୍‌ଖା ହେଉଛି ଏକ ମୋଟା କମ୍ବଳ ଯାହା ୧୦୦ ବର୍ଷ ପର୍ଯ୍ୟନ୍ତ ରହିବ। 

କିନ୍ତୁ ଏହି ହାତବୁଣା କମ୍ବଳ ଆଉ ବେଶି ବିକ୍ରି ହେଉନି। ମୋ କ୍ୟାମେରା ପାଇଁ ସୂତା ବଣ୍ଡଲ ଖୋଲିବା ବେଳେ ସୁପୁ ଦେବୀ କହିଲେ,‘‘ଆପଣ କମ୍ବଳ ଆଉ ସତରଞ୍ଜି ବହୁ ଶସ୍ତାରେ ପାଇଯାଉଛନ୍ତି, ତେଣୁ କେହି ୨,୦୦୦ ଟଙ୍କାରୁ ଅଧିକ ଦେବାକୁ ଇଛା କରୁନାହାନ୍ତି। ଗୋଟେ ଚୁଟ୍‌ଖା ବହୁ ପିଢି ପର୍ଯ୍ୟନ୍ତ ରହିପାରେ, ଅତି କମ୍‌ରେ ୧୦୦ ବର୍ଷ ପର୍ଯ୍ୟନ୍ତ। 

ମହିଳାମାନେ ପାରମ୍ପରିକ ଠୁମ୍‌ଲା  (ଆଉ ଏକ ପ୍ରକାର କମ୍ବଳ), ପୁଟ୍ଟୁ (ଉଲ୍ ଗାଲିଚା), ଡାନ୍ (ସତରଞ୍ଜି) ଏବଂ ଆସନ (ପ୍ରାର୍ଥନା ଆସନ) ମଧ୍ୟ ତିଆରି କରନ୍ତି। ମସିଣା ଓ ସତରଞ୍ଜି ଉପରେ ସୁନ୍ଦର ଜ୍ୟାମିତିକ ଡିଜାଇନ୍, ମଙ୍ଗଳସୂଚକ ଚିହ୍ନ ଏବଂ ଫୁଲର ଅଙ୍କନ ତିବ୍ବତୀୟ ମୌଳିକ କଳା ଭଳି ଚମତ୍କାର ଦିଶେ। 

ଏବେ କିନ୍ତୁ ଗାଲିଚା ଆଉ ମଶିଣା ତିଆରି ପାଇଁ କାଁ ଭାଁ ତନ୍ତ ବ୍ୟବହାର ହେଉଛି। ଦୁଇଟି ଆସନ - ଲମ୍ବା, ଅଣଓସାରିଆ ଜଟିଳ ବୁଣା - ୨୦,୦୦୦ ଟଙ୍କାରେ ବିକ୍ରି ହୋଇପାରିବ; ଅଧିକ ବଡ ସତରଞ୍ଜି ହେଲେ ଦାମ୍ ଅଧିକ ହେବ। କିନ୍ତୁ ଗ୍ରାହକ ସଂଖ୍ୟା ଖୁବ୍ କମ୍। ଭାରତ-ଚୀନ ସୀମାରୁ ଏବଂ ପଞ୍ଜାବ ଭଳି ସମତଳ ଅଞ୍ଚଳରୁ ଆସୁଥିବା କମ୍ ପଇସାର ସିନ୍ଥେଟିକ୍ କମ୍ବଳ, ଗାଲିଚା ଏବଂ ସାଲ୍ କୁମାଓନି ଘରଗୁଡିକରୁ ଉଲ ଜିନିଷକୁ ବାହାର କରି ଦେଇଛି। ଏବେ ମହିଳାମାନେ କେବଳ ତାଙ୍କ ପରିବାର ପାଇଁ କିମ୍ବା ଭୂତିଆ ସଂପ୍ରଦାୟରେ ପୂଜା ଆଉ ଉତ୍ସବ ପାଇଁ ଚୁଟ୍‌ଖା ତିଆରି କରୁଛନ୍ତି। 

Carpet on floor
PHOTO • Arpita Chakrabarty
Woman showing a thick banket (chutka) inside her home.
PHOTO • Arpita Chakrabarty

ବାମ: ଭୂତିଆ ମହିଳାଙ୍କ ଦ୍ୱାରା ଏଭଳି ହତବୁଣା ଗାଲିଚା ତିଆରି ପାଇଁ ପ୍ରାୟ ୬ ମାସ ଲାଗିଥାଏ। ଡାହାଣ: ଫୁଲମତି ହୁନାର ନିଜେ ବୁଣିଥିବା ଏକ ଚୁଟ୍‌ଖା ଦେଖାଉଛନ୍ତି। 

ଶାନ୍ତିଦେବୀ କହନ୍ତି, ‘‘ରାସ୍ତାକୁ ଆସି ପଥର ଭାଙ୍ଗିବାକୁ ଆମର ଇଛା ନାହିଁ। କିନ୍ତୁ ଆମେ ଜାଣିନୁ ଆଉ କେଉଁ ଉପାୟରେ ରୋଜଗାର କରିହେବ।’’ ବାତୁଲୀ ଦେବୀ ଯେଉଁଠି କାମ କରୁଥିଲେ ସେଠାରୁ ଅଳ୍ପ ଦୂରରେ ଶାନ୍ତି ଦେବୀ ପଥର ଭାଙ୍ଗୁଥିଲେ। ସେମାନେ ତାଙ୍କ କ୍ଲାମ୍ପ ଆଉ ହାମର ଉପରେ ନଜର ରଖିଥିଲେ। ତାଙ୍କ ପାଖରେ କେତୋଟି କଂକ୍ରିଟ୍ ଭର୍ତ୍ତି ବସ୍ତା ଛିଡା ହୋଇଥିଲା, ଦୁଇ ଜଣ ପୁରୁଷ ଲୋକ ଆଉ କିଛି ବସ୍ତା ଭର୍ତ୍ତି କରୁଥିଲେ।   

ପିଥୋରଗଡ଼ ଜିଲ୍ଲାର ଧାରଚୁଲା ଓ ମୁନସିଆରି ଅଞ୍ଚଳରେ ସବୁଆଡେ ଏଭଳି କଂକ୍ରିଟ୍ ଗଦା ଦେଖିବାକୁ ମିଳେ। ଆକାଶକୁ ଛୁଉଁଥିବା ପର୍ବତର ଏଭଳି ଏକ ମନୋଜ୍ଞ ଚିତ୍ରପଟ ଭିତରେ ମହିଳା ଓ ଝିଅମାନେ ପଥର ଭାଙ୍ଗିଥାନ୍ତି। ବିଶାଳ ପ୍ରାନ୍ତର, କିନ୍ତୁ ଏଠି ବସବାସ କରୁଥିବା ଲୋକଙ୍କ ଦକ୍ଷତା ଏବଂ ଜୀବିକା ସାଂଘାତିକ ଭାବେ ସଂକୁଚିତ। 

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Arpita Chakrabarty

ଲେଖକ ପରିଚୟ: ଅର୍ପିତା ଚକ୍ରବର୍ତ୍ତୀ ଜଣେ କୁମାଓନ ଭିତ୍ତିକ ମୁକ୍ତବୃତ୍ତ ସାମ୍ବାଦିକା ଏବଂ ୨୦୧୭ର ପରୀ ବ୍ୟକ୍ତିବିଶେଷ।

Other stories by Arpita Chakrabarty