ପ୍ରବୀଣ ରଞ୍ଜକ ଅବଦୁଲ ରଶିଦ୍‌ଙ୍କର ମୂଲ୍ୟବାନ ସଂପତ୍ତି କହିଲେ ବହିଟିଏ, ଯାହା କି ତାଙ୍କ ଜୀବନକାଳରେ ନିତିଦିନ ବ୍ୟବହୃତ ହୋଇଛି । ଏହା ହେଉଛି ବିଭିନ୍ନ ‘କଲର୍‌ କୋଡ୍‌ର ଏକ ମାଷ୍ଟର୍‌ ବୁକ୍‌’। ୧୯୪୦ ଦଶକରେ ପାରମ୍ପରିକ କାଶ୍ମିରୀ ରଞ୍ଜକ କଳା ଶିଖିବା ଆରମ୍ଭ କରିବା ଦିନରୁ ହିଁ କପଡ଼ାର ବିଭିନ୍ନ ରଙ୍ଗ ସଂପର୍କିତ ସୂଚନା ଥିବା ଏହି ମୂଳ ପୁସ୍ତକକୁ ସେ ପୃଷ୍ଠା ପୃଷ୍ଠା କରି ଯୋଡ଼ିଛନ୍ତି ।

ପୁରୁଣା ଶ୍ରୀନଗରର ଏକ ଶାନ୍ତ ଗଳିରେ ରହିଛି ତାଙ୍କ କାର୍ଯ୍ୟଶାଳା, ଅବଦୁଲ ରଶିଦ୍‌ ଆଣ୍ଡ ସନ୍‌ସ । ଏହାର ଏକ କୋଣରେ ହାତରେ ବହିଟିଏ ଧରି ଜାକିଜୁକି ହୋଇ ବସନ୍ତି ୮୦  ବର୍ଷରୁ ଅଧିକ ବୟସର ରଶିଦ୍‌। ଏଇଠାରେ ହିଁ ରହିଛି ଏକ ସରସ ବିଡ଼ମ୍ବନା – ପଲସ୍ତରା ହୋଇ ନଥିବା ରଙ୍ଗହୀନ କାନ୍ଥ ଘେରରୁ ସୃଷ୍ଟି ହୁଏ ମନମୁଗ୍‌ଧକର ରଙ୍ଗର ସମାହାର ।

ଦିନ ପ୍ରାୟ ୧୦:୩୦ରେ ରଙ୍ଗକରା ପ୍ରକ୍ରିୟା ଆରମ୍ଭ ହୁଏ । ରେଶମ ସୂତାର ଦୁଇଟି ବଣ୍ଡିଲ୍‌ ରଙ୍ଗ କରିବାକୁ ସାରା ଦିନ ଲାଗିଯିବ । ସୂତା ଧୋଇବାରୁ କାମ ଆରମ୍ଭ ହୁଏ । କାରଣ, ରଶିଦ୍‌ଙ୍କ କହିବା ଅନୁସାରେ, “ସୂତା ଖାଣ୍ଟି ହେଲେ ହିଁ ରଙ୍ଗ କାମ ଖାଣ୍ଟି ହେବ । ବାସ୍ତବ ସୌନ୍ଦର୍ଯ୍ୟ ଭରିବାକୁ ହେଲେ ପ୍ରଥମେ ସମସ୍ତ ଅଶୁଦ୍ଧତାକୁ ଖାଲି କରିବାକୁ ପଡ଼ିବ।”

ଧୋଇ ସାରିବା ପରେ, ପ୍ରାୟ ୪୨ ବର୍ଷର ରଶିଦ୍‌ଙ୍କ ବଡ଼ପୁଅ ନୌଶାଦ୍‌ ଏଥିରେ ଧୂସର ରଙ୍ଗଗୁଣ୍ଡ ମିଶାଇ ଏହାକୁ ଏକ ପୁରୁଣାକାଳିଆ ତମ୍ବା ପାତ୍ରରେ ଥିବା ପାଣିରେ ଗରମ କରନ୍ତି। ଏହି ବ୍ୟବସାୟରେ କେବଳ ତାଙ୍କ ପୁଅ ନୌଶାଦ୍‌ ହିଁ ଅଛନ୍ତି, ଆଉ ଜଣେ ବଡ଼ପୁଅ ଗାଲିଚା ବ୍ୟବସାୟ କରନ୍ତି । ତମ୍ବା ପାତ୍ର ରଙ୍ଗର ସ୍ଥାୟିତ୍ୱ ବଜାୟ ରଖିବାରେ ସାହାଯ୍ୟ କରେ । ସ୍ଥାନୀୟ ବଜାରରୁ କିଣା ଯାଇଥିବା ରଙ୍ଗକୁ ଏଥିରେ ପାଣିରେ ମିଳାଇ ଯିବା ପାଇଁ ଅତି ଯତ୍ନର ସହ ଏବଂ ସଠିକ୍‌ ଭାବରେ, ଚାରିଆଡ଼େ ସମାନ ଭାଗରେ ଛିଞ୍ଚି ଦିଆଯାଏ । ଏହା ପରେ ସୂତାକୁ କାଠର ମୋଟା ମୋଟା ବାଡ଼ିରେ ଗୁଡ଼ାଇ ରଙ୍ଗିନ ପାଣିରେ ବୁଡ଼ାଇ ଧୀରେ ଧୀରେ ଘୂରାଯାଏ । ଏହି ପ୍ରକ୍ରିୟାରେ ଘଣ୍ଟା ଘଣ୍ଟା ଲାଗିଯାଏ, କାରଣ ପାଣିରେ ଥିବା ରଙ୍ଗ ସୂତାର ଭିତର ଯାଏ ଭିଜିଯିବା ଦରକାର ।

ଥରେ ରଙ୍ଗକରା ସରିଗଲେ, ସୂତାର ସବୁ ପାଖରେ ରଙ୍ଗ ସମାନ ଭାବରେ ଲାଗିଛି କି ନାହିଁ ଜାଣିବା ଲାଗି ନୌଶାଦ୍‌ ଗୋଟିଏ ସୂତା ବାହାର କରି ନିଆଁ ଉପରେ ରଖି ଶୁଖାଇ ଦେଖନ୍ତି । ସମ୍ମତି ପାଇଁ ସେ ଏହାକୁ ତାଙ୍କ ବାପାଙ୍କୁ ଦେଖାନ୍ତି। ଥରେ ବାପା ଓ ପୁଅ ସନ୍ତୁଷ୍ଟ ହୋଇଗଲେ, ପ୍ରକ୍ରିୟା ଶେଷ ହୁଏ । ଯଦି ନହେଲା, ତେବେ ସୂତାକୁ ଆଉ ଅଧିକ ସମୟ ରଙ୍ଗ ପାଣିରେ ରଖିବାକୁ ପଡ଼େ, ଅଧିକ ରଙ୍ଗଗୁଣ୍ଡ କିମ୍ବା କିଛି ବ୍ଲିଚ୍‌ ମିଶାଇବାକୁ ପଡ଼େ । ଅବଦୁଲ ରଶିଦ୍‌ଙ୍କ ମତରେ ପ୍ରତିଟି ସୂତା ଚମତ୍କାର ଦେଖାଯାଇପାରେ ।

ଆଜି ସକାଳେ, ସୂତାକୁ ରଙ୍ଗ ଠିକ୍‌ ଭାବରେ ଧରିଲା ପରି ମନେ ହେଉଛି, କିନ୍ତୁ ଏବେ ବି ସବୁଠୁ ବଡ଼ କାମ ବାକି ରହିଛି । ଏବଂ ଯଥାର୍ଥରେ ଏହାକୁ ରଶିଦ୍‌ ହିଁ କରନ୍ତି । ସେ ଗୋଟିଏ ‘ପୂର୍ଣ୍ଣାଙ୍ଗ’ ବା ରଙ୍ଗ କରାହୋଇଥିବା ସୂତାକୁ ନିଅନ୍ତି ଏବଂ ଏହାକୁ ତାଙ୍କ ଅତି ଆଦରର ତଥ୍ୟ ନିର୍ଦ୍ଦେଶିକାର ଏକ ନୂଆ ପୃଷ୍ଠାରେ ଲଗାଇ ଦିଅନ୍ତି ଏବଂ ଥର ଥର ହାତରେ ଏ ସଂପର୍କିତ ସମସ୍ତ ବିବରଣୀ ଲେଖି ରଖନ୍ତି ।

ଏହା ହେଉଛି, ଧୀରେ ଧୀରେ ଲୋପ ପାଉଥିବା କାଶ୍ମିରୀ ରଞ୍ଜକ କଳା, ଯାହାକୁ ଶୀତୁଆ ଶରତରେ, ଜମାଟବନ୍ଧା ଶୀତରେ ଏବଂ ଶାନ୍ତ ଗ୍ରୀଷ୍ମକାଳରେ ରୂପ ଦିଆଯାଏ । ଚାହିଦା ଅଧିକ ଥିବା ବେଳେ, ସାଧାରଣତଃ ଗାଲିଚା ଏବଂ ଶାଲ୍‌ ବୁଣାକାର ଗ୍ରାହକମାନେ ବଣ୍ଡିଲ୍‌ ବଣ୍ଡିଲ୍‌ ସୂତା ଧରି କାର୍ଯ୍ୟଶାଳାକୁ ଆସନ୍ତି ଏବଂ ରଞ୍ଜକମାନେ ଦିନକୁ ୧୨ ଘଣ୍ଟା କାମ କରି ମାସକୁ ପ୍ରାୟ ୨୦,୦୦୦-୨୫,୦୦୦ ଟଙ୍କା ରୋଜଗାର କରନ୍ତି । କିନ୍ତୁ ଖରାଦିନେ ଚାହିଦା କମିଗଲେ ସେମାନେ କେବଳ ୧୦ ଘଣ୍ଟା କାମ କରନ୍ତି ।

ହେଲେ ଯାହା ନିରନ୍ତର ସତ୍ୟ, ତା ହେଲା ରଶିଦ୍‌, ନୌଶାଦ ଏବଂ ସେମାନଙ୍କ ସହଯୋଗୀ ମୁସ୍ତାକ୍‌ଙ୍କ କାମ ପ୍ରତି ନିଷ୍ଠାପର ମନୋଭାବ । ବେଳେବେଳେ ଉତ୍ତ୍ୟକ୍ତ ଲୋକଙ୍କ ସ୍ଲୋଗାନ୍‌ ଏହି ଗଳିରାସ୍ତାକୁ ଥରାଇ ଦିଏ, କିମ୍ବା କର୍ଫ୍ୟୁ ଯୋଗୁଁ କାମ କରିବା କଷ୍ଟକର ହୋଇଯାଏ । କିନ୍ତୁ ଅସନ୍ତୋଷକୁ ସେମାନଙ୍କ କାର୍ଯ୍ୟଧାରାରେ ପ୍ରତିବନ୍ଧକ ସାଜିବାକୁ ଦିଏ ନାହିଁ ଅବଦୁଲ ରଶିଦ ଆଣ୍ଡ ସନ୍‌ସ ।

ପରିବର୍ତ୍ତନଶୀଳ ସମୟରେ ସେମାନଙ୍କ ଆଗରେ ସବୁଠାରୁ ବଡ଼ ଆହ୍ୱାନ ହେଲା ଏକକାଳୀନ ଉତ୍ପାଦିତ ବିପୁଳ ପରିମାଣର ରଙ୍ଗିନ ସୂତା । ଯାହା ଅନେକ ଶାଲ୍‌ ଓ ଗାଲିଚା ବୁଣାକାରମାନଙ୍କୁ ଆକର୍ଷିତ କରେ, କିନ୍ତୁ କାମର ଗତିଶୀଳତା ଲାଗି ଗୁଣମାନକୁ ଏଡ଼ାଇ ଯାଏ । ରଶିଦ୍‌ କହନ୍ତି ଯେ ସେ ଯେତେବେଳେ ଏହି କାମ ଆରମ୍ଭ କଲେ ସେତେବେଳେ ଏହି କଳାର ଖୁବ୍‌ ଆଦର ଥିଲା ଏବଂ ଏହି କାମରୁ ଅଗଣିତ କାଶ୍ମିରୀ ପରିବାର ଜୀବିକା ଅର୍ଜନ କରୁଥିଲେ । କିନ୍ତୁ ଆଜି, ଅନ୍ୟ ଅନେକ ପାରମ୍ପରିକ ହସ୍ତକଳା ଭଳି, ଏହା ମଧ୍ୟ ଅନ୍ତିମ ପର୍ଯ୍ୟାୟରେ ଉପନୀତ ହୋଇଛି ।

ନୌଶାଦ କହନ୍ତି, “ବଜାରରେ ସହଜରେ ଏବଂ ଶସ୍ତାରେ ମିଳୁଥିବା ଚୀନ୍‌ରେ ପ୍ରସ୍ତୁତ ସାମଗ୍ରୀ ଯୋଗୁଁ ଏସବୁ ପରିବାର ଚାଳିତ ଉଦ୍ୟୋଗ ଏବେ ମୃତପ୍ରାୟ ଅବସ୍ଥାରେ । ଏହି ବ୍ୟବସାୟକୁ ଆଗେଇ ନେବାରେ ମୁଁ ହେଉଛି ଶେଷ ପିଢ଼ି । ମୋ ପିଲାମାନେ ଏହି ବ୍ୟବସାୟ କରନ୍ତୁ ବୋଲି ମୁଁ ଚାହେଁନି । ମୁଁ ଚାହେଁ ସେମାନେ ଏହି ଉପତ୍ୟକାରୁ ବାହାରକୁ ଯାଆନ୍ତୁ, ଡିଗ୍ରୀ ପାଆନ୍ତୁ ଏବଂ ଅଫିସ୍‌ରେ ଚାକିରି କରନ୍ତୁ । ମୋ ସହିତ ଏ ବ୍ୟବସାୟର ଅନ୍ତ ଘଟିବ । ଏଥିରେ ଆଉ ଭବିଷ୍ୟତ ଗଢ଼ି ହେବନାହିଁ ।”

ଯେଉଁ ସମୟରେ ଗ୍ରାହକମାନେ ଶାଲ୍‌ କି ଗାଲିଚା କିଣିବା ବେଳେ ରଙ୍ଗ କରିବା କଥା କ୍ୱଚିତ୍‌ ଭାବନ୍ତି, ସେ ସମୟରେ ରଶିଦ ଓ ତାଙ୍କ ପୁଅ ଏତେ କଷ୍ଟସାଧ୍ୟ କାମ କାହିଁକି କରନ୍ତି ? ମୋର ଏ ପ୍ରଶ୍ନରେ ମୁହଁ ବଙ୍କେଇ ଚାହାଁନ୍ତି ଅବଦୁଲ ରଶିଦ। ଝରକା ବାହାରେ ଫିକା ପଡ଼ି ଆସୁଥିବା ସୂର୍ଯ୍ୟ କିରଣକୁ ଚାହିଁ ଭାବପୂର୍ଣ୍ଣ ଢଙ୍ଗରେ କହନ୍ତି ଯେ ସୂର୍ଯ୍ୟର କିରଣକୁ କେହି ଦେଖିପାରନ୍ତି ନାହିଁ, କିନ୍ତୁ ସମସ୍ତେ ଏହାର ଉଷ୍ମତା ଅନୁଭବ କରନ୍ତି । ଦିନ ହଜି ହଜି ଯାଉଛି, ହୁଏତ ପରିବାରର ଏହି ବୃତ୍ତିରେ ଆଉ ଥରେ ସୂର୍ଯ୍ୟୋଦୟ ହେବ ନାହିଁ ।

PHOTO • Jayati Saha

୧୯୪୨ରେ ଶ୍ରୀନଗରର ଏକ ଗଳିରେ ସ୍ଥାପିତ ହୋଇଥିଲା ଅବଦୁଲ ରଶିଦ୍‌ ଆଣ୍ଡ ସନ୍‌ସ

PHOTO • Jayati Saha

ପ୍ରବୀଣ ରଞ୍ଜକ ଅବଦୁଲ ରଶିଦ, ୮୦ରୁ ଅଧିକ ବର୍ଷ ବୟସରେ ଧୀରେ ଧୀରେ କାମ କରନ୍ତି ଏବଂ ସାତ ଦଶନ୍ଧି ଧରି ବହୁ ପରିଶ୍ରମ କରି ସେ ସଂକଳନ କରିଥିବା ନିଜର ‘ମାଷ୍ଟର ବୁକ୍‌ ଅଫ୍‌ କଲର କୋଡ୍‌ସ’ ଆମକୁ ଦେଖାନ୍ତି

PHOTO • Jayati Saha

ବିଭିନ୍ନ ରଙ୍ଗ ଓ ଏହାର ଉପାଦାନ ଏବଂ କେମିତି ସେଗୁଡ଼ିକ ତିଆରି କରିବାକୁ ହେବ ସମେତ କପଡ଼ା ରଙ୍ଗ କରିବା ସଂପର୍କିତ ବହୁ ତଥ୍ୟର ଗନ୍ତାଘର ଏହି ‘ମାଷ୍ଟର୍‌ ବୁକ୍‌’ । ଏଥିରେ ନମୁନା ଭାବରେ ରଙ୍ଗ କରାଯାଇଥିବା ସୂତା ଖଣ୍ଡ ବି ରହିଛି

PHOTO • Jayati Saha

ରଙ୍ଗ କରିବା ପୂର୍ବରୁ ସୂତାକୁ ଧୋଇବା ଲାଗି ସେମାନଙ୍କ ସହଯୋଗୀ ମୁସ୍ତାକ୍‌ ଏକ ବଡ଼ ତମ୍ବା ପାତ୍ରରେ ପାଣି ଭର୍ତ୍ତି କରନ୍ତି ଏବଂ ଦେଖି ନିଅନ୍ତି ଯେ ସୂତା ଠିକ୍‌ ଭାବରେ ବୁଡ଼ି ରହିଛି ଏବଂ ଭିଜିଛି

PHOTO • Jayati Saha

କିଛି ସମୟ ପରେ ରଶିଦ୍‌ଙ୍କ ପୁଅ ନୌଶାଦ ପାତ୍ରରୁ ଧୁଆହୋଇଥିବା ସୂତା ବାହାର କରି ନିଅନ୍ତି, ଏବଂ ସେହି ସମୟରେ ପାଣି ଭର୍ତ୍ତି ଆଉ ଏକ ପାତ୍ରକୁ ନିଆଁରେ ଗରମ କରାଯାଉଥାଏ

PHOTO • Jayati Saha

ବାପାଙ୍କ ଦ୍ୱାରା ଲିଖିତ ‘ମାଷ୍ଟର ବୁକ୍‌ ଅପ୍‌ କଲର କୋଡ୍‌ସ’ରେ ଥିବା ତଥ୍ୟ ଭିତ୍ତିରେ ନୌଶାଦ ରଙ୍ଗ ଗୁଣ୍ଡ ମାପ କରନ୍ତି

PHOTO • Jayati Saha

ତା’ପରେ ଶୁଖିଲା ରଙ୍ଗ ଗୁଣ୍ଡକୁ ଗରମ ପାଣିରେ ମିଶାଯାଏ

PHOTO • Jayati Saha

ନିଆଁ ଉପରେ ବସିଥିବା ଏହି ମିଶ୍ରଣରେ ସୂତା ରହେ ଏବଂ ଧୀରେ ଧୀରେ ରଙ୍ଗିନ ହୁଏ

PHOTO • Jayati Saha

କିଛି ସମୟ ପରେ- ସଠିକ୍‌ ରଙ୍ଗ ନେବାକୁ କେତେ ସମୟ ଲାଗିବ ତାହା ଉପରେ ନିର୍ଭର କରି ଏହା ୨୦ ମିନିଟ୍‌ରୁ ଆରମ୍ଭ କରି ଏକ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ହୋଇପାରେ-  ଏହା ସୂତା ସଠିକ୍ ରଙ୍ଗ ହେବା ପାଇଁ କେତେ ସମୟ ଲାଗୁଛି ତାହା ଉପରେ ନିର୍ଭର କରିବ - ଯେତେବେଳେ ସୂତା ଥଣ୍ଡା ହୋଇଯାଏ, ପ୍ରତିଟି ସୂତାରେ ସମାନ ଭାବରେ ରଙ୍ଗ ଲାଗିଛି ବୋଲି ନିଶ୍ଚିତ କରିବାକୁ, ନୌଶାଦ ଗୋଟି ଗୋଟି କରି ସେଗୁଡ଼ିକୁ ପରୀକ୍ଷା କରି ଦେଖନ୍ତି

PHOTO • Jayati Saha

ନୌଶାଦ ଓ ତାଙ୍କ ସହଯୋଗୀ ସୂତାକୁ ବାହାର କରି ଆଣନ୍ତି ଏବଂ ଏହାକୁ ଚିପୁଡ଼ି ଅତିରିକ୍ତ ପାଣି ବାହାର କରି ଦିଅନ୍ତି

PHOTO • Jayati Saha

ଶେଷରେ, ସୂତାର ଠିକ୍‌ ରଙ୍ଗ ହୋଇଛି ବୋଲି ନିଶ୍ଚିତ କରିବାକୁ ନୌଶାଦ କେତେ ଖଣ୍ଡ ସୂତା ନେଇ ନିଆଁ ଆଗରେ ଦେଖନ୍ତି । ଯଦି ରଙ୍ଗ ଫିକା ହୋଇଥାଏ ତେବେ ସେ ସୂତାକୁ ପୁଣି ପାଣିରେ ବୁଡ଼ାଇ ଆଉ ଟିକେ ରଙ୍ଗ ଗୁଣ୍ଡ ଓ ବ୍ଲିଚ୍‌ ମିଶାନ୍ତି । ଏହି ସମଗ୍ର ପ୍ରକ୍ରିୟା ସୁଦୀର୍ଘ ଅନୁଭୂତିରୁ ନିଃସୃତ ଆକଳନ ଭିତ୍ତିରେ ଖାଲି ହାତରେ କରାଯାଏ । ବାପା ଓ ପୁଅ ଦୁହେଁ ସନ୍ତୁଷ୍ଟ ନ ହେଲା ଯାଏ ଏହାର ପୁନରାବୃତ୍ତି କରାଯାଏ

ଏହି ଚିତ୍ର ନିବନ୍ଧର ମୂଳ ସଂସ୍କରଣ ଡିସେମ୍ବର ୨୦୧୬ରେ ‘କ୍ଲାସିକ୍‌ ଇମେଜିଂ’ ପତ୍ରିକାରେ ଛପା ହୋଇଥିଲା ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Jayati Saha

ଜୟତୀ ସାହା କୋଲକାତାର ଜଣେ ଫଟୋଗ୍ରାଫର ଏବଂ ସେ ବୃତ୍ତଚିତ୍ର ଓ ଯାତ୍ରା ଫଟୋଗ୍ରାଫିକୁ ଗୁରୁତ୍ୱ ଦିଅନ୍ତି।

Other stories by Jayati Saha