“ସୁନ୍ଦରବନରେ ବଞ୍ଚିବା ପାଇଁ ଆମେ ପ୍ରତିଦିନ ସଂଘର୍ଷ କରିଥାଉ। ଯଦିଓ କରୋନାଭୂତାଣୁ ପାଇଁ ସାମୟିକ ଅଚଳ ଅବସ୍ଥା ସୃଷ୍ଟି ହୋଇଛି, ଏ ବିପଦରୁ ମଧ୍ୟ ଆମେ ବର୍ତ୍ତିଯିବୁ, ଏକଥା ଆମେ ଜାଣିଛୁ । ଆମର କ୍ଷେତରେ ଆଳୁ, ପିଆଜ, କଲରା, ଛଚିନ୍ଦ୍ରା ଓ ମୁନିଗା ଛୁଇଁ ଭର୍ତ୍ତି ହୋଇରହିଛି । ଧାନର ମଧ୍ୟ କୌଣସି ଅଭାବ ନାହିଁ । ଆମ ପୋଖରୀଗୁଡିକରେ ମଧ୍ୟ ମାଛ ଭର୍ତ୍ତି ହୋଇ ରହିଛି । ଏଣୁ ଭୋକଉପାସରେ ମରିବାର କୌଣସି ଆଶଙ୍କା ନାହିଁ,” ବୋଲି ସରଳ ଦାସ, ମୌସନିରୁ ଫୋନ୍‌ ମାଧ୍ୟମରେ ଜଣାଇଛନ୍ତି ।

ଦେଶବ୍ୟାପୀ ତାଲାବନ୍ଦ ଯୋଗୁଁ ସମଗ୍ର ଦେଶରେ ଖାଦ୍ୟ ଯୋଗାଣ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିବା ବେଳେ ଭାରତୀୟ ସୁନ୍ଦରବନର ପଶ୍ଚିମ ପାର୍ଶ୍ୱରେ ୨୪ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପିଥିବା ଏକ ଛୋଟ ଦ୍ୱୀପ - ମୌସନିରେ ଏନେଇ କେହି ଚିନ୍ତିତ ନୁହନ୍ତି । “ତାଲାବନ୍ଦ ଯୋଗୁଁ ପନିପରିବା ଓ ଉତ୍ପାଦ ଯାହା ଏଠାରୁ ନମ୍‌ଖାନା ବା କାକ୍‌ଦ୍ୱୀପ୍‌ ବଜାରକୁ ପ୍ରତିଦିନ ଡଙ୍ଗାରେ ପଠା ଯାଉଥିଲା, ତାହା ବର୍ତ୍ତମାନ ପଠା ଯାଇପାରୁନାହିଁ,” ବୋଲି ଦାସ୍‌ କୁହନ୍ତି । 

ଜରୁରୀକାଳୀନ ପରିସ୍ଥିତ ପାଇଁ ରହିଥିବା କେତେକ ‘ସ୍ୱତନ୍ତ୍ର ଡଙ୍ଗା’ ଏବେ ମଧ୍ୟ ମୌସନିରୁ ୨୦ରୁ ୩୦ କିଲୋମିଟର ଦୂରରେ ଅବସ୍ଥିତ ନମ୍‌ଖାନା ଓ କାକଦ୍ୱୀପର ପାଇକାରୀ ବଜାରରେ ପରିବା ପହଞ୍ଚାଉଛନ୍ତି । ଡଙ୍ଗାରେ ଯାତ୍ରା କଲେ ୩୦ ମିନିଟ୍‌ ସମୟ ଲାଗେ କିନ୍ତୁ ସେଠାରୁ ସାଧାରଣତଃ ଯେଉଁ ଟ୍ରେନ୍‌ ବା ଟ୍ରକ୍‌ରେ ଉତ୍ପାଦଗୁଡିକୁ କୋଲ୍‌କାତାକୁ ନିଆଯାଏ ତାହା ଏବେ ପ୍ରାୟତଃ ଉପଲବ୍ଧ ହେଉନାହିଁ । 

ମୌସନିର ତିନୋଟି ମୂଖ୍ୟ ଫସଲ – ଧାନ, କଲରା ଓ ପାନ ପତ୍ର – ର କୋଲ୍‌କାତା ବଜାରରେ ବହୁତ ଚାହିଦା ରହିଛି । “ଏଣୁ କେଉଁଠାରୁ ଏହି ସବୁ ଖାଦ୍ୟ ସହରକୁ ଉପଲବ୍ଧ ହୋଇପାରିବ ତାହା ଏବେ ଏହି ସହର ପାଇଁ ଚିନ୍ତାର ବିଷୟ ପାଲଟିଛି” ବୋଲି ମୌସନି ଦ୍ୱୀପରେ ବଗଦଙ୍ଗା ସମବାୟ ବିଦ୍ୟାଳୟରେ କିରାଣୀ ଭାବେ କାମ କରୁଥିବା ଦାସ, ୫୧, କୁହନ୍ତି । ତାଙ୍କର ପାଞ୍ଚ ଏକର ଜମି ଅଛି ଯାହା ସେ ବଗଦଙ୍ଗା ଗ୍ରାମର ନାମମାତ୍ର ଚାଷୀମାନଙ୍କୁ ଭଡାରେ ଦେଇଛନ୍ତି ।

While the nationwide lockdown is disrupting food supplies across the country, the people living on Mousani island in the Sundarbans are not worried: 'The vegetables and produce that used to go from here to markets on boats every day cannot be sent that way now', says Saral Das (right) of Bagdanga village on the island (file photos)
PHOTO • Abhijit Chakraborty
While the nationwide lockdown is disrupting food supplies across the country, the people living on Mousani island in the Sundarbans are not worried: 'The vegetables and produce that used to go from here to markets on boats every day cannot be sent that way now', says Saral Das (right) of Bagdanga village on the island (file photos)
PHOTO • Abhijit Chakraborty

ଦେଶବ୍ୟାପି ତାଲାବନ୍ଦ ଯୋଗୁଁ ସମଗ୍ର ଦେଶରେ ଖାଦ୍ୟ ଯୋଗାଣ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିବା ବେଳେ ସୁନ୍ଦରବନର ମୌସନି ଦ୍ୱୀପରେ ରହୁଥିବା ଲୋକମାନେ ଚିନ୍ତାଶୂନ୍ୟ ହୋଇ ରହିଛନ୍ତି । ‘ସାଧାରଣତଃ ପ୍ରତିଦିନ ଏଠାରୁ ଡଙ୍ଗା ଜରିଆରେ ବିଭିନ୍ନ ବଜାରକୁ ଯାଉଥିବା ପରିବା ଓ ଅନ୍ୟ ଉତ୍ପାଦଗୁଡିକୁ ବର୍ତ୍ତମାନ ସେହିପରି ଭାବେ ପଠାଯିବା ସମ୍ଭବ ହେଉନାହିଁ’, ବୋଲି ଏହି ଦ୍ୱୀପରେ ଅବସ୍ଥିତ ବଗଦଙ୍ଗା ଗ୍ରାମର ସରଳ ଦାସ (ଡାହାଣ) କହିଛନ୍ତି । (ଫାଇଲ୍‌ ଫଟୋ)

ନଦୀ ଓ ସମୂଦ୍ର ଦ୍ଵାରା ପରିବେଷ୍ଟିତ ପଶ୍ଚିମବଙ୍ଗରେ ଅବସ୍ଥିତ ସୁନ୍ଦରବନର ଏହି ୧୦୦ଟି ଦ୍ୱୀପ ସମୂହ ଭାରତୀୟ ମୂଖ୍ୟ ଭୂଭାଗ ଠାରୁ ପ୍ରାୟତଃ ବିଚ୍ଛିନ୍ନ ହୋଇ ରହିଛି । ମୌସନିରେ ମୁରୀଗଙ୍ଗା ନଦୀ (ଯାହାକୁ ବରତଳା ମଧ୍ୟ କୁହାଯାଏ) ପଶ୍ଚିମ ଦିଗକୁ ପ୍ରବାହିତ ହେଉଛି ଓ ଚିନାଇ ନଦୀ ପୂର୍ବ ଦିଗରେ ଅଛି । ବଗଦଙ୍ଗା, ବଳିଅରା, କୁସୁମତଲା ଓ ମୌସାନି ଆଦି ଦ୍ୱୀପର ଚାରିଟି ମୌଜା(ଗ୍ରାମଗୁ୍ଡ଼ିକ)ରେ  ବାସ କରୁଥିବା ପ୍ରାୟ ୨୨,୦୦୦ ଲୋକ (ସେନ୍‌ସସ୍‌ ୨୦୦୧) ମୂଖ୍ୟ ଭୂଭାଗ ସହିତ ଡଙ୍ଗା ଓ ଲଞ୍ଚ ମାଧ୍ୟମରେ ଏହି ଜଳପଥ ସହାୟତାରେ ଯୋଗାଯୋଗ ସ୍ଥାପନ କରନ୍ତି ।

ନମ୍‌ଖାନା ବ୍ଲକ୍‌ର ଦକ୍ଷିଣ ୨୪ ପ୍ରଗଣାର ଅନ୍ତର୍ଗତ ଏହି ଦ୍ୱୀପର ନିବାସୀମାନେ ଆଜିକାଲି ପ୍ରାୟତଃ ଘର ଭିତରେ ରହୁଛନ୍ତି ବୋଲି ଦାସ୍‌ କୁହନ୍ତି । ସେମାନେ ସପ୍ତାହରେ ଦୁଇଦିନ – ସୋମବାର ଓ ଶୁକ୍ରବାର ଦିନ ବଦଙ୍ଗା ବଜାର ପାଖରେ ବସୁଥିବା ହାଟକୁ ଆଉ ଯାଉନାହାନ୍ତି । ସ୍ଥାନୀୟ ପ୍ରଶାସନ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରାଯାଉଥିବା ବଜାର ପ୍ରତିଦିନ ପୂର୍ବାହ୍ନ ୬ ଟା ରୁ ୯ଟା ପର୍ଯ୍ୟନ୍ତ ଖୋଲା ରହିବାକୁ ଅନୁମତି ଦେଇଛନ୍ତି । ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡିକ ସମୂର୍ଣ୍ଣ ଦ୍ୱୀପରେ ବନ୍ଦ ରହିଛି। ତାଲାବନ୍ଦ କାର୍ଯ୍ୟାନ୍ୱିତ କରିବା ପାଇଁ ପ୍ରଶାସନକୁ ସାହାଯ୍ୟ କରିବାକୁ ପଡୋଶୀ ଫ୍ରାଜେର୍‌ଗଞ୍ଜ ଦ୍ୱୀପର ଫ୍ରାଜେର୍‌ଗଞ୍ଜ କୋଷ୍ଟାଲ୍‌ ପୋଲିସ୍‌ ଷ୍ଟେସନ୍‌ରୁ କନେଷ୍ଟବଲ୍‌ ଓ କେତେଜଣ ସମାଜ କର୍ମୀ ସହାୟତା କରୁଛନ୍ତି ।

ମୌସନିରେ ପର୍ଯ୍ୟାପ୍ତ ପରିମାଣର ଫସଲ ଉତ୍ପାଦନ ହେଉଛି ବୋଲି କୁସୁମତଲା ଗ୍ରାମର ଜୟଦେବ ମଣ୍ଡଳ, ୩୨, ଫୋନ୍‌ ମାଧ୍ୟମରେ ଜଣାଇଛନ୍ତି ।  “ଆମେ ବଜାରରେ ଛଚିନ୍ଦ୍ରା କେଜି ପିଛା ୭-୮ ଟଙ୍କାରେ ବିକ୍ରି କରୁଛୁ ଯାହା ଆପଣମାନେ କୋଲ୍‌କାତାରେ କେଜିକୁ ୫୦ଟଙ୍କା ଦେଇ କିଣୁଛନ୍ତି,” ବୋଲି ସେ କୁହନ୍ତି । ଏହି ଦ୍ୱୀପର ପ୍ରତ୍ୟେକ ଘରେ ପରିବା ଉତ୍ପାଦନ କରାଯାଏ ବୋଲି ମଣ୍ଡଳ କୁହନ୍ତି। ଏଣୁ ଲୋକମାନେ କେବେ କେମିତି ଏଗୁଡିକୁ କିଣିଥାନ୍ତି, କେବଳ ଆବଶ୍ୟକତା ଅନୁଭବ ହେଲେ କିଛି କିଣନ୍ତି । 

“ଉଦାହରଣ ସ୍ୱରୂପ, ମୋ ପାଖରେ ୨୦କେଜି ପିଆଜ ଓ ପ୍ରଚୁର ପରିମାଣର ଆଳୁ ମହଜୁଦ ଅଛି । ଆମର ପୋଖରୀରେ ଆବଶ୍ୟକତା ଠାରୁ ଅଧିକ ମାଛ ଅଛି । ବଜାରକୁ କିଣିବା ପାଇଁ ଅଧିକ ଲୋକ ଆସୁନଥିବାରୁ ଏଠାରେ ମାଛ ପଚି ଯାଉଛି । ଆଜି ଠାରୁ କିଛି ଦିନ ପରେ, ଆମେମାନେ ସୂର୍ଯ୍ୟମୂଖୀ ଚାଷ କରିବୁ। ତାହାର ମଞ୍ଜିକୁ ପେଡି ସେଥିରୁ ତେଲ ମଧ୍ୟ ବାହାର କରିବୁ,” ବୋଲି ମଣ୍ଡଳ କୁହନ୍ତି । ମଣ୍ଡଳ ନିଜେ ଜଣେ ଶିକ୍ଷକ ଓ ତାଙ୍କର ତିନି ଏକର ଜମି ଅଛି ଯେଉଁଥିରେ ସେ ଆଳୁ, ପିଆଜ ଓ ପାନ ପତ୍ର ଉତ୍ପାଦନ କରନ୍ତି ।

PHOTO • Abhijit Chakraborty
PHOTO • Abhijit Chakraborty

ବଳିଅରା ଗ୍ରାମରେ ମହିଳାମାନେ ଲୁଣିଆ ସମୂଦ୍ର ପାଣି ସହିତ ଭାସି ଆସିଥିବା ବାଲି ଓ ମଇଳା ପଦାର୍ଥକୁ ମାଛରୁ କାଢି ଏହାକୁ ସଫା କରୁଛନ୍ତି । ଏହି ଦ୍ୱୀପ ନିବାସୀମାନେ ଦିନର ଅଧିକାଂଶ ସମୟ ଘର ବାହାରେ ଅତିବାହିତ କରିଥାନ୍ତି, ରାସ୍ତାରେ, ଚାଷ ଜମିରେ କାମ କରି ବା ନଦୀ ଓ ଝରଣାରେ ମାଛ ଧରି । ଏଣୁ ତାଲାବନ୍ଦ ସମୟରେ ଘରେ ବସି ରହିବା ସେମାନଙ୍କ ପାଇଁ ପ୍ରାୟତଃ ଅସମ୍ଭବ ଅଟେ (ଫାଇଲ୍‌ ଫଟୋ) ।

ସେ ଯାହାହେଉ, କୁସୁମତାଲା ଓ ବଳିଅରା ଗ୍ରାମରେ, ଯାହା ମୌସନିର ଦକ୍ଷିଣ ଉପକୂଳରେ ଅବସ୍ଥିତ, ୨୦୦୯ ମେ ମାସରେ  ବାତ୍ୟା ଆଲିଆ ସୁନ୍ଦରବନରେ ତାଣ୍ଡବଲୀଳା ରଚିବା ପରେ କୃଷି କାମ ପ୍ରାୟତଃ ବନ୍ଦ ହୋଇଯାଇଛି । ଏହା ଯୋଗୁଁ ଦ୍ୱୀପର ପ୍ରାୟ ୩୦ – ୩୫ ପ୍ରତିଶତ ଅଞ୍ଚଳ ଛାରଖାର ହୋଇଯାଇଛି ଓ ମୃତ୍ତିକାର ଲବଣତା ବୃଦ୍ଧି ପାଇଛି । ଚାଷଜମିରେ ଉତ୍ପାଦନ ହାର ହ୍ରାସ ପାଇବା କାରଣରୁ ଅନେକ ଲୋକ କାର୍ଯ୍ୟ ଅନ୍ୱେଷଣରେ ସେମାନଙ୍କ ଘର ଛାଡି ଅନ୍ୟତ୍ର ଯିବାକୁ ବାଧ୍ୟ ହେଉଛନ୍ତି ।

ପ୍ରବାସୀମାନେ ମୁଖ୍ୟତଃ ନିର୍ମାଣ ସ୍ଥଳଗୁଡିକରେ ଶ୍ରମିକ ଭାବେ କାମ କରିବାକୁ ଗୁଜରାଟ ଓ କେରଳ ସମେତ ଦେଶର ଅନ୍ୟ ସ୍ଥାନକୁ ଯାଉଛନ୍ତି । ସେମାନଙ୍କ ମଧ୍ୟରୁ କିଛି ବିଦେଶକୁ ଯାଉଛନ୍ତି, ପଶ୍ଚିମ ଏସିଆ ଦେଶଗୁଡିକୁ । “ତାଲାବନ୍ଦ କାରଣରୁ ସେମାନେ ପ୍ରାୟତଃ ରୋଜଗାର ଶୂନ୍ୟ ହୋଇପଡିଛନ୍ତି । ଯଦି କାଲି ସେମାନଙ୍କ ଚାକିରି ଚାଲିଯାଏ, ତାହାହେଲେ ସମାନେ କ’ଣ ଖାଇ ବଞ୍ଚିବେ?” ଦ୍ୱାଦଶ ପର୍ଯ୍ୟନ୍ତ ପଢିଥିବା ଓ ନିଜ ଗ୍ରାମର ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଟ୍ୟୁସନ୍‌ କରୁଥିବା ମଣ୍ଡଳ ଚିନ୍ତା କରୁଛନ୍ତି ।

ଗତ କିଛି ସପ୍ତାହ ଧରି ଅହମଦାବାଦ, ସୁରତ, ମୁମ୍ବାଇ, ପୋର୍ଟ ବ୍ଲେୟାର୍‌ ଓ ଅନ୍ୟ ସ୍ଥାନରେ ରହୁଥିବା ପ୍ରବାସୀମାନେ ଘରକୁ ବାହୁଡିବା ଆରମ୍ଭ କରିଛନ୍ତି ବୋଲି ମଣ୍ଡଳ କୁହନ୍ତି । ସେମାନଙ୍କ ମଧ୍ୟରୁ ଅନେକ ବଳିଅରାର, ଯେଉଁମାନେ ୟୁନାଇଟେଡ୍‌ ଆରବ ଏମିରେଟ୍‌ସ, କତାର ଓ ଓମାନରେ ବିଭିନ୍ନ ନିର୍ମାଣ ସ୍ଥଳରେ କାମ କରୁଛନ୍ତି, ସେମାନେ ମଧ୍ୟ ଫେରିଗଲେଣି, ବାଙ୍ଗାଲୁରୁରେ ନର୍ସ ପ୍ରଶିକ୍ଷଣ ଗ୍ରହଣ କରୁଥିବା ଯୁବତୀମାନେ ମଧ୍ୟ ପ୍ରତ୍ୟାବର୍ତ୍ତନ କଲେଣି ।  

ସମୟ ଅତିବାହିତ ହେବା ସହିତ ସୁନ୍ଦରବନରେ ବୃଦ୍ଧି ପାଉଥିବା ସମୂଦ୍ରର ସ୍ତର ଓ ଜମିଗୁଡିକରେ ଲୁଣ ପାଣି ମାଡିଯିବା ଯୋଗୁଁ କେବଳ ଚାଷକାମ ପ୍ରଭାବିତ ହୋଇଛି ତାହା ନୁହେଁ ବରଂ ଦକ୍ଷିଣରେ ଥିବା ଗ୍ରାମଗୁଡିକରେ ବାସସ୍ଥାନ ମଧ୍ୟ ପ୍ରଭାବିତ ହୋଇଛି । ଗରିବ ପରିବାରଗୁଡିକରେ କେବଳ ଗୋଟିଏ ବଖରାରେ ୫-୧୦ ଜଣ ଲୋକ ରୁହନ୍ତି । ସେମାନଙ୍କ ଦୈନନ୍ଦିନ ଜୀବନ ଘର ବାହାରେ ବିତିଥାଏ, ରାସ୍ତାରେ, ଜମିରେ କାମକରି ବା ନଦୀ ଓ ଝରଣାରେ ମାଛ ଧରି । ସେମାନଙ୍କ ମଧ୍ୟରୁ ଅନେକ ରାତିରେ ବାହାରେ ଶୁଅନ୍ତି । ତାଲାବନ୍ଦ ସମୟରେ ସେମାନେ ଘର ଭିତରେ ରହିବା ପ୍ରାୟତଃ ଅସମ୍ଭବ ଅଟେ । 

Left: In many houses on Mousani, 5-10 family members live in a single room. But the islanders are aware of the potential risk of the coronavirus, and a 'strict protocol is being followed'. Right: At a local dam site, labourers from Kusumtala village during a lunch break – over time, many have left, looking for work (file photos)
PHOTO • Abhijit Chakraborty
Left: In many houses on Mousani, 5-10 family members live in a single room. But the islanders are aware of the potential risk of the coronavirus, and a 'strict protocol is being followed'. Right: At a local dam site, labourers from Kusumtala village during a lunch break – over time, many have left, looking for work (file photos)
PHOTO • Abhijit Chakraborty

ବାମ: ମୌସନିରେ ଅନେକ ଘରେ ଗୋଟିଏ ବଖରାରେ ୫-୧୦ ଜଣ ପରିବାର ସଦସ୍ୟ ରୁହନ୍ତି । କିନ୍ତୁ ଦ୍ୱୀପାଞ୍ଚଳ ବାସୀ କରୋନାଭୂତାଣୁର ସମ୍ଭାବ୍ୟ ବିପଦ ବିଷୟରେ ସଚେତନ ଅଛନ୍ତି ଓ ଏକ ‘କଠୋର ପ୍ରୋଟୋକଲ୍‌’ର ଅନୁପାଳନ କରୁଛନ୍ତି । ଡାହାଣ: ଏକ ସ୍ଥାନୀୟ ଡ୍ୟାମ୍‌ ସାଇଟରେ କୁସୁମତଲା ଗ୍ରାମର ଶ୍ରମିକମାନେ ଦ୍ୱିପହର ଭୋଜନ ବିରତି ସମୟରେ – ସମୟ କ୍ରମେ ହେବା ସହିତ କାର୍ଯ୍ୟ ଅନ୍ୱେଷଣରେ ଅନେକ ଏହି କାମ ଛାଡିଦେଲେଣି(ଫାଇଲ୍‌ ଫଟୋ)

ଦ୍ୱୀପାଞ୍ଚଳ ବାସୀମାନେ କିନ୍ତୁ କରୋନାଭୂତାଣୁ ଜନିତ ସମ୍ଭାବ୍ୟ ବିପଦ ବିଷୟରେ ସଚେତନ ଅଛନ୍ତି । ଦାସ କୁହନ୍ତି ଯେ ଏହି ସମୟରେ ଦ୍ୱୀପରେ କଠୋର  ପ୍ରୋଟୋକଲ୍‌ର ଅନୁପାଳନ କରାଯାଉଛି । ସ୍ଥାନୀୟ ଅଧିକାରୀମାନଙ୍କୁ ପ୍ରତ୍ୟାବର୍ତ୍ତନ କରୁଥିବା ପ୍ରବାସୀଙ୍କ ବିଷୟରେ ସୂଚୀତ କରାଯାଉଛି ଓ ପଡୋଶୀମାନେ ଦ୍ୱାର ଦ୍ୱାର ବୁଲି ଏ ବିଷୟରେ ଅନ୍ୱେଷଣ କରୁଛନ୍ତି । କାକଦ୍ୱୀପ ସବ୍ – ଡିଭିଜନାଲ୍‌ ଡାକ୍ତରଖାନା ପକ୍ଷରୁ ବାଧ୍ୟତାମୂଳକ ୧୪ଦିନର ସଂଗରୋଧ ପାଇଁ ନିର୍ଦ୍ଦେଶ ଦିଆଯାଉଛି ଓ ଗ୍ରାମବାସୀମାନେ ଏହାର ସଠିକ୍‌ ଅନୁପାଳନ ହେବା ଉପରେ ନଜର ରଖୁଛନ୍ତି । ଯେଉଁମାନେ ଯାଞ୍ଚ ପାଇଁ ଡାକ୍ତରଖାନାକୁ ଯାଉନାହାନ୍ତି, ସେମାନଙ୍କୁ ଏଥିପାଇଁ ବାଧ୍ୟ କରାଯାଉଛି ବୋଲି ସେ କୁହନ୍ତି ।

ଦୁବାଇରୁ ଫେରିଥିବା ଜଣେ ଯୁବକ ଯାହାକୁ ଜ୍ୱର ହୋଇଥିଲା ତାଙ୍କୁ କୋଲ୍‌କାତା ସ୍ଥିତ ବେଲିଆଘାଟ ଆଇଡି ଓ ଏଚ୍‌ଡି ଡାକ୍ତରଖାନାକୁ ପଠାଗଲା । କରୋନାଭୂତାଣୁ ପାଇଁ ତାଙ୍କର ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଯାଇ ଗ୍ରାମବାସୀମାନେ ଆଶ୍ୱସ୍ତି ଲାଭ କଲେ । କିନ୍ତୁ ଡାକ୍ତରଖାନାରେ ତାଙ୍କୁ ଘରେ ସଂଗରୋଧରେ ରହିବାକୁ କୁହାଗଲା । ଏକ ନବ ଦମ୍ପତ୍ତି ଯେଉଁମାନେ ୟୁଏଇରୁ କିଛି ଦିନ ପୂର୍ବେ ଫେରିଛନ୍ତି, ସେମାନେ ମଧ୍ୟ ସଂଗରୋଧରେ ରହିଛନ୍ତି । ଯଦି କେହି ଏହି ପ୍ରୋଟୋକଲ୍‌ ଭାଙ୍ଗୁଛନ୍ତି ତାହାହେଲେ ତତ୍‌କ୍ଷଣାତ୍‌ ବ୍ଲକ୍‌ ଉନ୍ନୟନ ଅଧିକାରୀ ଓ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଫୋନ୍‌ ଦ୍ୱାରା ସୂଚୀତ କରାଯାଉଛି ।

ଯଦି ବଳିଅରା ଓ କୁସୁମତଲାର ଲୋକମାନେ କିଛି ଉପାର୍ଜନ କରିବାକୁ ସମର୍ଥ ହେବେ ନାହିଁ ତାହାହେଲେ ତାଙ୍କ ପରିବାରକୁ ଖୂବ୍‌ ଶୀଘ୍ର ଖାଇବାକୁ ଖାଦ୍ୟ ମିଳିବ ନାହିଁ । ଏହି ପରିବାରଗୁଡିକ ଖାଇବା ପାଇଁ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଦ୍ୱାରା କିଲୋ ପ୍ରତି ୨ଟଙ୍କା ଦରରେ ଦିଆଯାଉଥିବା ରାସନ ଚାଉଳ ଉପରେ ନିର୍ଭର କରୁଛନ୍ତି । କୋଭିଡ୍‌ - ୧୯ ସଙ୍କଟ ପାର ହେବା ପାଇଁ ସାଧାରଣ ବିତରଣ ସେବା ଅଧିନରେ ସେପ୍ଟେମ୍ବର ପର୍ଯ୍ୟନ୍ତ ମାସକୁ ପାଞ୍ଚ କେଜି ଚାଉଳ ମାଗଣାରେ ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି ।

ମୌସନି ଦ୍ୱୀପ ନିବାସୀମାନେ ଏହି ସଙ୍କଟର ସଫଳ ମୁକାବିଲା କରିପାରିବେ ବୋଲି ସରଳ ଦାସ ବିଶ୍ୱାସ କରନ୍ତି  । “ଆମେ ସୁନ୍ଦରବନର ଲୋକମାନେ, ଭୌଗୋଳିକ ଦୃଷ୍ଟିକୋଣରୁ ମୂଖ୍ୟ ଭୂଭାଗଠାରୁ ବିଚ୍ଛିନ୍ନ ହୋଇ ରହିଛୁ । ଆମେ ସହିଥିବା ଅସଂଖ୍ୟ ବିପର୍ଯ୍ୟୟଜନିତ ଯନ୍ତ୍ରଣାରୁ ଆମେ ଏତିକି ଶିଖି ପାରିଛୁ ଯେ ବିପଦ ବେଳେ ଆମକୁ ଆମ ନିଜର ଯତ୍ନ ନେବାକୁ ହେବ । ଆମେ ସାଧାରଣତଃ ମୁଖ୍ୟ ଭୂଭାଗରୁ ଆସୁଥିବା ସହାୟତା ଉପରେ ନିର୍ଭର କରୁନାହୁଁ ଯାହା ସମୟ କ୍ରମେ ଆସି ପହଞ୍ଚିଥାଏ । ଯେପରି ମୁଁ ମୋ ଘରେ ଥିବା ଦୁଇଟି ଅଧିକ ଛଚିନ୍ଦ୍ରାକୁ  ମୋର ପଡୋଶୀକୁ ଦେଇଥାଏ, ମୁଁ ଜାଣିଛି ଯେ ଯଦି ମୋର ପଡୋଶୀଙ୍କ ପାଖରେ ମଧ୍ୟ ଅଧିକ ଦୁଇଟି କାକୁଡି ଅଛି, ତାହାହେଲେ ତାହା ମୋର ଘରକୁ ଆସିବ । ଆମେ ମିଳିମିଶି ପରିସ୍ଥିତିର ମୁକାବିଲା କରୁ ଓ ଏହି ଥର ମଧ୍ୟ ଆମେ ମିଳିମିଶି ମୁକାବିଲା କରିବୁ” ବୋଲି ସେ ସହସ ବଦନରେ କୁହନ୍ତି ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Abhijit Chakraborty

ଅଭିଜିତ୍ ଚକ୍ରବର୍ତ୍ତୀ କୋଲକାତାର ଜଣେ ଫଟୋ ସାମ୍ବାଦିକ। ସେ ସୁନ୍ଦରବନ୍ ଉପରେ ଆଧାରିତ ଏକ ତ୍ରୟମାସିକ ବଙ୍ଗଳା ପତ୍ରିକା ‘ସୁଦ୍ଦୁ ସୁନ୍ଦରବନ୍ ଚର୍ଚା’ ସହିତ ଜଡିତ ।

Other stories by Abhijit Chakraborty