ଏକ କପଡ଼ା ଉପରେ ଖଣ୍ଡେ ଛୋଟ ଗୋଲାକାର କାଚକୁ ସେଟ୍ କରିବା ସମୟରେ ତାମିଗମାଲ କାସିମିୟା ତାଙ୍କର ଚଷମା ଫାଙ୍କରୁ ଚାହିଁଲେ। ତାମିଲନାଡୁର ଧର୍ମପୁରୀ ଜିଲ୍ଲାର ସିଟ୍ଟିଲିଙ୍ଗି ଭ୍ୟାଲିର ଦୁଇଟି ଲାମବାଡି ବସତି ମଧ୍ୟରୁ ଅନ୍ୟତମ ଆକ୍କାରେ କାଟ୍ଟୁ ଟାଣ୍ଡାସ୍ଥିତ ନିଜ ଘରେ ସେ ମୋତେ କହିଲେ, “ଏହି ସାଙ୍ଗଲି ସିଲାଇ ସବୁଠୁ କଷ୍ଟକର କାରଣ କାଚ ଯେପରି ଖସି ନ ଯିବ ସେଥିଲାଗି ଧ୍ୟାନ ଦେବାକୁ ପଡ଼ିଥାଏ ।’’

୬୦ ବର୍ଷରେ ଉପନୀତ ତାମିଗମାଲ ବା ‘ଗାମି’ ବର୍ତ୍ତମାନ ୧୨ ବର୍ଷ ଧରି ଏକ ଗୁରୁତର ବିପତ୍ତିରୁ ରକ୍ଷା କରି ଆସୁଛନ୍ତି । ବାନ୍ଧବୀ ଆର.ନୀଲାଙ୍କ ସହ ମିଶି ସେ ସେମାନଙ୍କ ସଂପ୍ରଦାୟର ଯୁବତୀମାନଙ୍କୁ ଘଟେର-ଲାମବାଡି ଏମ୍ବ୍ରୋଡୋରୀ ଶିଖାଇ ଆସୁଛନ୍ତି । ଲୋକମାନଙ୍କ ମନରୁ ଯେପରି ଏହି ଏମ୍ବ୍ରୋଡୋରୀ ଲୋପ ନ ପାଇବ ସେଥିପାଇଁ ସେ ପ୍ରୟାସ କରୁଛନ୍ତି । ଏମ୍ବ୍ରୋଡୋରୀ ମାଧ୍ୟମରେ ନିରନ୍ତର ହେଉଥିବା ଅତିରିକ୍ତ ରୋଜଗାର ଯୋଗୁ ମହିଳାମାନଙ୍କ ଅନ୍ୟତ୍ର କାମ କରିବାର ଆବଶ୍ୟକତା ଶେଷ ହୋଇଛି ।

ଲାମବାଡି ମହିଳାମାନେ ସାଧାରଣତଃ ସିଟ୍ଟିଲିଙ୍ଗିର ଦକ୍ଷିଣରେ ୨୦୦ କିଲୋମିଟର ଦୂରରେ ଥିବା ତିରୁପୁରର ବୟନକଳ କିମ୍ବା ନିର୍ମାଣ ପ୍ରକଳ୍ପରେ କାମ କରିବାକୁ ଯାଇଥାନ୍ତି । ସେମାନଙ୍କ ସଂପ୍ରଦାୟର ଅଧିକାଂଶ ପୁରୁଷ କେରଳରେ ନିର୍ମାଣ କାମ ଏବଂ ଗଛ କାଟିବା କାମ କରିଥାନ୍ତି । ହାରାହାରି ଭାବେ ଦେଖିଲେ ଦେଶାନ୍ତରୀ ଶ୍ରମିକ ଉଭୟ ପୁରୁଷ ଓ ମହିଳାମାନଙ୍କର ରୋଜଗାର ମାସିକ ୭ ହଜାରରୁ ୧୫୦୦୦ ଯାଏ ହୋଇଥାଏ ।

ତାମିଲନାଡୁରେ  ଲାମବାଡି (ରାଜ୍ୟରେ ପଛୁଆ ଜାତି ଭାବେ ତାଲିକାଭୁକ୍ତ) ସଂପ୍ରଦାୟର ଲୋକମାନେ ମୁଖ୍ୟତଃ ଧର୍ମପୁରୀ ଓ ଥିରୁଭନ୍ନାମଲାଇ ଜିଲ୍ଲାରେ ରହିଥାନ୍ତି। ସିଟ୍ଟିଲିଙ୍ଗିର ଗାଁ ପଞ୍ଚାୟତର ଅଧିକାରୀଙ୍କ ଅନୁସାରେ ସେଠାରେ ପ୍ରାୟ ୯୨୪ ଜଣ ଲାମବାଡି ରହୁଛନ୍ତି (ଅନ୍ୟ ରାଜ୍ୟରେ ବଞ୍ଜାରା ଭାବେ ମଧ୍ୟ ପରିଚିତ) । ସିଟ୍ଟିଲିଙ୍ଗିରେ ରହୁଥିବା ଅଧିକାଂଶ ଲାମବାଡିଙ୍କର ଏକ ବା ୨ ଏକର ଜମି ରହିଛି ଯେଉଁଠାରେ ଜୀବିକାର୍ଜ୍ଜନ ପାଇଁ ସେମାନଙ୍କର ଚାଷ ବର୍ଷା ଉପରେ ନିର୍ଭର କରେ । ଗତ ୩୦ ବର୍ଷ ହେଲା ଅଧିକ ପାଣି ଆବଶ୍ୟକ କରୁଥିବା ଆଖୁ ଓ ଧାନ ପରି ଅର୍ଥକାରୀ ଫସଲ ଚାଷ ପ୍ରତି ଆଗ୍ରହ ବୃଦ୍ଧି ଏବଂ ବର୍ଷାର ଅଭାବ ଯୋଗୁ ସେଠାରେ ଟଙ୍କାର ଆବଶ୍ୟକତା ବୃଦ୍ଧି ପାଇଛି । ତେଣୁ ଦେଶାନ୍ତରର ଅବଧି ୧୫ ଦିନରୁ ଏକ ବର୍ଷକୁ ବୃଦ୍ଧି ପାଇଛି । 

୩୫ ବର୍ଷୀୟ ଥାଇକୁଲାମ କହିଲେ, “ଏଠାରେ ଦେଶାନ୍ତର ଜୀବନର ଏକ ସତ୍ୟ, କିନ୍ତୁ ଅତି କମ୍‌ରେ ଯେଉଁ ଘରେ ମହିଳାମାନେ ଘଟେରରୁ ରୋଜଗାର କରୁଛନ୍ତି ସେଠାରେ ଦେଶାନ୍ତର ବନ୍ଦ ହୋଇଛି ।’’

Woman stitching a piece of cloth while sitting on a cot
PHOTO • Priti David
Woman sewing a piece of cloth
PHOTO • Porgai Artisans Association

ତାମିଗମାଲ କାସିମିୟା(ବାମ) ଓ ଆର.ନୀଲା(ଡାହାଣ)ସେମାନଙ୍କ ଜନବସତିର ଅନେକ ଯୁବତୀଙ୍କୁ ପାରମ୍ପରିକ ଏମ୍ବ୍ରୋଡୋରୀ ଶିଖାଇଛନ୍ତି ଯେପରିକି ସେହି କଳା ଲୋପ ନ ପାଇବ

ସିଟ୍ଟିଲିଙ୍ଗିର ଦୁଇଟି ଟାଣ୍ଡାରେ ୭୦ବର୍ଷରୁ ଉର୍ଦ୍ଧ୍ୱ ମାତ୍ର ୨-୩ ଜଣ ବୃଦ୍ଧାଙ୍କୁ ଛାଡ଼ି ଲାମବାଡି ମହିଳାମାନେ(ପୁରୁଷମାନେ ମଧ୍ୟ) ପର୍ବପର୍ବାଣୀ ଦିନ ବ୍ୟତୀତ ଅନ୍ୟ ଦିନମାନଙ୍କରେ ସେମାନଙ୍କର ପାରମ୍ପରିକ ପୋଷାକ ପିନ୍ଧିବା ବନ୍ଦ  କରିଦେଲେଣି । ଏହା ଧୀରେ ଧୀରେ ୩୦-୪୦ ବର୍ଷ ମଧ୍ୟରେ ହୋଇଛି । ଥାଇକୁଲାମ୍ କହିଲେ, “ଆମେ ଭିନ୍ନ ଦିଶିବାକୁ ଚାହୁଁନାହୁଁ । ଆମକୁ ଅସହଜ ଲାଗୁଛି । ତେଣୁ ନିକଟସ୍ଥ ଗାଁମାନଙ୍କରେ ଲୋକମାନେ ଯେଉଁଭଳି ପୋଷାକ ପିନ୍ଧୁଛନ୍ତି ତାହା ଦେଖି ଆମେ ସେପରି ପିନ୍ଧୁଛୁ ।’’

ସଂପ୍ରଦାୟର ମହିଳାମାନେ ପାରମ୍ପରିକ ପୋଷାକ ପିନ୍ଧିବା ବନ୍ଦ କରିଦେବାପରେ ଏମ୍ବ୍ରୋଡୋରୀର ସାଂସ୍କୃତିକ ଆବଶ୍ୟକତା କମିଗଲା । ଗାମିଙ୍କର ପୁରୁଣା ଛାତ୍ରୀଙ୍କ ମଧ୍ୟରୁ ଅନ୍ୟତମ ୩୦ ବର୍ଷରେ ଉପନୀତ ହୋଇଥିବା ଲାମବାଡି କାରିଗର ଏ.ରମାନି କହିଲେ, “ମୋ ଜେଜେମା’ କିଛି ଘଟେର କାମ କରୁଥିଲେ, କିନ୍ତୁ ମୋ ମା’ କେବେହେଲେ ଛୁଞ୍ଚିସୂତା ଧରିନାହାନ୍ତି, ଏପରିକି ତାଙ୍କର ବିବାହ ପୋଷାକ ପାଇଁ ନୁହେଁ ।’’

ଲାମବାଡି ମହିଳାମାନଙ୍କର ପାରମ୍ପରିକ ପୋଷାକରେ ଭାରୀ ଏମ୍ବ୍ରୋଡୋରୀ କାମ ହୋଇଥାଏ । ପେଟିୟା ହେଉଛି ଗୋଟିଏ ରଙ୍ଗର ସାର୍ଟିନ୍ ସ୍କର୍ଟ, ଏକ ଚୋଲିର ବ୍ଲାଉଜ ଏବଂ ଏକ ସ୍କାର୍ଫ ବା ଦୁପଟ୍ଟା । ସାଧାରଣତଃ ସ୍କର୍ଟର ଅଣ୍ଟା ଓ ବ୍ଲାଉଜରେ ବିଭିନ୍ନ ରଙ୍ଗର ସୂତାରେ  ଭାରୀ ଏମ୍ବ୍ରୋଡୋରୀ କାମ ହୋଇଥାଏ । ଜ୍ୟାମିତିକ ପାଟର୍ଣ୍ଣରେ ଅନେକ ପ୍ରକାର ସୂକ୍ଷ୍ମ ସିଲାଇ କରାଯାଇଥାଏ । ଏହି ସଂପ୍ରଦାୟର ପୁରୁଷମାନେ ଧଳା ରଙ୍ଗର ସୂତା ଟି ସାର୍ଟ ଓ ଧୋତି ପିନ୍ଧନ୍ତି, ସେଥିରେ କୌଣସି ଏମ୍ବ୍ରୋଡୋରୀ ହୋଇନଥାଏ ।

ରମାନିଙ୍କ ମା’ଙ୍କ ପିଢିରେ ଏମ୍ବ୍ରୋଡୋରୀ କାମ ଲୋପ ପାଇଯାଇଥିବା ବେଳେ ବିବାହ ପରି ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ଅଧିକାଂଶ ପରିବାରରେ ଏବେ ମଧ୍ୟ ପାରମ୍ପରିକ ପୋଷାକର ଆବଶ୍ୟକତା ପଡୁଛି ଏବଂ ଏଭଳି ପୋଷାକ ମଧ୍ୟରୁ ଅଧିକାଂଶ ଚିରି ଯାଇଛି କିମ୍ବା ନଷ୍ଟ ହୋଇଯାଇଛି । ଗାମି କହିଲେ, “ମହିଳାମାନେ ଆମ ପାଖକୁ ଆସୁଥିଲେ ଏବଂ ଆମେ ଭାରୀ ଏମ୍ବ୍ରୋୟଡୋରୀ ହୋଇଥିବା ଅଂଶକୁ ବାଦ୍ ଦେଇ ନୂଆ(ସାଧା) କପଡ଼ା ସେଥିରେ ପକାଇ ଦେଉଥିଲୁ ।’’ ଏହା ଥିଲା ଏକ ସୂକ୍ଷ୍ମ ସୂତା ଯାହାକି  ଲାମବାଡି ସଂପ୍ରଦାୟର ସଂପର୍କକୁ ଏହି କଳା ସହିତ ଯୋଡ଼ି ରଖିଥିଲା । ଧୀରେ ଧୀରେ ଏହାର ପୁନରୁଦ୍ଧାର ହେଲା ।

Woman showing her work
PHOTO • Priti David
Woman stitching a design
PHOTO • Priti David

୩୦ ବର୍ଷରେ ଉପନୀତ ହୋଇଥିବା ଲାମବାଡି କଳାକାର ଏ.ରମାନି ଗାମିଙ୍କର ପୂର୍ବତନ ଛାତ୍ରୀଙ୍କ ମଧ୍ୟରୁ ଅନ୍ୟତମ । ସେ ଗର୍ବର ସହ ମନେ ପକାଇଲେ, “ମୋର ପ୍ରଥମ ରୋଜଗାର ପାନରୁ ଆରମ୍ଭ ହୋଇଥିଲା । ୮ଟି ଧାଡ଼ିରେ ମୁଁ ୮ଟି ଏମ୍ବ୍ରୋଡୋରୀ କରିଥିଲି ।’’

ସିଟ୍ଟିଲିଙ୍ଗିରେ ଏବେ ୬୦ ଜଣ ଲାମବାଡି ମହିଳା କାରିଗର ଏମ୍ବ୍ରୋୟଡୋରୀ ଅଭ୍ୟାସ କରୁଛନ୍ତି । ସେମାନଙ୍କ ମଧ୍ୟରୁ ସମସ୍ତେ ପୋରଗାଇ କାରିଗର ସଂଘର ସଦସ୍ୟ ଯାହାକି ସେମାନଙ୍କ ଦ୍ୱାରା ପ୍ରତିଷ୍ଠା ହେବା ସହ ପରିଚାଳିତ ହେଉଛି । ନିକଟରେ ସଂଘର ସଭାପତି ଭାବେ ନିର୍ବାଚିତ ହୋଇଥିବା ଥାଇକୁଲାମ ବୁଝାଇଲେ, “ଆମ ଭାଷାରେ ‘ପୋରଗାଇ’ ଶଦ୍ଦର ଅର୍ଥ ହେଲା ଗର୍ବ ଓ ସମ୍ମାନ । ଆମେ ଆମର କଳାକୁ ନେଇ ଗର୍ବ କରୁ ଏବଂ ରୋଜଗାର କରୁଥିବା ଅର୍ଥରୁ ସମ୍ମାନ ପାଉ ।’’ “ଏବେ ଲାଗୁଛି ଯେପରିକି ଆମେ ଆମର ସ୍ୱରକୁ ଫେରି ପାଇଛୁ । ଏବେ ଆମ ପାଖରେ ଏକତ୍ୱବୋଧ ଅଛି ଏବଂ ଆମର ସୃଜନଶୀଳତା ପାଇଁ ଆଉଟଲେଟ୍ ରହିଛି ।’’

ଜଣେ ସ୍ଥାନୀୟ ଡାକ୍ତର ଲଲିତା ରେଗୀଙ୍କ ପ୍ରେରଣାରେ ପୋରଗାଇ ପକ୍ଷରୁ ପ୍ରଥମ ମିଳିତ ସିଲାଇ କରାଯାଇଥିଲା । ୩୦ ବର୍ଷ ତଳେ କେରଳରୁ ଗ୍ରାଜୁଏଟ୍ ହେବାର କିଛି ଦିନ ପରେ ସେ ଆଦିବାସୀ ସ୍ୱାସ୍ଥ୍ୟ ଅଭିଯାନ(ଟିଏଚଆଇ)ଆରମ୍ଭ କରିବା ଲାଗି ତାଙ୍କ ସ୍ୱାମୀ ଡାକ୍ତର ରୋଗୀଙ୍କ ସହିତ ସିଟ୍ଟିଲିଙ୍ଗି ପଳାଇ ଆସିଥିଲେ। ଲାମବାଡି ମହିଳାମାନଙ୍କୁ ସେ ଚିକିତ୍ସା କରୁଥିଲେ। ସେମାନଙ୍କ ସହ ଜଡ଼ିତ ୨ ପ୍ରକାର ତଥ୍ୟ ସେ ଦେଖିଲେ। କେବଳ ବୟସ୍କା ମହିଳାମାନେ ଭାରୀ ଏମ୍ବ୍ରୋଡୋରୀ କାମ ହୋଇଥିବା ପାରମ୍ପରିକ ପୋଷାକ ପିନ୍ଧୁଥିଲେ। ସେହିପରି ତାଙ୍କର ରୋଗୀମାନଙ୍କ ମଧ୍ୟରୁ ଅନେକ ସେମାନଙ୍କର ଚାଷରୁ ହେଉଥିବା ରୋଜଗାରକୁ ସହାୟତା କରିବା ଲାଗି ନିୟମିତ ଭାବେ ସ୍ୱଳ୍ପ ସମୟ ପାଇଁ ଦେଶାନ୍ତରୀ ହେଉଥିଲେ। ବନ୍ଦ ଘରେ କାମ କରିବା ଯୋଗୁ ସେମାନେ ବିଭିନ୍ନ ସଂକ୍ରାମକ ରୋଗ ନେଇ ଫେରୁଥିଲେ ଏବଂ ଠିକ୍ ଭାବେ ଖିଆପିଆ କରୁନଥିଲେ। ସ୍ତ୍ରୀ ରୋଗ ବିଶେଷଜ୍ଞ ଲଲିତା କହିଲେ, “ମୁଁ ଭାବିଲି ଯଦି ମୁଁ ଯୁବତୀମାନଙ୍କୁ ଅର୍ଥ ରୋଜଗାର କରିବା ପାଇଁ ଏମ୍ବ୍ରୋଡୋରୀ ଆରମ୍ଭ କରିବା ଲାଗି ବୁଝାଇ ପାରିଲି, ତା’ ହେଲେ ଦେଶାନ୍ତରୀ ହେବାର ଆବଶ୍ୟକତା କମିଯିବ।’’

ଗାମି ଓ ନୀଲା ହେଉଛନ୍ତି ଲାମବାଡି ସଂପ୍ରଦାୟର ଦୁଇ ମହିଳା ଯେଉଁମାନେ କି ଏବେ ବି ଏମ୍ବ୍ରୋୟଡୋରୀ କଳାକୁ ଜାଣିଛନ୍ତି । ଲାମବାଡି ଯୁବତୀଙ୍କ ଏମ୍ବ୍ରୋଡୋରୀ ଶିଖାଇବା ଚିନ୍ତାଧାରାକୁ ତୁରନ୍ତ ଖାରଜ କରି ଗାମି କହିଥିବା କଥାକୁ ମନେ ପକାଇଲେ: “କିଏ ତାକୁ କିଣିବ?’’ ସେ ବିଚଳିତ ହୋଇ ପ୍ରଶ୍ନ କଲେ। “ଏପରିକି ଆମର ନିଜର ଲୋକମାନେ ଏହାକୁ ପିନ୍ଧୁନାହାନ୍ତି!’’ କିନ୍ତୁ ଲଲିତା ତାଙ୍କ ଚିନ୍ତାଧାରାରେ ଅଟଳ ଥିଲେ ଏବଂ ଟିଏଚ୍ଆଇରୁ ୧ ଲକ୍ଷ ଟଙ୍କା ଧାର ଆଣି ଏହି କାମ ପାଇଁ ବିନିଯୋଗ କଲେ । (ପରେ ଟିଏଚ୍ଆଇ ପକ୍ଷରୁ ସେହି ଟଙ୍କାକୁ ପୋରଗାଇକୁ ଦାନରେ ଦିଆଗଲା) ।

କଥା ପ୍ରସାରିତ ହେଲା ଏବଂ ୧୦ ଜଣ ଯୁବତୀ ୨୦୦୬ରେ ଏଥିପାଇଁ ଚୁକ୍ତିବଦ୍ଧ ହେଲେ । ଗାମି ଓ ନୀଲା ଏହି କଳାର ଟ୍ରେଡମାର୍କ ଥିବା ଦୃଢ ସିଲାଇ ସଂପର୍କରେ ସେମାନଙ୍କୁ ଶିକ୍ଷାଦେବା ଆରମ୍ଭ କଲେ । ରମାନି ମନେ ପକାଇଲେ, “ଆମକୁ ଆମର ଶିକ୍ଷକମାନଙ୍କୁ ସେମାନଙ୍କର ପ୍ରତିଦିନର କାମ ସମୟରେ ଡିଷ୍ଟର୍ବ ନ କରିବାକୁ କୁହାଯାଇଥିଲା, ତେଣୁ ଯେତେବେଳେ ସେମାନେ ଫାଙ୍କା ହେଉଥିଲେ ଆମେ ସେମାନଙ୍କ ପାଖରେ ଯାଇ ବସୁଥିଲୁ । ଗୋଟିଏ ସିଲାଇ ଭଲ ଭାବେ ଶିଖିବା ଲାଗି ମୋତେ ପ୍ରାୟ ମାସେ ସମୟ ଲାଗିଲା ।’’

A finished embroidered piece of cloth
PHOTO • Priti David
Finished tassles (latkan)
PHOTO • Priti David

ସିଟ୍ଟିଲିଙ୍ଗିର ଲାମବାଡି ମହିଳାମାନେ ସିଲାଇ କରୁଥିବା ସ୍ୱତନ୍ତ୍ର ଏମ୍ବ୍ରୋଡୋରୀ କାମ  ଏବେ ବିଭିନ୍ନ ଦୋକାନ  ଓ କଳା ପ୍ରଦର୍ଶନୀରେ ବିକ୍ରି ହେଉଛି

ଲାମବାଡି ଏମ୍ବ୍ରୋୟଡୋରୀରେ ବିଭିନ୍ନ ପ୍ରକାର ସ୍ୱତନ୍ତ୍ର ସିଲାଇ ରହିଛି: ସେଗୁଡ଼ିକ ହେଲା ଜାଲି (ଏମ୍ବ୍ରୋୟଡୋରୀ ମଧ୍ୟରେ ଛିଦ୍ର ରଖିବା), ପୋଟାହ ବନ୍ଧନ ଭେଲା (ମଝିରୁ ଏକ ଲାଇନକୁ କାଟିଦେବା) ଏବଂ ଏକସୁଇଗାଡ (ଗୋଟିଏ ପ୍ରକାର ସିଲାଇ) । ଏହା ମୋଟିଫ୍, ବର୍ଡର ପାଟର୍ଣ୍ଣ, ପୋଷାକର କଡ, ହେମିଙ୍ଗ ଓ ଫିଲରରେ ବ୍ୟବହାର ହୋଇଥାଏ । ଏହା ଗୁଜରାଟ ଓ ରାଜସ୍ଥାନର ଶିସା ଏମ୍ବ୍ରୋଡୋରୀ ଭଳି ଦେଖିବାକୁ ହୋଇଥିଲେ ମଧ୍ୟ ସେଥିରୁ ଭିନ୍ନ । ସେଠାରୁ ଏହି ସଂପ୍ରଦାୟର ଉତ୍ପତ୍ତି ହୋଇଥାଏ କୁହାଯାଏ ।

ଛଅମାସ ମଧ୍ୟରେ ରମାନି ଏବଂ ଅନ୍ୟ ଛାତ୍ରୀମାନେ ପୋରଗାଇର କାମ କରିବା ଲାଗି ପ୍ରସ୍ତୁତ ହୋଇଗଲେ । କିନ୍ତୁ ମାର୍କେଟିଂ ଓ ବିକ୍ରି ଖୁବ୍ ଧିମା ଥିଲା । ଏହା ୨୦୦୯ରେ ପୋରଗାଇ ତାର କାରିଗରମାନଙ୍କୁ ବାକିଥିବା ମଜୁରୀ ତୁଟାଇ ଦେବା ଏବଂ ଠିକ୍ ସମୟରେ ଟଙ୍କା ଦେବା ଆରମ୍ଭ କରିବାର ୩ ବର୍ଷ ପୂର୍ବର କଥା ।

ରମାନି ଗର୍ବର ସହ ମନେ ପକାଇଲେ, “ମୋର ପ୍ରଥମ ରୋଜଗାର ପାନରୁ ଆରମ୍ଭ ହୋଇଥିଲା, ସେଥିରେ ପ୍ରତି ଧାଡ଼ିରେ ୮ଟି ଲେଖାଏଁ ଏମ୍ବ୍ରୋଡୋରୀ କରିବାକୁ ପଡ଼ିଥିଲା । ସେ ଓ ତାଙ୍କ ସ୍ୱାମୀଙ୍କ ନିକଟରେ ଏକ ଏକର ଜମି ରହିଛି ସେଥିରେ ସେମାନେ ବିକ୍ରି ପାଇଁ ଆଖୁ ଓ ହଳଦୀ ଚାଷ କରନ୍ତି ଏବଂ ନିଜର ବ୍ୟବହାର ପାଇଁ ଯଅ, ଡାଲିଜାତୀୟ ଖାଦ୍ୟଶସ୍ୟ ଓ ପରିବା ଚାଷ କରିଥାନ୍ତି। ଘଟେର ସେମାନଙ୍କୁ ସେମାନଙ୍କର ଟ୍ରାକ୍ଟର ଋଣ (ଅଢେଇ ଲକ୍ଷ, ମାସିକ ୮ହଜାର ଟଙ୍କାର କିସ୍ତି)ପରିଶୋଧ କରିବାରେ ସାହାଯ୍ୟ କଲା। ଏବଂ ଏହା ଖରାପ ସମୟରେ ଏକ ନିରନ୍ତର ଆୟର ସ୍ରୋତ ପାଲଟିଗଲା । ସେ ଖୁସିର ସହ ଆହୁରି କହିଲେ, “ମୋ ପୁଅ ଧନୁଶକୋଡି ମାତ୍ର ୨ ମାସର ହୋଇଥିବା ବେଳେ (ଏବେ ତାକୁ ୧୩ ବର୍ଷ) ମୁଁ ଏହା ଆରମ୍ଭ କରିଥିଲି ଏବଂ ମୋତେ ରୋଜଗାର ପାଇଁ ଏହି ସ୍ଥାନ ଛାଡ଼ି ଯିବାକୁ ପଡ଼ିନାହିଁ । ସବୁ ସମୟରେ ମୁଁ ମୋର ଘଟେରକୁ ସାଙ୍ଗରେ ନେଇଥାଏ । ଚାଷ ଜମିରେ ପାଣି ମଡ଼ାଇବା ସମୟରେ ମୁଁ ସିଲାଇ କରିଥାଏ ।’’

ଗତ ଆର୍ଥିକ ବର୍ଷ (୨୦୧୭-୧୮)ରେ ପୋରଗାଇ ୪୫ ଲକ୍ଷ ଟଙ୍କା ରୋଜଗାର କରିଥିଲା ସେଥିମଧ୍ୟରୁ ବହୁ ପରିମାଣର ଅର୍ଥ କାରିଗରମାନଙ୍କୁ ଦିଆଯାଇଥିଲା । ଏମ୍ବ୍ରୋଡୋରୀ କରିବାରେ ମହିଳାମାନେ କେତେ ସମୟ ବିନିଯୋଗ କରିପାରିବେ ତା’ ଉପରେ ନିର୍ଭର କରି ପ୍ରତି ମହିଳା ମାସିକ ୩ ହଜାରରୁ ୭ ହଜାର ଟଙ୍କା ରୋଜଗାର କରିଥାନ୍ତି । ରମାନି କହିଲେ, “ମୁଁ ଦିନକୁ ୮ ଘଣ୍ଟା ଧରି କାମ କରିବାକୁ ଚେଷ୍ଟା କରେ । ଯଦି ଦିନରେ ସମ୍ଭବପର ନ ହୁଏ ତା’ ହେଲେ ରାତିରେ କରେ ।’’

Showcasing a design
PHOTO • Priti David
Little girl showing a design
PHOTO • Priti David
Woman showing one of her works
PHOTO • Priti David

ସିଟ୍ଟିଲିଙ୍ଗିରେ ରଞ୍ଜିତାମ୍ ଜି.(ଡାହାଣ)ଙ୍କ ପରି ୬୦ ଜଣ ମହିଳା ଏବେ ଏମ୍ବ୍ରୋୟଡୋରୀରେ ଦକ୍ଷତା ଅର୍ଜ୍ଜନ କରିଛନ୍ତି । ରମାନିଙ୍କର ଝିଅ ଗୋପିକା(ମଝି) ଏହି କଳା ଶିଖିବା ଆରମ୍ଭ କରିଦେଇଛନ୍ତି ।

ପୋରଗାଇର ଲାଭର ବଳକା ଅର୍ଥ କଞ୍ଚାମାଲ ଯେପରିକି କପଡ଼ା, ସୂତା ଓ କାଚ କିଣିବାରେ ବିନିଯୋଗ ହୋଇଥାଏ । ୬ ବର୍ଷ ତଳେ ସଂଘ ପକ୍ଷରୁ ଏକ ଟେଲରିଂ ଶାଖା ପ୍ରତିଷ୍ଠା କରାଯାଇଥିଲା । ସେଥିରେ ୭ଟି ମେସିନକୁ ଏକ ଅଫିସ୍ ବିଲ୍ଡିଂରେ ପକାଯାଇଥଲା । କାରଣ ଉତ୍ପାଦନ ବୃଦ୍ଧି ହେବା ସହ ଉତ୍ପାଦର ବିବିଧତା ମଧ୍ୟ ବଢିଥିଲା । କୁସନ୍ କଭର, ବ୍ୟାଗ, ପାଉଚରୁ ଆରମ୍ଭ କରି ସେମାନେ ଶାଢି, କୁର୍ତ୍ତା , ସାର୍ଟ ଏପରିକି ଗହଣା ମଧ୍ୟ ଡିଜାଇନ୍ କରୁଛନ୍ତି । ସେ ସବୁ ବିଭିନ୍ନ ଦୋକାନ ଓ ବିଭିନ୍ନ ସହରରେ ହେଉଥିବା କଳା ପ୍ରଦର୍ଶନରେ ବିକ୍ରି ହେଉଛି ।

ଥାଇକୁଲାମ କହିଲେ ଯେ ପୋରଗାଇ ଆରମ୍ଭ ହେବା ପରେ ଏହାର କୌଣସି ସଦସ୍ୟ ଦେଶାନ୍ତର ହୋଇନାହାନ୍ତି । ସେ କହିଲେ, “ଯଦି ଆମକୁ ଅଧିକ କାମ ମିଳିବ, ତା’ ହେଲେ ଆହୁରି ଅନେକ ମହିଳା ଆମ ସହ ମିଶିବେ ଏବଂ ଦେଶାନ୍ତର ଆହୁରି କମିଯିବ । ଯେତେବେଳେ ମହିଳାମାନେ କାମ କରିବାକୁ ଯାଆନ୍ତି ସେତେବେଳେ ପରିବାର ଭାଗ ଭାଗ ହୋଇଥାଏ, ବାପାମା’ ସେମାନଙ୍କର ପିଲାମାନଙ୍କଠାରୁ ବିଚ୍ଛିନ୍ନ ହୋଇଯାନ୍ତି। ସେମାନେ ବିଭିନ୍ନ ପ୍ରକାର ରୋଗ ନେଇ ଫେରିଥାନ୍ତି କାରଣ ସେମାନେ ଦୀର୍ଘ ସମୟ ଧରି କାମ କରିଥାନ୍ତି ଏବଂ ଅନ୍ୟସ୍ଥାନରେ ଜୀବନଧାରଣ କଷ୍ଟକର ହୋଇଥାଏ ।’

ବିଭିନ୍ନ ହସ୍ତଶିଳ୍ପ ମେଳାରେ ଭାଗ ନେବା ସହ ପୋରଗାଇକୁ ଏବେ ଅଧିକ ଅର୍ଡର ମିଳୁଛି। ଏହାର ସଦସ୍ୟମାନେ ୧୦ରୁ ୬୦ ଜଣରେ ପହଞ୍ଚିଲେଣି । ପୋରଗାଇ ଅଫିସରେ ବାର୍ଷିକ ଡିଜାଇନ୍ ଓ ତାଲିମ ଅଧିବେଶନ ଅନୁଷ୍ଠିତ ହୋଇଥାଏ। ଯେକୌଣସି ଲାମବାଡି ମହିଳା ଯେଉଁମାନେକି ଏମ୍ବ୍ରୋଡୋରୀ ଶିଖିବାକୁ ଆଗ୍ରହୀ ଥିବେ ସେମାନେ ସେଥିରେ ଯୋଗ ଦେଇପାରିବେ । ୧୦ ଦିନିଆ ତାଲିମ ଶିବିର ପାଇଁ ମହିଳାମାନଙ୍କୁ ଦିନକୁ ୨୦୦ ଟଙ୍କା ଲେଖାଏଁ ଦିଆଯାଇଥାଏ । ଗାମିଙ୍କ ଭଳି ଅଭିଜ୍ଞ ଶିକ୍ଷକମାନେ ଅଧିକ ୫୦ ଟଙ୍କା ସହ ଏବଂ ଭେଟେରାନ୍ ଏମ୍ବ୍ରୋଡୋରୀ କାରିଗର ଭାବେ ପ୍ରସିଦ୍ଧି ପାଇଥାନ୍ତି ।

ରମାନିଙ୍କର ୯ ବର୍ଷର ଝିଅ ଗୋପିକାଙ୍କ ଭଳି ଲାମବାଡି ଝିଅମାନେ ଏବେଠାରୁ ସେହି କଳା ଶିଖିବା ଆରମ୍ଭ କରିଦେଲେଣି । ସ୍କୁଲରେ କଳା ପିରିୟଡରେ ସେ କରିଥିବା ତାଙ୍କର ପ୍ରଥମ ଉଦ୍ୟମକୁ ଗର୍ବର ସହ ଦେଖାଇଲେ ।

ଏହି ପୁନରୁଦ୍ଧାର ସଂପର୍କରେ ଗାମି କ’ଣ ଭାବନ୍ତି? ସେ କହିଲେ, “ଯଦି କେହିଜଣେ ମରିଯାଏ ଏବଂ ତା’ ପରେ ପୁଣି ବଞ୍ଚେ, ତା’ ହେଲେ ମୋତେ କହିବ’’। “ ଆମେ ହିଁ ଏହାକୁ ପୁନର୍ଜୀବନ ଦେଲୁ।’’

ଲେଖକ ଅନୁବାଦ ପାଇଁ ସହାୟତା କରିବା ଯୋଗୁ କେ. ଗାୟତ୍ରୀ ପ୍ରିୟା, ଅନାଘା ଉନ୍ନି ଏବଂ ଅଭୟଙ୍କୁ ଧନ୍ୟବାଦ ଦେବାକୁ ଚାହିଁଛନ୍ତି ।

ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Priti David

ପ୍ରୀତି ଡେଭିଡ୍ ବେଙ୍ଗାଲୁରୁ ଅଞ୍ଚଳର ଜଣେ ଲେଖିକା, ସଂପାଦିକା ଏବଂ ଶିକ୍ଷୟିତ୍ରୀ। ଲୋକେ ଭୁଲି ଯାଉଥିବା କାହାଣୀ ସଂଗ୍ରହ କରିବା ତାଙ୍କର ରୁଚି, ଏବଂ ସେ ଜଣେ ପରି ସ୍ୱେଛାସେବୀ।

Other stories by Priti David