ରାଜସ୍ଥାନର ବାରାଙ୍ଗ ଜିଲ୍ଲାର ମାମୋନି ଗାଁ’ରେ ହୋଲି ପାଇଁ ପ୍ରସ୍ତୁତି କିଛିଦିନ ଆଗରୁ ଅନେକ ଉତ୍ସାହର ସହ ଆରମ୍ଭ ହୋଇଯାଏ। ଏହି ଉତ୍ସବ ମାର୍ଚ୍ଚ ମାସରେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଚାଲେ, ସାଧାରଣତଃ ପୂର୍ଣ୍ଣିମା ସମୟରେ। ଏହି ଗାଁ’ର ଲୋକମାନଙ୍କ ପାଇଁ ଏହି ଧାର୍ମିକ ଉତ୍ସବ ଫସଲ ଅମଳ ଋତୁ ଆରମ୍ଭ ହେବା ପୂର୍ବରୁ ଈଶ୍ୱର ଏବଂ ପ୍ରକୃତି ପାଖରେ କୃତଜ୍ଞତା ଜ୍ଞାପନ କରିବାର ସମୟ। ବାରନ ରାଜସ୍ଥାନର ଦରିଦ୍ରତମ ଜିଲ୍ଲାମାନଙ୍କ ମଧ୍ୟରୁ ଅନ୍ୟତମ।

ହୋଲିପର୍ବର ପୂର୍ବ ରାତିରେ ଏକ ଅଗ୍ନି ପ୍ରଜ୍ୱଳନ କରାଯାଏ, କିମ୍ବଦନ୍ତୀ ଅନୁଯାୟୀ ଏହା ହୋଲିକା ଦହନର ପ୍ରତୀକ। ଗହମ ନଡ଼ାଗୁଡ଼ିକ ନିଆଁରେ ପୋଡ଼ାଯାଏ। ପୁରୁଣା ସମୟରେ ଗ୍ରାମବାସୀମାନେ ଏହା ପରଦିନ ପରସ୍ପରକୁ ଏହି ପାଉଁଶ ଛିଞ୍ଚି ବା ମୁହଁରେ ଲଗାଇ ଶୁଭେଚ୍ଛା ଜଣାଉଥିଲେ। ସମୟକ୍ରମେ ଏହି ପାଉଁଶର ସ୍ଥାନ ରଙ୍ଗୀନ ଗୁଣ୍ଡ ନେଇଗଲା ଯାହାକି ବର୍ତ୍ତମାନ ସାରା ଦେଶରେ ଏହି ପର୍ବ ପାଳନ ପାଇଁ ବ୍ୟବହୃତ ହେଉଛି।

PHOTO • Sweta Daga

ହୋଲିର ଦୃଢ଼ ଧାର୍ମିକ ଗୁରୁତ୍ୱ ରହିଥାଇପାରେ କିନ୍ତୁ କୃଷକ ସମୁଦାୟ ପାଇଁ ଏହି ପର୍ବ ବସନ୍ତ ଏବଂ ଅମଳ ଋତୁର ବାହକ। ଅନ୍ୟସବୁ ସହ ଏହା ଆନନ୍ଦ ଏବଂ ଆଶା ଆଣେ। 

ମାମୋନିର ଜଣେ କୃଷକ ସୀତା ମେହେଟା ତାଙ୍କୁ, ତାଙ୍କ ପରିବାରକୁ ଏବଂ ତାଙ୍କ ଗୋ-ସମ୍ପଦକୁ ନିରାପଦରେ ରଖିଥିବାରୁ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ପାଇଁ ଗୋବରରେ ମଇଁଷିର କ୍ଷୁଦ୍ରାକୃତି ପ୍ରସ୍ତୁତ କରିଛନ୍ତି। ଏଥିରେ ଗୋଟିଏ ବଡ଼ ମଇଁଷି, ଜଳସ୍ରୋତରୁ ପାଣି ପିଉଥିବା ଛୋଟ ମଇଁଷି ଏବଂ ସେମାନଙ୍କର ଖାଦ୍ୟ ଭାବରେ ଘାସ ରଖାଯାଇଛି। ଏଠାରେ ଭଗବାନ କୃଷ୍ଣଙ୍କର ଏକ କ୍ଷୁଦ୍ର ପ୍ରତିକୃତି ମଧ୍ୟ ରଖାଯାଇଛି।

PHOTO • Sweta Daga
PHOTO • Sweta Daga

ବାରନ ସାହାରିୟା ଆଦିବାସୀ ସମୁଦାୟର ବାସସ୍ଥଳ। ଯେଉଁମାନେ କି ରାଜସ୍ଥାନର ସବୁଠାରୁ ଦରିଦ୍ର ସମୂହ ମଧ୍ୟରୁ ଅନ୍ୟତମ। ସାହାରିୟାମାନେ ମୂଳତଃ ବର୍ତ୍ତମାନର ପୂର୍ବ ରାଜସ୍ଥାନ ଅଞ୍ଚଳ (ସେତେବେଳେ ପଡ଼ୋଶୀ ମଧ୍ୟପ୍ରଦେଶ)ର ଜଙ୍ଗଲରେ ବସବାସ କରୁଥିଲେ। ଏହି ସମୂହର ବୟସ୍କମାନେ ସେ ସମୟକୁ ମନେପକାନ୍ତି, ଯେତେବେଳେ ସେମାନଙ୍କ ଜେଜେବାପାମାନେ ଜଙ୍ଗଲରେ ରହୁଥିଲେ। ସେମାନେ କୁହନ୍ତି, ସବୁକିଛି ବଦଳିଗଲାଣି, ଯେବେଠାରୁ ଅନ୍ୟ ରାଜ୍ୟର ଲୋକମାନେ ଆସି ସେମାନଙ୍କର ଜମି ଅକ୍ତିଆର କରିନେଲେ ଏବଂ ବାସିନ୍ଦାମାନଙ୍କୁ ସେମାନଙ୍କ ଘରୁ ତଡ଼ିଦେଲେ। ଏବେ ଜଙ୍ଗଲ ସରକାରଙ୍କର।

PHOTO • Sweta Daga

ସାହାରିୟାମାନେ କେବେ ବି କୃଷି କରୁନଥିଲେ ସବୁବେଳେ ଜଙ୍ଗଲରେ ରହୁଥିଲେ ଏବଂ ଜଙ୍ଗଲର ଯତ୍ନ ନେଉଥିଲେ। ଏହି ସମୂହର ଔଷଧୀୟ ଏବଂ ଖାଦ୍ୟ ଯୋଗ୍ୟ ଗଛ ସମ୍ପର୍କରେ ଅଗାଧ ଜ୍ଞାନ ରହିଛି ଏବଂ ସେମାନେ ନିଜସ୍ୱ ସାଂସ୍କୃତିକ ପରମ୍ପରା ଜୀବିତ ରଖିଛନ୍ତି। କିନ୍ତୁ ଯେତେବେଳେ ସର୍ଦ୍ଦାର, ଜାଟ୍‌ ଏବଂ ଅନ୍ୟ ଶକ୍ତିଶାଳୀ ସମୂହ ଏହି ଅଞ୍ଚଳକୁ ଆସିଲେ ସେମାନେ ସହରିୟାମାନଙ୍କୁ ଦୁର୍ବଳ କରିବାର ଉପାୟ ଭାବରେ ନିଜର କୃଷି ନିୟମ ଏବଂ ପରମ୍ପରା ସେମାନଙ୍କ ଉପରେ ଜୋର ଜବରଦସ୍ତ ଲଦି ଦେଲେ।

କ୍ରମଶଃ ସରକାର ଭାରତୀୟ ଜଙ୍ଗଲ ଆଇନ (୧୯୨୭ର) ଅଧୀନରେ କୃଷି ପାଇଁ ଅଧିକ ସ୍ଥାନ ଦେବାକୁ ଜଙ୍ଗଲ କାଟିଲେ ଏବଂ ସହରିୟାମାନେ ନୂତନ ଜମି ମାଲିକମାନଙ୍କ ପାଇଁ ଶସ୍ତା କିମ୍ବା ମାଗଣା ଶ୍ରମିକ ଭାବରେ ବ୍ୟବହୃତ ହେଲେ। ଜଙ୍ଗଲ ପାଖରେ ପହଞ୍ଚିବାର କୌଣସି ସୁବିଧା ନଥାଇ ସହରିୟାମାନେ ନିଜର ଅନେକ ପରମ୍ପରା ଏବଂ ସାମାଜିକ ବ୍ୟବସ୍ଥା ହରାଇଲେ। ସେମାନଙ୍କର ଅଧିକାଂଶ ପୁରୁଣା ଖାଦ୍ୟ ଉତ୍ସ ହଜିଗଲା। କିଷନଗଞ୍ଜ ତାଲୁକା ପରି ଅଞ୍ଚଳରେ ଏହି ପରିସ୍ଥିତି ଆହୁରି କଷ୍ଟକର। ଯେଉଁଠାରେ ସହରିୟାମାନଙ୍କ ଉପରେ ନଗଦ ଋଣକୁ ସେମାନଙ୍କୁ ଧମକ ଦେବାର ଉପାୟ ଭାବରେ ଦେଖାଯାଉଛି। ୧୯୭୬ ମସିହାର ଗୋତି ଶ୍ରମିକ (ଉଚ୍ଛେଦ) ଆଇନ ଏହି ସମୂହକୁ ସୁରକ୍ଷା ଦେଇପାରୁଥିବା ପରି ମନେ ହେଉନାହିଁ।


ମୁଁ ହୋଲି ଅମଳ ଉତ୍ସବ ସହରିୟାମାନଙ୍କ ସହ କଟାଇଥିଲି, ଯେଉଁମାନେ କି ଶକ୍ତିଶାଳୀ ଜମି ମାଲିକମାନଙ୍କ ପାଇଁ କେଇ ଦଶନ୍ଧି ଧରି ଗୋତି ଶ୍ରମିକ ଭାବରେ କାମ କରିଆସୁଛନ୍ତି। ଏହି ସପ୍ତାହବ୍ୟାପୀ ପର୍ବ ସମୟରେ ଏହି ସମୂହର ଲୋକମାନେ ପ୍ରତି ସନ୍ଧ୍ୟାରେ ଗୀତ ଗାଇବା ଏବଂ ନାଟକ ଅନୁଷ୍ଠିତ କରିବା ପାଇଁ ଏକତ୍ର ହୁଅନ୍ତି। ପର୍ବର ପ୍ରଥମ ଦିନ ଖାଦ୍ୟ, ପରିବାର ଏବଂ ପ୍ରାର୍ଥନା ପାଇଁ ସମର୍ପିତ। 

ଯେ ପର୍ଯ୍ୟନ୍ତ ଘରର ବୟସ୍କମାନେ ଭଗବାନ ହନୁମାନ ଏବଂ ସ୍ଥାନୀୟ ସନ୍ଥ ସିଦ୍ଧବାବାଙ୍କ ପାଇଁ ସମର୍ପିତ ମନ୍ଦିରକୁ ଯାଇ ଦର୍ଶନ ନ କରିଛନ୍ତି ସେ ପର୍ଯ୍ୟନ୍ତ ଏହି ପର୍ବ ସମୂର୍ଣ୍ଣ ନୁହେଁ। ସମୂହର ବୟସ୍କମାନେ ସେମାନଙ୍କ ଘର ଏବଂ ଭଲ ଅମଳ ପାଇଁ ପ୍ରାର୍ଥନା କରନ୍ତି। ପୂର୍ବେ ସବୁ ପୁରୁଷମାନେ ବୟସ୍କମାନଙ୍କ ସହ ମିଶି ରାସ୍ତାରେ ଗୀତ ଗାଇ ଗାଇ ଏକାଠି ମନ୍ଦିରକୁ ଯାଉଥିଲେ, ସାରା ଦିନ ପ୍ରାର୍ଥନା କରୁଥିଲେ। ବର୍ତ୍ତମାନ, ମନ୍ଦିରକୁ ଯାଉଥିବା ଦଳରେ ଲୋକଙ୍କ ସଂଖ୍ୟା ବର୍ଷକୁ ବର୍ଷ କମ୍‌ ହେବାରେ ଲାଗୁଛି, ଏବଂ ଆଶଙ୍କା କରାଯାଉଛି ଯେ ଆଗାମୀ ପିଢ଼ିଗୁଡ଼ିକରେ ଏହି ପରମ୍ପରା ହଜିଯିବ।

PHOTO • Sweta Daga

ଏହି ସମୂହର ଜଣେ ବରିଷ୍ଠ ସଦସ୍ୟ ଦେବୀଲାଲ ସହରିୟା, କୃଷକ ହେବା ସହ ଜଣେ ଲୋକବାଦ୍ୟ କଳାକାର। ସେ ଅନ୍ୟମାନଙ୍କ ସହ ଗୀତ ଗାଆନ୍ତି ଏବଂ ଡ୍ରମ୍‌ ବଜାନ୍ତି। ସେ ନିଜ ଜମିକୁ ରକ୍ଷା କରିବାର ଏକ ପରାଜିତ ଯୁଦ୍ଧ ଲଢ଼ୁଛନ୍ତି। ‘‘ସେ କୁହନ୍ତି ଅଦାଲତ ଏବଂ ସରକାର ଆମକୁ ସେହି ଜମି ତିନି ପିଢ଼ି ହେବ ଆମର ହୋଇଅଛି ବୋଲି ପ୍ରମାଣ ଦେବାକୁ କହୁଛନ୍ତି। କିନ୍ତୁ ଆମେ ଏକ ଲିଖିତ ଦସ୍ତାବିଜ୍‌ ଦ୍ୱାରା କିପରି ପ୍ରମାଣ ଦେଇପାରିବୁ? ଜଙ୍ଗଲର ମାଲିକ କିଏ କ’ଣ ହୋଇପାରିବ?’’ ୨୦୦୬ ମସିହାର ଜଙ୍ଗଲ ଅଧିକାର ଆଇନ (ଏଫ୍‌ଆର୍‌ଏ) ସରକାର ଯେ ଜଙ୍ଗଲର ମାଲିକ ଏହି ଔପନିବେଶିକ ଧାରଣା ପରିବର୍ତ୍ତନ କରିବା ପାଇଁ ଉଦ୍ଦିଷ୍ଟ। କିନ୍ତୁ ବାସ୍ତବ କ୍ଷେତ୍ରରେ ଜଙ୍ଗଲ ପ୍ରଶାସନ ଏବଂ ଅମଲାତନ୍ତ୍ରକୁ ଏହା ଅନୁସରଣ କରାଇବା ସହଜ ନୁହେଁ।

ସରକାର ଦେବୀଲାଲ ଜୀଙ୍କୁ ଏକ ପ୍ରାଦେଶିକ ସରକାରୀ ଯୋଜନାରେ ୨୦ ବିଘା (କିମ୍ବା ୧୦ ଏକର ଜମି) ଆବଣ୍ଟିତ କରିଥିଲେ, କିନ୍ତୁ ବର୍ତ୍ତମାନ ସେ ମାତ୍ର ୧୨ ବିଘା ପାଇପାରୁଛନ୍ତି। ବଳକା ଜମି ଉଚ୍ଚ ଜାତିର ଜଣେ ସଦସ୍ୟଙ୍କ କବଜାରେ ରହିଛି। ସେ କୁହନ୍ତି ଯଦିଓ ସରକାର ତାଙ୍କୁ ଏହି ଜମି ଆବଣ୍ଟିତ କରିଛନ୍ତି, ତାଙ୍କ ପାଖରେ ଏହାକୁ ପ୍ରମାଣିତ କରିବା ପାଇଁ କୌଣସି ଦସ୍ତାବିଜ୍‌ ନାହିଁ। ଦେବୀଲାଲଜୀ କୁହନ୍ତି, ‘‘ଆମେ ଆମ ଜମିରେ ଉତ୍ପାଦିତ ହେଉଥିବା ଖାଦ୍ୟ ଖାଇପାରିବୁ, କିନ୍ତୁ ବଳକା କ’ଣ ହେବ ତାହା ଉପରେ ଆମର କୌଣସି ଅଧିକାର ନାହିଁ, ଏହା କୁଆଡ଼େ ଯାଉଛି ଏବଂ କେତେରେ।’’ ‘‘ଆମ ପିଲାମାନଙ୍କର ଆମ ପରି ଏହି ସମାନ ଭାଗ୍ୟ ହେବା ଆମେ ଚାହୁଁନୁ।’’


PHOTO • Sweta Daga

ଅଣ ସରକାରୀ ଅନୁଷ୍ଠାନ କଳ୍ପବୃକ୍ଷର ଜଣେ ସଦସ୍ୟ ମୀନାଲ ତପ୍ତତିଙ୍କ କହିବା ଅନୁଯାୟୀ, ‘‘ସ୍ଥାନୀୟ ଗୋଷ୍ଠୀଗୁଡ଼ିକର ଜଙ୍ଗଲ ଜମି ଉପରେ ଅଧିକାରକୁ ସ୍ୱୀକାର କରି ସହରିଆ ପରି ସମୂହଗୁଡ଼ିକ ଉପରେ କରାଯାଇଥିବା ଐତିହାସିକ ଅନ୍ୟାୟକୁ ପରିବର୍ତ୍ତନ କରିବା ପାଇଁ ଏଫ୍‌ଆର୍‌ଏ ଉଦ୍ୟମ କରୁଛି।  ଯେଉଁମାନେ ଏସବୁ ଜମି ଉପଯୋଗ କରୁଛନ୍ତି, ସେମାନଙ୍କୁ ଏହା ପ୍ରଦାନ କରିବା ପାଇଁ ଏବଂ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ଆଇନ ଅଧୀନରେ ଲିଜ୍‌ ଦେବା ପାଇଁ ପ୍ରକ୍ରିୟାଗତ ଆବଶ୍ୟକତା ପୂରଣ କରିବାର ଅନୁମତି ଦେଉଛି।’’

ସେ କୁହନ୍ତି, ତଥାପି ରାଜସ୍ଥାନରେ ଏଫ୍‌ଆର୍‌ଏ ଲାଗୁ ହେବାର ଆଦ୍ୟ ବର୍ଷଗୁଡ଼ିକରେ ସମୂହଗୁଡ଼ିକୁ ସେମାନଙ୍କ ଦାବି ପ୍ରତି ସ୍ୱୀକୃତି ପ୍ରଦାନ ନିମନ୍ତେ ଜଙ୍ଗଲ ବିଭାଗ ସମେତ କେତେଜଣ ଅଧିକାରୀଙ୍କ ସ୍ୱାକ୍ଷର ଉପଲବ୍ଧ କରାଇବା ପାଇଁ କୁହାଯାଇଥିଲା। ‘‘ଅଧିକାରୀମାନେ ସ୍ଥାନୀୟ ପ୍ରକ୍ରିୟା ଉପରେ କୌଣସି ନିୟନ୍ତ୍ରଣ ରଖୁନଥିଲେ ବରଂ ଧରି ନେଉଥିଲେ ଯେ ଜଙ୍ଗଲ ବିଭାଗ ଦାୟିତ୍ୱ ନେବ। ସମୂହଗୁଡ଼ିକ ସେମାନଙ୍କର ଜମି ଉପରେ ଦାବି ଉପସ୍ଥାପନ କରିବା ପାଇଁ ଏବଂ ଏହା ପରେ ସେଗୁଡ଼ିକୁ ନିୟନ୍ତ୍ରଣକୁ ନେବା ପାଇଁ ସେମାନଙ୍କ ପ୍ରତି ଏକ ସହଯୋଗମୂଳକ ମନୋଭାବ ଆବଶ୍ୟକ ହେଉଥିଲା। ଯାହାକି ଅଧିକାରୀମାନଙ୍କ ପାଖରେ ଥିବା ମନେ ହେଉନଥିଲା। ରାଜ୍ୟ ସରକାର ଏଫ୍‌ଆର୍‌ଏ ଅଧୀନରେ ପ୍ରକ୍ରିୟାଗୁଡ଼ିକୁ ତ୍ୱରାନିତ କରିବା ପାଇଁ ତତ୍କାଳ ପଦକ୍ଷେପ ନେବା ଏବଂ ଏପରି ସମୂହଗୁଡ଼ିକୁ ସେମାନଙ୍କର ଜମି- ସେମାନଙ୍କ ଜୀବିକାର ଉତ୍ସ, ସୁରକ୍ଷିତ କରିବା ପାଇଁ ସାହାଯ୍ୟ କରିବା ଆବଶ୍ୟକତା ରହିଛି।’’

PHOTO • Sweta Daga

ସ୍ଥାନୀୟ ଅନୁଷ୍ଠାନଗୁଡ଼ିକର ଲୋକମାନେ ବିଶ୍ୱାସ କରନ୍ତି ଯେ ସହରିୟାମାନେ ଦୁର୍ବଳ କାରଣ ସେମାନେ ଜମି ଉପରେ ସେମାନଙ୍କ ଅଧୀକାର ସାବ୍ୟସ୍ତ ନିମନ୍ତେ ଦୃଢ଼ତା ପ୍ରଦର୍ଶନ କରୁନଥିଲେ। କେଇ ଦଶନ୍ଧି ଧରି ଗ୍ରାମବାସୀମାନେ ଶୋଷିତ ହେଉଛନ୍ତି ଏବଂ ସେମାନଙ୍କ ଜମି ଏବଂ ଘର ସେମାନଙ୍କଠାରୁ ଛଡ଼େଇ ନିଆଯିବ, ଏହି ଆଶଙ୍କା ମଧ୍ୟରେ ରହୁଛନ୍ତି। ୨୦୦୨ରେ ଏହି ଜିଲ୍ଲାରେ ଭୀଷଣ କ୍ଷୁଧା କାରଣରୁ ସହରିୟା ସମୂହ ପ୍ରଥମେ ସାମାଜିକ କର୍ମୀମାନଙ୍କ ଦୃଷ୍ଟିକୁ ଆସିଥିଲେ। ଏହି ସମୂହର ପିଲାମାନେ ଅପପୃଷ୍ଟିର ଶୀକାର ହୋଇ ପ୍ରାଣ ହରାଉଥିଲେ।

ଦେବୀଲାଲ କୁହନ୍ତି, ଏନ୍‌ଜିଓଗୁଡ଼ିକ ସମୂହକୁ ସେମାନଙ୍କର ଜମି ଅଧିକାର ପାଇବା ନିମନ୍ତେ ଆଇନଗତ ପଦକ୍ଷେପ ନେବାରେ ସହଯୋଗ ଦେଉଛନ୍ତି। କିନ୍ତୁ ସେମାନଙ୍କର ଉଦ୍ୟମ ଏପର୍ଯ୍ୟନ୍ତ ଖୁବ୍‌ ସଫଳ ହୋଇନି। ସମୂହର ଅନ୍ୟମାନେ ମଧ୍ୟ ସମାନ କାହାଣୀ ବର୍ଣ୍ଣନା କରନ୍ତି। ଆମ ସାକ୍ଷାତର ଶେଷରେ ଦେବୀଲାଲ ମୋତେ ତାଙ୍କ ଘରକୁ ଫେରିବା ପାଇଁ ଏବଂ ପରଦିନ ହୋଲି ପାଳନ ପାଇଁ ଅନୁରୋଧ କରିଥିଲେ। 

PHOTO • Sweta Daga

ପରବର୍ତ୍ତୀ ଦିନ ସମସ୍ତେ ରଙ୍ଗରେ ଖେଳିବା ପାଇଁ ପ୍ରସ୍ତୁତ ଥିଲେ। ସମୂହକୁ ଆନନ୍ଦ ଘେରେଇ ନେଇଥିଲା ଏବଂ ପିଲାମାନେ ସେମାନଙ୍କ ଦୁଷ୍ଟାମି ପାଇଁ ଏହାକୁ ଏକ ମାଧ୍ୟମ ଭାବରେ ନେଉଥିଲେ। ବୟସ୍କମାନେ କୁହନ୍ତି, ଏହି ଉତ୍ସବ ସମୟ ସହ ଅଧିକ ଆକ୍ରମଣାତ୍ମକ ହୋଇଯାଉଛି। ସେମାନଙ୍କ ପାଇଁ ହୋଲି ତଥାପି ଅମଳ ପୂର୍ବରୁ ଧନ୍ୟବାଦ ଦେବା ପାଇଁ ଏକ ମାର୍ଗ ହୋଇ ରହିଛି।

ଏ ମଧ୍ୟରେ, ସହରିୟାମାନଙ୍କ ଭବିଷ୍ୟତ ଏବେ ବି ଅନିଶ୍ଚିତ। ସେମାନଙ୍କ ପିଲାମାନଙ୍କ ଭବିଷ୍ୟତ ପାଇଁ ଯୋଜନା କ୍ରମଶଃ ଅଧିକରୁ ଅଧିକ କଷ୍ଟକର ହେଉଛି କାରଣ ସେମାନଙ୍କ ପାଖରେ ଜମି ନାହିଁ କିମ୍ବା ଏହା ସେମାନଙ୍କର ବୋଲି ଦାବି କରିବାକୁ ପ୍ରମାଣ ନାହିଁ। ବାରନର ଲୋକମାନଙ୍କ ପାଖରେ ‘ଆଚ୍ଛେ ଦିନ’ ଏ ପର୍ଯ୍ୟନ୍ତ ପହଞ୍ଚିନି।

PHOTO • Sweta Daga

ରଙ୍ଗ ମୁହଁରେ ବୋଳା ହୋଇଛି, ପାଣି ସବୁଆଡ଼େ ଛିଞ୍ଚା ଯାଇଛି

PHOTO • Sweta Daga
PHOTO • Sweta Daga

ପିଲାମାନେ ନୂତନ କୌଶଳ ବ୍ୟବହାର କରୁଛନ୍ତି ଏବଂ ଅଭ୍ୟାସ ପାଇଁ ଖେଳୁଛନ୍ତି

PHOTO • Sweta Daga

ନଜାଣିବା ଲୋକଙ୍କ ପାଇଁ  ଏଠି ସ୍ଥାନ ନାହିଁ। ହୋଲି ଗୋଟିଏ ଦିନ ଯେଉଁଦିନ ଏପରିକି କାହାକୁ ବାଡ଼ିରେ ପିଟିବା ବି ଅନୁମୋଦିତ

PHOTO • Sweta Daga
PHOTO • Sweta Daga

ମୁଁ ପିଲାମାନଙ୍କୁ ସେମାନଙ୍କ ରଙ୍ଗ ହୋଇଥିବା ହାତ ଦେଖାଇବାକୁ କହିବାର ଭୁଲ୍‌ କଲି ଏବଂ ଏହା ପରେ ସେମାନେ ରଙ୍ଗ କରିଦେଲେ!

*****

‘ହୋଲି’ ଶବ୍ଦ ଆସିଛି ‘ହୋଲିକା’ରୁ କିମ୍ବଦନ୍ତୀ ଅନୁଯାୟୀ ଏହା ରାକ୍ଷାସ ରାଜା ହିରଣ୍ୟକଶ୍ୟପର ଦୁଷ୍ଟ ଭଉଣୀର ନାମ। ସେ ମୁଲତାନର ସର୍ବଶକ୍ତିମାନ ରାଜା ଥିଲେ, ଭଗବାନ ବିଷ୍ଣୁଙ୍କର ଜଣେ ଭକ୍ତ। ସେ ତାଙ୍କୁ ତାଙ୍କର ଭକ୍ତି ନିମନ୍ତେ ଏକ ସ୍ୱତନ୍ତ୍ର ବର ଦେଇଥିଲେ। କିନ୍ତୁ ତାଙ୍କର ଏହି ସ୍ୱତନ୍ତ୍ର ଶକ୍ତି ତାଙ୍କୁ ଗର୍ବୀ କରିଦେଲା। ସେ ନିଜକୁ ଈଶ୍ୱର ମନେ କଲେ ଏବଂ ତାଙ୍କ ରାଜ୍ୟରେ ସମସ୍ତେ ତାଙ୍କୁ ସେହିପରି ସମ୍ମାନ ଦେବାକୁ ନିର୍ଦ୍ଦେଶ ଦେଲେ। କିନ୍ତୁ ତାଙ୍କ ନିଜ ପୁଅ ପ୍ରହ୍ଲାଦ କେବଳ ଭଗବାନ ବିଷ୍ଣୁଙ୍କ ପ୍ରତି ସମର୍ପିତ ରହିଲା। କ୍ରୋଧରେ ରାଜା ତାଙ୍କ ପୁଅକୁ ଅନେକ ନିଷ୍ଠୁର ଦଣ୍ଡ ଦେଲେ, କିନ୍ତୁ ପ୍ରହ୍ଲାଦର ବିଶ୍ୱାସ ବଦଳିଲା ନାହିଁ। ଶେଷରେ କିମ୍ବଦନ୍ତୀ ଅନୁଯାୟୀ ପ୍ରହ୍ଲାଦର ପିଉସୀ ହୋଲିକା ତାଙ୍କୁ ନିଜ କୋଳରେ ବସାଇ ଗୋଟିଏ କାଠଗଦା ଉପରେ ବସିଲେ। ଏହି କାଠଗଦା ଉପରେ ବସିବା ସମୟରେ  ହୋଲିକା ଏକ ଅଗ୍ନୀ ପ୍ରତିରୋଧୀ ଚାଦର ଘୋଡ଼େଇ ହୋଇଥିଲେ। କିନ୍ତୁ ଯେତେବେଳେ ଅଗ୍ନି ସଂଯୋଗ ହେଲା ସେତେବେଳେ ଏହି ଚାଦର ହୋଲିକାଙ୍କଠାରୁ ଉଡ଼ିଯାଇ ପ୍ରହ୍ଲାଦଙ୍କ ଦେହରେ ଗୁଡ଼େଇ ହୋଇଗଲା ଏବଂ ହୋଲିକା ମରିଗଲେ। ଭଗବାନ ବିଷ୍ଣୁ ମଧ୍ୟ ଆବିର୍ଭୁତ ହେଲେ ଏବଂ ରାଜା ହିରଣ୍ୟକଶିପୁକୁ ହତ୍ୟା କଲେ। ପରଦିନ ସକାଳେ ରାଜ୍ୟର ଲୋକମାନେ ନିଆଁରୁ ପାଉଁଶ ନେଇ ନିଜ ନିଜ ମଥାରେ ଲଗାଇଲେ। ଏହା ଅନ୍ୟାୟ ଉପରେ ନ୍ୟାୟର ବିଜୟର ସ୍ମୃତିକୁ ମନେରଖିବାର ଏକ ଉପାୟ ଥିଲା।

ବିଶେଷ ଧନ୍ୟବାଦ: ସହରିୟା ସମୁଦାୟ:  କପିଲ ଜୈନ; ରାଜୁ ମେହେଟା; ବିଶାଲ ସିଂ।

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Sweta Daga

ଶ୍ଵେତା ଡାଗା ବାଙ୍ଗାଲୋରର ଜଣେ ଲେଖକ ଓ ଫଟୋଗ୍ରାଫର । ସେ, ପିପୁଲ୍ସ ଆର୍କାଇଭ୍ଅଫ୍ରୁରାଲ ଇଣ୍ଡିଆ ଏବଂ ସେଣ୍ଟର୍ଫର୍ସାଇନ୍ସ୍ଆଣ୍ଡ୍ଏନ୍ଭାଇରନ୍ମେଣ୍ଟ୍ରେ ଫେଲୋସିପ୍ସମେତ ବିଭିନ୍ନ ମଲ୍ଟି ମିଡିଆ ପ୍ରକଳ୍ପରେ କାର୍ଯ୍ୟରତ ।

Other stories by Sweta Daga