ପଦ୍ମାବାଈ ଗଜାରେ ନିଜର ଜମି ହରାଇବା ପୂର୍ବରୁ ଏହା କେବଳ ସମୟର ବିଷୟ ହୋଇଥାନ୍ତା। ‘‘ଏହା ଜମି ପାଇଁ ହୋଇନଥିଲେ ଭଗବାନ ଜାଣନ୍ତି ଆମେ କେମିତି ବଞ୍ଚୁଥାନ୍ତୁ’’ ସେ କୁହନ୍ତି।

ତାଙ୍କ ସ୍ୱାମୀ ପନ୍ଧାରିନାଥ, ୩୯ଙ୍କୁ ଏକ ମୋଟରସାଇକେଲ ଦୁର୍ଘଟଣାରେ ହରାଇବାର ୮ବର୍ଷ ପର୍ଯ୍ୟନ୍ତ ପଦ୍ମାବାଈ ଅକ୍ଳାନ୍ତ ପରିଶ୍ରମ କରି ନିଜ ପରିବାରକୁ ସ୍ଥିର କରିଛନ୍ତି, ଯାହାକି କ୍ଷତିରୁ ଉଠିବା ଆରମ୍ଭ କରିଛି। ପନ୍ଧାରିନାଥ ତାଙ୍କ ପଛରେ ଦୁଇଟି ପୁଅ, ଦୁଇଟି ଝିଅ, ତାଙ୍କ ମାଆ ଏବଂ ୬.୫ ଏକର ଚାଷ ଜମି ଛାଡ଼ି ଯାଇଥିଲେ।

ସେ ଔରଙ୍ଗାବାଦର ବୈଜାପୁର ତାଲୁକାରେ ଥିବା ନିଜର ହଦାସ ପିମ୍ପଲଗାଓଁ ଗାଁ’ରେ ଥିବା ଦୁଇବଖରିଆ ଘରେ ବସି କୁହନ୍ତି, ‘‘ମୁଁ ଖୁବ୍‌ ଭୟଭୀତ ଏବଂ ଏକାକିନୀ ଥିଲି।’’ ‘‘ମୋ ପିଲାମାନେ ଛୋଟ ଥିଲେ। ମୁଁ ଯେଉଁ ଦାୟିତ୍ୱରେ ଅଭ୍ୟସ୍ତ ନଥିଲି ତାହା ନେବାକୁ ହୋଇଥିଲା। ରୋଷେଇଠାରୁ ଆରମ୍ଭ କରି ଚାଷ ଜମି କଥା ମଧ୍ୟ ବୁଝିଲି। ଆଜି ମଧ୍ୟ ମୁଁ ଜମିରେ କାମ କରୁଛି।’’

Padmabai Gajare with her sons and mother-in-law
PHOTO • Parth M.N.

ପଦ୍ମାବାଈ ଗଜାରେ (ବାମରୁ ତୃତୀୟ, ପୁଅ ଏବଂ ଶାଶୂଙ୍କ ସହ) ଯଦି ସେମାନଙ୍କ ଜମି ନ ରହିବ ତେବେ ତାଙ୍କ ପୁଅମାନଙ୍କ ଭବିଷ୍ୟତ ନେଇ ବ୍ୟସ୍ତ

କିନ୍ତୁ ବର୍ତ୍ତମାନ ୪୦ବର୍ଷ ବୟସ୍କା ଗଜାରେ ନିଜର ଜମି ହରାଇବାକୁ ବାଧ୍ୟ ହୋଇପାରନ୍ତି। ରାଜ୍ୟ ସରକାର ଏହାକୁ ସମୃଦ୍ଧି ମହାମାର୍ଗ (ସମୃଦ୍ଧି ରାଜପଥ) ପାଇଁ ଚାହାଁନ୍ତି। ମହାରାଷ୍ଟ୍ର ସମୃଦ୍ଧି ମହାମାର୍ଗ ଓ୍ୱେବସାଇଟ୍‌ ଅନୁଯାୟୀ ଏହା ମହାରାଷ୍ଟ୍ରର ୧୦ଟି ଜିଲ୍ଲାର ୨୬ଟି ତାଲୁକାରେ ଥିବା ୩୯୨ ଗ୍ରାମକୁ ସଂଯୁକ୍ତ କରିବ। ଏ ମଧ୍ୟରୁ ୬୩ଟି ଗ୍ରାମ ମରାଠାଓ୍ୱାଡାର କୃଷି ଅଞ୍ଚଳ, ଏଗୁଡ଼ିକ ମୁଖ୍ୟତଃ ଔରଙ୍ଗାବାଦ ଏବଂ ଜଲନା ଜିଲ୍ଲାରେ ଅଛି।

ସମୃଦ୍ଧି ରାଜପଥ ନିର୍ମାଣ ପାଇଁ ରାଜ୍ୟ ୯,୯୯୦ ହେକ୍ଟର (ପ୍ରାୟ ୨୪,୨୫୦ ଏକର) ଆବଶ୍ୟକ କରିବ ବୋଲି ମହାମାର୍ଗ ଓ୍ୱେବ୍‌ସାଇଟ୍‌ ପ୍ରକାଶ କରିଛି। ଏ ମଧ୍ୟରେ ପଦ୍ମାବାଈଙ୍କ ୬ଏକର ଚାଷ ଜମି ସାମିଲ। ଯେଉଁଠାରେ ସେ କପା, ବାଜରା ଏବଂ ମୁଗ ଚାଷ କରନ୍ତି। ଯଦି ଏହା ଦେବାକୁ ସେ ବାଧ୍ୟ ହେବେ ତେବେ ପରିବାର ପାଖରେ ମାତ୍ର ଅଧ ଏକର ରହିବ। ପ୍ରତିଥର କେହି ଏହି ପ୍ରକଳ୍ପ ବିଷୟରେ ଉଲ୍ଲେଖ କଲେ ପଦ୍ମାବାଈ ଚମକି ପଡ଼ନ୍ତି। ସେ କୁହନ୍ତି, ‘‘ଯଦି ମୋ ଜମି ମୋଠାରୁ ବଳପୂର୍ବକ ନିଆଯାଏ, ମୁଁ ଆତ୍ମହତ୍ୟା କରିବି’’, ‘‘ଏହି ଜମି ମୋ ସନ୍ତାନ ପରି।’’

ଏହି ବର୍ଷ ମାର୍ଚ୍ଚ ମାସରେ ମହାରାଷ୍ଟ୍ର ରାଜ୍ୟ ସଡ଼କ ବିକାଶ ନିଗମ ଲିମିଟେଡ୍‌ (ଏମଏସ୍‌ଆର୍‌ଡିସି) ପଦ୍ମାବାଈଙ୍କ ଜମିର ମୂଲ୍ୟାଙ୍କନ କରିଥିଲେ-ଏକର ପିଛା ଟ.୧୩ ଲକ୍ଷ ବା ୬ଏକରକୁ ଟ. ୭୮ଲକ୍ଷ। ଏହା ଶୁଣବାକୁ ଆକର୍ଷଣୀୟ, କିନ୍ତୁ ତାଙ୍କ ପାଇଁ ଏହି ଅର୍ଥ ମୁଖ୍ୟ କାରଣ ନୁହେଁ। ସେ କୁହନ୍ତି, ‘‘ମୁଁ ମୋ ଝିଅମାନଙ୍କୁ (ବର୍ତ୍ତମାନ ୨୫ ଏବଂ ୨୨ ବର୍ଷ ବୟସ୍କ) ବିବାହ ଦେଲି, ପୁଅମାନଙ୍କୁ ପାଠ ପଢ଼େଇଲି, ମୋ ଶାଶୂଙ୍କ ଯତ୍ନ ନେଲି ଏହି ଘର ପୁନନିର୍ମାଣ କଲି- ସବୁ କିଛି କ୍ଷେତରେ କାମ କରି।’’ ‘‘ଏହା ମୋ ପରିବାରକୁ ଏକାଠି କରି ରଖିଛି। ଯଦି ଜମି ଚାଲିଯିବ ତା’ହେଲେ ମୋତେ ଆଗକୁ କ’ଣ ଦେଖିବାର ଅଛି ? ଆମ ଜମି ଆମ ପରିଚୟ।’’

ପଦ୍ମାବାଈଙ୍କ ସାନପୁଅର ବୟସ ୧୮, ବିଜ୍ଞାନ ପଢ଼ୁଛି; ବଡ଼ ପୁଅର ବୟସ ୨୦। ଉଭୟ ପରିବାରର ଏହି ଜମିରେ କାମ କରନ୍ତି। ସେ କହୁନ୍ତି, ‘‘ଆମେ ସମସ୍ତେ ଜାଣୁ ଆଜିକାଲି ଦୁନିଆରେ କାମ ପାଇବା କେତେ କଷ୍ଟକର।’’  ‘‘ଯଦି ସେମାନେ କାମ ପାଇବେନି ସେମାନଙ୍କୁ ଦିନ ମଜୁରିଆ ଭାବରେ କାମ କରିବାକୁ ହେବ କିମ୍ବା ସହରରେ ଜଗୁଆଳି ଭାବରେ କାମ କରିବାକୁ ପଡିବ। ନିଜର ଜମି ଥିଲେ, ତୁମକୁ ସାହାଯ୍ୟ କରିବାକୁ କିଛି ଅଛି।’’

ପ୍ରାୟ ୧୨୫୦ ଜନସଂଖ୍ୟା ବିଶିଷ୍ଟ ହଦାଶ ପିମ୍ପଲଗାଁଓରେ ଗଜାରେଙ୍କ ଜମି ବର୍ତ୍ତମାନର ମୁମ୍ବାଇ-ନାଗପୁର ରାଜପଥଠାରୁ ଦୂରରେ ନାହିଁ। କିନ୍ତୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍‌ ନୂତନ ରାଜପଥକୁ ପ୍ରୋତ୍ସାହିତ କରୁଛନ୍ତି। ସେ ଏହାକୁ ରାଜ୍ୟର ଭାଗ୍ୟ ପରିବର୍ତ୍ତନକାରୀ ଭାବରେ ଦର୍ଶାଉଛନ୍ତି। ଆଠ ଲେନ୍‌, ୧୨୦ମିଟର ଚୌଡ଼ା, ୭୦୦ କିଲୋମିଟର ଦୀର୍ଘ ଏକ୍ସପ୍ରେସ ଓ୍ୱେ କୃଷିଜାତ ସାମଗ୍ରୀକୁ ବନ୍ଦର, ବିମାନ ବନ୍ଦର ଏବଂ କୃଷିଜାତ ସାମଗ୍ରୀ ପ୍ରକ୍ରିୟାକରଣ ସ୍ଥାନଗୁଡ଼ିକୁ ସହଜରେ ନେଇପାରିବ ଏବଂ ଏହା ଅର୍ଥନୀତିକୁ ବୃଦ୍ଧି କରିବ ବୋଲି ସେ କହୁଛନ୍ତି। ଏହି ପ୍ରକଳ୍ପରେ ପ୍ରାୟ ଟ ୪୬,୦୦୦କୋଟି ଟଙ୍କା ଖର୍ଚ୍ଚ ହେବ।

ମହାଠାଓ୍ୱାଡାର ଅଧିକାଂଶ ଅଞ୍ଚଳରେ କୃଷି ବର୍ତ୍ତମାନ କଷ୍ଟକର ହୋଇଯାଉଥିଲେ ମଧ୍ୟ କାହିଁକି ଏହାର ଚାଷୀମାନେ ନିଜ ନିଜର ଜମି ଅଧିକ ମନେ ହେଉଥିବା ଅର୍ଥ ପାଇଁ ବିକ୍ରୟ କରିବାକୁ ରାଜି ନାହାଁନ୍ତି?

ଭିଡିଓ ଦେଖନ୍ତୁ: ଗଜାରେ କୁହନ୍ତି, ‘ଯଦି ମୋ ଜମି ମୋଠାରୁ ବଳପୂର୍ବକ ନିଆଯାଏ, ମୁଁ ଆତ୍ମହତ୍ୟା କରିବି’’

ଆବଶ୍ୟକ ଥିବା ୯,୯୦୦ ହେକ୍ଟର ମଧ୍ୟରୁ ୧୦୦୦ ହେକ୍ଟର ରାଜ୍ୟ ସରକାରଙ୍କ ପାଖରେ ଅଛି, ଏ ମଧ୍ୟରେ ଜଙ୍ଗଲ ବିଭାଗର ଜମି ସାମିଲ ବୋଲି ଏସ୍‌ଏସ୍‌ଆର୍‌ଡିସିର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ କେ. ଭି କୁରୁନ୍ଦାକର ଏହି ସାମ୍ବାଦିକଙ୍କୁ କହିଥିଲେ। ବଳକା ଜମି ଅଧିଗ୍ରହଣ କରାଯିବା ଆବଶ୍ୟକ। କୁରୁନ୍ଦାକର କୁହନ୍ତି, ‘‘ଆମେ ମାତ୍ର ୨୭୦୦ ହେକ୍ଟର ଜମି ପାଇଁ ସହମତି ଗ୍ରହଣ କରିଛୁ ଏବଂ ୯୮୩ ହେକ୍ଟର ଅଧିଗ୍ରହଣ କରିଛୁ।’’ ‘‘ଆମେ ଅଧିକ ଜମି ଅଧିଗ୍ରହଣ କରିବା ପାଇଁ ଲାଗିଛୁ। ଯେଉଁ ଗ୍ରାମଗୁଡ଼ିକରେ ପ୍ରତିରୋଧ ରହିଛି, ଆମେ ସେଠାରେ କୃଷକମାନଙ୍କ ସହ ଆଲୋଚନା କରୁଛୁ ଏବଂ ସେମାନଙ୍କୁ ମନେଇବାକୁ ଚେଷ୍ଟା କରୁଛୁ।’’ ଯେ ପର୍ଯ୍ୟନ୍ତ ରାଜ୍ୟ ୮୦ ପ୍ରତିଶତ ଜମି ଗ୍ରହଣ କରି ନପାରେ ସେପର୍ଯ୍ୟନ୍ତ ଏହି ପ୍ରକଳ୍ପ ଆରମ୍ଭ ହୋଇପାରିବ ନାହିଁ।  ୨୦୧୮ ଜାନୁଆରୀ ମାସରେ ଏହା ଆରମ୍ଭ କରିବାର ଯୋଜନା ରହିଛି।

ମରାଠାଓ୍ୱାଡାର ଅଧିକାଂଶ ଅଞ୍ଚଳରେ ଔପଚାରିକ ଋଣ ବ୍ୟବସ୍ଥାର ଅଭାବ, ଅନିୟମିତ ପାଣିପାଗ ଏବଂ ଖାଦ୍ୟ ଫସଲରୁ କମ୍‌ ଲାଭ କାରଣରୁ ଏଠାରେ  କୃଷି କ୍ରମଶଃ କଷ୍ଟକର ହୋଇଯାଉଛି। ଏପରିକି ଏହା ଶହ ଶହ ଚାଷୀଙ୍କୁ ଆତ୍ମହତ୍ୟା ଆଡ଼କୁ ନେଇଛି ଏବଂ ହଜାର ହଜାର ଚାଷୀ ଋଣରେ ବୁଡ଼ି ରହିଛନ୍ତି। ତଥାପି ମରାଠାଓ୍ୱାଡାର ଏହି ଅଞ୍ଚଳର କୃଷକମାନେ କାହିଁକି ଉଚ୍ଚମୂଲ୍ୟରେ ସେମାନଙ୍କ ଜମି ବିକ୍ରି କରିବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି ?

ପଦ୍ମାବାଈଙ୍କ ଅନୁଯାୟୀ ଗୋଟିଏ କାରଣ ହେଉଛି, ଜମିର ଏମିତି ମୂଲ୍ୟ ରହିଛି ଯାହାକି ଅର୍ଥ ଆକାରରେ ମପାଯାଇପାରିବ ନାହିଁ। ଅନ୍ୟ ମୁଖ୍ୟ କାରଣ ହେଉଛି ସରକାର ବିଶ୍ୱସନୀୟତା। ଋଣରେ ବୁଡ଼ି ରହିଥିବା ଅନେକ କୃଷକ ସେମାନଙ୍କ ଜମିକୁ  ଦେଇ ଦେବାକୁ ଇଚ୍ଛା କରିପାରନ୍ତେ କିନ୍ତୁ ସେମାନେ ରାଜ୍ୟ ସରକାରଙ୍କୁ ବିଶ୍ୱାସ କରିପାରୁନାହାନ୍ତି ଯେ ବୁଝାମଣା ହୋଇଯିବା ପରେ ସରକାର ତାଙ୍କର ପ୍ରତିଶ୍ରୁତି ପାଳନ କରିବେ।

Kakasaheb Nighote going through the notice he received from the MSRDC
PHOTO • Parth M.N.

ହଦାଶ ପିମ୍ପଲଗାଁଓର ଜନୈକ କୃଷକ କାକା ସାହେବ ନିଘୋଟେ କୁହନ୍ତି, ‘ଯେ କୌଣସି ସରକାରଙ୍କ ପୂର୍ବ କାମଗୁଡ଼ିକୁ ଦେଖନ୍ତୁ। ସେମାନେ କୃଷକମାନଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ।’

ହଦାଶ ପିମ୍ପଲଗାଁଓର ଜନୈକ କୃଷକ କାକା ସାହେବ ନିଘୋଟେ କୁହନ୍ତି, ‘‘ଯେ କୌଣସି ସରକାରଙ୍କ ପୂର୍ବ କାମଗୁଡ଼ିକୁ ଦେଖନ୍ତୁ। ଏହା ଆତ୍ମବିଶ୍ୱାସ ସୃଷ୍ଟି କରୁଛି କି ? ସେମାନେ କୃଷକମାନଙ୍କୁ ଖାତିର କରନ୍ତି ନାହିଁ। ସାରା ଦେଶରେ ଏମିତି ଅସଂଖ୍ୟ ଉଦାହରଣ ଅଛି, ଯେଉଁଠାରେ କୃଷକ ଏବଂ ଆଦିବାସୀମାନଙ୍କୁ ସେମାନଙ୍କ ଜମି ଅଧିଗ୍ରହଣ ପୂର୍ବରୁ ଅନେକ ଜିନିଷର ପ୍ରତିଶ୍ରୁତି ପ୍ରଦାନ କରାଯାଇଥାଏ। କିନ୍ତୁ ଶେଷରେ ସେହିମାନେ ହିଁ ଶୋଷିତ ହୁଅନ୍ତି।’’

୪୦ବର୍ଷ ବୟସ୍କ ନିଘୋଟେ ରାଜପଥ ପାଇଁ ନିଜର ୧୨ଏକର ଜମି ମଧ୍ୟରୁ ୬ଏକର ହରାଇବେ। ସେ ମାର୍ଚ୍ଚ ୩ ତାରିଖରେ ଏମ୍‌ଏସ୍‌ଆର୍‌ଡିସି ଦ୍ୱାରା ଗାଁକୁ ଦିଆଯାଇଥିବା ନୋଟିସ୍‌ ଆମକୁ ଦେଖାଇଲେ। ସେ କୁହନ୍ତି, ‘‘ସରକାର କହୁଛନ୍ତି ଆମେ କୃଷକମାନଙ୍କ ସହମତି ବିନା କିଛି କରିବୁ ନାହିଁ।’’ ‘‘କିନ୍ତୁ ସେମାନଙ୍କ ନୋଟିସ୍‌ କହୁଛି ଯଦି ଆପଣ କିମ୍ବା ଆପଣଙ୍କ ପ୍ରତିନିଧି ଉକ୍ତ ଦିନରେ ଉପସ୍ଥିତ ନରୁହନ୍ତି, ତେବେ ଏହା ଧରି ନିଆଯିବ ଯେ, ଆପଣ ଜମିର ସାମୂହିକ ହିସାବ ଆବଶ୍ୟକ କରୁନାହାଁନ୍ତି।  ଆମକୁ ଏପରିକି ଆମର କ୍ଷତିପୂରଣ ଉଲ୍ଲେଖ କରିବା ପାଇଁ ଏକ ସାଧାରଣ ଫର୍ମ [ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ] ପାଇଁ ସଂଘର୍ଷ କରିବାକୁ ହେଉଛି।’’

ହଦାଶ ପିମ୍ପଲଗାଁଓରୁ ପ୍ରାୟ ୩୫ କିଲୋମିଟର ଦୂରରେ ଗଙ୍ଗାପୁର ତାଲୁକାର ମାଲିଓ୍ୱାଡା ଗ୍ରାମର କୃଷକମାନେ ମଧ୍ୟ ସମସ୍ୟାରେ ଅଛନ୍ତି। ଏହା ପୁରୁଣା ମୁମ୍ବାଇ-ନାଗପୁର ରାଜପଥ ସହ ସମାନ୍ତରାଳ ଭାବରେ ଥିବା ଔରଙ୍ଗାବାଦ-ନାସିକ ରାଜପଥ  ନିକଟରେ ରହିଛି। ପ୍ରାୟ ୪ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାଁ’ର ଅଧିକାଂଶ ଲୋକ ପିଜୁଳି, ସପେଟା ଏବଂ ଡିମିରି ଚାଷ କରନ୍ତି।

ସେମାନଙ୍କ ଚାଷ ଜମିଗୁଡ଼ିକ ଔରଙ୍ଗାବାଦ ଗଙ୍ଗାପୁର ସୀମାର ଠିକ୍‌ ନିକଟରେ ରହିଛି। ଦୁଇଟି ତାଲୁକାକୁ ବିଭକ୍ତ କରୁଥିବା ଗୋଟିଏ ଧୂଳିଆ, ଏବଂ ମାତ୍ର ୧୦ଫୁଟ ଚୌଡ଼ା ରାସ୍ତା ମାଲିଓ୍ୱାଡା ମଧ୍ୟ ଦେଇ ଯାଇଛି। ଯେତେବେଳେ ଏମ୍‌ଏସ୍‌ଆର୍‌ଡିସି ୨୦୧୭ ଜୁଲାଇରେ ଜମି ମୂଲ୍ୟାଙ୍କନ କଲା ସେତେବେଳେ ଔରଙ୍ଗାବାଦ ସହରର ନିକଟରେ ଥିବା ଗାଁ’ଗୁଡ଼ିକରେ ଜମି ଅଧିକ ମୂଲ୍ୟବାନ ମନେ ହେଲା। ମାଲିଓ୍ୱାଡା ସହରଠାରୁ ମାତ୍ର ୧୬ କିଲୋମିଟର ଦୂରରେ, କିନ୍ତୁ ଏହା ଔରଙ୍ଗାବାଦ ତାଲୁକାରେ ହୋଇନଥିବାରୁ ସେମାନଙ୍କୁ ଏକର ପିଛା ୧୨ଲକ୍ଷ ଟଙ୍କାର ପ୍ରସ୍ତାବ ଦିଆଗଲା। ଯେତେବେଳେ କି ମାତ୍ର ୧୦ଫୁଟ ଦୂରରେ ଥିବା ଚାଷୀମାନଙ୍କୁ ସେମାନଙ୍କ ଜମି ପାଇଁ ଏକର ପିଛା ୫୬ଲକ୍ଷ ଟଙ୍କାର ପ୍ରଦାନ କରାଗଲା। 

ମାଲିଓ୍ୱାଡାର ୩୪ବର୍ଷ ବୟସ୍କ ବାଲାସାହେବ ହେକଡେଙ୍କର ତାଙ୍କର ୪.୫ ଏକର ବଗିଚା ହରାଇବାର ଆଶଙ୍କା ରହିଛି, ସେ କୁହନ୍ତି, ‘‘ଏହା [ମୂଲ୍ୟାଙ୍କନର] କୌଣସି ମୂଲ୍ୟ ନାହିଁ। ମୁଁ କେଶର, ପିଜୁଳି ଏବଂ ଆମ୍ବ ଚାଷକରେ । ସେମାନେ ମୋତେ ଏକର ପିଛା [ଟ. ୧୨ ଲକ୍ଷ] ଯେତିକି ଯାଚୁଛନ୍ତି ମୋର ବାର୍ଷିକ ଲାଭ ପ୍ରାୟ ସେତିକି । ଆମକୁ ଯେତେ ଟଙ୍କା ଯଚା ଗଲେବି, ତାହା କେତେଦିନ ରହିବ?’’

Balasaheb Hekde at his orchard
PHOTO • Parth M.N.
Pole erected in an orchard in Maliwada
PHOTO • Parth M.N.

ମାଲିଓ୍ୱାଡାର ଉଦ୍ୟାନଚାଷୀ ବାଲାସାହେବ ହେକଡେ କୁହନ୍ତି ଯେତେବେଳେ ଏମ୍‌ଏସ୍‌ଆର୍‌ଡିସି ଅଧିକାରୀମାନେ ସେମାନଙ୍କ ଜମି ନିରୀକ୍ଷଣ ପାଇଁ ଆସିଥିଲେ ସେତେବେଳେ ତାଙ୍କ ଗ୍ରାମବାସୀ ବିରୋଧ କରିଥିଲେ

ହେକ୍‌ଡ଼େ କୁହନ୍ତି ଯଦିଓ ମରାଠାଓ୍ୱାଡ଼ାର ଅନେକ ଅଂଶରେ ଚାଷୀମାନେ ସଂଘର୍ଷ କରୁଛନ୍ତି, ମାଲିଓ୍ୱାଡ଼ା ପରି ଗ୍ରାମଗୁଡ଼ିକ ଯେଉଁଠାରେ ଉଦ୍ୟାନକୃଷି ପାଇଁ ଫଳବଗିଚା କରାଯାଇଛି, ସେଠାରେ ଚାଷୀମାନଙ୍କର ଆର୍ଥିକ ଅବସ୍ଥା ଦୃଢ଼ । କେଶାପୁରୀ ନଦୀବନ୍ଧ ନିକଟରେ ଅଛି, ଏଠାରେ ଜମି ମଧ୍ୟ ଉର୍ବର । ସେ ପଚାରନ୍ତି, ‘‘ଯଦି ଜମି ଉର୍ବର ଏବଂ ଅର୍ଥ ଦେଉଛି ତେବେ କିଏ କାହିଁକି ଜମି ବିକ୍ରି କରିବ ?’’ "ଏହା ପ୍ରଥମେ ଅଧିକ ନିବେଶ ଆବଶ୍ୟକ କରେ । କିନ୍ତୁ ଯଦି ଆପଣ ସେଠାରେ ତିଷ୍ଠିଗଲେ, ତା’ ହେଲେ ତୁମେ ସ୍ଥିର । ମୋ ବାପା ଏହି ବଗିଚା ସଜାଡିବା ପାଇଁ ୧୫ ବର୍ଷ ଦେଇଥିଲେ । ଯଦି ବି ସେମାନେ ଆମକୁ ଆମର ଏହି ଜମିର କ୍ଷତିପୂରଣ ବାବଦରେ ଆଉ ଖଣ୍ଡେ ଜମି ଦିଅନ୍ତି, ଆମକୁ ସେଠାରେ ଗୋଟିଏ ବଗିଚା କରିବା ପାଇଁ ଆଉ ୧୫ ବର୍ଷ ସମୟ ଦେବାକୁ ହେବ । ଏହାଛଡ଼ା ଆମେ କେମିତି ଜାଣିବୁ ନୂଆ ଜମି ଏହା ପରି ଉର୍ବର ହେବ ବୋଲି ? 

ଭାରତୀୟ କମ୍ୟୁନିଷ୍ଟ ପାର୍ଟି [ମାର୍କସବାଦୀ]ର ଜଣେ କୃଷକକର୍ମୀ ଏବଂ ଏହି ପ୍ରକଳ୍ପକୁ ବିରୋଧ କରୁଥିବା ସମୃଦ୍ଧି ମହାମାର୍ଗ ଶେତ୍‌କାରୀ ସଂଘର୍ଷ ସମିତିର ଜନୈକ ସଦସ୍ୟ ରାଜୁ ଦେଶ୍‌ଲେ କୁହନ୍ତି, ‘‘କୃଷକମାନେ ସେମାନଙ୍କର ଉର୍ବର ଜମି ବିକ୍ରୟ କରିବାକୁ ଚାହାଁନ୍ତି ନାହିଁ ’’। ଏତଦ୍ ବ୍ୟତୀତ ସେମାନଙ୍କୁ ଭିନ୍ନ ଭିନ୍ନ ପରିମାଣର ଅର୍ଥ ପ୍ରସ୍ତାବ ଦେବା ମଧ୍ୟ ସେମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରୁଛି । ‘‘ଅତି କମ୍‌ରେ ୧୦,୦୦୦ ଜଣ କୃଷକ [ସାରା ରାଜ୍ୟରେ ] ବିସ୍ଥାପିତ ହେବେ । କ୍ଷତିପୂରଣ ଗୋଟିଏ ପ୍ରକଳ୍ପ ପାଇଁ ଗୋଟିଏ ଦାମ୍‌ରେ ହେବା ଉଚିତ’’, ଦେଶାଇ କହନ୍ତି । ‘‘କିନ୍ତୁ କେତେଜଣ କୃଷକ ଲାଭବାନ ହେଉଛନ୍ତି ଏବଂ ଆଉ କେତେଜଣ ଖୁବ୍‌ କମ୍‌ ପାଉଛନ୍ତି ।’’

ହେଲେ ଏମ୍‌ଏସ୍‌ଆର୍‌ଡିସିର କୁରୁନ୍ଦାକର କୁହନ୍ତି ଜମିର ଠିକ୍‌ ମୂଲ୍ୟାୟନ ହୋଇଛି ଏବଂ ଏକକ ଦର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ଜମି ଥିବା କୃଷକମାନଙ୍କ ପାଇଁ ନ୍ୟାୟୋଚିତ ହେବନି । ସେ କୁହନ୍ତି, ‘‘ଯେତେବେଳେ କୃଷକମାନେ ସେମାନଙ୍କ ଜମି ପାଇଁ ବଜାର ଦରର ଚାରିଗୁଣ ପାଉଛନ୍ତି ସେତେବେଳେ ଅସନ୍ତୋଷ ରହିବା ଉଚିତ ନୁହେଁ,’’ ସେ କହିଥିଲେ। ‘‘ଯେଉଁ ଚାଷୀମାନେ [ଆମକୁ] ସେମାନଙ୍କର ଜମି ବିକି ଦେଉଛନ୍ତି ସେମାନେ ସନ୍ତୁଷ୍ଟ ଅଛନ୍ତି । ଆମେ ସେମାନଙ୍କୁ ବଜାର ଦରର ଚାରିଗୁଣ ଦେଇଛୁ ଏବଂ ସେମାନେ ମଧ୍ୟ ଅନ୍ୟ ଜମି କିଣି ସାରିଲେଣି। ଏବେ ସେମାନଙ୍କର ଜମି ଅଛି ଏବଂ ବ୍ୟାଙ୍କ୍‌ ବାଲାନ୍ସ ମଧ୍ୟ ଅଛି ।’’

ଭିଡିଓ ଦେଖନ୍ତୁ: ହେକ୍‌ଡ଼େଙ୍କ ପିତା ନୂତନ ରାଜପଥରେ କେତେ ଜମି ହରାଇବେ ଶୁଣିବା ପରେ ହୃଦଘାତରେ ମୃତ୍ୟୁବରଣ କରିଥିଲେ ।

କିନ୍ତୁ ଅନେକେ ବିଶ୍ୱାସ କରିପାରୁ ନାହାଁନ୍ତି । ଗତ ବର୍ଷ ଡିସେମ୍ବର ୨୪ ତାରିଖରେ ଯେତେବେଳେ ଏମ୍‌ଏସ୍‌ଆର୍‌ଡିସି ଅଧିକାରୀମାନେ ସେମାନଙ୍କ ଜମି ନିରୀକ୍ଷଣ କରିବାକୁ ଏବଂ ଅଞ୍ଚଳ ଚିହ୍ନଟ କରିବାକୁ ଆସିଥିଲେ, ସେତେବେଳେ ଏହି ଗ୍ରାମର ୪୪୦୦ ଷଳାକଙ୍କ ମଧ୍ୟରୁ ଅନେକ ସେମାନଙ୍କୁ ବିରୋଧ କରିଥିଲେ ଏବଂ ସେମାନଙ୍କୁ କାମ କରାଇ ନ ଦେବାକୁ ଚେଷ୍ଟା କରିଥିଲେ । ହେକ୍‌ଡ଼େ କୁହନ୍ତି, ‘‘ସେମାନେ କିନ୍ତୁ ଆଗେଇଲେ ଏବଂ ପୋଲିସ୍‌ ଉପସ୍ଥିତିରେ ଆମ ଜମିରେ ଖୁଣ୍ଟି ପୋତିଲେ ।’’ ‘‘ସେହି ମୁହୂର୍ତ୍ତ ପର୍ଯ୍ୟନ୍ତ ଆମେ ଭାବିଥିଲୁ କିଛି ହେବ ଏବଂ ଆମ ଜମି ରକ୍ଷା ପାଇଯିବ ।’’

ଯେତେବେଳେ ହେକ୍‌ଡ଼େଙ୍କ ୬୨ ବର୍ଷ ବୟସ୍କ ପିତା ବିଶ୍ୱନାଥ ଯେତେବେଳେ ଶୁଣିଲେ ଯେ ତାଙ୍କ ଜମିରେ ଚିହ୍ନ ଦିଆଯାଉଛି ସେତେବେଳେ ସେ ସେଠାକୁ ଧାଇଁଲେ । ହେକ୍‌ଡ଼େ କୁହନ୍ତି, ‘‘ଆମର ସମୁଦାୟ ଜମି ଚିହ୍ନଟ ଅଞ୍ଚଳ ମଧ୍ୟରେ ଥିଲା’’ । ‘‘ମୋ ବାପା ଏହା ଦେଖିଲେ ଏବଂ ସେଦିନ ସଂଧ୍ୟାରେ ତାଙ୍କର ହୃଦାଘାତ ହେଲା । ତାଙ୍କର ଅନ୍ୟ କୌଣସି ସ୍ୱାସ୍ଥ୍ୟ ସମସ୍ୟା ନଥିଲା । ଦୁଇ ଦିନ ପରେ ଡିସେମ୍ବର ୨୬ରେ ସେ ମୃତ୍ୟୁବରଣ କଲେ ।’’

ସେବେଠାରୁ ମାଲିଓ୍ୱାଡାରେ ‘ଗାଓଁବନ୍ଦୀ’ କରାଯାଇଛି ଅର୍ଥାତ୍‌ ଏମ୍‌ଏସ୍‌ଆର୍‌ଡିସି ଅଧିକାରୀମାନେ ଗାଁ ଭିତରେ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ମରାଠାଓ୍ୱାଡ଼ାର ଅନ୍ୟ ଗାଁ ପରି ଏହି ଗାଁ ମଧ୍ୟ ଏବର୍ଷ ନିଜ ନିଜର ଘର ଆଗରେ କଳା ଲଣ୍ଠନ ରଖି କଳା ଦୀପାବଳୀ ପାଳନ କରିଥିଲେ । ଦେଶ୍‌ଲେ କୁହନ୍ତି ନାସିକ୍‌ ଜିଲ୍ଲାର ୧୭ଟି ଗ୍ରାମ ପଞ୍ଚାୟତ ସେମାନଙ୍କ ଜମି ବିକ୍ରି ବିପକ୍ଷରେ ଏକ ପ୍ରସ୍ତାବ ଅନୁମୋଦନ କରିଛନ୍ତି ।

ହେକ୍‌ଡ଼େ କୁହନ୍ତି, ‘‘ଏହି ଅବାଞ୍ଛିତ ନୂତନ ରାଜପଥ ପରିବର୍ତ୍ତେ, ‘‘ସରକାର ପୁରୁଣା ରାଜପଥର ସମସ୍ତ ଖାଲଖମା ପୂରଣ କରିବା ଉଚିତ ।’’

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Parth M.N.

ପାର୍ଥ ଏମ.ଏନ୍ ହେଉଛନ୍ତି ୨୦୧୭ ପରି ସହିତ ଜଡ଼ିତ ଅଛନ୍ତି। ଲସ୍ ଆଞ୍ଜେଲିସ୍ ଟାଇମସ ଖବର କାଗଜ ପାଇଁ ଭାରତରୁ ବିଶେଷ ସମ୍ବାଦଦାତା ଅଛନ୍ତି ଆଉ ଅନ୍ୟ ୱେବ୍ ପୋର୍ଟାଲ ପାଇଁ ଲେଖାଲେଖି କରନ୍ତି। ସେ କ୍ରିକେଟ୍ ଏବଂ ଭ୍ରମଣ କରିବାକୁ ଭଲପାଆନ୍ତି।

Other stories by Parth M.N.