ଆମେ କମଳା ପାହାଡ଼ିଆଙ୍କୁ ପ୍ରଥମ ଥର ଭେଟିବା ୧୬ବର୍ଷ ହୋଇଗଲାଣି, ସେ ଜଣେ ଆଦିବାସୀ ବିଧବା ଏବଂ ଚାରୋଟି ସନ୍ତାନର ଜନନୀ। ଓଡ଼ିଶାର ବଲାଙ୍ଗୀର ଜିଲ୍ଲାର ଅଗମ୍ୟ ଧୂସାମୁଣ୍ଡା ଗ୍ରାମର ଏକ ମାଟି କୁଡ଼ିଆରେ ରୁହନ୍ତି। ସେହି ସମୟରେ କଣ୍ଟାବାଞ୍ଝିର ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତରେ ତାଙ୍କ ଦୁଇବର୍ଷର ପୁଅ କୌଟୁକ୍‌କୁ ଉଦ୍ଧାର କରିବା ପାଇଁ ଆବେଦନ କରିଥିଲେ, ଯିଏ କି ହାଇଦ୍ରାବାଦ୍‌ର ଏକ ଇଟାଭାଟି ମାଲିକଙ୍କ ଦ୍ୱାରା ଜବରଦସ୍ତି ଅଟକାଇ ରଖାଯାଇଛି।

ଏହି ପରିବାର ପାହାଡ଼ିଆ ଆଦିବାସୀ ସମୂହର, ଯେଉଁମାନେ କି ପାରମ୍ପରିକ ଭାବରେ ଝୁଡ଼ି ପ୍ରସ୍ତୁତ କରନ୍ତି। ସେମାନେ ସହରକୁ କାମ ସନ୍ଧାନରେ ଯାଇଥିଲେ, କିନ୍ତୁ କମଳା ଗର୍ଭବତୀ ହୋଇ ଅସୁସ୍ଥ ହୋଇଗଲେ ଏବଂ ସେମାନେ ଗ୍ରାମକୁ ଫେରିବାକୁ ବାଧ୍ୟ ହେଲେ। ଇଟାଭାଟି ମାଲିକ ତାଙ୍କଠାରୁ କମଳାଙ୍କ ପରିବାର ନେଇଥିବା ଅଗ୍ରୀମ ଅର୍ଥ ଫେରିପାଇବା ସୁନିଶ୍ଚିତ କରିବା ପାଇଁ ସେମାନଙ୍କ ପିଲାକୁ ରଖିନେଲେ।

ଶିଶୁକୁ ଉଦ୍ଧାର କରିବା ପାଇଁ ଅଦାଲତ ପୋଲିସକୁ ନିର୍ଦ୍ଦେଶ ଦେଲେ ଏବଂ କୌଟୁକ୍‌ ଘରକୁ ଫେରିଲା।

ସେବେଠାରୁ, ଏ ମଧ୍ୟରେ ପାହାଡ଼ିଆମାନଙ୍କ ପାଇଁ ଖୁବ୍‌ କମ୍‌ ପରିବର୍ତ୍ତନ ଆସିଛି, ଏହି ସମୂହ କମାର ଭାବରେ ମଧ୍ୟ ଜଣାଶୁଣା। ସେମାନେ ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶାରେ ଅନୁସୂଚିତ ଜନଜାତି ପରିଚୟ ପାଇବା ପାଇଁ ସଂଘର୍ଷ କରୁଛନ୍ତି। କିନ୍ତୁ ଛତିଶଗଡ଼ରେ ସେମାନଙ୍କ ସମୂହ ବିଶେଷ ଭାବରେ ଦୁର୍ବଳ ଜନଜାତି ସମୂହ (ପିଭିଟିଜି) ଭାବରେ ସ୍ୱୀକୃତି ପାଇଛନ୍ତି। କୌଟୁକ୍‌ ଏବେ ୧୮ବର୍ଷର, ତାଙ୍କ ପାଖରେ ନିଜେ ଜଣେ ପ୍ରବାସୀ ଶ୍ରମିକ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ସେ ମୁମ୍ବାଇରେ ଏକ ନିର୍ମାଣ କ୍ଷେତ୍ରରେ କାମ କରୁଛନ୍ତି।

‘‘ସେ ଅଷ୍ଟମ ଶ୍ରେଣୀରେ ସ୍କୁଲ ଛାଡ଼ିବା ପରଠାରୁ ଏଥର ଦ୍ୱିତୀୟ ଥର ପାଇଁ ସହରକୁ କାମ ନିମନ୍ତେ ଯାଇଛନ୍ତି।’’ କମଳା କୁହନ୍ତି, ‘‘ମୁଁ ତାକୁ ପାଠପଢ଼ା ଜାରି ରଖିବା ପାଇଁ ଅନୁରୋଧ କଲି ସେ ଶୁଣିଲା ନାହିଁ।’’ ଏହି ଅଞ୍ଚଳର କମ୍‌ ବୟସର ପୁରୁଷମାନେ କୁହନ୍ତି, ସେମାନେ ନିର୍ମାଣ ଉଦ୍ୟୋଗରେ କାମ କରିବାକୁ ପସନ୍ଦ କରନ୍ତି- ଏହା ସେମାନଙ୍କୁ ଅଧିକ ସ୍ୱାଧୀନତା ଦିଏ ଏବଂ ଇଟାଭାଟିରେ କାମ ତୁଳନାରେ କମ୍‌ ଯନ୍ତ୍ରଣାଦାୟକ।

କୌଟୁକ୍‌ କମଳାଙ୍କ ଚାରି ସନ୍ତାନଙ୍କ ମଧ୍ୟରୁ ବଡ଼। ତାଙ୍କ ଝିଅମାନେ ସମସ୍ତେ ସ୍କୁଲ୍‌ରେ ପଢ଼ୁଛନ୍ତି। ୧୪ ବର୍ଷର ସାକ୍ରାବତୀ ନବମ ଶ୍ରେଣୀରେ, ୧୩ ବର୍ଷର ଚନ୍ଦ୍ରକାନ୍ତି ଅଷ୍ଟମ ଶ୍ରେଣୀରେ ଏବଂ ୧୦ବର୍ଷର ପ୍ରେମଲତା ୪ର୍ଥ ଶ୍ରେଣୀରେ। ଚନ୍ଦ୍ରକାନ୍ତି ଏବଂ ପ୍ରେମଲତା ଅନୁସୂଚିତ ଜାତି ଓ ଜନଜାତିର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଆବାସିକ ବିଦ୍ୟାଳୟ କସ୍ତୁରବା ଗାନ୍ଧୀ ଆଶ୍ରମ ସ୍କୁଲ୍‌ରେ ଅଛନ୍ତି, ସାକ୍ରାବତୀ ମଧ୍ୟ ଆଶ୍ରମ ସ୍କୁଲରେ ପଢ଼ୁଥିଲେ କିନ୍ତୁ ଏବେ ଘରେ ରହୁଛନ୍ତି ଏବଂ ନିକଟସ୍ଥ ହାଇସ୍କୁଲକୁ ବାଇସାଇକେଲ୍‌ରେ ଯାଉଛନ୍ତି।

ସ୍ଥାନୀୟ ଆଇନଜୀବୀ, ମାନବାଧିକାର କର୍ମୀ ଏବଂ ଅଞ୍ଚଳର ପ୍ରବାସୀ ପ୍ରସଙ୍ଗର କର୍ମକର୍ତ୍ତା ବିଷ୍ଣୁ ଶର୍ମା କୁହନ୍ତି, ‘‘କମଳା ଖୁବ୍‌ ସଂଘର୍ଷ କରିଛନ୍ତି କିନ୍ତୁ କେବେ ଭାଙ୍ଗି ପଡିନାହାଁନ୍ତି। ସେ ଆଶ୍ରମ ସ୍କୁଲରେ ତାଙ୍କ ଝିଅମାନଙ୍କୁ ଭର୍ତ୍ତି କରିବା ପାଇଁ ବ୍ୟବସ୍ଥା ସହ ଲଢ଼େଇ କରିଛନ୍ତି। କର୍ତ୍ତୃପକ୍ଷ ପ୍ରଥମେ ପାହାଡ଼ିଆମାନେ ଅନୁସୂଚିତ ଜନଜାତି ନୁହଁନ୍ତି ଦର୍ଶାଇ ନାମ ଲେଖାଇବା ପାଇଁ ମନା କରିଥିଲେ

PHOTO • Purusottam Thakur

କମଳା ଅନେକ ସଂଘର୍ଷ କରିଛନ୍ତି କିନ୍ତୁ କେବେ ଭାଙ୍ଗିପଡ଼ିନାହାନ୍ତି,’ କୁହନ୍ତି ସ୍ଥାନୀୟ ଆଇନଜୀବୀ ଏବଂ ସାମାଜିକ କର୍ମୀ ବିଷ୍ଣୁ ଶର୍ମା

କମଳା ସେସବୁ ଦସ୍ତାବିଜ୍‌ ସଂଗ୍ରହ କଲେ, ଯାହା ଦର୍ଶାଉଛି ଯେ, ତାଙ୍କ ସଦୃଶ ସମୂହ ଛତିଶଗଡ଼ରେ ପିଭିଟିଜି ଭାବରେ ସ୍ୱୀକୃତି ପାଇଛନ୍ତି। ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ଜାରି ହୋଇଥିବା ପ୍ରସ୍ତାବ ଦର୍ଶାଇ ପାହାଡ଼ିଆମାନଙ୍କୁ ଅନୁସୂଚିତ ଜନଜାତିର ସୁବିଧା ପ୍ରଦାନ କରିବା ପାଇଁ ତହସିଲଦାର ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ସେ ନୂଆପଡ଼ା ଜିଲ୍ଲାପାଳଙ୍କଠାରୁ ଏକ ପତ୍ର ଜାରି କରାଇଥିଲେ। ଏସବୁ ଦସ୍ତାବିଜ୍‌ ଦେଖିବା ପରେ କର୍ତ୍ତୃପକ୍ଷ ନୀରବରେ ଝିଅମାନଙ୍କର ନାମ ଲେଖାଇଲେ।

୪୦ବର୍ଷ ବୟସ୍କା କମଳା କୁହନ୍ତି, ‘‘ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସୁବିଧା ପାଇବା ଖୁବ୍‌ କଷ୍ଟକର। କିନ୍ତୁ ମୋ ପିଲାମାନେ ପାଠପଢ଼ନ୍ତୁ, ମୁଁ ଏହା ଚାହୁଁଛି, ତେଣୁ ମୁଁ କେତେ କଷ୍ଟ କରୁଛି ତାହା ଗୁରୁତ୍ୱୂର୍ଣ୍ଣ ନୁହେଁ’’। କମଳା ନିଜେ ଷଷ୍ଠଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି।

ଧୂଷାମୁଣ୍ଡା ଗ୍ରାମର ଜନସଂଖ୍ୟା ପ୍ରାୟ ୫୦୦। ସେଠାରେ ତିନିରୁ ଚାରୋଟି ପରିବାର ପାହାଡ଼ିଆ ଅଛନ୍ତି, ଅନ୍ୟମାନେ ଯାଦବ କିମ୍ବା କୁମ୍ଭାର। ଏହା ପ୍ରବାସୀ ଶ୍ରମିକମାନଙ୍କର ଗୋଟିଏ ଗ୍ରାମ ଭାବରେ ଜଣାଶୁଣା। ଖୁବ୍‌ କମ୍‌ ଜଣ ସେମାନଙ୍କ ଜୀବିକା ପାଇଁ କୃଷି ଏବଂ ଜଙ୍ଗଲ ସମ୍ପଦ ସଂଗ୍ରହ ଉପରେ ନିର୍ଭର କରୁଛନ୍ତି।

କମଳାଙ୍କର ନିଜସ୍ୱ ଜମି ନାହିଁ ତାଙ୍କର କେବଳ ଏକ ଛୋଟ ଘରଢ଼ିହ ଅଛି, ଯାହା ୩୦୦୦ ଟଙ୍କାରେ କିଣାଯାଇଥିଲା। ପୁରୁଣାଘର ନଷ୍ଟ ହେବା ପରେ ଗୋଟିଏ ମାଟିଘର ତିଆରି ହେଲା। ତାଙ୍କୁ ଇନ୍ଦିରା ଆବାସ ଯୋଜନା (ଗ୍ରାମୀଣ ଦରିଦ୍ରଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଏକ ଆବାସ ଯୋଜନା) କିମ୍ବା ଦାରିଦ୍ର୍ୟ ସୀମାରେଖା ତଳେ (ବିପିଏଲ୍‌) ଥିବା ପରିବାର ପାଇଁ ଓଡ଼ିଶା ରାଜ୍ୟ ସରକାରଙ୍କ ମୋ କୁଡ଼ିଆ ଆବାସ ଯୋଜନାରୁ ମଧ୍ୟ ସେ କୌଣସି ସୁବିଧା ପାଇନାହାନ୍ତି ।

PHOTO • Purusottam Thakur

‘ମୁଁ ଚାହେଁ ମୋ ପିଲାମାନେ ପଢ଼ନ୍ତୁ, ତେଣୁ ଏଥିପାଇଁ ଯଦି ମୋତେ ସଂଘର୍ଷ କରିବାକୁ ହୁଏ ଏଥିରେ କିଛି ଅସୁବିଧା ନାହିଁ’

କମଳା କୁହନ୍ତି, ‘‘ଆମେ ଆବେଦନ କରିଥିଲୁ ଏବଂ ମୋ କୁଡ଼ିଆ ଯୋଜନାରେ ଗୋଟିଏ ଘର ପାଇବା ପାଇଁ ଚେଷ୍ଟା କରୁଛୁ, କିନ୍ତୁ ଏହା ହେବା ବାକି ଅଛି। ମୁଁ ୩୦୦ଟଙ୍କା ବିଧବା ଭତ୍ତା ପାଏ। କିନ୍ତୁ ଆମର ବିପିଏଲ୍‌ କାର୍ଡ ନାହିଁ। ଆମର ଆଗରୁ ଥିଲା, କିନ୍ତୁ ଜାଣିନି କାହିଁକି ଆମକୁ ଏକ ଏପିଏଲ୍‌ (ଦାରିଦ୍ର୍ୟ ସୀମାରେଖା ଉପରେ) କାର୍ଡ ଜାରି କରାଗଲା।’’

କମଳାଙ୍କୁ ବିପିଏଲ୍‌ କାର୍ଡ ନମିଳିବା ଆଶ୍ଚର୍ଯ୍ୟଜନକ। ସେ ଜଣେ ଭୂମିହୀନ ଆଦିବାସୀ ବିଧବା। ତାଙ୍କ ରୋଜଗାରର ଏକମାତ୍ର ଉତ୍ସ ସେ ବୁଣୁଥିବା ବାଉଁଶ ଝୁଡ଼ି ବିକ୍ରିରୁ ଆସିଥାଏ। ସେ କୁହନ୍ତି, ‘‘ବାଉଁଶ ପାଇବା ବି ଏକ ସମସ୍ୟା’’। ‘‘କିଛି ଗ୍ରାମବାସୀଙ୍କର ସେମାନଙ୍କର ଜମିରେ ବାଉଁଶଗଛ ଅଛି, କିନ୍ତୁ ସେମାନେ ବାଉଁଶ ପିଛା ୪୦-୫୦ଟଙ୍କାରେ ବିକ୍ରି କରନ୍ତି।’’

ଆମେ କମଳାଙ୍କ ଯାଆ ସୁମିତ୍ରା ପାହାଡ଼ିଆଙ୍କୁ ଭେଟିଥିଲୁ। ସୁମିତ୍ରାଙ୍କ ପରିବାର ମଧ୍ୟ ପାରମ୍ପରିକ ବାଉଁଶଝୁଡ଼ି ବିକ୍ରି କରିବା ପାଇଁ ତିଆରି କରନ୍ତି। ସେମାନେ କମଳାଙ୍କ ପରିବାର ସହ ହାଇଦ୍ରାବାଦ ଯାଇଥିଲେ ଏବଂ କମଳା ଓ ତାଙ୍କ ପରିବାର ଫେରିଆସିବା ପରେ ଛଅବର୍ଷ ସେଠାରେ ରହି ଇଟାଭାଟିରେ କାମ କରିଥିଲେ।

ଇଟାଭାଟିର ଶ୍ରମିକମାନେ ସାଧାରଣତଃ ମୌସୁମୀ ପୂର୍ବରୁ ନିଜନିଜ ଗ୍ରାମକୁ ଫେରିଆସନ୍ତି, କିନ୍ତୁ ସେମାନଙ୍କ ଗାଁ’ରେ ମୌସୁମୀ ପରେ ମଧ୍ୟ କୌଣସି କାମ ନଥିବାରୁ ସୁମିତ୍ରାଙ୍କ ପରିବାର ସେଠାରେ ରହିବାକୁ ନିଷ୍ପତ୍ତି ନେଲେ, ସେମାନେ ଟ୍ରକ୍‌ରେ ଇଟା ଲୋଡ଼ କରନ୍ତି। ‘‘ଆମବଡ଼ ଝିଅ ଉର୍ବଶୀ ବଡ଼ ହେବା ପରେ ଆମେ ଗାଁ’କୁ ଫେରିଲୁ ଏବଂ ଆମେ ଭାବିଲୁ ଏବେ ତାହାକୁ ବିବାହ ଦେବାର ସମୟ।’’

ଉର୍ବଶୀ ଦୁଇବର୍ଷ ତଳେ ମାଖନପୁର ଗ୍ରାମର ଜଳଧର ପାହାଡ଼ିଆଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କର ଗୋଟିଏ ବର୍ଷକର ଶିଶୁ। ଜଳଧର ସହରରେ ପ୍ରବାସୀ ଶ୍ରମିକ ହୋଇଥିବା କାରଣରୁ ସେ ଏବେ ତାଙ୍କ ମାଆଙ୍କ ପାଖରେ ରହୁଛନ୍ତି। ତାଙ୍କ ଶାଶୁଘର ଲୋକମାନେ ଖୁବ୍‌ ଗରିବ ଓ ଦିନମଜୁରିଆ।

ସୁମିତ୍ରା ଏବଂ ଅଭି ପାହାଡ଼ିଆଙ୍କର ଆଉ ଦୁଇଜଣ ସନ୍ତାନ ଅଛନ୍ତି, ୧୦ବର୍ଷର ନିଳେଦ୍ରୀ ଏବଂ ୪ ବର୍ଷର ଲିଙ୍ଗରାଜ। ସେମାନେ ନିରକ୍ଷର। ସୁମିତ୍ରା ସ୍ୱୀକାର କରନ୍ତି, ‘‘ଉର୍ବଶୀ ତା’ ନିରକ୍ଷରତା ପାଇଁ ଏବେ ବି ଆମକୁ ଗାଳି ଦେଉଛି’’। ‘‘ଯେହେତୁ ଆମେ ଆନ୍ଧ୍ରପ୍ରଦେଶର ଛଅବର୍ଷ ରହିଲୁ ଆମର କୌଣସି ସନ୍ତାନ ସ୍କୁଲରେ ନାମ ଲେଖାଇପାରିଲେ ନାହିଁ। କିନ୍ତୁ ଆମେ ଯେମିତି ହେଲେ ସାନପୁଅକୁ ପାଠପଢ଼ାଇବୁ। ଆମେ ନିଳେଦ୍ରୀର ମଧ୍ୟ ସ୍କୁଲ୍‌ରେ ନାମ ଲେଖାଇବାକୁ ଚାହୁଁଛୁ, କିନ୍ତୁ ବିଳମ୍ବ ହୋଇଥିବାରୁ ସେ ରାଜି ହେଉନି।’’

ଆମେ କଥାବାର୍ତ୍ତା କରୁଥିବା ସମୟରେ ସୁମିତ୍ରାଙ୍କ ସ୍ୱାମୀ ଦୁଇଟି ଛୋଟ ମାଛ ନେଇ ଆସିଲେ। ସେ କହିଲେ, ‘‘ମୁଁ ପୋଖରୀରେ ମାଛ ଧରିବାରେ ସାହାଯ୍ୟ କରିବାରୁ ଗାଁ’ଲୋକେ ମୋତେ ଏହା ଦେଇଛନ୍ତି।

ଉର୍ବଶୀର ସ୍ୱାମୀ ଜଳଧର ପ୍ରବାସୀ ଶ୍ରମିକ ହେବାରେ ସୁମିତ୍ରା ଖୁସି ନୁହଁନ୍ତି, କିନ୍ତୁ ସେମାନେ କ’ଣ କରିପାରିବେ। ସେ କୁହନ୍ତି, ‘‘ସବୁ ପ୍ରବାସୀ ବୁଲା କୁକୁର ପରି,’’ ‘‘ରାସ୍ତାରେ ବୁଲିବୁଲି ସେମାନଙ୍କର ଭୋକ ମେଣ୍ଟାନ୍ତି। ରକ୍ତ କଳା ପଡ଼ିବା ପର୍ଯ୍ୟନ୍ତ ତୁମକୁ କାମ କରିବାକୁ ହେବ।’’

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Purusottam Thakur

ପୁରୁଷୋତ୍ତମ ଠାକୁର ୨୦୧୫ର ପରି ସାଥୀ, ସେ ଜଣେ ସ୍ୱାଧୀନ ସାମ୍ବାଦିକ, ଫଟୋଗ୍ରାଫର ଏବଂ ବୃତ୍ତ ଚିତ୍ର ନିର୍ମାତା। ସେ ଛତିଶଗଡ଼ ଏବଂ ଓଡ଼ିଶାରୁ ରିପୋର୍ଟ ସଂଗ୍ରହ କରନ୍ତି। ସେ ଅଜିମ୍ ପ୍ରେମ୍ଜୀ ଫାଉଣ୍ଡେସନ୍ ପାଇଁ ମଧ୍ୟ କାମ କରନ୍ତି।

Other stories by Purusottam Thakur