PHOTO • Jaideep Hardikar

କୁର୍ଜାଦି, ୱର୍ଧା

କଠିନ ପରିସ୍ଥିତିରେ କିଭଳି ଭାବେ ନିଜର ଅସ୍ତିତ୍ୱ ବଜାୟ ରଖିବାକୁ ସମର୍ଥ ହୋଇପାରିଲେ, ପଛର ସେହି କଥା ଚିନ୍ତା କରି ଉଜ୍ଜ୍ୱଳା ପେଠ୍କର୍ଆଶ୍ଚର୍ଯ୍ୟ ହେଉଛନ୍ତି!

ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଥିବା ଚାଷୀ ଆତ୍ମହତ୍ୟାର ତାଲିକାରେ ନିଜ ନାମ ଯୋଡିବା ପାଇଁ ତାଙ୍କର କୃଷକ-ସ୍ୱାମୀ ନିଜ ଜୀବନ ହାରିବାର ପ୍ରାୟ ଏକ ଦଶନ୍ଧିରୁ ଅଧିକ ସମୟ ବିତିଯିବା ପରେ ମଧ୍ୟ, ୪୦ବର୍ଷରୁ ଟିକିଏ ଅଧିକ ବୟସ୍କ ବିଧବା ତାଙ୍କ ନିଜ ଜୀବନ ଓ ପରିବାରକୁ ପୁଣି ଥରେ ସଜାଡିବାକୁ ଲାଗିଛନ୍ତି ।

କିଛି ଗୋଟିଏ ତାଙ୍କୁ ସକ୍ରିୟ କରି ରଖିଛି । "ହୋଇପାରେ," କିଛି ସମୟ ଚୁପ୍ରହିବା ପରେ ସେ କୁହନ୍ତି, "ମୋର ପିଲାମାନେ"।

ଉଜ୍ଜ୍ୱଳାଙ୍କ ପାଖରେ ଶୋକ କରିବାକୁ ସମୟ ନାହିଁ, ବିଶ୍ରାମ ତାଙ୍କ ପାଇଁ ବିଳାସ ନୁହେଁ ଓ ଆବଶ୍ୟକ ସମୟରେ ତାଙ୍କୁ ସହାୟତା କରିବାକୁ ମଧ୍ୟ କେହି ନାହନ୍ତି । ତାଙ୍କ ବୟସ ୩୦ ରୁ ଟିକିଏ ଅଧିକ ହୋଇଥିବ, ଯେତେବେଳେ ପ୍ରଭାକର କୀଟନାଶକ ପିଇ ନିଜ ଜୀବନ ହାରିଥିଲେ । ସେତେବେଳେ ତାଙ୍କୁ ସମସ୍ତ ଦାୟିତ୍ୱ ମୁଣ୍ଡେଇବାକୁ ପଡିଲା : କୃଷି କାମ କରିବାଠାରୁ ଆରମ୍ଭ କରି ଋଣ ଶୁଝିବା ଓ ନିଜର ଦୁଇ ପିଲାଙ୍କ ଲାଳନ ପାଳନ କରିବା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ।

ଗତ ଦଶନ୍ଧି କଥା ମନେ ପକେଇ, ଉଜ୍ଜ୍ୱଳା ତାଙ୍କର ମୁଗ ଫସଲ କାଟିବା ବେଳେ ନିଜକୁ ସମ୍ଭାଳିବାକୁ ଚେଷ୍ଟା କରୁଛନ୍ତି । ଏହା ହେଉଛି ତାଙ୍କର ଜମି – ୱର୍ଧା ଠାରୁ ୨୦କିମି ଦୂରରେ ଅବସ୍ଥିତ ୨୦୦୦ ଜନସଂଖ୍ୟା ବିଶିଷ୍ଟ କୁର୍ଜାଦି ଗ୍ରାମରେ ଥିବା ଏକ ୫ -ଏକରର ପ୍ଲଟ୍। ସୂର୍ଯ୍ୟର ପ୍ରଚଣ୍ଡ କିରଣ ଏବେ ଏବେ ବସନ୍ତ ଆଗମନର ସୂଚନା ଦେଇଛି, କିନ୍ତୁ ତାହା ମଧ୍ୟ ଉଜ୍ଜ୍ୱଳାଙ୍କୁ ତାଙ୍କ ଜମିରେ କାମ କରିବାଠାରୁ ନିବୃତ୍ତ କରିବାରେ ସଫଳ ହୋଇପାରିନାହିଁ । "ଯଦି ମୁଁ କାମ କରିବିନି, ତେବେ ମୋର ପିଲାମାନଙ୍କ ଭବିଷ୍ୟତ ଅନ୍ଧକାର ହୋଇଯିବ – ମୁଁ ସେମାନଙ୍କ ପାଇଁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପ୍ରସ୍ତୁତ ଅଛି ।"

ସଙ୍ଗହୀନ ଉଜ୍ଜ୍ୱଳା ହେଉଛନ୍ତି ନିରନ୍ତର ସଂଘର୍ଷ କରୁଥିବା ଦୃଢପ୍ରତିଜ୍ଞ ବିଧବା ଚାଷୀମାନଙ୍କ ପାଇଁ ଏକ ଜ୍ୱଳନ୍ତ ଉଦାହରଣ । ସେ ଜଣେ ସ୍ଥିର ମହିଳା-ଚାଷୀର ପ୍ରତିକୃତି, ଶତାଧିକ ବିଧବା ଚାଷୀଙ୍କ ପ୍ରତିଛବି, ଯିଏ ପରିବାରର ସମସ୍ତ ବୋଝ ନିଜ କାନ୍ଧରେ ଉଠାଉଛନ୍ତି ଓ ଅସରନ୍ତି ମନେ ହେଉଥିବା କୃଷି ସଂକଟର ମୁକାବିଲା କରୁଛନ୍ତି । ନାସ୍ନାଲ୍କ୍ରାଇମ୍ରେକର୍ଡ ବ୍ୟୁରୋ  ମୁତାବକ ୧୯୯୫ ରୁ ୨୦୧୩ ମଧ୍ୟରେ ଭାରତରେ ପ୍ରାୟ ୩ ୦୦,୦୦୦ କ୍ଷୁଦ୍ର ଚାଷୀ – କୃଷକ ଆତ୍ମହତ୍ୟା କରିଛନ୍ତି । ଉଜ୍ଜ୍ୱଳାଙ୍କ ସ୍ୱାମୀ ୨୦୦୩ ରେ ନଜ ଜୀବନ ହାରିଥିଲେ, ଯେତେବେଳେ ବିଦର୍ଭରେ କାର୍ପାସ୍ସଂକଟ ଦିନକୁ ଦିନ ଗମ୍ଭୀର ହେଉଥିଲା । 

PHOTO • Jaideep Hardikar
PHOTO • Jaideep Hardikar

"କୃଷି କାମ ମହିଳାମାନଙ୍କ ପାଇଁ ଅନୁକୂଳ ନୁହେଁ," ବୋଲି ଉଜ୍ଜ୍ୱଳା କୁହନ୍ତି । "ମୁଁ ଯେତେବେଳେ ବ୍ୟାଙ୍କକୁ ଯାଏ, ସେଠାରେ ଥିବା କିରାଣୀମାନେ ମୋତେ ଗୁରୁତ୍ୱ ଦିଅନ୍ତି ନାହିଁ; ମୁଁ ଯେତେବେଳେ ବଜାରକୁ ଯାଏ, ସେଠାରେ ଥିବା ପୁରୁଷମାନେ ମୋତେ ଅପଲକ ନୟନରେ ଚାହିଁ ରୁହନ୍ତି, ଯେପରି ମୁଁ ଜଣେ ବାହାରର ଲୋକ ଓ ସେମାନଙ୍କ ଇଲାକାକୁ ଅନଧିକାର ପ୍ରବେଶ କରିଛି। "କୃଷି ଶ୍ରମିକ, ଏପରିକି ମହିଳାମାନେ ମଧ୍ୟ, ସହଜରେ ମୋର ଜମିକୁ ଆସନ୍ତିନି ।"

ଦିନକୁ ଦିନ କୃଷି କ୍ଷେତ୍ରରେ ଅଧିକରୁ ଅଧିକ ମହିଳା ଅଗ୍ରଣୀ ଭୂମିକା ଗ୍ରହଣ କରିବା ପ୍ରକ୍ରିୟାରେ, ତାଙ୍କୁ ଏକ ଉଦାହରଣ ଭାବେ ନିଆଯାଇ ପାରିବ: ସେ ତାଙ୍କ ଜମିରେ କାର୍ପାସ୍, ସୋୟାବିନ, ମକା, ବୁଟ ଓ ଗହମ ଆଦି ଉତ୍ପାଦନ କରିବା ପାଇଁ ଦିନସାରା, ସମସ୍ତ ଋତୁରେ କାମ କରନ୍ତି । ହତୋତ୍ସାହିତ କରୁଥିବା ଆହ୍ୱାନ ସତ୍ତ୍ୱେ, ଚଳିତ ଗ୍ରୀଷ୍ମରେ ସେ ଆପଣଙ୍କ ଥାଳି ପାଖକୁ ଖାଦ୍ୟ ପହଞ୍ଚାଇବେ; ଯେତେବେଳେ ତାଙ୍କ ଗହମ ଫସଲ ପାଚିଯିବ, ସେ ଏହା ଅମଳ କରିବେ, ସଂଗ୍ରହ କରିବେ ଓ ବଜାରକୁ ଆଣିବେ ।

"ଯଦି ମୋର ସ୍ୱାମୀ ଜୀବିତ ଥାଆନ୍ତେ, ତେବେ ମଧ୍ୟ ମୁଁ ମୋର ଜମିରେ କାମ କରୁଥାନ୍ତି, କିନ୍ତୁ ଏହାର ଅର୍ଥନୀତି ବିଷୟରେ କିଛି ଜାଣି ପାରିନଥାନ୍ତି" ବୋଲି ପାଞ୍ଚ-ଫୁଟରୁ ସାମାନ୍ୟ ଅଧିକ ଉଚ୍ଚ ଉଜ୍ଜ୍ୱଳା, ଯାହାର କପାଳରେ ଏକ ରୁମାଲ ଗୁଡା ହୋଇଛି, ତାଙ୍କ ଜମିରେ ହୋଇଥିବା ଗହମ ଫସଲ, ଯାହା ଅଳ୍ପ ଦିନ ପରେ ଅମଳ କରାଯିବ, ତାହା ଚାଲୁଚାଲୁ ନିରୀକ୍ଷଣ କରି କୁହନ୍ତି ।

ଜଣେ ସାଧାରଣ ଗୃହିଣୀରୁ ଜଣେ କୃଷକ ଓ ପରିବାର ମୂଖ୍ୟ ହେବା ପର୍ଯ୍ୟନ୍ତ ତାଙ୍କର କ୍ରମ ବିକାଶର ପଥ ତାଙ୍କ ପାଇଁ ଏତେ ସହଜ ନଥିଲା ବୋଲି ଉଜ୍ଜ୍ୱଳା ବର୍ଣ୍ଣନା କରି କୁହନ୍ତି । "ମୋ ସ୍ୱାମୀଙ୍କ ମୃତ୍ୟୁ ପରେ ମୁଁ ଲୋକମାନଙ୍କ ପ୍ରକୃତ ଚେହେରା ଦେଖିବାକୁ ପାଇଲି," ବୋଲି ସେ କୁହନ୍ତି । କେହି ନୁହେଁ, ଏପରିକି ତୁମର ଅତି ନିକଟ ସମ୍ପର୍କୀୟମାନେ ମଧ୍ୟ, ତୁମର ସହାୟତା କରିବେ ନାହିଁ – ତାହା ମୁଁ ଜାଣିଲି, ଏ ଦୁନିଆରେ ମୁଁ ସମ୍ପୂର୍ଣ୍ଣ ଏକଲା ।

PHOTO • Jaideep Hardikar

“ସହାୟତା ପ୍ରଦାନ କରିବା ହେଉଛି ଏକ ପରଦା ସଦୃଶ ଯାହା ପଛରେ ଲୋକମାନଙ୍କ ଅନେକ କୁତ୍ସିତ ମନୋଭାବ ରହିଥାଏ,” ବୋଲି ସେ କଟୁ ମନ୍ତବ୍ୟ ପ୍ରଦାନ କରନ୍ତି । “ସାହାଯ୍ୟ କରିବା ପାଇଁ ଚାହୁଁଥିବା ଲୋକମାନଙ୍କଠାରୁ ମୁଁ ସତର୍କ ରୁହେ । “ମୁଁ କେବେ ମଧ୍ୟ କାହାର ସାହାଯ୍ୟ ଆଶା କରେନାହିଁ; ମୁଁ ନିଜେ ମୋର ସମସ୍ୟା ସମାଧାନ କରିଥାଏ,  ନିଜ ଜମିରେ କାମକରେ ଓ ଯଥା ସମ୍ଭବ ଭଲ ଭାବେ ମୋ ପିଲାମାନଙ୍କ ଲାଳନ ପାଳନ କରିବାକୁ ଚେଷ୍ଟା କରେ; ବାସ୍ଏତିକି!’’ ଉଜ୍ଜ୍ୱଳା ତାଙ୍କ ଝିଅ ବୃଶାଳୀ ପାଇଁ ଗର୍ବିତ, ତାଙ୍କ ବାପାଙ୍କ ମୃତ୍ୟୁ ସମୟରେ ତାଙ୍କୁ ଦଶ ବର୍ଷ ହୋଇଥିଲା ଓ ବର୍ତ୍ତମାନ ସେ ହେଉଛନ୍ତି ଜଣେ ଆତ୍ମବିଶ୍ୱାସ ଭରା କାମ କରୁଥିବା ଯୁବତୀ । ବୃଶାଳୀ ମ୍ୟାଟ୍ରିକ୍ପାସ୍କରିବା ପରେ ନର୍ସ ପ୍ରଶିକ୍ଷଣ ନେବା ପାଇଁ ନାଗ୍ପୁର ଚାଲିଗଲେ । ସେ ଏକ ଘରୋଇ ଡାକ୍ତରଖାନାରେ କାମ କରନ୍ତି ଓ ନିଜ ଦାୟିତ୍ୱ ନିଜେ ନିଅନ୍ତି । ପୁଅ ପ୍ରଶୀଳ, ୧୭, ଅଧାରୁ ପାଠପଢା ବନ୍ଦ କରିଦେଲେ ଓ ବର୍ତ୍ତମାନ ସେ ଜଣେ ଶ୍ରମିକ ଭାବେ କାମ କରିବା ସହିତ ବେଳେବେଳେ ନିଜ ମା’ଙ୍କୁ ତାଙ୍କ କାମରେ ସାହାଯ୍ୟ କରୁଛନ୍ତି ।

ଉଜ୍ଜ୍ୱଳାଙ୍କୁ ୧୯ବର୍ଷ ହୋଇଥିବା ବେଳେ ତାଙ୍କ କୃଷକ ପିତାମାତା ତାଙ୍କ ବିବାହ କରିଦେଇଥିଲେ, ସେ ନିଜ ଚେଷ୍ଟାରେ କୃଷି ସମ୍ବନ୍ଧୀୟ ସାଧାରଣ ଜ୍ଞାନ ଆହରଣ କରିଛନ୍ତି, ଶୂନରୁ ଆରମ୍ଭ କରିଥିଲେ : ଶସ୍ୟ ଚୟନ କରିବା, ଆବଶ୍ୟକ ଜିନିଷ କିଣିବା, ବ୍ୟାଙ୍କ ନେଣଦେଣ ଓ ଜମିଚାଷ କରିବା ଓ ମାର୍କେଟିଂ । “ମୁଁ କିଛି ମଧ୍ୟ ଜାଣିନଥିଲି ।’’ ଆଜି, ସେ ଚତୁରତା ସହିତ ଚାଷ କାର୍ଯ୍ୟ କରନ୍ତି, ପର୍ଯ୍ୟାୟକ୍ରମେ ଚାଷ କରନ୍ତି; ନୂଆ ନୂଆ ଜିନିଷ ପ୍ରୟୋଗ କରନ୍ତି ଓ ଆର୍ଥିକ ସ୍ଥିତି ସମ୍ଭାଳନ୍ତି । ‘‘କୃଷିକାମ ଅତ୍ୟନ୍ତ କଷ୍ଟକର,” ବୋଲି ସେ କୁହନ୍ତି ।

ସେ ନିଜ ଜମିରେ ପ୍ରୟୋଗ କରିଥିବା ବିଭିନ୍ନ ଜିନିଷ ମଧ୍ୟରେ, କୃଷି ଜନିତ କ୍ଷତି ହାର ହ୍ରାସ କରିବା ପାଇଁ ଓ ଆୟ ବୃଦ୍ଧି  କରିବା ପାଇଁ ବିଭିନ୍ନ ପ୍ରକାର ଫସଲ ଉପରେ ଗୁରୁତ୍ୱ ଦେବା ସବୁଠାରୁ ଭଲ ରଣନୀତି ବୋଲି ସେ ଅନୁଭବ କରିପାରିଛନ୍ତି । “ମୁଁ ଆଖୁ ଚାଷ କରି ପାରିବି କି ନାହିଁ ତାହା ପରଖିବା ପାଇଁ ମୋ ଜମିରେ ଆଖୁଗଛ ଲଗେଇଲି; ଭଲ ଉତ୍ପାଦନ ହେଲାନାହିଁ, ଏଣୁ ମୁଁ ଏଥିରେ ଆଗେଇଲିନି,” ବୋଲି ସେ କୁହନ୍ତି ।

PHOTO • Jaideep Hardikar

ଉଜ୍ଜ୍ୱଳା କୁହନ୍ତି ଯେ ପ୍ରଭାକରଙ୍କ ମୃତ୍ୟୁ ପରେ ତାଙ୍କ ଶ୍ୱଶୁରଘର ଲୋକମାନେ ତାଙ୍କ ଠାରୁ ଦୂରେଇ ଗଲେ । ଭୂମି, ସେ କୁହନ୍ତି, ତାଙ୍କର ଏକମାତ୍ର ସମ୍ବଳ । “ମୋର ସ୍ୱାମୀ ଜୀବିତ ଥିବାବେଳେ କରଦାତାମାନେ ଆମର ଚାରି ଓ ଅଧା ଏକର ଜମି ନେଇଯାଇଥିଲେ,’’ ବୋଲି ସେ କୁହନ୍ତି । “ସେହି ଭୂମିକୁ ଏ ପର୍ଯ୍ୟନ୍ତ ମୁଁ ଫେରାଇ ଆଣିପାରିନି – ଏହା ମୋର ସମର୍ଥ ବାହାରେ ।’’

ଦ୍ୱିପହର ସମୟ, ଓ ଏହି ସମୟରେ ଉଜ୍ଜ୍ୱଳା ବୁଟ ଗଛର ଶୁଖିଲା ଡାଳ, ପତ୍ର ଆଦି ନିଶ୍ଚିତ ଭାବେ ବିଡା ବାନ୍ଧି ରଖିବେ। ଏଥର ଭଲ ଫସଲ ହୋଇନି, ବୋଲି ସେ କୁହନ୍ତି, ମରୁଡି କାରଣରୁ ଭଲ ହୋଇପାରିନି । “ମୋତେ ପୁଣି ଋଣ କରିବାକୁ ହେବ ଓ କ୍ଷତି ସହିବାକୁ ହେବ, ସେ ନିରସ ଭାବେ ହସିଲେ ।’’

ତାଙ୍କ ସ୍ୱାମୀ ଧାର କରିଥିଲେ ଓ ଆର୍ଥିକ କ୍ଷତି ସହିଥିଲେ । “ତାଙ୍କ ମୃତ୍ୟୁ ବେଳକୁ ଆମ ଉପରେ  ଦୁଇ ଲକ୍ଷ ଟଙ୍କାର ଋଣ ବୋଝ ଥିଲା,’’ ବୋଲି ସେ କୁହନ୍ତି । “ମୁଁ ଅଳ୍ପ ଅଳ୍ପ କରି ଏହା ପରିଶୋଧ କରୁଛି ; ଏବେ ମଧ୍ୟ ଘରୋଇ ଋଣଦାତାଙ୍କୁ ଓ ବ୍ୟାଙ୍କକୁ ଏକ ଲକ୍ଷ ଟଙ୍କା ପରିଶୋଧ କରିବାକୁ ବାକି ଅଛି, ବୋଲି ସେ କୁହନ୍ତି । “ମୁଁ ପରିଶୋଧ ପାଇଁ ଋଣକର୍ତ୍ତାଙ୍କଠାରୁ ଅଧିକ ସମୟ ମାଗିଛି’’ ।

ସଂକଟରୁ ରକ୍ଷା ପାଇବା ପାଇଁ ମୃତ୍ୟୁକୁ ଆପଣେଇବା କେବଳ ଗୋଟିଏ ମାତ୍ର ରାସ୍ତା ନୁହେଁ, ବୋଲି ସେ ଭାବୁକ ହୋଇ କୁହନ୍ତି । “ଆମେ ଥରେ ଜନ୍ମ ନେଇଥାଉ; ଦୁଃଖ ଜୀବନର ଗୋଟିଏ ଅଂଶ; ମୋର ସ୍ୱାମୀ ଆମମାନଙ୍କ ବିଷୟରେ କିଛି ନ ଭାବି ନିଜ ଜୀବନ ହାରିଲେ ।

PHOTO • Jaideep Hardikar

ଅନୁବାଦ: ଓଡ଼ିଶାଲାଇଭ୍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Jaideep Hardikar

ଜୟଦୀପ ହାର୍ଦିକର୍‌ ନାଗପୁରର ଜଣେ ସାମ୍ବାଦିକ ଏବଂ ଲେଖକ, ଏବଂ PARIର ଜଣେ କୋର୍‌ ଟିମ୍‌ ସଦସ୍ୟ

Other stories by Jaideep Hardikar