ଡାଲ୍‌ ହ୍ରଦର ଘାଟ ସଂ.୧୫ରେ ଗୁଲ୍‌ଜାର ଅହମଦ୍‌ ଭଟ୍‌ ଏକ କାଠ ବେଞ୍ଚ ଉପରେ ଚୁପ୍‌ଚାପ୍‌ ବସିଛନ୍ତି । ଶ୍ରୀନଗରର ଅନ୍ୟ ଶିକାରା  ଚାଳକଙ୍କ ଭଳି ସେ ମଧ୍ୟ ଅଗଷ୍ଟ ୨ରେ ଜମ୍ମୁ କଶ୍ମୀର ସରକାର ପର୍ଯ୍ୟଟକଙ୍କୁ ତତ୍‌କ୍ଷଣାତ୍‌ କଶ୍ମୀର ଉପତ୍ୟାକା ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶନାମା ଜାରି କରିବା ପରେ ଅତି କମ୍‌ ଗ୍ରାହକ ତାଙ୍କ ପାଖକୁ ଆସୁଥିବା ଲକ୍ଷ୍ୟ କରୁଛନ୍ତି । “ତାହା ଆମର ଭବିଷ୍ୟତକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛି । ଚଳିତ ବର୍ଷ ମେ ୧୮ରେ ଏତେ ବେଶୀ ପରିମାଣରେ ବୁକିଂ ହେବା [ପ୍ରତ୍ୟାହାର କରାଯାଉଥିବା] ମୁଁ ଆଗରୁ କେବେ ଦେଖିନିଥିଲି,” ବୋଲି ୩୨ବର୍ଷ ବୟସ୍କ ଗୁଲ୍‌ଜାର କହନ୍ତି ।

ଅକ୍ଟୋବର ୧୦ରେ ସରକାର ଏହି ନିର୍ଦ୍ଦେଶନାମା ଉଠେଇ ଦେବା ପରେ ଅଳ୍ପ ସଂଖ୍ୟକ ପର୍ଯ୍ୟଟକ ଶିକାରା ରେ ବସି ବୁଲିବା ପାଇଁ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଟ୍ରାଭେଲ୍‌ ଏଜେଣ୍ଟମାନେ ଆଣିଛନ୍ତି ଓ ସେମାନେ ଅତ୍ୟଧିକ ମୂଲଚାଲ କରୁଛନ୍ତି । “ଗ୍ରାହକମାନେ ସିଧାସଳଖ ଆମ ପାଖକୁ ଆସିଲେ ଆମେ ସେମାନଙ୍କୁ ଶିକାରାରେ  ବସେଇ ଗୋଟିଏ ଘଣ୍ଟା ବୁଲାଇବା ପାଇଁ ୬୦୦ଟଙ୍କା  [ ସରକାରଙ୍କ ଦ୍ୱାରା ଅନୁମୋଦିତ ମୂଲ୍ୟ] ଦାବି କରିଥାଉ। କିନ୍ତୁ ସେହି ସମାନ ସମୟ ପାଇଁ ଏଜେଣ୍ଟ ଆମକୁ କେବଳ ୨୫୦ଟଙ୍କା ଦେଇଥାଏ । ଏହି ସମୟରେ ଆମେମାନେ ତାଙ୍କୁ ମନା ମଧ୍ୟ କରିପାରିବୁନି,” ବୋଲି ୪୨ବର୍ଷ ବୟସ୍କ ମେହେରାଜ-ଉଦ୍‌-ଦିନ୍‌ ପାକ୍ତୋ କହନ୍ତି ଯିଏ ଏବେ ବି ନଭେମ୍ବରର ମଧ୍ୟ ଭାଗରେ ପର୍ଯ୍ୟଟକମାନଙ୍କୁ ଅପେକ୍ଷା କରି ରହିଛନ୍ତି, ଏହି ହିମକାକର ଶୀତରେ ମଧ୍ୟ ସେ ନିଜ ପରିବାରର ଆବଶ୍ୟକତା ପୂରଣ କରିବା ପାଇଁ ସମର୍ଥ ହୋଇପାରିବେ ବୋଲି ଆଶାବାଦୀ ଅଛନ୍ତି ।

ସାଧାରଣତଃ ନୌକା ମାଲିକମାନେ ଶିକାରା ଚଲେଇଥାନ୍ତି ବା ଏହାକୁ ଜଣେ ଚାଳକକୁ ଭଡାରେ ଦେଇଦିଅନ୍ତି, ଗୋଟିଏ ଋତୁ ପାଇଁ ପ୍ରାୟ ୩୦,୦୦୦ଟଙ୍କା ବିନିମୟରେ । ଛଅ ମାସର ଏହି ପର୍ଯ୍ୟଟନ ଋତୁରେ ଜଣେ ଚାଳକ ୨ଲକ୍ଷ ରୁ ୨.୫ଲକ୍ଷ ରୋଜଗାର କରିବା ପାଇଁ ଲକ୍ଷ୍ୟ ରଖିଥାନ୍ତି । ଭଡା ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ଅର୍ଥ ଦେଇ ସାରିବା ପରେ, ତାଙ୍କ ପାଖରେ ପ୍ରାୟ ୧୮୦,୦୦୦ଟଙ୍କା ବଳକା ରହେ । ସେତିକି ଉପାର୍ଜନରେ ୧୨ମାସ ଚଳିବାକୁ ହେବ – ଅର୍ଥାତ୍‌ ମାସକୁ ୧୫,୦୦୦ଟଙ୍କା । ଅଫ୍‌-ସିଜନରେ ଶିକାରାୱାଲାଙ୍କ ପାଖରେ କରିବାକୁ କିଛି କାମ ନଥାଏ ବା ସେମାନେ ଏଣୁତେଣୁ କିଛି କାମ କରନ୍ତି ଓ ବିକ୍ରି ଉଦ୍ଦେଶ୍ୟରେ ବା ଘରେ ଖାଇବା ପାଇଁ ହ୍ରଦରେ କିଛି ମାଛ ଧରିବାକୁ ଚେଷ୍ଟା କରନ୍ତି ।

ଉପତ୍ୟାକାରେ ପର୍ଯ୍ୟଟନ ଋତୁ ମୁଖ୍ୟତଃ ମେ ରୁ ଅକ୍ଟୋବର ପର୍ଯ୍ୟନ୍ତ ରହିଥାଏ । ନଭେମ୍ବର ପ୍ରଥମ ସପ୍ତାହ ବେଳକୁ ଓ ପ୍ରାରମ୍ଭିକ ତୁଷାରପାତ ପରେ ଚଳିତ ବର୍ଷ କଶ୍ମୀରରେ ପର୍ଯ୍ୟଟକ ଖୋଜୁଥିବା ଶିକାରାର ସଂଖ୍ୟା ମଧ୍ୟ କମ୍‌ ରହିବା ସମ୍ଭାବନା ରହିଛି । ଗତ ବର୍ଷ (୨୦୧୮), ପର୍ଯ୍ୟଟନ ଅପେକ୍ଷାକୃତ ମାନ୍ଦା ଥିଲେ ମଧ୍ୟ ଦେଶ ବିଦେଶରୁ ପ୍ରାୟ ୮.୫ଲକ୍ଷ ପର୍ଯ୍ୟଟକ କଶ୍ମୀର ଉପତ୍ୟାକା ବୁଲିବାକୁ ଆସିଥିଲେ । ତେବେ ଚଳିତ ବର୍ଷ ଏହି ସଂଖ୍ୟା କେତେ କମିଛି ତାହା ବର୍ତ୍ତମାନ ସ୍ପଷ୍ଟ ନୁହେଁ ।

ଡାଲ୍‌ ହ୍ରଦ ସହିତ କଶ୍ମୀରର ବିଭିନ୍ନ ଜଳାଶୟରେ ଅନାୟାଶରେ ବୁଲୁଥିବା ୪,୮୦୦ ଶିକାରାକୁ  ଅଗଷ୍ଟ ପରେ ଭାରି କ୍ଷତି ସହିବାକୁ ପଡୁଛି ବୋଲି ଅଲ୍‌ ଜେ ଏଣ୍ଡ କେ ଟ୍ୟାକ୍ସି ଶିକାରା ଓନର୍ସ ଆସୋସିଏସନ୍‌ ଓ ଅଲ୍‌ ଜେ ଏଣ୍ଡ କେ ଶିକାରା ୱାର୍କର୍ସ ଆସୋସିଏସନ୍‌ର ସଭାପତି ୬୦ବର୍ଷ ବୟସ୍କ ୱାଲି ମହମ୍ମଦ୍‌ ଭଟ କହନ୍ତି । ଡାଲ୍‌ ହ୍ରଦ, ନାଇଜିନ ହ୍ରଦ, ମାନ୍ସବଲ୍‌ ହ୍ରଦ ଓ ଝେଲମ ନଦୀରେ ଚାଲୁଥିବା ୯୬୦ ହାଉସ୍‌ବୋଟ୍‌ର ମାଲିକମାନେ ମଧ୍ୟ ସମାନ ପରିସ୍ଥିତି ଦେଇ ଗତି କରୁଥିବା କଥା କଶ୍ମୀର ହାଉସ୍‌ବୋଟ୍‌ ଓନର୍ସ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ଅବ୍‌ଦୁଲ ରସିଦ୍‌ କଲ୍ଲୁ କହନ୍ତି ।

“ଡାଲ୍‌ ହ୍ରଦରେ [ଯେଉଁଥିରେ ୩୭ଟି ଘାଟ ବା ଛୋଟ ଡକ୍‌ ରହିଛି] କେବଳ ଶିକାରୱାଲାଙ୍କୁ ୮କୋଟିରୁ ଅଧିକ ଟଙ୍କାର କ୍ଷତି ସହିବାକୁ ପଡ଼ିଥିବା ଭଟ ଆକଳନ କରି କହନ୍ତି। ସେମାନଙ୍କ ମଧ୍ୟରୁ କିଛି ଶିକାରା କିଣିବା ପାଇଁ ବିଭିନ୍ନ ଉତ୍ସରୁ ଋଣ ନେଇଥିବା ସେ କୁହନ୍ତି- ଗୋଟିଏ ନୂଆ ଶିକାରା ର କ୍ରୟ ମୂଲ୍ୟ ପ୍ରାୟ ୧.୫ଲକ୍ଷ ଟଙ୍କା ହୋଇଥିବା ବେଳେ ସେମାନେ ଏବେ ତାର କିସ୍ତି ପଇଠ କରିବା ପାଇଁ ମଧ୍ୟ ଅସମର୍ଥ ଅଟନ୍ତି । ଭଟ୍‌ ଆହୁରି ମଧ୍ୟ କହନ୍ତି ଯେ ଅନ୍ୟ କେତେଜଣ ଋଣଦାତାଙ୍କ ଚାପ ସହ୍ୟ କରିପାରିଲେ ନାହିଁ ଓ ସେମାନେ ଋଣ ପରିଶୋଧ କରିବା ପାଇଁ ସେମାନଙ୍କ ଶିକାରା ବିକ୍ରି କରିଦେଲେ । ଅନେକ ପରିବାରର ଜୀବିକାନିର୍ବାହର ଏକମାତ୍ର ପନ୍ଥା ଶିକାରା  ହୋଇଥିଲେ ମଧ୍ୟ ସେମାନଙ୍କ ପାଇଁ ଏ ପର୍ଯ୍ୟନ୍ତ କୌଣସି ସରକାରୀ ଯୋଜନା ପ୍ରସ୍ତୁତ କରାଯାଇ ନାହିଁ ।

PHOTO • Muzamil Bhat

ଶ୍ରୀନଗରରେ ଡାଲ୍‌ ହ୍ରଦର ଶାନ୍ତ ଜଳରେ  ଶିକାରାଗୁଡିକ ଗୋଟିଏ ସ୍ଥାନରେ ସ୍ଥିର ରହି ଗ୍ରାହକଙ୍କୁ ଅପେକ୍ଷା କରୁଛନ୍ତି

PHOTO • Muzamil Bhat

ଆଦ୍ୟ ନଭେମ୍ବରର ତୁଷାରପାତ ମଧ୍ୟରେ ମଝିରେ ମଝିରେ ଧୀରେ ଧୀରେ ସେବା ବଦଳରେ ଅର୍ଥ ପ୍ରଦାନ କରୁଥିବା ଗ୍ରାହକଙ୍କ ଆଗମନ ଯୋଗୁଁ କେତେଜଣ ନୌକା ଚଲାଇବା ଆରମ୍ଭ କରିଛନ୍ତି

PHOTO • Muzamil Bhat

“ମୁଁ ମୋର ଝିଅର ବିବାହ ପାଇଁ ବନ୍ଧୁ ଓ ସହକର୍ମୀଙ୍କ ଠାରୁ ୨୦୧୭ ରେ ୩ଲକ୍ଷ ଟଙ୍କା ଋଣ କରିଥିଲି ଓ ଏଥିରୁ ୧ଲକ୍ଷ ଟଙ୍କା ପରିଶୋଧ କରିସାରିଛି । ଆଉ ବଳକା ଟଙ୍କା ମୁଁ ଏହି ଋତୁରେ ପରିଶୋଧ କରିଦେବି ବୋଲି ଆଶା କରୁଥିଲି । କିନ୍ତୁ ଅଗଷ୍ଟ ପରେ, ମୁଁ ହତବାକ୍‌ ହୋଇଯାଇଛି। ଏହି ଋଣ ମୁଁ କିଭଳି ପରିଶୋଧ କରିପାରିବି ତାହା ମୁଁ ଜାଣେନି,’’ ବୋଲି ୬୦ ବର୍ଷ ବୟସ୍କ ଗୁଲାମ ଅହମଦ ମାଟ୍ଟୋ କହନ୍ତି । ନିଜ ପରିବାର ପାଇଁ କିଛି ଆୟ କରିବାକୁ ଚେଷ୍ଟା କରିବା ପାଇଁ ସେ ନିଜ ପୁଅକୁ କେରଳରେ ଚାଲିଥିବା ରାଜ୍ୟ ନୌକା ଦୌଡରେ ଅଂଶଗ୍ରହଣ କରିବାକୁ ପଠାଇଛନ୍ତି

PHOTO • Muzamil Bhat

ମେହେରାଜ-ଉଦ୍‌-ଦିନ ପାକ୍‌ଟ୍ଟୁ ଡାଲ୍‌ ହ୍ରଦରେ ଗତ ୨୦ବର୍ଷ ହେବ ତାଙ୍କ ଶିକାରା ଚଲେଇ ଆସୁଛନ୍ତି । “ଅଗଷ୍ଟରେ ସରକାର ଉପତ୍ୟାକା ଛାଡ଼ି ଚାଲିଯିବା ପାଇଁ ପର୍ଯ୍ୟଟକମାନଙ୍କୁ କହିବା ଠାରୁ ମୁଁ ଗୋଟିଏ ଥର ମଧ୍ୟ ଯାତ୍ରାର ସୁଯୋଗ ପାଇନି । ଶିକାରା  ବ୍ୟବସାୟ ବ୍ୟତୀତ ମୋର ଆଉ କୌଣସି ଅବଲମ୍ବନ ନାହିଁ” ବୋଲି ସେ କହନ୍ତି । “ଏବଂ ମୋର ତିନି ସନ୍ତାନ ଅଛନ୍ତି ଓ ସେମାନଙ୍କ ପାଠ ପଢା (ଦାୟିତ୍ୱ ମଧ୍ୟ) ରହିଛି । ଏହି ଋତୁରେ ଆମେ ଯାହା ଉପାର୍ଜନ କରୁ ତାହା ଆମେ ଶୀତରେ ଖର୍ଚ୍ଚ କରୁ, ଏଣୁ ଏହି ଶୀତରେ ମୁଁ କିଭଳି ବଞ୍ଚିବି ତାହା ମୁଁ ଜାଣିନି ’’

PHOTO • Muzamil Bhat

“ଏହା ଆମ ପାଇଁ ଅନ୍ୟଦିନ ଭଳି ଏକ ସାଧାରଣ ଦିନ ଥିଲା [ଯେଉଁଦିନ ଏହି ନିର୍ଦ୍ଦେଶନାମା ଜାରି କରାଗଲା]; ଆମେମାନେ ଡାଲ୍‌ ହ୍ରଦରେ ପର୍ଯ୍ୟଟକମାନଙ୍କୁ ବିଭିନ୍ନ ସ୍ଥାନକୁ ନେବା ଆଣିବା କରୁଥିଲୁ । ସରକାର ଏକ ନିର୍ଦ୍ଦେଶନାମା ଜାରି କରି ପର୍ଯ୍ୟଟକମାନଙ୍କୁ ରାଜ୍ୟ ଛାଡ଼ି ଚାଲି ଯିବାକୁ କହିବା ଏକ ଗୁଜବ ବୋଲି ଆମେ ଭାବିଥିଲୁ । ପ୍ରକୃତରେ କ’ଣ ହେବାକୁ ଯାଉଛି ସେ ବିଷୟରେ ଆମେ ସଚେତନ ନଥିଲୁ,” ବୋଲି ୫୦ବର୍ଷ-ବୟସ୍କ ଅବ୍‌ଦୁଲ ରସିଦ ସାହ କହନ୍ତି । “ଗତ ଋତୁରେ ମୁଁ କିଛି ଟଙ୍କା ସଞ୍ଚୟ କରିଥିଲି, ତାହା ମଧ୍ୟ ଏବେ ସରିଗଲା । ମୁଁ ଭୟ କରୁଛି ଯେ ମୋର ପରିବାରକୁ ଭୋକଉପାସରେ ଦିନ କାଟିବାକୁ ପଡିପାରେ…”

PHOTO • Muzamil Bhat

ଅଲ୍‌ ଜେ ଆଣ୍ଡ କେ ଟ୍ୟାକ୍ସି ଶିକାରା ଓନର୍ସ ଆସୋସିଏସନ୍‌ ଓ ଶିକାରା ୱାର୍କର୍ସ ଆସୋସିଏସନ୍‌ର ସଭାପତି ୱାଲି ମହମ୍ମଦ ଭଟ୍‌ ପର୍ଯ୍ୟଟକଙ୍କୁ ଅପେକ୍ଷା କରି ରହିଛନ୍ତି

PHOTO • Muzamil Bhat

ଶ୍ରୀନଗରରେ ଜଣେ ଶିକାରା-ଚାଳକ (ଯିଏ ନିଜ ନାମ ଗୁପ୍ତ ରଖିବାକୁ ଚାହୁଁଛନ୍ତି) ନଭେମ୍ବରର ଆଦ୍ୟ ତୁଷାରପାତ ବେଳେ ଡାଲ୍‌ ହ୍ରଦରେ ପର୍ଯ୍ୟଟକଙ୍କୁ ହାଉସ୍‌ବୋଟ୍‌ରୁ ଘାଟ ସଂ. ୧୩କୁ ନେବା ଆଣିବା କରୁଛନ୍ତି । ସେ କହିଲେ ଯେ ସରକାର ଉପତ୍ୟାକାରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗେଇବା ପାଇଁ ନିର୍ଦ୍ଦେଶନାମା ଜାରି କରିବା ପରେ ଏହା ହେଉଛି ଚଳିତ ଋତୁରେ ତାଙ୍କର ତୃତୀୟ ଯାତ୍ରା

PHOTO • Muzamil Bhat

ଶିକାରା ଚାଳକ ଗୁଲଜାର ଅହମଦ୍‌ ଭଟ୍‌, ୩୨, ( ସେ ଏକ ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ‘ଭ୍ୟାଲି ଅଫ୍‌ ସେଣ୍ଟ୍‌ସ’ରେ ଅଭିନୟ କରିଛନ୍ତି) ଗତ ୧୮ ବର୍ଷ ହେବ ଏହି ବ୍ୟବସାୟ ସହିତ ଯୋଡ଼ି ହୋଇ ରହିଛନ୍ତି । “ମୋର ଭୟ ହେଉଛି ପର୍ଯ୍ୟଟକଙ୍କ ପାଖରେ ଆମେ ଯେଉଁ ପରିଚୟ ସୃଷ୍ଟି କରିପାରିଥିଲୁ ତାହା ଆମେ ହରାଇ ଦେଇଛୁ – ଆମେ ଆମର ଆତିଥେୟତା ପାଇଁ ପ୍ରସିଦ୍ଧ ଥିଲୁ,” ବୋଲି ସେ କହନ୍ତି । “କିନ୍ତୁ ଅଗଷ୍ଟରେ ସବୁକିଛି ବଦଳିଗଲା । ଦେଶର ଅନ୍ୟ ଭାଗରେ ଆମର ଛବି ଖରାପ ହୋଇଯାଇଛି । ପର୍ଯ୍ୟଟକମାନେ କଶ୍ମୀରକୁ ଆସିବାକୁ ଡରୁଛନ୍ତି” । ଏହି ଋତୁରେ ଆମେ ବଞ୍ଚିବୁ କିପରି? “ ସଂଘର୍ଷ ଆମକୁ ବହୁତ କଥା ଶିଖେଇଛି,” ବୋଲି ସେ ଉତ୍ତର ଦିଅନ୍ତି, “ ଓ ସେ ମଧ୍ୟରେ ଗୋଟିଏ ହେଉଛି ଅର୍ଥ ସଞ୍ଚୟ କରି ରିଖିବା କାରଣ କଶ୍ମୀରରେ କୌଣସି ଜିନିଷର ନିଶ୍ଚିତତା ନାହିଁ । ଆମେ ଜାଣୁ ଯେ ପ୍ରତି ୨-୩ ବର୍ଷରେ ଥରେ ଆମକୁ କିଛି ନା କିଛି ଦୁଃସ୍ଥିତିର ସାମନା କରିବାକୁ ପଡ଼ିପାରେ’’

PHOTO • Muzamil Bhat

ଇମ୍‌ତିଆଜ୍‌ ଜାଲା, ୪୦, ଏହି ଶିକାରାକୁ ଜୁଲାଇ ୨୦୧୯ ପୂର୍ବରୁ ଋଣରେ କିଣିଥିଲେ । ଚଳିତ ବର୍ଷ ଅଗ୍ରୀମ ଭାବେ ବହୁଳ ବୁକିଂ ହୋଇଥିବାରୁ ଭଲ ଲାଭ ହେବା ନେଇ ସେ ଆଶାବାଦୀ ଥିଲେ । କିନ୍ତୁ ବର୍ତ୍ତମାନ, ପର୍ଯ୍ୟଟନ ଋତୁ ସରିଯାଇଥିବାରୁ, ସେ ଋଣ ପରିଶୋଧ କରିପାରିବେ ନାହିଁ ବୋଲି ଭାବି ସେ ନିଜ ଶିକାରା ବିକ୍ରି କରିବାକୁ ଭାବୁଛନ୍ତି । ତାଙ୍କର ତିନି ଝିଅ ପ୍ରାଥମିକ ବିଦ୍ୟାଳୟରେ ପଢନ୍ତି । “ବିଦ୍ୟାଳୟ କତ୍ତୃପକ୍ଷ ମୋତେ ସେମାନଙ୍କ ତିନି ମାସର ଫି ଭର୍ତ୍ତି କରିବାକୁ କହିଲେ, ତାହା ସମ୍ଭବ ନହେବାରୁ ମୁଁ ସେମାନଙ୍କ ଫଳାଫଳ ଦେଖି ପାରିଲି ନାହିଁ [ ସ୍କୁଲ ସେମାନଙ୍କ ଫଳାଫଳ ପ୍ରକାଶ କରିଲାନି]” ବୋଲି ସେ କହନ୍ତି

PHOTO • Muzamil Bhat

ଯେଉଁଠି ସବୁଆଡ଼େ ସେନା ଛାଉଣି ଥିବ ସେଠାକୁ ପର୍ଯ୍ୟଟକ ଆସିବେ କିପରି, ବୋଲି ଉତ୍ତର ଶ୍ରୀନଗରର ରୈନାୱାରୀ ଅଞ୍ଚଳର ଜଣେ ଶିକାରା  ଚାଳକ ୫୦ ବର୍ଷ ବୟସ୍କ ମହମ୍ମଦ ଅବ୍‌ଦୁଲା କହନ୍ତି । “ଯଦି ଚଳିତ ବର୍ଷ ସରକାର ଏଠାକୁ ପଠାଇଥିବା ଅତିରିକ୍ତ ସେନା ଦଳକୁ ଏଠାରୁ ପ୍ରତ୍ୟାହାର କରିବେ ତେବେ ଯାଇ ଏଠାକୁ କିଛି ପର୍ଯ୍ୟଟକ ଆସିବା ସମ୍ଭାବନା ଅଛି ବୋଲି ମୁଁ ଆଶା କରୁଛି,” ବୋଲି ସେ କହନ୍ତି । “ମୁଁ ପୁଣିଥରେ ୯୦ଦଶକ ପୂର୍ବର ସେହି କଶ୍ମୀରକୁ ଦେଖିପାରନ୍ତି କି, ଯେତେବେଳେ ଆମ ଅଞ୍ଚଳ ସଂଘର୍ଷ ମୁକ୍ତ ଥିଲା”

PHOTO • Muzamil Bhat

ଗୁଲାମ ମହମ୍ମଦ୍‌, ଜଣେ ବଢେଇ, ଗତ ୪୦ ବର୍ଷ ହେବ ଶିକାରା ନିର୍ମାଣ କରି ଆସୁଛନ୍ତି; ସେ ଏହି କାରିଗରୀ ଓ ବ୍ୟବସାୟ ତାଙ୍କ ବାପାଙ୍କଠାରୁ ଉତ୍ତରାଧିକାର ସୂତ୍ରରେ ପାଇଛନ୍ତି । “ ଅଗଷ୍ଟ ୨୦୧୯ ପୂର୍ବରୁ ମୁଁ ଆଠଟି ଶିକାରା ନିର୍ମାଣ କରିବା ପାଇଁ ଅର୍ଡର ଗ୍ରହଣ କରିଥିଲି କିନ୍ତୁ ସରକାରଙ୍କ ଏହି ନିର୍ଦ୍ଦେଶନାମା ଆସିବା ପରେ ସବୁ ଅର୍ଡର ରଦ୍ଦ ହୋଇଗଲା,” ବୋଲି ସେ କୁହନ୍ତି

PHOTO • Muzamil Bhat

ତାଙ୍କର ସମସ୍ତ ଅର୍ଡର ରଦ୍ଦ ହୋଇଯିବା ପରେ, ଶିକାରା ନିର୍ମାଣ କରିବା ପାଇଁ ଗୁଲାମ ମହମ୍ମଦ ୩ ଲକ୍ଷ ଟଙ୍କା ଦେଇ କିଣିଥିବା ଦେବଦାରୁ କାଠ ସବୁ ତାଙ୍କ କର୍ମଶାଳାରେ ପଡ଼ିରହିଛି । ସେ କୁହନ୍ତି: “ଏହି ଋତୁରେ ମୋ ଭଳି ଲୋକମାନେ ବଞ୍ଚି ରହିବା ଅତ୍ୟନ୍ତ କଷ୍ଟଦାୟକ ହେବ”

PHOTO • Muzamil Bhat

ନଭେମ୍ବରର ଆଦ୍ୟ ଭାଗରେ ଶିକାରୱାଲାମାନେ ଡାଲ୍‌ ହ୍ରଦ ନିକଟରେ ଥିବା ତାଙ୍କ ଆସୋସିଏସନ୍‌ର କାର୍ଯ୍ୟାଳୟ ଚାରିଆଡେ ବସି ସମୟ ବିତାଉଛନ୍ତି

PHOTO • Muzamil Bhat

ପର୍ଯ୍ୟଟନ ସହିତ ଯୋଡ଼ି ହୋଇ ରହିଥିବା ସମସ୍ତ ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଛି – ଡାଲ୍‌ ହ୍ରଦ ପାଖରେ ଥିବା ସ୍ଥାନୀୟ ହସ୍ତତନ୍ତ ଦୋକାନୀମାନେ ଗ୍ରାହକଙ୍କୁ ଅପେକ୍ଷା କରି ରହିଛନ୍ତି, ଯେଉଁମାନଙ୍କୁ ସାଧାରଣତଃ ଶିକାରାୱାଲାମାନେ ସେମାନଙ୍କ ଦୋକାନକୁ ଆଣିଥାନ୍ତି

PHOTO • Muzamil Bhat

ପର୍ଯ୍ୟଟନ ଋତୁ ପ୍ରାୟତଃ ସରି ଆସୁଥିବାରୁ ଓ ପର୍ଯ୍ୟଟକମାନଙ୍କ ଆଗମନକୁ ମାସ ମାସ ଧରି ଅପେକ୍ଷା କରି ରହିବା ପରେ. ଶିକାରାୱାଲାମାନେ ବର୍ତ୍ତମାନ ଏକ ଲମ୍ବା, କଠିନ ଓ ଅନିଶ୍ଚିତ ଶୀତର ସମ୍ମୁଖୀନ ହେବାକୁ ଯାଉଛନ୍ତି

ଅନୁବାଦ: ଓଡ଼ିଶାଲାଇଭ୍‍

Muzamil Bhat

Muzamil Bhat is a Srinagar-based freelance photojournalist and filmmaker, and was a PARI Fellow in 2022.

Other stories by Muzamil Bhat
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE