ମୁମ୍ବାଇର ସେହି ବସ୍ତି ଯେଉଁଠି ମୁଁ ବଡ଼ ହୋଇଥିଲି, ସେଠାରେ ଆମ ଘର ପାଖରେ ଥିବା ତେଜରାତି ଦୋକାନ ସନ୍ଧ୍ୟା ପାଖାପାଖି ୬ଟା ବେଳକୁ ଭିଡ଼ ହୋଇଯାଉଥିଲା। ଏହା ୨୦୦୦ ମସିହାର କଥା। ଅଢ଼େଇ ଶହ ଗ୍ରାମ ଚାଉଳ, ଗୋଟିଏ ଟଙ୍କାରେ ନାଲି ଲଙ୍କା ଗୁଣ୍ଡ ଓ ଲୁଣ, ଟଙ୍କାଟିଏ କିମ୍ବା ଦୁଇ ଟଙ୍କାର ଖାଇବା ତେଲ, ୨୫-୫୦ ପଇସାର କଳା ସୋରିଷ ଓ ହଳଦିଗୁଣ୍ଡ, ଗୋଟିଏ କିମ୍ବା ଦୁଇଟି ପିଆଜ, ଅଢ଼େଇ ଶହ ଗ୍ରାମ ଲେଖାଏଁ ହରଡ଼ ଡାଲି ଏବଂ ଅଟା ଓ ଷ୍ଟୋଭ ଲାଗି କିଛି କିରୋସିନ ପାଇଁ ବଡ଼ ଦୋକାନ ଆଗରେ ଛୋଟ କ୍ରେତାମାନେ ଭିଡ଼ ଜମାଉଥିଲେ।

ଲୋକମାନେ ଦୈନିକ ମଜୁରି ୧୫୦ଟଙ୍କାରୁ କିଛି ଟଙ୍କା ଖର୍ଚ୍ଚ କରି ପ୍ରତିଦିନ ଅଳ୍ପ ଅଳ୍ପ ରାସନ କିଣୁଥିଲେ। ସେତେବେଳେ ୨୫ ଓ 50 ପଇସା ଖୁଚୁରା ଚଳୁଥିଲା। ତେଜରାତି ଦୋକାନରେ ସବୁଠୁ ଶସ୍ତା ଚାଉଳ କିଲୋ ପ୍ରତି ୨୦ ଟଙ୍କା ଏବଂ ହରଡ଼ ଡାଲି ୨୪ ଟଙ୍କାରେ ମିଳୁଥିଲା। ଅଧିକାଂଶ କ୍ରେତା ଉଭୟ ସାମଗ୍ରୀ ଅଧାକିଲୋ କିମ୍ବା ଅଢ଼େଇ ଶହ ଗ୍ରାମର କିଣୁଥିଲେ। ମୁଁ ଜାଣେ ନାହିଁ କାହିଁକି, ଆମ ଘର ପାଖରେ ଥିବା ସରକାରୀ ରାସନ କେନ୍ଦ୍ରରେ କେବଳ ଚିନି, ତାଳ ତେଲ ଓ କିରୋସିନ ମିଳୁଥିଲା। ଅବଶିଷ୍ଟ ଆମକୁ ଘରୋଇ ତେଜରାତି ଦୋକାନରୁ କିଣିବାକୁ ପଡ଼ୁଥିଲା।

ସକାଳ ୮ଟାରୁ ବିନା ବିଶ୍ରାମରେ ଖଟି ଖଟି ସେତେବେଳକୁ ଥକି ପଡ଼ିଥିବା ଗ୍ରାହକମାନେ ୭୦-୮୦ ଟଙ୍କା ଖର୍ଚ୍ଚ କରି ଦିନକୁ ୩-୪ ଜଣ ଲୋକଙ୍କ ପେଟ ପୋଷିବା ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଡ଼ କରୁଥିଲେ। ମାସ ଶେଷରେ ଘରଭଡ଼ା, ବିଦ୍ୟୁତ ବିଲ ଏବଂ ପାଣି ବିଲ ଦେବା ପରେ ଅବଶିଷ୍ଟ ରୋଜଗାର-ବେଳେବେଳେ ୨୦୦୦ ଟଙ୍କାରୁ ସାମାନ୍ୟ ଅଧିକ ହେଉଥିଲା- ସେମାନେ ଗାଁରେ ଥିବା ନିଜ ପରିବାର ପାଇଁ ପଠାଉଥିଲେ, ଡାକ ଜରିଆରେ କିମ୍ବା ଗାଁକୁ ଯାଉଥିବା କୌଣସି ଲୋକ ହାତରେ।

ସବୁଦିନ ରୋଜଗାର, ସବୁଦିନ ଖର୍ଚ୍ଚ-ଏମିତି ଥିଲା ସେମାନଙ୍କର ଜୀବନ। ଆମ ଘର ମଧ୍ୟ ଦୈନିକ ରୋଜଗାରରେ ଚଳୁଥିଲା-କଞ୍ଚା ଲଙ୍କା ଓ ଲେମ୍ବୁ ବିକ୍ରିରୁ। ମୋ ମା’ ମୋତେ ସବୁଦିନ ସନ୍ଧ୍ୟାରେ ଅଳ୍ପ ପରିମାଣରେ ଲଙ୍କାଗୁଣ୍ଡ, ଲୁଣ ଏବଂ ଚାଉଳ କିଣି ଆଣିବା ପାଇଁ ପଠାଉଥିଲେ। ମୋତେ ସେତେବେଳେ ୯ବର୍ଷ ହୋଇଥିଲା। ମୁଁ ଦୋକାନରେ ଥିବା ଜେଜେ ମା’ଙ୍କୁ ଚାହିଁ ରହୁଥିଲି ସେପର୍ଯ୍ୟନ୍ତ, ଯେପର୍ଯ୍ୟନ୍ତ ସେ ମୋ ଆଡ଼କୁ ଚାହିଁ ପଚାରିନାହାନ୍ତି, “ତୁମେ କ’ଣ ଚାହୁଁଛ?”

ତେଜରାତି ଦୋକାନରେ ଥିବା ଅଧିକାଂଶ ଲୋକ ଚିହ୍ନା ପରିଚିତ ଥିଲେ। ତେଣୁ ଆମେ ପରସ୍ପରର ମୁହଁକୁ ଚାହିଁ ହସୁଥିଲୁ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ମୁଁ ଜାଣିଥିବା ଭାଷା ମରାଠୀ କହୁନଥିଲେ। ସେମାନେ ସିନେମା ଭଳି ହିନ୍ଦୀରେ କଥାବାର୍ତ୍ତା କରୁଥିଲେ। ସେମାନେ ମହାରାଷ୍ଟ୍ର ନୁହେଁ ବରଂ ଅନ୍ୟ ରାଜ୍ୟର ବାସିନ୍ଦା ଥିଲେ ବୋଲି ମୋର ସେତେବେଳେ ଆଦୌ ଧାରଣା ନଥିଲା।

ଆମେ 10x10 ଫୁଟ ଖୋଲିରେ (ବଖୁରିକିଆ ଘରେ) ରହୁଥିଲୁ । ସହରର ବସ୍ତିଗୁଡ଼ିକରେ ଆଜି ବି ସେପରି ଘର ରହିଛି, ସେଗୁଡ଼ିକ ସଙ୍କୀର୍ଣ୍ଣ ଗଳିରେ ପରସ୍ପର ସହ ଲଗାଲଗି ହୋଇ ରହିଛନ୍ତି। ଏସବୁ ମଧ୍ୟରୁ କେତେକ ଘରେ 10-12 ଜଣ ଲୋକ ଏକାଠି ଭଡ଼ାରେ ରହୁଛନ୍ତି, କେତେକରେ ସମସ୍ତେ ପୁରୁଷ। ଆଉ କେତେକରେ, ଛୋଟିଆ ଘରେ ସମ୍ପୂର୍ଣ୍ଣ ପରିବାର ଏକାଠି ରହୁଛନ୍ତି।

ଅଳଙ୍କରଣ : ଅନ୍ତରା ରମଣ

“ଭାଉଜ, ଖାଇଛ? ଆମ ଘର ଦେଇ ଯିବା ସମୟରେ ସେମାନେ ମୋ ମା’ଙ୍କୁ ପଚାରୁଥିଲେ। ବେଳେ ବେଳେ ସେମାନେ ମୋତେ ପଚାରୁଥିଲେ, “ପାଠପଢ଼ା ସରିଲାଣି?”। ଦିନେ ଦିନେ ସେମାନଙ୍କର କାମ ନଥିବା ସମୟରେ ସେମାନେ ଆମ ଘର ପାଖରେ ଛିଡ଼ା ହୋଇ ସାଧାରଣ ଭାବେ କଥାବାର୍ତ୍ତା କରୁଥିଲେ, “ଏବେ କ’ଣ କହିବା ଭାଉଜ? ଜମିରେ ଆଉ ଭଲ ଫସଲ ହେଉନାହିଁ, ପିଇବାକୁ ଯଥେଷ୍ଟ ପାଣି ମିଳୁନାହିଁ, ଗାଁରେ କିଛି କାମ ନାହିଁ। ତେଣୁ ମୁଁ ସାଙ୍ଗମାନଙ୍କ ସହିତ କାମ କରିବାକୁ ବମ୍ବେ ଚାଲି ଆସଛି। ଏବେ ମୁଁ ମୋ ପିଲାମାନଙ୍କୁ ଭଲ ଭବିଷ୍ୟତ ଦେବାକୁ ଚାହୁଁଛି।’’

ହିନ୍ଦୀ ସିନେମା ଦେଖି ଆମେ ସେମାନଙ୍କର ଭାଷା ବୁଝିବାରେ ସମର୍ଥ ହେଉଥିଲୁ। ଏହାପରେ ମୋ ମା’ ସେମାନଙ୍କୁ ଖଣ୍ଡି ହନ୍ଦୀରେ ଉତ୍ତର ଦେଉଥିଲେ। କିନ୍ତୁ ପରସ୍ପର ବିଷୟରେ ଜାଣିବା ଲାଗି ସେହି କଥାବାର୍ତ୍ତା କେବେ ହେଲେ ଶେଷ ହେଉନଥିଲା। ସେମାନଙ୍କର ପିଲାମାନେ ଆମ ସହିତ ମରାଠୀ ମାଧ୍ୟମ ବିଦ୍ୟାଳୟରେ ପଢ଼ୁଥିଲେ। ଆମେମାନେ ମିଳିମିଶି ଖେଳୁଥିଲୁ ଏବଂ ପରସ୍ପରର ଭାଷା ଶିଖିବା ଲାଗି ଚେଷ୍ଟା କରୁଥିଲୁ।

କିନ୍ତୁ ଗୋଟିଏ ବର୍ଷ ପରେ ସେମାନେ ଚାଲିଯାଉଥିଲେ।

ଆମର ଏ ସମସ୍ତ ପଡ଼ୋଶୀ ଶ୍ରମଜୀବୀ ଥିଲେ, ଶ୍ରମିକ ପରିବାର ଥିଲେ। ସୁଉଚ୍ଚ ଅଟ୍ଟାଳିକା, ଆକର୍ଷଣୀୟ କୋଠା, ଫ୍ଲାଏଓଭର, ସଡ଼କ, ବିଭିନ୍ନ କାରଖାନାରେ ଉତ୍ପାଦିତ ହେଉଥିବା ସାମଗ୍ରୀ, ସବୁକିଛି ସେମାନଙ୍କ ଅକ୍ଳାନ୍ତ ପରିଶ୍ରମର ଫଳ ଥିଲା। ସେମାନଙ୍କର ସାମର୍ଥ୍ୟ ବଳରେ ହିଁ ରାଷ୍ଟ୍ରର ଅର୍ଥବ୍ୟବସ୍ଥା ନିର୍ମିତ ହୋଇଛି। ସେମାନେ ନିରନ୍ତର ପ୍ରବାସ କରିଥାନ୍ତି। ଆଜି ଏଠି ତ’ କାଲି ଆଉ କେଉଁଠି। ଏହା ମୁମ୍ବାଇ ହୋଇପାରେ କିମ୍ବା ଅନ୍ୟ କୌଣସି ସହର-ସେମାନଙ୍କର କେବେହେଲେ ସ୍ଥିରତା ନଥାଏ।

ସବୁକିଛି ଅସ୍ଥାୟୀ। ରହିବା ଠାରୁ ଖାଇବା ପର୍ଯ୍ୟନ୍ତ।

ଦୁଇ ଦଶନ୍ଧି ପୂର୍ବରୁ ସେମାନଙ୍କର ଦୈନିକ ଖର୍ଚ୍ଚ ମାତ୍ର କିଛି ଟଙ୍କାରୁ ବଢ଼ି ଏବେ ଶହ ଶହ ଟଙ୍କା ହେଲାଣି। ମୋ ପାଇଁ, ୨୦୨୦ର କରୋନା ମହାମାରୀ ଓ ଲକଡାଉନର ଏ ସମୟ ୨୦୦୦ ମସିହାର ସେତେବେଳର ସମୟରେ ଅଟକି ଯିବା ଭଳି ଅନୁଭୂତ ହେଉଛି।

ମୋ ଘର ପାଖର ଶ୍ରମିକମାନଙ୍କ ମୁହଁ ବଦଳିଯାଇଛି, କିନ୍ତୁ ସେମାନଙ୍କ ଯନ୍ତ୍ରଣା ଅପସରି ଯାଇନାହିଁ। ୨୦ ବର୍ଷ ତଳେ ଯେମିତି ଥିଲା ଆଜି ବି ସେମିତି ରହିଛି । ସେ ଆଜି ଏ ସ୍ଥାନ ଛାଡ଼ି ଚାଲିଯାଇଛି, କିନ୍ତୁ ପୂର୍ବ ଭଳି କାମ ସନ୍ଧାନରେ ନୁହେଁ। ସେ ଗାଁ ରାସ୍ତା ଧରିଛି, ଯେଉଁ ରାସ୍ତାରେ ବିପଦ, ଅସହାୟତା ପରିପୂର୍ଣ୍ଣ ହୋଇ ରହିଛି, ତା’ ପାଖରେ ଆଉ କିଛି ବିକଳ୍ପ ନାହିଁ।

ଖାଲି ପେଟରେ ଶହ ଶହ କିମି ଚାଲିବା ଫଳରେ ସେ ମଣିଷ ଯେଉଁ ଅକଥନୀୟ ଯନ୍ତ୍ରଣା ଭୋଗୁଛି ସେ ବିଷୟରେ ସରକାର, ପ୍ରଶାସନ, ବ୍ୟବସ୍ଥା ଓ ଏହାକୁ ଅଫିସ ଚାରିକାନ୍ଥ ଭିତରେ ରହି ଚଳାଉଥିବା ଲୋକମାନଙ୍କ ପାଖରେ କିଛି ସୂଚନା ନାହିଁ-ସାମାନ୍ୟତମ ଆଭାସ ମଧ୍ୟ ନାହିଁ।  ଏପରିକି ସେ ସଡ଼କ କିମ୍ବା ପଥର ଚଟାଣ ଯାହା ଉପରେ ସେମାନେ ବିଶ୍ରାମ ନେଉଛନ୍ତି କିମ୍ବା ଶୋଇପଡ଼ୁଛନ୍ତି, ସେମାନଙ୍କ କ୍ଳାନ୍ତ ଶରୀରକୁ ସେ ଟାଣ ଚଟାଣ ନରମ ଗଦି ଭଳି ଲାଗୁଛି। ଅଧିକାଂଶ ସମୟରେ ରହି ରହି ଚାଲୁଥିବା ସେମାନଙ୍କର ଅଗ୍ରଗାମୀ ଯାତ୍ରା ବେଳେ ବେଳେ ସେହି ପଥର ଚଟାଣ ତଳେ ପୋତି ହୋଇଯାଉଛି। ନିଷ୍ଠୁର ବ୍ୟବସ୍ଥା ଓ ଏହାର ବିଫଳ ନିର୍ଣ୍ଣୟ ମଧ୍ୟରେ ଯେଉଁମାନେ ଚାପି ହୋଇଯାଉଛନ୍ତି –ସେମାନେ ହିଁ ‘ପ୍ରବାସୀ ଶ୍ରମିକ’।

ଅଳଙ୍କରଣ : ଅନ୍ତରା ରମଣ ନିକଟରେ ବେଙ୍ଗାଲୁରୁର ସୃଷ୍ଟି ଇନଷ୍ଟିଚ୍ୟୁଟ ଅଫ ଆର୍ଟ, ଡିଜାଇନ ଓ ଟେକ୍ନୋଲୋଜିରୁ ଭିଜୁଆଲ କମ୍ୟୁନିକେସନରେ ସ୍ନାତକ ଉତ୍ତୀର୍ଣ୍ଣ ହୋଇଛନ୍ତି। ତାଙ୍କର ଅଳଙ୍କରଣ ଓ ଡିଜାଇନରେ ବିଷୟଭିତ୍ତିକ କଳା ଓ କାହାଣୀ ବର୍ଣ୍ଣନାର ସମସ୍ତ ଦିଗ ବ୍ୟାପକ ଭାବେ ପ୍ରତିଫଳିତ ହୋଇଥାଏ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।