ଉମେଶ କେଦାର ନିଜର ଦା’ ଉଠାଇ ଆଗକୁ ଝୁଙ୍କିଲେ ଓ ଆଖୁ ଗଛର ମୁଳରେ ଶକ୍ତ ଚୋଟଟିଏ ଦେଲେ , କଟା ଗଛଟିକୁ ବାହାରକୁ ପକାଇଦେଲେ।  ଏହା ପରେ ପରବର୍ତ୍ତୀ ଆଖୁଗଛଟିକୁ କାଟିଲେ।  ଗୋଟାକ ପରେ ଗୋଟାଏ ଗଛ ସେ କାଟି ଚାଲିଲେ।   ଆଖୁକାଟିବା ପାଇଁ ବଳ ସହ ସାମର୍ଥ୍ୟ ବି ଦରକାର।  ସେ ଟାଣ ଖରାରେ ଚାରି ଏକର ପରିମିତ ଆଖୁ କ୍ଷେତରେ କାମ କରୁଥିଲେ।  କାମରୁ ଆକ୍ଷି ନ ହଟାଇ ସେ କହିଲେ , “ସକାଳ ୫ଟା ୩୦ ବେଳୁ ଆମେ କାମ ଆରମ୍ଭ କରିଛୁ , ସଂଧ୍ୟା ୭ଟା ପୂର୍ବରୁ ଏହା ସରିବନି।  ଗତ ଅଢ଼େଇ ମାସ [ଅର୍ଥାତ୍ ନଭେମ୍ବର ମାସ]ରୁ ଏହା ମୋର ଦୈନିକ ରୁଟିନ୍ ଓ ଆସନ୍ତା ଅଢ଼େଇ ମାସ ପର୍ଯ୍ୟନ୍ତ ଏହା ରହିବ।”

ଉମେଶ କାଟି ଗଦା କରିଥିବା ଆଖୁଖଣ୍ଡଗୁଡ଼ିକୁ ତାଙ୍କ ପତ୍ନୀ ମୁକ୍ତା ଉଠାଇ ନେଇ ଗୋଟିକ ଉପରେ ଗୋଟିଏ ସଜାଇ ରଖିଲେ।  ୧୦ଟି ଲେଖାଁଏ ଆଖୁଖଣ୍ଡକୁ ଏକାଠି କରି ଆଖୁପତ୍ରରେ ବିଡ଼ା ବାନ୍ଧିଲେ।  ବିଡ଼ାଟିକୁ ମୁଣ୍ଡକୁ ଉଠାଇ ସେ ଆଖୁକ୍ଷେତ ପାଖରେ ଛିଡ଼ାହୋଇଥିବା ଟ୍ରକ ଆଡକୁ ଅଗେଇଲେ।  କଟାଆଖୁ ଗଦା ହୋଇ ସେ ସ୍ଥାନ ଖସଡ଼ା ହୋଇଯାଇଥାଏ।  ମୁକ୍ତା କହିଲେ, “ କିଛି ସମୟ ପରେ ମୁଁ କାଟିବି ଓ ସେ ବୋହିବେ।” ଏହି ଆଖୁକଟା ଋତୁରେ ଆମ କାନ୍ଧ ଆଉ ହାତ ଖୁବ୍ ବିନ୍ଧେ।   କାମ ଚଳେଇବା ପାଇଁ ପାଇଁ ଆମେ ବେଳେ ବେଳେ ପେନ୍ କିଲର୍ ବି ଖାଇନେଉ।

ଦାଆରେ ଆଖୁ କାଟିବା ଶବ୍ଦ ସମଗ୍ର ଆଖୁକ୍ଷେତ ଅଞ୍ଚଳରେ ଶୁଣା ଯାଉଥାଏ।  ମହାରାଷ୍ଟ୍ରର ବିଡ୍ ଜିଲ୍ଲାର ୱାଡୱାନି ତାଲୁକାର ସୋନାଖୋଟା ଗ୍ରାମର ଏହି କ୍ଷେତରେ ୧୦ ଜଣ ଦମ୍ପତି ଆଖୁ କଟା ଓ ବୋହିବାରେ ଲାଗିଥିଲେ।  ଉମେଶ ଓ ମୁକ୍ତାଙ୍କ ପରି ଏମାନଙ୍କ  ମଧ୍ୟରୁ କେତେଜଣ ନିଜେ ଚାଷୀ , ଅନ୍ୟମାନେ ଭୂମିହୀନ।  ଉମେଶ ତିନି ଏକର ଜମିରେ କପାଚାଷ କରିଛନ୍ତି।  କିନ୍ତୁ ଏଥିରୁ ଉପଯୁକ୍ତ ଲାଭ ମିଳୁର ନଥିବାରୁ  ସେମାନେ ଗତ କେଇ ଦଶକ ହେବ ଆଖୁକଟାଳି ଭାବରେ କାମ କରୁଛନ୍ତି।  ଉମେଶ କୁହନ୍ତି, “ଆଖୁ କଟା ସମୟ ସରିବା ପରେ ଯେତିକି ଅର୍ଥ ମିଳେ ତାହା ଅଧିକ ନୁହେଁ, ତଥାପି ଯାହା ହେଲେ ବି କିଛି ଆୟ ହୁଏ।”

ଭିଡିଓ ଦେଖନ୍ତୁ: ଉମେଶ ଓ ମୁକ୍ତା ନିଜ କାମ ବିଷୟରେ ବର୍ଣ୍ଣନା କରୁଛନ୍ତି।  

ରାଜନ କ୍ଷୀରସାଗର କୁହନ୍ତି , ‘ପୂର୍ବର ସମବାୟ କାରଖାନା ଓ ବର୍ତ୍ତମାନର ଚିନି ଲବି ମଧ୍ୟରେ ସମ୍ପର୍କ ଖୁବ୍ ନିବିଡ଼।  ଏହି କାରଣରୁ ଅନ୍ୟ ଫସଲ ତୁଳନାରେ ଅଖୁ କ୍ଷେତକୁ ଅଧିକ ପାଣି ମିଳେ’।

ମରାଠାୱାଡାର ଅଧିକରୁ ଅଧିକ କୃଷକ ଏବେ କୃଷିଶ୍ରମିକ କାମ ଖୋଜୁଛନ୍ତି।  କୃଷିରେ ଦିନକୁ ଦିନ ସମସ୍ୟା ବଢ଼ିବା ସେମାନଙ୍କୁ ନିଜ କ୍ଷେତ ଠାରୁ ଦୂରକୁ ନେଇଯାଉଛି।  ଜଳବାୟୁ ଦିନକୁଦିନ ଅନିୟମିତ ହେଉଛି , ଜଳସେଚନ ଖୁବ୍ କମ୍।  କିନ୍ତୁ ମରୁଡ଼ିପ୍ରବଣ ମରାଠାୱାଡ଼ାରେ ପାଣି ଶୋଷୁଥିବା ଆଖୁ ଚାଷ ବଢ଼ି ଚାଲିଛି।  ରାଜ୍ୟ କୃଷି ବ୍ୟୟ ଏବଂ ମୂଲ୍ୟ ଆୟୋଗ ଅଧ୍ୟକ୍ଷଙ୍କ ସଚିବ  ତଥା କୃଷି ଅଧିକାରୀ ଉଦୟ ଦେଓଲାଙ୍କର କୁହନ୍ତି,” ମରାଠାୱାଡ଼ାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୭୦୦ ମିମି ,କିନ୍ତୁ ଆଖୁଚାଷ ପାଇଁ ବାର୍ଷିକ ୨,୨୦୦ରୁ ୪,୦୦୦ ମିମି ପର୍ଯ୍ୟନ୍ତ ବୃଷ୍ଟି ଆବଶ୍ୟକ ହୋଇଥାଏ।  କପା ପାଇଁ ୭୦୦ମିମି,  ହରଡ ପାଇଁ  ୫୦୦ ମିମି ଓ ସୋୟାବିନ୍ ପାଇଁ ୪୫୦ ମିମି ବାର୍ଷିକ ବୃଷ୍ଟିପାତ ଆବଶ୍ୟକ ହୋଇଥାଏ। ”

କିନ୍ତୁ ଜଳସେଚନ ବେଳେ ଅନ୍ୟ ଫସଲ ତୁଳନାରେ ଆଖୁକୁ ଅଗ୍ରାଧିକାର ଦିଆଯାଏ।  ପର୍ଭାଣୀସ୍ଥିତ କୃଷି କର୍ମକର୍ତ୍ତା ତଥା କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ(ସିପିଆଇ)ର ନେତା ରାଜନ କ୍ଷୀରସାଗର କୁହନ୍ତି, “ଆଖୁ ଏକ ରାଜନୈତିକ ଫସଲ।  ପ୍ରଭାବଶାଳୀ ରାଜନୀତିଜ୍ଞମାନଙ୍କର ନ୍ୟସ୍ତ ସ୍ୱାର୍ଥ ଏହା ଚାରିପାଖରେ  ଘୁରିବୁଲୁଛି। ପୂର୍ବର ସମବାୟ କାରଖାନା ଓ ବର୍ତ୍ତମାନର ଚିନି ଲବି ମଧ୍ୟରେ ସମ୍ପର୍କ ଖୁବ୍‌ ନିବିଡ଼, ତେଣୁ ଆଖୁକ୍ଷେତକୁ ଅନ୍ୟ ଫସଲ ତୁଳନାରେ ଅଧିକ ପାଣି ମିଳିପାରେ।”

Woman carrying sugarcane on her head walking up a small ramp to load it onto the truck
PHOTO • Parth M.N.
Workers in the sugarcane fields taking a break for lunch
PHOTO • Parth M.N.

ବାମ: ମୁକ୍ତା ଓ ଅନ୍ୟମାନେ ଟ୍ରକ୍‌ରେ ଆଖୁ ବୋଝେଇ କରୁଛନ୍ତି। ଡାହାଣ: ଦିନର ଦୀର୍ଘ କାର୍ଯ୍ୟ ନିର୍ଘଣ୍ଟ ମଧ୍ୟରେ ଶ୍ରମିକମାନେ ଛୋଟ ବିଶ୍ରାମ ନେଉଛନ୍ତି ଯାହାକି ଖୁବ୍‌ ବିରଳ।

ଯଦି ବି ମୌସୁମୀ ଠିକ୍‌ ରହେ ତଥାପି ଉତ୍ପାଦନ ଖର୍ଚ୍ଚରେ ବୃଦ୍ଧି ଯୋଗୁ ଶସ୍ୟର ଅସ୍ଥିର ବଜାରମୂଲ୍ୟ ଲାଭର କୌଣସି ଗ୍ୟାରେଣ୍ଟି ଦିଏନାହିଁ।  ରାଜ୍ୟ କୃଷି ଓ ବ୍ୟୟ ମୂଲ୍ୟ ଆୟୋଗଙ୍କର ଖରିଫ ଫସଲ ନିମନ୍ତେ ମୂଲ୍ୟନୀତି ରିପୋର୍ଟ (୨୦୧୭-୧୮) ଅନୁଯାୟୀ ଯଅର ଉତ୍ପାଦନ ଖର୍ଚ୍ଚ କ୍ୱିଣ୍ଟାଲ ପିଛା ୨୦୮୯ ଟଙ୍କା, ମାତ୍ର ରାଜ୍ୟ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ୧,୭୦୦ ଟଙ୍କା ଧାର୍ଯ୍ୟ କରିଛନ୍ତି।  ସେହିପରି କପା ପାଇଁ ଉତ୍ପାଦନ ଖର୍ଚ୍ଚ କ୍ୱିଣ୍ଟାଲ ପିଛା ୪,୩୭୬ ଟଙ୍କା ହୋଇଥିବା ବେଳେ ଏହାର ସର୍ବନିମ୍ନ ସହାୟକ ମୂଲ୍ୟ ୪,୩୨୦ ଧାର୍ଯ୍ୟ କରାଯାଇଛି।

ଅପରପକ୍ଷେ ଆଖୁକ୍ଷେତ, ଯାହାକି ଚିନି କାରଖାନା ମାଲିକମାନଙ୍କ ପାଇଁ ପ୍ରଚୁର ଲାଭ ପ୍ରଦାନକାରୀ, ସେଠାରେ ପ୍ରତି ଦମ୍ପତ୍ତିଙ୍କ ନିମନ୍ତେ ଟନ୍‌ ପିଛା ଆଖୁ କଟା ପାଇଁ ମଜୁରୀ ମାତ୍ର ୨୨୮ ଟଙ୍କା।  ମୁକ୍ତା କୁହନ୍ତି ଦିନକେ ସେମାନେ ଦୁଇ ଟନ୍‌ରୁ ଅଧିକ ଆଖୁ କାଟିପାରନ୍ତି ନାହିଁ।  ପାଞ୍ଚ ମାସର ଆଖୁ କଟା ଋତୁ ଶେଷ ବେଳକୁ ସେମାନେ ୫୫-୬୦,୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରନ୍ତି।  ମଧ୍ୟାହ୍ନ ପ୍ରାୟ ୨ଟା ବେଳକୁ ଘରୁ ଆଣିଥିବା ଯଅ ବ୍ୟଞ୍ଜନ ଭକ୍ରି ଓ ରସୁଣ-ଲଙ୍କା ଚଟଣୀ ଖାଇବା ସମୟରେ ମୁକ୍ତା ଏହି କଥା କହିଥିଲେ।

୨୦୧୫ରେ ରାଜ୍ୟ ସରକାର ସର୍ବନିମ୍ନ ମଜୁରୀ ୧୯୯ ଟଙ୍କାରୁ ବଢ଼ାଇ ଦେଲେ।  କ୍ଷୀରସାଗର କୁହନ୍ତି, “ସେମାନେ କିନ୍ତୁ ସର୍ବନିମ୍ନ ମଜୁରୀ ବ୍ୟବସ୍ଥାକୁ ମାନନ୍ତି ନାହିଁ।  ରୋଜଗାର ହାମି ଯୋଜନା ବା ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଜଣେ ଶ୍ରମିକ ସାତଘଣ୍ଟା କାମ ପାଇଁ ୨୦୨ ଟଙ୍କା ମଜୁରୀ ପାଇଥାନ୍ତି।  କିନ୍ତୁ ଆଖୁ କ୍ଷେତରେ ପ୍ରତି ଦମ୍ପତି ୨୮ ଘଣ୍ଟା (ଜଣକେ ୧୪ ଘଣ୍ଟା ଲେଖାଏଁ) କାମ କରନ୍ତି ଓ ଟନ୍‌ ପିଛା ୨୨୮ ଟଙ୍କା ମଜୁରୀ ପାଆନ୍ତି [ଅର୍ଥାତ୍‌ ୨୮ ଘଣ୍ଟାରେ ସେମାନେ ମାତ୍ର ୪୫୬ ଟଙ୍କା] ରୋଜଗାର କରିପାରନ୍ତି ସେମାନେ”।

ଭିଡିଓ ଦେଖନ୍ତୁ: ଉଷା ପାୱାର କୁହନ୍ତି, ‘ଆମ ଦିନ ଭୋର୍‌ ୪ଟାରୁ ଆରମ୍ଭ ହୁଏ’।

ମହିଳାମାନେ କ୍ଷେତକୁ ଆସିବା ପୂର୍ବରୁ ହିଁ ସେମାନଙ୍କର କାମ ଆରମ୍ଭ ହୋଇଯାଏ କୃଷି ଶ୍ରମିକଙ୍କ କାର୍ଯ୍ୟ ଶେଷ ହେବାର ବହୁ ପରେ ସେମାନଙ୍କ କାମ ସରେ। ମୁକ୍ତା କୁହନ୍ତି, ‘ମୁଁ ଭୋର୍‌ ପ୍ରାୟ ୪ଟାରେ ଉଠେ, ଆମ ସହ ଆମ ପିଲା [ସେମାନଙ୍କ ବୟସ ଯଥାକ୍ରମେ ୬,୮ ଓ ୧୩]ଙ୍କ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ କରେ।  କ୍ଷେତରେ ଦିନସାରା ଖଟି ଖଟି ଯେତେବେଳେ ଆମେ ଘରକୁ ଫେରୁ ସେତେବେଳେ ପୁଣି ମୋତେ ରାତି ପାଇଁ ରୋଷେଇ କରିବାକୁ ହୁଏ।  ଏହି [ଆଖୁ କଟା] ଋତୁରେ ମୁଁ ଅତିବେଶୀରେ ୩-୪ ଘଣ୍ଟା ଶୋଇପାରେ।

ମୁକ୍ତା ଓ ଉମେଶ ୨୦୧୨-୧୫ ପର୍ଯ୍ୟନ୍ତ ଚାରିବର୍ଷ ବ୍ୟାପୀ ମରାଠାୱାଡାରେ ଚାଲିଥିବା ମରୁଡ଼ି ସମୟରେ ଗୋଟିଏ ବ୍ୟାଙ୍କ୍‌ରୁ ୬୦,୦୦୦ ଟଙ୍କା ଓ ଘରୋଇ ସାହୁକାରଙ୍କ ଠାରୁ ୪୦,୦୦୦ ଟଙ୍କା ଋଣ କରିଛନ୍ତି।  ଏଥିରୁ ଜଣାପଡୁଛି ସେମାନେ ଧାର କରିବା ଓ ସୁଝିବା ଚକ୍ରରେ ପଡ଼ିଯାଇଛନ୍ତି।  ତଥାପି ଏ ଦୁହିଙ୍କ ଅବସ୍ଥା ଅନ୍ୟମାନଙ୍କ ତୁଳନାରେ ଢ଼େର୍ ଭଲ।  ଆଖୁ କାରଖାନାକୁ ଶ୍ରମିକ ଯୋଗାଉଥିବା ଠିକାଦାର ସେମାନଙ୍କୁ ତାଙ୍କ ଗ୍ରାମରେ ହିଁ କାମ ଦେଇଛନ୍ତି।  ଫଳରେ ତାଙ୍କ ପିଲାମାନେ ସ୍କୁଲରେ ପାଠପଢ଼ା ଚାଲୁ ରଖିଛନ୍ତି।

କିନ୍ତୁ ଏଠାରୁ ଅନ୍ୟମାନେ ମରାଠାୱାଡାର ଅନ୍ୟ ୭୫ଟି ଆଖୁ କାରଖାନାରେ କାମ ପାଇଛନ୍ତି।  ସୋମାନଙ୍କୁ କାମ ପାଇଁ ଶହ ଶହ କିଲୋମିଟର ଦୂରରେ ଥିବା ପଶ୍ଚିମ ମହାରାଷ୍ଟ୍ରର ସତାରା, ସାଙ୍ଗଲି ଓ କୋହ୍ଲାପୁରରେ ଥିବା ବିଭିନ୍ନ ଚିନି କାରଖାନାକୁ ଯାଉଛନ୍ତି।  ଅନ୍ୟମାନଙ୍କୁ କର୍ଣ୍ଣାଟକର ବେଲ୍‌ଗୋମ୍‌ ଜିଲ୍ଲାରେ କାମ ମିଳିଛି।

ମୁଁ ନଭେମ୍ବର ୨୦୧୭ରେ ଦଳେ କୃଷି ଶ୍ରମିକଙ୍କ ସହ ଟ୍ରାକ୍ଟରରେ ବିଡ୍‌ରୁ ବେଲ୍‌ଗୋମ୍‌ ଯାତ୍ରା କଲି।  ଏହି ୫୦୦ କିଲୋମିଟର ଅତିକ୍ରମ କରିବା ପାଇଁ ଦୁଇରୁ ଅଧିକ ଦିନ,ଦୀର୍ଘ ୫୦ ଘଣ୍ଟା ଯାତ୍ରା କରିବାକୁ ହୋଇଥିଲା।  (ଦେଖନ୍ତୁ : ଦି ଲଙ୍ଗ ରୋଡ୍‌ ଟୁ ଦି ସୁଗାର୍‌କେନ୍‌ ଫିଲ୍ଡ)।  ଏହି ଦୀର୍ଘ ଓ କ୍ଲାନ୍ତ କରି ଦେଇଥିବା ଯାତ୍ରା ଶେଷ ହୋ ପରେ ବିଡ୍‌ରୁ ଯାଇଥିବା ଏହି ପ୍ରବାସୀ ଶ୍ରମିକମାନେ ପରଦିନ ସକାଳୁ କାମ କରିବା ଆରମ୍ଭ କରିଦେଲେ।  ସେମାନେ ନଡ଼ା ଛାଉଣୀ ଅସ୍ଥାୟୀ କୁଡ଼ିଆରେ ଶୁଅନ୍ତି।  ଖୋଲାଛାତ ତଳେ ରୋଷେଇ କରନ୍ତି ଏବଂ ଖୋଲାରେ ସ୍ନାନ କରନ୍ତି।  ମହିଳାମାନେ ଦଉଡିରେ ପତଳା କପଡ଼ା ଘେରେଇ ଗାଧୁଆପାଧୁଆ କରନ୍ତି।  ନିକଟସ୍ଥ ନଳକୂପ, କୂପ ଓ ପୋଖରୀରୁ ସେମାନେ ଖାଇବା ପିଇବା ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ପାଣି ସଂଗ୍ରହ କରନ୍ତି।

ବିଡ୍‌ର ଜନୈକ ପୂର୍ବତନ ଜିଲ୍ଲାପାଳ ଆକଳନ ଅନୁଯାୟୀଏ କେବଳ ବିଡ଼୍‌ରୁ କୃଷି ଶ୍ରମିକ ଭାବରେ କାମ କରିବା ପାଇଁ ପ୍ରାୟ ୧୨୫,୦୦୦ କୃଷକ ଅନ୍ୟସ୍ଥାନକୁ ଯାଆନ୍ତି।  ରାଜନ୍‌ କ୍ଷୀରସାଗର କୁହନ୍ତି, ସିପିଆଇ ଟ୍ରେଡ୍‌ ୟୁନିୟନ ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଆକଳନ କରାଯାଇଛି, ମରାଠାୱାଡାରେ ପ୍ରାୟ ୬୦୦,୦୦୦ ଆଖୁ ଚାଷ ଶ୍ରମିକ ଅଛନ୍ତି।  ଅଞ୍ଚଳରେ କାମ କରୁଥିବା ଶ୍ରମିକ ଓ ପଶ୍ଚିମ ମହାରାଷ୍ଟ୍ର ଓ କର୍ଣ୍ଣାଟକକୁ କାମ ପାଇଁ ଯାଉଥିବା ଶ୍ରମିକ, ଉଭୟେ ଏ ମଧ୍ୟରେ ସାମିଲ୍‌।

ସେମାନଙ୍କ ମଧ୍ୟରେ ଅଛନ୍ତି ବିଡ୍‌ର ମାଲେୱାଡି ଗ୍ରାମର ୨୭ ବର୍ଷ ବୟସ୍କା ଲତା ଓ ୩୦ ବର୍ଷ ବୟସ୍କ ବିଷ୍ଣୁ ପାୱାର, ସେମାନଙ୍କର ଦୁଇ ସନ୍ତାନ, ବିଷ୍ଣୁଙ୍କ ଦୁଇ ଭାଇ, ସେମାନଙ୍କ ପତ୍ନୀ ଓ ସନ୍ତାନମାନେ।  ସେମାନେ ସମସ୍ତେ ବେଲଗୋମ୍‌ ସହର ବାହାରେ କର୍ଣ୍ଣାଟକର ହକେରୀ ତାଲୁକାରେ ଥିବା ଏକ ଚିନି କଳକୁ ଆସିଛନ୍ତି।  କାରଖାନା ପାଖରୁ କେଇ ଦୂର ପର୍ଯ୍ୟନ୍ତ ସେମାନଙ୍କ ସହ ଅନ୍ୟମାନଙ୍କର ଅସ୍ଥାୟୀ କୁଡ଼ିଆ ଅଛି।
A man sitting next to a makeshift hut made of yellow tarpaulin
PHOTO • Parth M.N.
Young girl sitting outside a makeshift tent  as a woman looks on in the background
PHOTO • Parth M.N.

ବିଷ୍ଣୁ ପାୱାର (ବାମ) ଓ ତାଙ୍କ ପରିବାର ବେଲ୍‌ଗୋମ୍‌ ସହର ବାହାରେ ଏକ ଅସ୍ଥାୟୀ କୁଡ଼ିଆରେ।  ସେଠାରେ ସେମାନେ ନିର୍ଦ୍ଦୟ ଆଖୁ କ୍ଷେତରେ କାମ କରୁଛନ୍ତି।

ବିଷ୍ଣୁଙ୍କ ପାଇଁ ଆଖୁକ୍ଷେତର କାମ ଖୁବ୍‌ ନିର୍ଦ୍ଦୟ।  ସେ କୁହନ୍ତି, “ବେଳେବେଳେ ଆଖୁ କାଟିବା ବେଳେ ଆମେ ଆହତ ହେଉ, ତଥାପି ଆମେ ବିଶ୍ରାମ ନେଇପାରିବୁ ନାହିଁ।  ଆମକୁ ନିଜ ଚିକିତ୍ସା ଖର୍ଚ୍ଚ ବି ବହନ କରିବାକୁ ହେବ।  ଆମକୁ ଆଖୁ କାଟିବା ପାଇଁ ମୋଟା ଅଗ୍ରୀମ ଦିଆଯାଇଥାଏ।  ଯଦି ଆମେ ଆଘାତ ପାଇଁ ବିଶ୍ରାମ ନେବୁ ତେବେ କାମ ହରାଇବୁ, ଏଥିସହ ଅର୍ଥ ମଧ୍ୟ”।

ବିଷ୍ଣୁ ଓ ଲତାଙ୍କ ଆଠବର୍ଷିଆ ଝିଅ ସୁକନ୍ୟା ମଧ୍ୟ ସେମାନଙ୍କ ସହ ଆସିଛି ତିନି ମାସର କୁନି ଭାଇ ଅଜୟ ଦେଖାଶୁଣା କରିବା ପାଇଁ। ବାପା-ମା’ କ୍ଷେତରେ କାମ କରିବା ବେଳେ ସେ ଭାଇର ଯତ୍ନନେବ।  ଏହି ଆଖୁ କଟା ମାସଗୁଡିକରେ ସେ ସ୍କୁଲ ଯିବନି।  ଲତା କୁହନ୍ତି - ଆମେ ତାକୁ ଆଣିବାକୁ ବାଧ୍ୟ।  ନିଜ ଅସ୍ଥାୟୀ ଛପର ତଳେ ବସିଥିବା ଲତା କୁହନ୍ତି - ଛୋଟ ଶିଶୁକୁ ମୁଁ ଗାଁରେ ଛାଡି ଆସିବା ସମ୍ଭବ ନୁହେଁ।  ଆମେ ବୁଝୁଛୁ ଏହା ତା’ର ପାଠପଢ଼ା ନଷ୍ଟ କରିବ [ସୁକନ୍ୟା ଏବେ ତୃତୀୟ ଶ୍ରେଣୀରେ ପଢୁଛି], କିନ୍ତୁ ଆମ ପାଖରେ କୌଣସି ବିକଳ୍ପ ନାହିଁ।

A man, woman and two children sitting outside a makeshift tent
PHOTO • Parth M.N.

ପର୍ଭାଣୀର ଶାରଦା ଓ କୈଳାସ ସାଲ୍‌ଭେ ନିଜର ଶିଶୁପୁତ୍ର ଓ ୧୨ ବର୍ଷିୟା ଝିଆରୀ ସହ ଆସିଛନ୍ତି।

ଅଧିକାଂଶ ସମୟରେ ଏହି ଆଖୁ କଟା ଋତୁରେ ବଡ଼ ପିଲାମାନେ ନିଜର ସାନ ଭାଇଭଉଣୀ ବା ଝିଆରୀ-ପୁତୁରାଙ୍କ ଯତ୍ନ ନେବାପାଇଁ ବାପା-ମା’ଙ୍କ ସହ ଆସନ୍ତି।  ପଡୋଶୀ ଜିଲ୍ଲା ପର୍ଭାଣୀରୁ ତେଲ୍‌ଗାଓଁର ଏକ ଚିନିକଳକୁ କାମ କରିବା ପାଇଁ ଆସିଛନ୍ତି କୈଳାସ ଓ ଶାରଦା ସାଲ୍‌ଭେ।  ଏହା ବିଡ୍‌ ସହରରୁ ୪୫ କିଲୋମିଟର ଦୂରରେ ଅଛି।  ସେମାନେ ନିଜ ସହ ବର୍ଷକର ପୁଅ ହର୍ଷବର୍ଦ୍ଧନକୁ ଆଣିଛନ୍ତି।  ତାଙ୍କ ସହ ୧୨ ବର୍ଷିୟା ଝିଆରୀ ଐଶ୍ୱର୍ଯ୍ୟା ୱାଙ୍ଖଡେ ମଧ୍ୟ ଆସିଛନ୍ତି।  କୈଳାସ କୁହନ୍ତି – “ଦାରିଦ୍ର୍ୟ ଯୋଗୁଁ ଶିକ୍ଷାର ମୂଲ୍ୟ ଦେବାକୁ ପଡ଼ିଲା ତାକୁ”।  ଦେବେଗାଓଁରେ ନିଜର ପାଞ୍ଚ ଏକର ଜମିରେ ସେ କପା ଓ ସୋୟାବିନ୍‌ ଚାଷ କରନ୍ତି।  ସେ କୁହନ୍ତି, “ଏଠାରେ ରହିବା କଷ୍ଟକର।  ଦା’ରେ ଆଖୁ କାଟିବା ବେଳେ କିଛି ଦିନ ତଳେ ମୋ ହାତ କଟିଗଲା।  ଚିକିତ୍ସା ପାଇଁ ନିଜ ହାତରୁ ପ୍ରାୟ ୫୦୦ ଟଙ୍କା ଖର୍ଚ୍ଚ କଲି।  ତତାପି ଦିନେ ବି କାମରୁ ବିଶ୍ରାମ ନେଇପାରିଲି ନାହିଁ।  କାରଣ ଏହା ମୋର ମଜୁରୀ କମ୍‌ କରିଦେବ”।

ଏହି କାମ ଯେଉଁ ପ୍ରକାରର ସେଥିରେ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତାକରିବାର ସମୟ ନାହିଁ, ଯେମିତି ବିଭିଷଣ ଓ ରଞ୍ଜନା ବାବର୍‌ଙ୍କ କ୍ଷେତ୍ରରେ ହୋଇଥିଲା।  ସାତବର୍ଷ ତଳେ ସେମାନେ ବିଡ୍‌ର ୱାଡ୍‌ଗାଁଓରୁ ୨୫୦ କିଲୋମିଟର ଦୂରରେ ଥିବା ସତାରା ଜିଲ୍ଲାର ୱାଘୋଲିକୁ କାମ ପାଇଁ ଆସିଥିଲେ।  ରଞ୍ଜନା ସେ ସବୁ ଦିନକୁ ମନେ ପକାଇ କୁହନ୍ତି - ଦିନେ ସେ (ବିଭିଷଣ) ଏକଦମ୍‌ ଅସୁସ୍ଥ ହୋଇପଡ଼ିଲେ।  କିନ୍ତୁ କାମ କରୁଥାନ୍ତି।  ଯେତେବେଳେ ସେ ଛିଡ଼ା ହେବାକୁ ବି ଅସମର୍ଥ ହେଲେ ସେତେବେଳେ ମୁଁ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଲି।  ସେ କହିଲେ ତାଙ୍କୁ ଜଣ୍ଡିସ୍‌ ହୋଇଛି।  ମୁଁ ଏକୁଟିଆ ଥିଲି।  ବସ୍‌ରେ ତାଙ୍କୁ ବିଡ୍‌ ଆଣି ଏକ ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କଲି।  ଦୁଇଦିନ ପରେ ତାଙ୍କର ମୃତ୍ୟୁ ଘଟିଲା।

ମାସେ ଭିତରେ ରଞ୍ଜନା ୱାଘୋଲି ଫେରିଲେ।  ଆଖୁ କାଟିବା ପାଇଁସେମାନେ ଯେଉଁ ଅଗ୍ରୀମ ନେଇଥିଲେ ତାହା ଭରଣା କରିବା ନିମନ୍ତେ ଦିନରାତି ଏକ କରି ଖଟିଲେ।  ବର୍ତ୍ତମାନ ସେ ବିଡ୍‌ ସହରରେ ରହୁଛନ୍ତି ଏବଂ ଏକ ସ୍କୁଲରେ ସଫେଇ କର୍ମଚାରୀ ଭାବରେ ମାସିକ ୪,୫୦୦ ଟଙ୍କା ଦରମାରେ କାମ କରୁଛନ୍ତି।  ସେ ଏବେ ଆଉ ଆଖୁ କାଟୁ ନାହାନ୍ତି କାରଣ ଚିନି କାରଖାନାମାନେ କେବଳ ଦମ୍ପତିଙ୍କୁ ହିଁ କାମ ଦିଅନ୍ତି।

ପ୍ରତିବର୍ଷ ଅକ୍ଟୋବର-ନଭେମ୍ବରରେ ଯେତେବେଳେ ଆଖୁକଟା ଋତୁ ଆସେ ସେତେବେଳେ ଶ୍ରମିକମାନେ ମଜୁରୀ ବଢ଼ାଇବାକୁ ଦାବି କରନ୍ତି।  ଉମେଶ କୁହନ୍ତି, “କିନ୍ତୁ କାରଖାନା ଓ ସରକାର ଆମର ଅସହାୟତା ବିଷୟରେ ଜାଣନ୍ତି।  ସେମାନେ ଜାଣନ୍ତି ଆମ ପାଖରେ ଅନ୍ୟ କିଛି ବିକଳ୍ପ ବି ନାହିଁ”।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Parth M.N.

ପାର୍ଥ ଏମ୍.ଏନ୍ ହେଉଛନ୍ତି ୨୦୧୭ର ପରି ସାଥୀ। ‘ଲସ୍ ଏଞ୍ଜେଲସ୍ ଟାଇମ୍ସ’ ର ସେ ଭାରତ ପାଇଁ ସ୍ୱତନ୍ତ୍ର ପ୍ରତିନିଧି ଏବଂ ଏକାଧିକ ଅନ୍ ଲାଇନ୍ ପୋର୍ଟାଲ ପାଇଁ ସେ ମୁକ୍ତ ସାମ୍ବାଦିକତା କରନ୍ତି। ସେ କ୍ରିକେଟ୍ ଖେଳିବାକୁ ଏବଂ ବୁଲାବୁଲି କରିବାକୁ ଭଲ ପାଆନ୍ତି।

Other stories by Parth M.N.