ସବୁଠୁ ବଡ଼ ପିଲାଟିର ବୟସ ୧୩। ଅନ୍ୟମାନେ ୧୦ରୁ ୧୨ ବର୍ଷ ବୟସର। ଆଉ ଇଂରାଜୀ ଟିଭି ଚ୍ୟାନେଲରେ ‘ଅତିଥିମାନଙ୍କ ସହ ଆଲୋଚନା’କୁ ବାଦ୍‌ ଦେଲେ, ଅଳ୍ପ କେତେକ ଘଟଣା ହିଁ ସ୍କୁଲ୍‌ ‘ବିତର୍କ’ ତୁଳନାରେ ଅଧିକ ଅସ୍ୱସ୍ତିକର। ସାଧାରଣତଃ, ସ୍ପଷ୍ଟ ଇଂରାଜୀ କହୁଥିବା ୧୪-୧୬ ବର୍ଷ ବୟସର ବକ୍ତାମାନେ ନିର୍ଣ୍ଣୟ କରୁଥିବେ ଯେ କାଳେ “ଗାନ୍ଧି ଏବେ ବି ପ୍ରାସଙ୍ଗିକ।” ତା ସାଙ୍ଗକୁ ଭାଷଣରେ ରହିଥିବ ଘୋଷି ଘୋଷି ମୁଖସ୍ଥ କରିଥିବା କେତେକ ଗତାନୁଗତିକ ବାକ୍ୟ। ଏମିତି ଏକ ବିତର୍କର ମୁଖ୍ୟ ଅତିଥି ହୋଇଥିଲେ ଆପଣ, ଦୀର୍ଘଶ୍ୱାସକୁ ଚାପି ରଖନ୍ତି ଏବଂ କାର୍ଯ୍ୟକ୍ରମ କେତେବେଳେ ସରିବ ବୋଲି ଅପେକ୍ଷା କରନ୍ତି। 

ହେଲେ ଏଠାରେ, ମୁଁ ମୋ ଚଉକି ଉପରେ ସନ୍ତର୍ପଣରେ ବସିଥିଲି । ୧୦-୧୩ ବର୍ଷ ବୟସ୍କ ପିଲାମାନେ ଆନୁବଂଶିକ ଭାବେ ରୂପାନ୍ତରିତ (ଜେନେଟିକାଲି ମଡିଫାଏଡ୍‌) ଫସଲ ଉପରେ ବିତର୍କ କରୁଥିଲେ । ଉଭୟ ପକ୍ଷ ପ୍ରତିଭାସଂପନ୍ନ ଥିଲେ । ପ୍ରତି ବକ୍ତା ନିଜ ନିଜର ବକ୍ତବ୍ୟ ଜାଣିଥିଲେ ଏବଂ ପ୍ରସଙ୍ଗକୁ ଭଲ ଭାବରେ ହୃଦୟଙ୍ଗମ କରିଥିଲେ । ବିଷୟବସ୍ତୁ, ଗୁଣବତ୍ତା, ଏବଂ ଆବେଗ– ଏସବୁ ଦେଖିଲେ ଏବଂ ଶୁଣିଲେ ହିଁ ବିଶ୍ୱାସ କରିହେବ । ତେଣୁ (ଉପର) ଭିଡିଓରେ ଆପଣ ନିଜେ ହିଁ ସେମାନଙ୍କୁ ଦେଖନ୍ତୁ ଏବଂ ଶୁଣନ୍ତୁ । ବାକ୍ୟ ବିନିମୟ ପ୍ରାୟତଃ ତୀବ୍ର ଥିଲା, ବେଳେବେଳେ ବିବାଦୀୟ ବି, କିନ୍ତୁ ସବୁବେଳେ ଶାଳୀନ । ଗୋଲ୍‌ଡେନ ରାଇସ୍‌, ଭିଟାମିନ୍‌ ଅଭାବ, କପା ଫସଲର ପୋକ ଓ ଅନ୍ୟକୀଟପତଙ୍ଗ, ଜୈବିକ ପଦ୍ଧତିରେ ଚାଷ, କ୍ରାଇ ଜିନ୍‌, ବିକୃତ ପରାଗଯୋଗ ଏବଂ ସଂକ୍ରମିତ ଫସଲ । ଆପଣ ନାଁ କହନ୍ତୁ, ସେମାନେ ତର୍ଜମା କରିବେ । ଆଉ କେଉଁଭଳି । 

ବିତର୍କର ସଂଚାଳିକା ବାସ୍ତବରେ ନରମ ସ୍ୱଭାବର ଅଥଚ ବେଶ ଦୃଢ଼ମନା ଥିଲେ । ସେ ଗୋଟିଏ ଷ୍ଟପ୍‌ୱାଚ୍‌ ଧରି ବସିଥିଲେ ଏବଂ ସେ ସମୟ ସମାପ୍ତିର ସଂକେତ ଦେବା ମାତ୍ରେ ବକ୍ତାମାନେ ବାକ୍ୟ ଅଧାରେ ରଖି ବକ୍ତବ୍ୟ ଶେଷ କରୁଥିଲେ । ମନେ ମନେ ଆମେ ଭାବୁଥିଲୁ କି ସ୍କୁଲ୍‌ର ଅଧ୍ୟକ୍ଷାଙ୍କୁ ପଚାରି ବୁଝିବୁ ଯେ, ତାଙ୍କ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଂଚାଳିତ ପୁନର୍ଶିକ୍ଷଣ ଶିବିରରେ ଯୋଗ ଦେବାକୁ ଟିଭି ଉପସ୍ଥାପକମାନଙ୍କୁ ଅନୁମତି ଦେବେ କି ନାହିଁ ।  

ଏଠାକାର ଅଧିକାଂଶ ବକ୍ତା ନୂଆ ନୂଆ ଇଂରାଜୀ କହୁଥିଲେ । ତଥାପି ସେମାନେ ସେଇ ଭାଷାରେ ଅନର୍ଗଳ ଯୁକ୍ତିତର୍କ କରୁଥିଲେ । (ଏଠାରେ GM ବିତର୍କର ସଂପୂର୍ଣ୍ଣ ପ୍ରତିଲିପି ରହିଛି)

ତାମିଲନାଡୁର ବିଦ୍ୟା ବନମ୍‌ ସ୍କୁଲ୍‌ରେ ‘ପ୍ରକଳ୍ପ ଦିବସ’ର ମୁଖ୍ୟ ବିଷୟବସ୍ତୁ ଥିଲା ଚାଉଳ । ଏବଂ ଆଠରୁ ୧୩ ବର୍ଷ ବୟସର ସ୍କୁଲ୍‌ ପିଲାମାନଙ୍କ ପାଖରୁ ମୁଁ ସେସବୁ ଶିଖିଲି ଯାହା ମୁଁ କେବେ ବି ଜାଣି ପାରି ନଥାଆନ୍ତି । ମୁଁ ଜାଣି ନଥିଲି ଯେ ମୋଟରଯାନ ଜଗତରେ ସୁପରିଚିତ ‘ଟୋୟୋଟା’ ଶବ୍ଦ ପ୍ରଥମେ କୃଷିକ୍ଷେତ୍ରରୁ ବାହାରି ଥିଲା । ଏହା ଯେ ମୂଳରୂପରେ ଥିଲା ‘ଟୋୟୋଡ଼ା’ ଏବଂ ଏହାର ଅର୍ଥ ‘ଉର୍ବର’ କିମ୍ବା ‘ପ୍ରାଚୁର୍ଯ୍ୟଭରା ଧାନ କ୍ଷେତ’। ହୁଏତ ବିନମ୍ର କୃଷି ଜଗତରୁ ନିଜକୁ ଅଲଗା କରିବା ଲାଗି କମ୍ପାନିର ପୁରୋଧାମାନେ ‘ଡି’କୁ ବଦଳାଇ ‘ଟି’ କରିଥିଲେ ।

ଏକଥା ବି ମୁଁ ଜାଣି ନଥିଲି ଯେ ହୋଣ୍ଡାର ଅର୍ଥ ‘ପ୍ରଥମଚାଉଳର ଧାନ’। କିମ୍ବା ‘ଧାନ କ୍ଷେତର ଉତ୍ସ’। ଏବଂ ଆପଣ ଯଦି ଏହା କହୁଛନ୍ତି ଯେ ନାକାସୋନ୍‌ର ଅର୍ଥ ‘ମଧ୍ୟବର୍ତ୍ତୀ ଚେର’, କିମ୍ବା ଫୁକୁଦାର ଅର୍ଥ ‘ପ୍ରଚୁର ଧାନ ଥିବା କ୍ଷେତ’ ବୋଲି ଆପଣ ଆଗରୁ ଜାଣିଛନ୍ତି, ତେବେ, ମୋ କଥା ଛାଡ଼ନ୍ତୁ। ମୁଁ ଜାଣି ନଥିଲି । ଅଥଚ, ସେହି ପିଲାମାନେ ଜାଣିଥିଲେ। ଏସବୁ ବିଷୟରେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ବହୁ ପୋଷ୍ଟର ଓ ସ୍କେଚ୍‌, ପ୍ରକଳ୍ପ ଦିବସରେ ଆୟୋଜିତ ସେମାନଙ୍କ ବାର୍ଷିକ ପ୍ରଦର୍ଶନୀରେ ସ୍ଥାନ ପାଇଥିଲା। 

କୁନି କୁନି ଗାଇଡ୍‌ମାନେ ଆମକୁ ପ୍ରାୟ ପାଞ୍ଚଟି କ୍ଷୁଦ୍ର କ୍ଷେତ ଦେଖାଇଲେ ଯେଉଁଥିରେ ସେମାନେ ଧାନଚାଷ କରିଥିଲେ । ଏବଂ ଧାନର ବିଭିନ୍ନ କିସମ ଏବଂ ଚାଷ ପ୍ରଣାଳୀର ବିଭିନ୍ନ ପର୍ଯ୍ୟାୟ ସଂପର୍କରେ କହିଲେ । ସେମାନଙ୍କ ସହ କୌଣସି ଶିକ୍ଷକ ନଥିଲେ କି କେହି ବତାଇ ଦେଉ ନଥିଲେ । ସେମାନଙ୍କ ମଧ୍ୟରୁ କେତେଜଣ କ୍ଷୁଦ୍ର ଚାଷୀ ଏବଂ ଭୂମିହୀନ ଶ୍ରମିକଙ୍କ ସନ୍ତାନ ।

ଭିଡିଓ ଦେଖନ୍ତୁ: ସ୍କୁଲର ବାର୍ଷିକ ବିତର୍କରେ ବିଦ୍ୟା ବନମ୍‌ର ଯୁବ ବକ୍ତାମାନେ ଆନୁବଂଶିକ ଭାବେ ରୂପାନ୍ତରିତ ଫସଲର ବିଭିନ୍ନ ଦିଗ ବର୍ଣ୍ଣନା କରିଥିଲେ

ପ୍ରକଳ୍ପ ଦିବସ ଏକ ସ୍ୱତନ୍ତ୍ର ଦିନ । ଅନେକ ଦରିଦ୍ର ଏବଂ ନିରକ୍ଷର ପିତାମାତା ଏହା ଦେଖିବାକୁ ଆସନ୍ତି ଯେ ନିର୍ଦ୍ଧାରିତ ପଢ଼ାବହି ନଥିବା ଏହି ସ୍କୁଲ୍‌ରେ ସେମାନଙ୍କ ପିଲାମାନେ କ’ଣ ସବୁ ଶିଖିଛନ୍ତି। ବିଦ୍ୟା ବନମ୍‌ ଅର୍ଥ ‘ବନରେ ଶିକ୍ଷାଲାଭ’। ଏବଂ ଏଠାରେ ଏହା ହିଁ ହୁଏ । କୋଏମ୍ବାଟୁରଠାରୁ ପ୍ରାୟ ୩୦ କିଲୋମିଟର ଦୂର ତାମିଲନାଡୁ-କେରଳ ସୀମାବର୍ତ୍ତୀ ପାହାଡ଼ିଆ ଅଞ୍ଚଳର ଆନାଇକାଟ୍ଟିରେ ଅବସ୍ଥିତ ଏହି ସ୍କୁଲରେ, ଇରୁଲା ଆଦିବାସୀ ଏବଂ ଆଦି ଦ୍ରାବିଡ଼ାର ଏବଂ ଦରିଦ୍ର ଅନ୍ୟ ପଛୁଆ ବର୍ଗ ସଂପ୍ରଦାୟର ପ୍ରାୟ ୩୫୦ ଛାତ୍ରଛାତ୍ରୀ ପଢ଼ନ୍ତି । ସ୍କୁଲ୍‌ର ବସ୍‌ ଅଛି । ତଥାପି କେତେକ ଛାତ୍ରଛାତ୍ରୀ ସାଇକେଲରେ କିମ୍ବା ପାଦରେ ଚାଲି ଚାଲି ବହୁ ଦୂରବର୍ତ୍ତୀ ଗାଁରୁ ଆସନ୍ତି । କାରଣ, ସେମାନଙ୍କ ଗାଁରେ ବସ୍‌ ପହଞ୍ଚି ପାରିବ ନାହିଁ । ଇରୁଲାମାନଙ୍କ ମଧ୍ୟରେ ବିଦ୍ୟା ବନମ୍‌ ଏତେ ଲୋକପ୍ରିୟ ଯେ, କେତେକ ପରିବାର ନିଜ ଗାଁ ଛାଡ଼ି ସ୍କୁଲ୍‌ ନିକଟବର୍ତ୍ତୀ ବିଭିନ୍ନ ଗାଁରେ ରହିବାକୁ ଆସିଛନ୍ତି ।

ପ୍ରେମା ରଙ୍ଗାଚାରୀଙ୍କ ଦ୍ୱାରା ନଅ ବର୍ଷ ତଳେ ପ୍ରତିଷ୍ଠିତ ଏହି ସ୍କୁଲ୍‌ରେ କିଣ୍ଡରଗାର୍ଟନ୍‌ରୁ ୮ମ ଶ୍ରେଣୀ ଯାଏଁ ରହିଛି । ଏହା ଦ୍ୱିଭାଷୀ ସ୍କୁଲ୍‌ । ସେ କହନ୍ତି, “ପିଲାମାନଙ୍କୁ ଆଠ ବର୍ଷ ହେଲା ପର୍ଯ୍ୟନ୍ତ ସେମାନେ ଉଭୟ ତାମିଲ ଓ ଇଂରାଜୀରେ ଶିକ୍ଷାଲାଭ କରନ୍ତି । ତା’ପରେ ଆମେ ଇଂରାଜୀ ଉପରେ ଅଧିକ ଧ୍ୟାନ ଦେଉ ।” ଇଂରାଜୀ ଶିକ୍ଷାର କାରଣ “ଏଠାରେ ସ୍କୁଲ୍‌ ଖୋଲିବା ପାଇଁ ମୁଁ ଯେତେବେଳେ ଇରୁଲା ଆଦିବାସୀମାନଙ୍କ ସହ କଥାବାର୍ତ୍ତା କଲି ସେତେବେଳେ ସେମାନେ ଏହି ଦାବି କରିଥିଲେ । ସେମାନଙ୍କୁ ଲାଗୁଥିଲା ଯେ ଇଂରାଜୀ ଶିକ୍ଷାର ଅଭାବ ଯୋଗୁଁ ସେମାନଙ୍କ ପିଲାମାନେ ବ୍ୟୟବହୁଳ ଇଂରାଜୀ ମାଧ୍ୟମ ସ୍କୁଲ୍‌ରେ ପଢୁଥିବା ସଂପନ୍ନ ପରିବାରର ପିଲାମାନଙ୍କ ତୁଳନାରେ ପଛରେ ପଡ଼ିଯାଉଛନ୍ତି ।” ଏଠାକାର ପିତାମାତାମାନେ ଏଭଳି ସ୍କୁଲ୍‌ରେ ପିଲାମାନଙ୍କୁ ପଢ଼ାଇ ପାରିବେ ନାହିଁ । ଆଦିବାସୀ (ସ୍କୁଲ୍‌ରେ ମୋଟ ଛାତ୍ରଛାତ୍ରୀ ସଂଖ୍ୟାର ଅଧାରୁ ଅଧିକ) ଏବଂ ଦଳିତମାନଙ୍କ ପାଇଁ ବିଦ୍ୟା ବନମ୍‌ ସଂପୂର୍ଣ୍ଣ ମାଗଣା । ଅନ୍ୟମାନେ ମାସକୁ ୨୦୦ ଟଙ୍କା ଦିଅନ୍ତି ।

୭୩ ବର୍ଷୀୟା ରଙ୍ଗାଚାରୀ ସ୍କୁଲ୍‌ର ପ୍ରତିଷ୍ଠାତା-ଅଧ୍ୟକ୍ଷା ଏବଂ ନିର୍ଦ୍ଦେଶିକା । ଛାତ୍ରଛାତ୍ରୀମାନେ ତାଙ୍କୁ କେବଳ ‘ପାଟ୍ଟି’ (ଜେଜେମାଆ) ବୋଲି ଡାକନ୍ତି । ସ୍କୁଲ୍‌ ପରିସରରେ ଥିବା ତାଙ୍କ ଘର କାନ୍ଥରେ ଲାଗିଥିବା ସାଇନ୍‌ବୋର୍ଡ୍‌ରେ କେବଳ ଏହା ହିଁ ଲେଖା ହୋଇଛି: ‘ପାଟ୍ଟି ଭୀଡୁ’ (ଜେଜେମାଆଙ୍କ ଘର) ।

ପ୍ରକଳ୍ପ ଦିବସ ସମାରୋହରେ ମୁଖ୍ୟ ଅତିଥି ହେବା ପାଇଁ ସେ ମୋତେ କହିଥିଲେ । ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପିତାମାତାଙ୍କୁ କିଛି କହିବା ପରେ ପ୍ରଦର୍ଶନୀ ବୁଲି ଦେଖିବାକୁ କହିଥିଲେ । କିଛିଟା ପ୍ରବଳ ଆନ୍ତରିକ ଇଚ୍ଛା ଯୋଗୁଁ ମୁଁ ପ୍ରଥମେ ପ୍ରଦର୍ଶନୀ ଦେଖିବାକୁ କହିଲି ଏବଂ ତାହା ହିଁ କଲି । ସେଇ ପିଲାମାନେ କେତେ ଜାଣିଛନ୍ତି ସେ ସଂପର୍କରେ ଧାରଣା ନଥାଇ ସେମାନଙ୍କ ସହ କଥାବାର୍ତ୍ତା କରିବା ନିଜକୁ ନିର୍ବୋଧ ସାବ୍ୟସ୍ତ କରିବା ସହ ସମାନ ।

ଅତି କମ୍‌ରେ ୧୫-୨୦ଟି ଭିନ୍ନ ଭିନ୍ନ ବିଭାଗ ଥାଇ ଗୋଟିଏ ବଡ଼ ହଲ୍‌ରେ ଆୟୋଜିତ ପ୍ରଦର୍ଶନୀ ଯୋଗୁଁ ମୋତେ ଏଥିରୁ ନିସ୍ତାର ମିଳିଗଲା ।  ପ୍ରତିଟି ଟେବୁଲ, ପ୍ରତ୍ୟେକ କାନ୍ଥ, ଉତ୍ସାହୀ ଛାତ୍ରଛାତ୍ରୀମାନଙ୍କର ଗୋଟିଏ ଗୋଟିଏ ଦଳ ଦ୍ୱାରା ନିୟନ୍ତ୍ରିତ ହେଉଥିଲା ଯେଉଁମାନେ କି ସେହି ବିଷୟରେ ସେମାନଙ୍କର ଜ୍ଞାନ (କେବଳ ତଥ୍ୟ ନୁହେଁ) ବିତରଣ ପାଇଁ ଆଗଭର ହେଉଥିଲେ । ଗୋଟିଏ ବଡ଼ ଟେବୁଲରେ ଦର୍ଶକମାନଙ୍କ ପାଇଁ ରଖାଯାଇଥିଲା ଭିନ୍ନ ଭିନ୍ନ ଉପାୟରେ ଏବଂ ଆକାରରେ ରନ୍ଧାଯାଇଥିବା ଚାଉଳର କେତେକ କ୍ଷୁଦ୍ର ନମୁନା । (ହଁ, ପିଲାମାନଙ୍କ ଦ୍ୱାରା ହିଁ ରନ୍ଧାଯାଇଥିଲା)।

ଏଠାକାର ଶିକ୍ଷକମାନେ ବି ବେଶ୍‌ ମଜାଳିଆ । ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ଅଧିବାସୀ ଏବଂ ଅନେକ ଇରୁଲା ସଂପ୍ରଦାୟର । ସେଠାରେ ପଶ୍ଚିମବଙ୍ଗ ଶାନ୍ତି ନିକେତନର ଶିକ୍ଷକମାନେ ଥିଲେ, ଯେଉଁମାନେ କି କଳା ଶ୍ରେଣୀରେ ପଢ଼ାଉଥିଲେ । ଏବଂ ଅନ୍ୟାନ୍ୟ ରାଜ୍ୟ ଏବଂ ବିଦେଶରୁ ସ୍ୱେଚ୍ଛାସେବୀ ଶିକ୍ଷକମାନେ ବି ଥିଲେ,ଯେଉଁମାନେ କି ବିଦ୍ୟା ବନମ୍‌ରେ ବର୍ଷେ ଯାଏ ବିତାଉଥିଲେ । ଏସବୁ ଦ୍ୱାରା ଭିନ୍ନ ଭିନ୍ନ ସଂସ୍କୃତି ସଂପର୍କରେ ଛାତ୍ରଛାତ୍ରୀମାନେ ଅନୁଭୂତି ହାସଲ କରୁଥିଲେ । ଯେଉଁ ପିଲାମାନେ କେବେହେଲେ କୋଏମ୍ବାଟୁର ଜିଲ୍ଲା ବାହାରକୁ ଯାଇ ନଥିଲେ, ସେମାନେ ଭାରତର ଭିନ୍ନ ଭିନ୍ନ ଅଞ୍ଚଳର ଗୀତ, ନୃତ୍ୟ ଓ କ୍ଷୁଦ୍ର ନାଟିକା ପରିବେଷଣ କରିଥିଲେ । ତାହା ବି ଏଭଳି ଦର୍ଶକମାନଙ୍କ ପାଇଁ, ଯେଉଁମାନଙ୍କ ଭିତରୁ ଅଧିକାଂଶ ଦରିଦ୍ର ପିତାମାତା ଏବଂ ହୁଏତ ସେମାନେ ଗୋଟିଏ ଦିନର ମଜୁରି ହରାଇ ପ୍ରକଳ୍ପ ଦିବସକୁ ଆସିଥିଲେ ।

ଅଜବ କଥା ଯେ, ଏହି ସ୍କୁଲ୍‌କୁ ସରକାରୀ ସ୍ୱୀକୃତି ମିଳିନାହିଁ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ସହ ଅନୁବନ୍ଧିତ ହେବା ଲାଗି ସବୁ ପ୍ରଚେଷ୍ଟା ଅଧାବାଟରେ ଅଟକି ରହିଛି । ନବମ ଶିକ୍ଷା ବର୍ଷରେ ପାଦ ଥାପିଥିଲେ ହେଁ  ଏହି ଶିକ୍ଷାନୁଷ୍ଠାନକୁ ଏ ପର୍ଯ୍ୟନ୍ତ ସରକାରଙ୍କ ନିକଟରୁ ନୋ-ଅବ୍‌ଜେକ୍‌ସନ ସାର୍ଟିଫିକେଟ୍‌ ମିଳିନାହିଁ । କି ଆଶ୍ଚର୍ଯ୍ୟ । ତାମିଲନାଡୁର ଜଙ୍ଗଲରେ ଥିବା ଏହି ସ୍କୁଲ୍‌ଟି ଏ ପର୍ଯ୍ୟନ୍ତ ରାଜ୍ୟର ଅମଲାତାନ୍ତ୍ରିକ ଜଙ୍ଗଲରୁ ମୁକୁଳିବା ଲାଗି ବାଟ ଖୋଜିପାରିନାହିଁ ।

Left: Vidya Vanam students, most of them from Adivasi and Dalit communities, begin their spirited and informed debate on genetically modified crops. Right: The moderator looks at the clock she is using as a stopwatch, while a debater makes her point
PHOTO • P. Sainath
Left: Vidya Vanam students, most of them from Adivasi and Dalit communities, begin their spirited and informed debate on genetically modified crops. Right: The moderator looks at the clock she is using as a stopwatch, while a debater makes her point
PHOTO • P. Sainath

ବାମ: ଆନୁବଂଶିକ ଭାବେ ରୂପାନ୍ତରିତ ଫସଲ ଉପରେ ତଥ୍ୟ ଓ ଉତ୍ସାହରେ ଭରା ବିତର୍କ ଆରମ୍ଭ କରନ୍ତି ବିଦ୍ୟା ବନମ୍‌ର ଛାତ୍ରଛାତ୍ରୀମାନେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଦିବାସୀ ଓ ଦଳିତ ସଂପ୍ରଦାୟର । ଡାହାଣ: ଜଣେ ବକ୍ତା ତାଙ୍କ ବକ୍ତବ୍ୟ ରଖୁଥିବା ବେଳେ ସଂଚାଳିକା ଜଣକ ଷ୍ଟପ୍‌ୱାଚ୍‌ ରୂପେ ଉପଯୋଗ କରୁଥିବା ଘଡ଼ି ଉପରେ ଆଖି ପକାନ୍ତି

Left: A student's poster on what ‘Toyota’ once actually meant at the school's Project Day exhibition. Centre: Another poster traces the unusual meaning of 'Honda'. Right: Nakasone: who knew his name meant 'Middle Root'?
PHOTO • P. Sainath
Left: A student's poster on what ‘Toyota’ once actually meant at the school's Project Day exhibition. Centre: Another poster traces the unusual meaning of 'Honda'. Right: Nakasone: who knew his name meant 'Middle Root'?
PHOTO • P. Sainath
Left: A student's poster on what ‘Toyota’ once actually meant at the school's Project Day exhibition. Centre: Another poster traces the unusual meaning of 'Honda'. Right: Nakasone: who knew his name meant 'Middle Root'?
PHOTO • P. Sainath

ବାମ: ସ୍କୁଲ୍‌ର ପ୍ରକଳ୍ପ ଦିବସ ପ୍ରଦର୍ଶନୀରେ ଜଣେ ଛାତ୍ରଙ୍କ ପୋଷ୍ଟରରେ ‘ଟୋୟୋଟା’ର ପ୍ରକୃତ ଅର୍ଥ ଦର୍ଶାଯାଇଛି । ମଝି: ଅନ୍ୟ ଏକ ପୋଷ୍ଟରରେ ‘ହୋଣ୍ଡା’ର ଅସାଧାରଣ ଅର୍ଥ ପର୍ଯ୍ୟବେସିତ । ଡାହାଣ: ନାକାସୋନ୍‌: କିଏ ଜାଣିଥିଲା ତାଙ୍କ ନାଁର ଅର୍ଥ ‘ମଧ୍ୟବର୍ତ୍ତୀ ଚେର’?

Two student guides show us micro plots of land on which they are cultivating different varieties of paddy
PHOTO • P. Sainath

ଗାଇଡ୍‌ ଭାବରେ ଦୁଇ ଜଣ ଛାତ୍ର, ଆମକୁ ଛୋଟ ଛୋଟ ଜମିରେ ସେମାନେ ଚାଷ କରିଥିବା ଭିନ୍ନ ଭିନ୍ନ କିସମର ଧାନ ଦେଖାନ୍ତି 

PHOTO • P. Sainath

ମଞ୍ଚକୁ ଯିବା ପାଇଁ ପାଳି ପଡ଼ିବାକୁ ଅପେକ୍ଷାରତ କଳାକାରମାନେ

My pick from the posters made for Project Day. This one is the product of a very young group
PHOTO • P. Sainath

ପ୍ରକଳ୍ପ ଦିବସ ପାଇଁ ପ୍ରସ୍ତୁତ ପୋଷ୍ଟର ମଧ୍ୟରୁ ମୋ ପସନ୍ଦର ଗୋଟିଏ । ଖୁବ୍‌ କମ୍‌ ବୟସର ପିଲାମାନଙ୍କର ଏକ ଦଳ ଏହାକୁ ପ୍ରସ୍ତୁତ କରିଛନ୍ତି

Performers waiting in the wings for their turn to go on stage
PHOTO • P. Sainath

ବାର୍ଷିକ ପ୍ରକଳ୍ପ ଦିବସ ଅବସରରେ ନୃତ୍ୟ ପ୍ରଦର୍ଶନ

And songs, too, from different parts of the country
PHOTO • P. Sainath

ଏବଂ ଦେଶର ଭିନ୍ନ ଭିନ୍ନ ଭାଗରୁ ଗୀତ ବି 

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ପି.ସାଇନାଥ ପିପୁଲ୍ସ ଆର୍କାଇବ ରୁରାଲ ଇଣ୍ଡିଆର ସଂସ୍ଥାପକ ସମ୍ପାଦକ, ସେ କେଇ ଦଶକ ଧରି ଜଣେ ଗ୍ରାମୀଣ ସମ୍ବାଦଦାତା ଭାବରେ କାର୍ଯ୍ୟ କରିଛନ୍ତି ଏବଂ ସେ ‘ଏଭ୍ରିବଡି ଲଭ୍ସ ଏ ଗୁଡ୍ ଡ୍ରଟ୍’ର ଲେଖକ।

Other stories by P. Sainath