ଟେବୁଲଟି ସରପଞ୍ଚଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ମାତ୍ର କିଛି ସପ୍ତାହ ପରେ ୪୪ ବର୍ଷିୟ ଶାଲୁବାଇ କସ୍ବେ ପାଞ୍ଚ ବର୍ଷିଆ ପଦବୀରେ ନିର୍ବାଚିତ ହେଲେ। ଏହା ଥିଲା ୨୦୧୧ ମସିହା। ଓ୍ୱାଘୋଲି ଗାଁର ଯୁବକମାନେ ଛତ୍ରପତି ଶିବାଜୀଙ୍କର ଏକ ପ୍ରତିମୂର୍ତ୍ତି ପଞ୍ଚାୟତ ଅଫିସ ଭିତରକୁ ନେଇ ଆସିଲେ। ଏହାକୁ ଟେବୁଲ ଉପରେ ରଖିବା ପାଇଁ ସେମାନେ ନିଷ୍ପତ୍ତି ନେଲେ। 

ତେଣୁ ସରପଞ୍ଚ ନିର୍ବାଚିତ ହୋଇଥିବା ଓ ସମାନାବାଦ ଜିଲ୍ଲାର ଏହି ଦଳିତ ମହିଳାଙ୍କ ପାଇଁ ଆଉ ଟେବୁଲ ନଥିଲା। ପୂରା ପାଞ୍ଚ ବର୍ଷ ସେ କେବଳ ଚୌକିରେ ବସି କାମ କଲେ। ପଞ୍ଚାୟତ କାଗଜପତ୍ରରେ ଦସ୍ତଖତ କରିବା ପାଇଁ ଅନ୍ୟ ଗ୍ରାମବାସୀ ଯେଉଁଠି ବସନ୍ତି ତାଙ୍କୁ ବି ସେଠାରେ ବସିବାକୁ ପଡେ। ଉଚ୍ଚ ଜାତିର ଲୋକେ ପ୍ରକୃତ କ୍ଷମତାର ଅଧିକାରୀ। ସେ କେବଳ ପ୍ରତିକାତ୍ମକ ଭାବେ କାଗଜପତ୍ରରେ ଦସ୍ତଖତ କରନ୍ତି। ଟେବୁଲ ସେପାଖରେ କିରାଣୀ ଅଫିସ ରେଜିଷ୍ଟର କାମ କରନ୍ତି। 

୨୦୧୦ରେ ସରପଞ୍ଚ ପଦବୀରେ ଲଢିବାକୁ ସତୀଶ ଖାଡକେ ସାଲୁବାଇଙ୍କୁ ପ୍ରବର୍ତ୍ତାଇଥିଲେ। କିନ୍ତୁ ତାଙ୍କ ସ୍ୱାମୀ ଏବଂ ଦୁଇ ପୁଅ ତାଙ୍କୁ ବାରଣ କରିଥିଲେ। ସେମାନେ ଜାଣିଥିଲେ ଯେ, ସରପଞ୍ଚ ଭାବରେ ତାଙ୍କର କୌଣସି କ୍ଷମତା ରହିବ ନାହିଁ। ନାଁକୁ ମାତ୍ର କାଗଜପତ୍ରରେ ଦସ୍ତଖତ କରିବାର ପ୍ରତିକାତ୍ମକ କ୍ଷମତା ରହିବ। ବାସ୍ତବ କ୍ଷମତା ଉପଭୋଗ କରିବେ ଖାଡକେ। ତାଙ୍କ ହାତରେ ଲଗାମ ରହିବ। କେବଳ ନାଁ ଦସ୍ତଖତ ଶିଖିଥିବା ନିରକ୍ଷର ସାଲୁବାଇଙ୍କ ପାଇଁ ଏହା କିଛି ସହାୟକ ହେବନି। 

PHOTO • Namita Waikar

ରାମ ପଞ୍ଚାୟତ ଅଫିସ୍(ବାମ)ରେ କିରାଣୀଙ୍କ ଟେବୁଲରେ  ସାଲୁବାଇ ଦସ୍ତଖତ କରନ୍ତି ଏବଂ ଗଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରନ୍ତି (ଡାହାଣ; ଫଟୋ ସୌଜନ୍ୟ: ୱାଘୋଲି ଗ୍ରାମ ପଞ୍ଚାୟତ)

ତଥାପି ସେ ମନା କରିପାରିଲେନି। ଖାଡକେ ହେଉଛନ୍ତି ଉଚ୍ଚ ଜାତିର ମରାଠା। ତାଙ୍କର ଅନେକ ଭୂସଂପତ୍ତି ରହିଛି। ୧,୭୪୬ ଜନସଂଖ୍ୟା ବିଶିଷ୍ଟ ଏହି ଗାଁର କୃଷି ଶ୍ରମିକମାନେ ତାଙ୍କ ଉପରେ କାମ ପାଇଁ ନିର୍ଭର କରନ୍ତି।

ସରପଞ୍ଚ ହେବା ସାଲୁବାଇଙ୍କ ଜୀବନରେ କିଛି ପରିବର୍ତ୍ତନ କଲା କି? ଏହା ମାଙ୍ଗ ଦଳିତ ସଂପ୍ରଦାୟ ପାଇଁ ସହାୟକ ହେଲା କି?

ଭିଡିଓ ଦେଖନ୍ତୁ: ଓ୍ୱାଘୋଲି ଗାଁର ସରପଞ୍ଚ ନିଯୁକ୍ତ ହେବା ପରେ ସାଲୁବାଇଙ୍କର ଜୀବନ ତରଙ୍ଗରେ ସାମାନ୍ୟ ପରିବର୍ତ୍ତନ ଘଟିଛି

ଏହା ଅନେକ ବାଟ​‌ରେ ସହାୟକ ହେଲା। ପଞ୍ଚାୟତ କାର୍ଯ୍ୟାଳୟରେ ବର୍ତ୍ତମାନ ମାଙ୍ଗ ଦଳିତ ସଂପ୍ରଦାୟର ଆନ୍ନାଭାଉ ସାଥେଙ୍କ ଫଟୋଚିତ୍ରଟିଏ ଟଙ୍ଗା ଯାଇଛି। ଆନ୍ନାଭାଉ ଜଣେ ପ୍ରଖ୍ୟାତ ଲେଖକ, କବି ଏବଂ ସମାଜ ସଂସ୍କାରକ। ସାଲୁବାଇ ସରପଞ୍ଚ ହେବା ପରେ ଦଳିତ ସଂପ୍ରଦାୟର ଜଣେ ରାଜନୈତିକ ଦଳର କର୍ମୀ ଏହାକୁ ଟାଙ୍ଗିଥିଲେ।

PHOTO • Namita Waikar

ଆନ୍ନାଭାଉ ସାଥେଙ୍କ ଫଟୋ (ପୂରା ଡାହଣ ପାର୍ଶ୍ୱ), ମାଙ୍ଗ ସଂପ୍ରଦାୟର ଜଣେ ସାମାଜ ସଂସ୍କାରକ। ପଞ୍ଚାୟତ କାର୍ଯ୍ୟାଳୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଜ୍ୟୋତିବା ଫୁଲେ, ଭଗତ ସିଂ, ଲୋକମାନ୍ୟ ତିଳକ ଏବଂ ସାବିତ୍ରୀବାଇ ଫୁଲେଙ୍କ ଫଟୋ ମଧ୍ୟରେ ତାଙ୍କ ଫଟୋ ସ୍ଥାନ ପାଇଛି

ନିର୍ବାଚନ ପୂର୍ବରୁ ମାଙ୍ଗ ସଂପ୍ରଦାୟର ଲୋକେ ତାଙ୍କ ଶ୍ରଦ୍ଧେୟ ନେତାଙ୍କ ଜୟନ୍ତୀ ଖୋଲାଖୋଲି ଭାବେ ପାଳନ ପାରିପାରୁ ନଥିଲେ। ବର୍ତ୍ତମାନ ପ୍ରତି ଅଗଷ୍ଟ ପହିଲାରେ ସେମାନେ ୱାଘୋଲି ରାସ୍ତାରେ ଏକ ଶୋଭାଯାତ୍ରା ବାହାର କରୁଛନ୍ତି। କିନ୍ତୁ ଏଥିପାଇଁ ଲଢେଇ କରିବାକୁ ପଡିଛି। ପ୍ରଥମ ବର୍ଷ ଯେତେବେଳେ ସେମାନେ ଗାଁ ରାସ୍ତାରେ ଏକାଠି ହେଲେ, ସେତେବେଳେ ଉଚ୍ଚ ଜାତିର ଲୋକ ତାଙ୍କୁ ଶୋଭାଯାତ୍ରା ବନ୍ଦ କରିବାକୁ ଚାପ ପକାଇଲେ। ସେହିବର୍ଷ ସାଲୁବାଇ ୨୦ ଜଣ ମାଙ୍ଗ ମହିଳାଙ୍କ ଦସ୍ତଖତ ନେଇ ପୋଲିସ ପାଟିଲ(ଗାଁର ଏକ ଅର୍ଦ୍ଧ ନ୍ୟାୟିକ ମୁଖ୍ୟ କାର୍ଯ୍ୟାଳୟ)ରେ ଅଭିଯୋଗ ଦାୟର କରିବା ସହ ସୁରକ୍ଷା ମାଗିଲେ। ଏକ ପୋଲିସ ଭ୍ୟାନ ତାଙ୍କ ସହ ରହିଲା। ଉଚ୍ଚ ଜାତିର ଲୋକେ ପୁଣି ତାଙ୍କ ମେଳି ଭାଙ୍ଗିବାକୁ ଚେଷ୍ଟା କଲେ। କିନ୍ତୁ ପୋଲିସ ସୁରକ୍ଷା ଦେଲା। ଏହା ପରଠାରୁ ଶୋଭାଯାତ୍ରାକୁ ଆଉ କେହି କେବେ ବିରୋଧ କରି ନାହାନ୍ତି। 

ପଞ୍ଚାୟତ କାର୍ଯ୍ୟାଳୟରୁ ସାଲୁବାଇ ଆମକୁ ଗାଁମୁଣ୍ଡ ଛକରେ ଥିବା ଏକ ଛୋଟ ଶିବ ମନ୍ଦିରକୁ ନେଲେ। ସେ କହିଲେ, “ପୂର୍ବରୁ ଆମ ସଂପ୍ରଦାୟର ଲୋକେ ମନ୍ଦିର ବାହାରେ ରହି ପ୍ରାର୍ଥନା କରୁଥିଲେ। ମୁଁ ସରପଞ୍ଚ ହେବା ପରେ କିଛି ପଞ୍ଚାୟତ ସଦସ୍ୟ ଗାଁର ସବୁ ମନ୍ଦିରରେ ଏକାଠି ପ୍ରାର୍ଥନା କରୁଛନ୍ତି। ମୁଁ ବାହାରେ ଛିଡାହୋଇଥିଲି, କିନ୍ତୁ ସେମାନେ ମୋତେ ଭିତରକୁ ନେଇଗଲେ। ସରପଞ୍ଚ ହେବାରୁ ଏହି ସମ୍ମାନ ମିଳିଛି।”

PHOTO • Namita Waikar

ସରପଞ୍ଚ ଭାବେ ସାଲୁବାଇଙ୍କ ପ୍ରଥମ ଗ୍ରାମସଭା ବୈଠକ; ମାରୁତି ମନ୍ଦିରରେ ବସିଥିବା ବୈଠକରେ ଅନ୍ୟ ମହିଳାଙ୍କ ପୂରା ବାମ ପାର୍ଶ୍ୱରେ ଅଛନ୍ତି ସାଲୁବାଇ (ଫଟୋ ସୌଜନ୍ୟ: ଓ୍ୱାଘୋଲି ଗ୍ରାମ ପଞ୍ଚାୟତ)

ଥରେ ମନ୍ଦିର ଭିତରେ ପଶିବା ପାଇଁ ସାଲୁବାଇଙ୍କୁ ଅନୁମତି ମିଳିଲା। ପରେ ତାଙ୍କ ସଂପ୍ରଦାୟର ଅନ୍ୟମାନେ ମଧ୍ୟ ମନ୍ଦିରରେ ପଶିଲେ। ବର୍ତ୍ତମାନ ମାଙ୍ଗ ସଂପ୍ରଦାୟର ଲୋକେ ଶିବ ମନ୍ଦିରରେ ସପ୍ତାହ (ଏକ ପକ୍ଷ ଧରି ପୂଜା ଏବଂ ପ୍ରବଚନ) ପାଳନ କରୁଛନ୍ତି। ଉଚ୍ଚ ଜାତିର ଲୋକେ ମାରୁତି ମନ୍ଦିରରେ ସପ୍ତାହ ପାଳନ କରୁଛନ୍ତି। ମାରୁତି ମନ୍ଦିରରେ ମଧ୍ୟ ଗ୍ରାମସଭା ହେଉଛି, କାରଣ ପଞ୍ଚାୟତ କାର୍ଯ୍ୟାଳୟରେ ସମସ୍ତଙ୍କ ବସିବା ପାଇଁ ଜାଗା ନାହିଁ। କାଗଜପତ୍ରରେ ଦସ୍ତଖତ କରିବାକୁ ଥିବାରୁ ସାଲୁବାଇ ମଧ୍ୟ ମନ୍ଦିରରେ ହୋଇଥିବା ସଭାରେ ଯୋଗ ଦେଇଥିଲେ। 

ପରିବର୍ତ୍ତନର ପରିସର ସୀମିତ ଥିଲା : ୱାଘୋଲିର ଦଳିତ ବସ୍ତିରେ ମାଙ୍ଗ ଏବଂ ମାହାରମାନେ ଅଲଗା ରହୁଥିଲେ। ବସ୍ତିର ଶେଷ ମୁଣ୍ଡ ରାସ୍ତାକୁ ଲାଗିଥିଲା ସାଲୁବାଇଙ୍କ ଛୋଟିଆ ଘର। ଘରର ଛାତ ଏବଂ ଚାରିକାନ୍ଥ ଟିଣ ଚାଦରରେ ନିର୍ମିତ।  ଘରର ଦୁଇଟି ଦରଜା, କିନ୍ତୁ ଝରକା ନାହିଁ। ସେଇ ଘର ଭିତରେ ସବୁ ଆସବାବପତ୍ର: ଗୋଟିଏ ରଶିରେ ଲୁଗାପଟା ଟଙ୍ଗା ଯାଇଛି, ଗୋଟିଏ ସିଙ୍ଗିଲ ବେଡ୍, କପ୍ ବୋର୍ଡ ଉପରେ ଟିଭି, ଗୋଟିଏ ଗ୍ୟାସ ସିଲିଣ୍ଡର, ଚଟାଣ ଉପରେ ଦୁଇଟି ବର୍ଣ୍ଣର ବିଶିଷ୍ଟ ଗୋଟିଏ ଚୂଲି, ବାସନକୁସନ ଏବଂ ଅନ୍ୟନ୍ୟ ଜିନିଷ ରଖିବା ପାଇଁ ଗୋଟିଏ ଧାତୁ ନିର୍ମିତ ଥାକ ଏବଂ ଖାଦ୍ୟଶଶ୍ୟ ରଖିବା ପାଇଁ ଟିଣ ବାକ୍ସ। ବଡ ପରିବାରକୁ ଛୋଟିଆ ଘର। ଜିନିଷପତ୍ର ଖୁନ୍ଦାଖୁନ୍ଦି। ପରିବାର ଲୋକେ ତାଙ୍କ କାହାଣୀ ଶୁଣାଇବାକୁ ଆଗ୍ରହୀ ଥିଲେ।

PHOTO • Namita Waikar

ସାଲୁବାଇ ତାଙ୍କ ସ୍ୱାମୀ ରାଜେନ୍ଦ୍ର କସବେଙ୍କ ସହ ଘର ଭିତରେ ଥିଲେ ; ତାଙ୍କ ସାନ ଝିଅ ଆମକୁ ଚାହୁଁଥିଲା।

ସାଲୁବାଇ କହିଲେ, “ମୁଁ ସରପଞ୍ଚ ହେବା ପରେ ଆମେ ଏହି ଘରଟି ତିଆରି କରିଛୁ। ଗୋଟିଏ ଦିନ ଇଟା କାଦୁଅର ପୁରୁଣା ଘର ଭୁଶୁଡି ପଡିଲା। ଧାରୁଆ ଟିଣ ଚାଦର ମୋ ସ୍ୱାମୀଙ୍କ ଜଂଘରେ ପଡିବାରୁ ସେ ଆହତ ହେଲେ। ଏକାଧିକ ଷ୍ଟିଚ୍ ପଡିଲା।”

ତାଙ୍କ ସ୍ୱାମୀ କହିଲେ, “ଆମର ଏପର୍ଯ୍ୟନ୍ତ ଭଲ ଘର ଖଣ୍ଡିଏ ନାହିଁ। ଆପଣ ବିପିଏଲ ( ଦାରିଦ୍ର୍ୟ ସୀମାରେଖା ତଳେ) ହୋଇଥିଲେ ଘର ଖଣ୍ଡିଏ ପାଇବେ। ଆମର ଗୋରୁଗାଈ, ଜାଗାବାଡି, ଧନ ସଂପତ୍ତି କିଛି ନାହିଁ- କିନ୍ତୁ ଆମେ ବିପିଏଲ ନୁହଁ। ସରପଞ୍ଚ ଭାବେ ତାଙ୍କୁ ମାସିକ ମାତ୍ର ୬୦୦ ଟଙ୍କା ମିଳେ। ସେଥିରେ ଆମ ପରିବାର କେମିତି ଚଳିବ ?” 

ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ସାଲୁବାଇ ପଞ୍ଚାୟତ କାର୍ଯ୍ୟାଳୟରେ କାମ କରନ୍ତି। ତାପରେ ଅନ୍ୟ କୃଷି ଶ୍ରମିକ ଭଳି କ୍ଷେତରେ କାମ କରନ୍ତି। ସୋୟାବିନ ଚୋପା ଛଡାଇବା କିମ୍ବା ମଞ୍ଜି ଲଗାଇବା ପାଇଁ ମହିଳାମାନଙ୍କୁ ଦିନକୁ ୧୫୦ ଟଙ୍କା ମିଳେ। ଗାତ ଖୋଳିବା, ହଳ କରିବା ଏବଂ ବିହନ ବୁଣିବା କାର୍ଯ୍ୟରେ ପୁରୁଷମାନଙ୍କୁ ଏହାର ଦୁଇଗୁଣା ମିଳିଥାଏ।

PHOTO • Namita Waikar

ସୋୟାବିନ ଜମିରେ ବେଉଷଣ

ସାଲୁବାଇଙ୍କ ବଡପୁଅ ସଚିନ, ବୟସ ୨୯। ସେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି। ତାଙ୍କର ଦୁଇଟି ପିଲା। ସେ କହନ୍ତି ସରପଞ୍ଚ ଭାବେ ଗାଁ ଚଳାଇବା ତାଙ୍କ ମା’ଙ୍କ ପାଇଁ କଷ୍ଟକର। ସେ କେବଳ ମାଙ୍ଗ ସଂପ୍ରଦାୟରେ ଗ୍ରହଣୀୟ ହୋଇପାରିଛନ୍ତି। ଯେ କୌଣସି ସମୟରେ ସେମାନଙ୍କ ଦସ୍ତଖତ ନେବା ସହଜ। 

ସଚିନ କହିଲେ, “ମରାଠାମାନେ ଆମକୁ ଶାସନ କରନ୍ତି। ଆମ ବିକାଶ ସେମାନେ ଚାହାନ୍ତି ନାହିଁ। ସେମାନଙ୍କ ସଂଖ୍ୟା ଅଧିକ ଏବଂ ତାଙ୍କ ନିୟନ୍ତ୍ରଣରେ ସବୁକିଛି ରହିଛି। ସେମାନଙ୍କୁ ବିରୋଧ କଲେ ସମସ୍ୟା ହେବ। ସେମାନେ ଆମକୁ କ୍ଷେତ ବାରଣ କରିବେ ଏବଂ ଅନ୍ୟ କିଛି କରାଇ ଦେବେ ନାହିଁ। ” 

ସାଲୁବାଇ ପୁଅକୁ ବାଧା ଦେଲେ। ସେ କହିଲେ, “ତାଙ୍କୁ ମୁକାବିଲା କରିବା କଣ ଆବଶ୍ୟକ ? ସେମାନଙ୍କର ଜମି ଅଛି, ଆମେ ସେଠି କାମ କରୁଛୁ। ମୋ ସହ ତାଙ୍କର ସଂପର୍କ ଭଲ। କାରଣ ପାଞ୍ଚ ବର୍ଷ ପାଇଁ ମୋ ପକ୍ଷରୁ ତାଙ୍କ ପାଇଁ କୌଣସି ସମସ୍ୟା ନାହିଁ। ”  

ନାୟବ ସରପଞ୍ଚ ଖାଡକେ ଜଣେ ଜମିଦାର ଏବଂ ଜଣେ ଡିଗ୍ରୀଧାରୀ ଇଂଜିନିୟର। କିନ୍ତୁ ସେଭଳି ସହାନୁଭୂତିଶୀଳ ନୁହନ୍ତି। ସେ କହନ୍ତି, “ ନିରକ୍ଷର ମହିଳାଙ୍କୁ ବୁଝେଇବା ଭାରି କଷ୍ଟ। ଏପରିକି ସେମାନେ ପଢା ଲେଖା ଜାଣିଲେ ବି ଶିକ୍ଷିତ ବୋଲି କୁହାଯିବନି। ” 

ସାଲୁବାଇ ଭାବିଥିଲେ ସେ ସରପଞ୍ଚ ହେବା ପରେ ତାଙ୍କ ପୁଅମାନେ କିଛି ସ୍ଥାୟୀ ଧନ୍ଦା କରିବେ। କିନ୍ତୁ ସେମିତି କିଛି ହେଲାନି। ସରପଂଚ କାର୍ଯ୍ୟକାଳ ଭିତରେ ତାଙ୍କ ପୁଅ ସଚିନ୍ ସେମିତି ଆଗଭଳି ଜଣେ କୃଷି ଶ୍ରମିକ ଭାବେ କାମ କଲେ।

୭୩ତମ ସଂଶୋଧନ (ପଞ୍ଚାୟତିରାଜ ସଂପର୍କିତ ସଂବିଧାନ ସଂଶୋଧନ) ଅନୁସାରେ ସାଲୁବାଇ ସଂରକ୍ଷଣ ବ୍ୟବସ୍ଥାରେ ନିର୍ବାଚିତ ହୋଇଥିଲେ। ନଭେମ୍ବର ୨୦୧୫ରେ ତାଙ୍କ କାର୍ଯ୍ୟକାଳ ସରିଲା। ନିର୍ବାଚନ ପାଇଁ ସେ ତାଙ୍କର ନିଜସ୍ୱ ଅର୍ଥ ଖର୍ଚ୍ଚ କରିଥିଲେ। ଏପରିକି ପ୍ରଚାର ଖର୍ଚ୍ଚ ପାଇଁ ସେ ତାଙ୍କର ଏକ ମାତ୍ର ମଇଁଷିକୁ ବିକ୍ରି କରି ଦେଇଥିଲେ। ସେ ଦୁଃଖର ସହ କହିଲେ, “ମୋତେ ଭୋଟ ଦେବାକୁ ମୋ ଭଉଣୀ ମଧ୍ୟ ନୂଆ ଶାଢୀ ମାଗିଥିଲା।”

“ଉଚ୍ଚ ଜାତିର ଲୋକେ ମୋତେ ବଢିବାକୁ ଦେଲେନି। ସେମାନେ କେବଳ ସବୁକିଛି ଉପଭୋଗ କରୁଥିଲେ ଆଉ ଟଙ୍କା ରୋଜଗାର କରୁଥିଲେ। ଆମେ ପଛୁଆ ଜାତିର ଲୋକ। ପ୍ରତିବାଦ କଲେ ଗାଁରୁ ତଡି ଦେବା ପାଇଁ ସେମାନେ କହିବେ। ଆମେ କୁଆଡେ ଯିବୁ? ସେଥିପାଇଁ ନିରବ ରହୁ।”

ତଥାପି ତାଙ୍କୁ ସରପଞ୍ଚ ଭାବେ ସମ୍ମାନ ମିଳେ ବୋଲି ସାଲୁବାଇ କହନ୍ତି। ବାସ୍ତବରେ କିନ୍ତୁ ତାଙ୍କ ପାରିବାରିକ ଜୀବନରେ ସେମିତି କିଛି ବଡ ପରିବର୍ତ୍ତନ ହୋଇନି। ସେମାନେ ସେମିତି ଗରିବ ଏବଂ ଭୂମିହୀନ ହୋଇ ରହିଛନ୍ତି। ଗାଁ ଶେଷ ମୁଣ୍ଡରେ ନିଷ୍ପେଷିତ ସମାଜ ଭିତରେ ଜୀବନ କାଟୁଛନ୍ତି।

PHOTO • Namita Waikar

ଓ୍ୱାଘୋଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ବାହାରେ ଛତ୍ରପତି ଶିବାଜୀଙ୍କ ଏକ ପ୍ରତିମୂର୍ତ୍ତି ସାମ୍ନାରେ ସାଲୁବାଇ ଛଡା ହୋଇଥିଲେ। 

ପରିଶିଷ୍ଟ: ଶାଲୁବାଇଙ୍କ ସ୍ୱାମୀ ରାଜେନ୍ଦ୍ରଙ୍କର ଏକ ମାଲାଇନମେଣ୍ଟ ଟ୍ୟୁମର ଥିଲା। କୌଣସି ବଡ ହସ୍ପିଟାଲରେ ଏହାର ଚିକିତ୍ସା କରିବାକୁ ପରିବାର ଲୋକେ ଚାହୁଁଥିଲେ। ଏଥିପାଇଁ ଗାଁ ମହାଜନ ପାଖରୁ ସେ ବଡ ଅଙ୍କର ଅର୍ଥ ଆଣିଥିଲେ ଏବଂ ପଡୋଷୀଙ୍କଠାରୁ କିଛି ଟଙ୍କା ଧାର କରିଥିଲେ। ଏପ୍ରିଲ ୨୦୧୬ରେ ତାଙ୍କର ମୃତ୍ୟୁ ଘଟିଲା। ଏହାର ମାତ୍ର କିଛି ଦିନ ପରେ ଶାଲୁବାଇଙ୍କର ଦୁଇ ପୁଅ ତାଙ୍କୁ ଅଲଗା କରିଦେଲେ। ବର୍ତ୍ତମାନ ସେ ପୂରା ଏକୁଟିଆ ଏବଂ ପ୍ରତିଦିନ ପଡୋଷୀଙ୍କ ଧାର ଟଙ୍କାକୁ ନେଇ ଚିନ୍ତାରେ ଅଛନ୍ତି। ଋଣ ଟଙ୍କା ପରିଷୋଧ ହୋଇ ନଥିବାରୁ ଘର ଖଣ୍ଡିକ ଦେଇଦେବାକୁ କିମ୍ବା ଗୋତି ଶ୍ରମିକ ଭାବେ କାମ କରିବାକୁ ମହାଜନ ଚାପ ପକାଉଛି।  

ଏହି କାହାଣୀ ସଂଗ୍ରହ କରିବାରେ ସାହାଯ୍ୟ ପାଇଁ ପୂର୍ବତନ ଏବିପି ମାଝାର କର୍ମକର୍ତ୍ତା ଭାରତ ପାଟିଲଙ୍କୁ ଧନ୍ୟବାଦ

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍‌ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ନମିତା ଓ୍ୱାକର ଜଣେ ଲେଖକ, ଅନୁବାଦକ ଏବଂ PARIର ପରିଚାଳନା ସଂପାଦକ। କେମିସଃତଈ ଡାଟବେସ୍ଫା ର୍ମର ସେ ଜଣେ ଅଂଶୀଦାର। ସେ ଜୈବ ରସାୟନବିତ ଭାବେ କାର୍ଯ୍ୟ କରିଛନ୍ତି ଏବଂ ଜଣେ ସଫ୍ଟଓ୍ୱାର ପ୍ରକଳ୍ପ ପରିଚାଳକ।

Other stories by Namita Waikar