ନାନ୍ଦେଡର ମାହୁର ତାଲୁକାର ସାୱରଖେଡ଼ ଗ୍ରାମର ଖୁବ୍‌ କମ୍‌ ଲୋକ ମନଖୋଲି ହସିପାରନ୍ତି କିମ୍ବା ବିନା ଚିନ୍ତାରେ ହସିପାରନ୍ତି। ଯେତେବେଳେ କୌଣସି ଅପରିଚିତ ଲୋକଙ୍କ ସହ ସେମାନେ କଥା ହୁଅନ୍ତି, ନିଜ ମୁଖ ବିଷୟରେ ଖୁବ୍‌ ସଚେତନ ଥାଆନ୍ତି। ରାମେଶ୍ୱର ଯାଦବ କୁହନ୍ତି, ‘‘ଏହା ଲଜ୍ଜାଜନକ।’’ ସେ ଯେତେବେଳେ କଥା କୁହନ୍ତି, ସେତେବେଳେ ଆପଣ ଦେଖିପାରିବେ ତାଙ୍କ ଦାନ୍ତ ଖରାପ ହୋଇ ଭାଙ୍ଗିଯାଇଛି। ସେଗୁଡ଼ିକର ରଙ୍ଗ ଲାଲ୍‌ ହଳଦିଆରୁ ଗାଢ଼ ମାଟିଆ ପର୍ଯ୍ୟନ୍ତ ହୋଇଯାଇଛି।

22 ବର୍ଷ ବୟସ୍କ ରାମେଶ୍ୱର ଜଣେ କୃଷି ଶ୍ରମିକ। ପ୍ରାୟ 500 ଜନସଂଖ୍ୟା ବିଶିଷ୍ଟ ସାୱରଖେଡ଼ରେ ଏହି ସମସ୍ୟା ଥିବା ସେ ଏକମାତ୍ର ବ୍ୟକ୍ତି ନୁହନ୍ତି। ଗାଁର ପ୍ରାୟ ସମସ୍ତ ବୟସ୍କ ପ୍ରାପ୍ତ ଲୋକଙ୍କ ଦାନ୍ତ କିଛି ନା କିଛି ପରିମାଣରେ ଖରାପ ହୋଇଯାଇଛି। ଅନେକଙ୍କର ହାଡ଼ ବଙ୍କା ହୋଇଯାଇଛି ଏବଂ ଆଉ କେତେଜଣ ସ୍ଥାୟୀ ଭାବରେ ଆଗକୁ ନଇଁ ଯାଇଛନ୍ତି । ଗାଁର ସବୁଜ ଜମିଗୁଡ଼ିକରେ ଥିବା ଅଣଓସାରିଆ ରାସ୍ତା ଉପରେ ଯିବା ସମୟରେ ସେମାନେ ଆଗକୁ ନଇଁ ଚାଲୁଥାନ୍ତି। ଯେଉଁମାନେ ଚାଲିପାରନ୍ତି, ସେମାନେ ବାରମ୍ବାର ଅଟକି ରହିବା ଆବଶ୍ୟକ ହେଉଛି। ସମୁଦାୟ ଗ୍ରାମ ଏକ ଭିନ୍ନ ଯୁଗରେ ମନ୍ଥର ଗତିରେ ଆଗଉଥିବା ପରି ମନେ ହେଉଛି।

ଏହି ପରିସ୍ଥିତି ସୃଷ୍ଟି ହୋଇଛି, ଯାହା ମାଟି ତଳେ ଅଛି ତାହା ଦ୍ୱାରା। ଏଠାରେ ଭୂତଳ ଜଳରେ ଫ୍ଲୋରାଇଡ୍‌ ଅଛି। ଏହା ଏକ ରାସାୟନିକ ଦ୍ରବ୍ୟ ଯାହା ପ୍ରାକୃତିକ ଭାବେ ମାଟି, ପାହାଡ଼ ଏବଂ ଭୂତଳ ଜଳରେ ଥାଏ। କିନ୍ତୁ ଏହାର ସାନ୍ଧ୍ରତା ଅଧିକ ହେଲେ ଏହା ଭୀଷଣ କ୍ଷତିକାରକ ହୋଇପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଲିଟର ପିଛା 1.5 ମିଲିଗ୍ରାମ୍‌ରୁ ଅଧିକ ଫ୍ଲୋରାଇଡ୍‌ ବ୍ୟବହାର ପାଇଁ ଖୁବ୍‌ ବିପଜ୍ଜନକ। ସାୱାରଖେଡ଼ରେ 2012-2013ରେ ଭୂତଳ ଜଳ ସର୍ବେକ୍ଷଣ ଏବଂ ବିକାଶ ସଂସ୍ଥାନ (GSDA) ଦ୍ୱାରା କରାଯାଇଥିବା ସର୍ବେକ୍ଷଣରୁ ଭୂତଳ ଜଳରେ 9.5 ମିଲିଗ୍ରାମ୍‌ରୁ ଅଧିକ ଫ୍ଲୋରାଇଡ୍‌ ଥିବା ଜଣାପଡ଼ିଥିଲା।

ନାନ୍ଦେଡ୍‌ ସହରର ଜଣେ ଚିକିତ୍ସକ ଡ. ଆଶୀଷ ଅର୍ଦ୍ଧପୁରକର୍ କୁହନ୍ତି, ‘‘ଫ୍ଲୋରୋସିସ୍‌ ହେବା ଜଳରେ ଫ୍ଲୋରାଇଡ୍‌ର ପରିମାଣ ଉପରେ ନିର୍ଭର କରେ। ତେଣୁ ଏହା କେତେ ବୃଦ୍ଧି ପାଏ, ସେଥିରେ ମଧ୍ୟ ଫରକ୍‌ ଆସେ। କିନ୍ତୁ ଥରେ ଫ୍ଲୋରୋସିସ୍‌ ଆରମ୍ଭ ହେଲେ ଏହାକୁ ରୋକାଯାଇପାରିବ ନାହିଁ। କିନ୍ତୁ ପିଲାମାନେ ଏଥିରୁ ସୁରକ୍ଷିତ। ସେମାନଙ୍କର ଜ୍ଞାନ ଦାନ୍ତ ବିକଶିତ ହେବା ପରେ ହିଁ ସେମାନେ ଦନ୍ତ ଫ୍ଲୋରୋସିସ୍‌ରେ ଆକ୍ରାନ୍ତ ହୋଇପାରନ୍ତି। ସେହିପରି ସେମାନଙ୍କ ଅସ୍ଥି ବିକଶିତ ହେବା ପରେ ହିଁ ସ୍କେଲେଟାଲ୍‌ ଫ୍ଲୋରୋସିସ୍‌ରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଏହା ସାଧାରଣତଃ 6 ବର୍ଷ ବୟସ ପରେ ହିଁ ହୋଇଥାଏ। 

Man with rotten teeth
PHOTO • Parth M.N.
Man with his two front teeth missing
PHOTO • Parth M.N.

ରାମେଶ୍ୱର ଯାଦବ (ବାମ) ଏବଂ ତାଙ୍କ ପିତା ଶେଷରାଓ ସାୱରଖେଡ୍‌ରେ ପାନୀୟ ଜଳରେ ଉଚ୍ଚ ଫ୍ଲୋରାଇଡସ୍ତର ଯୋଗୁଁ ପ୍ରଭାବିତଙ୍କ ମଧ୍ୟରୁ ଅନ୍ୟତମ।

ଲାଟୁର୍‌ ସହରର ଜଣେ ଖ୍ୟାତନାମା ଦନ୍ତ ଚିକିତ୍ସକ ସତୀଶ ବେରାଜଦାର କୁହନ୍ତି, ‘‘ପ୍ରାଥମିକ ଅବସ୍ଥାରେ ଫ୍ଲୋରୋସିସ୍‌କୁ  ନିୟନ୍ତ୍ରଣ କରାଯାଇପାରେ। ଯଦି ସେହି ସମୟରେ କରାଯାଇନାହିଁ, ତେବେ ଏହାର ପ୍ରଭାବ ଅନେକ ଦୂର ପର୍ଯ୍ୟନ୍ତ ଯାଇପାରେ। ଲୋକମାନେ ସ୍ଥାୟୀ ଭାବରେ ବିକଳାଙ୍ଗ ହୋଇଯାଇପାରନ୍ତି। ସେମାନଙ୍କ ଦାନ୍ତ ନଷ୍ଟ ହୋଇଯାଇପାରେ। ସେମାନଙ୍କ ଶରୀରର ପ୍ରତିରୋଧକ ଶକ୍ତି କମିଯାଏ ଏବଂ ପରିସ୍ଥିତି ସହ ଖାପ ଖୁଆଇବାର ସାମର୍ଥ୍ୟ ମଧ୍ୟ କମ୍‌ ହୋଇଯାଏ। ଏହା ଫଳରେ ନାନା ପ୍ରକାର ରୋଗ ଆକ୍ରମଣ କରିଥାଏ।’’

ସାୱାରଖେଡ୍‌ର ଲୋକମାନେ କିନ୍ତୁ ଏ ସମ୍ପର୍କରେ ଅନେକ ଦିନ ପର୍ଯ୍ୟନ୍ତ ଜାଣିନଥିଲେ।  ସେମାନେ 2006 ମସିହା ପର୍ଯ୍ୟନ୍ତ ସେହି ପ୍ରଦୂଷିତ ଜଳ ବ୍ୟବହାର କରୁଥିଲେ। ସେହିବର୍ଷ ହିଁ ରାଜ୍ୟ ସରକାର ଏକ କୂପରେ ପାଣିକଳ ଲଗାଇବାର ବ୍ୟବସ୍ଥା କଲେ। ଏହି କୂଅ ପ୍ରାୟ 1 କିଲୋମିଟର ଦୂରରେ ଅଛି ଏବଂ ଆଜି ମଧ୍ୟ ସମୁଦାୟ ଗାଁର ପାନୀୟଜଳ ଆବଶ୍ୟକତା ପୂରଣ କରିବା ପରି ଜଳ ଏଥିରେ ନାହିଁ। କିନ୍ତୁ ପ୍ରାୟ ପ୍ରତ୍ୟେକ ଘର ପାଖରେ ବୋର୍‌ୱେଲ୍‌ରେ ହ୍ୟାଣ୍ଡ ପମ୍ପ୍ଲାଗିଛି। ଗାଁର 55ବର୍ଷ ବୟସ୍କ ଚାଷୀ ତଥା କୃଷି ଶ୍ରମିକ ମଧୁକର ଯାଦବ କୁହନ୍ତି, ‘‘ଆମେ ଜାଣୁ ଆମେ ଯେଉଁ ପାଣି (ହ୍ୟାଣ୍ଡ ପମ୍ପରୁ) ପିଉଛୁ, ତାହା ବିଶୁଦ୍ଧ ନୁହେଁ, କିନ୍ତୁ କେହି ଆମକୁ କହିନଥିଲେ ଯେ ଏହା ଏତେ ଭୟଙ୍କର। ଆଉ ଯେତେବେଳେ ଆପଣ ପାଣି ପାଇଁ ଆତୁର, ସେତେବେଳେ ଯାହା ମିଳିବ, ଆପଣ ତାହା ବ୍ୟବହାର କରିବାକୁ ବାଧ୍ୟ ହେବେ।’’

ଯେଉଁ ସମୟରେ ଲୋକ ସଚେତନ ହେବାକୁ ଆରମ୍ଭ କଲେ, ସେତେବେଳେକୁ ଏହା ମଧୁକରଙ୍କ ଭଉଣୀ ଅନୁସୟା ରାଠୋଡ୍‌ (ଉପରେ ପ୍ରଚ୍ଛଦ ଫଟୋରେ)ଙ୍କ ପାଇଁ ବିଳମ୍ବ ହୋଇଯାଇଥିଲା। ସେ କୁହନ୍ତି, ‘‘ଏହା ଆଣ୍ଠୁରେ ଯନ୍ତ୍ରଣାରୁ ଆରମ୍ଭ ହେଲା [ପ୍ରାୟ 30ବର୍ଷ ତଳେ] ଏହି ଯନ୍ତ୍ରଣା କ୍ରମେ ସାରା ଶରୀରରେ ବ୍ୟାପିଗଲା। ଧୀରେ ଧୀରେ ମୋ ହାଡ଼ଗୁଡ଼ିକର ଆକାର ଏବଂ ଆକୃତି ବଦଳିଗଲା। ଏହା ମୋତେ ଏକ ପିଣ୍ଡୁଳାରେ ପରିଣତ କରିଦେଲା।’’ ତାଙ୍କର ସମସ୍ତ ଦାନ୍ତ ଚାଲିଯାଇଛି।

ମଧୁକର କୁହନ୍ତି, ‘‘ଯେତେବେଳେ ଗଣ୍ଠିମାନଙ୍କରେ ଯନ୍ତ୍ରଣା ଆରମ୍ଭ ହେଲା, ସେତେବେଳେ ପରିବାର ଚିନ୍ତା ମଧ୍ୟ କରିପାରିଲା ନାହିଁ ଯେ ଆମେ ଯେଉଁ ପାଣି ପିଉଛୁ ସେଥିପାଇଁ ଏପରି ହେଉଛି। ଆମେ ଏହାକୁ ସାଧାରଣ ଅସୁସ୍ଥତା ବୋଲି ଚିନ୍ତା କଲୁ। କିନ୍ତୁ ଯେତେବେଳେ ଏହା ଅଧିକ ହେଲା, ଆମେ ତାକୁ ଯବତମାଲ, ନାନ୍ଦେଡ ଏବଂ କିନୱତ୍‌ରେ ଥିବା ଅନେକ ଡାକ୍ତରଙ୍କ ପାଖକୁ ନେଲୁ। ବନ୍ଧୁବାନ୍ଧବ ଏବଂ ସାଙ୍ଗସାଥୀଙ୍କଠାରୁ କରଜ କରି ଲକ୍ଷେରୁ ଅଧିକ ଟଙ୍କା ଖର୍ଚ୍ଚ କଲି। କିନ୍ତୁ ଚିକିତ୍ସା କାମ ଦେଲାନି ଏବଂ ଏହାଠାରୁ ଅଧିକ ଖର୍ଚ୍ଚ କରିବା ପାଇଁ ମୋର କ୍ଷମତା ମଧ୍ୟ ନଥିଲା। ତେଣୁ ଆମେ ଆଶା ଛାଡ଼ିଦେଲୁ’’

ପାନୀୟଜଳ ଏବଂ ପରିମଳ ମନ୍ତ୍ରାଳୟ ଅନୁଯାୟୀ ମହାରାଷ୍ଟ୍ରର 2,086 ଜଳ ଉତ୍ସରେ ଫ୍ଲୋରାଇଡ୍‌ ଅଛି, ଏଥିସହ ନାଇଟ୍ରେଟ୍‌ ଓ ଆର୍ସେନିକ୍‌ ମଧ୍ୟ ଅଛି- ଉଭୟ ଭୀଷଣ ଭୟଙ୍କର।

ଡାହାଣରେ ଭିଡିଓ - ଭିଡିଓ ଦେଖନ୍ତୁ : ଫ୍ଲୋରୋସିସ୍‌ ଆକ୍ରାନ୍ତ କୃଷକମାନେ ନିଜର କଷ୍ଟ ବର୍ଣ୍ଣନା କରୁଛନ୍ତି। 

ବତ୍ତର୍ମାନ ପ୍ରାୟ 50 ଦଶକ ପାର୍‌ କରିଥିବା ଅନୁସୟା ଆଉ ନିଜ ପାଦରେ ଠିଆ ହୋଇପାରୁନାହାନ୍ତି। କଦବା କ୍ୱଚିତ୍‌ ନିଜ ସ୍ଥାନରୁ ଘୁଞ୍ଚିପାରନ୍ତି ଏବଂ ଏଥିପାଇଁ ତାଙ୍କୁ ନିଜ ହାତ ବ୍ୟବହାର କରିବାକୁ ହୁଏ କାରଣ ତାଙ୍କର ହାଡ଼ୁଆ ଗୋଡ଼ଗୁଡ଼ିକ ପରସ୍ପର ସହ ଛନ୍ଦି ହୋଇଥାଏ। ଗତ 10 ବର୍ଷ ହେବ ଏହା ତାଙ୍କର ପରିସ୍ଥିତି। ସେ କୁହନ୍ତି, ‘‘ମୁଁ ମୋ ପରିବାର ଉପରେ ବୋଝ ହୋଇଗଲିଣି।’’ ‘‘ ମୁଁ ମୋ ଭାଇଙ୍କ ସହ ରହୁଛି, ସେ ମୋର ଯତ୍ନ ନେଉଛନ୍ତି। କିନ୍ତୁ ମୋତେ ଦୋଷୀ ମନେହେଉଛି। କାରଣ ତାଙ୍କ ପାଇଁ କିମ୍ବା ତାଙ୍କ ପରିବାର ପାଇଁ କିଛି କରିପାରୁନି।’’

ମଧୁକର ମଧ୍ୟ ନିଜର ଉତ୍ପାଦନଶୀଳତା ଗତ କେଇବର୍ଷ ମଧ୍ୟରେ କମ୍‌ ହୋଇଥିବା ଅନୁଭବ କରୁଛନ୍ତି। ସେ କୁହନ୍ତି, ‘‘ମୁଁ ଜମିରେ ଘଣ୍ଟାଏ କାମ କଲେ ଅଧଘଣ୍ଟା ବିଶ୍ରାମ ନେବା ଦରକାର ହେଉଛି। ମୋ ପିଠି ଭୀଷଣ ଯନ୍ତ୍ରଣା ଦିଏ। ଶରୀର ଏତେ ଅନମନୀୟ ହୋଇଯାଇଛି ଯେ ନିତ୍ୟକର୍ମ କରିବା ବି କଷ୍ଟକର।’’ ମଧୁକର ନିଜର 6ଏକର ଜମିରେ କପା, ହରଡ଼ ଏବଂ ଯଅ ଚାଷ କରନ୍ତି। ଏଥିସହ ସେ କୃଷି ଶ୍ରମିକ ଭାବରେ ମଧ୍ୟ କାମ କରନ୍ତି। ସେ କୁହନ୍ତି, ‘‘ସାଧାରଣ ଶ୍ରମିକମାନେ ଯେତିକି ପାଆନ୍ତି [ଦିନକୁ ପ୍ରାୟ 250 ଟଙ୍କା] କେହି ମୋତେ ସେତିକି ଦିଅନ୍ତି ନାହିଁ। ନିଜର ମୂଲ୍ୟ କମ୍‌ ହେଉଥିବା ଅନୁଭବ କରିବା ଖୁବ୍‌ ଦୁଃଖଦାୟକ।’’

ପଙ୍କଜ ମହାଲେଙ୍କ ପରିବାର ମଧ୍ୟ ଅନେକ ପ୍ରକାର ଚିକିତ୍ସା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେମାନେ 6ବର୍ଷ ତଳେ ନିଜ 50 ବର୍ଷ ବୟସ୍କ ପିତାଙ୍କୁ ହରାଇଲେ। 34 ବର୍ଷ ବୟସ୍କ ପଙ୍କଜ କୁହନ୍ତି, ‘‘ସେ ସ୍କେଲେଟାଲ୍‌ ଫ୍ଲୋରୋସିସ୍‌ରେ ଆକ୍ରାନ୍ତ ଥିଲେ। ଅଣ୍ଟାଠାରୁ ତଳକୁ ନଇଁ ଯାଇଥିଲେ। ଆମେ ନାନ୍ଦେ ଏବଂ ନାଗପୁରର ଅସ୍ଥି ବିଶେଷଜ୍ଞମାନଙ୍କ ପାଖକୁ ତାଙ୍କୁ ନେଇଥିଲୁ। କିନ୍ତୁ ସେମାନେ କହିଲେ ମୋ ବାପାଙ୍କ ହାଡ଼ଗୁଡ଼ିକ ଏତେ ଭଙ୍ଗୁର ହୋଇଯାଇଛି ଯେ ସାମାନ୍ୟ ଧକଡ଼ ଚକଡ଼ରେ ମଧ୍ୟ ସେଗୁଡ଼ିକ ଚୁନା ହୋଇଯିବ। ସେମାନେ ତାଙ୍କୁ ଯେଉଁ କ୍ୟାଲସିୟମ୍‌ ଔଷଧ ଦେଇଥିଲେ, ତାହାର ମୂଲ୍ୟ ମାସକୁ ପ୍ରାୟ 3,000 ଟଙ୍କା ଥିଲା। ତାଙ୍କୁ ବିଭିନ୍ନ ସ୍ଥାନକୁ ଡାକ୍ତରଙ୍କ ପାଖକୁ ନେବା ପାଇଁ ଆମକୁ ଘରୋଇ କାର୍‌ ଭଡ଼ା କରିବାକୁ ପଡ଼ୁଥିଲା। ତାଙ୍କ ମୃତ୍ୟୁବେଳକୁ ଏହି ଖର୍ଚ୍ଚ କେଇ ଲକ୍ଷ ଟଙ୍କାରେ ପହଞ୍ଚିଯାଇଥିଲା। ଜିଲ୍ଲା ପ୍ରଶାସନ କୌଣସି ମାଗଣା ଚିକିତ୍ସା ସାହାଯ୍ୟ ପ୍ରଦାନ କରିନଥିଲା।’’

A man limping towards his home
PHOTO • Parth M.N.

ମରାଠାୱାଡ଼ାର ଏସବୁ ଗ୍ରାମଗୁଡ଼ିକର ଅନେକ ବ୍ୟକ୍ତି ସ୍କେଲେଟାଲ୍‌ ଫ୍ଲୋରୋସିସ୍‌ରେ ଆକ୍ରାନ୍ତ ହୋଇଛନ୍ତି, ଛୋଟା ହୋଇଛନ୍ତି କିମ୍ବା ଅସ୍ଥିଗୁଡ଼ିକ ଖରାପ ହୋଇଯାଇଛି। 

ତାହାଲେ ସାୱାରଖେଡ଼ର ପାଣିକୁ ଏତେ ଅଧିକ ପରିମାଣର ଫ୍ଲୋରାଇଡ୍‌ କେଉଁଠୁ ଆସୁଛି? ଏହି ଅଞ୍ଚଳରେ ଫ୍ଲୋରାଇଡ୍‌ର ମୁଖ୍ୟ କାରଣ ମରୁଡ଼ି। କେଇ ଦଶକ ଧରି କୃଷକମାନେ ଜଳସେଚନ, ସଫେଇ ଏବଂ ସ୍ନାନ ପାଇଁ ବୋର୍‌ୱେଲ୍‌ ଖୋଳି ଭୂତଳ ଜଳ ବ୍ୟବହାର କରୁଛନ୍ତି। କିନ୍ତୁ ଗତ ଦୁଇଦଶକ ହେବ ମରାଠାୱାଡ଼ାର ଜଳାଭାବ ବଢ଼ିଚାଲିଛି। ତେଣୁ ସେମାନେ ଭୂତଳ ଜଳ ପିଇବା ପାଇଁ ମଧ୍ୟ ବ୍ୟବହାର କରୁଛନ୍ତି। କେତେକ ଭୂତଳ ଜଳ ଉତ୍ସରେ ଫ୍ଲୋରାଇଡ୍‌ ଥାଏ। କିନ୍ତୁ ବୋର୍‌ୱେଲ୍‌ ଯେତେ ଗଭୀର ହେବ ପାଣିରେ ଫ୍ଲୋରାଇଡ୍‌ ପରିମାଣ ଅଧିକ ହେବାର ଆଶଙ୍କା ସେତେ ଅଧିକ ହେବ। ଏଥିସହ ଉର୍ବରକ, କୀଟନାଶକ, ନର୍ଦ୍ଦମାଜଳ, କାରଖାନା ବର୍ଜ୍ୟ ଏବଂ ଭୂତଳ ଜଳସ୍ତର ହ୍ରାସ ଫ୍ଲୋରାଇଡ୍‌ର ସାନ୍ଧ୍ରତା ବୃଦ୍ଧି କରୁଛି।

ଯଦିଓ ବୋର୍‌ୱେଲ୍‌ 200 ଫୁଟ୍‌ରୁ ଅଧିକ ହେବା ଉଚିତ୍‌ ନୁହେଁ (ମହାରାଷ୍ଟ୍ର ଭୂତଳ ଜଳ ଆଇନ 2009 ଅନୁଯାୟୀ, କିନ୍ତୁ ମରାଠାୱାଡ଼ାରେ ବୋର୍‌ୱେଲ୍‌ଗୁଡ଼ିକ ସାଧାରଣତଃ 500 ଫୁଟ୍‌ କିମ୍ବା ତାହାଠାରୁ ଅଧିକ। ବୋରୱେଲଗୁଡ଼ିକର ସଂଖ୍ୟା ଏବଂ ଗଭୀରତା ନିରୀକ୍ଷଣ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ବୃଷ୍ଟିପାତ ଅନିୟମିତ ହେଉଥିବାରୁ ଏବଂ ଅର୍ଥକରୀ ଫସଲ ଆଡ଼କୁ ମୁହାଁଇବା କାରଣରୁ ଜଳର ଆବଶ୍ୟକତା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଏହି ଅଞ୍ଚଳର ଚାଷୀ ପାଣି ପାଇବା ପର୍ଯ୍ୟନ୍ତ ଗଭୀରରୁ ଗଭୀର ସ୍ତର ପର୍ଯ୍ୟନ୍ତ ବୋର୍‌ୱେଲ ଖୋଳିଚାଲୁଛନ୍ତି।

ଯଦି କୌଣସି ଗାଁରେ ସାୱାରଖେଡ୍‌ ପରି ଅଧିକ ଫ୍ଲୋରାଇଡ୍‌ ଥିବା ସ୍ଥାନରେ ବୋର୍‌ୱେଲ୍‌ ଖୋଳାଯାଉଛି, ଏହି ରାସାୟନିକ ଦ୍ରବ୍ୟ ଧୀରେ ଧୀରେ ଲୋକମାନଙ୍କ ଶରୀରକୁ ଭେଦିଯାଉଛି। ଅବସ୍ଥା ଏପରି ଯେ 2011 ଜନଗଣନାରେ ସାୱାରଖେଡ୍‌ର 517ଜଣ ବାସିନ୍ଦାଙ୍କ ମଧ୍ୟରୁ 209ଜଣ କାର୍ଯ୍ୟକ୍ଷମ ନୁହନ୍ତି ବୋଲି ଶ୍ରେଣୀଭୁକ୍ତ ହୋଇଛନ୍ତି। ଏଥିସହ ଫ୍ଲୋରୋସିସ୍‌ ପ୍ରତିଷେଧକ ଓ ନିୟନ୍ତ୍ରଣ ସମ୍ପର୍କିତ ଜାତୀୟ କାର୍ଯ୍ୟକ୍ରମର ରିପୋର୍ଟ ଅନୁଯାୟୀ (2013 ପର୍ଯ୍ୟନ୍ତ) ନାନ୍ଦେଡ୍‌ର 3710 ଜଣ ବ୍ୟକ୍ତି ଡେଣ୍ଟାଲ୍‌  ଫ୍ଲୋରୋସିସ୍‌ରେ ଏବଂ 389 ଜଣ ସ୍କେଲେଟାଲ୍‌ ଫ୍ଲୋରୋସିସ୍‌ରେ ଆକ୍ରାନ୍ତ। 

ସ୍ଥାନୀୟ ସାମ୍ବାଦିକ ଧର୍ମରାଜ ହାଲିଆଲେ, ଯେ କି ଏହି ପରିସ୍ଥିତି ଉପରେ ନଜର ରଖିଛନ୍ତି, କୁହନ୍ତି, ‘‘2006ରେ ସାୱରଖେଡ୍‌ରେ ପାଇପ୍‌ ଜଳ ଉପଲବ୍ଧ ହେବା ପରେ ମଧ୍ୟ 4ବର୍ଷ ପର୍ଯ୍ୟନ୍ତ ଏହି କଳ ଠିକ୍ ଭାବରେ କାର୍ଯ୍ୟ କରୁନଥିଲା। ଅନେକ ସମୟରେ ବିଦ୍ୟୁତ ନଥାଏ, ତେଣୁ ପମ୍ପ୍‌ କାର୍ଯ୍ୟ କରେ ନାହିଁ। ମୁଁ ଜିଲ୍ଲାପାଳ ଏବଂ ରାଜ୍ୟ ସରକାରଙ୍କୁ ଲେଖିଲି। ମାସେ ପର୍ଯ୍ୟନ୍ତ ଦୌଡ଼ିଲି, ଶେଷରେ 2010ରେ ଏହି ସମସ୍ୟା ଶେଷ ହେଲା।’’ ହାଲିଆଲେ ମଧ୍ୟ ସମୁଦାୟ ରାଜ୍ୟ ପାଇଁ ଆର୍‌ଟିଆଇ (ରାଇଟ୍‌ ଟୁ ଇନଫର୍ମେସନ୍‌)ରେ ସୂଚନା ନିମନ୍ତେ ଆବେଦନ କରିଥିଲେ ଏବଂ 25ଟି ଜିଲ୍ଲା [ସମୁଦାୟ 36ଟି ଜିଲ୍ଲା ମଧ୍ୟରୁ]ରେ ଜଳ ଉତ୍ସଗୁଡ଼ିକରେ ଫ୍ଲୋରାଇଡ୍‌ର ଉପସ୍ଥିତି ରହିଛି ବୋଲି ଜାଣିଥିଲେ। 

A man sitting
PHOTO • Parth M.N.

ସୁନେଗାଓଁ (ସାଙ୍ଗଭି) ଗ୍ରାମର ସୁକେଶ ଦଭାଲେ ଫ୍ଲୋରାଇଡ୍‌ ସଂକ୍ରମିତ ପାଣି ପିଇବା ପରେ ଡେଣ୍ଟାଲ୍‌ ଫ୍ଲୋରୋସିସ୍‌ରେ ଆକ୍ରାନ୍ତ ହୋଇଛନ୍ତି। 

ତେବେ ତଥ୍ୟର ବିଭିନ୍ନ ଉତ୍ସକୁ ନେଇ ଏହି ସଂଖ୍ୟା ଭିନ୍ନ ଭିନ୍ନ। ପାନୀୟ ଜଳ ଏବଂ ପରିମଳ ମନ୍ତ୍ରାଳୟ ଅନୁଯାୟୀ 2016-17ବର୍ଷରେ ମହାରାଷ୍ଟ୍ରର 2,086 ଜଳ ଉତ୍ସ ଫ୍ଲୋରାଇଡ୍ ସହ ନାଇଟ୍ରେଟ୍‌ ଏବଂ ଆର୍ସେନିକ୍‌ ପରି କ୍ଷତିକାରକ ରାସାୟନିକ ଦ୍ରବ୍ୟ ଦ୍ୱାରା ସଂକ୍ରମିତ ବୋଲି ଜଣାପଡ଼ିଥିଲା। ତେବେ 2012-13ରେ ତୁଳନାରେ ଏହା ଉଲ୍ଲେଖନୀୟ ଭାବରେ କମ୍‌ ଥିଲା, ସେହି ବର୍ଷ ଏହି ସଂଖ୍ୟା 4,520 ବୋଲି ଦର୍ଶାଯାଇଥିଲା। 2014 ଅଗଷ୍ଟ ମାସରେ ନ୍ୟାସନାଲ୍‌ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ (NGT) ରେ ଜିଲ୍ଲାପାଳ କରିଥିବା ଏକ ସତ୍ୟପାଠ ଅନୁଯାୟୀ ନାନ୍ଦେଡ୍‌ ଜିଲ୍ଲାରେ ୩୮୩ଟି ଗ୍ରାମରେ ଫ୍ଲୋରାଇଡ୍ ସ୍ତର ଅନୁମୋଦିତ ସୀମାଠାରୁ ଅଧିକ। ଏ ମଧ୍ୟରୁ 257ଟି ଗ୍ରାମକୁ ବିକଳ୍ପ ଜଳ ବ୍ୟବସ୍ଥା ପ୍ରଦାନ କରାଯାଇଛି। 2015-16ରେ ଜିଏସ୍‌ଡିଏ ନାନ୍ଦେଡ୍‌ର 46ଟି ଗ୍ରାମକୁ ଫ୍ଲୋରୋସିସ୍‌ ପ୍ରଭାବିତ ଭାବରେ ତାଲିକାଭୁକ୍ତ କରିବା ସହ ମାତ୍ର 4ଟିରେ ଏହାର ନିରାକରଣ କରାଯାଇନାହିଁ ବୋଲି ସୂଚନା ଦେଇଛନ୍ତି।

2016 ଜାନୁଆରୀ 11ରେ ଅସୀମ ସରୋଦେଙ୍କ ନେତୃତ୍ୱରେ ଏକ 9ଜଣିଆ ଆଇନଜୀବୀ ଦଳ ଗ୍ରାମବାସୀ ଫ୍ଲୋରାଇଡ୍ ମିଶ୍ରିତ ଜଳ ପାନ କରିବାକୁ ବାଧ୍ୟ ହେଉଥିବା ସମ୍ପର୍କିତ ଏକ ଆବେଦନ ପ୍ରଦାନ କରିବା ପରେ ନ୍ୟାସନାଲ୍‌ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ ଜିଏସ୍‌ଡିଏ ସହ ମିଳିତ ଭାବରେ 12ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଜିଲ୍ଲା ଅନୁଯାୟୀ ସୂଚନା ପ୍ରଦାନ ପାଇଁ, ଜଳର ମାନ ପରୀକ୍ଷା ପାଇଁ, ବିକଳ୍ପ ଜଳ ବ୍ୟବସ୍ଥା ଉପଲବ୍ଧ କରାଇବା ପାଇଁ, ରୋଗୀମାନଙ୍କୁ ମାଗଣାରେ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବା ପାଇଁ ଏବଂ ଅନ୍ୟାନ୍ୟ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହାକୁ ଅଣଦେଖା କରାଯିବା ପରେ 2017 ନଭେମ୍ବର 28 ତାରିଖରେ ନ୍ୟାସନାଲ୍‌ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ ନାନ୍ଦୋଡ୍‌, ଚନ୍ଦ୍ରପୁର୍‌, ବିଡ୍‌, ଜବତମାଲ୍‌, ଲାଟୁର୍‌, ୱାସିମ୍‌, ପର୍ଭାଣୀ, ହିଙ୍ଗୋଲି, ଜଲନା ଓ ଜଲଗାଓଁ ସମେତ 12ଟି ଜିଲ୍ଲାର ଜିଲ୍ଲାପାଳଙ୍କ ବିରୋଧରେ ୱାରେଣ୍ଟ ଜାରି କରିଥିଲେ।

ଏ ମଧ୍ୟରେ ସାୱରଖେଡ୍‌ଠାରୁ ପ୍ରାୟ 200 କିଲୋମିଟର ଦୂରରେ ଥିବା ସୁନେଗାଓଁ (ସାଙ୍ଗଭି)ରେ ଏକ କୂଅ ଖୋଳାଯାଇଛି, ଯାହାକି ପୂର୍ବେ ନଥିଲା। ପ୍ରାୟ 2006 ମସିହା ବେଳକୁ ନିମ୍ବୋଟି ନଦୀବନ୍ଧ ନିର୍ମାଣ ହେବା ପରେ ଲାଟୁରର ଅହମ୍ମଦପୁର ତାଲୁକାର 630 ବାସିନ୍ଦା ବିଶିଷ୍ଟ ଏହି ଗ୍ରାମ ନିକଟରେ ଏକ ପୁଷ୍କରିଣୀ ସୃଷ୍ଟି ହୋଇଛି। ଏହା ସ୍ଥାନୀୟ ଜଳସ୍ତର ବୃଦ୍ଧି କରିଛି। ଫଳରେ 2007 ମସିହାରେ ସେମାନେ କୂଅ ଖୋଳିବା ସମୟରେ ଜଳ ପାଇଛନ୍ତି।

କିନ୍ତୁ ସେତେବେଳେକୁ 30ବର୍ଷ ବୟସ୍କ ସୁକେଶ ଦଭାଲେ ପ୍ରାୟ 20ବର୍ଷ ହେବ ଫ୍ଲୋରାଇଡ୍‌ ସଂକ୍ରମିତ ଭୂତଳ ଜଳ ବ୍ୟବହାର କରିଛନ୍ତି ଏବଂ ତାଙ୍କ ସାୱରଖେଡ୍‌ ଲୋକଙ୍କ ପରି ଖରାପ ହୋଇଛି। ଗୋଟିଏ ଗଛମୂଳେ ବିଶ୍ରାମ ନେଉଥିବା ଅବସ୍ଥାରୁ ଉଠିବା ସମୟରେ ତାଙ୍କ ଆଣ୍ଠୁଗଣ୍ଠିଗୁଡ଼ିକ ଫୁଟିବାର ଶବ୍ଦ ଶୁଣାଯାଉଥିଲା। ସେ କୁହନ୍ତି, ‘‘ମୋତେ ସବୁବେଳେ ଲାଗୁଥିଲା, ମୋ ଦାନ୍ତ ଉପରେ ଯେମିତି ଗୋଟିଏ ପରସ୍ତ ଅଛି, ଏହି ପରସ୍ତ କିଛିଦିନ ପରେ ବାହାରିଯାଉଥିଲା। ଏଥିସହ ମୋ ଦାନ୍ତର ଗୋଟିଏ ଅଂଶ ମଧ୍ୟ। ମୁଁ କୌଣସି ଟାଣ ଜିନିଷ ଖାଇପାରୁନି, ମୋ ଗଣ୍ଠିଗୁଡ଼ିକ ଭୀଷଣ ଯନ୍ତ୍ରଣା ଦେଉଛି, ମୁଁ ଦୀର୍ଘ ସମୟ ପର୍ଯ୍ୟନ୍ତ କାମ କରିପାରୁନି।’’

ଆମର ଅନୁରୋଧକ୍ରମେ ସୁନେଗାଓଁ (ସାଙ୍ଗଭି)ଠାରୁ ପ୍ରାୟ 8କିଲୋମିଟର ଦୂରରେ ଜିଏସ୍‌ଡିଏର ଅହମ୍ମଦପୁର ପରୀକ୍ଷାଗାରରେ ଦାୟିତ୍ୱରେ ଥିବା ଜଣେ ବ୍ୟକ୍ତି ଫ୍ଲୋରୋସିସ୍‌ ପ୍ରବଣ ଗ୍ରାମଗୁଡ଼ିକୁ କମ୍ପ୍ୟୁଟରରେ ଖୋଜୁଥିଲେ। ଲାଟୁର ଜିଲ୍ଲାର 25ଟି ଗ୍ରାମ ଏହି ତାଲିକାରେ ଥିଲା। ଏ ମଧ୍ୟରେ ଥିଲା ସୁନେଗାଓଁ ସେନ୍ଦ୍ରି। ମୋ ସହିତ ଥିବା ସୁନେଗାଓଁ ସେନ୍ଦ୍ରିର ଗୋବିନ୍ଦ କାଲେ ବିସ୍ମୟରେ ଚିତ୍କାର କଲେ, ‘‘ଆମେ ବର୍ଷେ ହେବ ଭୂତଳ ଜଳ ପିଉଛୁ। ଗାଁରେ ଥିବା ସାଧାରଣ କୂପ ଅଚଳ ହୋଇଯାଇଛି। ବର୍ତ୍ତମାନ ସମୁଦାୟ ଗାଁ ବୋରୱେଲ୍‌ ପାଣି ପିଉଛି। କିନ୍ତୁ ଏ ବିଷୟରେ କେହି କିଛି କରୁନାହାନ୍ତି କାହିଁକି? କେହି ଆମକୁ ସତର୍କ ମଧ୍ୟ କରାଇନାହାନ୍ତି କାହିଁକି?

 ଆନ୍ଧ୍ରପ୍ରଦେଶର ନାଲ୍‌ଗୋଣ୍ଡା ଗ୍ରାମ (ବର୍ତ୍ତମାନ ତେଲେଙ୍ଗାନାରେ)ରେ 8ବର୍ଷ ତଳେ ଏହି ସମସ୍ୟା ପ୍ରଥମେ ଚର୍ଚ୍ଚିତ ହେବା ପରେ – ଏପରିକି କ୍ରିପ୍‌ଲଡ୍‌ ଲାଇଭ୍‌ ନାମକ ଏକ ପ୍ରାମାଣିକ ଚିତ୍ର ନିର୍ମିତ ହେବା ପରେ ମଧ୍ୟ – ଏଥିରୁ କୌଣସି ଶିକ୍ଷା ମିଳିନଥିବା ଦେଖାଯାଇଛି। 

ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Other stories by Parth M.N.