ସଞ୍ଜୟ ଗୋପେ କେବେ ବି ପାଦ ଖସେଇ ନାହାନ୍ତି:- କାରଣ ସେ କେବେ ପାଦ ଉଠେଇ ନାହାନ୍ତି। ୧୮ ବର୍ଷ ବୟସ୍କ ସଞ୍ଜୟ ଆଜୀବନ ହ୍ୱିଲ୍ ଚେୟାରରେ ହିଁ ଅଛନ୍ତି। ମୁଁ ତାଙ୍କୁ ବାଙ୍ଗୋରେ ଭେଟିଲି। ଝାଡ଼ଖଣ୍ଡର ପୂର୍ବି (ପୂର୍ବ) ସିଂହଭୂମ ଜିଲ୍ଲାରେ ଯଦୁଗୁଡ଼ା ସହର (ଜନଗଣନାରେ ଯଦୁଗୋରା ଭାବରେ ସୂଚୀବଦ୍ଧ ହୋଇଥିବା)ର ୟୁରାନିୟମ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ଼ର ଖଣି ଠାରୁ ପ୍ରାୟ ଛଅ କିଲୋମିଟର ଦୂରରେ ଅଛି ଏହି ଗାଁ।

ଭାରତ ସରକାରଙ୍କ ଅନୁଷ୍ଠାନ ୟୁସିଆଇଏଲ୍ ୧୯୬୭ ମସିହାରେ ଏଠାରେ ନିଜର ପ୍ରଥମ ଖଣି ଖନନ କରିଥିଲା। ଯଦୁଗୁଡ଼ା ଓ ଏହାର ନିକଟସ୍ଥ ଅନ୍ୟ ଛଅଟି ଖଣିର ଖଣିଜପଥରକୁ ହଳଦିଆ ଖଣ୍ଡ (ୟୁରାନିୟମ ଅକ୍ସାଇଡ଼ର ଏକ ମିଶ୍ରଣ)ରେ ପରିଣତ କରାଯାଏ। ଏହାକୁ ହାଇଦ୍ରାବାଦସ୍ଥିତ ଆଣବିକ ଇନ୍ଧନ ପରିସରକୁ ପଠାଇ ଦିଆଯାଏ।

ଯେତେବେଳେ ସଞ୍ଜୟଙ୍କୁ ଦୁଇ ବର୍ଷ ହୋଇଥିଲା ସେତେବେଳେ ତାଙ୍କର ଚିନ୍ତିତ ପିତାମିତା ତାଙ୍କୁ ୟୁସିଆଇଏଲ୍ ଡାକ୍ତରଖାନାକୁ ନେଇ ଯାଇଥିଲେ। କାରଣ ସେପର୍ଯ୍ୟନ୍ତ ସେ ଚାଲିବା ଆରମ୍ଭ କରିନଥିଲେ। ତାଙ୍କ ବାପା ଜଣେ ଦିନ ମଜୁରିଆ ଓ ମା’ ଏସବୁ ଗାଁର ଅଧିକାଂଶ ଲୋକଙ୍କ ପରି ଶସ୍ୟକ୍ଷେତରେ କାମ କରନ୍ତି। ଖୁବ୍ କମ୍ ଜଣ ୟୁସିଆଇଏଲ୍ ଖଣିରେ କାମ କରନ୍ତି। ଅନ୍ୟମାନେ କୁହନ୍ତି, ସେମାନଙ୍କୁ ଖଣିରେ କାମ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା ଯାହାକି ପୂରଣ ହେଲାନାହିଁ। ଡାକ୍ତରଖାନାରେ ଥିବା ଡାକ୍ତର ସଞ୍ଜୟଙ୍କ ପିତାମାତାଙ୍କୁ ଆଶ୍ୱାସନା ଦେଲେ ଯେ ବ୍ୟସ୍ତ ହେବାର କିଛି ନାହିଁ। ତେଣୁ ସେମାନେ ଧୈର୍ଯ୍ୟର ସହ ଅପେକ୍ଷା କଲେ, କିନ୍ତୁ ସେମାନଙ୍କ ପୁଅ କେବେ ବି ପ୍ରଥମ ପାଦ କ’ଣ କୌଣସି ପାଦ ପକାଇଲା ନାହିଁ।

ବାଙ୍ଗୋ ଗାଁର ଅଧିକାଂଶ ପିଲାଙ୍କ ମଧ୍ୟରୁ ସଞ୍ଜୟ ଜଣେ, ଯେଉଁମାନେ ଜନ୍ମଗତ ବିକଳାଙ୍ଗତା ନେଇ ଜନ୍ମ ହୋଇଛନ୍ତି କିମ୍ବା ସେହି କାରଣରୁ ମୃତ୍ୟୁବରଣ କରିଛନ୍ତି। (୨୦୧୧ ଜନଗଣନା ଅନୁଯାୟୀ) ଏହି ଗ୍ରାମର ଜନସଂଖ୍ୟା ପ୍ରାୟ ୮୦୦ ଓ ସେମାନଙ୍କ ମଧ୍ୟରୁ ଅଧିକାଂଶ ସାନ୍ତାଳ, ମୁଣ୍ଡା, ଓରାଓଁ, ହୋ, ଭୂମିଜ ଓ ଖରିଆ ଜନଜାତିର। ୨୦୦୭ ମସିହାରେ ଇଣ୍ଡିଆନ ଡକ୍ଟରସ୍ ଫର୍ ପିସ୍ ଆଣ୍ଡ ଡେଭେଲପମେଣ୍ଟ ନାମକ ଏକ ଗୋଷ୍ଠୀର ଅଧ୍ୟୟନ ଅନୁଯାୟୀ, ଖଣିଠାରୁ  ୩୦-୩୫ କି.ମି. ଦୂରରେ ଥିବା ଜନବସତି ତୁଳନାରେ ଖଣି ନିକଟରେ (୦-୨.୫ କି.ମି.) ଥିବା ଗ୍ରାମମାନଙ୍କରେ ଏପରି ସମସ୍ୟା ଥିବା ପିଲାମାନଙ୍କର ମୃତ୍ୟୁ ହାର ୫.୮୬ ଗୁଣ ଅଧିକ।

ଏସବୁ ଗ୍ରାମମାନଙ୍କରେ ମହିଳାମାନଙ୍କ ଗର୍ଭପାତ ହାର ମଧ୍ୟ ଅଧିକ। ଖଣିରେ କାମ କରୁଥିବା କିମ୍ବା ପ୍ରକ୍ରିୟାକରଣ ପ୍ଲାଣ୍ଟ ଓ ୟୁରାନିୟମ ପଥର ପ୍ରକ୍ରିୟାକରଣ ପରେ ଅବଶିଷ୍ଟ ରହୁଥିବା ବିଷାକ୍ତ କାଦୁଅ ପୋଖରୀ ନିକଟରେ ରହୁଥିବା ଅନେକ ଲୋକ କ୍ୟାନସର ଓ ଯକ୍ଷ୍ମା ପରି ରୋଗରେ ମୃତ୍ୟୁବରଣ କରିଛନ୍ତି।

ଭାରତୀୟ ତଥା ଅନ୍ତଃରାଷ୍ଟ୍ରୀୟ ବୈଜ୍ଞାନିକମାନେ ବହୁ ଆଗରୁ ସତର୍କ କରାଇ ଦେଇଛନ୍ତି ଯେ, ଉପରୋକ୍ତ ବିକଳାଙ୍ଗତା ଓ ରୋଗ ଉଚ୍ଚ ବିକିରଣସ୍ତର ଓ ତେଜଷ୍କ୍ରିୟ ପଥରଗୁଣ୍ଡ ସହ ସଂଯୁକ୍ତ। ଏହି ତେଜଷ୍କ୍ରିୟ ବର୍ଜ୍ୟ କାଦୁଅ ପୋଖରୀ ନିକଟସ୍ଥ ଗ୍ରାମମାନଙ୍କ ପାଇଁ ଏହାର ବିପଦ ଅଧିକ କାରଣ ଗ୍ରାମବାସୀମାନେ ଯେକୌଣସି ପ୍ରକାରେ ହେଲେ ମଧ୍ୟ ଏସବୁ ଜଳର ସଂସ୍ପର୍ଶରେ ଆସନ୍ତି। ତେବେ ୟୁସିଆଇଲ୍ ନିଜ ୱେବସାଇଟରେ ସୂଚିତ କରିଛି। “ଏହି ରୋଗଗୁଡ଼ିକ..... ବିକିରଣ କାରଣରୁ ନୁହେଁ ବରଂ କୁପୋଷଣ, ମ୍ୟାଲେରିଆ ଓ ଅସ୍ୱାସ୍ଥ୍ୟକର ରହିବା ପରିବେଶ ଇତ୍ୟାଦି (ଗ୍ରାମମାନଙ୍କରେ) କାରଣରୁ”।

ପୂର୍ବ ସିଂହଭୂମର ଯଦୁଗୁଡ଼ା, ଭାତିନ୍, ନରୱା ପାହାଡ଼, ବାଗଜତା, ତୁରାମଡିହ, ମହୁଲଡିହ ଏବଂ ବନ୍ଦୁହୁଡାଙ୍ଗରେ ୟୁସିଆଇଏଲର ସାତଟି ଖଣି ଅଛି। ଏଠାରେ ବିକିରଣ ବିଷାକ୍ତତା ପ୍ରସଙ୍ଗ ସର୍ବୋଚ୍ଚ ଅଦାଲତରେ ଜନସ୍ୱାର୍ଥ ମାମଲା ସମେତ ଅନ୍ୟ ଅଦାଲତରେ ବିଚାର ପ୍ରକ୍ରିୟାରେ ସାମିଲ ହୋଇଛି। ୨୦୦୪ରେ ସୁପ୍ରିମକୋର୍ଟରେ ଏକ ତିନିଜଣିଆ ବେଞ୍ଚ ଏହି ଜନସ୍ୱାର୍ଥ ମାମଲାଟିକୁ ଖାରଜ କରିଦେଇଥିଲେ। ଆଟମିକ୍ ଏନର୍ଜି କମିଶନ ଦ୍ୱାରା ପ୍ରଦତ୍ତ ଏକ ସତ୍ୟପାଠ, ଯେଉଁଥିରେ କୁହାଯାଇଥିଲା, “ୟୁରାନିୟମ୍ ବର୍ଜ୍ୟର କୁପ୍ରଭାବକୁ ଅଟକାଇବା ଓ ନିୟନ୍ତ୍ରିତ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯାଇଛି”କୁ ସୁପ୍ରିମକୋର୍ଟ ବିଶ୍ୱାସ କରିଥିଲେ। ଯଦୁଗୁଡ଼ା ଓ ଏହାର ଆଖପାଖରେ ଜନ ଆନ୍ଦୋଳନର ନେତୃତ୍ୱ ନେଇଥିବା ବିକିରଣ ବିରୋଧୀ ଝାଡ଼ଖଣ୍ଡ ଅନୁଷ୍ଠାନ ଦେଶର ୟୁରାନିୟମ୍ ଚାହିଦା ପାଇଁ ଗ୍ରାମବାସୀମାନେ କି ପ୍ରକାର ମୂଲ୍ୟ ଦେଇଛନ୍ତି ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ଚେଷ୍ଟା କରୁଛି।

People' standing on the hill
PHOTO • Subhrajit Sen

ଯଦୁଗୁଡାର ପାହାଡ଼ଗୁଡ଼ିକରେ ୟୁରାନିୟମ୍ ପାଇଁ ଖନନ ଚାଲିଛି- ଏହା ଚାରିପାଖର ଗାଁ ଗୁଡିକରେ ଅର୍ଦ୍ଧଶତାଦ୍ଦୀର ବିଷାକ୍ତ ବଂଶାନୁକ୍ରମିକତା ସୃଷ୍ଠି କରିଛି।

Mine in Turamdih
PHOTO • Subhrajit Sen

ତୁରାମଡ଼ିହାରେ ଏକ ଖୋଲା ଖଣି ( ଯଦୁଗୁଡ଼ା ଠାରୁ ପ୍ରାୟ ୨୦ କି.ମି.ଦୁର);ଲୋକମାନେ ମାତ୍ର ୫୦୦ମିଟର ଦୂରରେ ବାସ କରନ୍ତି। ବିହାର ବିଧାନସଭାର ପରିବେଶ କମିଟି ୧୯୯୮ରେ ଦେଇଥିବା ରିପୋର୍ଟରେ ଦର୍ଶାଇଥିଲେ ଯେ ଖଣିର ବର୍ଜ୍ୟ ପୋତିବା ସ୍ଥାନର ପାଞ୍ଚ କିଲୋମିଟର ପରିଧି ମଧ୍ୟରେ କୌଣସି ଗ୍ରାମ ରହିବା ଉଚିତ୍ ନୁହେଁ।

A child was born with a mental disorder
PHOTO • Subhrajit Sen

କଳିକାପୁର ଗ୍ରାମର ୭ବର୍ଷ ବୟସ୍କ ଅମିତ୍ ଗୋପେ ମାନସିକ ବିକଳାଙ୍ଗତା  ନେଇ ଜନ୍ମ ହୋଇଛି। ସେ କଥା କୁହେ ନାହିଁ କି ଚାଲେ ନାହିଁ। ଦିନର ଅଧିକାଂଶ ସମୟରେ ସେ ନିଜ ଖଟରେ ଶୋଇଥାଏ।

children are playing
PHOTO • Subhrajit Sen

ବାଙ୍ଗୋର ଏକ ମାଟି ରାସ୍ତାରେ ପିଲାମାନେ ଖେଳୁଛନ୍ତି- ଏହା ବିଷାକ୍ତ ଖଣିଜ ପଥର ପ୍ରକ୍ରିୟାକରଣ ପ୍ଲାଣ୍ଟ ଏବଂ ବିଷାକ୍ତ ବର୍ଜ୍ୟ ପକାଯିବା ସ୍ଥାନ ଠାରୁ ଅଧିକ ଦୂରରେ ନାହିଁ।

Child with bone deformity goes to an intermediate college
PHOTO • Subhrajit Sen

୧୮ ବର୍ଷ ବୟସ୍କା କାଲିବୁଢ଼ି ଗୋପେଙ୍କର ଅସ୍ଥି ବିକଳାଙ୍ଗତା  ଓ ଉପର ପିଠିରେ ଗୋଟିଏ କୁଜ ଅଛି। ସେ ଅଧିକ ସମୟ ଛିଡ଼ା ହୋଇ ପାରନ୍ତି ନାହିଁ କିନ୍ତୁ ସପ୍ତାହକୁ ଦୁଇଥର ପ୍ରାୟ ୩୫ କି.ମି. ଦୂରରେ ଥିବା ଜାମସେଦପୁରର ଏକ ଇଣ୍ଟରମିଡିଏଟ୍ କଲେଜକୁ ଯାଉଛନ୍ତି।

A child with facial tumour
PHOTO • Subhrajit Sen

୧୪ ବର୍ଷ ବୟସ୍କା ଅନାମିକା ଓରାମଙ୍କ ଚେହେରାରେ ଏକ ଟ୍ୟୁମର ଅଛି ଯାହାକି ଅସାଧ୍ୟ ହୋଇଯାଇପାରେ। ଡାକ୍ତରମାନଙ୍କ ମତ ଏହାର ଅସ୍ତ୍ରୋପଚାର କରାଯିବା ଦରକାର, କିନ୍ତୁ ତାଙ୍କ ପରିବାର ପାଖରେ ଏଥିପାଇଁ ଆର୍ଥିକ ସମ୍ବଳ ନାହିଁ।

A man at  grocery shop
PHOTO • Subhrajit Sen

ଯେତେବେଳେ ମୁଁ ୩୫ ବର୍ଷ ବୟସ୍କ ତାରକ ଦାସଙ୍କୁ କାଳିକାପୁରସ୍ଥିତ ତାଙ୍କ ତେଜରାତି ଦୋକାନରେ ଭେଟିଲି , ସେ ମୋତେ ପଚାରିଲେ ତାଙ୍କ ପରିବାର କେବେ ସହାୟତା ପାଇବ। ସେ କହିଲେ ଭାଇ , “ମୋର ଦୁଇଟି ପିଲା, ଗୋଟିଏ ପୁଅ ଓ ଗୋଟିଏ ଝିଅ। ମୋର ସବୁବେଳେ ଚିନ୍ତା ,ଯେତେବେଳେ ମୁଁ ଆଉ କାମ କରି ନପାରିବି ସେତେବେଳେ ସେମାନଙ୍କର କ’ଣ ହେବ ? ମୁଁ ଅଳ୍ପ ସମୟ ଛିଡ଼ାହେଲେ ବି ମୋ ଅଣ୍ଟା ଭୀଷଣ କାଟୁଛି, କିନ୍ତୁ ପିଲାଙ୍କପାଇଁ ମୋତେ କାମ କରିବାକୁ ପଡ଼ୁଛି। ”

pond with radioactive waste from the uranium processing plant
PHOTO • Subhrajit Sen

ଏହି ପ୍ରବାହମାନ ପୋଖରୀରେ ୟୁରାନିୟମ୍ ପ୍ରକ୍ରିୟାକରଣ ପ୍ଲାଣ୍ଟର ତେଜଷ୍କ୍ରିୟ ବର୍ଜ୍ୟ ମିଶିଛି। ଏହା ତୁରାମଡିହ ଖଣି ପାଖରେ ଥିବା ଏକ ଗ୍ରାମ ଦେଇ ଯାଇଛି।

A child with facial deformity helping his father in farm
PHOTO • Subhrajit Sen

୧୮ବର୍ଷ ବୟସ୍କ ହରଧନ ଗୋପେଙ୍କର ଚେହେରାରେ ବିକୃତି ଅଛି ଏବଂ ତାଙ୍କ ମୁଣ୍ଡ ଶରୀର ତୁଳନାରେ  ଛୋଟ। ତଥାପି ସେ ବାପାଙ୍କୁ ଧାନ ଚାଷରେ ସାହାଯ୍ୟ କରିବା ପାଇଁ କ୍ଷେତରେ କାମ କରୁଛନ୍ତି।

A young boy collects shellfish from the Subarnarekha river
PHOTO • Subhrajit Sen

ଯଦୁଗୁଡ଼ା ନିକଟସ୍ଥ ସୁବର୍ଣ୍ଣରେଖା ନଦୀରୁ ଜଣେ ବାଳକ କଙ୍କଡ଼ା ଧରୁଛି। ବୋହି ଅସୁଥିବା ବିଷାକ୍ତ ପୋଖରୀର ପାଣି ସିଧାସଳଖ ନଦୀରେ ମିଶୁଥିବାରୁ ଏହି ଜଳଚର ଜୀବ ଧିରେ ଧିରେ ଲୋପ ପାଇବାରେ ଲାଗିଛି।

Children at private coaching centre in Bango
PHOTO • Subhrajit Sen

ପ୍ରାୟ ୧୮ ବର୍ଷ ବୟସ୍କା ପାର୍ବତି ଗୋପେ ବାଙ୍ଗୋର ଏକ ଘରୋଇ କୋଚିଂ ସେଣ୍ଟରରେ , ତାଙ୍କ ବାପା ଜଣେ କୃଷକ।  ସେ କୁହନ୍ତି, “ମୁଁ ସରକାରୀ ଚାକିରୀ କରିବାକୁ ଚାହେଁ , କିନ୍ତୁ ପଢ଼ିବା ପାଇଁ ମୋ ପାଖରେ ସବୁ ବହି ନାହିଁ। ମୋ ବାପା କହୁଛନ୍ତି ଘର ଚଳେଇବା କଷ୍ଟ ,ତେଣୁ ମୋ ଚିକିତ୍ସା ପାଇଁ ଅର୍ଥ କେଉଁଠୁ ଆଣିବେ?”

A child on wheelchair suffering cerebral palsy
PHOTO • Subhrajit Sen

୧୬ ବର୍ଷ ବୟସ୍କ ରାକେଶ ଗୋପେ ମେରୁଦଣ୍ଡ ପକ୍ଷାଘାତରେ ପିଡ଼ିତ , ତାଙ୍କ ଭଉଣୀ ଗୁଡ଼ିଆ ସାତ ବର୍ଷ ବୟସରଙ୍କ ମୃତ୍ୟୁବରଣ କରିଥିଲା। ସେ ଖୁବ୍ କଷ୍ଟରେ ହ୍ୱିଲ୍ ଚେୟାରରେ ସ୍କୁଲକୁ ଯାଆନ୍ତି। ସେଠାରେ ସେ ସବୁଦିନ ମଧ୍ୟାହ୍ନ ଭୋଜନ ଓ ସରକାରଙ୍କ ଠାରୁ  ମାସିକ ୬୦୦ଟଙ୍କା ଭିନ୍ନକ୍ଷମ ଭତ୍ତା ପାଆନ୍ତି। ତାଙ୍କ ମା’ ମୋତେ କହିଲେ,” ମୁଁ ସବୁବେଳେ ଭବିଷ୍ୟତ କଥା ଭାବୁଛି....ଆମ ଅବର୍ତ୍ତମାନରେ କ’ଣ ହେବ? ସେ ନିଜେ କିଛି ବି କରିବାକୁ ଅସମର୍ଥ।

A women showing her dead sons photo
PHOTO • Subhrajit Sen

ଧାନ କ୍ଷେତରେ ଶ୍ରମିକ ଭାବରେ କାମ କରୁଥିବା ରାକେଶ ଓ ଗୁଡ଼ିଆଙ୍କ ମା’( ନାମ ମିଳିନି ), ସେ ନିଜ ସାତ ବର୍ଷିଆ ଝିଅର ଏକ ଫଟୋ ଦେଖାଉଛନ୍ତି। ତାଙ୍କ ଝିଅର ଅସ୍ଥି ବିକଳାଙ୍ଗତା ଥିଲା ଓ ଅପସ୍ମାର ଆଘାତରେ ମୃତ୍ୟୁବରଣ କରିଥିଲା। ତାଙ୍କ ପୁଅର ମଧ୍ୟ ମେରୁଦଣ୍ଡ ପକ୍ଷାଘାତ ଅଛି। ସେ କୁହନ୍ତି ,”ରାକେଶ ଜନ୍ମ ହେବାପରେ ଯେତେବେଳେ ଆମେ ଜାଣିଲୁ ଯେ ସେ କେବେ ଚାଲିବନି କିମ୍ବା ନିଜେ କିଛି କରିବନି ସେତେବେଳେ ଆମେ ବହୁତ ମନଦୁଃଖ କଲୁ। ଯେତେବେଳେ ଗୁଡ଼ିଆ ଜନ୍ମ ହେଲା ଆମେ ଖୁବ୍ ଖୁସି ହେଲୁ , କିନ୍ତୁ ଶୀଘ୍ର ଜାଣିଲୁ ସେ ବି ଚାଲି ପାରିବନି ....।”

A women carrying her son
PHOTO • Subhrajit Sen

ରାକେଶ ନିଜ ଗୋଡ଼ ଆଦୌ ହଲେଇ ପାରନ୍ତିନି। ତାଙ୍କ ମା’ ସବୁଦିନ ତାଙ୍କୁ ଗାଧୋଇ ପାଧୋଇ ବାଙ୍ଗୋରେ ଥିବା ନିଜ ଘର ଭିତରକୁ ନିଅନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Subhrajit Sen

Subhrajit Sen is originally from Chandannagar, near Kolkata. He works as a freelance graphic designer, and is now studying documentary photography in Dhaka, Bangladesh.

Other stories by Subhrajit Sen