ତାମିଲନାଡୁର ଅନେକ ସ୍ଥାନ ସଦୃଶ, ତୁତୁକୁଡ଼ି ସହରର ବିଭିନ୍ନ ରାସ୍ତାରେ ଯେତେବେଳେ ଲୋକଙ୍କ ଭିଡ଼ ଜମିଲା, ସେମାନଙ୍କ ସହ ଯୋଗ ଦେବାକୁ ଜଣେ ଅତି ଛୋଟ ବାଳକ ଦୌଡ଼ି ଦୌଡ଼ି ଆସିଲା । କେଇ ମୁହୂର୍ତ୍ତ ଭିତରେ ସେ ସେହି ପ୍ରତିବାଦ ଶୋଭାଯାତ୍ରାର ଅଂଶ ପାଲଟିଗଲା ଏବଂ ଆନ୍ଦୋଳନାତ୍ମକ ସ୍ଲୋଗାନ୍‌ ଦେବାରେ ଲାଗିଲା । ଆଜି ସେ ଆମକୁ କହନ୍ତି, “ସେ ସମୟର କଥାକୁ ଆଜି ଆପଣ ଜାଣିପାରିବେନି କି ବୁଝିପାରିବେନି । କିନ୍ତୁ ଭଗତ ସିଂହଙ୍କୁ ଫାଶୀ ଦେବା ଘଟଣା ତାମିଲନାଡୁର ସ୍ଵାଧୀନତା ସଂଗ୍ରାମରେ ଏକ ଭାବନାତ୍ମକ ମୋଡ଼ ସୃଷ୍ଟି କରିଥିଲା । ଲୋକେ ହତଭମ୍ବ ହୋଇଯାଇଥିଲେ ଏବଂ ଅନେକ ଲୋକ ଲୁହ ଗଡ଼ାଉଥିଲେ ।”

“ମୁଁ ମାତ୍ର ୯ ବର୍ଷ ବୟସର ଥିଲି,” ଅଳ୍ପ ହସି ସେ କହନ୍ତି ।

 ଆଜି ତାଙ୍କ ବୟସ ୯୯ ବର୍ଷ (୧୫ଜୁଲାଇ, ୨୦୨୦), କିନ୍ତୁ ତାଙ୍କ ଭିତରେ ସେହି ତେଜ ଏବଂ ଦେଶପ୍ରେମ ଆଜି ବି ରହିଛି, ଦିନେ ଯାହା ତାଙ୍କୁ ଜଣେ ସ୍ଵାଧୀନତା ସଂଗ୍ରାମୀରେ, ଜଣେ ପ୍ରଚ୍ଛନ୍ନ ବିପ୍ଳବୀ, ଲେଖକ, ବକ୍ତା ଏବଂ ଆନ୍ଦୋଳନାତ୍ମକ ବୁଦ୍ଧିଜୀବୀରେ ପରିଣତ କରିଥିଲା । ଜଣେ ବ୍ୟକ୍ତି ଯିଏ କି ୧୪ ଅଗଷ୍ଟ ୧୯୪୭ରେ ବ୍ରିଟିଶ ଜେଲ୍‌ରୁ ବାହାରକୁ ଆସିଥିଲେ । “ସେଦିନ କେନ୍ଦ୍ରୀୟ କାରାଗାରକୁ ବିଚାରପତି ଆସିଲେ ଏବଂ ଆମକୁ ମୁକ୍ତ କଲେ । ଆମେ ମଦୁରାଇ ଷଡ଼ଯନ୍ତ୍ର ମାମଲାରେ ଦୋଷମୁକ୍ତ ହୋଇଥିଲୁ । ମୁଁ ମଦୁରାଇ କେନ୍ଦ୍ରୀୟ କାରାଗାରରୁ ବାହାରିଲି ଏବଂ ସ୍ଵାଧୀନତା ସଂଗ୍ରାମ ସମାବେଶ ପାଇଁ ଶୋଭାଯାତ୍ରାରେ ସାମିଲ ହେଲି ।”

ଏବେ ୧୦୦ ବର୍ଷ ବୟସରେ ପଦାର୍ପଣ କରିସାରିଥିଲେ ହେଁ ଏନ୍‌.ଶଙ୍କରୈୟା ବୌଦ୍ଧିକ ଭାବରେ ସକ୍ରିୟ ଅଛନ୍ତି, ଏବେ ବି ସେ ଭାଷଣ ଦେଉଛନ୍ତି ଏବଂ ୨୦୧୮ ମସିହା ଭଳି ବିଳମ୍ବିତ ସମୟରେ ମଧ୍ୟ ସେ ମଦୁରାଇରେ ଆୟୋଜିତ ତାମିଲନାଡୁ ପ୍ରଗତିଶୀଳ ଲେଖକ ଓ କଳାକାର ସଂଗଠନର ଏକ ବୈଠକକୁ ସମ୍ବୋଧିତ କରିବା ପାଇଁ ତାଙ୍କ କ୍ରୋମପେଟସ୍ଥିତ ଘରୁ ଚେନ୍ନାଇର ଏହି ଉପନଗରକୁ ଯାତ୍ରା କରିଥିଲେ- ଯେଉଁଠାରେ ଆମେ ତାଙ୍କ ସହ ଏହି ସାକ୍ଷାତକାର ନେଇଥିଲୁ । ସ୍ଵାଧୀନତା ସଂଗ୍ରାମରେ ସାମିଲ ହୋଇ ନିଜ ପାଇଁ ସ୍ନାତକ ଡିଗ୍ରୀ ହାସଲ କରିପାରି ନଥିବା ଏହି ବ୍ୟକ୍ତି ଜଣକ ଅନେକ ରାଜନୈତିକ ପ୍ରବନ୍ଧ, ପ୍ରଚାର ପୁସ୍ତିକା, ପ୍ରଚାରପତ୍ର ଏବଂ ସାମ୍ବାଦିକତା ସ୍ତମ୍ଭ ଲେଖିଥିଲେ ।

ନରସିଂହାଲୁ ଶଙ୍କରୈୟା, ମଦୁରାଇର ଆମେରିକାନ କଲେଜରୁ ଇତିହାସରେ ସ୍ନାତକ ଡିଗ୍ରୀ ଲାଭ କରିବାର ସମୀପବର୍ତ୍ତୀ ହୋଇଥିଲେ ହେଁ ୧୯୪୧ରେ ରେ ମାତ୍ର ଦୁଇ ସପ୍ତାହ ପୂର୍ବରୁ ତାଙ୍କର ଅନ୍ତିମ ପରୀକ୍ଷାରେ ଉପସ୍ଥିତ ହୋଇପାରିନଥିଲେ । “ମୁଁ କଲେଜ ଛାତ୍ର ସଂସଦର ଯୁଗ୍ମ ସଂପାଦକ ଥିଲି ।” ଏବଂ ଜଣେ ପ୍ରତିଭାସଂପନ୍ନ ଛାତ୍ର ଯେ କି କଲେଜ ପରିସରରେ ଏକ କବି ସମାଜ ସ୍ଥାପନ କରିଥିଲେ ଏବଂ ଫୁଟ୍‌ବଲ୍‌ରେ କଲେଜର ପ୍ରତିନିଧିତ୍ଵ କରୁଥିଲେ । ସେ ସମୟର ବ୍ରିଟିଶ ରାଜ୍‌ ବିରୋଧୀ ଆନ୍ଦୋଳନରେ ସେ ଖୁବ୍‌ ସକ୍ରିୟ ଥିଲେ । “ମୋ କଲେଜ ପଢ଼ା ସମୟରେ, ବାମପନ୍ଥୀ ଚିନ୍ତାଧାରାର ବହୁ ଲୋକଙ୍କ ସହିତ ମୁଁ ବନ୍ଧୁତା ସ୍ଥାପନ କଲି । ଭାରତର ସ୍ଵାଧୀନତା ବିନା ପୂର୍ଣ୍ଣାଙ୍ଗ ସାମାଜିକ ସଂସ୍କାର ସମ୍ଭବ ନୁହେଁ ବୋଲି ମୋର ହୃଦ୍‌ବୋଧ ହେଲା ।” ତାଙ୍କୁ ୧୭ ବର୍ଷ ବୟସ ହେଲା ବେଳକୁ ସେ ଭାରତର କମ୍ୟୁନିଷ୍ଟ ପାର୍ଟି (ସେ ସମୟରେ ନିଷିଦ୍ଧ ଏବଂ ଗୁପ୍ତ ଥିଲା)ର ଜଣେ ସଦସ୍ୟ ଥିଲେ ।

ସେ ମନେ ପକାନ୍ତି ଯେ ସେତେବେଳେ ଆମେରିକାନ କଲେଜର ସକାରାତ୍ମକ ଆଭିମୁଖ୍ୟ ରହିଥିଲା । “କଲେଜର ନିର୍ଦ୍ଦେଶକ ଏବଂ କେତେକ ଅଧ୍ୟାପକ ଆମେରିକୀୟ ଥିଲେ ଏବଂ ଅବଶିଷ୍ଟ ସମସ୍ତେ ତାମିଲନାଡୁ ବାସିନ୍ଦା । ସେମାନେ ନିରପେକ୍ଷ ରହିବେ ବୋଲି ଆଶା କରାଯାଉଥିଲା, କିନ୍ତୁ ସେମାନେ ବ୍ରିଟିଶ ସପକ୍ଷବାଦୀ ନଥିଲେ । ସେଠାରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ଅନୁମତି ମିଳୁଥିଲା...।” ବ୍ରିଟିଶ ବିରୋଧୀ ଆନ୍ଦୋଳନରେ ଭାଗ ନେଇଥିବାରୁ ଆନ୍ନାମଲାଇ ବିଶ୍ଵବିଦ୍ୟାଳୟର ଜଣେ ଛାତ୍ରୀ ମୀନାକ୍ଷୀଙ୍କୁ ଗିରଫ ଘଟଣାକୁ ନିନ୍ଦା କରିବା ଲାଗି ୧୯୪୧ରେ ମଦୁରାଇରେ ଏକ ବୈଠକ ବସିଥିଲା ।“ଏବଂ ଆମେ ସେଠାରେ ଏକ ପ୍ରଚାରପତ୍ର ଜାରି କଲୁ । ଆମ ଛାତ୍ରାବାସର କୋଠରିଗୁଡ଼ିକରେ ଚଢ଼ାଉ କରାଗଲା, ଏବଂ ସେହି ପ୍ରଚାରପତ୍ର ରଖିଥିବାରୁ ନାରାୟଣସ୍ଵାମୀ (ମୋର ବନ୍ଧୁ)ଙ୍କୁ ଗିରଫ କରାଗଲା । ପରେ ତାଙ୍କ ଗିରଫଦାରିର ପ୍ରତିବାଦ କରିବାକୁ ଆମେ ଏକ ସଭା କରିଥିଲୁ.. ।

ଭିଡିଓ ଦେଖନ୍ତୁ: ଶଙ୍କରୈୟା ଏବଂ ଭାରତୀୟ ସ୍ଵାଧୀନତା ସଂଗ୍ରାମ

“ତା’ପରେ, ୧୯୪୧ ଫେବ୍ରୁଆରୀ ୨୮ରେ ବ୍ରିଟିଶ ସରକାର ମୋତେ ଗିରଫ କଲେ । ଏହା ଥିଲା ମୋର ଚୂଡ଼ାନ୍ତ ପରୀକ୍ଷାର ୧୫ ଦିନ ପୂର୍ବର ଘଟଣା । ଆଉ ମୁଁ କଲେଜକୁ ଫେରିପାରିଲିନି, କି ମୋର ବିଏ ଡିଗ୍ରୀ ଶେଷ କରିପାରିଲିନି ।” କେଇ ଦଶନ୍ଧି ପରେ, ତାଙ୍କୁ ଗିରଫ କରାଯିବା ସମୟର କଥା ବର୍ଣ୍ଣନା କରି ସେ କହନ୍ତି, “ଭାରତର ସ୍ଵାଧୀନତା ପାଇଁ ଜେଲ୍‌ ଯାଇଥିବାରୁ, ସ୍ଵାଧୀନତା ସଂଗ୍ରାମର ଅଂଶ ଭାବେ ମୁଁ ଗର୍ବ ଅନୁଭବ କରୁଥିଲି । ଏଇ ଗୋଟିଏ ଭାବନା ହିଁ ମୋ ମୁଣ୍ଡରେ ଥିଲା ।” ବୃତ୍ତିଗତ ଜୀବନଧାରା ନଷ୍ଟ ହୋଇଯିବା ସଂପର୍କରେ ନୁହେଁ । ତାହା ଥିଲା ସେ ସମୟରେ, ଆନ୍ଦୋଳନାତ୍ମକ ଯୁବକ ଭାବରେ ତାଙ୍କର ଏକ ପ୍ରିୟ ସ୍ଲୋଗାନ୍‌ ଭଳି:“ଆମେ ଚାକିରି ସନ୍ଧାନୀ ନୁହଁ, ଆମେ ସ୍ଵାଧୀନତା ସନ୍ଧାନୀ ।”

“ମଦୁରାଇ ଜେଲରେ ୧୫ ଦିନ କାଟିବା ପରେ ମୋତେ ଭେଲୋର କାରାଗାରକୁ ପଠାଇ ଦିଆଗଲା । ସେ ସମୟରେ, ତାମିଲ ନାଡୁ, ଆନ୍ଧ୍ର ପ୍ରଦେଶ ଏବଂ କେରଳର ବହୁ ଲୋକ ସେଠାରେ ଅଟକ ରହିଥିଲେ ।

“ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ କମ୍ରେଡ୍‌ ଏ.କେ.ଗୋପାଳନ୍‌(କେରଳର କିମ୍ବଦନ୍ତୀ କମ୍ୟୁନିଷ୍ଟ ନେତା)ଙ୍କୁ ତ୍ରିଚିରେ ଗିରଫ କରାଗଲା । ସେହି କାର୍ଯ୍ୟକ୍ରମ ସମୟରେ କେରଳର କମ୍ରେଡ୍‌ ଇମ୍ବିଚି ବାଭା, ଭି.ସୁବାୟା, ଜୀବନାନନ୍ଦମ୍‌ଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ସେମାନେ ସମସ୍ତେ ଭେଲୋର କାରାଗାରରେ ଥିଲେ । ମାଡ୍ରାସ୍‌ ସରକାର ଆମକୁ ଦୁଇଟି ଗୋଷ୍ଠୀରେ ବିଭାଜିତ କରିବାକୁ ଚାହୁଁଥିଲେ । ଯାହା ଦ୍ଵାରା ଗୋଟିଏ ଗୋଷ୍ଠୀକୁ ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀଙ୍କ ଭଳି ‘ସି’ ବର୍ଗର ଖାଦ୍ୟ ସାମଗ୍ରୀ ମିଳିବ । ଏହି ବ୍ୟବସ୍ଥା ବିରୋଧରେ ଆମେ ୧୯ ଦିନ ଧରି ଅନଶନ କଲୁ । ଅନଶନର୧୦ମ ଦିନରେ ସେମାନେ ଆମକୁ ଦୁଇଟି ଗୋଷ୍ଠୀରେ ବିଭାଜନ କରିଦେଲେ । ସେତେବେଳେ ମୁଁ ଜଣେ ଛାତ୍ର ହିଁ ଥିଲି ।”

ଥରେ ଶଙ୍କରୈୟାଙ୍କ ସେଲ୍‌କୁ ଆସିଥିବା ଜଣେ ଜେଲ ମହା ନିରୀକ୍ଷକ,ଏହି କିଶୋର ବନ୍ଦୀଙ୍କୁ ମାକ୍ସିମ୍‌ ଗର୍କିଙ୍କ ରଚିତ ‘ମଦର’ ବହି ପଢୁଥିବା ଦେଖି ଖୁବ୍‌ ବିସ୍ମିତ ହେଲେ। ସେ ପଚାରିଲେ, “ଅନଶନରେ ବସିବାର ଦଶମ ଦିନରେ ତୁମେ ସାହିତ୍ୟ ପଢୁଛ- ଗର୍କିଙ୍କ ମଦର ?’’ ଶଙ୍କରୈୟା ଏହା କହିବା ବେଳେ ପୁରୁଣା ଦିନର କଥାକୁ ମନେ ପକାଇ ତାଙ୍କ ଆଖି ଆନନ୍ଦରେ ଝଲସି ଉଠୁଥିଲା ।

ସେତେବେଳେ ଗିରଫ ହୋଇ ଏକ ପୃଥକ୍‌ ଜେଲ୍‌ରେ ଥିବା ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଥିଲେ “କାମରାଜର (କେ. କାମରାଜ, ପରେ ସେ ୧୯୫୪ରୁ ୧୯୬୩ ପର୍ଯ୍ୟନ୍ତ ମାଡ୍ରାସ ରାଜ୍ୟର-ବର୍ତ୍ତମାନର ତାମିଲନାଡୁ- ମୁଖ୍ୟମନ୍ତ୍ରୀ ହୋଇଥିଲେ), ପଟ୍ଟାଭି ସୀତାରାମାୟା (ସ୍ଵାଧୀନତାର ଠିକ୍‌ ପରେ ପରେ ସେ କଂଗ୍ରେସ ଅଧ୍ୟକ୍ଷ ଥିଲେ) ଏବଂ ଅନ୍ୟ ଅନେକ । ହେଲେ, ସେମାନେ ଅନ୍ୟ ଏକ ପରିସରରେ, ଅନ୍ୟ ଏକ ଜେଲ୍‌ରେ ଥିଲେ । କଂଗ୍ରେସ ସଦସ୍ୟମାନେ ଅନଶନ ଆନ୍ଦୋଳନରେ ଅଂଶଗ୍ରହଣ କରି ନଥିଲେ । ସେମାନେ ଗୋଟିଏ କଥା କହୁଥିଲେ: “ଆମେ ମହାତ୍ମା ଗାନ୍ଧିଙ୍କ ଉପଦେଶ ମାନିବାକୁ ବାଧ୍ୟ” । ତାହା ଥିଲା: ‘ଜେଲ୍‌ ଭିତରେ କୌଣସି ଆନ୍ଦୋଳନ କରନାହିଁ’ । ସେ ଯାହାହେଉ, ସରକାର କିଛିଟା ରିହାତି ଦେଲେ । ୧୯ ଦିନରେ ଆମେ ଅନଶନ ବନ୍ଦ କରିଦେଲୁ ।”

PHOTO • S. Gavaskar

ଉପର ବାମ: ୯୦ଦଶକର ମଧ୍ୟ ଭାଗରେ ତାଙ୍କ ଦଳର ରାଜ୍ୟ କମିଟି ଅଫିସ୍‌ରେ ଶଙ୍କରୈୟା । ଉପର ଡାହାଣ:୧୯୮୦ ଦଶକରେ ତାଙ୍କ ପୁରୁଣା ସାଥୀ ପି.ରାମମୂର୍ତ୍ତି ସମ୍ବୋଧିତ କରୁଥିବା ଏକ ସାଧାରଣ ସଭାରେ (ସମ୍ମୁଖ ଭାଗ କୋଣରେ ପ୍ରଥମ ବ୍ୟକ୍ତି), ତଳ ଧାଡ଼ି:୨୦୧୧ରେ ଚେନ୍ନାଇରେ ଆୟୋଜିତ ଏକ ଦୁର୍ନୀତି ବିରୋଧୀ ସଭାକୁ ସମ୍ବୋଧିତ କରୁଛନ୍ତି

ଶଙ୍କରୈୟା କୁହନ୍ତି, ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ସେମାନଙ୍କ ମଧ୍ୟରେ ଦୃଢ଼ ମତଭେଦ ଥିଲେ ମଧ୍ୟ “କାମରାଜ ବାମପନ୍ଥୀମାନଙ୍କର ଉତ୍ତମ ବନ୍ଧୁ ଥିଲେ। ଜେଲ୍‌ରେ ତାଙ୍କ ସହିତ ଗୋଟିଏ କୋଠରୀରେ ରହୁଥିବା ମଦୁରାଇ ଓ ତିରୁନେଲଭେଲିର ସଂଗ୍ରାମୀମାନେ ବାମପନ୍ଥୀ ଥିଲେ। କାମରାଜରଙ୍କ ସହିତ ମୋର ଖୁବ ଘନିଷ୍ଠ ସମ୍ପର୍କ ଥିଲା। ଆମ ପ୍ରତି ହେଉଥିବା ଖରାପ ବ୍ୟବହାର ପ୍ରତି ସେ ଏକାଧିକ ବାର ପ୍ରତିବାଦ କରିଥିଲେ। କିନ୍ତୁ ନିଶ୍ଚିନ୍ତ ଭାବେ ଜେଲ ଭିତରେ ବାମପନ୍ଥୀ ଓ କଂଗ୍ରେସକର୍ମୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହେଉଥିଲା, ବିଶେଷ କରି ଜର୍ମାନ-ସୋଭିଏତ ଯୁଦ୍ଧ ଆରମ୍ଭ ହେବା ସମୟରେ।

“କିଛି ଦିନ ପରେ, ଆମ ୮ ଜଣଙ୍କୁ ରାଜମହେନ୍ଦ୍ରୀ (ବର୍ତ୍ତମାନ ଆନ୍ଧ୍ରପ୍ରଦେଶ) ଜେଲକୁ ପଠାଇ ଦିଆଗଲା ଏବଂ ସେଠାରେ ଏକ ପୃଥକ ୟାର୍ଡରେ ଆମକୁ ରଖାଗଲା।

“ଏପ୍ରିଲ ୧୯୪୨ ବେଳକୁ, ସରକାର ମୋତେ ଛାଡ଼ି ଅନ୍ୟ ସମସ୍ତ ଛାତ୍ରଙ୍କୁ ଜେଲରୁ ମୁକ୍ତ କରି ଦେଲେ। ମୁଖ୍ୟ ୱାର୍ଡେନ ଆସି ପଚାରିଲେ: “ଶଙ୍କରୈୟା କିଏ?” ଏବଂ ଏହାପରେ ଆମକୁ ସୂଚନା ଦେଲେ ଯେ ସମସ୍ତେ ଛାଡ଼ ପାଇଛନ୍ତି-କେବଳ ମୋତେ ଛାଡ଼ି। ଗୋଟିଏ ମାସ ପାଇଁ, ମୋତେ ଏକାନ୍ତ କାରାବାସ କରିବାକୁ ପଡ଼ିଲା ଏବଂ ସମ୍ପୂର୍ଣ୍ଣ ୟାର୍ଡରେ କେବଳ ମୁଁ ହିଁ ଥିଲି।

ସେ ଓ ଅନ୍ୟମାନେ କେଉଁ ଦଫା ଲଗାଇଥିଲେ? “କୌଣସି ଦଫା ନୁହେଁ, କେବଳ ଅଟକ। ପ୍ରତି ୬ ମାସରେ ଥିରେ ସେମାନେ ଏକ ଲିଖିତ ନୋଟିସ ପଠାଉଥିଲେ, ଏଥିରେ ଆମକୁ କାହିଁକି ଅଟକ ରଖାଯାଇଛି ତା’ର କାରଣ ଦର୍ଶାଯାଉଥିଲା। କାରଣ ଥିଲା, ରାଜଦ୍ରୋହ, ବାମପନ୍ଥୀ କାର୍ଯ୍ୟକଳାପ ଆଦି। ଆମକୁ ଏକ କମିଟି ସମ୍ମୁଖରେ ଏହାର ଉତ୍ତର ରଖିବାକୁ ପଡ଼ୁଥିଲା- ଏବଂ ସେହି କମିଟି ତା’କୁ ଖାରଜ କରି ଦେଉଥିଲା।”

ଯୋଗକୁ, “ମୋର ଜଣେ ବନ୍ଧୁ ଯିଏକି ରାଜମହେନ୍ଦ୍ରୀ ଜେଲରୁ ମୁକୁଳିଥିଲେ କାମରାଜରଙ୍କୁ ରାଜମହେନ୍ଦ୍ରୀ ଷ୍ଟେସନରେ ଭେଟିଲେ-ସେ କଲିକତା (କୋଲକାତା)ରୁ ଫେରୁଥିଲେ। ସେ ଯେତେବେଳେ ଜାଣିଲେ ଯେ ମୋତେ ଜେଲରୁ ଛଡ଼ା ହୋଇନାହିଁ, ସେ ମାଡ୍ରାସ ମୁଖ୍ୟ ଶାସନ ସଚିବଙ୍କୁ ଏକ ଚିଠି ଲେଖିଲେ ଓ ମୋତେ ଭେଲୋର ଜେଲକୁ ସ୍ଥାନାନ୍ତର କରିବାକୁ ଦାବି କଲେ। ସେ ମୋତେ ମଧ୍ୟ ଏକ ଚିଠି ଲେଖିଲେ। ଏହାର ଗୋଟିଏ ମାସ ପରେ ମୁଁ ଭେଲୋର ଜେଲକୁ ସ୍ଥାନାନ୍ତର ହେଲି- ସେଠାରେ ମୁଁ ୨୦୦ ଜଣ ଅନ୍ୟ ଅନ୍ତେବାସୀଙ୍କ ସହିତ ରହୁଥିଲି”।

ବିଭିନ୍ନ ଜେଲରେ ସମୟ ବିତାଉଥିବା ସମୟରେ ଶଙ୍କରୈୟା ମଧ୍ୟ ଭାରତର ଭବିଷ୍ୟତର ରାଷ୍ଟ୍ରପତି ଆର. ଭେଙ୍କଟରମଣଙ୍କୁ ଭେଟିବାର ସୁଯୋଗ ପାଇଥିଲେ। “ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜଣେ ସଦସ୍ୟ ଭାବେ ଜେଲରେ ଥିଲେ,  ୧୯୪୩ରେ ସେ ଏହାର ସଦସ୍ୟ ହୋଇଥିଲେ। ପରେ, ଅବଶ୍ୟ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ତଥାପି, ଆମେ ବହୁ ବର୍ଷ ପର୍ଯ୍ୟନ୍ତ ଏକାଠି କାମ କରିଥିଲୁ”।

PHOTO • M. Palani Kumar ,  Surya Art Photography

ଥୁଟ୍ଟୁକୁଡ଼ି ସହର (ବାମ)ରେ ଥିବା ବିଦ୍ୟାଳୟ ଯେଉଁଠି ଶଙ୍କରୈୟା ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ଏହାପରେ ସେ ମଦୁରାଇର ସେଣ୍ଟ ମ୍ୟାରୀ ସ୍କୁଲ (ମଝି)ରେ ସ୍କୁଲ ଶିକ୍ଷା ଶେଷ କରିଥିଲେ। ଏହାପରେ ସେ ଆମେରିକାନ କଲେଜ (ଡାହାଣ), ମଦୁରାଇକୁ ବିଏ ପଢ଼ିବାକୁ ଯାଇଥିଲେ, ଯାହାକି କେବେ ସମ୍ପୂର୍ଣ୍ଣ ହୋଇପାରିନଥିଲା। ଅନ୍ତିମ ପରୀକ୍ଷାର ପନ୍ଦର ଦିନ ପୂର୍ବରୁ ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା

ଆମେରିକାନ କଲେଜରେ ପଢ଼ୁଥିବା ଶଙ୍କରେୟାଙ୍କ ଅଧିକାଂଶ ବନ୍ଧୁମାନେ ଏବଂ ବ୍ୟାପକ ଛାତ୍ର ଆନ୍ଦୋଳନର ସଦସ୍ୟଗଣ ସ୍ନାତକ ଶେଷ ହେବା ପରେ ବିଶିଷ୍ଟ ବ୍ୟକ୍ତିବିଶେଷରେ ପରିଣତ ହେଲେ। ଜଣେ ତାମିଲନାଡ଼ୁର ମୁଖ୍ୟ ଶାସନ ସଚିବ ହେଲେ, ଆଉ ଜଣେ ବିଚାରପତି, ତୃତୀୟ ଜଣ ଆଇଏଏସ ଅଫିସର ହେଲେ ଯିଏକି କିଛି ଦଶନ୍ଧି ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କର ସଚିବ ହୋଇଥିଲେ। ଶଙ୍କରୈୟାଙ୍କୁ ବାରମ୍ବାର ଜେଲ୍ ଯିବାକୁ ପଡ଼ୁଥିଲା, କାରାବାସରେ ରହିବାକୁ ପଡ଼ୁଥିଲା, ଏପରିକି ସ୍ୱାଧୀନତା ପରେ ମଧ୍ୟ। ୧୯୪୭ ପୂର୍ବରୁ ସେ ମଦୁରାଇ, ଭେଲୋର, ରାଜମହେନ୍ଦ୍ରୀ, କନ୍ନୁର, ସାଲେମ, ତାଞ୍ଜାଭୁର ଜେଲରେ କଟାଇଥିଲେ।

୧୯୪୮ରେ କମ୍ୟୁନିଷ୍ଟ ପାର୍ଟିକୁ ନିଷିଦ୍ଧ କରାଯିବା ପରେ ତାଙ୍କୁ ପୁଣିଥରେ ଗୁପ୍ତରେ ରହିବାକୁ ପଡ଼ିଲା। ସେ ୧୯୫୦ରେ ଗିରଫ ହେଲେ ଏବଂ ଗୋଟିଏ ବର୍ଷ ପରେ ଛାଡ଼ ପାଇଲେ। ୧୯୬୨ରେ ଭାରତ-ଚୀନ ଯୁଦ୍ଧ ସମୟରେ ଜେଲ ଯାଇଥିବା ଅନେକ ବାମପନ୍ଥୀ ନେତାମାନଙ୍କ ମଧ୍ୟରୁ ସେ ଜଣେ ଥିଲେ। ତାଙ୍କ ମାମଲାରେ ସେ ଜେଲରେ ୭ ମାସ ବିତାଇଥିଲେ। ୧୯୬୫ ବାମପନ୍ଥୀ ଆନ୍ଦୋଳନ ଉପରେ ଆଉ ଏକ କାର୍ଯ୍ୟାନୁଷ୍ଠାନ ହେଲା, ସେ ପୁଣି ଜେଲରେ ୧୭ ମାସ ବିତାଇଲେ।

ସ୍ୱାଧୀନତା ପରେ ତାଙ୍କୁ ଟାର୍ଗେଟ କରିଥିବା ଲୋକଙ୍କ ପ୍ରତି ତାଙ୍କ ମନରେ କୌଣସି ଅସୂୟା ଭାବ ନଥିଲା। ତାଙ୍କର କହିବାର କଥା ଥିଲା, ସେଗୁଡ଼ିକ ରାଜନୈତିକ ଯୁଦ୍ଧ ଥିଲା, ବ୍ୟକ୍ତିଗତ ନୁହେଁ। ଏବଂ ସେ ଦେଶମାତୃକା ପାଇଁ ସଂଘର୍ଷ କରୁଥିଲେ, ବ୍ୟକ୍ତିଗତ ଲାଭ ପାଇଁ ନୁହେଁ।

ସ୍ୱାଧୀନତା ସଂଗ୍ରାମରେ ତାଙ୍କ ପାଇଁ ପଟ୍ଟପରିବର୍ତ୍ତନକାରୀ ବା ପ୍ରେରଣାଦାୟୀ ମୁହୂର୍ତ୍ତ କ’ଣ ଥିଲା?

“ନିଶ୍ଚିତ ଭାବେ ବ୍ରିଟିଶମାନଙ୍କ ଦ୍ୱାରା ଭଗତ ସିଂଙ୍କୁ ଫାଶୀ ଦିଆଯିବା। ୧୯୪୫ରେ ଆଜାଦ ହିନ୍ଦ ସେନା (ଆଇଏନଏ) ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ୧୯୪୬ରେ ରୟାଲ ଇଣ୍ଡିଆନ ନାଭି(ଆରଏନଏମ୍) ର ବିଦ୍ରୋହ।” “ଏସବୁ ମୁଖ୍ୟ ଘଟଣା ଥିଲା ଯାହା ବ୍ରିଟିଶ ରାଜ ବିରୋଧୀ ଆନ୍ଦୋଳନକୁ ଆହୁରି ବଢ଼ାଇ ଦେଇଥିଲା।”

ଦଶନ୍ଧି ପରେ ଦଶନ୍ଧି ବିତିଚାଲିଲା, ବାମପନ୍ଥୀମାନଙ୍କର ସହିତ ତାଙ୍କର ସମ୍ପୃକ୍ତି ଦିନକୁ ଦିନ ବଢ଼ିଚାଲିଲା। ସେ ସବୁଦିନ ପାଇଁ ଦଳର ଜଣେ ପୂର୍ଣ୍ଣକାଳୀନ ସଦସ୍ୟ ପାଲଟିଗଲେ।

“୧୯୪୪ରେ ମୁଁ ତାଞ୍ଜାଭୁର ଜେଲ୍‌ରୁ ମୁକୁଳିଲି ଏବଂ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ମଦୁରାଇ ଜିଲ୍ଲା କମିଟି ସମ୍ପାଦକ ଭାବେ ନିର୍ବାଚିତ ହେଲି। ଏବଂ ୨୨ ବର୍ଷ ପର୍ଯ୍ୟନ୍ତ, ମୁଁ ଦଳର ରାଜ୍ୟ ସମିତି ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲି।”

Left: Sankariah in his party office library in 2013 – he had just inaugurated it. Right: With his wife S. Navamani Ammal in 2014 on his 93rd birthday. Navamani Ammal passed away in 2016
PHOTO • S. Gavaskar
Left: Sankariah in his party office library in 2013 – he had just inaugurated it. Right: With his wife S. Navamani Ammal in 2014 on his 93rd birthday. Navamani Ammal passed away in 2016
PHOTO • S. Gavaskar

ବାମ : ୨୦୧୩ରେ ପାର୍ଟି ଅଫିସ ପାଠାଗାରରେ ଶଙ୍କରୈୟା-ସେ ଏହାକୁ ଉଦଘାଟନ କରିଥିଲେ। ଡାହାଣ : ତାଙ୍କ ପତ୍ନୀ ଏସ. ନବମଣୀ ଆମ୍ମାଲଙ୍କ ସହିତ ୨୦୧୪ରେ ତାଙ୍କର ୯୩ତମ ଜନ୍ମଦିନ ଅବସରରେ। ନବମଣୀ ଆମ୍ମାଲ ୨୦୧୬ରେ ପରଲୋକ ଗମନ କରିଥିଲେ

ଜନସାଧାରଣଙ୍କୁ ସଂଗଠିତ କରିବାର ଅସାଧାରଣ ଦକ୍ଷତା ଶଙ୍କରୈୟାଙ୍କ ନିକଟରେ ରହିଥିଲା। ୧୯୪୦ ଦଶକର ମଧ୍ୟଭାଗରେ ବାମପନ୍ଥୀମାନଙ୍କର ମୁଖ୍ୟ ଗଡ଼ ଥିଲା ମଦୁରାଇ। “୧୯୪୬ରେ ଯେତେବେଳେ ସିପିଆଇର ସାଧାରଣ ସମ୍ପାଦକ ପି.ସି ଯୋଶୀ ମଦୁରାଇକୁ ଆସିଥିଲେ, ତାଙ୍କ ସଭାରେ ୧ ଲକ୍ଷ ଲୋକ ଯୋଗ ଦେଇଥିଲେ। ଆମର ଅଧିକାଂଶ ବୈଠକରେ ପ୍ରବଳ ଭିଡ଼ ହେଉଥିଲା।”

ସେମାନଙ୍କର ଲୋକପ୍ରିୟତା ବଢ଼ିଚାଲୁଥିବା ଦେଖି ବ୍ରିଟିଶ ସରକାର ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଯାହାକି ‘ମଦୁରାଇ ଷଡ଼ଯନ୍ତ୍ର ମାମଲା’ ନାଁରେ ପରିଚିତ। ଏଥିରେ ପି. ରାମମୂର୍ତ୍ତିଙ୍କୁ (ତାମିଲନାଡ଼ୁର ବିଶିଷ୍ଟ ନେତା) ପ୍ରଥମ ଅଭିଯୁକ୍ତ, ଶଙ୍କରୈୟାଙ୍କୁ ଦ୍ୱିତୀୟ ଅଭିଯୁକ୍ତ ଏବଂ ଅନ୍ୟ ସିପିଆଇ ନେତା ଓ କର୍ମୀମାନଙ୍କୁ ସହ ଅଭିଯୁକ୍ତ ଭାବେ ଦର୍ଶାଗଲା। ଅନ୍ୟ ଶ୍ରମିକନେତାମାନଙ୍କୁ ହତ୍ୟା କରିବା ଲାଗି ସେମାନଙ୍କ କାର୍ଯ୍ୟାଳୟରେ ଷଡ଼ଯନ୍ତ୍ର କରିବାର ଅଭିଯୋଗ ସେମାନଙ୍କ ବିରୋଧରେ ଲାଗୁ ହେଲା।  ପୋଲିସ କହିଥିଲା, ଜଣେ ଶଗଡ଼ିଆ ସେମାନଙ୍କ କଥା ଶୁଣିପାରିଥିଲେ ଏବଂ ନିଜର କର୍ତ୍ତବ୍ୟ ସମ୍ପାଦନ କରି ସେ କର୍ତ୍ତୃପକ୍ଷଙ୍କୁ ଏହା ଜଣାଇଲେ, ସେ ମାମଲାର ମୁଖ୍ୟ ସାକ୍ଷୀ ଥିଲେ।

ଶଙ୍କରୈୟାଙ୍କ ସାନ ଭାଇ ଏନ. ରାମ କ୍ରିଷ୍ଣନ ୨୦୦୮ରେ ଲେଖିଥିବା ଜୀବନୀ ପୁସ୍ତକ ‘ପି. ରାମମୂର୍ତ୍ତି-ଏ ସେଣ୍ଟେନାରୀ ଟ୍ରିବ୍ୟୁଟ’ରେ ଲେଖିଛନ୍ତି : “ତଦନ୍ତ ସମୟରେ, ରାମମୂର୍ତ୍ତି (ମାମଲାରେ ସେ ନିଜ ପକ୍ଷ ରଖୁଥିଲେ) ପ୍ରମାଣ କରିଥିଲେ ଯେ ମୁଖ୍ୟ ସାକ୍ଷୀ ଜଣେ ଠକ ଏବଂ ଏକ ସାଧାରଣ ଚୋର ଯିଏକି ବିଭିନ୍ନ ମାମଲାରେ ଅନେକ ବାର ଜେଲ ଯାଇଥିଲା।” ଏହି ମାମଲାର ଶୁଣାଣି କରୁଥିବା ସ୍ୱତନ୍ତ୍ର ବିଚାରପତି “ଜେଲ ପରିସରକୁ ଅଗଷ୍ଟ ୧୪, ୧୯୪୭ରେ ଆସିଲେ… ମାମଲାରେ ସମ୍ପୃକ୍ତ ଥିବା ସମସ୍ତଙ୍କୁ ଛାଡ଼ିବା ଲାଗି ନିର୍ଦ୍ଦେଶ ଦେଲେ। ସେ କର୍ମୀମାନଙ୍କର ସମ୍ମାନନୀୟ ନେତାମାନଙ୍କ ବିରୋଧରେ ମାମଲା ରୁଜୁ କରିଥିବାରୁ ସରକାରଙ୍କୁ କଟୁ ସମାଲୋଚନା କରିଥିଲେ।”

ନିକଟ ବର୍ଷଗୁଡ଼ିକରେ ସେହି ଅତୀତର ଆଶ୍ଚର୍ଯ୍ୟଜନକ ପ୍ରତିଧ୍ୱନୀ ଦେଖିବାକୁ ମିଳିଛି- ଯଦିଓ ଆମ ସମୟ ଭଳି ଜଣେ ସ୍ୱତନ୍ତ୍ର ବିଚାରପତି ଜେଲ ପରିସରକୁ ଆସି ନିର୍ଦ୍ଦୋଷ ବନ୍ଦୀମାଡ଼କୁ ମୁକୁଳାଇ ନାହାନ୍ତି ଓ ସରକାରଙ୍କୁ ସମାଲୋଚନା କରିନାହାନ୍ତି।

ସିପିଆଇ ୧୯୪୮ରେ ନିଷିଦ୍ଧ ସଂଗଠନ ଘୋଷିତ ହେବା ପରେ, ରାମମୂର୍ତ୍ତି ଓ ଅନ୍ୟମାନେ ଜେଲ ଗଲେ-ଏଥର ସ୍ୱାଧୀନ ଭାରତରେ। ଆଗକୁ ନିର୍ବାଚନ ଥିଲା ଏବଂ ମାଡ୍ରାସ ରାଜ୍ୟରେ ବାମପନ୍ଥୀମାନଙ୍କର ଲୋକପ୍ରିୟତା ଶାସକ କଂଗ୍ରେସ ପାଇଁ ଏକ ବିପଦ ଥିଲା।

Left: DMK leader M.K. Stalin greeting Sankariah on his 98th birthday in 2019. Right: Sankariah and V.S. Achuthanandan, the last living members of the 32 who walked out of the CPI National Council meeting in 1964, being felicitated at that party’s 22nd congress in 2018 by party General Secretary Sitaram Yechury
PHOTO • S. Gavaskar
Left: DMK leader M.K. Stalin greeting Sankariah on his 98th birthday in 2019. Right: Sankariah and V.S. Achuthanandan, the last living members of the 32 who walked out of the CPI National Council meeting in 1964, being felicitated at that party’s 22nd congress in 2018 by party General Secretary Sitaram Yechury

ବାମ : ଡିଏମକେ ନେତା ଏମ.କେ ଷ୍ଟାଲିନ ୨୦୧୯ରେ ୯୮ତମ ଜନ୍ମ ଦିନ ଅବସରରେ ଶଙ୍କରୈୟାଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଡାହାଣ : ଶଙ୍କରୈୟା ଏବଂ ଭି.ଏସ. ଅଚ୍ୟୁତାନନ୍ଦନ ୧୯୬୪ ସିପିଆଇ ଜାତୀୟ ପରିଷଦ ବୈଠକରୁ ଉଠି ଚାଲିଆସିଥିବା ୩୨ ଜଣ ସଦସ୍ୟମାନଙ୍କ ମଧ୍ୟରୁ ଜୀବିତ ଥିବା ଶେଷ ଦୁଇ ଜଣ ସଦସ୍ୟଙ୍କୁ ୨୦୧୮ରେ ଦଳର ୨୨ତମ କଂଗ୍ରେସ ଅବସରରେ ସମ୍ବର୍ଦ୍ଧିତ କରୁଛନ୍ତି ଦଳର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ

“ତେଣୁ ରାମମୂର୍ତ୍ତି ବନ୍ଦୀ ଥିବା ସମୟରେ କେନ୍ଦ୍ରୀୟ କାରାଗାରର ସୁପରିଣ୍ଟେଣ୍ଡେଣ୍ଟଙ୍କ ନିକଟରେ ନିଜର ନାମାଙ୍କନ ଦାଖଲ କଲେ। ସେ ମାଡ୍ରାସ ବିଧାନ ସଭା ପାଇଁ ମଦୁରାଇ ଉତ୍ତର ନିର୍ବାଚନ ମଣ୍ଡଳୀରୁ ୧୯୫୨ରେ ନିର୍ବାଚନ ଲଢ଼ିଥିଲେ। ତାଙ୍କ ନିର୍ବାଚନ ପ୍ରଚାର ଦାୟିତ୍ୱରେ ମୁଁ ଥିଲି। ତାଙ୍କ ବିରୋଧରେ ଅନ୍ୟ ଦୁଇ ସଦସ୍ୟ ଥିଲେ ବରିଷ୍ଠ କଂଗ୍ରେସ ନେତା ଚିଦାମ୍ବରମ ଭାରତୀ ଓ ଜଷ୍ଟିସ ପାର୍ଟିର ପି.ଟି. ରାଜନ। ରାମମୂର୍ତ୍ତି ବଡ଼ ବ୍ୟବଧାନରେ ବିଜୟ ହାସଲ କଲେ, ସେ ଜେଲ୍‌ରେ ଥିବା ସମୟରେ ନିର୍ବାଚନ ଫଳ ପ୍ରକାଶ ପାଇଥିଲା। ଭାରତୀ ଦ୍ୱିତୀୟରେ ଥିଲେ ଏବଂ ରାଜନ ଅମାନତ ହରାଇଥିଲେ। ବିଜୟ ବୈଠକରେ ୩ ଲକ୍ଷ ଯୋଗ ଦେଇ ଖୁସି ମନାଇଥିଲେ।” ସ୍ୱାଧୀନତା ପରେ ରାମମୂର୍ତ୍ତି ତାମିଲନାଡ଼ୁ ବିଧାନସଭାର ପ୍ରଥମ ବିରୋଧୀ ଦଳ ନେତା ହେଲେ।

୧୯୬୪ରେ ଯେତେବେଳେ କମ୍ୟୁନିଷ୍ଟ ପାର୍ଟି ବିଭାଜନ ହେଲା, ଶଙ୍କରୈୟା ନବଗଠିତ ସିପିଆଇ-ଏମ୍‌ରେ ଯୋଗ ଦେଲେ। “୧୯୬୪ରେ ସିପିଆଇ ଜାତୀୟ ପରିଷଦ ବୈଠକରୁ ଆମେ ୩୨ ଜଣ ସଦସ୍ୟ ଉଠି ଚାଲିଆସିଥିଲୁ। ଆମ ଭିତରୁ ଭି.ଏସ. ଅଚ୍ୟୁତାନନ୍ଦନ ଓ ମୁଁ ଦୁଇ ଜଣ ଜୀବିତ ଅଛୁ।” ଶଙ୍କରୈୟା ପରବର୍ତ୍ତୀ ସମୟରେ ଦେଢ଼ କୋଟି ସଦସ୍ୟ ଥିବା ଭାରତର ସବୁଠୁ ବଡ଼ କୃଷକ ସଂଗଠନ ଅଲ ଇଣ୍ଡିଆ କିସାନ ସଭାର ସାଧାରଣ ସମ୍ପାଦକ ଓ ପରେ ସଭାପତି ହୋଇଥିଲେ। ସେ ମଧ୍ୟ ସିପିଆଇ-ଏମ୍ ତାମିଲନାଡ଼ୁ ରାଜ୍ୟ ସମ୍ପାଦକ ପଦବୀରେ ୭ ବର୍ଷ ଧରି ରହିବା ସହିତ ଦଳର କେନ୍ଦ୍ରୀୟ ସମିତିରେ ଦୁଇ ଦଶନ୍ଧି ପର୍ଯ୍ୟନ୍ତ ସଦସ୍ୟ ରହିଥିଲେ।

ଆମେ ଏଥିପାଇଁ ଗର୍ବିତ ଯେ “ଆମେ ତାମିଲନାଡ଼ୁ ବିଧାନସଭାରେ ପ୍ରଥମ ଥର ତାମିଲ ଭାଷାର ପ୍ରଚଳନ କରିଥିଲୁ। ୧୯୫୨ରେ ବିଧାନସଭା ଭିତରେ ତାମିଲ ଭାଷାରେ କହିବାର କୌଣସି ବ୍ୟବସ୍ଥା ନଥିଲା, ଇଂରାଜୀ ହିଁ ଏକମାତ୍ର ଭାଷା ଥିଲା, କିନ୍ତୁ (ଆମର ବିଧାୟକମାନେ) ଜୀବନନ୍ଦମ ଏବଂ ରାମମୂର୍ତ୍ତି ତାମିଲ ଭାଷାରେ ବକ୍ତବ୍ୟ ରଖିଲେ ଯଦିଓ ଏହାର ୬ ରୁ ୭ ବର୍ଷ ପରେ ତାମିଲ ଭାଷାରେ କହିବାର ବ୍ୟବସ୍ଥା ହେଲା’’।

ଶ୍ରମିକ ଓ କୃଷକମାନଙ୍କ ପ୍ରତି ଶଙ୍କରୈୟାଙ୍କ ପ୍ରତିବଦ୍ଧତା ଅନ୍ତିମ ସମୟ ପର୍ଯ୍ୟନ୍ତ ଅପରିବର୍ତ୍ତିତ ଥିଲା। ତାଙ୍କର ବିଶ୍ୱାସ ଯେ ବାମପନ୍ଥୀମାନେ “ନିର୍ବାଚନ ରାଜନୀତିର ସଠିକ ଉତ୍ତର ପାଇପାରିବେ” ଏବଂ ବ୍ୟାପକ ମାତ୍ରାରେ ଗଣ ଆନ୍ଦୋଳନ ଗଢ଼ି ତୋଳିପାରିବେ। ପାଖାପାଖି ଦେଢ଼ ଘଣ୍ଟା ଧରି ଚାଲିଥିବା ଏହି ସାକ୍ଷାତକାରରେ ୯୯ ବର୍ଷୀୟ ଏହି ବୃଦ୍ଧ ଜଣକ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମାନ ଉତ୍ସାହ ଓ ଶକ୍ତି ସହିତ ନିଜର ମତ ରଖିଚାଲିଥିଲେ। ତାଙ୍କର ଉତ୍ସାହ ସେହି ୯ ବର୍ଷର ବାଳକ ଭଳି ଥିଲା ଯିଏକି ଭଗତ ସିଂଙ୍କ ବଳିଦାନରେ ଅନୁପ୍ରାଣିତ ହୋଇ ରାସ୍ତାକୁ ଓହ୍ଲାଇ ଆସିଥିଲା।

ସୂଚନା : ଏ କାହାଣୀ ପ୍ରସ୍ତୁତ କରିବା ଲାଗି ମୂଲ୍ୟବାନ ସହଯୋଗ କରିଥିବାରୁ କବିତା ମୂରଲୀଧରନଙ୍କୁ ଧନ୍ୟବାଦ।

ଅନୁବାଦ: ଓଡ଼ିଶାଲାଇଭ୍  

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ପି.ସାଇନାଥ ପିପୁଲ୍ସ ଆର୍କାଇବ ରୁରାଲ ଇଣ୍ଡିଆର ସଂସ୍ଥାପକ ସମ୍ପାଦକ, ସେ କେଇ ଦଶକ ଧରି ଜଣେ ଗ୍ରାମୀଣ ସମ୍ବାଦଦାତା ଭାବରେ କାର୍ଯ୍ୟ କରିଛନ୍ତି ଏବଂ ସେ ‘ଏଭ୍ରିବଡି ଲଭ୍ସ ଏ ଗୁଡ୍ ଡ୍ରଟ୍’ର ଲେଖକ।

Other stories by P. Sainath