ଶୀତଲ କହନ୍ତି, "ସମସ୍ତେ ଆମକୁ କାହିଁକି ଘୃଣା କରୁଛନ୍ତି? କାରଣ ଆମେ ହିଞ୍ଜଡ଼ା। ତା’ ଅର୍ଥ କଣ ଆମର ଇଜ୍ଜତ ନାହିଁ?"

ଶୀତଲ ତାଙ୍କ ତିକ୍ତ ଅନୁଭୁତି କହିଲେ। ଏବେ ତାଙ୍କୁ ୨୨ ବର୍ଷ। ପାଖାପାଖି ୧ ଦଶନ୍ଧି ହେଲା ସେ ସ୍କୁଲରେ, କାର୍ଯ୍ୟ କ୍ଷେତ୍ରରେ ଏବଂ ରାସ୍ତାରେ- ସବୁଠି ନିର୍ଯାତନାର ଶିକାର ହୋଇ ଆସୁଛନ୍ତି। ସମସ୍ତେ ତାଙ୍କୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। 

ଏ ସବୁ ତାଙ୍କ ଘରେ-ଇଛଲକରଞ୍ଜି ନେହରୁ ନଗରରେ ଆରମ୍ଭ ହୋଇଥିଲା। ସେତେବେଳେ ତାଙ୍କୁ ୧୪ ବର୍ଷ ହୋଇଥିଲା। ତାଙ୍କ ନାଁ ଥିଲା ଅରବିନ୍ଦ। ସେ କହନ୍ତି, "ମୁଁ ଅଷ୍ଟମ କିମ୍ବା ନବମ ଶ୍ରେଣୀରେ ପଢିବାବେଳେ ଝିଅଙ୍କ ପୋଷାକ ପିନ୍ଧିବାକୁ ଭଲ ପାଇଲି। ମୁଁ ବୁଝି ପାରୁନଥିଲି ମୋର ଏମିତି କାହିଁକି ହେଉଥିଲା ... ଘରେ ମୁଁ ଦର୍ପଣରେ ନିଜକୁ ଚାହୁଁଥିଲି, ଆଉ ମୋ ବାପା ଚିତ୍କାର କରୁଥିଲେ, 'ମାଇଚିଆଙ୍କ ଭଳି ଏତେ କଣ ନିଜକୁ ଦେଖୁଛୁ, ବାହାରେ ଯାଇ ପୁଅପିଲାଙ୍କ ସାଙ୍ଗରେ ଖେଳ୍।' ଯେତେବେଳେ ମୁଁ କହୁଥିଲି ଝିଅଙ୍କ ଭଳି ଶାଢୀ ପିନ୍ଧିବାକୁ ଚାହୁଁଛି, ସେତେବେଳେ ବାପା ପିଟୁଥିଲେ। କହୁଥିଲେ ମତେ ମେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରିବେ ବୋଲି। ସେ ପିଟିଲେ ମୁଁ ବହୁତ କାନ୍ଦୁଥିଲି।" 

ଶୀତଲ (ତାଙ୍କ ଅନୁରୋଧରେ ନାଁ ବଦଳିଛି) ଙ୍କୁ ତାଙ୍କ ପରିବାର ଭଲ କରିବାକୁ ଜଣେ ତାନ୍ତ୍ରିକ ପାଖକୁ ନେଇଥିଲେ। "ମୋ ମା କହୁଥିଲେ, ମୋତେ କେହି କଳାଯାଦୁ କରିଛି। ମୋ ବାପା [କବାଡି ବ୍ୟବସାୟ କରନ୍ତି] କୁକୁଡ଼ା ବଳି ଦେଇଥିଲେ। ମୁଁ ଶାରୀରିକ ଭାବେ ଜଣେ ପୁଅ ଥଲେ ବି ଝିଅ ହେବାକୁ ଚାହୁଁଛି, ଏ କଥା ବାପା ମାଆ ବୁଝି ପାରୁ ନଥିଲେ। ସେମାନେ କେହି ମୋ କଥା ଶୁଣୁ ନଥିଲେ।" 

ଯେତେବେଳେ ତାଙ୍କୁ ୧୬ ବର୍ଷ, ସେ ଘର ଛାଡି ରାସ୍ତାରେ ଭିକ ମାଗିବା ଆରମ୍ଭ କଲେ- ଏ କାମ ସେ ଏବେ ବି କରୁଛନ୍ତି। ସେ ସକାଳ ୧୦ଟାରୁ ସଂଧ୍ୟା ପର୍ଯ୍ୟନ୍ତ ଦୋକାନ ଦୋକାନ ବୁଲି ପଇସା ମାଗୁଛନ୍ତି: ଜୟସିଂପୁର, କୋହ୍ଲାପୁର ଏବଂ ସାଙ୍ଗଲି ଆଦି ପାଖ ସହରକୁ ମଧ୍ୟ ସେ ଭିକ୍ଷା ପାଇଁ ଯାଆନ୍ତି। ଦିନକୁ ହାରାହାରି ତାଙ୍କୁ ୧୦୦ ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ମିଳିଥାଏ। ବେଳେବେଳେ ତାଙ୍କୁ ଅନ୍ୟ ୪-୫ ଜଣ ହିଞ୍ଜଡ଼ାଙ୍କ ସହ ବିବାହ, ଏକୋଇଶା ଏବଂ ଅନ୍ୟାନ୍ୟ ଧାର୍ମିକ ଜାଗାରେ ନାଚିବାକୁ ଆଉ ଗୀତ ଗାଇବାକୁ ଲୋକେ ନିମନ୍ତ୍ରଣ କରିଥାନ୍ତି। ସେଠାରେ ସେ ଜଣକା ୨୦୦୦ ରୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି। 

Mastani Nagarkar asking for money outside a shop
PHOTO • Minaj Latkar

ଶୀତଲ କହିଲେ, 'ଜଣେ ଅସହାୟ ମଣିଷ ଭଳି ବୁଲିବୁଲି ଭିକ ମାଗିବା ମୋର ପସନ୍ଦ ନୁହେଁ

ପୁଅକୁ ଭଲ କରିବା ପାଇଁ ଶୀତଲଙ୍କୁ ତାଙ୍କ ବାପା ମାଆ ତାନ୍ତ୍ରିକ ପାଖକୁ ନେଇଥିଲେ। ମୋ ମାଆ କହୁଥିଲେ ମୋତେ କେହି କଳା ଜାଦୁ କରିଛି। ମୋ ବାପା କୁକୁଡ଼ା ବଳି ଦେଇଥିଲେ। ମୁଁ ଶାରୀରକ ଭାବେ ପୁଅ ଥିଲେ ବି ଜଣେ ଝିଅ ହେବାକୁ ଚାହୁଁଥିଲି, ଏକଥା ମୋ ବାପା ମାଆ ବୁଝି ପାରୁନଥିଲେ।'

କିନ୍ତୁ ଏଭଳି କାମ କରିବା ଆଉ ବଞ୍ଚିବା ପାଇଁ କେବଳ ଏହି ବିଭେଦ ବାଧ୍ୟ କରିଛି। "ପଇସା ମାଗିବାକୁ ବଜାରକୁ ଗଲେ ଲୋକ ମୋ ଶାଢୀର ପଣତ ଟାଣି ଦିଅନ୍ତି, ମୋତେ ଯୌନ ପିପାଷୁ ଭଳି ଚାହାନ୍ତି। କିଛି ଦୋକାନରେ ଲୋକ ଆମକୁ ସଂଦେହ ଦୃଷ୍ଟିରେ ଦେଖନ୍ତି, ଯେମିତି ଆମେ ଚୋର।” ଶୀତଲ କହନ୍ତି, "ଏପରି କି ଘରେ ବି ଏମିତି ଘଟେ। ପଡ଼ିଶାର କିଛି ପୁରୁଷ ରାତିରେ କବାଟ ବାଡ଼ାନ୍ତି ଆଉ ଯୌନ ସଂପର୍କ ପାଇଁ ବାଧ୍ୟ କରନ୍ତି। ମୁଁ ଏକୁଟିଆ ଭୟଭୀତ ଅବସ୍ଥାରେ ଥାଏ।”

ଇଛଲକରଞ୍ଜି ଶାହାପୁର ଅଞ୍ଚଳର ଏକ ବସ୍ତିରେ ଗୋଟିଏ ରୁମ୍ରେ ଶୀତଲ ରହନ୍ତି, ଯାହାକୁ ସେ ତାଙ୍କ ଘର ବୋଲି କହୁଛନ୍ତି। ସେଠି ସେ ବହୁତ କଷ୍ଟରେ ରହୁଛନ୍ତି। ଘରୁ ଚାଲି ଆସିବା ପରେ କିଛି ଦିନ ସେ ବସ୍ ଷ୍ଟାଣ୍ଡରେ ଶୋଇଥିଲେ।  ସେ କହନ୍ତି“ମୋତେ ମାସକୁ ,୦୦୦ ଟଙ୍କା ଘର ଭଡ଼ା ଦେବାକୁ ପଡ଼ୁଛି। ସେ ଘରର ଅବସ୍ଥା ଏମିତି, ଗୋଟେ ପଶୁ ବି ସେଠି ରହିପାରିବନି। ବର୍ଷା ସମୟରେ ଅଧିକାଂଶ ସମୟ ଘର ଭିତରେ ପାଣି ଭର୍ତ୍ତି ହୋଇଯାଏ। ସେତେବେଳେ ମୋତେ ପୁଣି ବସ୍ ଷ୍ଟାଣ୍ଡ ଯାଇ ଶୋଇବାକୁ ପଡ଼େ।” ସେ କହନ୍ତି“ଯଦିଓ ମୁଁ ଠିକ ସମୟରେ ଭଡ଼ା ଦିଏ, ମୋତେ କିନ୍ତୁ ଭଲ ଘର ଖଣ୍ଡେ ମିଳେନି। ମୁଁ ବି ଗୋଟେ ଭଲ ଘରେ ରହିବାକୁ ଚାହୁଁଛି। କିନ୍ତୁ ଅଧିକାଂଶ ଲୋକ ଆମକୁ ଭଡ଼ା ଦେବାକୁ ଚାହାନ୍ତିନି। ଯଦି ଆମ ପରିବାର ଆଉ ସମାଜ ଆମକୁ ଗ୍ରହଣ କଲାନି, ଆମେ କୋଉଠିକି ଯିବୁ?”

.୮୮ ଲକ୍ଷ ଲୋକ ସଂଖ୍ୟା ବିଶିଷ୍ଟ ମହାରାଷ୍ଟ୍ର କୋହ୍ଲାପୁର ଜିଲ୍ଲା ହାଟକଣାଗାଲେ ତାଲୁକର ଇଛାଲକରଞ୍ଜି ସହରରେ ରହୁଥିବା ପୂରା ହିଞ୍ଜିଡା ସମାଜର ସେଇ ଗୋଟିଏ ସଂଘର୍ଷର କାହାଣୀ, ଯାହା ଶୀତଲଙ୍କରଘରେ, ସ୍କୁଲରେ, କଲେଜରେ, ଘରୋଇ କାର୍ଯ୍ୟରେ, ରାସ୍ତାରେ ସବୁଠି ତାଙ୍କୁ ସଂଘର୍ଷ କରିବାକୁ ପଡ଼େ। 

ଘରେ କେହି ଗ୍ରହଣ କରିପାରନ୍ତି ନାହିଁ। କ୍ରୋଧ ପ୍ରକାଶ କରନ୍ତି ନହେଲେ ପ୍ରତ୍ୟାଖ୍ୟାନ କରନ୍ତି କିମ୍ବା ବାଧ୍ୟ କରି ବାହା କରିଦିଅନ୍ତି। ଯେତେବେଳେ ସକିନା (ଜଣେ ମହିଳା ଭାବେ ତାଙ୍କ ନାମକରଣ ହୋଇଛି) ଜଣେ ମହିଳା ହେବାକୁ ଇଛା ଥିବା ତାଙ୍କ ପରିବାର ଲୋକଙ୍କୁ ଜଣାଇଲେ, ସେତେବେଳେ ତାଙ୍କୁ (ପୁଅ ଭଳି ଦେଖା ଯାଉଥିଲେ) ପରିବାର ଲୋକ ଗୋଟିଏ ଝିଅ ସହ ବାହା କରାଇଦେଲେ। ଲୋକଲଜ୍ଜାକୁ ଭୟ କରି ସକିନା ୨୭ ବର୍ଷରେ ବାହା ହେଲେ। ନେହେରୁ ନଗର ବସ୍ତିରେ ଥିବା ତାଙ୍କ ଘରେ ଏବଂ ସମାଜରେ ସେ ଜଣେ ପୁରୁଷ ଭାବେ ବଞ୍ଚୁଥିଲେ। 

୩୩ ବର୍ଷୀୟ ସକିନା କହିଲେ“ଯଦି ହିଞ୍ଜଡ଼ା ସଂପ୍ରଦାୟକରେ କିଛି ଘଟଣା ଘଟେ, ମୁଁ ଶାଢୀ ପିନ୍ଧି ଲୁଚିଲୁଚି ଚାଲିଆସେ। କିନ୍ତୁ ଘରେ ମୋତେ ବାପା ଭଳି ଏବଂ ସ୍ୱାମୀ ଭଳି ରହିବାକୁ ହୁଏ। ଜଣେ ମହିଳା ହୋଇ ବଞ୍ଚିବାର ଇଛା ମୁଁ ପୂରଣ କରିପାରୁନି। ମୁଁ ଦ୍ଵୈତ ଜୀବନ ବଞ୍ଚିଛିମାନସିକ ସ୍ତରରେ ଜଣେ ମହିଳା ଭାବେ ଏବଂ ସଂସାରରେ ଜଣେ ପୁରୁଷ ଭାବେ।”

Radhika with her family
PHOTO • Minaj Latkar
Radhika getting ready in a traditional saree and jewellery for her daily round of the markets to ask for money
PHOTO • Minaj Latkar

ରାଧିକା ଗୋସାୱିଙ୍କ ମା’ ସୁମନ (ବାମ ପାର୍ଶ୍ୱରେ ବସିଛନ୍ତି) ଅନ୍ୟ ଘରେ କାମ କରନ୍ତି ଏବଂ କଚରା ଜିନିଷ ସଂଗ୍ରହ କରନ୍ତି। ସେ କହନ୍ତି, 'ମୋ ପୁଅକୁ କେମିତି ମୁଁ ଘରୁ ତଡ଼ିଦେଇ ପାରିବି?’

ସକିନାଙ୍କ ଭଳି କିନ୍ତୁ ୩୦ ବର୍ଷୀୟ ସୁନୀତା (ତାଙ୍କ ପ୍ରକୃତ ନାଁ ନୁହେଁ) ନୁହନ୍ତି। ବିବାହ ପାଇଁ ପରିବାର ଲୋକଙ୍କ ଜୋର ଜବରଦସ୍ତିକୁ ସେ ଅଟକାଇ ପାରିଥିଲେ। ତଥାପି ସକିନାଙ୍କ ଭଳି ସେ ବି ଜଣେ ପୁରୁଷ ଭାବରେ ବଞ୍ଚି ରହିଥିଲେ, ନାରୀ ଭାବରେ ନୁହେଁ ଯାହା ସେ ହେବାକୁ ଚାହୁଁଥିଲେ। କଥା ପରିବାର ଲୋକଙ୍କୁ କହିବା ପାଇଁ ସୁନୀତାଙ୍କର ସାହସ ହେଉ ନଥିଲା। ତାଙ୍କ ବାପା ଜଣେ ତେଜରାତି ଦୋକାନି, ମାଆ ଗୃହିଣୀ।  ସୁନିତା କହିଲେ“ମୋତେ ବିବାହ ପାଇଁ ସେମାନେ ବାଧ୍ୟ କରୁଥିଲେ। କିନ୍ତୁ ଅନ୍ୟ ଜଣେ ଝିଅର ଜୀବନକୁ କେମିତି ମୁଁ ନଷ୍ଟ କରି ଦେଇପାରିବି? ତେଣୁ ମୁଁ ଘର ଛାଡ଼ିବାକୁ ନିଷ୍ପତ୍ତି ନେଲି। ଆମ ମରାଠା ସଂପ୍ରଦାୟରେ, ଯଦି ଲୋକ ଜାଣନ୍ତି ମୁଁ ହିଞ୍ଜଡା ବୋଲି ଆମ ପରିବାରର ସମ୍ମାନରେ ଆଞ୍ଚ ଆସିବ। ମୋ ଭଉଣୀମାନେ ବିବାହ କରିପାରିବେନି, ମୋ ପରିବାର କଷ୍ଟ ପାଇବ। ଲୋକ କଣ କହିବେ ସେଇ କଥା ଭାବି ଭାବି ମୁଁ ଘର ଛାଡ଼ିବାକୁ ନିଷ୍ପତ୍ତି ନେଲି।”

ସୁନୀତାଙ୍କୁ ଯେତେବେଳେ ୨୫ ବର୍ଷ ହୋଇଥିଲା ସେତେବେଳେ ସେ ଘର ଛାଡ଼ିଥିଲେ ଆଉ ନେହରୁ ନଗର ବସ୍ତିରେ ଭଡ଼ା ଘରନେଇଥିଲେ। ସେ କହନ୍ତି“ତା ପରଠାରୁ ମୁଁ ମୋ ଭଳି ଅନେକ ଲୋକଙ୍କୁ ଭେଟିଛି। କିନ୍ତୁ ବଞ୍ଚିବା ପାଇଁ ସେମାନଙ୍କୁ ଭିକ ମାଗିବାକୁ ପଡ଼େ। କେହି ତାଙ୍କୁ କାମ ଦିଅନ୍ତିନି କି ରହିବାକୁ ଭଡ଼ାରେ ଘର ଦିଅନ୍ତିନି। କଥା ଦେଖି ମୋତେ ଶାଢୀ ପିନ୍ଧିବାର ସାହସ ହେଉ ନଥିଲା। କିନ୍ତୁ ଏମିତି ବଞ୍ଚିବା ଭାରି କଷ୍ଟ।”

ଅଳ୍ପ କେତେକ ପରିବାରରେ ଗ୍ରହଣୀୟତା ରହିଛି। ରାଧିକା ଗୋସାୱିଙ୍କୁ ଏବେ ୨୫ ବର୍ଷ  (ଉପରେ କଭର ଫଟୋ) ଯେତେବେଳେ ସେ ୧୩ ବର୍ଷର ହୋଇଥିଲେ, ସେତେବେଳୁ ସେ ଜାଣିଲେଣି, ସେ ଜଣେ ହିଞ୍ଜଡ଼ା ବୋଲି। ପ୍ରଥମରୁ ତାଙ୍କ ମାଆ ଏବଂ ଦୁଇ ଭଉଣୀ ପ୍ରତିରୋଧ କରିଥିଲେ। ତାଙ୍କ ବାପା ବର୍ଜ୍ୟ ଧାତୁ ସଂଗ୍ରହ କରନ୍ତି। ରାଧିକା ୧୦ ବର୍ଷର ହୋଇଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା। 

ନେହରୁ ନଗରରେ ରହୁଥିବା (ପୂର୍ବରୁ ତାଙ୍କ ନାଁ ଥିଲା ସନ୍ଦୀପ) ରାଧିକା କହନ୍ତି“ମୁଁ ମାଆଙ୍କ ଭଳି ବେଣି ପାରିବାକୁ ଚାହୁଁଥିଲି। ଭଉଣୀମାନଙ୍କ ଭଳି ପୋଷାକ ପିନ୍ଧିବାକୁ ଆଉ ଟୀକା, କଜଳ, ଲିପଷ୍ଟିକ ଲଗାଇବାକୁ ଚାହୁଁଥିଲି। ଭଉଣୀ ଭଳି ଘର କାମ କରୁଥିଲି। କିନ୍ତୁ ମୁଁ ବୁଝି ପାରୁନଥିଲି ମୋତେ ଏମିତି କାହିଁକି ଲାଗୁଛି।” ରାଧିକା କହନ୍ତି“ଝିଅ ଭଳି ବଞ୍ଚିବାକୁ ଚାହୁଁଛି ବୋଲି ଯେତେବେଳେ ମାଆଙ୍କୁ କହିଲି, ସେ ଡରିଗଲେ ଆଉ ଅନେକ କାନ୍ଦିଲେ। ମୋ ଭଉଣୀମାନେ କହିଲେ, ତୁ ଆମର ଗୋଟିଏ ବୋଲି ଭାଇ। ପୁଅଟିଏ ପୁଅ ଭଳି ବଞ୍ଚିବା ଆବଶ୍ୟକ। ଶାଢୀ ପିନ୍ଧିବା କଥା ମୁଣ୍ଡରୁ ବାହାର କରି ବାହାହୋଇ ଘରକୁ ଭାଉଜ ଆଣ ଆଉ କିଛି କାମ ଧନ୍ଦା କର।” ମୋତେ ଘର ଛାଡି ପଳାଇବା ପାଇଁ କହିବାକୁ ଆମ ସଂପର୍କୀୟମାନେ ମୋ ମାଆଙ୍କୁ କହିଲେ। ସେମାନେ କହିଲେ‘କିଛି ଦିନ ବାହାରେ ବୁଲି ବୁଲି କାନ୍ଦିବା ପରେ ଆପେ ଆପେ ଠିକ୍ [ସଂସ୍କାର] ହୋଇ ଘରକୁ ଫେରିବ।”

କିନ୍ତୁ ରାଧିକା ପ୍ରତିବାଦ କଲେ। “ମୁଁ ମାଆଙ୍କୁ କହିଲି ମୁଁ ଘର ଛାଡିବି।” ଘରବାଲୀ କାମ କରୁଥିବା ଏବଂ କଚରା ଗୋଟାଉଥିବା ତାଙ୍କ ମାଆ ସୁମନ ରାଜି ହେଲେନି। କହିଲେ, “ମୋ ନିଜ ପୁଅଟାକୁ ଘରୁ କେମିତି ତଡ଼ି ଦେବି?” ମୁଁ ଯେତେବେଳେ ତାଙ୍କ ଘରେ ତାଙ୍କୁ ଭେଟିଲି, ସେ କହିଲେ, “କିଏ ତାକୁ ପାଖରେ ରଖିବ? ସିଏ ଖରାପ ଲୋକଙ୍କ ସାଙ୍ଗରେ ପଡ଼ିପାରେ। ତାଠାରୁ ଭଲ ସେ ମୋ ପାଖରେ ରହୁ। ଆମ ପଡୋଶୀ ଏବଂ ସଂପର୍କୀୟମାନେ ତାତ୍ସଲ୍ୟ କରୁଛନ୍ତି, କିନ୍ତୁ ସେ ସବୁକୁ ମୁଁ ସମ୍ଭାଳି ନେଉଛି।” 

Aliya Sheikh
PHOTO • Minaj Latkar

ଆଲିଆଙ୍କ ଭାଇ ଭଉଣୀମାନେ ବାହାରେ ତାଙ୍କ ପରିଚୟ ଦେବାକୁ ଲଜ୍ଜା ଅନୁଭବ କରୁଥିଲେ

ଆଲିଆ କହନ୍ତି 'ମୋ ଭାଇ କହନ୍ତି ତୁ ମୋ ଭାଇ ବୋଲି ବାହାରେ କାହାକୁ କହିବୁନି। ମୋ ଭଉଣୀମାନେ ବାହା ହୋଇଛନ୍ତି। କିନ୍ତୁ କୌଣସି କାର୍ଯ୍ୟରେ ମୁଁ ତାଙ୍କ ଶାଶୁ ଘରକୁ ଯାଏନି। ସେମାନେ ପସନ୍ଦ କରନ୍ତିନି। କେହି ଆମକୁ ମଣିଷ ଭଳି ଦେଖନ୍ତିନି।' ଆଲିଆ ଏବେ ଭିକ ମାଗି ବଞ୍ଚୁଛନ୍ତି। 

ଆଲିଆ ଶେଖ, ତାଙ୍କ ପରିବାର ସହ ନେହରୁ ନଗରରେ ରହୁଛନ୍ତି। ସେ କହନ୍ତି, ତାଙ୍କର ଦି ଜଣ ବଡ଼ଭାଇ ଲୁଗା କଳରେ କାମ କରନ୍ତି। ଆଉ ଜଣେ ଲୁଗା ଦୋକାନରେ – ସେ ଜଣେ ହିଞ୍ଜଡ଼ା ହୋଇଥିବାରୁ ବାହାରେ ତାଙ୍କ ପରିଚୟ ଦେବାକୁ ସେମାନେ ଲଜ୍ଜା ଅନୁଭବ କରନ୍ତି। ମୁଁ ଯେତେବେଳେ ତାଙ୍କୁ ଭେଟିଲି, ସେ ରମଜାନ ପାଇଁ ଉପବାସ କରୁଥିଲେ। ତଥାପି ଭିକ୍ଷା ପାଇଁ ବାହାରକୁ ଯାଇଥିଲେ। ସେ କହନ୍ତି, "ମୋ ଭାଇମାନେ କହନ୍ତି, ଆମ ଭାଇ ବୋଲି ତୁ କେବେ କାହାକୁ ପରିଚୟ ଦେବୁନି। ମୋ ଭଉଣୀମାନେ ବାହା ହୋଇ ଯାଇଛନ୍ତି। କିନ୍ତୁ ଲଭ ମନ୍ଦ କାମରେ ମୁଁ କେବେ ବି ତାଙ୍କ ଶାଶୁ ଘରକୁ ଯାଏନି। ସେମାନେ ଚାହାନ୍ତିନି ମୁଁ ତାଙ୍କ ଶାଶୁ ଘରକୁ ଯାଏ।" 

ଘର ଭିତରେ ଏଭଳି ସଂଘର୍ଷ ଆଉ ମାନସିକ ବିଷାଦ ଭିତରେ ପାଠ ପଢିବା ପାଇଁ ସେ ଲଢେଇ କରୁଥିଲେ ଆଉ ସମ୍ମାନର ସହ ରୋଜଗାର କରି ବଞ୍ଚିବା ପାଇଁ କାମ ଖୋଜୁଥିଲେ। ଶୀତଲ ଯେତେବେଳେ ୧୬ ବର୍ଷରେ ଘର ଛାଡ଼ିଲେ, ସେତେବେଳେ ସେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିଲେ। ସେ କହନ୍ତି, "ମୁଁ ଅଧିକ ପଢିବାକୁ ଚାହେଁ। ମୋର ଜ୍ଞାନ ଏବଂ ଆତ୍ମ ମର୍ଯ୍ୟାଦା ଅଛି। ଜଣେ ଅସହାୟ ମଣିଷ ଭଳି ବାହାରେ ବୁଲିବୁଲି ଭିକ ମାଗିବା ମୋର ପସନ୍ଦ ନୁହେଁ। ମୁଁ ଅଧିକ ପଢି କୌଣସି ଅଫିସରେ କାମ କରିବାକୁ ଚାହେଁ।"

ହିଞ୍ଜଡା ନୁହେଁ, ପୁରୁଷ ଭଳି ବଞ୍ଚୁଥିବା ସକିନା କଷ୍ଟେମଷ୍ଟେ ମରାଠୀ ଭାଷାରେ ଏମ୍ଏ ଏବଂ ବିଇଡି କରିଛନ୍ତି (ସେ ତାଙ୍କ ବିଶ୍ୱବିଦ୍ୟାଳୟର ନାଁ ପ୍ରକାଶ କରିବାକୁ ଚାହାନ୍ତିନି)। କିନ୍ତୁ ଏହା ଏକ ସଂଘର୍ଷ ଥିଲା। କଲେଜ ଯିବା ପାଇଁ ସକିନାଙ୍କୁ ପଇସା ଆବଶ୍ୟକ ଥିଲା। ପଇସା ପାଇଁ ସେ ଅନେକ ବର୍ଷ ଧରି ଯୌନ କର୍ମୀ ପାଲଟିଥିଲେ। ଅଳ୍ପ କେତେଜଣ ସହପାଠୀ ଏହା ଜାଣିଥିଲେ ଏବଂ ତାଙ୍କ ସହ ଯୌନ ସଂପର୍କ ନରଖିଲେ ଘରେ କହିଦେବେ ବୋଲି ଧମକ ଦେଉଥିଲେ। ଏପରିକି କିଛି ଶିକ୍ଷକ ମଧ୍ୟ ତାଙ୍କୁ ନିରୋଳାରେ ଡାକି ଯୌନ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ। ସେ କହନ୍ତି "ଯଦିଓ ମୁଁ ମହିଳାଙ୍କ ଭଳି ପୋଷାକ ପିନ୍ଧୁ ନଥିଲି, ମୋ କଣ୍ଠସ୍ୱର ଏବଂ ଆଚରଣରୁ ଜଣାପଡ଼ୁଥିଲା ଯେ ମୁଁ ହିଞ୍ଜଡ଼ା ବୋଲି। ମୋତେ ଏସବୁ ଅସହ୍ୟ ହେଉଥିଲା। ବେଳେବେଳେ ଆତ୍ମହତ୍ୟା କରିବାକୁ ମଧ୍ୟ ଭାବିଛି। ମୋ ବାପା [ରାଜମିସ୍ତ୍ରୀ] ତିନି ଭଉଣୀଙ୍କ ବାହାଘର କରି ଋଣଗ୍ରସ୍ତ ହୋଇ ଯାଇଥିଲେ। ମୋ ରୋଜଗାର [ଯୌନ କର୍ମରୁ] ରେ ମୁଁ ପାଠ ପଢା ଶେଷ କରିଥିଲି। କଣ କରିହେବ? ଲୋକ ଭାବନ୍ତି ଆମେ ଯୌନ କର୍ମୀ।" 

ସକିନା ଏବେ ଇଛାଲକରଞ୍ଜିରେ ଏକ ବେସରକାରୀ ସଂସ୍ଥାରେ କାମ କରୁଛନ୍ତି। ଏହି ସଂସ୍ଥା ଏଡ୍ସ ସଂକ୍ରମିତ ଏବଂ ଯକ୍ଷ୍ମା ରୋଗୀଙ୍କୁ ସହାୟତା କରୁଛି। ଏହି ସଂସ୍ଥା ସକିନାଙ୍କୁ ମାସକୁ ୯,୦୦୦ ଟଙ୍କା ଦରମା ଦେଉଛି। 


Some shopkeepers drive them away from the shops and curse them. These three shopkeepers were harassing Radhika with lewd behaviour and driving her away from the shop
PHOTO • Minaj Latkar

ରାଧିକା କହନ୍ତି'ଅନେକ ସମୟରେ ଦୋକାନୀ ଆମକୁ ଦୂରଦୂର ମାରମାର କରନ୍ତି। ଖାଦ୍ୟ ପାଇଁ ଅଧିକ ପଇସା ରୋଜଗାର କରିବାକୁ ହୁଏ। ସେଥିପାଇଁ ଆମେ ସବୁ ସହ୍ୟ କରୁ।'

ରାଧିକାଙ୍କ ପାଇଁ ମଧ୍ୟ ଘରେ ଗ୍ରହଣୀୟତା ଥିଲେ ବି କାମ ଯୋଗାଡ଼ କରିବା କଷ୍ଟକର ହୋଇଛି। ତୃତୀୟ ଶ୍ରେଣୀ ପରେ ତାଙ୍କୁ ପାଠପଢା ଛାଡିବାକୁ ପଡ଼ିଥିଲା। ତାଙ୍କ ବାପାଙ୍କ ଭଳି ସେ ମଧ୍ୟ ବର୍ଜ୍ୟ ଲୁହା, ପ୍ଲାଷ୍ଟିକ ଆଦି ଆଦି ସଂଗ୍ରହ କରୁଥିଲେ - କିମ୍ବା ଇଟା ଯୋଡ଼େଇ କରୁଥିଲେ। ସେ କହନ୍ତି"ମୋତେ ଯେତେବେଳେ ୧୬-୧୭ ବର୍ଷ ହେଲା ସେତେବେଳେ ମୁଁ ଶାଢୀ ପିନ୍ଧିବା ଆରମ୍ଭ କଲି। ଲୋକ ମୋତେ କାମ ଦେବା ବନ୍ଦ କରିଦେଲେ।" ଏବେ ପଇସା ମାଗିବାକୁ ସେ ଦିନକୁ ପ୍ରାୟ ୮୦ ରୁ ୧୦୦ ଦୋକାନ ବୁଲୁଛନ୍ତି। ଦୋକାନିମାନେ କିଏ କେତେ ଦିଅନ୍ତି ଠିକ୍ ନାହିଁ। ଟଙ୍କାରୁ ୧୦ ଟଙ୍କା ପର୍ଯ୍ୟନ୍ତ ଦିଅନ୍ତି। ସକାଳ ୧୦ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ବୁଲିଲେ ତାଙ୍କୁ ପାଖାପାଖି ୧୨୫ ଟଙ୍କା ମିଳିଥାଏ। ପଇସା ସେ ତାଙ୍କ ପରିବାରକୁ ଦିଅନ୍ତି।   

ସୁନୀତା କିଛି କାମ ପାଇଛନ୍ତି। ଇଛାଲକରଞ୍ଜିରେ ଏକ ରେଷ୍ଟୁରାଣ୍ଟରେ ସେ ବାସନ ମାଜିବା ଏବଂ ଝାଡ଼ୁ ମାରିବା କାମ କରନ୍ତି। ଏଥିପାଇଁ ଦୈନିକ ତାଙ୍କୁ ଦୁଇ ଓଳି ଖାଇବା ସହ ୫୦ ଟଙ୍କା ମିଳେ। ସେ କିନ୍ତୁ ହିଞ୍ଜଡ଼ା ଭାବେ ତାଙ୍କ ପରିଚୟ ଗୋପନ ରଖି ଏଠାରେ କାମ କରନ୍ତି। ଛୋଟମୋଟ କିଛି ବ୍ୟବସାୟ ଆରମ୍ଭ କରିବାକୁ ସେ ତାଙ୍କ ସାଙ୍ଗଠାରୁ ଏବେ ୨୫, ୦୦୦ ଟଙ୍କା ଋଣ ନେଇଛନ୍ତି (ବ୍ୟବସାୟ ସ୍ଥାନୀୟ ଅଞ୍ଚଳରେ ହୋଇଥିବାରୁ ପୂରା ତଥ୍ୟ ଦେଇ ହେଉନି) 

ବଞ୍ଚିବାର ଆଧାର ତାହା ବଡ଼ କଥା ନୁହେଁ, କିନ୍ତୁ ନିର୍ଯାତନା ଏବଂ ବିଭେଦ ଜାରି ରହିଛି। ରାଧିକା କହନ୍ତି"କିଛି ଲୋକ ଭାବନ୍ତି ଆମେ ଈଶ୍ୱରଙ୍କର ଏକ ଉପହାର ଆଉ ଆମ ପାଦ ଛୁଅଁନ୍ତି, କିନ୍ତୁ ଅନେକ ଲୋକ ନିର୍ଯାତନା ଦିଅନ୍ତି। ଅନେକ ସମୟରେ ଦୋକାନୀ ଆମକୁ ଦୂରଦୂର ମାରମାର କରନ୍ତି। ଆମେ ସବୁ କିଛି ସହି ନେଉ, କାରଣ ଖାଇବା ପାଇଁ ଆମକୁ ଅଧିକ ଟଙ୍କା ରୋଜଗାର କରିବା ଦରକାର ହୁଏ।" "ଟଙ୍କା ଦେଢ ଶହ ରୋଜଗାର କରିବାକୁ ଆମେ ଟାଣ ଖରାରେ ବି ଘୂରି ବୁଲୁ। ଛୋଟ ସହରରେ ଲୋକ ଆମକୁ କେତେଟଙ୍କା ଦେବେ? ଭିକ ମାଗିବାକୁ ଆମର ଇଛା ନାହିଁ। କିନ୍ତୁ ଲୋକ ଆମକୁ କାମ ଦେଉ ନାହାନ୍ତି। କେଉଁଠିକୁ ଯିବାକୁ ଚାହିଁଲେ, ରିକ୍ସାବାଲା ବି ଆମକୁ ନେବାକୁ ଅରାଜି ହୁଅନ୍ତି। ଟ୍ରେନ୍ ଏବଂ ବସ୍ରେ ଲୋକେ ଆମ ସହ ଅସ୍ପୃଶ୍ୟ ଭଳି ଆଚରଣ କରନ୍ତି।" "କେହି ଆମ ପାଖରେ ବସିବାକୁ କି ଛିଡା ହେବାକୁ ପସନ୍ଦ କରନ୍ତିନି। ଆମକୁ ଏଭଳି ଚାହାନ୍ତି ଯେମିତି ଆମେ କୌଣସି ଭୂତ ପ୍ରେତ। ପ୍ରତିଦିନ ଏସବୁ ସହି ସହି ବଞ୍ଚିବା ଖୁବ କଷ୍ଟକର। ଆମ ସଂପ୍ରଦାୟରେ ଲୋକେ ମଦ ଆଉ ସିଗାରେଟ୍ ଖାଇବାରେ ଅଭ୍ୟସ୍ତ ହୋଇ ଯାଇଛନ୍ତି।"

ସହାୟତା ବଦଳରେ ପୋଲିସ ମଧ୍ୟ ନିର୍ଯାତନା ଦିଏ, ଏମିତି ଅନେକ ଉଦାହରଣ ଅଛି। ଶୀତଲ କୁହନ୍ତି, କୌଣସି ପୁରୁଷ କିମ୍ବା ପଡ଼ୋଶୀ ତାଙ୍କୁ ନିର୍ଯାତନା ଦେଲେ ପୋଲିସ ସେମାନଙ୍କ ଅଭିଯୋଗ ଗ୍ରହଣ କରିବା ବଦଳରେ ତାଙ୍କୁ ହପ୍ତା (ଲାଞ୍ଚ) ମାଗେ। ଯେତେବେଳେ ଶୀତଲ ପୋଲିସ ଥାନାକୁ ଯାଆନ୍ତି, ସେ କହନ୍ତି, "ପୋଲିସ କହେ, ତୁମେ ପୁଅଙ୍କ ପଛରେ ପଡ଼ିଛ। ଅନ୍ୟମାନଙ୍କୁ ଟଙ୍କା ପାଇଁ ଜୁଲମ କରୁଛ।" ଯଦି କୌଣସି ହିଞ୍ଜଡା ଯୌନ କାର୍ଯ୍ୟ କରୁଥାନ୍ତି ତାହାଲେ ଲାଞ୍ଚ ପରିମାଣ ବଢେ। ତା ସହ ଜେଲରେ ଠୁଙ୍କି ଦେବାର ଧମକ ମଧ୍ୟ।  ସେ କହନ୍ତି, ପୋଲିସ କହେ, "ତମେ ଯୌନ କର୍ମୀ, ଲୋକଙ୍କୁ ତମେ ନିର୍ଯାତନା ଦେଉଛ, ତମକୁ କିଏ ନିର୍ଯାତନା ଦେବ?"

Radhika Gosavi walking through the market street on a very sunny afternoon
PHOTO • Minaj Latkar

ରାଧିକା ପ୍ରତିଦିନ ୮୦ ରୁ ୧୦୦ ଦୋକାନ ବୁଲି ପଇସା ମାଗନ୍ତି; ସକାଳ ୧୦ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ବୁଲିଲେ ତାଙ୍କୁ ପ୍ରାୟ ୧୨୫ ଟଙ୍କା ମିଳେ। 

ଯଦିଓ କିଛି ପରିବର୍ତ୍ତନ ଆସୁଛି, ତାହା କିନ୍ତୁ କାଗଜ କଲମରେ। ୨୦୧୬ରେ ସମଲିଙ୍ଗୀ (ଅଧିକାର ସୁରକ୍ଷା) ବିଲ୍ ଲୋକସଭାରେ ପାସ ହୋଇଛି। ଏଥିରେ କିଛି ପରିବର୍ତ୍ତନ ପାଇଁ ଅପେକ୍ଷା ରହିଛି। ଏହି ବିଲ୍ରେ ଅନ୍ୟମାନଙ୍କ ଭଳି ସମଲିଙ୍ଗୀମାନଙ୍କୁ ଭାରତୀୟ ନାଗରିବ ଭାବେ ସ୍ୱାଧୀନତାର ସହ ବଞ୍ଚିବାର ସମସ୍ତ ଅଧିକାର ଦିଆଯାଇଛି।  ଅନ୍ୟ ପ୍ରବଧାନ ଭଳି ଏହି ବିଲ୍ରେ ମଧ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସବୁ ସ୍ତରର ଶିକ୍ଷାନୁଷ୍ଠାନଗୁଡ଼ିକରେ ୨ ପ୍ରତିଶତ ଆରକ୍ଷଣ ବ୍ୟବସ୍ଥା ଏବଂ ସ୍ୱତନ୍ତ୍ର ଏମ୍ପ୍ଲଏମେଣ୍ଟ ଏକଚେଞ୍ଜ ଆରମ୍ଭ ପାଇଁ ଲକ୍ଷ୍ୟ ରଖାଯାଇଛି। ସେହିଭଳି ଏମାନଙ୍କ ବିରୋଧରେ ଘୃଣିତ ଶବ୍ଦ ବ୍ୟବହାର କଲେ ଦଣ୍ଡ ବ୍ୟବସ୍ଥା ରହିଛି। 

ଇଛାଲକରଞ୍ଜି ପୌରପାଳିକାର ମୁଖ୍ୟ ଅଧିକାରୀ ପ୍ରଶାନ୍ତ ରାସଲଙ୍କ ସୂଚନା ଅନୁସାରେ ହିଞ୍ଜଡ଼ାଙ୍କ କଲ୍ୟାଣ ପାଇଁ ଏହି ପୌରପାଳିକା ମେ ୨୦୧୮ରେ ୨୫ ଲକ୍ଷ ଟଙ୍କାର ଏକ ବ୍ୟବସ୍ଥା କରିଥିଲା। (ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇ ନାହିଁ) 

ହିଞ୍ଜଡ଼ାଙ୍କୁ ରାସନ୍ କାର୍ଡ ଏବଂ ଆଧାର କାର୍ଡ ମିଳିବା ନେଇ ରାସଲ ଏବଂ ଆଇନଜୀବୀ ଦିଲଶାଦ ମୁଜାୱାର ସହାୟତା କରୁଛନ୍ତି। ପ୍ରାୟ ୬୦ ଜଣ ରାସନ କାର୍ଡ ପାଇ ସାରିଲେଣି। ହିଞ୍ଜଡ଼ାମାନେ ତାଙ୍କ ନାଁ ବଦଳାଇଥିବାରୁ ଏବଂ ସେମାନଙ୍କର କୌଣସି ନିର୍ଦ୍ଦିଷ୍ଟ ଠିକଣା ନଥିବାରୁ ତାଙ୍କ ପରିଚୟ ତଥ୍ୟ ପ୍ରଦାନରେ ସମସ୍ୟା ହେଉଛି। ଏସବୁ ନଥିଲେ ତାଙ୍କୁ ସରକାରୀ ଯୋଜନା ମିଳିପାରିବ ନାହିଁ। 

ଏହି କାରଣରୁ ସେମାନଙ୍କ ସଂଖ୍ୟା ମଧ୍ୟ ଠିକ୍ ଭାବରେ ଜଣା ନାହିଁ। ଇଛାଲକରଞ୍ଜିରେ ଏଚଆଇଭି/ଏଡ୍ସ ସଚେତନତା ଏବଂ ନିରୋଧ ଉପରେ କାମ କରୁଥିବା ସଂଗଠନ ‘ମୈତ୍ରୀ’, ସହରରେ ରହୁଥିବା ୨୫୦ ଜଣ ହିଞ୍ଜଡ଼ାଙ୍କ ପାଖରେ ପହଞ୍ଚିପାରିଛି। 

ଏସବୁକୁ ନେଇ ସାରା ପୃଥିବୀରେ ସଂଘର୍ଷ ଚାଲିଛି ଏବଂ ଆଗକୁ ଚାଲିବ। ଆଲିଆ କହନ୍ତି, "କେହି ଆମକୁ ମଣିଷ ଭଳି ଦେଖନ୍ତି ନାହିଁ।"

ହିଞ୍ଜଡ଼ା ସଂପ୍ରଦାୟର ଲୋକଙ୍କୁ ସାକ୍ଷାତ କରିବାରେ ସହଯୋଗ କରିଥିବାରୁ ଆଇନଜୀବୀ ଦିଲଶାଦ ମୁଜାୱରଙ୍କୁ ଧନ୍ୟବାଦ ଦେଉଛି। ଫଟୋଗ୍ରାଫିରେ ଟିପ୍ସ ପାଇଁ ସଂକେତ ଜୈନ ଏବଂ ଏହି ଲେଖା ପ୍ରସ୍ତୁତ କରିବା ପାଇଁ ଯେଉଁମାନେ ସାକ୍ଷାତକାର ଦେବାକୁ ରାଜି ହୋଇଥିଲେ, ସମସ୍ତଙ୍କୁ ଧନ୍ୟବାଦ। 

ଅନୁବାଦ: ଓଡ଼ିଶାଲାଇଭ୍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Minaj Latkar

ମୀନାଜ ଲଟକର ହେଉଛନ୍ତି ଜଣେ ସ୍ଵାଧୀନ ସାମ୍ବାଦିକ। ସେ ସାବିତ୍ରୀଦେବୀ ଫୁଲେ ବିଶ୍ଵବିଦ୍ୟାଳୟରେ ଲିଙ୍ଗ ସମ୍ପର୍କିତ ଅଧ୍ୟୟନରେ ଏମଏ କରୁଛନ୍ତି। ଏହି ଲେଖାଟି ପରିରେ ତାଙ୍କର ତାଲିମର ଏକ ଅଂଶ।

Other stories by Minaj Latkar