ହାଡ଼ୁ ବେହେରା ପ୍ରତିଦିନ ୧୨ଘଣ୍ଟା ପାଇଁ ଗୋଟିଏ  ‘ଘର’ର ମାଲିକ । ଏହି ସମୟରେ ୫୧ବର୍ଷ ବୟସ୍କ ଲୁଗାକଳ ଶ୍ରମିକ ଉତ୍ତର ସୁରଟର ବେଦ୍ ରୋଡ୍‌ରେ ଏକ ଅନ୍ଧାରିଆ କୋଠରିରେ ୬x୩ ଫୁଟ ଆୟତନର ସ୍ଥାନରେ ରୁହନ୍ତି ।

ତାଙ୍କର ସହ- ଶ୍ରମିକ ସେହି ସ୍ଥାନକୁ ଅନ୍ୟ ୧୨ଘଣ୍ଟା ପାଇଁ ଉପଯୋଗ କରନ୍ତି। ଏହା ସେମାନଙ୍କ ସିଫ୍ଟ ଉପରେ ନିର୍ଭର କରେ - ସକାଳ ୭ଟାରୁ ସନ୍ଧ୍ୟା ୭ଟା କିମ୍ବା ଏହାର ଓଲଟା । କଦବା କ୍ୱଚିତ୍ ଥିବା ଛୁଟିଦିନ- ଯେତେବେଳେ ବିଦ୍ୟୁତ୍ କାଟ୍ ହୁଏ- ସେ ଦିନଗୁଡ଼ିକ ଖୁବ୍ ଭୟଙ୍କର । ସେତେବେଳେ ମହାବୀର ମେସ୍‌ର ୫୦୦ ବର୍ଗଫୁଟ୍‌ର ଗୋଟିଏ କୋଠରିରେ ୬୦ଜଣ ଶ୍ରମିକଙ୍କୁ ରହିବାକୁ ହୁଏ । ଶ୍ରୀ ବେହେରା ବର୍ତ୍ତମାନ ଏଠାରେ ସ୍ଥାନ ବାଣ୍ଟି ରହୁଛନ୍ତି।

ଖରାମାସଗୁଡ଼ିକ- ଯେତେବେଳେ ତାପମାତ୍ରା ୪୦ଡିଗ୍ରୀ ସେଲସିୟସରେ ପହଞ୍ଚିଯାଏ, ସେତେବେଳେ ଦୟନୀୟ ହୋଇଯାଏ । “(ଶ୍ରମିକମାନେ ରହୁଥିବା ବଡ଼ବଡ଼ କୋଠରି ବା ହଲ୍‌ଗୁଡ଼ିକ) ମଧ୍ୟରୁ ଅଧିକାଂଶ ଅନ୍ଧାରିଆ’’, କୌଣସି ବାୟୁ ଚଳାଚଳ ନଥାଏ ବୋଲି କୁହନ୍ତି ଶ୍ରୀ ବେହେରା । ସେ ୧୯୮୩ ମସିହାରୁ ଓଡ଼ିଶାର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍‌ର କୁଶାଳପଲ୍ଲୀ ଗ୍ରାମରୁ ସୁରଟ ଆସିଛନ୍ତି। ସେ କୁହନ୍ତି, “କାରଖାନାରେ କଷ୍ଟକର ତଥା ଦୀର୍ଘ ସମୟ କଟାଇ ଆସିବା ପରେ ଟିକେ ସୁବିଧାରେ ବିଶ୍ରାମ ନେବା ମଧ୍ୟ ଆମପାଇଁ ସମ୍ଭବ ହୁଏନି ।”

ଶ୍ରୀ ବେହେରାଙ୍କ ପରି ସୁରଟରେ ବହୁ ସଂଖ୍ୟକ ଲୁଗାକଳ ଶ୍ରମିକ ଓଡ଼ିଶାର ଗଞ୍ଜାମ ଜିଲ୍ଲାରୁ ସେଠାକୁ ଯାଇଛନ୍ତି (see Synthetic fabric, authentic despair /ଦେଖନ୍ତୁ : ସିନ୍ଥେଟିକ୍ ଫେବ୍ରିକ୍, ଅଥେଣ୍ଟିକ୍ ଡେସପାୟାର) । ସେମାନେ ବର୍ଷକୁ ଥରେ ଗଞ୍ଜାମ ଆସି ଫେରିବା ପରେ ପ୍ରଥମେ ଆସିବା କ୍ରମରେ ଏସବୁ ମେସ୍ ରୁମ୍ ବା ହଲ୍‌ରେ ସ୍ଥାନ ପାଆନ୍ତି । ଏସବୁ ରୁମ୍ ମୁଖ୍ୟତଃ ସେମାନେ କାମ କରୁଥିବା ଲୁଗାକଳଗୁଡ଼ିକ ଥିବା ଶିଳ୍ପାଞ୍ଚଳ ନିକଟରେ ଥାଏ, ବେଳେବେଳେ କେଇ ମିଟର ଦୂରତାରେ ଥାଏ । କଷ୍ଟକର ୧୨ ଘଣ୍ଟିଆ ସିଫ୍ଟ ସରିବା ପରେ ଏ ସବୁ ରୁମ୍‌ରେ ବିଶ୍ରାମ ନେବା ବେଳେ ମଧ୍ୟ ଲୁଗାକଳ ମେସିନ୍‌ର ତୀବ୍ର ଖଟ ଖଟ ଶବ୍ଦ ଶୁଣାଯାଉଥାଏ ।

PHOTO • Reetika Revathy Subramanian

ଉପର ଧାଡ଼ି: ଅଧିକାଂଶ ମେସ୍ କୋଠରିରେ ରୋଷେଇ ସ୍ଥାନ ଏବଂ ପାଣି ଯୋଗାଣ ସ୍ଥାନ ଶୌଚାଳୟ ନିକଟରେ । ତଳ ଧାଡ଼ି: ଶ୍ରମିକମାନେ ନିଜ ନିଜ ସ୍ଥାନରେ ନିଜର  ବ୍ୟାଗ ଏବଂ ଅନ୍ୟାନ୍ୟ ଜିନିଷ ରଖନ୍ତି: ସେମାନଙ୍କ ବ୍ୟାଗ  ଜିନିଷ ମଧ୍ୟରେ ଥାଏ ଠାକୁରଙ୍କ ଫଟୋ ଏବଂ ଅନେକ ରୁମରେ ପୂଜା ପାଇଁ ଏକ ଛୋଟ ସ୍ଥାନ ଥାଏ ।

ସୁରଟ ଓଡ଼ିଆ କଲ୍ୟାଣ ସଂଘର ଆକଳନ ଅନୁଯାୟୀ ଗଞ୍ଜାମର ପ୍ରାୟ ୮୦୦,୦୦୦ ଶ୍ରମିକ ସୁରଟରେ ରୁହନ୍ତି । ଗଞ୍ଜାମ, ରାଜସ୍ଥାନ ଏବଂ ମହାରାଷ୍ଟ୍ରର ପ୍ରବାସୀ ଶ୍ରମିକଙ୍କ ଉପରେ କାର୍ଯ୍ୟ କରୁଥିବା ଏକ ଅନୁଷ୍ଠାନ ଆଜୀବିକା ବ୍ୟୁରୋର ଆକଳନ ଅନୁଯାୟୀ ସହରର ୧.୫ ଅୟୁତ ଲୁଗାକଳରେ ପ୍ରାୟ ୬୦୦,୦୦୦ ପ୍ରବାସୀ ଶ୍ରମିକ କାମ କରୁଛନ୍ତି ।

ସେମାନେ ୫୦୦ରୁ ୮୦୦ ବର୍ଗଫୁଟ ଆୟତନର ରୁମ୍‌ରେ ରୁହନ୍ତି । ପ୍ରତ୍ୟେକ ରୁମ୍‌ରେ ଦୁଇ ସିଫ୍ଟରେ ୬୦ରୁ ୧୦୦ଜଣ ପର୍ଯ୍ୟନ୍ତ ଶ୍ରମିକ ଥାଆନ୍ତି। ସେମାନେ ଛିଣ୍ଡା ଅପରିଷ୍କାର ବିଛଣାରେ ଶୁଅନ୍ତି । ଅଧିକାଂଶ ସମୟରେ ଏଥିରେ ଛାରପୋକ ଥାଏ । ରଙ୍ଗଛଡ଼ା କାନ୍ଥଗୁଡ଼ିକରେ ମରାଯାଇଥିବା ଛାରପୋକର ରକ୍ତ ଚିହ୍ନ ସ୍ପଷ୍ଟ ଦେଖାଯାଏ । କେତେକ କାନ୍ଥରେ ଶ୍ରମିକମାନେ ସେମାନଙ୍କ ନାମ ଓଡ଼ିଆରେ ଲେଖିଛନ୍ତି । ସେଠାରେ ଉଇ ଅଛନ୍ତି । ବେଳେବେଳେ ମୂଷା ମଧ୍ୟ ପଶିଆସନ୍ତି । ଖରାଦିନରେ ଶ୍ରମିକମାନେ ଖାଲି ଚଟାଣରେ କିମ୍ବା ପ୍ଲାଷ୍ଟିକ୍ ସିଟ୍‌ରେ ଶୋଇବାକୁ ପସନ୍ଦ କରନ୍ତି । କାରଣ ବିଛଣାଗୁଡ଼ିକ ଝାଳରେ ଓଦା ହୋଇ ଗନ୍ଧ ହେଉଥାଏ ।

ଯେଉଁ ବ୍ୟକ୍ତିଙ୍କର ସ୍ଥାନ ଯେଉଁଠି ସେଠାରେ ସେମାନଙ୍କର ବାକ୍ସ ଏବଂ ବ୍ୟାଗଗୁଡ଼ିକ ଉପରେ ରଖାଯାଇଥାଏ । ପ୍ରତ୍ୟେକଙ୍କର ହାରାହାରି ୩ ହଳ ପୋଷାକ ଥାଏ ଏବଂ କିଛି ବ୍ୟକ୍ତିଗତ  ଜିନିଷ । ଏ ମଧ୍ୟରେ ଥାଏ ଥଣ୍ଡା ରାତି ପାଇଁ ଏକ ପତଳା କମ୍ବଳ, କିଛି ନଗଦ ଅର୍ଥ ଏବଂ ଠାକୁରଙ୍କ ଫଟୋ ।

ପ୍ରତ୍ୟେକ ରୁମ୍‌ର ଶେଷ ଭାବରେ ଦୁଇଟି ଶୌଚାଳୟ ଥାଏ । ଯାହାକୁ ସମସ୍ତେ ବ୍ୟବହାର କରନ୍ତି । ରୋଷେଇ ଘର ସାଧାରଣତଃ ଶୌଚାଳୟ ପାଖରେ ଥାଏ । ଗାଧୋଇବା, ପିଇବା ଏବଂ ରୋଷେଇ ପାଇଁ ପାଣି ଗୋଟିଏ ସ୍ଥାନରୁ ଯାଏ । ଏହି ଜଳଯୋଗାଣ ଅନିୟମିତ । ତେଣୁ ଅଧିକାଂଶ ମେସ ରୁମ୍‌ରେ ପାଣି ଟାଙ୍କି କିମ୍ବା ପ୍ଲାଷ୍ଟିକ୍ ଡ୍ରମ୍‌ରେ ସାଇତି ରଖାଯାଇଥାଏ । ତେଣୁ ଶ୍ରମିକମାନେ ପ୍ରତିଦିନ ଗାଧୋଇବାର ସୁବିଧା ପାଆନ୍ତି ନାହିଁ ।

workers are sitting in room
PHOTO • Aajeevika Bureau
workers are sleeping in hall
PHOTO • Reetika Revathy Subramanian

ଉତ୍ତର ସୁରଟର ଫୁଲୱାଡ଼ିର ଏକ ମେସ୍ କୋଠରି; ଶ୍ରମିକମାନେ ୧୨ଘଣ୍ଟା ପାଇଁ ଶୋଇବା ଏବଂ ରହିବାର ସ୍ଥାନ ପାଆନ୍ତି- ଅନ୍ୟ ୧୨ ଘଣ୍ଟା, ଯେତେବେଳେ ସିଫ୍ଟ ବଦଳେ, ସେମାନେ ସୂତାକଳକୁ ଫେରନ୍ତି ।

ପ୍ରତି ରୁମରେ ଥିବା କେଇଟି ଫ୍ୟାନ୍ ଉତ୍ତାପ କମ୍ କରିବାକୁ ଅସମର୍ଥ ହୁଏ । ମହାବୀର ମେସ୍ ଥିବା ମୁଖ୍ୟ ସହରରେ ବିଦ୍ୟୁତ୍ କାଟ ଖୁବ୍ ବିରଳ । କିନ୍ତୁ ସହର ବାହାରେ ଥିବା ଅଞ୍ଚଳ ଯଥା- ଅଞ୍ଜନୀ ଏବଂ ଶୟାନରେ ପ୍ରତି ସପ୍ତାହରେ ଥରେ ଦକ୍ଷିଣ ଗୁଜରାଟ ବିଦ୍ୟୁତ କମ୍ପାନୀ ୪ରୁ ୬ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ କରିଥାଏ । ମହାବୀର ମେସ୍‌ରେ ତିନୋଟି ଝରକା ମଧ୍ୟ ଅଛି । ତେଣୁ ଏହାର ଚାହିଦା ଅଧିକା । ଅନ୍ୟ ରୁମ୍‌ଗୁଡ଼ିକରେ ପ୍ରାୟତଃ ଝରକା ନଥାଏ । ଉଦାହରଣସ୍ୱରୁପ ଉତ୍ତର ସୁରଟର ଫୁଲୱାଡ଼ିରେ ଥିବା କାଶୀନାଥ ଭାଇ ମେସ୍‌ ଝରକାବିହୀନ । ଗୋଟିଏ ଛୋଟ ଦ୍ୱାର ଅଛି ଚାରିକୋଣିଆ ହଲ୍‌ରେ, ଏଥିରେ ଖୁବ୍ କମ୍ ଆଲୋକ ଏବଂ ପବନ ଆସିପାରେ ।

କମ୍ ବାୟୁ ଚଳାଚଳ, ଅଧିକ ଲୋକ ଏବଂ ଅପର୍ଯ୍ୟାପ୍ତ ପାଣି ଏସବୁ ନିୟମିତ ଅସୁସ୍ଥତାର କାରଣ । ୨୦୧୮ ଫେବୃଆରୀ ମାସରେ ସୂତାକଳ ଶ୍ରମିକ ୨୮ବର୍ଷ ବୟସ୍କ କୃଷ୍ଣ ସୁବାସ ଗୌଡ଼ ଯକ୍ଷ୍ମାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଲେ । ୧୮ ମାସ ପୂର୍ବରୁ ଶ୍ରୀ ଗୌଡ଼ ଫୁଲୱାଡ଼ିର ଶମ୍ଭୁନାଥ ସାହୁଙ୍କ ମେସ୍‌ରେ ରହୁଥିଲେ । ଏଠାରେ ତାଙ୍କ ସହ ଅନ୍ୟ ୩୫ଜଣ ଶ୍ରମିକ ମଧ୍ୟ ଥିଲେ । ସେ ଗଞ୍ଜାମ ଫେରିଗଲେ ଏବଂ ସାଧାରଣ ଯକ୍ଷ୍ମା ଚିକିତ୍ସା ଆରମ୍ଭ କଲେ । କିନ୍ତୁ ଅର୍ଥ ସରିଗଲା, ସେ ସୁରଟ ଫେରିଲେ । ଏଠାରେ ନିୟମିତ ଭାବରେ ଔଷଧ ଖାଇବା ତାଙ୍କ ପାଇଁ କଷ୍ଟକର ହେଲା ଏବଂ ଏହି ଭର୍ତ୍ତି ହୋଇଥିବା ରୁମ୍‌ରେ ରାତିରେ ଭଲ ନିଦ ହେବା ମଧ୍ୟ କଷ୍ଟକର ଥିଲା ।

ଆଜୀବିକା ବ୍ୟୁରୋର କେନ୍ଦ୍ର ସମନ୍ୱକ ସଞ୍ଜୟ ପଟେଲ୍ କୁହନ୍ତି, “ଯକ୍ଷ୍ମାପରି ରୋଗ ଖୁବ୍ ସଂକ୍ରାମକ । ମେସ୍ ରୁମ୍ ଗୁଡ଼ିକରେ ଗହଳି ଓ ଧୂଳିର ଅଭାବ ବି ନଥାଏ । ଆଜୀବିକା ବ୍ୟୁରୋ ଗୌଡ଼ଙ୍କ ପରିବାର ପାଇଁ କ୍ଷତିପୂରଣ ବ୍ୟବସ୍ଥା କରିବାକୁ ଚେଷ୍ଟା କରୁଛି । ସେ କୁହନ୍ତି, “ଯେ ହେତୁ ଶ୍ରୀ ଗୌଡ଼ ଲୁଗା କଳରେ ନୁହେଁ, ବରଂ ରୁମରେ ମୃତ୍ୟୁବରଣ କରିଥିଲେ, ତାଙ୍କ ନିଯୁକ୍ତିଦାତା କ୍ଷତିପୂରଣ ଦେବାକୁ ମନା କରୁଛନ୍ତି... କିନ୍ତୁ କର୍ମସ୍ଥଳୀ ଏବଂ ରହିବା କୋଠରିଗୁଡ଼ିକ ଖୁବ୍ ନିକଟ ସମ୍ପର୍କ ରହିଛି, ଏଗୁଡ଼ିକୁ ଅଲଗା କରି ଶୋଷଣ ବିଷୟରେ କିଛି କହିବା କଷ୍ଟ ।”

ଏହାର ପ୍ରାୟ ୪ମାସ ପରେ ୨୦୧୮ ଜୁନରେ ୧୮ବର୍ଷ ବୟସ୍କ ସନ୍ତୋଷ ଗୌଡ଼ ହଠାତ୍ ଅସୁସ୍ଥ ହୋଇ ପ୍ରାଣ ହରାଇଲେ । ସେ ଗଞ୍ଜାମର ବୁଗୁଡ଼ା ତହସିଲ ବିରଞ୍ଚିପୁର ଗ୍ରାମରୁ ଆସିଥିଲେ । ସେ ଜ୍ୱର, ଥଣ୍ଡା ଏବଂ ଝାଡ଼ାରେ ପଡ଼ିବାର ଦୁଇଦିନ ପରେ ସେ ମୀନାନଗରର ଭଗବାନ ଭାଇ ମେସ୍‌ର ଶୌଚାଳୟରେ ମୃତ୍ୟୁବରଣ କଲେ । ସେହି ରୁମ୍‌ରେ ରହୁଥିବା ଜଣେ ସହ- ଶ୍ରମିକ କହିଥିଲେ, “ସେ ଡାକ୍ତରଙ୍କ ପାଖକୁ ମଧ୍ୟ ଯାଇନଥିଲେ । ସେ ସୁରଟରେ ପ୍ରାୟ ୩ବର୍ଷ ହେବ ରହୁଥିଲେ, କିନ୍ତୁ ଏଠାରେ ତାଙ୍କର କେହି ସମ୍ପର୍କୀୟ କିମ୍ବା ଅନ୍ତରଙ୍ଗ ବନ୍ଧୁ ନଥିଲେ । ଆମେ ତାଙ୍କ ମୃତଦେହ ତାଙ୍କ ପରିବାର ପାଖକୁ ପଠାଇଲୁନି ଏବଂ ସୁରଟରେ ହିଁ ତାଙ୍କର ଦାହ ସଂସ୍କାର କରିଦେଲୁ ।”
outside area of room
PHOTO • Reetika Revathy Subramanian
outside area of rooms
PHOTO • Reetika Revathy Subramanian

ମେସ୍ ପରିଚାଳକ କେବଳ ରୁମ୍ ସଫା କରିଦିଅନ୍ତି, ବାରଣ୍ଡା ଏବଂ ଗଳିରେ ସେମିତି ଭାବରେ ଆବର୍ଜନା, ଧୂଳି ପଡ଼ିରହିଥାଏ ।

ବିଭିନ୍ନ ଅଟ୍ଟାଳିକାର ଉପର ମହଲାରେ ଥିବା କେତେକ ରୁମ୍‌ର ଗୋଟିଏ ଅଂଶ ଖୋଲା ଥାଏ । ଆଜୀବିକା ବ୍ୟୁରୋ ସହ କାର୍ଯ୍ୟ କରୁଥିବା ଡାକ୍ତର ତଥା ପରାମର୍ଶଦାତା ଡ. ରମାନୀ ଆଟ୍‌କୁରି କୁହନ୍ତି, “ଅନେକ ଥର ଶ୍ରମିକମାନେ ଏହି ଖୋଲା ଛାତରୁ ପଡ଼ି ପ୍ରାଣ ହରାଇଛନ୍ତି । ମେସ୍ ରୁମ୍‌ଗୁଡ଼ିକରେ ଖୁବ୍ ଅଧିକ ଲୋକ ଥାଆନ୍ତି । ଆଲୋକ ଏବଂ ବାୟୁ ଚଳାଚଳ ଖୁବ୍ କମ୍ । ଏଭଳି ପରିସ୍ଥିତି ସଂକ୍ରାମକ ରୋଗ ଯଥା- ଚର୍ମରେ ଯାଦୁ ଏବଂ ଫଙ୍ଗାଲ୍ ସଂକ୍ରମଣ ଠାରୁ ଆରମ୍ଭ କରି ମ୍ୟାଲେରିଆ ଏବଂ ଯକ୍ଷ୍ମା ରୋଗ ଆଦିର ପରିବାହକ ହୋଇଥାଏ ।”

ତେବେ ଆଇନ ଅନୁଯାୟୀ କାମ ଏବଂ ଘର ମଧ୍ୟରେ ଏକ ସ୍ପଷ୍ଟ ସୀମା ରହିଛି। କେନ୍ଦ୍ର ବୟନ ମନ୍ତ୍ରାଳୟ ଅଧୀନରେ ସ୍ଥାପିତ ଲୁଗାକଳ ସେବାକେନ୍ଦ୍ର, ସୁରଟର ପୂର୍ବତନ ଉପନିର୍ଦ୍ଦେଶକ ନିଳୟ ଏଚ୍. ପାଣ୍ଡ୍ୟାଙ୍କ କହିବା ଅନୁଯାୟୀ କ୍ଷତିପୂରଣ ଏବଂ ବୀମା ସୁବିଧା କେବଳ କାରଖାନା ପରିସରରେ ମୃତ୍ୟୁ କିମ୍ବା ଆଘାତ ପାଇଁ କାର୍ଯ୍ୟକାରୀ ହୋଇଥାଏ । ପାଣ୍ଡ୍ୟା କୁହନ୍ତି, “ଲୁଗାକଳ କ୍ଷେତ୍ର ଏକଦମ୍ ଅସ୍ତବ୍ୟସ୍ତ ।  ଏପର୍ଯ୍ୟନ୍ତ ୧୦ ପ୍ରତିଶତ ଶ୍ରମିକ ମଧ୍ୟ ବୀମା ଯୋଜନାରେ ପଞ୍ଜିକୃତ ହୋଇନାହାନ୍ତି ।” ସେ ସୁରଟର ଲୁଗାକଳ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ମନ୍ତ୍ରାଳୟର ଗୋଷ୍ଠୀ ବୀମା ଯୋଜନାଗୁଡ଼ିକର ଦାୟିତ୍ୱରେ ଥିଲେ।

ଏହି ଯୋଜନା ୨୦୦୩, ଜୁଲାଇରେ ଆରମ୍ଭ ହୋଇଥିଲା । ଶ୍ରମିକମାନେ ବାର୍ଷିକ ୮୦ ଟଙ୍କା ପ୍ରିମିୟମ୍ ଦିଅନ୍ତି (୨୯୦ ଟଙ୍କା ସରକାରଙ୍କ ପକ୍ଷରୁ ଏବଂ ୧୦୦ ଟଙ୍କା ସାମାଜିକ ସୁରକ୍ଷା ପାଣ୍ଠିରୁ ପ୍ରଦାନ କରାଯାଏ) । ସେ ଏବଂ ତାଙ୍କ ପରିବାର ପ୍ରାକୃତିକ ମୃତ୍ୟୁ କ୍ଷେତ୍ରରେ ୬୦,୦୦୦ ଟଙ୍କା, ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ୧,୫୦,୦୦୦ ଟଙ୍କା, ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ ୧, ୫୦,୦୦୦ ଟଙ୍କା ଏବଂ ଆଂଶିକ ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ ୭୫,୦୦୦ ଟଙ୍କା ଦାବି କରିପାରିବେ । “କିନ୍ତୁ ସେମାନେ ରହୁଥିବା ରୁମ୍‌ଗୁଡ଼ିକ ଆମ କାର୍ଯ୍ୟ ପରିସର ମଧ୍ୟରେ ଆସୁନାହିଁ,” ବୋଲି କୁହନ୍ତି ଶ୍ରୀ ପାଣ୍ଡ୍ୟା।

ଏସବୁ ରୁମ୍ ମଧ୍ୟରେ ରହିଛି ଶମ୍ଭୁନାଥ ସାହୁଙ୍କ ମେସ୍ । ଦୁଇ ପାଳିରେ ପ୍ରାୟ ୭୦ ଶ୍ରମିକ ରୁହନ୍ତି ଏଠାରେ । ଏହି ମେସ୍ ଯେଉଁ ଅଟ୍ଟାଳିକାରେ ରହିଛି ତା’ର ୫ଟି ମହଲାରେ ୮ଟି ମେସ୍ ଅଛି । ଏହା ରହିଛି ଫୁଲୱାଡ଼ି ଶିଳ୍ପାଞ୍ଚଳର କେନ୍ଦ୍ର ସ୍ଥଳରେ । ସୂତାକଳଗୁଡ଼ିକର ଭୀଷଣ ଶବ୍ଦ ଏହି ରୁମଗୁଡ଼ିକରେ ମଧ୍ୟ ଗୁଞ୍ଜରିତ ହୁଏ । ଭଙ୍ଗାରୁଜା ଶିଡ଼ିରେ ଅଳିଆ ଆବର୍ଜନା ପଡ଼ିଥାଏ, ଷ୍ଟୋଭ୍‌ରେ ଭାତ-ଡାଲି ଫୁଟୁଥାଏ । ମେସ୍ ମ୍ୟାନେଜର୍ କେବଳ ରୁମ୍ ସଫା କରିଦି÷ଅନ୍ତି । ବାରଣ୍ଡା ଏବଂ ପାହାଚ ସେମିତି ଆବର୍ଜନାରେ ପୂରି ରହିଥାଏ । ସୁରଟ ପୌରପାଳିକାର ଆବର୍ଜନା ଗାଡ଼ି ଏହି ଅଞ୍ଚଳକୁ ନିୟମିତ ଆସେନାହିଁ । ତେଣୁ ସପ୍ତାହ ସପ୍ତାହ ପର୍ଯ୍ୟନ୍ତ ଆବର୍ଜନା ଗଦା ହୋଇ ରହିଥାଏ।

outside area of room
PHOTO • Reetika Revathy Subramanian

ଅଧିକାଂଶ ସମୟରେ କାରଖାନା ୟୁନିଟ୍‌ଗୁଡ଼ିକର ଖୁବ୍ ନିକଟରେ ଥାଏ ମେସ୍ ରୁମ୍‌ଗୁଡ଼ିକ । ମେସିନ୍‌ଗୁଡ଼ିକର ଅଧିକ ଶବ୍ଦ ବିଶିଷ୍ଟ ଖଟ୍ ଖଟ୍ ଶବ୍ଦ ସବୁବେଳେ ଶୁଣାଯାଉଥାଏ ।

ମୌସୁମୀ ମାସଗୁଡ଼ିକରେ ରାସ୍ତା ଲେବୁଲ୍ ତଳେ ଥିବା ଅଟ୍ଟାଳିକାଗୁଡ଼ିକର କୋଠରି ଏବଂ ବାରଣ୍ଡାରେ ଅନେକ ସମୟରେ ବର୍ଷାପାଣି ପଶି ଏହାକୁ ଖସଡ଼ା ଏବଂ ସନ୍ତସନ୍ତିଆ କରିଦିଏ । ଏ ଅବସ୍ଥାରେ ଶ୍ରମିକମାନେ ନିଜ ଲୁଗା ଶୁଖାଇବା ମଧ୍ୟ କଷ୍ଟକର ହୋଇଯାଏ । ପୋଲସରା ବ୍ଲକ୍‌ର ବାଲିଚାଇ ଗ୍ରାମରୁ ଯାଇଥିବା ୫୨ବର୍ଷ ବୟସ୍କ ଲୁଗାକଳ ଶ୍ରମିକ ରାମଚନ୍ଦ୍ର ପ୍ରଧାନ କୁହନ୍ତି, “ଆମେ କାମକୁ ଓଦାଲୁଗା ପିନ୍ଧି ଯାଉ, ଆମ ପାଖରେ କିଛି ବିକଳ୍ପ ମଧ୍ୟ ନଥାଏ ।” ଶ୍ରୀ ପ୍ରଧାନ ସୁରଟର ମେସ୍ ରୁମ୍‌ଗୁଡ଼ିକରେ ପ୍ରାୟ ୩ ଦଶକ କଟାଇ ସାରିଲେଣି ।

ଶମ୍ଭୁନାଥ ସାହୁଙ୍କ ୫୦୦ ବର୍ଗଫୁଟ ମେସରେ ଅନ୍ୟ ମେସ ପରି ବଡ଼ ବଡ଼ ରୋଷେଇ ପାତ୍ର ଥିବା ରୋଷେଇ ଘର, ପୂଜା ସ୍ଥାନ, ଦୁଇଟି ଶୌଚାଳୟ, ପରିବା, ଚାଉଳ ବସ୍ତା ରହିଛି । ଏଥିସହ ୩୫ଜଣ ଶ୍ରମିକ ଏବଂ ସେମାନଙ୍କର ଜିନିଷପତ୍ର ମଧ୍ୟ ଅଛି ଏଠାରେ । ଗଞ୍ଜାମର ପୋଲସରା ବ୍ଲକର ସାନବରଗାମ୍ ଗ୍ରାମରୁ ଆସିଥିବା ଶ୍ରୀ ସାହୁ କୁହନ୍ତି, “ଶ୍ରମିକମାନଙ୍କୁ “ପୁଷ୍ଟିକର ଖାଦ୍ୟ” ପ୍ରଦାନ କରାଯାଏ ଏବଂ “ମେସ୍‌କୁ ସଫା” ରଖାଯାଏ ।

ଫୁଲୱାଡ଼ିର ସହଯୋଗ ଶିଳ୍ପାଞ୍ଚଳର ଅନ୍ୟଜଣେ ମେସ୍ ମ୍ୟାନେଜର ୪୮ବର୍ଷ ବୟସ୍କ ଶଙ୍କର ସାହୁ ମଧ୍ୟ ପୋଲସରା ଗ୍ରାମର ନିମିନା ଗ୍ରାମର । ସେ କୁହନ୍ତି, “ପ୍ରତି ସପ୍ତାହରେ ମୋତେ ୨୦୦ କେଜି ଆଳୁ କିଣିବାକୁ ହୁଏ । ପ୍ରତିଦିନ ମୁଁ ଦୁଇଟି ପୂର୍ଣ୍ଣ ଭୋଜନ ପ୍ରସ୍ତୁତ କରେ ଏବଂ ପ୍ରାୟ ୭୦ ଜଣଙ୍କୁ ଖୁଆଏ। ଖାଇବା ଠିକ୍ ନହେଲେ ଶ୍ରମିକମାନେ ରାଗିଯାଆନ୍ତି । ଜଣେ ରୋଷେୟା ସହାୟତାରେ ଶ୍ରୀ ସାହୁ ଭାତ, ଡାଲି, ଭଜା ଏବଂ ତରକାରୀ କରନ୍ତି । “(ସପ୍ତାହରେ ଦୁଇଥର) ମାଛ, ଅଣ୍ଡା ଏବଂ ଚିକେନ୍ ମଧ୍ୟ ଦିଏ ।” ମାସରେ ଥରେ ମାଂସ ଦିଆଯାଏ ।

ଛଣା ତେଲକୁ ରୋଷେଇରେ ବାରମ୍ବାର ବ୍ୟବହାର କରିବା ଶ୍ରମିକମାନଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରେ । ୨୦୧୮ ମାର୍ଚ୍ଚ ମାସରେ ଆଜୀବିକା ବ୍ୟୁରୋ ମିନା ନଗର ଏବଂ ଫୁଲୱାଡ଼ିର ୩୨ଟି ମେସରେ ଲୋକମାନଙ୍କର ଖାଇବା ଶୈଳୀ ଉପରେ ସର୍ବେକ୍ଷଣ କରିଥିଲେ । ଏଥିରୁ ଜଣାପଡ଼ିଥିଲା, ଅନୁମୋଦିତ ଖାଦ୍ୟ ପରିମାଣ ତୁଳନାରେ ଦୈନିକ ଫ୍ୟାଟ୍ ଉପଯୋଗ ୨୯୪ ପ୍ରତିଶତ (ଆମେରିକାନ୍ ଫୁଡ୍ ଆଣ୍ଡ ନ୍ୟୁଟିସନ୍ ବୋର୍ଡ ଅନୁମୋଦିତ ଖାଦ୍ୟ ପରିମାଣ) ଏବଂ ଲୁଣ ଉପଯୋଗ ୩୭୭ ପ୍ରତିଶତ ଅଧିକ । ଡ. ଆଟ୍‌କୁରି କୁହନ୍ତି, “ଅଧିକ ବୟସ ବର୍ଗର ଅଧିକାଂଶ ଶ୍ରମିକଙ୍କ ପାଖରେ ଉଚ୍ଚ ରକ୍ତଚାପ ଦେଖିବାକୁ ମିଳେ । କିନ୍ତୁ ସବୁ ବୟସ ବର୍ଗରେ ଖରାପ ଲିପିଡ୍ ପ୍ରୋଫାଇଲ୍ ଦେଖିବାକୁ ମିଳୁଛି ।”

a worker Shankar Sahu is stand
PHOTO • Reetika Revathy Subramanian
mess manager subrat Gouda is seated
PHOTO • Reetika Revathy Subramanian
mess owner Kashinaath Gouda
PHOTO • Reetika Revathy Subramanian

ବାମରୁ ଡାହାଣ: ଫୁଲୱାଡ଼ିର ମେସ୍ ପରିଚାଳକ ଶଙ୍କର ସାହୁ; ଅଞ୍ଜନୀର ମେସ୍ ପରିଚାଳକ ସୁବ୍ରତ ଗୌଡ଼ (ବସିଥିବା); ମେସ୍ ମାଲିକ କାଶୀନାଥ ଗୌଡ଼ ।

ସାଧାରଣତଃ ମେସ୍ ରୁମ୍‌ଗୁଡ଼ିକର ମାଲିକ ସ୍ଥାନୀୟ ବ୍ୟବସାୟୀ । ସେମାନେ ଏହା ମ୍ୟାନେଜର୍‌ମାନଙ୍କୁ ଭଡ଼ାରେ ଦେଇଥାନ୍ତି । ଏହି ମ୍ୟାନେଜର୍‌ମାନେ ମୁଖ୍ୟତଃ ଗଞ୍ଜାମ ଜିଲ୍ଲାର । ମ୍ୟାନେଜର ମାଲିକଙ୍କୁ ମାସିକ ୧୫,୦୦୦-୨୦,୦୦୦ ଟଙ୍କା ଭଡ଼ା ଦେଇଥାନ୍ତି । ବଦଳରେ ସେମାନେ ମାସିକ ପ୍ରତି ଶ୍ରମିକଙ୍କ ଠାରୁ ଭଡ଼ା ଏବଂ ଭୋଜନ ବାବଦରେ ୨,୫୦୦ ଟଙ୍କା ନେଇଥାନ୍ତି।

ଫୁଲୱାଡ଼ିର କାଶୀନାଥ ଭାଇ ମେସ୍ର ମାଲିକ- ପରିଚାଳକ କାଶୀନାଥ ଗୌଡ଼ କୁହନ୍ତି, “ଆମେ ରୁମ୍‌ରେ କେତେଜଣ ଶ୍ରମିକଙ୍କୁ ନେବୁ ଏହା କୌଣସି ସୀମା ନଥାଏ । ଆମେ ଯେତେଜଣଙ୍କୁ ରଖିପାରିବୁ, ସେତେ ଆୟ କରିପାରିବୁ । ଶ୍ରମିକମାନେ ଦୁଇଓଳିରେ ଆସନ୍ତି... କିନ୍ତୁ ପରିଚାଳକମାନଙ୍କ ପାଇଁ ଲାଭର ପରିମାଣ ସେତେ ଅଧିକ ନୁହେଁ । କିନ୍ତୁ ଏହା ଯେ ଲୁଗାକଳରେ କାମ କରିବାଠାରୁ ଭଲ ଏଥିରେ କୌଣସି ସନ୍ଦେହ ନାହିଁ ।” ୫୨ବର୍ଷ ବୟସ୍କ ଶ୍ରୀ ଗୌଡ଼ ୧୯୮୦ ଦଶକର ମଧ୍ୟ ଭାଗରେ ପୋଲସରା ବ୍ଲକର ତେନ୍ତୁଳିଆ ଗ୍ରାମରୁ ସୁରଟ ଆସିଥିଲେ । ସେ କୁହନ୍ତି, “ମୁଁ ପ୍ରାୟ ୨୦ବର୍ଷ ପର୍ଯ୍ୟନ୍ତ ଖଟ୍ ଖଟ୍ ମେସିନରେ କାମ କଲି । ସେ ଜୀବନ ଖୁବ୍ କଷ୍ଟକର । ମୁଁ କୌଣସି ଅର୍ଥ ମଧ୍ୟ ସଞ୍ଚୟ କରିପାରିନଥିଲି । ପ୍ରାୟ ୧୦ବର୍ଷ ତଳେ ମୁଁ ଏହି ମେସ୍ ଚଳାଇବା ଆରମ୍ଭ କଲି । ଏହା ଏକ ୨୪ଘଣ୍ଟିଆ କାମ । କାରଣ ଶ୍ରମିକମାନେ ଦୁଇଓଳିରେ ରୁହନ୍ତି । ମେସ୍ ଚଳାଇବା ମଧ୍ୟ କଷ୍ଟକର । କାରଣ କେତେକ ଶ୍ରମିକ ଖୁବ୍ ରାଗିଯାଇ ଗଣ୍ଡଗୋଳ କରନ୍ତି । କିନ୍ତୁ ଯାହା ହେଲେ ବି ଲୁଗା କଳରେ କାମ କରିବାଠାରୁ ଏହା ନିଶ୍ଚୟ ଭଲ । ମୁଁ ପ୍ରତିବର୍ଷ ମୋ ସ୍ତ୍ରୀ ଓ ଦୁଇ ପିଲାଙ୍କ ପାଖକୁ ଘରକୁ ଯାଇପାରୁଛି । ମୋ ପିଲାମାନେ କାମ ପାଇଯିବା ପରେ କେଇ ବର୍ଷ ମଧ୍ୟରେ ମୁଁ ଗାଁକୁ ଚାଲିଯିବାକୁ ଯୋଜନା କରିଛି।”

ଖୁବ୍ କଷ୍ଟକର କର୍ମନିର୍ଘଣ୍ଟ ଏବଂ କଦର୍ଯ୍ୟ ରହିବା ଅବସ୍ଥା ଯୋଗୁ ଅନେକ ଶ୍ରମିକ ମଦ ଆଡ଼କୁ ମୁହାଁନ୍ତି । ଯେହେତୁ ଗୁଜରାଟରେ ମଦ ନିଷେଧ, ତେଣୁ ସେମାନେ ଶିଳ୍ପାଞ୍ଚଳ ଏବଂ ଏହାର ଆଖପାଖରେ ଲୁଚାଛପାରେ ବିକ୍ରି ହେଉଥିବା ଦେଶୀ ମଦର ପଲିଥିନ୍ ପ୍ୟାକ୍ କିଣନ୍ତି। ଏଗୁଡ଼ିକ କାନ୍ଥରେ କଣାଥିବା ଦୋକାନମାନଙ୍କରେ ୨୫୦ ମିଲିକୁ ୨୦ଟଙ୍କା ଦରରେ ବିକ୍ରି ହୁଏ।
workers are seated in room
PHOTO • Reetika Revathy Subramanian

ଶ୍ୟାମସୁନ୍ଦର ସାହୁ (ବାମରୁ ଦ୍ୱିତୀୟ) ଏବଂ ସହ ଶ୍ରମିକମାନେ ବେଦ ରୋଡର ତ୍ରିନାଥ ସାହୁ କାକା ମେସ୍‌ରେ । ‘ମୋ ପରିବାର ଜାଣନ୍ତିନି ମୁଁ ଏମିତି ଏକ ରୁମରେ ରୁହେ...’

ଉତ୍ତର ସୁରଟର ଅଞ୍ଜନୀ ଶିଳ୍ପାଞ୍ଚଳରେ ଭଗବାନ ମେସ୍ ପରିଚାଳନା କରୁଥିବା ସୁବ୍ରତ ଗୌଡ଼ କୁହନ୍ତି, “ଅନେକ ଯୁବ ଶ୍ରମିକ ମଦରେ ଅଭ୍ୟସ୍ତ । ସେମାନଙ୍କ ସିଫ୍ଟ ସରିବା ପରେ ସେମାନେ ସିଧାସଳଖ ମଦ ଦୋକାନଆଡ଼େ ମୁହାଁନ୍ତି । ରୁମକୁ ଫେରିବା ପରେ ସେମାନଙ୍କୁ ସମ୍ଭାଳିବା କଷ୍ଟକର । ସେମାନେ ଖୁବ୍ ହିଂସ୍ର ହୋଇଯାଆନ୍ତି ଏବଂ ଗାଳିଗୁଲଜ କରନ୍ତି ।” ନିକଟରେ ଆଉ ଏକ ମେସ୍ ଚଳାଉଥିବା ପ୍ରମୋଦ ବିଶୋୟୀ କୁହନ୍ତି, “ଶ୍ରମିକମାନେ ପରିବାରଠାରୁ ଦୂରରେ ଖୁବ୍ କଷ୍ଟକର ଏବଂ ନିଃସଙ୍ଗ ଜୀବନ କଟାନ୍ତି । ଏହି ଉଦ୍ୟୋଗରେ ଆମୋଦପ୍ରମୋଦ କିମ୍ବା ମନ ହାଲ୍‌କା  କରିବାର ବ୍ୟବସ୍ଥା ନାହିଁ । ଏହି ଦୁନିଆରୁ ସାମୟିକ ଭାବରେ ମୁକ୍ତି ପାଇଁ ମଦ ହିଁ ଅଧିକାଂଶ ସମୟରେ ଏକମାତ୍ର ବିକଳ୍ପ ।”

ପୋଲସରା ବ୍ଲକର ସାନବରଗାମ୍ ଗ୍ରାମରୁ ଯାଇଥିବା କାହ୍ନୁ ପ୍ରଧାନ ନିଜର ମଦଭ୍ୟାସ ଛାଡ଼ିବାକୁ ଖୁବ୍ ଚେଷ୍ଟା କରୁଛନ୍ତି । ୨୮ବର୍ଷ ବୟସ୍କ ଶ୍ରୀ ପ୍ରଧାନ କୁହନ୍ତି, “ମୁଁ ପ୍ରତି ସପ୍ତାହରେ ପ୍ରାୟ ତିନିଦିନ ପିଏ । ଏତେ ସମୟ କାମ କରିବା ପରେ ନିଜକୁ ହାଲ୍‌କା କରିବାର ଆଉ କ’ଣ ବା ଉପାୟ ଅଛି?” ଫୁଲୱାଡ଼ିର ସହଯୋଗ ଶିଳ୍ପାଞ୍ଚଳର ଏକ ଲୁଗାକଳରୁ ଫେରିବା ବାଟରେ ସେ କହିଲେ, “ଘରକୁ ପଠାଇବା ପାଇଁ ଅର୍ଥ ସଞ୍ଚୟ କରିବାକୁ ବି ମୁଁ ଚାପରେ ରହୁଛି । ଏକଥା ବି ଜାଣିଛି, ଏତେ ପିଇବା ଖରାପ । କିନ୍ତୁ ଏ ଅଭ୍ୟାସ ଛାଡ଼ିବା ମଧ୍ୟ ପ୍ରକୃତରେ କଷ୍ଟକର ।”

ସନ୍ଧ୍ୟା ପ୍ରାୟ ୬ଟା, ୪୮ବର୍ଷ ବୟସ୍କ ଶ୍ୟାମସୁନ୍ଦର ସାହୁ ବେଦ ରୋଡରେ ଏକ ଲୁଗା କଳରେ ରାତି ସିଫ୍ଟରେ କାମ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହା ତାଙ୍କର ୨୨ବର୍ଷର ରୁଟିନ୍ । ତିନି ସନ୍ତାନର ଜନକ ଶ୍ରୀ ସାହୁ କୁହନ୍ତି, “ମୁଁ ୧୬ବର୍ଷ ବୟସରୁ ଏଠାରେ ଅଛି । ବାଲିଚାଇ ଗାଁରେ ଥିବା ମୋ ଘରକୁ ବର୍ଷକୁ ଥରେ ଯିବା ବ୍ୟତୀତ ମୁଁ ବଳକା ସମୟରେ ଏହି ଭାବରେ କାମ କରୁଛି ଏବଂ ଏମିତି ହିଁ ବଞ୍ଚିଛି । ମୋ ପରିବାର ଜାଣନ୍ତି ନାହିଁ, ମୁଁ ଏମିତି ଏକ ରୁମ୍‌ରେ ଏତେ ଲୋକଙ୍କ ସହ ରୁହେ । ମୋର କୌଣସି ବିକଳ୍ପ ବି ନାହିଁ । ଅନେକ ସମୟରେ ଲୁଗାକଳରେ ଲମ୍ବା ସମୟ କାମ କରିବା ବରଂ ସୁବିଧାଜନକ ହୋଇଥାଏ ।” ଏହାପରେ ସେ ନିଜ ଘରୁ ଫ୍ୟାକ୍ଟ୍ରି ମଧ୍ୟକୁ ଯିବା ପାଇଁ ୧୦ଫୁଟ ଚଉଡ଼ା ରାସ୍ତା ଅତିକ୍ରମ କଲେ ।

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Reetika Revathy Subramanian

ଲେଖକ ପରିଚୟ: ରିତିକା ରେବତି ସୁବ୍ରମଣ୍ୟନ୍ ମୁମ୍ବାଇର ଜଣେ ସାମ୍ବାଦିକ ଏବଂ ଗବେଷିକା। ସେ ପଶ୍ଚିମ ଭାରତର ଅନୌପଚାରିକ କ୍ଷେତ୍ରରେ ଶ୍ରମିକ ସ୍ଥାନାନ୍ତରଣ ବିଷୟରେ କାମ କରୁଥିବା ଏକ ଏନଜିଓ ଆଜୀବିକା ବ୍ୟୁରୋ ସହ ଜଣେ ବରିଷ୍ଠ ଉପଦେଷ୍ଟା ଭାବରେ କାମ କରୁଛନ୍ତି।

Other stories by Reetika Revathy Subramanian