ଲୀଲାବାଈ ମେମନ ତାଙ୍କ ଦୁଇ ବଖରିଆ ମାଟି ଇଟା ଘରର ଚଟାଣରେ ବସିଛନ୍ତି। ତାଙ୍କର ଦୁଇଜଣ ଝିଅ ତାଙ୍କ ପାଖରେ ବସି ସ୍କୁଲ ହୋମ୍‌ୱାର୍କ କରୁଛନ୍ତି। ଏହା ହିଁ ତାଙ୍କ ୧୯ ଘଣ୍ଟିଆ କର୍ମଦିବସର କିଛି ନିରବ ମୁହୂର୍ତ୍ତ।

ସପ୍ତାହକ ୬ଦିନ ସକାଳ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଲୀଲାବାଈ ଗାଁରେ ଥିବା ସରକାରୀ ଅଙ୍ଗନବାଡ଼ି ରେ ୩୦ଜଣ ଶିଶୁ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ରୋଷେଇ କରନ୍ତି। ସେ ଅଙ୍ଗନବାଡ଼ିରେ ପହଞ୍ଚିବା ବେଳକୁ ସକାଳୁ ପ୍ରାୟ ୭ଘଣ୍ଟାର କାମ କରିସାରିଥାନ୍ତି। ରାତି ପ୍ରାୟ ୧୦ଟା ବେଳକୁ ତାଙ୍କର କାମ ସରେ। ସକାଳେ ଲୀଳାବାଈ ୩ଟା ବେଳକୁ ଉଠନ୍ତି… ତାଙ୍କର ପ୍ରଥମ କାମ ମଧ୍ୟରୁ ଗୋଟିଏ ହେଉଛି ଦୁଇ କିଲୋମିଟର ଦୂରରେ ଥିବା ଗୋଟିଏ କୂଅରୁ ପାଣି ଆଣିବା। ସେ କୁହନ୍ତି, ‘‘ପ୍ରାୟ ୨୦ ହାଣ୍ଡି ପାଣି ଦରକାର ହୁଏ, ମୋ ଝିଅମାନେ ସାହାଯ୍ୟ କରନ୍ତି।’’ ଲୀଲାବାଈଙ୍କ ସ୍ୱାମୀ ମଧ୍ୟ ତାଙ୍କୁ ସାହାଯ୍ୟ କରନ୍ତି। ଏ ମଧ୍ୟରେ ତାଙ୍କ ପରିବାରର ସଦସ୍ୟମାନେ ୪ଘଣ୍ଟାରେ ଅତି କମରେ ୪ଥର କୂଅ ପାଖକୁ ଯିବା ଆସିବା କରିଥାନ୍ତି।

ସେମାନଙ୍କ ଗାଁ ଫାଲୋଦ, ପୁନେ ଜିଲ୍ଲାର ଆମ୍ବେଗାଓଁ ତାଲୁକା ରେ ଅଛି। ଯାହାକି ସାଧାରଣତଃ ମାର୍ଚ୍ଚରୁ ଜୁନ୍‌ ପର୍ଯ୍ୟନ୍ତ ଶୁଖିଲା ହୋଇଯାଏ। ଗାଁର ଜନସଂଖ୍ୟା ୪୬୪ (୨୦୧୧ ଜନଗଣନା), ସେମାନଙ୍କ ମଧ୍ୟରେ ଅଧିକାଂଶ କୋଲି ମହାଦେବ ସଂପ୍ରଦାୟର। ସେମାନେ ପାଣି ପାଇଁ ଗୋଟିଏ କୂଅ ଉପରେ ନିର୍ଭର କରନ୍ତି। ଯେତେବେଳେ କୂଅ ଶୁଖିଯାଏ, ସେମାନେ ଘରୋଇ ଟ୍ୟାଙ୍କର୍‌ର ପାଣି ଉପରେ ନିର୍ଭର କରନ୍ତି।

Lilabai Memane in her kitchen
PHOTO • Minaj Latkar
Lilabai Memane in the shed with two buffaloes
PHOTO • Minaj Latkar

ଲୀଲାବାଈ ତାଙ୍କର ୧୯ଘଣ୍ଟିଆ କର୍ମଦିବସ ବର୍ଣ୍ଣନା କରି କୁହନ୍ତି, ‘ମୋତେ ୧୧ଜଣିଆ ପରିବାର ପାଇଁ ରୋଷେଇ କରିବାକୁ ହୁଏ। ବଳଦମାନଙ୍କୁ ଖାଇବାକୁ ଦିଆଯାଏ, ଗୋବର କାଢ଼ିବାକୁ ପଡ଼େ’।

ଲୀଲାବାଈ ଏବଂ ତାଙ୍କ ସ୍ୱାମୀ ଭଗୁଙ୍କର ୯ଜଣ ସନ୍ତାନ- ସବୁଠାରୁ ବଡ଼ ୨୩ବର୍ଷର ଏବଂ ସବୁଠାରୁ ସାନ ୪ବର୍ଷର। ଲୀଲାବାଈ କୁହନ୍ତି, ‘‘ଘରେ ସମସ୍ତଙ୍କର ବିଶ୍ୱାସ ଯେ ବୃଦ୍ଧାବସ୍ଥାରେ ସହଯୋଗ ଦେବା ପାଇଁ ପୁଅଟିଏ ଦରକାର। ତେଣୁ ମୋର ୮ଟି ଝିଅ ଏବଂ ଗୋଟିଏ ପୁଅ। ବର୍ତ୍ତମାନ ସବୁ ପିଲାଙ୍କୁ ବଡ଼ କରିବା ଏବଂ ସେମାନଙ୍କ ପାଠପଢ଼ା ପାଇଁ ଅର୍ଥ ଦେବାର ଖର୍ଚ୍ଚ ଖୁବ୍‌ କଷ୍ଟକର ହୋଇଯାଉଛି। କିନ୍ତୁ ଆଉ କ’ଣ କରାଯାଇପାରିବ? ମୁଁ ଅସହାୟ ଥିଲି, କାରଣ ଆମ ସଂପ୍ରଦାୟରେ ପୁଅଟିଏ ଥିବା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।’’

ପାଣି ଆଣିବା ପରେ ଲୀଲାବାଈ ରୋଷେଇ ଘରେ ତାଙ୍କ କାମ ସାରନ୍ତି। ଏହି ଗାଁର ଅଧିକାଂଶ ଘର ପରି ତାଙ୍କ ଘରର କବାଟ ମଧ୍ୟ ତଳୁଆ - ଆପଣଙ୍କୁ ନଇଁ ଭିତରକୁ ଯିବାକୁ ହେବ। ଭିତରେ ଚଟାଣ ଏବଂ କାନ୍ଥ ଗୋବରରେ ଲିପା ହୋଇଛି। କିଛି ମାଟି ହାଣ୍ଡି ଏବଂ କଡ଼େଇ ପାଖରେ ମାଟି ଚୁଲି ଅଛି। ପାଖକୁ ଲାଗିଥିବା ଗୁହାଳରେ ବାଉଁଶ ଖୁଣ୍ଟରେ ଦୁଇଟି ବଳଦ ବନ୍ଧା ହୋଇଛନ୍ତି।

ସେ କୁହନ୍ତି , ‘‘ ମୋତେ ୧୧ଜଣିଆ ପରିବାର ପାଇଁ ରୋଷେଇ କରିବାକୁ ହୁଏ। ବଳଦମାନଙ୍କୁ ଖାଇବାକୁ ଦେବାକୁ ହୁଏ ଏବଂ ଗୋବର କାଢ଼ିବାକୁ ହୁଏ। ’’ ଦିନରେ ଦୁଇଥର ରୋଷେଇ - ସାଧାରଣତଃ ବାଜରା ଅଟାର ରୁଟି , ଭକ୍ରି କିମ୍ବା ପରିବା ଚାଉଳ ମିଶା ଖେଚୁଡ଼ି ନାଚ୍‌ନି ପାଇଁ ତିନିଘଣ୍ଟା ଲାଗିଯାଏ। ଲୀଲାବାଈ ଏବଂ ତାଙ୍କ ଝିଅମାନେ ନିଜେ ରୋଷେଇ କରନ୍ତି।

ଅଙ୍ଗନବାଡ଼ିରୁ ଫେରିବା ପରେ ସେ ତାଙ୍କର ଦୁଇ ଏକର କ୍ଷେତରେ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କାମ କରନ୍ତି। ସେ କୁହନ୍ତି , ‘‘ ମୁଁ ଅମଳ କରିବା , ହାଣିବା , ବାଛିବା  ଏବଂ ଧାନ ରୋଇବା ସବୁ କାମ କରେ। ମୋ ସ୍ୱାମୀ ହଳ କରନ୍ତି  ଏବଂ ପାଣି ଅଟକାଇବା ପାଇଁ ବନ୍ଧ ତିଆରି କରନ୍ତି। ନଭେମ୍ବର ସୁଦ୍ଧା ଏ ସବୁ କରିବାକୁ ହୁଏ। ଆମେ ୪ - ୬ ବସ୍ତା ଚାଉଳ ପାଉ [ପରିବାରର ଖାଇବା ପାଇଁ , ବିକ୍ରି ପାଇଁ ନୁହେଁ], କିନ୍ତୁ ଏହା ଆମ ପାଇଁ ଯଥେଷ୍ଟ ନୁହେଁ। ’’

ଲୀଲାବାଈଙ୍କ ସ୍ୱାମୀ ଭଗୁ ମେମନ୍‌ କୁହନ୍ତି , ‘‘ ଆମେ କେବଳ ଆମ ଜମିର ଉତ୍ପାଦ ଉପରେ ନିର୍ଭର କରି ବଞ୍ଚି ପାରିବୁ ନାହିଁ। ତେଣୁ ଆମେ ଅନ୍ୟମାନଙ୍କ ଜମିରେ ଶ୍ରମିକ ଭାବରେ ଧାନ ତଳି ରୋଇବା କାମ କରୁ। ଦିନକୁ ୧୫୦ ଟଙ୍କା ଲେଖାଏଁ ପାଉ। କିନ୍ତୁ ଏହି କାମ ମାତ୍ର ମାସେ ପାଇଁ। ’’ ଡିସେମ୍ବର ସୁଦ୍ଧା ଧାନ ଅମଳ ହୋଇଯାଏ। ଜୁନ୍‌ - ଜୁଲାଇ ମାସରେ ମୌସୁମୀ ଆରମ୍ଭ ହେବା ପର୍ଯ୍ୟନ୍ତ ପାଣି ଏବଂ ଚାଷ କାମ ଉଭୟ ଦୁଷ୍ପ୍ରାପ୍ୟ। ଏହି ସମୟରେ ଗାଁର ମାତ୍ର କେଇଟି ପରିବାର ବାଜରା ପରି କିଛି ଫସଲ କରନ୍ତି , ଲୀଲାବାଈ ଏବଂ ତାଙ୍କ ସ୍ୱାମୀ ସେମାନଙ୍କ ଜମିରେ ଦିନମଜୁରିଆ ଭାବରେ କାମ କରନ୍ତି।
Two women sorting out vegetable leaves
PHOTO • Minaj Latkar

ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ଲୀଲାବାଈ ଫାଲୋଦର ଅନ୍ୟ ଅଧିକାଂଶ ମହିଳାଙ୍କ ପରି ହରିଡ଼ା ଗଛରୁ ଫଳ ସଂଗ୍ରହ କରନ୍ତି। ଏହା ଆୟୁର୍ବେଦୀୟ ଔଷଧରେ ଉପଯୋଗ ହୁଏ। ଗୋଟିଏ ଦିନରେ ସେମାନେ ପ୍ରାୟ ୧୦ରୁ ୧୫ କିଲୋ ପର୍ଯ୍ୟନ୍ତ ସଂଗ୍ରହ କରନ୍ତି। ଏହି ଫଳ ବଛାହୋଇ ଶୁଖାହୁଏ, ଯାହା ଶୁଖିବା ପରେ ୩ କିମ୍ବା ୪ କିଲୋକୁ ହ୍ରାସ ପାଇଯାଏ।

ସପ୍ତାହରେ ଦୁଇଥର ଲୀଲାବାଈ ଜଙ୍ଗଲ ଭିତରକୁ ପ୍ରାୟ ୧୦ କିଲୋମିଟର ଚାଲିକରି ଯାଆନ୍ତି। ୭-୧୦ କେଜି ଜାଳେଣି କାଠ ସଂଗ୍ରହ କରି ଆଣନ୍ତି। ଏଥିପାଇଁ ପ୍ରାୟ ୪ଘଣ୍ଟା ଲାଗିଯାଏ। କିଛି କାଠ ମୌସୁମୀ ମାସଗୁଡ଼ିକ ପାଇଁ ରଖାଯାଏ। ବଳକା ପ୍ରତିଦିନ ବ୍ୟବହାର କରାଯାଏ।

ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ଅଧିକାଂଶ ମହିଳା ଏହି ଅଞ୍ଚଳରେ ଥିବା ହରିଡ଼ା (କଳା କିମ୍ବା ବଡ଼ ଅଁଳା)  ଗଛରୁ ଫଳ ସଂଗ୍ରହ କରନ୍ତି। ଅଣ୍ଡାକୃତିର ଏହି କୋଳି ପରି ଫଳ ଆୟୁର୍ବେଦୀୟ ଔଷଧରେ ବ୍ୟବହାର କରାଯାଏ। ମାର୍ଚ୍ଚ ମାସରେ ଲୀଲାବାଈ ଅଙ୍ଗନବାଡ଼ି ର କାମ ସାରିବା ପରେ ଏହି ଫଳ ସଂଗ୍ରହ କରନ୍ତି ଏବଂ ଯେତେବେଳେ ଏପ୍ରିଲ ଏବଂ ମେ’ ମାସରେ ଅଙ୍ଗନବାଡ଼ି ବନ୍ଦ ହୁଏ, ସେତେବେଳେ ସେ ଘର କାମ ସାରି ସକାଳ ୧୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ନିଜ ଝିଅମାନଙ୍କ ସହ ହରିଡ଼ା ସଂଗ୍ରହ କରନ୍ତି।

ଗୋଟିଏ ଦିନରେ ସେମାନେ ପ୍ରାୟ ୧୦-୧୫ କିଲୋ ପର୍ଯ୍ୟନ୍ତ ସଂଗ୍ରହ କରନ୍ତି। ଏହା ପରେ ଏହି ଫଳକୁ ବଛାଯାଇ ଶୁଖାଯାଏ। ଯାହାକି ମାତ୍ର ୩ରୁ ୪କିଲୋକୁ ହ୍ରାସ ପାଇଯାଏ। ସ୍ଥାନୀୟ ବ୍ୟବସାୟୀମାନେ ଛୋଟ ଔଷଧୀୟ ଫଳ ପାଇଁ କିଲୋ ପିଛା ୧୨୦ ଟଙ୍କା ଲେଖାଏଁ ଦିଅନ୍ତି ଏବଂ ମେ’ ମାସରେ ବଡ଼ ଫଳ ପାଇଁ କେଜି ପିଛା ମାତ୍ର ୧୦ ଟଙ୍କା ଦିଅନ୍ତି। ତାଙ୍କ ପରିବାର ଏହି ତିନିମାସ ଋତୁରେ ଏଥିରୁ ୨୦,୦୦୦-୩୦,୦୦୦ ଟଙ୍କା ରୋଜଗାର କରନ୍ତି।

ଅଙ୍ଗନବାଡ଼ି କାମରୁ ମାସକୁ ୧୦୦୦ ଟଙ୍କା ମିଳେ। କିନ୍ତୁ ଲୀଲାବାଈ ୩-୪ ମାସରେ ଥରେ ପଇସା ପାଆନ୍ତି। ‘‘ଆମକୁ ଏହି ଅର୍ଥ ଆମ ଆବଶ୍ୟକତା ପାଇଁ ରଖିବାକୁ ହୁଏ- ତେଜରାତି, ପିଲାମାନଙ୍କ ପାଠପଢ଼ା, ଔଷଧ ଇତ୍ୟାଦି ପାଇଁ। କିନ୍ତୁ ଏହି ପରିମାଣ ଯଥେଷ୍ଟ ନୁହେଁ।  ଆମେ ଅଧିକ କାମ କରିବାକୁ ଚାହୁଁଛୁ। କିନ୍ତୁ ଏଠାରେ ଅଧିକ କାମ ଉପଲବ୍ଧ ହେଉନି।

Fruit from the hirda tree being dried outdoors
PHOTO • Minaj Latkar
Lilabai Memane outside her house
PHOTO • Minaj Latkar

ଲୀଲାବାଈ ହରିଡ଼ା ଗଛରୁ ସଂଗ୍ରହ କରାଯାଇଥିବା ଫଳ ବାହାରେ ଶୁଖାନ୍ତି ଏବଂ ଏହାପରେ ବ୍ୟବସାୟୀମାନଙ୍କୁ କିଲୋ ଦରରେ ବିକ୍ରି କରନ୍ତି। ରୋଜଗାର କରିବା ପାଇଁ ତାଙ୍କର ବିଭିନ୍ନ ଉଦ୍ୟମ ମଧ୍ୟରୁ ଏହା ଅନ୍ୟତମ।

ବର୍ତ୍ତମାନ ୪୦ବର୍ଷ ବୟସରେ ପହଞ୍ଚିଥିବା ଲୀଲାବାଈଙ୍କର ଏହି ଅସରନ୍ତି କାମର ଧାରା ୩ ଦଶକ ହୋଇଗଲାଣି। ସେ କୁହନ୍ତି, ‘‘ମୋ ବାପା-ମା’ ମୋତେ ୧୩ବର୍ଷ ହୋଇଥିବା ବେଳେ ବିବାହ କରାଇଦେଲେ। ମୁଁ ପଢ଼ିବାକୁ ଚାହୁଁଥିଲି, ତେଣୁ ସ୍ୱାମୀ, ଶାଶୂ ଶ୍ୱଶୁରଙ୍କ ସହ ଥାଇ ମଧ୍ୟ ସ୍କୁଲକୁ ଗଲି। ୧୯୯୪ ମସିହାରେ ଦଶମ ଶ୍ରେଣୀ ପାସ୍‌ କଲି। କିନ୍ତୁ ଏହାପରେ ଅଧିକ ପଢ଼ିବାକୁ ମୋତେ ଅନୁମତି ମିଳିଲାନାହିଁ। କାରଣ ମୋ’ ଶାଶୂ-ଶ୍ୱଶୁର ଭାବିଲେ ମୋ ସ୍ୱାମୀଙ୍କ ଠାରୁ ମୁଁ ଅଧିକ ପଢ଼ିବା ଉଚିତ୍‌ ହେବ ନାହିଁ [ସେ ଦଶମ ଶ୍ରେଣୀରେ ଫେଲ୍‌ ହୋଇଯାଇଥିଲେ]। ଏହା ହିଁ ମୋ ପାଠ ପଢ଼ାର ଶେଷ ଥିଲା।’’

୨୦୧୬ ମସିହାଠାରୁ ଦୁଇଟି ଅଣସରକାରୀ ଅନୁଷ୍ଠାନ ଫାଲୋଦ ଗାଁରେ ପ୍ରୌଢ଼ଶିକ୍ଷା କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ଦୀର୍ଘ ସମୟ ପର୍ଯ୍ୟନ୍ତ କାମ କରିବା ପରେ ବି ଏହି ସବୁ ଅନୌପଚାରିକ ଶ୍ରେଣୀରେ ଗାଁର ମହିଳାମାନଙ୍କୁ ଶିକ୍ଷା ଦେବା ପାଇଁ ଲୀଲାବାଈ ସ୍ୱେଚ୍ଛାକୃତ ଭାବେ ଏହିସବୁ ଶ୍ରେଣୀ କାହାର ଘରେ ନିଆଯାଏ।  ଯେତେବେଳେ କିଛି ମହିଳା ଘର କାମରୁ ସମୟ ବାହାର କରି ଏ ସବୁ ଶ୍ରେଣୀରେ ଯୋଗଦେବାକୁ ଅନିଚ୍ଛା ପ୍ରକାଶ କରୁଥିଲେ, ସେତେବେଳେ ଲୀଲାବାଈ ଘରକୁ ଘର ବୁଲି କଥାହେଲେ। ସେ ୩୦ଜଣ ମହିଳାଙ୍କୁ କିଛି ପଢ଼ିପାରିବା ଏବଂ ନିଜ ନାମ ସ୍ୱାକ୍ଷର କରିବା ଶିଖିବାରେ ସାହାଯ୍ୟ କରିଛନ୍ତି।

ସେମାନଙ୍କର କେଇ ଦଶକର କଠିନ ପରିଶ୍ରମ ସତ୍ତ୍ୱେ ଲୀଲାବାଈ ଏବଂ ତାଙ୍କ ସ୍ୱାମୀ ପିଲାମାନଙ୍କୁ ଭଲ ଶିକ୍ଷା ଦେବା ପାଇଁ ଚେଷ୍ଟା କରିଛନ୍ତି। ସେମାନଙ୍କ ବଡ଼ଝିଅ ୨୩ବର୍ଷ ବୟସ୍କା ପ୍ରିୟଙ୍କା ବି.କମ୍‌ ପାସ୍‌ କରି ସରକାରୀ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ସେ ଗୋଟିଏ ସରକାରୀ ଚାକିରି ପାଇବାକୁ ଚେଷ୍ଟା କରୁଛନ୍ତି। ନିକଟରେ ତାଙ୍କର ବିବାହ କରାଯାଇଛି ଏବଂ ସେ ଆଲିବାଗରେ ରହୁଛନ୍ତି।  ୨୦ବର୍ଷ ବୟସ୍କା ପ୍ରମିଳା ମହାରାଷ୍ଟ୍ର ପୋଲିସ ବାହିନୀ ଦ୍ୱାରା କନଷ୍ଟେବଳ ଭାବରେ ଚୟନ ହୋଇଛନ୍ତି କିନ୍ତୁ ଏପର୍ଯ୍ୟନ୍ତ କାମରେ ଯୋଗଦେବାକୁ ଡକରା ପାଇନାହାନ୍ତି। ୧୮ବର୍ଷ ବୟସ୍କା ଉର୍ମିଳା ଫାଲୋଦଠାରୁ ୫୦ କିଲୋମିଟର ଦୂରରେ ଥିବା ମଞ୍ଚର୍‌ ଗାଁରେ ବିଏ ଡିଗ୍ରୀ ପାଇଁ ପାଠ ପଢ଼ୁଛନ୍ତି। ୨୦୧୮ରେ ୧୬ବର୍ଷ ବୟସ୍କା ଶର୍ମିଳା ୧୦ମ ବୋର୍ଡ ପରୀକ୍ଷାରେ ୭୮ ପ୍ରତିଶତ ନମ୍ବର ରଖିଛନ୍ତି। ନିର୍ମଳା ୯ମ ଶ୍ରେଣୀରେ, ଗୌରୀ ଷଷ୍ଠ ଶ୍ରେଣୀରେ ଏବଂ ସମୀକ୍ଷା ପ୍ରଥମ ଶ୍ରେଣୀରେ ପଢ଼ୁଛନ୍ତି। ସେମାନଙ୍କ ପୁଅ ହର୍ସଲ ୪ବର୍ଷର ଏବଂ ସେ ଲୀଲାବାଈ କାମ କରୁଥିବା ଅଙ୍ଗନବାଡ଼ିକୁ ଯାଉଛନ୍ତି।

ସେ କୁହନ୍ତି, ‘‘ମୁଁ ସବୁବେଳେ ଚିନ୍ତାରେ ଥାଏ ଯେ, ବାପା-ମା’ ଭାବରେ ଭଲ ସ୍ୱାସ୍ଥ୍ୟ ସହ ଭଲ ଶିକ୍ଷା ଦେବାରେ ଯେମିତି ଅଭାବ ହୋଇନଯାଏ। ମୁଁ ସବୁବେଳେ ଭାବେ ମୋ ପରି ସେମାନେ ଅସୁବିଧାରେ ପଡ଼ିବା ଉଚିତ୍‌ ନୁହେଁ। ଯଦି ସେମାନେ ପଢ଼ିବେ ଏବଂ କାମ ପାଇବେ ତା’ହେଲେ ଆମ ପରିସ୍ଥିତି ବଦଳିଯିବ। ମୋ ପିଲାମାନଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରି ମୋତେ ରାତିରେ ନିଦ ହୁଏନି। କିନ୍ତୁ ପରଦିନ ସେମାନଙ୍କ ପାଇଁ ମୋତେ ନିଜକୁ ଦମ୍ଭ କରିବାକୁ ହୁଏ ଏବଂ ପୁଣି ଥରେ କାମ ଆରମ୍ଭ କରିବାକୁ ହୁଏ।’’

ଏହି କାହାଣୀଟି ପାଇଁ ମୋତେ ଫାଲୋଦ ଯିବାକୁ ପରାମର୍ଶ ଦେଇଥିବା କିରଣ ମୋଘେ ଏବଂ ସୁବାସ ଥୋରାଟ୍‌ଙ୍କୁ ମୋର ବିଶେଷ ଧନ୍ୟବାଦ ଏବଂ ଗାଁକୁ ଯିବାରେ ସାହାଯ୍ୟ କରିବା ପାଇଁ ଅମୋଲ୍‌ ୱାଘମାରେଙ୍କୁ ବିଶେଷ ଧନ୍ୟବାଦ।

ଅନୁବାଦ: ଓଡ଼ିଶାଲାଇଭ୍‍

Minaj Latkar

Minaj Latkar is an independent journalist. She is doing an MA in Gender Studies at the Savitribai Phule University, Pune. This article is part of her work as an intern at PARI.

Other stories by Minaj Latkar
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE