୨୦୧୭ ଜୁଲାଇରୁ ନଭେମ୍ବର, ବିଦର୍ଭର କପା ଚାଷ ହେଉଥିବା ଜିଲ୍ଲା ବିଶେଷ କରି ଯବତମାଲ ଅଞ୍ଚଳରୁ ହଠାତ ଡାକ୍ତରଖାନାକୁ ଲୋକଙ୍କ ଧାଡି ଛୁଟିଲା। ଅଜଣା ଭୟ, ମୁଣ୍ଡ ବୁଲାଇବା, ଦୃଷ୍ଟିଶକ୍ତି କମିଯିବା ଏବଂ ପେଟେ ଯନ୍ତ୍ରଣା ଭଳି ବିଭିନ୍ନ ରୋଗରେ ସେମାନେ ଆକ୍ରାନ୍ତ ଥିଲେ। ସେମାନେ ସମସ୍ତେ ଥିଲେ କପାଚାଷୀ ଏବଂ କପା କ୍ଷେତରେ କାମ କରୁଥିବା ଶ୍ରମିକ। କ୍ଷେତରେ କୀଟନାଶକ ସିଞ୍ଚନ ବେଳେ ସେମାନେ ବିଷ ସଂସ୍ପର୍ଶରେ ଆସିଥିଲେ। ଅତି କମରେ ୫୦ ଜଣଙ୍କର ମୃତ୍ୟୁ ଘଟିଥିଲା। ୧,୦୦୦ରୁ ଅଧିକ ରୋଗାକ୍ରାନ୍ତ ହୋଇପଡ଼ିଲେ। କପା ଏବଂ ସୋୟାବିନ ଫସଲରେ ବହୁଳ କୀଟନାଶକ ପ୍ରୟୋଗ ଏହି ବିପର୍ଯ୍ୟୟକୁ ଡାକି ଆଣିଥିଲ। ବିଦର୍ଭରେ କୃଷି ଅର୍ଥ ବ୍ୟବସ୍ଥା ଉପରେ ମଧ୍ୟ ଏହାର ଦୀର୍ଘ ପ୍ରଭାବ ରହିଥିଲା।

ତିନି ଭାଗରେ ଏହି କାହାଣୀ ଉପସ୍ଥାପନ ହୋଇଛି। ପରିର ପ୍ରଥମ କାହାଣୀ ହେଉଛି ସେହି ସମୟରେ ଏହି ଅଞ୍ଚଳରେ କଣ ସବୁ ଘଟିଲା ଏବଂ ମହାରାଷ୍ଟ୍ର ସରକାର ଗଠନ କରିଥିବା ତଦନ୍ତକାରୀ ଟିମ୍ କଣ ଅନୁଧ୍ୟାନ କଲେ।

ଦ୍ୱିତୀୟରେ କ୍ରମିକ ରିପୋର୍ଟ ଏବଂ ଏତେ ପରିମାଣର କୀଟନାଶକ ବ୍ୟବହାରର କାରଣ। ଏହି ଅଞ୍ଚଳର ଚାଷୀ ବିଟି-କଟନ ନାମକ ଆନୁବଂଶିକ ପରିବର୍ତ୍ତନ ହୋଇଥିବା ଏକ ନୂଆ କିସମର କପା ଚାଷ କରିଥିଲେ। ଏହି କସମରେ ବୋଲୱର୍ମ ନାମକ ପୋକ ପ୍ରତିରୋଧକ ଶକ୍ତି ଥିଲା। କିନ୍ତୁ ଏହା ପୁରୁଣା କୀଟ ଆକ୍ରମଣର ଶିକାର ହେଲେପରିଣତି ସ୍ୱରୂପ ଗୋଲାପୀ ବୋଲୱର୍ମ ପ୍ରତିହିଂସା ପରାୟଣ ହୋଇ ଫେରିଲେ। ଏହା ବ୍ୟାପକ ଅଞ୍ଚଳରେ ଭୟାବହ ପରିସ୍ଥିତି ସୃଷ୍ଟି କଲା।

* * * * *

ନାମଦେବ ସୋୟମ ଖୁବ୍ ଗୁମସୁମ ଥିଲେ। ଧୀରେ ଧୀରେ ଚାଲୁଥିଲେ, କିଛି ପଚାରିଲେ ଉତ୍ତର ଦେଉ ନଥିଲେ, ଯେମିତି ଖୁବ ଦୂରରେ ଅଛନ୍ତି। ତାଙ୍କ ସ୍ତ୍ରୀ ବନିତା ତାଙ୍କୁ ଦୂରରେ ରହି ନିରବରେ ଚାହାନ୍ତି। ତାଙ୍କର ଜଣେ ସଂପର୍କୀୟ କହିଲେ, “ସେ ମାନସିକ ସ୍ତରରେ ଆଘାତ ପାଇଛନ୍ତି। ”

ତାଙ୍କ ଆଖି ନିଷ୍ପ୍ରଭ ଦିଶୁଥଲା। ସେ ଯେମିତି ଭୟଭିତ ଥିଲେ। ଲଣ୍ଡା ମୁଣ୍ଡ। କପାଳରେ ଶିରା ପ୍ରଶିରା ସବୁ ଦେଖାଯାଉଥିଲା। ଗହଜି ଚଳଳି ଲାଗିଥିବା ଘର ଭିତରେ ମଧ୍ୟ ନିରବ ହୋଇ ବସି ରହିଥିଲେ। ତାଙ୍କ ବଡ଼ବାପା ଏବଂ ମା ବହୁ ପୂର୍ବରୁ ତାଙ୍କ ଗୋଡ ହରାଇଥିଲେ। ସେମାନେ ୨୫ ବର୍ଷର ନାମଦେବଙ୍କ ପଛପଟେ ବସିଥିଲେ। ସେମାନେ କ୍ଳାନ୍ତିର ନିଃଶ୍ୱାସ ଛାଡୁଥିଲେ। ତାଙ୍କ ବନ୍ଧୁ, ସଂପର୍କୀୟ ଏବଂ ଗାଁଲୋକ ଖାଇସାରିଥିଲେ-କିନ୍ତୁ ସମସ୍ତଙ୍କ ମଧ୍ୟରେ ନିରବତା ଛାଇ ରହିଥିଲା।

ନାମଦେବଙ୍କ ପାଖରେ ପଡ଼ିଥିବା ଏକ ପ୍ଲାଷ୍ଟିକ ଚେୟାର ଉପରେ ଏକ ଜଣେ ଯୁବକଙ୍କର ଏକ ବନ୍ଧେଇ ଫଟୋଟିଏ ରଖାଯାଇଥିଲା। ବେକରେ ଗେଣ୍ଡୁ ଏବଂ ଗୋଲାପ ଫୁଲର ମାଳ ପଡ଼ିଥିଲା। ଫଟୋ ପାଖରେ ଧୂପକାଠି ଜଳୁଥିଲା ଏବଂ ଚାରିପାଖରେ ପାଖୁଡା ସବୁ ବିଛେଇ ହୋଇ ପଡିଥିଲା। 

Namdev Soyam, with his parents, Bhaurao and Babybai, mourning the death of his younger brother, Pravin, at their home in village Tembhi of Yavatmal in September 2017
PHOTO • Jaideep Hardikar

ତେମ୍ଭୀ ଗାଁର ନାମଦେବ ସୋୟମ ଏବଂ ତାଙ୍କ ବାପା ଭାଉରାଓ ଓ ମାଆ ବେବୀବାଇ ପ୍ରବୀଣଙ୍କ ମୃତ୍ୟୁରେ ଘରେ ବସି କାନ୍ଦୁଥିଲେ। 

ଏହି ପ୍ରଧାନ ଆଦିବାସୀ ଚାଷୀ ପରିବାର ଉପରେ ଦୁଃଖ କେମିତି ଭାଙ୍ଗି ପଡିଥିଲା ତାହା ଏହି ପଟୋ ଘୋଷଣା କରୁଥିଲା। ମହାରାଷ୍ଟ୍ର ଯବତମାଲ ଜିଲ୍ଲା କେଲାପୁର ତହସିଲ ଅନ୍ତର୍ଗତ କପା ବ୍ୟବସାୟ ସହର ପନ୍ଧରକୋଡାଠାରୁ ଏହି ଗାଁ ୪୦ କିଲୋମିଟର ଦୂରରେ ଅବସ୍ଥିତି।

୨୩ ବର୍ଷୀୟ ପ୍ରବୀଣ ସୋୟମଙ୍କ ମୃତ୍ୟୁକୁ ୪୮ ଘଣ୍ଟା ପୂରିନଥିଲା। ସେପଟେମ୍ବର ୨୭ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ସେପ୍ଟେମ୍ବର ୨୯, ୨୦୧୭ ଦଶହରା ପର୍ବର ଦିନକ ପୂର୍ବରୁ ଆମେ ତାଙ୍କ ଘରେ ପହଞ୍ଚିଥିଲୁ।

ପ୍ରବୀଣ ନାମଦେବଙ୍କ ସାନ ଭାଇ ଏବଂ ତାଙ୍କ ସାଙ୍ଗ ଥିଲେ। ସେଠି ଏକାଠି ହୋଇଥିବା ସବୁ ଲୋକ ମର୍ମହତ ଥିଲେ। କିନ୍ତୁ ସମସ୍ତଙ୍କ ଭିତରେ ନାମଦେବଙ୍କୁ ଜାଣି ହେଉଥିଲା। ନାମଦେବଙ୍କ ଅସୁସ୍ଥ ଥିବାରୁ ତାଙ୍କ ବାପା ପ୍ରବୀଣଙ୍କୁ ପଠାଇଥିଲେ କୀଟନାଶକ ସିଞ୍ଚନ କରିବାକୁ, ଠିକ ତାଙ୍କ ମୃତ୍ୟୁର ଦୁଇ ଦିନ ପୂର୍ବରୁ। ତାହା ଥିଲା ସେପଟେମ୍ବର ୨୫। ଫୁଲମାଳ ପଡିଥିବା ସେହି ଫଟୋକୁ ଅଙ୍ଗୁଳି ଦେଖାଇ ତାଙ୍କ ବାପା କହିଲେ, “ ପ୍ରବୀଣ ନାମଦେବଙ୍କଠାରୁ ଅଧିକ ସ୍ୱାସ୍ଥ୍ୟବାନ ଥିଲେ।”  

One of the relatives of the Soyams shows the different chemicals – pesticides, growth promoters, etc – that the Soyam brothers used for spraying on their cotton plants
PHOTO • Jaideep Hardikar

କେମିକାଲ କକ୍‌ଟେଲ: ସୋୟମଙ୍କ କ୍ଷେତରେ ବ୍ୟବହାର ହୋଇଥିବା କୀଟନାଶକ ଏବଂ ବୃଦ୍ଧି କାରକ।  

 “କଣ ଥିଲା ଏହି କୀଟନାଶକ?”  ଆମେ ତାଙ୍କୁ ପଚାରିଲୁ। ନାମଦେବ ଉଠି ଛିଡା ହେଲେ ଆଉ ତାଙ୍କ ଘର ଭିତରକୁ ଗଲେ। ହାତରେ ଏକ ବ୍ୟାଗ ଧରି ଆମ ପାଖକୁ ଆସିଲେ। ବ୍ୟାଗରେ ଥିଲା ବିଭିନ୍ନ ପ୍ରକାର କୀଟନାଶକ ଔଷଧର ଡବା। ଏସବୁ ଥିଲା ଆସତାଫ, ରୁବି, ପୋଲୋ, ପ୍ରୋଫେକ୍ସ ସୁପର ଏବଂ ମନୋକ୍ରୋଟୋଫସ୍। ପ୍ରବୀଣଙ୍କ A-4 ଆକାରର ଫଟୋ ରଖାଯାଇଥିବା ଚୌକି ପାଖରେ ଏସବୁ ରଖିଲେ।

“ଏସବୁ କଣ ପାଇଁ? ” ଆମେ ପୁଣି ପଚାରିଲୁ। ନାମଦେବ ଆମକୁ ନିରବରେ ଚାହିଁଲେ। “ କିଏ କହିଲା ଏସବୁ ବ୍ୟବହାର କରିବାକୁ? ” ସେ ପୁଣି ନିରବ ରହିଲେ। ତାଙ୍କ ବାପା କହିଲେ ଏହି ଔଷଦ ପକାଇବାକୁ ତାଙ୍କୁ ପନ୍ଧରକାଓଦାର ଡିଲର କହିଥିଲା, ଯିଏ ମଞ୍ଜି ସାର ଏବଂ ଅନ୍ୟାନ୍ୟ ଜିନିଷ ବିକେ। ଏହି ପରିବାରର ୧୫ ଏକର ଜମି ଅଛି। ସବୁ ବର୍ଷା ଉପରେ ନିର୍ଭରଶୀଳ। ଏହି ଜମିରେ ସେମାନେ ପ୍ରାୟ କପା, ସୋୟାବିନ, ମସୁର ଏବଂ ବାଜରା ଚାଷ କରନ୍ତି।

ଏହି ସବୁ କୀଟନାଶକର ମିଶ୍ରଣ ଏକ ପ୍ଲାଷ୍ଟିକ ଡ୍ରମରେ ପୂରାଇ ସେଦିନ ପ୍ରବୀଣ ବିଲରେ ସ୍ପେ୍ର କରିଥିଲେ। ଏହା ମରଣାନ୍ତକ ସାବ୍ୟସ୍ତ ହେଲା। କେବଳ କୀଟନାଶକର ବିଷକ୍ରିୟା ଯୋଗୁ ତାଙ୍କର ମୃତ୍ୟୁ ହୋଇନି। ହଠାତ୍ ଏହାକୁ ଆଘ୍ରାଣ କରିବା ମଧ୍ୟ ଏହାର ଅନ୍ୟ ଏକ କାରଣ। ଚାଷୀ କୁହନ୍ତି କୀଟନାଶକ ସିଂଚନ କରିବା ପରେ ଅଚାନକ କ୍ଷେତ ଉପରେ କୀଟ ଆକ୍ରମଣ ହୋଇଥାଏ।  

ପ୍ରବୀଣଙ୍କ ମୃତ୍ୟୁ ପରେ କୀଟନାଶକ ବିପର୍ଯ୍ୟୟ ସଂପର୍କରେ ବିଦର୍ଭ ଅବଗତ ହେଲା। 

* * * * *

୨୦୧୭ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଜବତମାଲ ଏବଂ ପଶ୍ଚିମ ବିଦର୍ଭର ଅନ୍ୟ କେତେକ ସ୍ଥାନରେ ପ୍ରାୟ ୫୦ ଜଣ ଚାଷୀଙ୍କର ମୃତ୍ୟୁ ଘଟିଥିଲା ଏବଂ ହଜାରେରୁ ଅଧିକ ଅସୁସ୍ଥ ହୋଇପଡିଥିଲେ। (ସରକାରୀ ଏବଂ ଘରୋଇ ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନା ମୁତାବକ) କିଛି ଲୋକ ତାଙ୍କ ଦୃଷ୍ଟି ଶକ୍ତି ହରାଇଥିଲେ, କିନ୍ତୁ ବଞ୍ଚି ଯାଇଥିଲେ। ଜମିରେ ସିଞ୍ଚନ ବେଳେ ନିଃଶ୍ୱାସରେ କୀଟନାଶକ ଗ୍ରହଣ କରିବା ଫଳରେ ଏହି ପରିସ୍ଥିତି ଉପୁଜିଥିଲା।

କିନ୍ତୁ ଦୁଃଖର କଥା, ଏଭଳି ଏକ ସଂକଟ ସମୟରେ ସ୍ୱାସ୍ଥ୍ୟ ଏବଂ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇନଥିଲା। କିନ୍ତୁ ଏହାର ଗମ୍ଭୀରତା ଏତେ ଥିଲା ଯେ, ଶେଷରେ ଅନୁଧ୍ୟାନ ପାଇଁ ସରକାର ନଭେମ୍ବର ମାସରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିବାକୁ ବାଧ୍ୟ ହୋଇଥିଲେ। ନଭେମ୍ବରରେ ଗଠନ ହୋଇଥିଲା ତଦନ୍ତକାରୀ ଟିମ। (ଦେଖନ୍ତୁ ବିଶେଷ ତଦନ୍ତ ରିପୋର୍ଟ: ପୋକ ଆକ୍ରମଣ ଅପ୍ରତ୍ୟାଶିତ ଓ ଭୟଙ୍କର)

ପୂରା ଯବତମାଲରେ ସେହି ତିନି ମାସ ଉଭୟ ସରକାରୀ ଏବଂ ଘରୋଇ ହସ୍ପିଟାଲକୁ ଚାଷୀଙ୍କ ସୁଅ ଛୁଟିଲା। ସମସ୍ତେ ଦୃଷ୍ଟି ଏବଂ ଶ୍ୱାସ ଜନିତ ସମସ୍ୟାରେ ପୀଡିତ ଥିଲେ। (ଦେଖନ୍ତୁ ୟବତମାଲରେ ଭୟର ବାତାବରଣ)

ଯବତମାଲର ବସନ୍ତରାଓ ନାଇକ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ (ଜିଏମ୍‌ସିଏଚ୍‌)ର ଡିନ୍ ଡାକ୍ତର ଅଶୋକ ରାଠାଡ୍ ଗଣମାଧ୍ୟମକୁ କହିଲେ, “ଏମିତି ଅସ୍ୱାଭାବିକତା ମୁଁ ଆଗରୁ କେବେ ଦେଖି ନଥିଲି। ଗତ ଜୁଲାଇ ଶେଷ ସପ୍ତାହରେ ଏଭଳି ରୋଗୀଙ୍କ ସୁଅ ଛୁଟିବା ପୂର୍ବରୁ କେବେ ଦେଖାଯାଇନଥିଲା। ସେମାନେ ସମସ୍ତେ ଚାପଗ୍ରସ୍ତ ଥିଲେ। ବାନ୍ତି, ମୁଣ୍ଡ ବୁଲାଇବା, ଅଜଣା ଭୟ, ଶ୍ୱାସ ଜନିତ ସମସ୍ୟା ଏବଂ ଦୃଷ୍ଟି ସମସ୍ୟାରେ ସମସ୍ତେ ପୀଡିତ ଥିଲେ।” ମେଡିକାଲର ତିନିଟି ୱାର୍ଡରେ ବିଷାକ୍ତ କୀଟନାଶକ ଗ୍ରହଣ କରି ଅସୁସ୍ଥ ହୋଇପଡ଼ିଥିବା ଚାଷୀ ଏବଂ ଶ୍ରମିକମାନେ ଭର୍ତ୍ତି ହୋଇଥିଲେ। ୧୨, ୧୮ ଏବଂ ୧୯ ନମ୍ବର ୱାର୍ଡରେ କେବଳ ଏମାନେ ଥିଲେ। 

Ward number 18 of the Yavatmal Government Medical College and Hospital was flooded with patients mostly farmers who had accidentally inhaled toxic pesticides while spraying on their fields between July and November. This photo was taken in September 2017
PHOTO • Jaideep Hardikar
Raghunath Shankar Kannake, 44, a marginal farmer, was among the tens of farmers who were admitted to Ward 19, of the Yavatmal Government Medical College and Hospital, during the September-November 2017 incidence following accidental inhalation of pesticide while spraying it on their farms
PHOTO • Jaideep Hardikar

ଯବତମାଲ ସରକାରୀ ହସ୍ପିଟାଲକୁ ଚାଷୀଙ୍କ ସୁଅ ଛୁଟିଥିଲା, ଏମାନେ ସମସ୍ତେ କୀଟନାଶକ ସିଞ୍ଚନ ବେଳେ ଏହାକୁ ପ୍ରଶ୍ୱାସରେ ଗ୍ରହଣ କରିଥିଲେ। 

ଜୁଲାଇ ୨୦୧୭ରେ, ୪୧ ଜଣ ରୋଗୀ ଜିଏମ୍‌ସିଏଚ୍‌ ଆସିଥିବା ଡାକ୍ତର ରାଠୋଡ କହିଲେ। ଅଗଷ୍ଟରେ ଏହି ସଂଖ୍ୟା ୧୧୧କୁ ବୃଦ୍ଧି ପାଇଥିଲା। କିନ୍ତୁ ସେପ୍ଟେମ୍ବରରେ ଏହି ସଂଖ୍ୟା ବଢି ୩୦୦ରେ ପହଞ୍ଚିଥିଲା। ସମସ୍ତଙ୍କର ସେହି ଗୋଟିଏ ସମସ୍ୟା ଥିଲା। ଅକ୍ଟୋବର ଏବଂ ନଭେମ୍ବରରେ ସ୍ଥିତି ଅସମ୍ଭାଳ ହୋଇଥିଲା। କେବଳ ଯବତମାଲ ଜିଲ୍ଲାରୁ ୧,୦୦୦ରୁ ଅଧିକ ଚାଷୀ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆକୋଲା, ଅମରାବତୀ, ନାଗପୁର, ୱାର୍ଦ୍ଧା ଏବଂ ୱାସିମ ଜିଲ୍ଲାରେ ମଧ୍ୟ ସମାନ ପରସ୍ଥିତି ଦେଖିବାକୁ ମିଳିଥିଲା।  

କୃଷି ଅଧିକାରୀଙ୍କ ଭିତରେ ଭାଳେଣି ପଡିଯାଇଥିଲା। ସ୍ୱାସ୍ଥ୍ୟ ଅଧିକାରୀମାନେ ମଧ୍ୟ ସମାନ ସମସ୍ୟାରେ ପଡ଼ିଥିଲେ। ସଂକଟର ମୁକାବିଲା କରିବାରେ ବିଫଳ ହେବାରୁ ଡାକ୍ତର ରାଠୋଡଙ୍କୁ ରାଜ୍ୟ ସରକାର ବାଧ୍ୟକରି ଛୁଟିରେ ପଠାଇଦେଲେ। ନାଗପୁର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ଫରେନସିକ ବିଭାଗ ମୁଖ୍ୟ ଡାକ୍ତର ମନିଷ ଶ୍ରୀଗିରିୱାରଙ୍କୁ ଜିଏମ‍‍ସିଏଚ୍‌ର ନୂଆ ଡିନ୍ ଭାବେ ନିଯୁକ୍ତ କରାଗଲା।

ନଭେମ୍ବର ଶେଷ ଭାଗକୁ ସମସ୍ୟାରେ ସୁଧାର ଆସିଲା। ଶୀତ ଦିନ ଆରମ୍ଭ ହେବାରୁ କ୍ଷେତରେ ଆଉ କୀଟନାଶକ ସିଂଚନ ହେଲା ନାହିଁ। କିନ୍ତୁ ସବୁ ନଷ୍ଟ ହୋଇସାରିଥିଲା। ଉଭୟ ମଣିଷ ଏବଂ କୀଟ ଆକ୍ରମଣରେ ନଷ୍ଟ ହୋଇସାରିଥିଲା କପା କ୍ଷେତ। 

* * * * *

୨୧ ବର୍ଷୀୟ ନିକେଶ କାଥେନ। ସେ ବାର୍ଷିକ ଚୁକ୍ତିରେ ଏକ କ୍ଷେତରେ କାମ କରୁଥିଲେ। ଲଗାତାର କୀଟନାଶକ ସିଞ୍ଚନ କରିବାର ସପ୍ତମ ଦିନରେ ସେ ଟଳି ପଡ଼ିଲେ। ତାହା ଥିଲା ଅକ୍ଟୋବର ପ୍ରଥମ ସପ୍ତାହର ଘଟଣା।

ନିକେଶ କହିଲେ, “ମୋ ମୁଣ୍ଡ ଓଜନିଆ ଲାଗୁଛି, ମୋତେ କିଛି ଦେଖାଯାଉନାହିଁ”। “ସେହିଦିନ ସଂଧ୍ୟାରେ ଯବତମାଲାରେ ଥିବା ଜିଏସିଏଚ୍ ହସ୍ପିଟାଲର ଆଇସିୟୁରେ ନିକେଶ ଭର୍ତ୍ତି ହୋଇଥିଲେ। ବିଳମ୍ବ ହୋଇଥିଲେ ହୁଏତ ଅଘଟଣ ଘଟିଥାନ୍ତା”, ତାଙ୍କ ଭାଇ ଲକ୍ଷ୍ମଣ କହିଲେ। ଆଉ କେବେ କୀଟନାଶକ ସିଂଚନ କରିବେ ନାହିଁ ବୋଲି ନିକେଶ ଶପଥ ନେଇଛନ୍ତି। ବର୍ତ୍ତମାନ ସେ ବିପଦମୁକ୍ତ, ମାତ୍ର ତାଙ୍କର ମାଂସପେଶୀ ସମସ୍ୟା ବାହାରିଛି। କିନ୍ତୁ ତାଙ୍କ ଚାରିପାଖରେ ଆଉ ନଅ ଜଣ ରୋଗୀ ଜୀବନ ସହ ସଂଗ୍ରାମ କରୁଥିଲେ। ଆମେ ତାଙ୍କ ସହ କଥା ହେବା ବେଳକୁ ସେ ଆଇସିୟୁରେ ଏକ ସପ୍ତାହ ରହି ସାରିଥିଲେ।

Nikesh Kathane, a 21-year-old farm labourer, recuperating in the ICU of the Yavatmal Government Medical College and Hospital in September 2017, after falling sick in the wake of accidental inhalation of pesticide while spraying it on his owner’s field. With him are his parents Keshavrao and Tarabai and his elder brother Laxman
PHOTO • Jaideep Hardikar

ଯବତମାଲ ହସ୍ପିଟାଲରେ ଆରୋଗ୍ୟ ହେଉଥିବା ୨୧ ବର୍ଷିୟ ନିକେଶ କାଥାନେ; ତାଙ୍କ ସହ ତାଙ୍କ ଭାଇ ଏବଂ ବାପା-ମାଆ

ସେ ଏକ ଚାଇନା ନିର୍ମିତ ବ୍ୟାଟେରୀ ଚାଳିତ ସିଂଚନ ପମ୍ପ ବ୍ୟବହାର କରୁଥିଲେ। ଏଥିରେ ସୁବିଧାରେ ଏବଂ ଶୀଘ୍ର ସିଂଚନ କରିହୁଏ। କିନ୍ତୁ ଏହା ଅଧିକ ବିପଦପୂର୍ଣ୍ଣ। ନିକେଶ କହିଲେ, “ଆପଣ ଏଥିରେ କମ ସମୟରେ ବେଶୀ ସିଞ୍ଚନ କରିପାରିବେ।”

କାଥାଣେଙ୍କ ପରିବାର ରାଲେଗାଓଁ ତହସିଲ ଅନ୍ତର୍ଗତ ଦହିଗାଁଓରେ ରହନ୍ତି। ଯବତମାଲ ସହରଠାରୁ ଏହା ପ୍ରାୟ ୩୦ କିଲୋମିଟର ଦୂର। ଲକ୍ଷ୍ମଣ କହିଲେ ତାଙ୍କ ଗାଁର ଆଉ ପାଞ୍ଚ ଜଣ ରୋଗୀ ମଧ୍ୟ ହସ୍ପିଟାଲର ଅନ୍ୟ ୱାର୍ଡରେ ଭର୍ତ୍ତି ହୋଇଥିଲେ। ସେମାନେ ମଧ୍ୟ ସୁସ୍ଥ ହେଉଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା କିନ୍ତୁ ସେତେ ଗମ୍ଭୀର ନଥିଲା। କିନ୍ତୁ ସେମାନେ ମଧ୍ୟ କୀଟନାଶକ ବିଷର ଶିକାର ହୋଇଥିଲେ।

ହସ୍ପିଟାଲର ୧୮ ନମ୍ବର ୱାର୍ଡରେ ଭର୍ତ୍ତି ହୋଇଥିଲେ ୨୯ ବର୍ଷୀୟ ଚାଷୀ ଇନ୍ଦଲ ରାଠୋଡ଼। ତାଙ୍କ ଘର ଦିଗ୍ରାସ ତହସିଲର ୱାଡଗାଓଁ ଗାଁରେ। ତାଙ୍କର ଚାରି ଏକର ଜମି। ସେ ଗତ ୧୦ ଦିନ ହେବ ଚିକିତ୍ସିତ ହେଉଛନ୍ତି। ତାଙ୍କ ଭାଇ କହିଲେ, ସେ ଏବେ ବି ସୁସ୍ଥ ହୋଇ ନାହାନ୍ତି।

କେବଳ ଡାକ୍ତରଖାନାରେ ନୁହେଁ, ପୂରା ଜିଲ୍ଲାରେ ଭୟ ଏବଂ ଆତଙ୍କ ଖେଳିଯାଇଥିଲା।

୨୦୧୭ ସେପଟେମ୍ବରରୁ ନଭେମ୍ବର ଭିତରେ ଏହି ରିପୋର୍ଟର କଥା ହୋଇଥିବା ଅନେକ ଚାଷୀ କହିଲେ ସେମାନେ ଭୟରେ କୀଟନାଶକ ସିଞ୍ଚନ କରିବା ବନ୍ଦ କରିଦେଇଛନ୍ତି। ତାଙ୍କ ଭିତରେ ଥିଲେ ମାନୋଲି ଗାଁର ନାରାୟଣ କୋଟ୍ରାଙ୍ଗେ। ସେ ପାଖ ଗାଁର ଜଣେ ଚାଷୀଙ୍କ ୧୦ ଏକର ଜମିରେ ଭାଗଚାଷ କରିଥିଲେ। ସେ କହିଲେ, “ନଅ ଦିନ ସିଞ୍ଚନ କରି ସାରିବା ପରେ ଦଶମ ଦିନ ପ୍ରଫେକ୍ସ ସୁପର ପ୍ରୟୋଗ କଲାବେଳେ ମୋ ମୁଣ୍ଡ ବୁଲାଇଲା। ଆଉ ସିଞ୍ଚନ ନକରିବା ପାଇଁ ନିଷ୍ପତ୍ତି ନେଲି; ଆଉ ସପ୍ତାହେ ମୁଁ କାମ କରିପାରିଲି ନାହିଁ, ମୋ ଦେହ ଖରାପ ହୋ‌ଇଯାଇଥିଲା”। 

A four-acre farmer from Manoli village, Vilas Rathod, in Yavatmal’s Ghatanji tehsil inspects his cotton crop; Rathod stopped spraying after he fell sick, but did not need hospitalization
PHOTO • Jaideep Hardikar
One of the farmers, completely disoriented, had to be tied to his bed in the ICU of the Yavatmal hospital so that he did not fall down as his body jerked
PHOTO • Jaideep Hardikar

ବିଳାସ ରାଠୋଡ (ବାମ) ବିଷାକ୍ତ ଗ୍ୟାସ ପ୍ରଭାବରେ ଆକ୍ରନ୍ତ ହୋଇ ଚିକିତ୍ସିତ ହୋଇଥିଲେ। କିନ୍ତୁ ଅନ୍ୟ ଚାଷୀ ଏବଂ କୃଷି ଶ୍ରମିକମାନେ ସଂକଟାପନ୍ନ ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ତାଙ୍କ ଦେହରେ ଭୟଂକର ବିଷ କ୍ରିୟାର ଲକ୍ଷଣ ଦେଖିବାକୁ ମିଳିଥିଲା। 

ପ୍ରତି ଗାଁରେ କେହି ନା କେହିଁ କୀଟନାଶକ ସିଞ୍ଚନ କରିବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ଆଇସିୟୁରେ ଥିବା ଜୁନିଅର ରେସିଡେନସିଆଲ ଡାକ୍ତର ପରାଗ ମାନାପେ କହିଲେ, “ ରକ୍ତ ପରୀକ୍ଷାରୁ ଜଣା ପଡିଲା ଯେ, ବିଷକ୍ରିୟା ଯେଗୁଁ ସବୁ ରୋଗୀଙ୍କ ସ୍ନାୟୁ ସଂକ୍ରମିତ ହୋଇଥିଲା। ସମସ୍ତଙ୍କର ଗୋଟିଏ ଲକ୍ଷଣ। କିନ୍ତୁ ‘ଷ୍ଟୋମାକ୍ ୱାସ୍’ ସମ୍ଭବ ନହେବାରୁ ଚିକିତ୍ସାରେ ସମସ୍ୟା ହୋଇଥିଲା। ବିଷାକ୍ତ ଗ୍ୟାସ ଶ୍ୱାସକ୍ରିୟାକୁ ପ୍ରଭାବିତ କରିଥିଲା। ”

ମୋଟ ଉପରେ ଦୁଇ ପ୍ରକାର କୀଟନାଶକ ବ୍ୟବହାର କରିଥିବା ଚାଷୀମାନେ ଆକ୍ରାନ୍ତ ହୋଇଛନ୍ତି। ପାଉଡର ଭାବେ ମିଳୁଥିବା ଏକ ନିର୍ଦ୍ଦିଷ୍ଟ ପ୍ରକାରର କୀଟନାଶକ ବ୍ୟବହାର କରିଥିବା ଚାଷୀମାନେ ଆଖି ରୋଗରେ ପଡିଛନ୍ତି। ସେହିପରି ଅନ୍ୟ ଏକ ତରଳ କୀଟନାଶକ ସ୍ନାୟବିକ ସମସ୍ୟା ସୃଷ୍ଟି କରିଛି।

ଏହି କୀଟନାଶକରେ ରହିଛି ପ୍ରଫେନେଫସ୍ (ଅର୍ଗାନୋଫସଫେଟ୍), ସାଇପରମେଥ୍‌ରିନ୍ (ସିନ୍ଥେଟିକ ପାଇରିଥ୍ରଏଡ୍) ଏବଂ ଡାୟାଫେନ୍ଥିଉରନ। ଏହାର ମିଶ୍ରଣ ଅତି ଉତ୍କଟ ବିଷ। ଜଣେ ମଣିଷକୁ ମାରିବା ପାଇଁ ଯଥେଷ୍ଟ।

* * * * *

ତେମ୍ଭୀର ପ୍ରବୀଣ ସୋୟମଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧୀରେଧୀରେ ଅବନତି ଘଟିଥିଲା। ପ୍ରଥମେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ତା’ ପରେ ବାନ୍ତି ଏବଂ ପେଟ ଯନ୍ତ୍ରଣା। ୨୪ ଘଣ୍ଟା ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହୋଇଥିଲା। ଗୋଟିଏ ଦିନ ପରେ ପାନ୍ଧରକୋଡାର ଏକ ଛୋଟ ହସ୍ପିଟାଲରେ ପହଞ୍ଚିବାର ତିନି ଘଣ୍ଟା ପରେ ତାଙ୍କର ମୃତ୍ୟୁ ଘଟିଲା। ଏସବୁ ଦୁଇ ଦିନ ଭିତରେ ଘଟିଗଲା।

ଡାକ୍ତର କହିଲେ କୀଟନାଶକ ସିଞ୍ଚନ ବେଳେ ସେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିନଥିଲେ। ଫଳରେ ବିଷ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିଲା। ଏହି ଅଞ୍ଚଳରେ ପ୍ରାୟ କୌଣସି ଚାଷୀ ବିଷାକ୍ତ କୀଟନାଶକ ସିଞ୍ଚନ ବେଳେ ଗ୍ଳୋବ, ମୁଖା କିମ୍ବା ଦେହ ପାଇଁ ସୁରକ୍ଷିତ ପୋଷାକ ପିନ୍ଧନ୍ତି ନାହିଁ।

ଭାଉରାଓ କହିଲେ, ନାମଦେବ ଅସୁସ୍ଥ ଥିବାରୁ ପୂରା କପା କ୍ଷେତରେ ସିଞ୍ଚନ ପାଇଁ ମୁଁ କହିଥିଲି। ଏହି ଅଞ୍ଚଳର ଅନ୍ୟ କପା କ୍ଷେତ ଭଳି ତାଙ୍କ ଜମି ମଧ୍ୟ ୨୦୧୭ ମସିହା ଜୁଲାଇ ମାସରେ ବିଭିନ୍ନ ପ୍ରକାର କୀଟ ଆକ୍ରମଣର ଶିକାର ହୋଇଥିଲା। ତାଙ୍କୁ ବିଭିନ୍ନ ପ୍ରକାର କୀଟନାଶକ ପ୍ରୟୋଗ କରିବାକୁ କୁହାଯାଇଥିଲା।

ସିଞ୍ଚନ ପରେ ଦୁର୍ବଳ ଅନୁଭବ କରୁଥିବା କହିଥିଲେ, କିନ୍ତୁ ଡାକ୍ତର ଦେଖାଇବାକୁ ମନା କରିଥିଲେ। ଭାଉରାଓ କହିଲେ, ଆମେ ଭାବିଲୁ ତାତି ଯୋଗୁ ଏଭଳି ହୋଇଛି। ଏହି ସମୟରେ ତାତି ସାଙ୍ଗକୁ ଓଦାଳିଆ ପରିବେଶ ଥାଏ। ଆମ ଗାଁର ଅଧିକାଂଶ ଲୋକ ଏହି ସମୟରେ ଜରରେ ପଡନ୍ତି। ପରଦିନ ସଂଧ୍ୟାରେ ଯେତେବେଳେ ପ୍ରବୀଣଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିଲା ନାମଦେବ ଏବଂ ତାଙ୍କ ମା’ ବେବୀବାଇ ପାଖ ଗାଁରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ତାଙ୍କୁ ନେଇଥିଲେ। ସେଠାରେ ଥିବା ଜଣେ ସହାୟକ ପାନ୍ଧରକୋଡା ହସ୍ପିଟାଲକୁ ରେଫର କରିଥିଲେ। ପାନ୍ଧରକୋଡା ଏଠୁ ପ୍ରାୟ ୪୦ କିଲୋମିଟର ଦୂର।

ସେମାନେ ପ୍ରାୟ ସଂଧ୍ୟା ୭ଟାରେ ହସ୍ପିଟାଲରେ ପହଞ୍ଚିଥିଲେ। ରାତି ୧୦ଟା ବେଳକୁ ପ୍ରବୀଣଙ୍କ ମୃତ୍ୟୁ ଘଟିଲା। ଅର୍ଗାନୋଫସଫେଟ୍ ବିଷ ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିବା ପୋଷ୍ଟମର୍ଟମ ରିପୋର୍ଟରେ ଦର୍ଶାଗଲା।

ଅନୁବାଦ: ଓଡ଼ିଶାଲାଇଭ୍‍

 

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Jaideep Hardikar

Jaideep Hardikar is a Nagpur-based journalist and writer, and a PARI core team member.

Other stories by Jaideep Hardikar