ଲାଟୁରରେ ତାଙ୍କ ସ୍କୁଲ ବନ୍ଦ ହୋଇଯିବା କଥାରେ ପରସ ମଡ଼ିକର ଠିକ୍‌ ସେମିତି ପ୍ରତିକ୍ରିୟା ବ୍ୟକ୍ତ କରିଥିଲା, ଯେମିତି କି ଆଉ କେତେକ୧୧ ବର୍ଷର ପିଲା କରିଥାଆନ୍ତେ । ତା’ର ୪ର୍ଥ ଶ୍ରେଣୀ ପରୀକ୍ଷା ବାତିଲ ହୋଇଯାଇଥିଲା ବୋଲି ସେ ଖୁସି ହୋଇଥିଲା ଏବଂ ଆଗକୁ ଛୁଟି ଆହୁରି ବଢ଼ିବ ବୋଲି ଆଶା କରୁଥିଲା ।

କିନ୍ତୁ ତାହା ହେଲା ନାହିଁ । ତା’ର ବାପା,୪୫ ବର୍ଷ ବୟସ୍କ ଶ୍ରୀକାନ୍ତ, ତାଙ୍କ ଡ୍ରାଇଭର ଚାକିରି ହରାଇଲେ ଏବଂ ଯେଉଁ ଏକମାତ୍ର କାମ ମିଳିଲା, ତାହା କରିବାକୁ ବାଧ୍ୟ ହେଲେ- ତାହା ବି ତାଙ୍କ ପିଛିଲା ରୋଜଗାରର ଦୁଇ ତୃତୀୟାଂଶ କମ୍‌ ମଜୁରିରେ । ମାର୍ଚ୍ଚ ୨୫ରେ ଲକ୍‌ଡାଉନ୍‌ ଜାରି ହେବା ଦିନରୁ ହିଁ ତା’ର ମାଆ ୩୫ ବର୍ଷୀୟା ସରିତା ବି ତାଙ୍କ ରାନ୍ଧୁଣୀ କାମ ହରାଇଲେ ।

ଦିନର ପ୍ରାରମ୍ଭିକ ଭାଗରେ ପରସ ବିଭିନ୍ନ ଶାଗ ପରିବା ବୋଝ ମୁଣ୍ଡାଇ ବିକିବାକୁ ଯାଏ । ବିଡ଼ମ୍ବନା ଯେ, ଗରିବ ଛାତ୍ରଟି ଯେଉଁ ଦୁଇଟି ଅଞ୍ଚଳରେ ପରିବା ବିକିବାକୁ ଯାଏ, ସେ ଦୁଇଟିର ନାଁ ସରସ୍ଵତୀ ଏବଂ ଲକ୍ଷ୍ମୀ କଲୋନି (ଜ୍ଞାନର ଦେବୀ ଏବଂ ଧନର ଦେବୀଙ୍କ ନାମରେ ନାମିତ) । ତା’ର ଭଉଣୀ, ୧୨ ବର୍ଷୀୟା ସୃଷ୍ଟି, ରାମ ନଗର ଏବଂ ସୀତାରାମ ନଗର କଲୋନିରେ ପରିବା ବିକିବାକୁ ଯାଏ ।

“ଆପଣଙ୍କୁ ମୁଁ କହିପାରିବିନି ଯେ ସବୁଦିନ ସନ୍ଧ୍ୟାରେ ମୋ ବେକରେ କେତେ ଭୟଙ୍କର ଯନ୍ତ୍ରଣା ହୁଏ! ଘରକୁ ଫେରିଲେ ମୋ ମାଆ ଗରମ କପଡ଼ାରେ ତେଲ ମାଲିସ କରିଦିଅନ୍ତି । ଯାହା ଫଳରେ କି ପରଦିନ ସକାଳେ ମୁଁ ପୁଣି ଶାଗ ଓ ପରିବା ବୋଝ ମୁଣ୍ଡାଇ ଯାଇପାରିବି,” ବିଳିବିଳେଇଲା ଭଳିକହେ ବାଳୁତ ପରସ । ସୃଷ୍ଟିର ଅଲଗା ସମସ୍ୟା: “ଦିପହର ପାଖାପାଖି ମୋ ପେଟରେ ଖୁବ୍‌ ବ୍ୟଥା ହୁଏ,”  ସେ କହେ । “ଦିନରେ ଖାଇବା ପୂର୍ବରୁ ମୁଁ ଲେମ୍ବୁ ପାଣି ପିଏ-ସେଥିରୁ ମୋତେ କିଛିଟା ଆରାମ ଲାଗେ ।” ଦୁହିଁଙ୍କ ମଧ୍ୟରୁ କେହି ହେଲେ ଲକ୍‌ଡାଉନ୍‌ ପୂର୍ବରୁ କୌଣସି ଶାରୀରିକ ପରିଶ୍ରମ କରି ନଥିଲେ । ଏବେ, ସବୁଠୁଁ ଖରାପ ପରିସ୍ଥିତିରେ, ସେମାନେ ବାହାରକୁ ବାହାରିଛନ୍ତି, ମୁଠାଏ ଭାତ ରୋଜଗାର କରିବା ପାଇଁ, ଡାଲି ତରକାରି କଥା ଭୁଲିଯାଆନ୍ତୁ ।

Top row: Paras Mardikar, 11, carries 4-5 kilos of vegetables on his head every morning to sell them in two colonies of Latur city. Bottom row: His sister Srusthi, 12, sells packed vegetable bundles on a different route, and carries a weighing scale and a 500-gram weight measure too
PHOTO • Ira Deulgaonkar

ଉପର ଧାଡ଼ି: ସବୁଦିନ ସକାଳେ ୪-୫ କିଲୋ ଓଜନର ଶାଗ ପରିବା ମୁଣ୍ଡାଇ ଲାଟୁର ସହରର ଦୁଇଟି କଲୋନିରେ ବିକିବାକୁ ଯାଏ ୧୧ ବର୍ଷର ପରସ ମଡ଼ିକର । ତଳ ଧାଡ଼ି: ତା’ର୧୨ ବର୍ଷୀୟା ଭଉଣୀ ସୃଷ୍ଟି, ବିଡ଼ା ବନ୍ଧା ହୋଇଥିବା ଶାଗ ନେଇ ଅଲଗା ରାସ୍ତାରେ ଯାଏ ଏବଂ ସାଙ୍ଗରେ ଗୋଟିଏ ନିକିତି ଓ ୫୦୦ ଗ୍ରାମ୍‌ର ବଟକରା ବି ନେଇଥାଏ

ଲାଟୁରରେ ଏପ୍ରିଲ ୨ ତାରିଖରୁ, ପରସ ଓ ସୃଷ୍ଟି ପ୍ରତିଦିନ ସକାଳ ୮ଟାରୁ ଦିନ ୧୧ଟା ଭିତରେ ନିଜ ନିଜ ବାଟରେ ଯାଇ ଶାଗ ଓ ପରିବାପତ୍ର ବିକ୍ରି କରିଆସୁଛନ୍ତି । ଏହି ସମୟ ମଧ୍ୟରେ ଜଣେ ଜଣେ ପ୍ରାୟ ୪-୫ କିଲୋ ଓଜନର ବୋଝ ମୁଣ୍ଡାଇ ପ୍ରାୟ ତିନି କିଲୋମିଟର ଯା’ଆସ କରିଥାଆନ୍ତି । ସୃଷ୍ଟିର କାମ ଅଧିକ କଷ୍ଟଦାୟକ, କାରଣ ସାଙ୍ଗରେ ସେ ପ୍ରାୟ ଏକ କିଲୋଗ୍ରାମ ଓଜନର ଏକ ନିକିତି ଏବଂ ୫୦୦ ଗ୍ରାମ ଓଜନର ବଟକରା ନେଇ ଯାଇଥାଏ । ପରସ ନେଉଥିବା ଶାଗକୁ ତାଙ୍କ ମାଆ ବିଡ଼ା ବାନ୍ଧି ଦେଇଥାଆନ୍ତି ଏବଂ ସେଗୁଡ଼ିକର ବିଡ଼ା ପିଛା ଦର ସ୍ଥିର ହୋଇଥାଏ । ଯେଉଁ ସମୟରେ ସେମାନେ କାମ କରନ୍ତି ସେହି ସମୟ ମଧ୍ୟରେ ଲାଟୁରର ତାପମାତ୍ରା ୨୭ ଡିଗ୍ରୀ ସେଲ୍‌ସିୟସରୁ ପ୍ରାୟ ୩୦ ଡିଗ୍ରୀ ଯାଏ ବଢ଼ିଥାଏ ।

ସେମାନେ କେଉଁଠାରୁ ଏହି ପରିବାପତ୍ର ଓ ଅନ୍ୟାନ୍ୟ ଜିନିଷ ଆଣନ୍ତି ? ହଁ, ସକାଳ ୮ଟାରେ ସେ ଘରୁ ବାହାରିବା ପୂର୍ବରୁ ସୃଷ୍ଟିର କାମ ଆରମ୍ଭ ହୁଏ । “ସବୁଦିନ ସକାଳ ୬ଟାରେ ମୁଁ ଗୋଲାଇକୁ (ତାଙ୍କ ଘରଠାରୁ ପାଞ୍ଚ କିଲୋମିଟର ଦୂର ଲାଟୁରର ମୁଖ୍ୟ ପରିବା ବଜାର)ଯାଏ  ।” ସେ ତା ବାପାଙ୍କ ସହ କିମ୍ବା ପଡ଼ୋଶୀ ଗୋବିନ୍ଦ ଚଭନଙ୍କ ସହ ଯାଏ । ୨୩ ବର୍ଷୀୟ ଗୋବିନ୍ଦ ଏବେ ପୋଲିସ ଚାକିରି ପାଇଁ ପରୀକ୍ଷା ଦେବାକୁ ପଢ଼ାପଢ଼ି କରୁଛନ୍ତି । ଯାହା ସାଙ୍ଗରେ ଗଲେ ବି ଗୋଲାଇ ଯାଏ ଯାଇ ଫେରିବା ପାଇଁ ଗୋବିନ୍ଦଙ୍କ ସ୍କୁଟର କାମରେ ଲାଗେ (ସେ ଏହି ଯିବାଆସିବା ପାଇଁ କୌଣସି ପଇସା ନିଅନ୍ତିନି, ଏମିତି କି ପେଟ୍ରୋଲ ପାଇଁ ମଧ୍ୟ ନିଅନ୍ତିନି) । ସେମାନେ ଶାଗ ଓ ପରିବା ନେଇ ଫେରିବା ପରେ ତାଙ୍କ ମାଆ ବିଡ଼ାବାନ୍ଧି ପ୍ଲାଷ୍ଟିକ୍‌ ଝୁଡ଼ି କିମ୍ବା ଅନ୍ୟ କୌଣସି ପାତ୍ରରେ ସଜେଇ ରଖନ୍ତି ।

ପରସ କହେ, “ଆମେ କ’ଣ ବିକିବୁ ତାହା ବାଛିବା ଦରକାର ହୁଏନି । ଆମ ବାପା କି ଗୋବିନ୍ଦ ଭାୟା ଯାହା ଯୋଗାଡ଼ କରିଦିଅନ୍ତି ଆମେ ତାହା ବିକୁ ।” ସୃଷ୍ଟି ବୁଝାଇ ଦେଇ କହେ, “ଆମେ ଗୋଟିଏ ଅଖା ବସ୍ତାରେ ୩୫୦-୪୦୦ ଟଙ୍କାର ଜିନିଷ (ପ୍ରତିଦିନ) ନେଇ ଆସୁ । କିନ୍ତୁ ଆମେ ଦୁହେଁ ମିଶି ଅତି ବେଶୀରେ (ମୋଟ) ୧୦୦ ଟଙ୍କାରୁ କମ୍‌ ଲାଭ କରୁ ।”

ସେମାନଙ୍କ ବାପା ଶ୍ରୀକାନ୍ତ ଡ୍ରାଇଭର ଭାବେ କାମ କରି ଦିନକୁ ୭୦୦-୮୦୦ ଟଙ୍କା ରୋଜଗାର କରୁଥିଲେ ଏବଂ ପ୍ରତି ମାସରେ ଅତି କମ୍‌ରେ ୨୦ ଦିନ କାମ ମିଳିଯାଉଥିଲା । କାମ କରିବାକୁ ଯାଉଥିବା ବେଳେ ତାଙ୍କ ଖାଇବା ଖର୍ଚ୍ଚ ବି ଉଠିଯାଉଥିଲା । ଲକ୍‌ଡାଉନ୍‌ ସହିତ ସେ ସବୁ ଶେଷ ହୋଇଗଲା । ଶ୍ରୀକାନ୍ତ ଏବେ ପୁରୁଣା ଔଶା ରୋଡ୍‌ର ଲକ୍ଷ୍ମୀ କଲୋନିରେ ଚୌକିଦାର ଭାବେ କାମ କରନ୍ତି - ସେହି ଜାଗାରେ, ଯେଉଁଠି ପରସ ତା’ର ଏହି ନୂଆ ବ୍ୟବସାୟ କରେ । ଏହି ଚାକିରିରୁ ତାଙ୍କୁ ମାସକୁ ୫,୦୦୦ ଟଙ୍କା ମିଳେ, ଯାହାକି ଡ୍ରାଇଭର ଭାବରେ ସେ ଯାହା ରୋଜଗାର କରୁଥିଲେ ତା’ ତୁଳନାରେ ପାଖାପାଖି ୭୦ ପ୍ରତିଶତ କମ୍‌ ।

ଚୌକିଦାର ଭାବେ ଶ୍ରୀକାନ୍ତଙ୍କ କାର୍ଯ୍ୟସ୍ଥଳୀ ନିକଟରେ ସେମାନଙ୍କ ପରିବାର ଲାଗି ଘରଟିଏ ଖୋଜିବାକୁ ପଡ଼ିଲା ଏବଂ ଲକ୍‌ଡାଉନ୍‌ ଆରମ୍ଭ ହେବା ସମୟରେ ସେମାନେ ସେଠାକୁ ଚାଲିଗଲେ । କିନ୍ତୁ ଘରଭଡ଼ା ମାସକୁ ୨,୫୦୦ ଟଙ୍କା-ତାଙ୍କ ମାସିକ ଆୟର ୫୦ ପ୍ରତିଶତ । ଆଗରୁ ସେମାନେ ଯେଉଁଠାରେ ରହୁଥିଲେ, ସେଠାରେ ୨,୦୦୦ ଟଙ୍କା ଦେବାକୁ ପଡୁଥିଲା ।

ସୃଷ୍ଟି କିମ୍ବା ପରସ, ଲକ୍‌ଡାଉନ୍‌ ପୂର୍ବରୁ କେହି ହେଲେ ଭାବି ନଥିଲେ ଯେ ସେମାନଙ୍କୁ ଏଭଳି ପରିଶ୍ରମ କରିବାକୁ ପଡ଼ିବ । ଉଭୟ ଖୁବ୍‌ ପରିଶ୍ରମୀ ଛାତ୍ରଛାତ୍ରୀ

ଭିଡିଓ ଦେଖନ୍ତୁ: ଲାଟୁରରେ ଛୋଟ ଛୋଟ କାନ୍ଧ ଉପରେ ଲକ୍‌ଡାଉନ୍‌ର ବୋଝ

ଲକ୍‌ଡାଉନ୍‌ ପୂର୍ବରୁ ସେମାନଙ୍କ ମାଆ ସରିତା ସ୍ଥାନୀୟ ସାଇ ମେସ୍‌ରେ ରାନ୍ଧୁଣୀ ଭାବରେ କାମ କରି ପ୍ରତି ମାସରେ ଘରକୁ ୫,୦୦୦ ଟଙ୍କା ଆଣୁଥିଲେ । ସୃଷ୍ଟି କହେ, “ମୋ ମାଆ ସେଠାରେ ସକାଳ ୯ଟାରୁ ଅପରାହ୍‌ଣ ୩ଟା ଏବଂ ଅପରାହ୍‌ଣ ୫ଟାରୁ ରାତି ୧୧ଟା ଯାଏ କାମ କରୁଥିଲେ । ସକାଳୁ ଘରୁ ବାହାରିବା ପୂର୍ବରୁ ସେ ଆମ ପାଇଁ ରାନ୍ଧି ଦେଉଥିଲେ ।” ଏବେ ସରିତାଙ୍କର ରୋଜଗାର ନାହିଁ ଏବଂ ସେ ଘର ଚଳାଇବା ସହିତ ପାରସ ଓ ସୃଷ୍ଟି ବୁଲି ବୁଲି ବିକିବାକୁ ନେଉଥିବା ଜିନିଷକୁ ବଣ୍ଟାବଣ୍ଟି କରି ସଜାଡ଼ି ଦେଉଛନ୍ତି ।

ଲକ୍‌ଡାଉନ୍‌ ପୂର୍ବରୁ ପିଲା ଦୁହିଁଙ୍କ ମଧ୍ୟରୁ କେହି ବି ଭାବି ନଥିଲେ ଯେ ସେମାନଙ୍କୁ ଏଭଳି ପରିଶ୍ରମ କରିବାକୁ ପଡ଼ିବ । ଦୁହେଁ ଖୁବ୍‌ ପରିଶ୍ରମୀ ଛାତ୍ରଛାତ୍ରୀ । ପରସ ତା’ର ୪ର୍ଥ ଶ୍ରେଣୀ ପ୍ରଥମ ଭାଗରେ ହାରାହାରି ୯୫ ପ୍ରତିଶତ ମାର୍କ ରଖିଥିବା ବେଳେ ସୃଷ୍ଟି ୫ମ ଶ୍ରେଣୀରେ ୮୪ ପ୍ରତିଶତ ମାର୍କ ରଖିଥିଲା । ପାରସ କହେ, “ମୁଁ ଜଣେ ଆଇଏଏସ୍‌ ଅଫିସର ହେବାକୁ ଚାହେଁ ।” ସୃଷ୍ଟି କହେ, “ମୁଁ ଜଣେ ଡାକ୍ତର ହେବି ।” ସେମାନଙ୍କ ସ୍କୁଲ, ଛତ୍ରପତି ଶିବାଜୀ ପ୍ରାଥମିକ ସ୍କୁଲ୍‌, ଏକ ସରକାରୀ ଅନୁଦାନପ୍ରାପ୍ତ ଘରୋଇ ସଂସ୍ଥା ଏବଂ ସେଠାରେ ଦୁହିଁଙ୍କର ସମସ୍ତ ଫି’ ଛାଡ଼ କରାଯାଇଛି ।

ପରସ ଓ ସୃଷ୍ଟିଙ୍କ ସହ ମୁଁ କଥାବାର୍ତ୍ତା କରୁଥିବା ବେଳେ, ‘ପୃଥକ୍‌ବାସରେ ଲୋକଙ୍କ ରହଣିକୁ ସୁଖଦ କରିବା ପାଇଁ’ ଦୂରଦର୍ଶନର ପୁରାତନ ସଂଗ୍ରହରୁ କେତେକ ପୁରୁଣା ଗୀତ ବାଜୁଥିଲା । ସେଥିରୁ ଯେଉଁଟି ମୋର ଧ୍ୟାନ ଆକର୍ଷିତ କରିଥିଲା ତାହା ଥିଲା ୧୯୫୪ର ହିନ୍ଦୀ ସିନେମା ବୁଟ୍‌ ପଲିସ୍‌ର ଏକ ଗୀତ ।

O nanhemunnebachhe
teremuthhimeinkyahai
muthhimeinhaitakadirhamari,
Humnekismath ko bas meinkiyahai.

“ଓ ନହ୍ନେ ମୁନ୍ନେ ବଚ୍ଚେ 

ତେରେ ମୁଠି ମେଁ କ୍ୟା ହୈ

ମୁଠି ମେଁ ହୈ ତକଦିର ହମାରୀ,

ହମ୍‌ନେ କିସ୍‌ମତ୍‌ କୋ ବସ୍‌ ମେଁ କିୟା ହୈ ।”

ସତେ, ସୃଷ୍ଟି ଆଉ ପରସଙ୍କ ପାଇଁ ତାହା ହିଁ ହୁଅନ୍ତା କି ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Ira Deulgaonkar

ଇରା ଦେଉଲଗାଓଁକର ୨୦୨୦ର ଜଣେ PARI ପ୍ରଶିକ୍ଷାର୍ଥୀ; ସେ ପୁଣେର ସିମ୍ବିଓସିସ୍‌ ସ୍କୁଲ୍‌ ଅଫ୍‌ ଇକୋନୋମିକ୍‌ସରେ ସ୍ନାତକ ଡିଗ୍ରୀ ପାଠ୍ୟକ୍ରମର ଦ୍ଵିତୀୟ ବର୍ଷ ଛାତ୍ରୀ ।

Other stories by Ira Deulgaonkar