ସେମାନେ ପୂରା ପିପିଇ କିଟରେ ଆବୃତ୍ତ ହୋଇ ଆସୁଛନ୍ତି, ଲାଗୁଛି ଯେମିତି ୨୪ ପ୍ରଗଣା ସ୍ଥିତ ତାଙ୍କ ଗାଁରେ ଏଲିଏନ ଓହ୍ଲାଇଛନ୍ତି। “ସେମାନେ ମତେ ଧରିବାକୁ ଆସିଛନ୍ତି, ଯେମିତି ମୁଁ ଗୋଟେ ପଶୁ”, କହିଛନ୍ତି ହରଚନ୍ଦ୍ର ଦାସ। ତାଙ୍କୁ ସାଙ୍ଗମାନେ ହାରୁ ଡାକନ୍ତି। ଅବଶ୍ୟ ଏବେ ସେମାନେ ଆଉ ତାଙ୍କର ସାଙ୍ଗ ହୋଇ ରହିନାହାନ୍ତି। ତାଙ୍କ ପାଖ ପଶୁନାହାନ୍ତି। ଦୂରେଇ ଦେଇଛନ୍ତି। “ଲୋକମାନେ ମୋ ପରିବାରକୁ ଗ୍ରୋସୋରୀ ଓ କ୍ଷୀର ଦେବା ବନ୍ଦ କରିଦେଇଛନ୍ତି। ଆମେମାନେ ଭାରି ନିର୍ଯାତନାର ଶିକାର ହେଉଛୁ। ରାତିରେ ନିଦ ହେଉନି। ଆମ ପଡ଼ୋଶୀମାନେ ଆମକୁ ନେଇ ଭୟଭୀତ ହେଉଛନ୍ତି”। କୋଭିଡ୍ ୧୯ ପଜିଟିଭ୍ ଚିହ୍ନଟ ହୋଇ ନ ଥିଲେ ମଧ୍ୟ ଏମିତି କାହାଣୀ ହରଚନ୍ଦ୍ରଙ୍କର।

ତାଙ୍କର ଦୋଷ ହେଲା, ସେ ଡାକ୍ତରଖାନାରେ କାମ କରନ୍ତି। କେବଳ ହରଚନ୍ଦ୍ର ନୁହେଁ, ପ୍ରାୟ ସମସ୍ତ ସ୍ୱାସ୍ଥ୍ୟକର୍ମୀ ସେହି ସମାନ ଅବସ୍ଥା। ଜିଲ୍ଲାସ୍ତରୀୟ କୌଣସି ଅଧିକାରୀ ତାଙ୍କୁ କୌଣସି କାମରେ ଦେଖା କରିବାକୁ ଆସିଥିଲେ ବୋଲି, ବୋଧହୁଏ ଲୋକେ ତାଙ୍କୁ କରୋନା ସଂକ୍ରମିତ ବୋଲି ଭାବୁଛନ୍ତି। 

“ସମସ୍ତେ ଭୟ କରୁଛନ୍ତି ଯେ, ମୁଁ ଗୋଟେ ଡାକ୍ତରଖାନା ପାଇଁ କାମ କରୁଥିବାରୁ, ମୁଁ ନିଶ୍ଚିତ ଭାବେ ସଂକ୍ରମିତ ହୋଇଥିବି”।

୩୦ ବର୍ଷର ମଧ୍ୟଭାଗରେ ଥିବା ହରଚନ୍ଦ୍ର, କୋଲକାତାର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ଚାଇଲ୍ଡ ହେଲଥରେ ରୁମ ମେଣ୍ଟେନାନ୍ସ ବିଭାଗରେ କାମ କରନ୍ତି। କୋଲକାତା ବ୍ୟତୀତ ଗ୍ରାମାଞ୍ଚଳ ଓ ସହର ଉପକଣ୍ଠରୁ ଆସୁଥିବା ଶିଶୁମାନଙ୍କୁ ଏଠାରେ ଚିକିତ୍ସା  କରାଯାଏ। ପାର୍ସ ସର୍କସ ଅଞ୍ଚଳରେ ଥିବା ଏହି ଚିକିତ୍ସାଳୟରେ ୨୨୦ ଶଯ୍ୟା ରହିଛି। ଏହା ୧୯୫୬ରେ ପ୍ରତିଷ୍ଠା ହୋଇଥିଲା। ଏହା ଭାରତର ପ୍ରଥମ ଶିଶୁ ଚିକିତ୍ସାଳୟ। ଅନ୍ୟ କୌଣସି ଡାକ୍ତରଖାନାରେ ଚିକିତ୍ସା ଖର୍ଚ୍ଚକୁ ତୁଲାଇପାରୁ ନ ଥିବା ବାପାମାଆମାନେ ସେମାନଙ୍କ ପିଲାଙ୍କୁ ଧରି ଏଠାକୁ ଆସନ୍ତି।

କୋଭିଡ-19 ଓ ଲକଡାଉନ ଯୋଗୁଁ ଆଇସିଏଚରେ ପହଞ୍ଚିବା କଷ୍ଟକର ହୋଇପଡୁଛି। “ଏଠାକୁ ଆସିବା ହେଉଛି ଏକ ବଡ଼ ସମସ୍ୟା”, କହିଛନ୍ତି ଚବିଶ ପ୍ରଗଣା ଅଞ୍ଚଳର ଏକ ଗାଁରୁ ନିଜ ପିଲାକୁ ନେଇ ଆସିଥିବା ରତନ ବିଶ୍ୱାସ। “ମୁଁ ଏକ ପାନ ବରଜରେ ଦିନମଜୁରିଆ ଭାବେ କାମ କରୁଥିଲି। ଅମ୍ଫାନ ଯୋଗୁଁ ପାନବରଜ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା ଆଉ ମୁଁ ରୋଜଗାର ହରାଇଲି। ବର୍ତ୍ତମାନ ମୋର ସାନପୁଅର କାନରେ ସଂକ୍ରମଣ ହୋଇଛି। ତେଣୁ ତାକୁ ନେଇକି ଏଠାକୁ ଆସିଛୁ। ଟ୍ରେନ୍ ଚଳାଚଳ ବନ୍ଦ ହୋଇପଡ଼ିଥିବାରୁ ଏଠାରେ ପହଞ୍ଚିବା ଭାରି କଷ୍ଟକର ଥିଲା”।  ହରଚନ୍ଦ୍ରଙ୍କ ଭଳି କର୍ମଚାରୀ ଡାକ୍ତରଖାନାରେ ପହଞ୍ଚିବା ପାଇଁ ବସ୍, ରିକ୍ସା ବଦଳାଇବା ସହ ଢେର ବାଟ ଚାଲିଚାଲି ଆସୁଛନ୍ତି।

ଆଗକୁ ଆହୁରି ସମସ୍ୟା ହେବ ବୋଲି ଆଇସିଏଚର ଡାକ୍ତରମାନେ ଚେତାଇ ଦେଇଛନ୍ତି।

PHOTO • Ritayan Mukherjee

ଡାକ୍ତର ରୀନା ଘୋଷ ଜଣେ ଜାପାନିଜ ଏନସିଫିଲିଟିସ ରୋଗୀର ଟିକା ପ୍ରସ୍ତୁତ କରୁଛନ୍ତି। ଲକଡାଉନ ପାଇଁ ଟିକାକରଣ ଗୁରୁତର ପ୍ରଭାବିତ ହୋଇଛି। ଶିଶୁମାନଙ୍କୁ ରୁଟିନ ଟିକା ଦେବାରେ ମଧ୍ୟ ସମସ୍ୟା ହେଉଛି

ଏବେ ରକ୍ତ ସଂକଟ ଦେଖାଦେଇନି, କିନ୍ତୁ ଆଗକୁ ହୋଇପାରେ, କହିଛନ୍ତି ହେମାଟୋଲଜି ବିଭାଗର ଡାକ୍ତର ତାରକନାଥ ମୁଖାର୍ଜୀ। “ରକ୍ତଦାନ ଶିବିର ସଂଖ୍ୟା କମିବାରେ ଲାଗିଛି। ସ୍ୱାଭାବିକ ସମୟରେ ମାସକୁ ୬୦ରୁ ୭୦ ରକ୍ତଦାନ ଶିବିର ଆୟୋଜିତ ହେଉଥିଲା। କିନ୍ତୁ ଲକଡାଉନ ଯୋଗୁଁ ଗତ ୪ ମାସ ଭିତରେ ସମୁଦାୟ ୬୦ଟି ରକ୍ତଦାନ ଶିବିର ଆୟୋଜିତ ହେଉଛି। କିଛିମାତ୍ରାରେ ଏହା ଥାଲାସେମିଆ ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟିକରିବ। ବିଶେଷକରି ଗ୍ରାମାଞ୍ଚଳର ରୋଗୀଙ୍କ ପାଇଁ ଅଧିକ ସମସ୍ୟା ହେବ”।

“କୋଭିଡ଼-19 ଶିଶୁ ସ୍ୱାସ୍ଥ୍ୟ ଓ ଯତ୍ନ ବ୍ୟବସ୍ଥାରେ ବଡ଼ ସମସ୍ୟା ସୃଷ୍ଟି କରିଛି”, କହିଛନ୍ତି ଆଇସିଏଚର ରୋଗ ପ୍ରତିରୋଧକ ବିଶେଷଜ୍ଞ ଡାକ୍ତର ରୀନା ଘୋଷ। “ଲକଡାଉନ ପାଇଁ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସଂଖ୍ୟାଧିକ ସ୍ୱାସ୍ଥ୍ୟ ଓ ଟିକାକରଣ ଶିବିରକୁ ବାତିଲ କରାଯାଇଛି। ମୁଁ ଭୟ କରୁଛି ଯେ, ଆଗାମୀ ଦିନରେ ନିମୋନିଆ, ମିଳିମିଳା, ହାଡ଼ଫୁଟି ଓ ଲହରାକାଶ ସଂକ୍ରମଣ ଦେଖାଦେଇପାରେ। ଯେହେତୁ ଆମେ ପୋଲିଓର ସମ୍ପୂର୍ଣ୍ଣ ନିରାକରଣ କରିଛୁ, ନହେଲେ, ଏହା ମଧ୍ୟ ସମସ୍ୟା ସୃଷ୍ଟି କରିଥାନ୍ତି”।

“ଟିକାକରଣ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଛି, କାରଣ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କୁ କୋଭିଡ୍ ଡ୍ୟୁଟିରେ ମୁତୟନ କରାଯାଇଛି। ତେଣୁ ସମ୍ପୂର୍ଣ୍ଣ ଟିକାକରଣ ବ୍ୟବସ୍ଥା ପ୍ରଭାବିତ ହୋଇଛି।’’ 

ଡାକ୍ତରଖାନାକୁ ଆସୁଥିବା ସମସ୍ତ ଶିଶୁଙ୍କର ଅସୁବିଧା ରହିଛି। ୧୨ରୁ ୧୪ ବର୍ଷୀୟ ରୋଗୀଙ୍କ ସଂଖ୍ୟା ସର୍ବାଧିକ। ଅବଶ୍ୟ କମ୍ ବୟସ୍କ ରୋଗୀ ମଧ୍ୟ ଅଛନ୍ତି।

“ମୋ ପିଲା ଲ୍ୟୁକୋମିଆରେ ପୀଡିତ। ସେ କେମୋ ନେବାର ଥିଲା କିନ୍ତୁ ତାରିଖ ଗଡ଼ିଯାଇଛି”, କହିଛନ୍ତି ନିର୍ମଳା ମଣ୍ଡଳ (ଛଦ୍ମନାମ)। ସେ ପୂର୍ବ ମେଦିନୀପୁରର ଏକ ଗ୍ରାମରୁ ଆସିଛନ୍ତି। କହିଛନ୍ତି, ତାଙ୍କ ଅଞ୍ଚଳକୁ ଟ୍ରେନ ସେବା ବାତିଲ ହୋଇସାରିଛି। କାର ଭଡ଼ା କରିବାକୁ ସେ ଅକ୍ଷମ। ଏହା ଛଡ଼ା ସେ ଡାକ୍ତରଖାନାକୁ ନିୟମିତ ନ ଆସିପାରିବାର ବଡ଼ କାରଣ ହେଉଛି ଯେ, ସେ ଭୟ କରୁଛନ୍ତି, ଯଦି ଡାକ୍ତରଖାନାକୁ ପୁଅର ଚିକିତ୍ସା ପାଇଁ ଆସିବେ ତେବେ କରୋନା ସଂକ୍ରମିତ ହୋଇଯିବେ।
PHOTO • Ritayan Mukherjee

ଫଟୋ- ଆଇସିଏଚ ଉପ ନିର୍ଦ୍ଦେଶକ ଡାକ୍ତର ଅରୁଣାଲୋକ ଭଟ୍ଟାଚାର୍ଯ୍ୟ ଜେନେରାଲ ୱାର୍ଡ ପରିଦର୍ଶନ କରୁଛନ୍ତି। ପବ୍ଲିକ ଟ୍ରାନ୍ସପୋର୍ଟର ବ୍ୟବସ୍ଥା ନ ଥିବାରୁ ଗ୍ରାମାଞ୍ଚଳର ଅନେକ ରୋଗୀ ଡାକ୍ତରଖାନାରେ ପହଞ୍ଚିପାରୁନାହାନ୍ତି ବୋଲି କହିଛନ୍ତି ଡାକ୍ତର ଭଟ୍ଟାଚାର୍ଯ୍ୟ

“କୋଭିଡର ପ୍ରଭାବ ବିଶେଷ ଭାବେ ଦେଖାଯାଉନି। କାରଣ ଶିଶୁମାନେ ଅଧିକାଂଶ କ୍ଷେତ୍ରରେ ଲକ୍ଷଣବିହୀନ”, କହିଛନ୍ତି ଆଇସିଏଚର ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଭାସ ପ୍ରସୂନ ଗିରି। “କିନ୍ତୁ ବେଳେ ବେଳେ ଅନ୍ୟରୋଗ ପାଇଁ ଚିକିତ୍ସା ପାଇଁ ଆସିଥିବା ପିଲାମାନଙ୍କ ମଧ୍ୟରୁ ଅଳ୍ପ କିଛି କରୋନାରେ ସଂକ୍ରମିତ ହୋଇଥିବା ଦେଖିବାକୁ ପାଉଛୁ। ଶ୍ୱାସକ୍ରିୟାରେ ସମସ୍ୟା ଥିବା ପିଲାମାନଙ୍କ ପାଇଁ ଆମର ସ୍ୱତନ୍ତ୍ର  ଆଇସୋଲେସନ ୟୁନିଟ୍ ରହିଛି”

ଡାକ୍ତରମାନେ ମଧ୍ୟ ସାମାଜିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି  ବୋଲି କହିଛନ୍ତି ସୋମା ବିଶ୍ୱାସ(ଛଦ୍ମନାମ) ନାମକ ଜଣେ କର୍ମଚାରୀ । “ ମୋ ସ୍ୱାମୀ ଜଣେ ଡାକ୍ତର । ଅନ୍ୟ ଡାକ୍ତରଖାନାରେ କାମ କରନ୍ତି । ମୁଁ ମଧ୍ୟ ଏ ଡାକ୍ତରଖାନାରେ କାମ କରେ । କିନ୍ତୁ ପଡ଼ୋଶୀଙ୍କ ବିରୋଧ ଭୟରେ ନିଜ ଫ୍ଲାଟକୁ ଫେରିପାରୁନାହୁଁ। ବାଧ୍ୟ ହୋଇ ମୋ ବାପଘରେ ରହୁଛୁ”।

ମାର୍ଚ୍ଚ ୧୮ ତାରିଖ ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାଇଥିଲେ ଯେ, “କିଛି ସ୍ୱାସ୍ଥ୍ୟକର୍ମୀ ସେମାନଙ୍କ ପରିବାର ଓ ସମାଜ ଦ୍ୱାରା ବାସନ୍ଦର ଶିକାର ହୋଇପାରନ୍ତି। ଏହା ଏକ ବିଡ଼ମ୍ବିତ ଜନସ୍ୱାସ୍ଥ୍ୟ ସଂକଟକୁ ଆହୁରି କଷ୍ଟକର କରିଦେଇପାରେ”।

ଏବେ ସ୍ୱାସ୍ଥ୍ୟକର୍ମୀମାନଙ୍କର ଅଭିଜ୍ଞତା ସେ ଚେତାବନୀକୁ ପ୍ରମାଣିତ କରିଦେଇଛି।

କେତେକ ସ୍ୱାସ୍ଥ୍ୟକର୍ମଚାରୀ ଆଖପାଖ ଗାଁରୁ ଆସୁଛନ୍ତି। ସେମାନେ କେତେ କଷ୍ଟରେ ଆସୁଛନ୍ତି, ସେମାନଙ୍କ ପରିବାର ଓ ସମାଜରେ ସାମାଜିକ ଯନ୍ତ୍ରଣା ଓ ସମସ୍ୟା କେତେ ରହିଛି। ସେମାନଙ୍କ ଯନ୍ତ୍ରଣାଦାୟକ ଯାତ୍ରାରୁ ହେଉଥିବା ସମସ୍ୟାର ପ୍ରତିଫଳନକୁ ଆଇସିଏଚକୁ ସାମ୍ନା କରିବାକୁ ପଡ଼ିବ।

ଡାକ୍ତରଖାନାରେ ଗୋଟେ ଅଜବ ସ୍ଥିତି ସୃଷ୍ଟି ହୋଇଛି। ଅଧିକାଂଶ ଶଯ୍ୟା ଖାଲିପଡ଼ିଛି। ରୋଗୀଙ୍କ ସଂଖ୍ୟା କମ୍, କିନ୍ତୁ ଚାପ ଅଧିକ। ଜଣେ ଡାକ୍ତରଖାନା ପରିଚାଳକଙ୍କ କହିବା କଥା, ଅନ୍ୟ ଦିନଗୁଡ଼ିକରେ ଓପିଡିରେ ପ୍ରତିଦିନ ୩୦୦ରୁ ଅଧିକ ରୋଗୀ ଆସୁଥିବା ବେଳେ ବର୍ତ୍ତମାନ ତାହା ୬୦କୁ ଖସିଯାଇଛି। ଖାଲି ସେତିକି ନୁହେଁ, ୨୨୦ ଶଯ୍ୟାରୁ ମାତ୍ର ୯୦ରେ ରୋଗୀ ଅଛନ୍ତି। ୬୦ ପ୍ରତିଶତ ରୋଗୀଙ୍କ ସଂଖ୍ୟା କମିଛି। କିନ୍ତୁ ୪୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ ପଡୁଛି।

Left: A nurse in the Neonatal Intensive Care Unit (NICU). Despite seeing staff on duty falling to 40 per cent of normal, the hospital soldiers on in providing services for children-left. Right: Health worker hazards: Jayram Sen (name changed) of the ICH was not allowed, for several days, to take water from a community tap in his village in the South 24 Parganas
PHOTO • Ritayan Mukherjee
Left: A nurse in the Neonatal Intensive Care Unit (NICU). Despite seeing staff on duty falling to 40 per cent of normal, the hospital soldiers on in providing services for children-left. Right: Health worker hazards: Jayram Sen (name changed) of the ICH was not allowed, for several days, to take water from a community tap in his village in the South 24 Parganas
PHOTO • Ritayan Mukherjee

ଫଟୋ-2 (ବାମ) ଜଣେ ନର୍ସ ଏନଆଇସିୟୁ ଡ୍ୟୁଟିରେ। ଯଦିଓ ୪୦ ପ୍ରତିଶତ କର୍ମଚାରୀ ହ୍ରାସ ପାଇଛନ୍ତି, ତଥାପି ଡାକ୍ତରଖାନା କର୍ତ୍ତୃପକ୍ଷ ପାରୁ ପର୍ଯ୍ୟନ୍ତ ରୋଗୀସେବାରେ ଲାଗିଛନ୍ତି। (ଡାହାଣ) ଜୟରାମ ସେନ (ଛଦ୍ମନାମ), ଆଇସିଏଚର ଜଣେ କର୍ମଚାରୀ।  ଗତ କିଛି ଦିନ ହେଲା ୨୪ ପ୍ରଗଣା ଅଞ୍ଚଳରେ ଥିବା ତାଙ୍କ ଗାଁର ଲୋକେ ତାଙ୍କୁ ଟ୍ୟାପରୁ ପାଣି ନେବାକୁ ବି ଛାଡୁନାହାନ୍ତି

ଡାକ୍ତରଖାନାର ସମୁଦାୟ କର୍ମଚାରୀଙ୍କ ସଂଖ୍ୟା ୪୫୦। ସେମାନଙ୍କ ମଧ୍ୟରେ ୨୦୦ ନର୍ସ, ୬୧ ୱାର୍ଡ ଆସିଷ୍ଟାଣ୍ଟ, ୫୬ ସୁଇପର ଓ ବିଭିନ୍ନ ବିଭାଗର ୧୩୩ କର୍ମଚାରୀ। ଏହାଛଡ଼ା ସେଠାରେ ୨୫୦ ଜଣ ଡାକ୍ତର ମଧ୍ୟ ସେବା ଯୋଗାଇଥାନ୍ତି। ସେମାନଙ୍କ ମଧ୍ୟରୁ ୪୫ ଜଣ ପୂର୍ଣ୍ଣକାଳୀନ ଡାକ୍ତର ଭାବେ ଏଠାରେ କାମ କରୁଥିବା ବେଳେ, ଅନ୍ୟମାନଙ୍କ ମଧ୍ୟରୁ ୧୫ରୁ ୨୦ଜଣ ନିୟମିତ ପରିଦର୍ଶନରେ ଆସିଥାନ୍ତି। ଅନ୍ୟମାନେ ସ୍ୱେଚ୍ଛାକୃତ ଭାବେ ଓପିଡି ଡ୍ୟୁଟିରେ ଆସନ୍ତି।

ଲକଡାଉନ ସମସ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ଡେପୁଟି ଚିଫ୍ ଅପରେଟିଂ ଅଫିସର ଆରାଧନା ଘୋଷ ଚୌଧୁରୀ କହନ୍ତି, “ରୋଗୀ ଏବଂ କର୍ମଚାରୀଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରିବା, ବିଭିନ୍ନ କାର୍ଯ୍ୟ ପାଇଁ ଡାକ୍ତରୀ କର୍ମଚାରୀଙ୍କ ବଣ୍ଟନ, ଏସବୁ ବର୍ତ୍ତମାନ ଏକ ସମସ୍ୟା।  ଟ୍ରେନ ବସ ଚଳାଚଳ କରୁ ନ ଥିବାରୁ ଅନେକ କର୍ମଚାରୀ ଏଠାକୁ ଆସିବାକୁ ଏବଂ ନିଜ ଘରକୁ ଫେରିବାରେ ଅକ୍ଷମ’’। ଏହା ଛଡ଼ା କିଛି ସ୍ୱାସ୍ଥ୍ୟ କର୍ମଚାରୀ ଏଠାରେ ଡାକ୍ତରଖାନା ପରିସରରେ ରହୁଛନ୍ତି। ଆଉ କିଛି କର୍ମଚାରୀ “ସାମାଜିକ ବାସନ୍ଦ ହେବା ଭୟରେ’’ ସେମାନଙ୍କ ଗାଁରୁ ଡ୍ୟୁଟି ପାଇଁ ରିପୋର୍ଟ କରିନାହାଁନ୍ତି”।

ଡାକ୍ତରଖାନା ଘୋର ଆର୍ଥିକ ସଂକଟ ଦେଇ ମଧ୍ୟ ଗତି କରୁଛି। ଆଇସିଏଚ୍ ଏକ ଅଣଲାଭକାରୀ ସଂସ୍ଥା, ଏଠାରେ ଡାକ୍ତରମାନେ ଫି ଦାବି କରନ୍ତି ନାହିଁ। ଅନ୍ୟ ଖର୍ଚ୍ଚ ମଧ୍ୟ ବହୁତ କମ। (ଅଧିକାଂଶ ସମୟରେ ଗରିବମାନଙ୍କୁ ଚିକିତ୍ସା ଖର୍ଚ୍ଚ ଛାଡ଼ କରିବାକୁ ପଡ଼େ।) ଶଯ୍ୟା ଖାଲି ପଡ଼ିଛି। ଓପି଼ଡିରେ ରୋଗୀ ସଂଖ୍ୟା କମିଛି। ଏହି ସ୍ୱଳ୍ପ ଆୟର ଉତ୍ସ ମଧ୍ୟ ବନ୍ଦ ହୋଇଛି। କିନ୍ତୁ କୋଭିଡ ପାଇଁ ଡାକ୍ତରଖାନା ପରିଚାଳନା ଖର୍ଚ୍ଚ ୧୫ ପ୍ରତିଶତ ବୃଦ୍ଧି ପାଇଛି।

“ଏଥିରେ ସାନିଟାଇଜେସନ ଖର୍ଚ୍ଚ, ପିପିଇ ଓ କୋଭିଡ୍ ଟେଷ୍ଟ ଖର୍ଚ୍ଚ ମଧ୍ୟ ରହିଛି”, କହିଛନ୍ତି ଆରାଧନା ଘୋଷ ଚୌଧୁରୀ। ସେମାନେ ଏ ବର୍ଦ୍ଧିତ ଖର୍ଚ୍ଚକୁ ରୋଗୀମାନଙ୍କ ଆଡକୁ ଠେଲିଦେଇ ପାରିବେ ନାହିଁ। କାରଣ “ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳରୁ ଆସୁଥିବା ଏ ରୋଗୀମାନଙ୍କ ମଧ୍ୟରୁ ଅଧିକାଂଶ ବିପିଏଲ ବର୍ଗର। ସେମାନେ କେମିତି ଏ ଖର୍ଚ୍ଚ ତୁଲାଇ ପାରିବେ?” ଲକଡାଉନ ସେମାନଙ୍କ ସ୍ୱଳ୍ପ ରୋଜଗାର ମଧ୍ୟ ଛଡ଼ାଇନେଇଛି। “ବେଳେବେଳେ ଆମର ଡାକ୍ତରମାନେ ରୋଗୀଙ୍କ ପାଇଁ ହେଉଥିବା ଅତିରିକ୍ତ ଖର୍ଚ୍ଚ ନିଜ ପକେଟରୁ ଦେଉଛନ୍ତି। ବର୍ତ୍ତମାନ ଦାନ ଅର୍ଥରେ ଡାକ୍ତରଖାନା ଚାଲିଛି, କିନ୍ତୁ ଦାନର ପରିମାଣ ବହୁତ କମ ଥିବାରୁ ଲମ୍ବା ସମୟ ଯାଏ ଡାକ୍ତରଖାନା ଚଳାଇବା ସମ୍ଭବ  ନୁହେଁ”।

ବର୍ଷ ବର୍ଷ ଭିତରେ ଉତ୍ତମ ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ପ୍ରତିଷ୍ଠା କରିବାରେ ବିଫଳତାର ଫଳ ଆଜି ସମସ୍ତେ ଭୋଗୁଛନ୍ତି, କହିଛନ୍ତି ଆଇସିଏଚ ଡେପୁଟି ଡାଇରେକ୍ଟର ଡାକ୍ତର ଅରୁଣାଲୋକ ଭଟ୍ଟାଚାର୍ଯ୍ୟ। “ଏ ପରିବର୍ତ୍ତିତ ସ୍ଥିତିରେ, ସମ୍ମୁଖ ସ୍ୱାସ୍ଥ୍ୟ କର୍ମୀ ଓ ନିୟମିତ ରୋଗୀମାନେ ସବୁଠାରୁ ଅଧିକ ଯନ୍ତ୍ରଣା ଭୋଗୁଛନ୍ତି”, କହିଛନ୍ତି ଡାକ୍ତର ଭଟ୍ଟାଚାର୍ଯ୍ୟ।
PHOTO • Ritayan Mukherjee

ବ୍ୟାଙ୍କୁରା ଜିଲ୍ଲାର ଜଣେ ଶିଶୁ ଛାତି ଏକ୍ସ-ରେ କରାଉଛନ୍ତି। ଏହି ମହାମାରୀ ସ୍ୱାସ୍ଥ୍ୟସେବା ସ୍ଥାନ ଉପରେ ନିର୍ଭର କରି ସମଗ୍ର ଦେଶରେ ଇମେଜିଙ୍ଗ୍ ପରିମାଣରେ ଏକ ବଡ଼ ଧରଣର କାରଣ ହୋଇପାରେ


PHOTO • Ritayan Mukherjee

ଫଟୋ – ରେଡିଓଲୋଜି ବିଭାଗର ନୀଳାଦ୍ରି ଘୋଷ (ଛଦ୍ମନାମ), ଯିଏ ନିଜ ଗାଁର ପଡ଼଼ୋଶୀମାନଙ୍କ ଦ୍ୱାରା ଆକ୍ରମଣ ଓ ନିର୍ଯାତନାର ଶିକାର ହୋଇଥିଲେ। ନିଜ ଘରୁ ବାହାରିବା ପାଇଁ ପୁଲିସ ସହାୟତା ନେବାକୁ ପଡ଼ିଥିଲା


PHOTO • Ritayan Mukherjee

ଲାଇଫ୍ ସପୋର୍ଟିଂ ମେଡିକାଲ ଗ୍ୟାସକୁ ସୁରକ୍ଷିତ ଭାବେ ରଖାଯାଇଛି। ଜୀବନ ସହାୟକ ମେଡିକାଲ୍ ଗ୍ୟାସ୍ ଯାହା ହସ୍ପିଟାଲରେ ସୁରକ୍ଷିତ ଭାବେ ରଖାଯାଇଛି ଯାହାକି ରୋଗୀର ଅବସ୍ଥା ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ 


PHOTO • Ritayan Mukherjee

ଲକଡାଉନ ସମୟରେ କ୍ୟାନସରରେ ପୀଡ଼ିତ ଶିଶୁମାନେ ଭୟଙ୍କର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଗ୍ରାମାଞ୍ଚଳରୁ ଆସୁଥିବା ରୋଗୀମାନେ ସେମାନଙ୍କ କେମୋଥେରାପି ତାରିଖରେ ପହଞ୍ଚିପାରୁନାହନ୍ତି


PHOTO • Ritayan Mukherjee

ନବଜାତମାନେ ଡାକ୍ତରଖାନାରେ ଥିବା ବେଳେ ସେମାନଙ୍କ ଓଜନ କରାଯାଏ ଏବଂ ମେଡିକାଲ ଛାଡ଼ିବାର ୪୮ରୁ ୭୨ ଘଣ୍ଟା ପରେ ପୁଣି ଓଜନ କରାଯାଏ। ସେମାନଙ୍କ ପିତାମାତାଙ୍କ ପାଇଁ ଏକ ଓଜନ ଯାଞ୍ଚ ମଧ୍ୟ କରାଯାଇଥାଏ


PHOTO • Ritayan Mukherjee

ଆଇସୋଲେସନ ରୁମ ଭିତରେ ଜଣେ କର୍ମଚାରୀ ପିପିଇ କିଟ୍ ପିନ୍ଧି ଅଛନ୍ତି। ଜଣେ ୩୫ ଦିନର କୋଭିଡ୍ ପଜିଟିଭ ଶିଶୁର ଯତ୍ନ ଦାୟିତ୍ୱରେ ଅଛନ୍ତି


PHOTO • Ritayan Mukherjee

ପେଡ଼ିୟାଟ୍ରିକ୍ ଆଇସିୟୁ ଭିତରେ ଜଣେ ଗୁରୁତର ରୋଗୀ। ରେସିଡେଣ୍ଟ ଡାକ୍ତର ସଂଘର ମିଳିତ ମହାସଂଘ ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପାଖକୁ ଡାକ୍ତର ଓ ନର୍ସମାନଙ୍କ ସୁରକ୍ଷା ପାଇଁ ଚିଠି ଲେଖାଯାଇଛି। କାରଣ ପଡ଼ୋଶୀଙ୍କ ଦ୍ୱାରା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ନିର୍ଯାତିତ ହେଉଥିବାର ଅନେକ ମାମଲା ସାମ୍ନାକୁ ଆସିଛି


PHOTO • Ritayan Mukherjee

କୋଭିଡରୁ ସୁସ୍ଥ ହୋଇଥିବା ନର୍ସ ସଂଗୀତା କହିଛନ୍ତି ଯେ, “ମୁଁ କୋଭିଡକୁ ପରାସ୍ତ କରିବା ପରେ ପ୍ରୋଟୋକଲ ଅନୁସାରେ ସଂଗରୋଧରେ ରହିଥିଲି। ଡ୍ୟୁଟିରେ ଯୋଗଦେବା ସମୟରେ ମତେ ମୋ ସହଯୋଗୀମାନେ ସହୃଦୟତାର ସହ ସ୍ୱାଗତ କରିଛନ୍ତି


PHOTO • Ritayan Mukherjee

ମେଡିକାଲ ଟେକ୍ନିସିଆନ ଚଞ୍ଚଳ ସାହା ଦକ୍ଷିଣ ୨୪ ପ୍ରଗଣାର ଏକ ଗାଁର ଏକ ମାସକର ଶିଶୁର ଇଇଜି ଟେଷ୍ଟ କରି ଫେରୁଛନ୍ତି। ବର୍ତ୍ତମାନ ଟେକ୍ନିସିଆନମାନଙ୍କୁ ଅଧିକ ସତର୍କତାର ସହ ପରୀକ୍ଷଣ କରିବାକୁ ପଡ଼ିବ। ଆସୁଥିବା ରୋଗୀଙ୍କ ସଂଖ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସକୁ ଲକ୍ଷ୍ୟ କରନ୍ତୁ


PHOTO • Ritayan Mukherjee

ଟିକାକରଣ ବିଭାଗର ଜଣେ ସହଯୋଗୀ ମୌମିତା ସାହା ନିଜ ସହକର୍ମୀଙ୍କ ମଜାଳିଆ କଥାରେ ହସୁଛନ୍ତି


PHOTO • Ritayan Mukherjee

ଅଧିକ ଚାପଗ୍ରସ୍ତ ସମୟରେ ମାଟ୍ରୋନ, ସିଷ୍ଟର ଇନଚାର୍ଜମାନଙ୍କର ଏକ ପ୍ରମୁଖ ଭୂମିକା ରହିଛି। ରୋଗୀମାନଙ୍କ ଭଲମନ୍ଦ ବୁଝିବା, ଏବଂ ନର୍ସ, ୱାର୍ଡ ଆସିଷ୍ଟାଣ୍ଟ ଓ ସୁଇପରମାନଙ୍କ କାମ ଉପରେ ନଜର ରଖିବା ସେମାନଙ୍କ କାମ। ଏଠାରେ ଝରଣା ରଏ ନାମକ ଜଣେ ମାଟ୍ରୋନ ଜବସିଟ୍ ପ୍ରସ୍ତୁତ କରୁଛନ୍ତି


PHOTO • Ritayan Mukherjee

ୱାର୍ଡ ଆସିଷ୍ଟାଣ୍ଟମାନେ ଏକ ଚାପାନ ବିରତିରେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଡାକ୍ତରଖାନା ପରିସରରେ ରହୁଛନ୍ତି। କାରଣ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଗାଁକୁ ଟ୍ରେନ୍ ସୁବିଧା ନାହିଁ। ଆଉ କେତେଜଣ ଗାଁରେ ସାମାଜିକ ବାସନ୍ଦ ଓ ନିର୍ଯାତନା ଭୟରେ ଏଠାରେ ଅଟକି ରହିଛନ୍ତି


PHOTO • Ritayan Mukherjee

ରିସେପ୍ସନ କାଉଣ୍ଟରରେ ଜଣେ ବ୍ୟକ୍ତି ତାଙ୍କ ସମ୍ପର୍କୀୟଙ୍କ ଆଡମିସନ ସମ୍ପର୍କରେ ଘରଲୋକଙ୍କୁ ଭିଡିଓ କଲ୍ କରି ଜଣାଉଛନ୍ତି


PHOTO • Ritayan Mukherjee

ଇନଷ୍ଟିଚ୍ୟୁଟ୍ ଅଫ୍ ଚାଇଲ୍ଡ ହେଲଥ ୧୯୫୬ରେ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର କେସି ଚୌଧୁରୀଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ଆଇସିଏଚ ଏକ ଅଣଲାଭକାରୀ  ଟ୍ରଷ୍ଟ ଦ୍ୱାରା ପରିଚାଳିତ

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Ritayan Mukherjee

କୋଲକାତାରେ ରହୁଥିବା ରୀତାୟନ ମୁଖାର୍ଜୀଙ୍କର ଫଟୋଗ୍ରାଫି ପ୍ରତି ଆଗ୍ରହ ରହିଛି ଏବଂ ସେ ୨୦୧୬ର ପରୀ ବ୍ୟକ୍ତିତ୍ୱ । ସେ ତିବ୍ଦତୀୟ ମାଳଭୂମି ଅଞ୍ଚଳରେ ଯାଯାବର ପଶୁପାଳକ ସଂପ୍ରଦାୟର ଜୀବନ ଉପରେ ତଥ୍ୟ ସଂଗ୍ରହ କରୁଥିବା ଏକ ଦୀର୍ଘକାଳୀନ ପ୍ରକଳ୍ପରେ କାମ କରୁଛନ୍ତି ।

Other stories by Ritayan Mukherjee