ଗୋଟିଏ ବି ଭୁଲ ସମ୍ଭାଳିବାକୁ ଅସମର୍ଥ ସିରାଜ ମୋମିନ୍ । ଥରେ ହାତ ଖସିଗଲେ ହୁଏତ ସେ ଗୋଟିଏ ମିଟର କପଡ଼ାରୁ ମିଳୁଥିବା ୨୮ ଟଙ୍କା ହରାଇ ପାରନ୍ତି । ଯଥାର୍ଥରେ ଆଡ଼ସୂତା ଓ ଲମ୍ବସୂତାର ହିସାବ ତାଙ୍କୁ ରଖିବାକୁ ହେବ । ତେଣୁ ଆଜିକାଲି ସେ ଏକ ଯବକାଚ ଦେଇ ବୁଣାକାମ ପରଖୁଛନ୍ତି । ଏବଂ ଛ’ ଘଣ୍ଟା ଭିତରେ ହସ୍ତତନ୍ତର ଦୁଇଟି ଯାକ ପେଡାଲକୁ ସେ ମିନିଟ୍‌ରେ ୯୦ ଥର, କିମ୍ବା ଦିନକୁ  ୩୨,୪୦୦ ଥର ଦବାଇ ଥାଆନ୍ତି । ତାଙ୍କ ପାଦ ଚାଳନାରେ ୩,୫୦୦ଟି (ଭିନ୍ନ ଭିନ୍ନ ମେସିନ୍‌ରେ ଏହି ସଂଖ୍ୟା କମ୍‌ ବା ବେଶୀ ହୋଇପାରେ) ତାର ବା ଡୋର ଲାଗିଥିବା ଆୟତାକାର ଢାଞ୍ଚାର ଏକ ସାଜ ବନ୍ଦ ହୁଏ ଏବଂ ଖୋଲେ । ତାଙ୍କର ସ୍ଥିର ପାଦଚାଳନା ଯୋଗୁଁ ଏହି ତାରଗୁଡ଼ିକ ଭିତର ଦେଇ ଯାଇଥିବା ଏକ ଧାତବ ଦଣ୍ଡରେ ଆଡ଼ସୂତା ଗୁଡ଼ାଇ ହୁଏ । ଏହି କାର୍ଯ୍ୟ ସଂପନ୍ନ କଲେ ପ୍ରତି ଇଞ୍ଚରେ ୮୦ଟି ଆଡ଼ସୂତା ଓ ୮୦ଟି ଲମ୍ବସୂତା ଥିବା କପଡ଼ା, ଘଣ୍ଟାକୁ ଗୋଟିଏ ମିଟର ହିସାବରେ ବାହାରି ଥାଏ ।

ସିରାଜଙ୍କୁ ଏବେ ୭୨ ବର୍ଷ, ଏବଂ ୧୫ ବର୍ଷ ବୟସରୁ ଅର୍ଥାତ୍‌ ଅର୍ଦ୍ଧଶତାବ୍ଦୀରୁ ଅଧିକ କାଳ ହେଲା ସେ ଏହି କାମ କରିଆସୁଛନ୍ତି। ତାଙ୍କ ହସ୍ତତନ୍ତର ବୟସ କିନ୍ତୁ ତାଙ୍କଠାରୁ ଦୁଇଗୁଣ। ଶାଗୁଆନ୍‌ କାଠରେ ନିର୍ମିତ ଶହେ ବର୍ଷରୁ ଅଧିକ ପୁରୁଣା ଏହି ତନ୍ତକୁ ସେ ପାରିବାରିକ ଉତ୍ତରାଧିକାରରେ ପାଇଛନ୍ତି । କପଡ଼ା ପ୍ରସ୍ତୁତି ପାଇଁ ୫୭ ବର୍ଷ ଧରି ସେ ଏହା ଉପରେ ଅଙ୍ଗଚାଳନା କରିଆସିଛନ୍ତି। ସୂତା ପରଖିବାକୁ, ହାତ ଓ ଗୋଡ଼ ଚଳାଇବାରେ ସମନ୍ୱୟ ରଖିବାକୁ ଏବଂ କପଡ଼ା ଉପରେ ଆବଶ୍ୟକ ସଂଖ୍ୟକ ଲମ୍ବସୂତା (ଦୈର୍ଘ୍ୟରେ ଥିବା ସୂତା) ଏବଂ ଭରଣି (ପ୍ରସ୍ଥରେ ଥିବା ସୂତା) ରହିଛି ବୋଲି ନିଶ୍ଚିତ କରିବା ସକାଶେ ହସ୍ତତନ୍ତ ପାଇଁ ତାଙ୍କ ଭଳି ଜଣେ କୁଶଳୀ ବୁଣାକାର ଆବଶ୍ୟକ।

ସିରାଜଙ୍କ ଘରେ ଏବେ ସାତ ଫୁଟ୍‌ ଉଚ୍ଚତାର ଦୁଇଟି ହସ୍ତତନ୍ତ ରହିଛି। ଦିନ ଥିଲା, ସେ ସାତଟି ତନ୍ତର ମାଲିକ ଥିଲେ ଏବଂ ସେଥିରୁ କେତେକ ଚଳାଇବା ପାଇଁ ମଜୁରିଆଙ୍କୁ କାମରେ ଲଗାଉଥିଲେ । ସେ କହନ୍ତି, “୧୯୮୦ ଦଶକର ଶେଷ ଭାଗ ପର୍ଯ୍ୟନ୍ତ ବହୁତ କାମ ରହୁଥିଲା ।” ତିନି ଦଶନ୍ଧି ତଳେ ସେ ଗୋଟିକୁ ୧,୦୦୦ ଟଙ୍କା ହିସାବରେ ତାଙ୍କର ତିନିଟି ତନ୍ତ ଅନ୍ୟ ଗାଁର କ୍ରେତାଙ୍କୁ ବିକ୍ରି କରିଦେଲେ ଏବଂ କିଛି ଦିନ ପରେ କୋଲ୍‌ହାପୁର ସହରର ଏକ ବେସରକାରୀ ସଂଗଠନକୁ ଦୁଇଟି ତନ୍ତ ଦାନ କରିଦେଲେ ।

ତିନି ପିଢ଼ି ଧରି କୋଲ୍‌ହାପୁର ଜିଲ୍ଲା ହାତକଣଙ୍ଗଲେ ତାଲୁକାର ୧୯,୬୭୪ (୨୦୧୧ ଜନଗଣନା) ଲୋକ ବସବାସ କରୁଥିବା ତାଙ୍କ ଗାଁ ରେନ୍ଦାଲରେ ସିରାଜଙ୍କ ପରିବାର ହସ୍ତତନ୍ତରେ ବସି କପଡ଼ା ବୁଣିଆସୁଛନ୍ତି ।  ପାଖାପାଖି ୧୯୬୨ ମସିହାରେ ୮ମ ଶ୍ରେଣୀ ପାସ୍‌ କରିବା ପରେ, ସିରାଜ ମଧ୍ୟ ତାଙ୍କ ବାପାଙ୍କ ଭଉଣୀ ହାଲିମାଙ୍କ ପାଖରୁ ଏହି କାରିଗରୀ ଶିଖିଲେ । ହାଲିମା ଥିଲେ ରେନ୍ଦାଲର ଅଳ୍ପ କେତେକ ମହିଳା ବୁଣାକାରଙ୍କ ମଧ୍ୟରୁ ଜଣେ । ଗାଁର ଅଧିକାଂଶ ମହିଳା ହାତରେ ସୂତା କାଟୁଥିଲେ, ଯାହାକି ଭରଣି ଭାବେ ବ୍ୟବହୃତ ହେଉଥିଲା । ବହୁ ବର୍ଷ ପରେ ସିରାଜଙ୍କ ସ୍ତ୍ରୀ ମଇମୁନା ମଧ୍ୟ ତାହା କଲେ । 

PHOTO • Sanket Jain
PHOTO • Sanket Jain

ସିରାଜ ମୋମିନ୍‌ ତାଙ୍କ ପରିବାରରେ ତୃତୀୟ ଓ ଶେଷ ପିଢ଼ିର ବୁଣାକାର; ୭୨ ବର୍ଷ ବୟସରେ ବି ସେ ଖୁବ୍‌ ଯତ୍ନଶୀଳ ଭାବରେ ହସ୍ତତନ୍ତରେ, ବୁଣାକାରଙ୍କ ଦଣ୍ଡ ଉପରେ ସ୍ଥାପିତ ତାର ଡୋରି ଭିତର ଦେଇଯାଇଥିବା ଭରଣି ସୂତାରେ (ବାମ) କପଡ଼ା ତିଆରି କରନ୍ତି ।

ଅନ୍ୟ କେତେକ ସ୍ଥାନ ଭଳି ରେନ୍ଦାଲ ଗାଁରେ ମଧ୍ୟ ଧୀରେ ଧୀରେ ହସ୍ତତନ୍ତ ବନ୍ଦ ହୋଇ କଳତନ୍ତ ପ୍ରଚଳିତ ହେଲା । ଏହି ମେସିନ୍‌ରେ ଶୀଘ୍ର ଏବଂ ଅବିରତ କପଡ଼ା ପ୍ରସ୍ତୁତ ହେଲା ଯାହାକି ହସ୍ତତନ୍ତ ତୁଳନାରେ ଶସ୍ତା ପଡ଼ିଲା । ରେନ୍ଦାଲର କଳତନ୍ତ ସଂଘ ସଭାପତି ରାଓସାହେବ ତାମ୍ବେ କହନ୍ତି, “କଳତନ୍ତରେ ସେଇ ଏକା କପଡ଼ା ମିଟର ପିଛା ତିନି ଟଙ୍କାରୁ କମ୍‌ରେ ପ୍ରସ୍ତୁତ କରାଯାଇପାରିବ।” ତାଙ୍କ ହିସାବରେ ୨୦୦୦ ମସିହାରେ ରେନ୍ଦାଲରେ ୨,୦୦୦- ୩,୦୦୦ କଳତନ୍ତ ଥିଲା ଯାହାକି ଏବେ ୭,୦୦୦-୭,୫୦୦ରେ ପହଞ୍ଚିଲାଣି ।

ସିରାଜ ଜାଣନ୍ତି ଯେ ଆଜିକାଲି ଗ୍ରାହକମାନେ ଶସ୍ତା କପଡ଼ା ପସନ୍ଦ କରନ୍ତି । ସେ କହନ୍ତି, “ସେଇ ଏକା କପଡ଼ା କଳତନ୍ତରେ ବୁଣା ହୋଇଥିଲେ ମିଟରକୁ ୪ ଟଙ୍କାରୁ କେହି ଅଧିକ ଦେବେ ନାହିଁ । ଆମକୁ ୨୮ ଟଙ୍କା ମିଳେ ।” ବୁଣାକାରଙ୍କ ଦକ୍ଷତା ଓ ପ୍ରୟାସ ଏବଂ ଗୁଣମାନ ଯୋଗୁଁ ହସ୍ତତନ୍ତ କପଡ଼ାର ମୂଲ୍ୟ ଅଧିକ ହୋଇଥାଏ । ସିରାଜ ଆହୁରି କହନ୍ତି, “ଲୋକେ ହାତବୁଣା କପଡ଼ାର ମୂଲ୍ୟ ଓ ଗୁଣ ବୁଝନ୍ତି ନାହିଁ ।” ଜଣେ ଶ୍ରମିକ ଅତି କମ୍‌ରେ ଆଠଟି କଳତନ୍ତ ଚଳାଇ ପାରିବେ, କିନ୍ତୁ ପ୍ରତି ହସ୍ତତନ୍ତରେ ଜଣେ ଲେଖାଏଁ ବୁଣାକାର କାମ କରନ୍ତି ଏବଂ ପ୍ରତିଟି ସୂତା ଉପରେ ନଜର ରଖନ୍ତି । ଏହା ହିଁ ପ୍ରତି ହାତବୁଣା କପଡ଼ା ଖଣ୍ଡକୁ ସ୍ୱତନ୍ତ୍ର କରେ ବୋଲି ସେ ମନେ କରନ୍ତି ।

ବର୍ଷ ଗଡ଼ି ଚାଲିବା ସହିତ କଳତନ୍ତର ପ୍ରସାର ଯୋଗୁଁ ରେନ୍ଦାଲର ବୁଣାକାରମାନେ ବି ଏହାକୁ ଆପଣେଇ ନେବାକୁ ପ୍ରୟାସ କରିଛନ୍ତି । ପରମ୍ପରାଗତ ଭାବେ ଏଠାକାର ବୁଣାକାରମାନେ ନୌବାରି ଶାଢ଼ି (ଆଠ ମିଟରରୁ ସାମାନ୍ୟ ଅଧିକ ଲମ୍ବା) ତିଆରି କରୁଥିଲେ। ୧୯୫୦ ଦଶକରେ ସେମାନେ ଚାରି ଘଣ୍ଟାରେ ଗୋଟିଏ ଶାଢ଼ି ବୁଣି ଦେଉଥିଲେ ଏବଂ ପ୍ରତି ଶାଢ଼ି ପିଛା ୧ ଟଙ୍କା ୨୫ ପଇସା ରୋଜଗାର କରୁଥିଲେ । ୧୯୬୦ ବେଳକୁ ଏହି ରାଶି ୨ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଲା । ବଜାର ଚାହିଦାକୁ ଆଖିରେ ରଖି ସିରାଜ ଆଜିକାଲି ଶାର୍ଟ କପଡ଼ା କରୁଛନ୍ତି । ସେ କହନ୍ତି, “ଦୁଇ ଦଶନ୍ଧି ତଳେ ଗାଁର ସମବାୟ ସମିତିଗୁଡ଼ିକ ବନ୍ଦ ହୋଇଯିବା ପରେ ଏହା ଆରମ୍ଭ ହୋଇଥିଲା।”

ସୋଲାପୁର ସହରର ପଶ୍ଚିମ ମହାରାଷ୍ଟ୍ର ହାଥମାଘ ବିକାଶ ମହାମଣ୍ଡଳ ନାମକ କ୍ରୟକାରୀ ନିଗମ ଏବଂ ରେନ୍ଦାଲର ବୁଣାକାରମାନଙ୍କ ଭିତରେ ମଧ୍ୟସ୍ଥ ଭାବେ ଥିଲେ ଦି ଅଟୋମେଟିକ୍‌ ହ୍ୟାଣ୍ଡଲୁମ୍‌ କୋଅପରେଟିଭ୍‌ ବିନ୍‌କର ସୋସାଇଟି ଏବଂ ହାଥମାଘ ବିନ୍‌କର କୋଅପରେଟିଭ ସୋସାଇଟି । ସିରାଜ ମନେ ପକାନ୍ତି ଯେ ହସ୍ତତନ୍ତ ଶାଢ଼ିର ଚାହିଦା ହ୍ରାସ ପାଇବା ଯୋଗୁଁ ୧୯୯୭ରେ ଏହି ସମିତିଗୁଡ଼ିକ ବନ୍ଦ ହୋଇଗଲା ।

କଞ୍ଚାମାଲ ପାଇବା ସହିତ ତାଙ୍କ ହାତବୁଣା କପଡ଼ା ବିକ୍ରି କରିବା ଲାଗି ସିରାଜ, କର୍ଣ୍ଣାଟକର ବେଲଗାମ (ସଂପ୍ରତି ବେଲଗାଭି) ଜିଲ୍ଲା ଚିକୋଡ଼ି ତାଲୁକା ଅନ୍ତର୍ଗତ କୋଗାନୋଲି ଗାଁରେ ଥିବା କର୍ଣ୍ଣାଟକ ହସ୍ତତନ୍ତ ଉନ୍ନୟନ ନିଗମ (KHDC)ର ଏକ ଉପ-କେନ୍ଦ୍ରରେ ନାମ ପଞ୍ଜିକରଣ କଲେ । ମତେ ସେ ୧୯୯୮ ନଭେମ୍ବର ୬ ତାରିଖର ନାମ ପଞ୍ଜିକରଣ ରସିଦ୍‌ ଦେଖାନ୍ତି ଏବଂ ମନେ ପକାଇ କହନ୍ତି ଯେ, ନାମ ପଞ୍ଜିକରଣ ପାଇଁ ରେନ୍ଦାଲ ଗାଁର ୨୯ ଜଣ ବୁଣାକାର ୨୦୦୦ ଟଙ୍କା ଲେଖାଏଁ ଫେରସ୍ତଯୋଗ୍ୟ ଜମା କରିଥିଲେ । ଆଜିକାଲି ତାଙ୍କ ଗାଁର ମାତ୍ର ଚାରି ଜଣ ହସ୍ତତନ୍ତରେ କାମ କରୁଛନ୍ତି- ସିରାଜ୍‌, ବାବାଲାଲ ମୋମିନ, ବାଲୁ ପାରିତ ଏବଂ ବସନ୍ତ ତାମ୍ବେ । (ମିଟର ଓ ଗଜରେ ମପା ଏକ ଜୀବନ ଦେଖନ୍ତୁ ।) ସିରାଜ କହନ୍ତି, “କେତେ ଜଣ ମରିଗଲେଣି, ଆଉ କେତେକ ବୁଣିବା ବନ୍ଦ କରିଦେଲେଣି, ଏବଂ ବାକି ସମସ୍ତେ ସେମାନଙ୍କ ହସ୍ତତନ୍ତ ବିକ୍ରି କରିଦେଲେଣି ।”

PHOTO • Sanket Jain

ହାତରେ ଚରଖା ବୁଲାଇ ସୂତା କାଟୁଥିବା ମଇମୁନା ମୋମିନ କହନ୍ତି, ଯୁବ ପିଢ଼ିର କେହି ହେଲେ ଆଉ ଏ କାମ କରିବେ ନାହିଁ

ସିରାଜଙ୍କ ଘରଠାରୁ ପାଖାପାଖି୨୦୦ ମିଟର ଦୂରରେ, ମାଟିକାଦୁଅ ରାସ୍ତା ଥିବା ଅଣଓସାରିଆ ଗଳିର ଏକ ଚାଳିଆ ତଳେ ୫୭ ବର୍ଷ ହେଲା କପଡ଼ା ବୁଣି ଆସୁଛନ୍ତି ୭୦ ବର୍ଷୀୟା ବାବାଲାଲ ମୋମିନ ।୧୯୬୨ ମସିହାରେ ଉତ୍ତରାଧିକାରୀ ଭାବେ ସେ ତାଙ୍କ ବାପା କୁତବୁଦ୍ଦୀନ୍‌ଙ୍କଠାରୁ ୨୨ଟି ହସ୍ତତନ୍ତ ପାଇଥିଲେ । ଦୁଇ ଦଶନ୍ଧି ପରେ, ବାବାଲାଲଙ୍କୁ ଗୋଟିକୁ ୧,୨୦୦ ଟଙ୍କା ଦରରେ ଏଥିରୁ ୨୧ଟି ତନ୍ତ ବିଭିନ୍ନ ଗାଁର କ୍ରେତାଙ୍କୁ ବିକ୍ରି କରିବାକୁ ପଡ଼ିଲା ।

ବାବାଲାଲଙ୍କ ଚାଳିଆ ପାଖରେ ପଡ଼ି ରହିଛି ହାତବୁଣା ଉପକରଣ, କିଛି ବ୍ୟବହାର ହେଉନାହିଁ, ଆଉ କିଛି ଭାଙ୍ଗିଯାଇଛି । ଏସବୁ ଭିତରେ ରହିଛି ଏକ କାଠ ଦଣ୍ଡ ଏବଂ ଡବି (କିମ୍ବା ମରାଠୀରେ ଦାବି), ଯାହାକୁ କି ତନ୍ତର ଉପରେ ଲଗାଯାଏ ଏବଂ ତଳେ ଥିବା କପଡ଼ାରେ ସୂକ୍ଷ୍ମ ଶୈଳୀ ଓ ଡିଜାଇନ୍‌ କରିବାରେ ବ୍ୟବହାର କରାଯାଏ । ବାବାଲାଲ କହନ୍ତି, “ଏଥିରେ ଏବେ ମୁଁ କ’ଣ କରିବି କେହି ବି ବୁଣାକାର ଏହାକୁ ଉପଯୋଗ କରୁନାହାନ୍ତି। ଆଗାମୀ ପିଢ଼ି ଏହାକୁ ଜାଳେଣିକାଠ ଭାବରେ ବ୍ୟବହାର କରିବ ।”

ସେ ଆହୁରି କହନ୍ତି ଯେ୧୯୭୦ ଦଶକ ବେଳକୁ ଯେତେବେଳେ କଳତନ୍ତର ପ୍ରସାର ହେଲା ହସ୍ତତନ୍ତ ବୁଣାକାରମାନଙ୍କ ଚାହିଦା କମିଲା । ସେ କହନ୍ତି, “ଆଗରୁ ଆମେ ଚାରି ଘଣ୍ଟା କାମ କରୁଥିଲୁ ଏବଂ ଯଥେଷ୍ଟ ରୋଜଗାର କରୁଥିଲୁ । ଆଜିକାଲି, ଆମେ ୨୦ ଘଣ୍ଟା କାମ କଲେ ମଧ୍ୟ, ବଞ୍ଚି ରହିବା ପାଇଁ ବି ଯଥେଷ୍ଟ ରୋଜଗାର କରିପାରିବୁନି ।”

ବାବାଲାଲ ଯେଉଁ କପଡ଼ା ବୁଣନ୍ତି ତାହାର ପ୍ରତି ଇଞ୍ଚରେ ୫୦ଟି ଲମ୍ବସୂତା ଓ ୫୦ଟି ଆଡ଼ସୂତା ଥାଏ । ପ୍ରତି ମିଟର ପାଇଁ ସେ KHDC ନିକଟରୁ ୧୯ ଟଙ୍କା ପାଆନ୍ତି । ୪୫ ଦିନରେ ସେ ପ୍ରାୟ ୨୫୦ ମିଟର କପଡ଼ା ବୁଣନ୍ତି, ଯେଉଁଥିରୁ ତାଙ୍କୁ ୪,୭୫୦ ଟଙ୍କା ମିଳେ । ପ୍ରତି ଇଞ୍ଚରେ ଥିବା ଲମ୍ବସୂତା ଓ ଆଡ଼ସୂତାର ସଂଖ୍ୟା, ସୂତାର ପ୍ରକାର ଏବଂ ଗୁଣମାନ ସମେତ ସଂଖ୍ୟାଧିକ କାରଣରୁ ବୁଣାଯାଇଥିବା କପଡ଼ାର ଦର ନିର୍ଦ୍ଧାରିତ ହୁଏ ।

ବଜାର ଚାହିଦାକୁ ଆଖିରେ ରଖି ହସ୍ତତନ୍ତ କପଡ଼ାର ଦରକୁ ଯଥାସମ୍ଭବ ଶସ୍ତା କରିବା ଦିଗରେ ସମବାୟ ସମିତିଗୁଡ଼ିକ ମଧ୍ୟ ଉଦ୍ୟମ କରିଛନ୍ତି । ଏହା କରିବାର ଗୋଟିଏ ଉପାୟ ହେଲା ସୂତା ସହ ପଲିଷ୍ଟରର ମିଶ୍ରଣ କରିବା । ବାବାଲାଲ  KHDCରୁ ପାଉଥିବା ସୂତାରେ ୩୫ପ୍ରତିଶତ କପାସୂତା ଏବଂ ୬୫ ପ୍ରତିଶତ ପଲିଷ୍ଟର ଥାଏ । ସେ କହନ୍ତି, “ଗୋଟିଏ ଦଶନ୍ଧି ତଳୁ ଆମେ ୧୦୦ ପ୍ରତିଶତ କପା ସୂତା ବ୍ୟବହାର ବନ୍ଦ କରିଦେଲୁ, କାରଣ ଏହାର ଦର ଅଧିକ ହୋଇଯାଏ ।”

ବାବାଲାଲଙ୍କ ସ୍ତ୍ରୀ, ୬୮ ବର୍ଷୀୟା ରାଜିୟା କହନ୍ତି ଯେ ସରକାରଙ୍କଯୋଗୁଁ ବୁଣାକାରମାନେ ବିଫଳ ହୋଇଛନ୍ତି । “କିଛି ବର୍ଷରେ, ଥରେ ସରକାରୀ ବାବୁମାନେ ଆସି ଆମଠାରୁ ତଥ୍ୟ ନିଅନ୍ତି ଏବଂ ହସ୍ତତନ୍ତ ଉପରେ ଚକ୍‌ ଖଡ଼ିରେ କିଛି ଲେଖନ୍ତି (ହସ୍ତତନ୍ତ ଗଣନା ଅନ୍ତର୍ଗତ ପ୍ରକ୍ରିୟା)। ଯଦି ସେମାନେ ଆମ କପଡ଼ାକୁ ଭଲ ଦରରେ ନେଇ ନପାରିବେ ଏ ସବୁ କି କାମରେ ଲାଗିବ?” ରାଜିୟା ବାବୁଲାଲଙ୍କ ସହ କାମ କରୁଥିଲେ । ଚରଖା ବା ତାକୁଡ଼ି ଉପରେ ସୂତା ଗୁଡ଼ାଇବା ଲାଗି ଏକ ମେସିନ୍‌ (ଚରଖା ଭଳି) ବ୍ୟବହାର କରୁଥିଲେ । ପ୍ରାୟ ଦୁଇ ଦଶନ୍ଧି ତଳେ ପିଠିରେ ପ୍ରବଳ ଯନ୍ତ୍ରଣା ହେବା ଯୋଗୁଁ ସେ କାମ ଛାଡ଼ିବାକୁ ବାଧ୍ୟ ହେଲେ। (ସାଧାରଣତଃ ମହିଳାମାନେ କରୁଥିବା ସୂତା ଗୁଡ଼ାଇବା ଏବଂ କାଟିବା କାମରେ କଠିନ ଶାରୀରିକ ପରିଶ୍ରମ ଯୋଗୁଁ ସେମାନଙ୍କର ପିଠିରେ ଯନ୍ତ୍ରଣା, କାନ୍ଧରେ ଯନ୍ତ୍ରଣା ବା ଅନ୍ୟ ରୋଗ ଉପୁଜିଥାଏ ।)

୨୦୦୯-୧୦ରେ ବୟନଶିଳ୍ପ ମନ୍ତ୍ରାଳୟ ପାଇଁ ନୂଆଦିଲ୍ଲୀର ଜାତୀୟ ପ୍ରୟୋଗାତ୍ମକ ଅର୍ଥନୀତି ଗବେଷଣା ପରିଷଦ ପକ୍ଷରୁ କରାଯାଇଥିବା ଭାରତର ହସ୍ତତନ୍ତ ଗଣନାରୁ ଜଣାପଡ଼ିଥିଲା ଯେ ଗ୍ରାମାଞ୍ଚଳରେ ଥିବା ପ୍ରତ୍ୟେକ ହସ୍ତତନ୍ତ ପରିବାର ବାର୍ଷିକ ହାରାହାରି ୩୮,୨୬୦ ଟଙ୍କା, କିମ୍ବା ମାସିକ ୩୧୮୮ ଟଙ୍କା ୩୩ ପଇସା ରୋଜଗାର କରନ୍ତି । ଏହି ଗଣନା ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଥିଲା ଯେ, ୧୯୯୫ ମସିହାରେ ଭାରତରେ ବୁଣାକାରଙ୍କ ସଂଖ୍ୟା  ୩୪.୭୧ ଲକ୍ଷ ଥିବା ବେଳେ ୨୦୧୦ରେ ଏହା ୨୯.୦୯ ଲକ୍ଷକୁ ଖସିଆସିଥିଲା ।

PHOTO • Sanket Jain

ଏକ ଲୁପ୍ତପ୍ରାୟ ପ୍ରକ୍ରିୟାର ଅବଶେଷ । ଉପର ବାମ: ବାଲୁ ପାରିତଙ୍କ କାର୍ଯ୍ୟଶାଳାରେ କାଠର ଏକ ପୁରୁଣା ତାକୁଡ଼ି । ଏଥିରୁ ଅଧିକାଂଶ ବଦଳାଇ ଏବେ ପ୍ଲାଷ୍ଟିକ୍‌ ତାକୁଡ଼ି ଲଗାଯାଇଛି ଯେଉଁଥିରେ ଆଡ଼ସୂତା ଗୁଡ଼ା ହୋଇଥାଏ । ଉପର ଡାହାଣ: ହସ୍ତତନ୍ତର ଡୋରି ଭିତର ଦେଇ ଯାଉଥିବା ଲମ୍ବସୂତା । ତଳ ବାମ: ବାଲୁଙ୍କ ତନ୍ତ ପାଖରେ ହାତରେ ଗୁଡ଼ାଇବା କାମରେ ଲାଗୁଥିବା କେତେକ ଉପକରଣ । ତଳ ଡାହାଣ: ଭରଣିର ଗୋଟିଏ ମୁଣ୍ଡରୁ ଆର ମୁଣ୍ଡ ଯାଏଁ ଯା’ଆସ କରୁଥିବା କାଠ ଖଣ୍ଡ ।

ସେମାନଙ୍କ ମଧ୍ୟରେ ଅଛନ୍ତି ରେନ୍ଦାଲର ଚତୁର୍ଥ ବୁଣାକାର, ୭୬ ବର୍ଷ ବୟସ୍କ ବାଲୁ ପାରିତ । ଏକଦା ତାଙ୍କ ଗାଁରେ ଗହଳଚହଳ ଲାଗି ରହୁଥିବା ଏବଂ ଅନେକ ତନ୍ତ ଥିବା ଏକ ହସ୍ତତନ୍ତ କାରଖାନାରେ ଜଣେ ଶ୍ରମିକ ଭାବେ ସେ କାମ ଆରମ୍ଭ କରିଥିଲେ । ହସ୍ତତନ୍ତ ଚାଳନାରେ ନିଜକୁ ପ୍ରଶିକ୍ଷିତ କରାଇବା ପରେ ୧୯୬୨ ମସିହାରେ ବାଲୁ ଜଣେ ବୁଣାକାର ଭାବେ କାମ ଆରମ୍ଭ କଲେ । ସେ କହନ୍ତି, “ଚାରି ବର୍ଷ କାଳ ମୁଁ କେବଳ ସୂତା କାଟୁଥିଲି ଏବଂ ଗୁଡ଼ାଉଥିଲି । ଧୀରେ ଧୀରେ ହସ୍ତତନ୍ତ ବ୍ୟବହାର ଆରମ୍ଭ କଲି ଏବଂ ସେମିତି କରି କରି ମୁଁ ବୁଣିବା ଶିଖିଲି ।” ହସି ହସି ସେ କହନ୍ତି, “୩୦୦ଟି ତାକୁଡ଼ିରେ ସୂତା ଗୁଡ଼ାଇବା ପରେ ଆମକୁ ଏକ ଟଙ୍କା ମିଳୁଥିଲା (୧୯୫୦ ଦଶକର ଶେଷ ଭାଗରେ)।” ଏହି କାମ କରିବାକୁ ତାଙ୍କୁ ଚାରି ଦିନ ଲାଗୁଥିଲା ।

୧୯୬୦ ମସିହାରେ, ରେନ୍ଦାଲର ଜଣେ ବୁଣାକାରଙ୍କ ପାଖରୁ ୧,୦୦୦  ଟଙ୍କା ଦେଇ ବାଲୁ ଗୋଟିଏ ହସ୍ତତନ୍ତ କିଣିଲେ । ସେ କହନ୍ତି, “ଆଜି ବି ମୁଁ ସେଇ ତନ୍ତ ବ୍ୟବହାର କରେ’’। ‘‘ବେକାର ହୋଇ ନ ବସିବା ଲାଗି ମୁଁ କାମ କରେ ।” ୬୦ରୁ କିଛିଟା ଅଧିକ ବର୍ଷର ବାଲୁଙ୍କ ସ୍ତ୍ରୀ ବିମଲ ଜଣେ ଗୃହିଣୀ, ଯିଏ କି କିଛି ବର୍ଷ ତଳେ ଲୁଗା ସଫା କରି ରୋଜଗାର କରୁଥିଲେ । ୪୦ରୁ ଅଧିକ ବର୍ଷ ବୟସର ତାଙ୍କ ପୁଅ କୁମାର ଲୁଗାପଟା ଇସ୍ତ୍ରୀ କରନ୍ତି ।

ସିରାଜ ଏବଂ ମଇମୁନାଙ୍କ ୪୩ ବର୍ଷର ବଡ଼ପୁଅ ସର୍ଦ୍ଦାର କୋଲ୍‌ହାପୁର ଜିଲ୍ଲା ହୁପାରି ସହରର ଏକ ଚିନିକଳରେ ଶ୍ରମିକ ଭାବେ କାମ କରନ୍ତି ଏବଂ ୪୧ ବର୍ଷର ସାନପୁଅ ସତ୍ତାର ରେନ୍ଦାଲର ଜଣେ ବ୍ୟବସାୟୀଙ୍କ ପାଖରେ କାମ କରନ୍ତି । ସେମାନଙ୍କ ୪୧ ବର୍ଷୀୟା ଝିଅ ବିବିଜାନ୍‌ ବିବାହିତା ଏବଂ ଜଣେ ଗୃହିଣୀ । ସତ୍ତାର କହନ୍ତି, “ହସ୍ତତନ୍ତ କପଡ଼ା ଲାଗି ବଜାର ନାହିଁ । ତେଣୁ ଆମେ ଏହି କଳା ନ ଶିଖିବାକୁ ସ୍ଥିର କଲୁ ।”

ବାବାଲାଲଙ୍କ ପରିବାର ଲୋକେ ମଧ୍ୟ ଲୁଗାବୁଣା ଛାଡ଼ି ଅନ୍ୟ କାମରେ ଲାଗିଛନ୍ତି । ତାଙ୍କ ବଡ଼ପୁଅ ୪୧ ବର୍ଷ ବୟସ୍କ ମୁନିର ରେନ୍ଦାଲରେ ତେଜରାତି ଦୋକାନ ଚଳାଉଛନ୍ତି । ଦ୍ୱିତୀୟ ପୁଅ, ୩୯ ବର୍ଷୀୟ ଜାମିର ଜଣେ କୃଷି ଶ୍ରମିକ ଭାବେ କାମ କରନ୍ତି । ସବା ସାନପୁଅ ୩୬ ବର୍ଷୀୟ ସମୀର ପାଖ ଗାଁରେ ଏକ ମାଂସ ଦୋକାନ କରିଛନ୍ତି । ଏବେ ହସ୍ତତନ୍ତରେ କେବଳ ବାବାଲାଲ ହିଁ ଅଛନ୍ତି ।

“ଆଜି ବି କର୍ଣ୍ଣାଟକରେ (ସୀମା ଆରପଟେ) ହଜାର ହଜାର ହସ୍ତତନ୍ତ ରହିଛି । ମହାରାଷ୍ଟ୍ର ସରକାର ମଧ୍ୟ କାହିଁକି ହସ୍ତତନ୍ତ ଶିଳ୍ପକୁ ବଞ୍ଚାଇ ରଖିପାରିବେନି?” କ୍ଷୋଭରେ କହନ୍ତି ବାବୁଲାଲ । ହସ୍ତତନ୍ତ ଗଣନାରୁ ଜଣାପଡ଼େ ଯେ ୨୦୦୯-୧୦ ମସିହାରେ କର୍ଣ୍ଣାଟକରେ ୩୪,୬୦୬ଟି କାର୍ଯ୍ୟକ୍ଷମ ତନ୍ତ ରହିଥିବା ବେଳେ ମହାରାଷ୍ଟ୍ରରେ ୩,୨୫୧ଟି ଥିଲା । ଏଥିରୁ ରେନ୍ଦାଲରେ ରହିଛି ମାତ୍ର ଚାରିଟି । “ଆମେ ଚାରି ଜଣ ମରିଯିବା ପରେ ଏହି ପେସା ମଧ୍ୟ ମରିଯିବ”। ବାବାଲାଲ ମୋମିନ କହନ୍ତି ଏବଂ ତାଙ୍କ ତନ୍ତ ପାଖକୁ ଫେରିଯାଆନ୍ତି ।
PHOTO • Sanket Jain

ରେନ୍ଦାଲ ଗାଁର ହସ୍ତତନ୍ତ ଶିଳ୍ପର ନିଷ୍ପ୍ରଭ ଆଲୋକରେ, ମଇମୁନା ମୋମିନ ଏହି ଚରଖା ଭଳି ସୂତାକଟା ମେସିନ୍‌ ବ୍ୟବହାର କରି ହାତରେ ସୂତା କାଟନ୍ତି 

PHOTO • Sanket Jain
PHOTO • Sanket Jain

କାର୍ଯ୍ୟରତ ବାବାଲାଲ ମୋମିନ୍‌: ଭରଣିର ଭଙ୍ଗାମୁଣ୍ଡ (ହସ୍ତତନ୍ତର ଭରଣିଗୁଡ଼ିକ ବାରମ୍ବାର ଭାଙ୍ଗିଯାଇଥାଏ) ଖୋଜିବାକୁ ପ୍ରୟାସ କରୁଛନ୍ତି ଏବଂ (ଡାହାଣ) ଭରଣିର ଗୋଟିଏ ସୂତାକୁ ସଯତ୍ନେ ପରଖୁଛନ୍ତି

PHOTO • Sanket Jain

ସେମାନଙ୍କର ଅତି କୁଶଳୀ କାମ ବଦଳରେ ରେନ୍ଦାଲର ବୁଣାକାରମାନେ ପାଉଥିବା କମ୍‌ ଦର ସଂପର୍କରେ ବାବାଲାଲ ପଚାରନ୍ତି, ଆମେ ଚାରି ଜଣ ବୁଣାକାର କେମିତି ପ୍ରତିବାଦ କରିବୁ ?’’

PHOTO • Sanket Jain
PHOTO • Sanket Jain

ଭରଣିର ସୂତା ପରଖୁଛନ୍ତି ବାଲୁ ପାରିତ –ସତର୍କତାର ସହ ଅବିରତ ଯାଞ୍ଚ କରା ନଗଲେ କପଡ଼ାର ଗୁଣମାନ ହ୍ରାସ ପାଇବ

PHOTO • Sanket Jain

ବୁଣାକାମ ଶିଖିବାରେ ବାଲୁ ଥିଲେ ତାଙ୍କ ପରିବାର ପ୍ରଥମ ସଦସ୍ୟ- ଏବଂ ଏବେ ରେନ୍ଦାଲ ଗାଁର ଶେଷ ଚାରି ଜଣ ବୁଣାକାରଙ୍କ ମଧ୍ୟରୁ ଜଣେ

PHOTO • Sanket Jain
PHOTO • Sanket Jain

ଏହି ଚରଖା ଭଳି ମେସିନ୍‌ଟି (ବାମ) ଆଜିକାଲି ଖୁବ୍‌ କମ୍‌ ବ୍ୟବହୃତ ହୁଏ ଏବଂ ଶତାଧିକ ବର୍ଷ ପୁରୁଣା ବୁଣାକାରଙ୍କ କାଠଦଣ୍ଡ ଏବଂ ଅନ୍ୟ ଉପକରଣ (ଡାହାଣ) ରେନ୍ଦାଲରେ ଧୂଳି ଭିତରେ ପଡ଼ି କହୁଛି ହସ୍ତତନ୍ତର ଗୌରବମୟ ସମୟର କଥା 

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Sanket Jain

ସଙ୍କେତ ଜୈନ ହେଉଛନ୍ତି ମହାରାଷ୍ଟ୍ରର କୋହ୍ଲାପୁରର ଜଣେ ସାମ୍ବାଦିକ ଏବଂ ୨୦୧୯ର ପରୀ ଫେଲୋ।

Other stories by Sanket Jain