ସେପ୍ଟେମ୍ବର ୧୦ ତାରିଖରେ କିଛି ଚାଷୀ ବିଶେଷ କରି ଗୋଣ୍ଡ ସଂପ୍ରଦାୟର ଆଦିବାସୀମାନେ ପଦଯାତ୍ରା ଓ ଟ୍ରାକ୍ଟର ମାଧ୍ୟମରେ ବସ୍ତର ଜିଲ୍ଲାର ଜିଲ୍ଲା ମୁଖ୍ୟାଳୟ ଜଗଦଲପୁରରୁ ପ୍ରାୟ ୨୮୦ କିମି ଦୂର ଛତିଶଗଡ଼ର ରାଜଧାନୀ ରାୟପୁର ଅଭିମୁଖେ ବାହାରିଲେ । ସେମାନେ କୋଡେବୋଡ ଗାଁରେ ବିଶ୍ରାମ କରୁଥିବା ସମୟରେ ମୁଁ ସେମାନଙ୍କୁ ଭେଟିଲି । ସେତେବେଳେ ପ୍ଲାକାର୍ଡଗୁଡ଼ିକ ତଳେ ରଖାଯାଇଥିଲା, ଛୋଟ ବ୍ୟାଗ୍ ଓ ଅନ୍ୟାନ୍ୟ ଜିନିଷପତ୍ର ତା’ ଚାରିପାଖରେ ଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ହିନ୍ଦୀ କହୁନଥିଲେ କେବଳ ହାଲବି କିମ୍ବା ଗୋଣ୍ଡି କହୁଥିଲେ ।

ବସ୍ତର ଜିଲ୍ଲାର ସୋନୁରାମ କାଶ୍ୟପ କହିଲେ, ‘‘ଆମେ ଜଗଦଲପୁର ସହରର ଦାନ୍ତେଶ୍ୱରୀ ମନ୍ଦିରରୁ ଚଳିତମାସ ୧୦ ତାରିଖରେ ପଦଯାତ୍ରା ଆରମ୍ଭ କଲୁ ଏବଂ ସେପ୍ଟେମ୍ବର ୧୮ ତାରିଖରେ ରାୟପୁରରେ ପହଞ୍ଚିବୁ’’। “ଆମେ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ ଆମର କୃଷି ଋଣ ଛାଡ଼ ପାଇଁ ଅନୁରୋଧ କରିବାକୁ ଚାହୁଁଛୁ ଏବଂ (ଆମେ ଆମର) ଅନ୍ୟ ଦାବିକୁ ଉପସ୍ଥାପନ କରିବାକୁ ଚାହୁଁଛୁ ।

“ଆମେ କ୍ଷୁଦ୍ର ଚାଷୀ । ଆମର ଜମି ବର୍ଷା ଉପରେ ନିର୍ଭର କରେ । ଯଦି ବର୍ଷା ନ ହୁଏ ତା’ ହେଲେ ଚାଷ ହେବ ନାହିଁ । ଆମର ୨-୩ ଏକର ଜମି ଉପରେ ଆମେ ଋଣ କରିଛୁ । ୨୦୧୨ରେ ମୋର ବାପା ଜିଲ୍ଲା ସମବାୟ ବ୍ୟାଙ୍କରୁ ୬୦ ହଜାର ଟଙ୍କାର ଋଣ ନେଇଥିଲେ । ସେ ଋଣର କିଛି ଅଂଶ ପରିଶୋଧ କରିଥିଲେ ଏବଂ ୨୦୧୪ରେ ମରିଗଲେ । କିନ୍ତୁ ବର୍ତ୍ତମାନ ବ୍ୟାଙ୍କ୍ କହୁଛି ଯେ ଆମର ୨ ଲକ୍ଷ ଟଙ୍କାର ଋଣ ରହିଛି । ସେଥିପାଇଁ ମୁଁ ରାୟପୁର ଅଭିମୁଖେ ବାହାରିଥିବା ଏହି ଯାତ୍ରାରେ ସାମିଲ ହୋଇଛି ।’’

farmers are taking rest
PHOTO • Purusottam Thakur
Belongings of farmers participating in march
PHOTO • Purusottam Thakur

ବସ୍ତର ଜିଲ୍ଲାର ବୁରୁଙ୍ଗପାଲ ଗ୍ରାମର ଗୁନା ନାଗ ମୋତେ ସେ କିଭଳି ଏକ ଟ୍ରାକ୍ଟର ଫାଇନାନ୍ସ କଂପାନି ଦ୍ୱାରା ଠକାମିର ଶିକାର ହୋଇଛନ୍ତି ତାହା କହିଲେ । ଯେତେବେଳେ ସେ ଋଣର କିସ୍ତି ଦେବାରେ ସକ୍ଷମ ହେଲେ ନାହିଁ  ସେମାନେ କିଭଳି ଭାବେ ତାଙ୍କର ଟ୍ରାକ୍ଟର ନେଇଗଲେ ତାହା ପ୍ରକାଶ କଲେ। ବସ୍ତରରେ ଏଭଳି ମାମଲା ସାଧାରଣ । ନିରକ୍ଷର ଚାଷୀମାନେ ସହଜରେ ଦଲାଲମାନଙ୍କ ଦ୍ୱାରା ଠକାମିର ଶିକାର ହୋଇଥାନ୍ତି ଯେଉଁମାନେ କି ସେମାନଙ୍କୁ ବ୍ୟାଙ୍କ ଓ ଫାଇନାନ୍ସ କଂପାନିଠାରୁ ଉଚ୍ଚ ସୁଧ ହାରରେ ଋଣ ପାଇବାରେ ସହାୟତା କରିଥାନ୍ତି ଏବଂ ପରେ ସେଥିରୁ କିଛି ହଡ଼ପ କରି ନିଅନ୍ତି । ଚାଷୀମାନେ ଏହି ଜାଲିଆତି ମାମଲାଗୁଡ଼ିକର ତଦନ୍ତ ପାଇଁ ଏକ କମିଟି ଏବଂ କଂପାନି ଜବତ କରି ନେଇଥିବା ଟ୍ରାକ୍ଟରଗୁଡ଼ିକୁ ସେମାନଙ୍କୁ ଫେରାଇଦେବାକୁ ଦାବି କରିଛନ୍ତି ।

ସେମାନଙ୍କର ଅନ୍ୟ ଦାବି ମଧ୍ୟରେ ଧାନ ପାଇଁ ଅଧିକ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ, ଫସଲବୀମାର ସଂପୂର୍ଣ୍ଣ ଟଙ୍କା ପଇଠ ଏବଂ ଚାଷ ପାଇଁ ବ୍ୟବହୃତ ଗାଡ଼ିର ..  ସାମିଲ । ସୋନୁ କଶ୍ୟପ କହିଲେ, ‘‘ଆମେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଶାନ୍ତିପୂର୍ଣ୍ଣ ଭାବେ ଆମର ଦାବି ରଖିବୁ ଏବଂ ତାଙ୍କୁ ଆମର କୃଷିଋଣ ଛାଡ଼ କରିବା ଓ ଏଭଳି ଦଲାଲମାନଙ୍କଠାରୁ ମୁକ୍ତି ଦେବାକୁ ଅନୁରୋଧ କରିବୁ । “ଆମେ ତାଙ୍କୁ ଆମର ସମସ୍ୟା ବିଷୟରେ ଜଣାଇବୁ ।’’

Purusottam Thakur

Purusottam Thakur is a 2015 PARI Fellow. He is a journalist and documentary filmmaker and is working with the Azim Premji Foundation, writing stories for social change.

Other stories by Purusottam Thakur
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE