୨୦୧୮, ନଭେମ୍ବର ୩୦ରେ ମୁଁ ଦିଲ୍ଲୀର ନିଜାମୁଦ୍ଦିନ ରେଲଓ୍ୱେ ଷ୍ଟେସନରେ ଥିଲି। କିସାନ ମୁକ୍ତିମୋର୍ଚ୍ଚାରେ ଭାଗ ନେବା ପାଇଁ ରାଜଧାନୀରେ ଆସି ପହଞ୍ଚୁଥିବା କୃଷକମାନଙ୍କ ସହ କଥାବାର୍ତ୍ତା କରିବା ପାଇଁ। ମୁଁ ଦୂରରୁ ଦଳେ ପୁରୁଷ, ମହିଳା ଏବଂ ପିଲାମାନଙ୍କୁ ଦେଖିଲି। ସେମାନେ ମୁଣ୍ଡରେ ଝୋଟ ଅଖା ଏବଂ କାନ୍ଧରେ ଛୋଟ ଛୋଟ ବ୍ୟାଗ ରଖି ଟର୍ମିନସ୍‌ରୁ ବାହାରୁଥିଲେ। 

ମୁଁ ଭାବିଲି ସେମାନେ କୃଷକ, ରାଲିରେ ଭାଗ ନେବାକୁ ଆସିଛନ୍ତି। ଏହାପରେ ମୁଁ ବୁଝିପାରିଲି, ସେମାନେ ଛତିଶଗଡ଼ରୁ ଆସିଥିବା ଶ୍ରମିକ, ଯେଉଁମାନେ କି ଏଠାକୁ କାମର ସନ୍ଧାନରେ ଆସିଛନ୍ତି। ରାୟଗଡ଼ ଜିଲ୍ଲାର ଖର୍ସିଆ ତହସିଲର ଛୋଟେ ମୁଦପୁର ଗ୍ରାମରୁ ଆସିଥିବା ୨୭ବର୍ଷ ବୟସ୍କ ଇତ୍‌ଓ୍ୱାରା ଜୋହ୍ଲେ କହିଥିଲେ, ‘‘ଆମେ ହରିୟାଣାର ଜିନ୍ଦଲ ପାଓ୍ୱାର ଭଟ୍ଟା [ପ୍ଲାଣ୍ଟ]ରେ କାମ କରିବାକୁ ଯାଉଛୁ।’’ ତାଙ୍କ ସ୍ୱାମୀ ଶଙ୍କର କହିଲେ, ଏହା ଦିଲ୍ଲୀ ସୀମା ନିକଟରେ କେଉଁଠି କିନ୍ତୁ ତାହାର ପ୍ରକୃତ ସ୍ଥାନ କହିପାରିଲେ ନାହିଁ।

ଇତ୍‌ଓ୍ୱାରା ଶଙ୍କର ଏବଂ ତାଙ୍କ ସହ ଥିବା ଅନ୍ୟ ଦୁଇଟି ପରିବାର ଆଖପାଖ ଅଞ୍ଚଳରେ ପାଓ୍ୱାର ପ୍ଲାଣ୍ଟ କିମ୍ବା ଇଟାଭାଟିରେ କାମ ଖୋଜନ୍ତି। ଏହି ଦମ୍ପତି କହିଥିଲେ, ସେମାନେ ତିନିବର୍ଷ ହେବ କାମ ପାଇଁ ଦିଲ୍ଲୀ-ହରିୟାଣାକୁ ଆସୁଛନ୍ତି। ଚଳିତ ଥର ନଭେମ୍ବର ୨୦ରେ ଛତିଶଗଡ଼ ବିଧାନସଭା ନିର୍ବାଚନରେ ଭୋଟ ଦେବା ପରେ ସେମାନେ ଆସିଛନ୍ତି। 

Entire families of migrants, young and old, look for work and stay on the streets
PHOTO • Purusottam Thakur
Families of migrants, young and old, look for work and stay on the streets
PHOTO • Purusottam Thakur

ବାମ: ଇତ୍‌ଓ୍ୱାରା ଜୋହ୍ଲେ ଓ ତାଙ୍କର ସ୍ୱାମୀ ରାୟଗଡ଼ ଜିଲ୍ଲାରୁ ଆସିଛନ୍ତି ଏବଂ ପାଓ୍ୱାର ପ୍ଲାଣ୍ଟରେ ଶ୍ରମିକ ଭାବରେ କାମ ଖୋଜି ପାଇବାକୁ ଆଶା ରଖିଛନ୍ତି। ଡାହାଣ: ପ୍ରବାସୀମାନଙ୍କ ସମୁଦାୟ ପରିବାର, ସାନରୁ ବଡ଼ ପର୍ଯ୍ୟନ୍ତ କାମ ଖୋଜନ୍ତି ଏବଂ ରାସ୍ତାରେ ରୁହନ୍ତି।

ସେମାନେ ସତ୍‌ନାମୀ ଅନୁସୂଚିତ ଜାତି ସମୂହର। ଶଙ୍କର କୁହନ୍ତି, ‘‘ଆମେ ଭୂମିହୀନ ଶ୍ରମିକ। ଅମଳ ଋତୁ ପର୍ଯ୍ୟନ୍ତ ଆମେ ଚାଷ ଜମିରେ ଦିନିକିଆ ମଜୁରିରେ କାମ କରୁ [ଦିନକୁ ପ୍ରାୟ ୧୫୦ଟଙ୍କା ଲେଖାଏଁ ମଜୁରି]। ଏହାପରେ ଆମକୁ ଗାଁ ଛାଡ଼ି ବାହାରେ କାମ କରିବାକୁ ହୁଏ।’’

ଏହି ଗ୍ରୁପ୍‌ରେ ରାୟଗଡ଼ ଜିଲ୍ଲାର ସାରଙ୍ଗଗଡ଼ ତହସିଲ୍‌ର ଗୋଣ୍ଡା ଗ୍ରାମର ଅଜୟ ଏବଂ ଦିବ୍ୟା ଧରିଆ ମଧ୍ୟ ଥିଲେ। ଅଜୟ ଗତ କେଇବର୍ଷ ହେବ ଇଟାଭାଟିରେ କାମ କରିଆସୁଛନ୍ତି। କିନ୍ତୁ ଦୁଇବର୍ଷ ତଳେ ତାଙ୍କୁ ବିବାହ କରିଥିବା ଦିବ୍ୟା ଏଥର ପ୍ରଥମଥର ପାଇଁ ତାଙ୍କ ସହ ଆସିଛନ୍ତି।

Rajendra Shinde and his wife Sonali with their child in search of work
PHOTO • Purusottam Thakur
Families, who had come to Delhi due to the drought back home
PHOTO • Purusottam Thakur

ବାମ : ମହାରାଷ୍ଟ୍ରର ଜଲଗାଓଁ ଜିଲ୍ଲାର ରାଜେନ୍ଦ୍ର ଶିନ୍ଦେ ଏବଂ ତାଙ୍କ ପତ୍ନୀ ସୋନାଲି ଭୂମିହୀନ ଶ୍ରମିକ। ନିଜ ଅଞ୍ଚଳରେ ମରୁଡ଼ି ଯୋଗୁ ସେମାନେ ନିଜ ସନ୍ତାନ ଏବଂ ଅନ୍ୟ ପରିବାରଗୁଡ଼ିକ ସହ ଦିଲ୍ଲୀକୁ ଆସିଛନ୍ତି। 

ଏହାପରେ ଗୋଟିଏ ଓଭରବ୍ରିଜ୍‌ରେ ମୁଁ ପ୍ରାୟ ୫୦ଟି ପରିବାରକୁ ରାସ୍ତାକଡ଼ରେ ଦେଖିଲି। ଯେହେତୁ ଏହା ସକାଳ ସମୟ ଥିଲା, ମହିଳାମାନେ ନିଜ ନିଜର ପରିବାର ପାଇଁ ରୋଟି ପ୍ରସ୍ତୁତିରେ ବ୍ୟସ୍ତ ଥିଲେ। ମହାରାଷ୍ଟ୍ରର ଆକୋଲା ଜିଲ୍ଲାରୁ ଆସିଥିବା ପାର୍ବତୀ କହିଥିଲେ, ‘‘ଆମ ଅଞ୍ଚଳରେ ମରୁଡ଼ି ପଡ଼ିଛି, କ୍ଷେତରେ ଆମ ପାଇଁ କାମ ନାହିଁ, ତେଣୁ ଆମେ କାମର ସନ୍ଧାନରେ ଏଠାକୁ ଆସିଛୁ। ଆମେ ଏଠାରେ ଗତ କେଇଦିନ ହେବ ଅଛୁ ଏବଂ ସହରର ନିର୍ମାଣ କାର୍ଯ୍ୟଗୁଡ଼ିକରେ ନିଜ ପାଇଁ କାମ ଖୋଜୁଛୁ।’’

ମୁଁ ପଚାରିଲି, ତମେମାନେ ଏହି ଓଭରବ୍ରିଜ୍‌ରେ ରହିବ? ସେ ଉତ୍ତର ଦେଲେ, ‘‘ନା, ଆମେ ଯେଉଁଠାରେ କାମ ପାଇବୁ ସେଠାରେ ରହିବୁ।’’

ଏହାପରେ ମୁଁ ମହାରାଷ୍ଟ୍ରର ନାସିକ୍‌ ଜିଲ୍ଲାର ମାଲେଗାଓଁ ତାଲୁକାର ସୁବାସ ବାବାନ୍ଦୋରେଙ୍କୁ ଭେଟିଲି। ସୁବାସ କହିଲେ, ‘‘ଆମର ଦୁଇ ଏକର ଜମି ଅଛି କିନ୍ତୁ ଆମ ଅଞ୍ଚଳରେ ମରୁଡ଼ି। ଆମେ ଏଠାରେ ପରିବାର ସହ ଗତ ୧୦-୧୨ଦିନ ହେବ ଅଛୁ ଏବଂ କାମ ଖୋଜୁଛୁ।’’ ମୁଁ ପଚାରିଲି, ତମେ କେବେ ଦିଲ୍ଲୀ ଯାଇଛ? ସେ କହିଲେ, ନା, ‘‘ଆମେ ଏଠାକୁ ପ୍ରଥମଥର ପାଇଁ ଆସିଛୁ।’’

Laxmibai Kharat cooks for her family on the side of the road.
PHOTO • Purusottam Thakur
Women cook for their families on the side of the road
PHOTO • Purusottam Thakur

ମହାରାଷ୍ଟ୍ରରୁ ଅନ୍ୟମାନଙ୍କ ସହ ଦିଲ୍ଲୀକୁ ଆସିଥିବା ଲକ୍ଷ୍ମୀବାଈ ଖରାଟ (ବାମ) କୁହନ୍ତି, ‘‘ପୂର୍ବେ ଆମେ ମୁମ୍ବାଇକୁ ଯାଉଥିଲୁ। କିନ୍ତୁ ଆଉ କିଛି ଭଲ ବିକଳ୍ପ ଆଶା କରି ଆମେ ଏଥର ପ୍ରଥମଥର ପାଇଁ ଦିଲ୍ଲୀ ଆସିଛୁ। 

ମୁଁ ସୁବାସଙ୍କ କଡ଼ରେ ବସିଥିବା ଲକ୍ଷ୍ମୀବାଈ ଖରାଟେଙ୍କ ସହ କଥା ହେବାକୁ ଚେଷ୍ଟାକଲି। ଏଠାକୁ ଆସୁଥିବା ଅଧିକାଂଶ ପ୍ରବାସୀ ଶ୍ରମିକଙ୍କ ପରି ସେ ହିନ୍ଦୀ କହିପାରନ୍ତି ନାହିଁ। ତେଣୁ ତାଙ୍କ ଗ୍ରାମର ଅନ୍ୟମାନେ ମୋତେ ତାଙ୍କ ସହ ମରାଠିରେ କଥାବାର୍ତ୍ତା ହେବାରେ ସାହାଯ୍ୟ କଲେ। ଲକ୍ଷ୍ମୀବାଈ କୁହନ୍ତି, ‘‘ପୂର୍ବେ ଆମେ ମୁମ୍ବାଇକୁ ଯାଉଥିଲୁ। କିନ୍ତୁ ପ୍ରଥମଥର ପାଇଁ କିଛି ଭଲ ବିକଳ୍ପର ଆଶାରେ ଆମେ ଦିଲ୍ଲୀ ଆସିଛୁ।’’

ମୁଁ ମହାରାଷ୍ଟ୍ରର ଜଲଗାଓଁ ଜିଲ୍ଲା ଭୁଷାଓ୍ୱାଲ ତାଲୁକର ରାଜେନ୍ଦ୍ର ଶିନ୍ଦେଙ୍କ ସହ କଥାବାର୍ତ୍ତା କରିଥିଲି। ରାଜେନ୍ଦ୍ର ଏବଂ ତାଙ୍କ ପତ୍ନୀ ସୋନାଲି ମଧ୍ୟ ଭୂମିହୀନ ଶ୍ରମିକ; ନିଜ ଅଞ୍ଚଳରେ ମରୁଡ଼ି ଯୋଗୁ ସେମାନେ ଦିଲ୍ଲୀ ଆସିଛନ୍ତି। କଥାବାର୍ତ୍ତା କରିବା ସମୟରେ ରାଜେନ୍ଦ୍ର ତାଙ୍କ ପତ୍ନୀଙ୍କ ଆଡ଼କୁ ଅନାଇଲେ, ସୋନାଲି ଲାଜ ଦୃଷ୍ଟିରେ ତାଙ୍କ ସ୍ୱାମୀଙ୍କୁ ଦେଖିଲେ। ମୁଁ ଭାବିଲି ଏହି ସମୟରେ ତାଙ୍କ ପାଖରୁ ଚାଲିଯିବା ଭଲ, ଗୋଟିଏ ରୁକ୍ଷ ଏବଂ ଅଜଣା ସହରରେ ସେମାନଙ୍କର ପରସ୍ପର ପ୍ରତି ଶ୍ରଦ୍ଧାଶୀଳ ନଜର ମଧ୍ୟରେ। 

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Purusottam Thakur

ପୁରୁଷୋତ୍ତମ ଠାକୁର ୨୦୧୫ର ପରି ସାଥୀ, ସେ ଜଣେ ସ୍ୱାଧୀନ ସାମ୍ବାଦିକ, ଫଟୋଗ୍ରାଫର ଏବଂ ବୃତ୍ତ ଚିତ୍ର ନିର୍ମାତା। ସେ ଛତିଶଗଡ଼ ଏବଂ ଓଡ଼ିଶାରୁ ରିପୋର୍ଟ ସଂଗ୍ରହ କରନ୍ତି। ସେ ଅଜିମ୍ ପ୍ରେମ୍ଜୀ ଫାଉଣ୍ଡେସନ୍ ପାଇଁ ମଧ୍ୟ କାମ କରନ୍ତି।

Other stories by Purusottam Thakur