ଦିଲ୍ଲୀର ନିର୍ମାଣ କ୍ଷେତ୍ରରେ ଶ୍ରମିକ ଭାବରେ କାମ କରୁଥିବା ମହମ୍ମଦ ହାସନେନ୍‌ ଗତ ୨୫ବର୍ଷ ହେବ ଦିନ ମଜୁରିଆ ଭାବରେ ଯେଉଁ କାମ ପାଆନ୍ତି, ତାହା କରନ୍ତି। ଉତ୍ତର ଦିଲ୍ଲୀର ରାମଲୀଳା ମୈଦାନରେ ଛିଡ଼ା ହୋଇ ଏବଂ ତମ୍ବୁ ବନ୍ଧାକୁ ଦେଖୁଥିବା ଅବସ୍ଥାରେ ସେ କୁହନ୍ତି, ‘‘କିନ୍ତୁ ଆଜିର ଦିନ ଭିନ୍ନ।’’ ନଭେମ୍ବର ୨୮ ରାତିରୁ କୃଷକମାନେ ଏଠାରେ ପହଞ୍ଚିବାକୁ ଆରମ୍ଭ କରିବେ ବୋଲି ଆଶା କରାଯାଉଛି। ନଭେମ୍ବର ୨୯ ଓ ୩୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା କିଷାନ ମୁକ୍ତିମୋର୍ଚ୍ଚାରେ ଯୋଗଦେବା ପାଇଁ ସାରା ଦେଶରୁ ସେମାନେ ଆସିବେ।

୪୭ବର୍ଷ ବୟସ୍କ ହାସନେନ୍‌ କୁହନ୍ତି, ‘‘ମୁଁ ମଧ୍ୟ ଜଣେ କୃଷକ । ଉତ୍ତରପ୍ରଦେଶର ମୋରଦାବାଦରୁ ମୁଁ ଆସିବାକୁ ବାଧ୍ୟ ହେଲି। କାରଣ ଆମ ଜମିର ଅମଳ ଯଥେଷ୍ଟ ହେଲାନାହିଁ। ଆସନ୍ତା କାଲି ଏକ ବିଶାଳ ରାଲି ଦେଖିବି ବୋଲି ଆଶା କରିଛି। ମୋରଦାବାଦରୁ ମଧ୍ୟ କିଛି କୃଷକଙ୍କୁ ଦେଖିବି ବୋଲି ଆଶା କରୁଛି। ଆମେମାନେ ଦୀର୍ଘଦିନ ହେବ ଅବହେଳିତ ହୋଇଛୁ।’’

ବୁଧବାର ସକାଳ, ନଭେମ୍ବର ୨୮ରେ ପ୍ରାୟ ୬୫-୭୦ ଜଣ ଶ୍ରମିକ ରାମଲୀଳା ମୈଦାନରେ କାମ କରୁଛନ୍ତି। ତମ୍ବୁଗୁଡ଼ିକୁ ବାନ୍ଧିବା ପାଇଁ ସେମାନେ ଖୁଣ୍ଟ ପୋତୁଛନ୍ତି, କଣ୍ଟା ପିଟୁଛନ୍ତି। ଧାତବ ହାତୁଡ଼ିରେ ପ୍ରତ୍ୟେକ କଣ୍ଟାରେ ଗୋଟିଏ ଲେଖାଏଁ ପାହାର ସହ ହୁଁ ଶବ୍ଦଟିଏ ମଧ୍ୟ ଶୁଣାଯାଉଛି। ତମ୍ବୁ କାମଠାରୁ ଅନତି ଦୂରରେ ୬-୮ଜଣ ଲୋକ ଆଳୁରୁ ଚୋପା ଛଡ଼ାଇବା ଏବଂ ଏକ ବଡ଼ ପାତ୍ରରେ କ୍ଷୀର ଫୁଟାଇବାରେ ଲାଗିଛନ୍ତି। ମଧ୍ୟପ୍ରଦେଶର ପୋର୍ସା ଗ୍ରାମରୁ ଆସିଥିବା ଏବଂ ବର୍ତ୍ତମାନ ଜଣେ ମିଠା ଦୋକାନୀ ପାଖରେ କାମ କରୁଥିବା ୩୫ବର୍ଷ ବୟସ୍କ ହରିଶ୍ଚନ୍ଦ୍ର ସିଂ ଏ ସବୁ କାମ ତଦାରଖ କରୁଛନ୍ତି। ସେ କୁହନ୍ତି, ‘‘ଆମକୁ ଅତି କମ୍‌ରେ ୨୫୦୦୦ ଲୋକଙ୍କ (ଆଜି ରାତିରେ ମୈଦାନରେ  ରହିବାର ଆଶା କରାଯାଉଥିବା) ପାଇଁ ସିଙ୍ଗଡ଼ା ଏବଂ ଚା’ ପ୍ରସ୍ତୁତ କରିବାକୁ ହେବ।

laborers preparing for farmers march
PHOTO • Shrirang Swarge

ଉପର ବାମ: ମହମ୍ମଦ ହାସନେନ୍‌ କୁହନ୍ତି, ‘ମୁଁ ମଧ୍ୟ ଜଣେ କୃଷକ।’ ଉପର ଡାହାଣ, ତଳ ବାମ, ତଳ ଡାହାଣ: ହରିଶ୍ଚନ୍ଦ୍ର ସିଂ ଏବଂ ଅନ୍ୟମାନେ ଆଜି ରାତିରେ ମୈଦାନରେ ରହିବାକୁ ଥିବା ୨୫୦୦୦ ଲୋକଙ୍କ ପାଇଁ ଚା’ ଏବଂ ସିଙ୍ଗଡ଼ା ପ୍ରସ୍ତୁତ କରୁଛନ୍ତି।

କୃଷକମାନଙ୍କ ଶୋଭାଯାତ୍ରା ପାଇଁ ମୈଦାନକୁ ପ୍ରସ୍ତୁତ କରୁଥିବା ଶ୍ରମିକମାନଙ୍କ ମଧ୍ୟରୁ ଅନେକେ ମଧ୍ୟ କୃଷି ପରିବାରରୁ ଆସିଛନ୍ତି। କିନ୍ତୁ କାମ ପାଇଁ ସେମାନେ ନିଜ ସ୍ଥାନ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ହାସନେନ୍‌ଙ୍କର ମୋରଦାବାଦ ସହର ବାହାରେ ୬ଏକର ଚାଷ ଜମି ଅଛି। ସେ ସେଠାରେ ଧାନ ଏବଂ ଗହମ ଚାଷ କରନ୍ତି। ସେ କୁହନ୍ତି, ‘‘ମୋ ପତ୍ନୀ ଗାଁରେ ଚାଷ ଜମିର ଦେଖାଶୁଣା କରୁଛନ୍ତି। ମୁଁ ଏଠି ଏକୁଟିଆ ରହୁଛି।  ଏପ୍ରକାର କାମ ବ୍ୟତୀତ ବଞ୍ଚିବା ଅସମ୍ଭବ। ଚାଷରେ ପ୍ରକୃତରେ କୌଣସି ଲାଭ ନାହିଁ। ଆମେ ଯେତିକି ଅର୍ଥ ବିନିଯୋଗ କରୁଛୁ ତାହା ମଧ୍ୟ ଫେରସ୍ତ ମିଳୁନାହିଁ।

୧୯୯୫ରୁ ୨୦୧୫ ମଧ୍ୟରେ ୩,୦୦,୦୦୦ରୁ ଅଧିକ ଚାଷୀ ଭାରତରେ ଆତ୍ମହତ୍ୟା କରିସାରିଲେଣି ବୋଲି ନ୍ୟାସନାଲ୍‌ କ୍ରାଇମ୍‌ ରେକର୍ଡ ବ୍ୟୁରୋର ସୂଚନାରୁ ଜଣାପଡ଼ିଛି। କମ୍‌ ଫସଲ ମୂଲ୍ୟ, ଋଣ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବା, କରଜ ବଢ଼ିବା ଏବଂ ଅନ୍ୟ କେତେଗୁଡ଼ିଏ କାରଣ ଯୋଗୁ ସୃଷ୍ଟି ହୋଇଥିବା କୃଷି ବିପର୍ଯ୍ୟୟ ଯୋଗୁ ୧୦,୦୦୦ରୁ ଅଧିକ କୃଷକ କୃଷି ଛାଡ଼ିଛନ୍ତି। ୨୦୧୪ ମସିହାରେ ନୂଆଦିଲ୍ଲୀର ସେଣ୍ଟର ଫର୍‌ ଦ ଷ୍ଟଡି ଅଫ୍‌ ଡେଭଲପିଙ୍ଗ୍‌ ସୋସାଇଟିଜ୍‌ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଭାରତର ୭୬ ପ୍ରତିଶତ କୃଷକ ନିଜ ବୃତ୍ତି ଛାଡ଼ିବାକୁ ଚାହାନ୍ତି। ୧୯୯୧ ଏବଂ ୨୦୧୧ ଜନଗଣନା ମଧ୍ୟରେ ୧୫ଅଧିକ ଚାଷୀ ଚାଷ ଛାଡ଼ିସାରିଛନ୍ତି।  ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନ୍ୟମାନଙ୍କ ଚାଷ ଜମିରେ କୃଷି ଶ୍ରମିକ ପାଲଟିଛନ୍ତି କିମ୍ବା ରାମଲୀଳା ମୈଦାନରେ କାମ କରୁଥିବା ଶ୍ରମିକମାନଙ୍କ ପରି ସହର ଏବଂ ନଗରକୁ ଚାଲିଆସିଛନ୍ତି।

କ୍ରମବର୍ଦ୍ଧିଷ୍ଣୁ କୃଷି ବିପର୍ଯ୍ୟୟ ଉପରେ ଧ୍ୟାନକେନ୍ଦ୍ରିତ କରିବା ପାଇଁ ୧୫୦-୨୦୦କୃଷକ ଗୋଷ୍ଠୀ ଏବଂ ସଂଘର ସମୂହ ସଂଗଠନ ଅଲ୍‌ ଇଣ୍ଡିଆ କିଷାନ ସଂଘର୍ଷ କୋର୍ଡିନେସନ କମିଟି ସାରା ଦେଶର କୃଷକମାନଙ୍କୁ ଏକତ୍ର କରୁଛି। ସେମାନେ ନଭେମ୍ବର ୨୯ତାରିଖରେ ଦିଲ୍ଲୀରେ ଶୋଭାଯାତ୍ରା କରି  ସେଦିନ ସନ୍ଧ୍ୟାରେ ରାମଲୀଳା ମୈଦାନରେ ପହଞ୍ଚିବେ ଏବଂ ନଭେମ୍ବର ୩୦ରେ ସଂସଦ ଅଭିମୁଖେ ଯାତ୍ରା କରିବେ। ସେମାନଙ୍କର ସବୁଠାରୁ ବଡ଼ ଦାବି : କୃଷି ବିପର୍ଯ୍ୟୟ ସମ୍ପର୍କରେ ଏକ ୨୧ଦିନିଆ ବିଶେଷ ଅଧିବେଶନ।

laborers preparing for farmers march
PHOTO • Shrirang Swarge

ଉପର ବାମ: ସକିର୍‌ ପଚାରନ୍ତି,‘ ଆମମାନଙ୍କ ମଧ୍ୟରୁ କେତେ ଜଣ ଅର୍ଥ ଖର୍ଚ୍ଚ କରି ପାରିବେ, ଚାଷ ପଛରେ ପକାଇ ଆସିପାରିବେ, କେଇଦିନ ପର୍ଯ୍ୟନ୍ତ ନିଜର ମଜୁରି ଛାଡ଼ିବେ ଏବଂ ଏକ ପ୍ରତିବାଦ ସଭାରେ ଯୋଗ ଦେଇପାରିବେ?’ ତଳ ବାମ: ଅରବିନ୍ଦ ସିଂ ନାମକ ଜଣେ ନିରାପତ୍ତା କର୍ମଚାରୀ କୁହନ୍ତି, ‘କୃଷକମାନେ ସମସ୍ୟାରେ ଅଛନ୍ତି ଏକଥା ସରକାର ଏପର୍ଯ୍ୟନ୍ତ ସ୍ଵୀକାର କରିନାହାନ୍ତି।’

ରାମଲୀଳା ମୈଦାନରେ ତମ୍ବୁ ଲଗାଉଥିବା ଶ୍ରମିକମାନେ କୁହନ୍ତି, ‘‘କୃଷକମାନଙ୍କ ପ୍ରତି ସେମାନଙ୍କର ପୂର୍ଣ୍ଣ ସମର୍ଥନ ଅଛି। ଯେତେବେଳେ ମୁଁ ତାଙ୍କୁ ପଚାରିଲି, ସେ ଏବଂ ତାଙ୍କ ସହ ଶ୍ରମିକମାନେ କ’ଣ ଏହି ରାଲିକୁ ସମର୍ଥନ କରୁଛନ୍ତି, ସେତେବେଳେ ମୋର ତ୍ରୁଟି ସଂଶୋଧନ କରି ସକିର୍‌ କହିଲେ, ‘‘ଆମେମାନେ ମଧ୍ୟ କୃଷକ।’’ ତଥାପି ସକିର୍‌ (ତାଙ୍କର କେବଳ ପ୍ରଥମ ନାମ ବ୍ୟବହାର କରିବାକୁ ଚାହୁଁଥିବା) କୁହନ୍ତି, ତାଙ୍କ ଅଞ୍ଚଳର ଅଧିକ କୃଷକ ଏହି ଶୋଭାଯାତ୍ରାରେ ଯୋଗଦେବାକୁ ସମର୍ଥ ହେବେ ନାହିଁ। ସେ ବୁଝାଇଥିଲେ, ‘‘ସେମାନେ କୃଷି ଶ୍ରମ ଉପରେ ନିର୍ଭର କରନ୍ତି। କେତେଜଣ ଅର୍ଥ ଖର୍ଚ୍ଚ କରିପାରିବେ, ଚାଷ ପଛରେ ପକାଇପାରିବେ, ଏବଂ ସେମାନଙ୍କ ଦୈନିକ ମଜୁରିକୁ କେଇଦିନ ପର୍ଯ୍ୟନ୍ତ ତ୍ୟାଗ କରି ପ୍ରତିବାଦ ପଦଯାତ୍ରାରେ ଭାଗ ନେଇପାରିବେ?’’

ବିହାରର ପୂର୍ଣ୍ଣିଆ ଜିଲ୍ଲାରୁ ଆସିଥିବା ୪୨ ବର୍ଷ ବୟସ୍କ ସକିର୍‌ କୁହନ୍ତି, ‘‘ଜୀବିକା ପାଇଁ ପ୍ରାୟ କୌଣସି ବିକଳ୍ପ ନାହିଁ। ତଳୁ ଗୋଟିଏ ଖୁଣ୍ଟି ଉଠାଇ ନିଶୁଣି ଉପରେ ଛିଡ଼ା ହୋଇଥିବା ଅନ୍ୟ ଜଣେ ଶ୍ରମିକଙ୍କୁ ଗୋଟିଏ ଖୁଣ୍ଟି ସହ ବାନ୍ଧିବାକୁ ଏହା ବଢ଼ାଇ ଦେଉଥିବା ସମୟରେ ସେ କହିଥିଲେ, ‘‘ଆମର ମାତ୍ର ଗୋଟିଏ ଏକର ଚାଷଜମି ଅଛି। ଏହି କାରଣରୁ ହିଁ ଏଠାକୁ ଆସୁଥିବା ଲୋକମାନଙ୍କୁ ଆମେ ସମ୍ମାନ ଦେଉଛୁ।’’

ଯଦିଓ ରାମଲୀଳା ମୈଦାନରେ କାମ କରୁଥିବା ଶ୍ରମିକମାନେ କୃଷକ ଭାବରେ ନିଜର ପରିଚୟ ଦେଇଥିଲେ ଏବଂ କୃଷକମାନଙ୍କ ପଦଯାତ୍ରା ପ୍ରତି ସମର୍ଥନ ଦେଉଥିଲେ ତଥାପି ସେମାନେ ଆଶାବାଦୀ ଥିବାପରି ମନେ ହେଉନଥିଲେ। ସେଠାରେ ଥିବା ୫୦ବର୍ଷ ବୟସ୍କ ଜଣେ ସୁରକ୍ଷା କର୍ମଚାରୀ ଅରବିନ୍ଦ ସିଂ କହିଥିଲେ ଯେତେବେଳେ ଅକ୍ଟୋବର ୨ ତାରିଖରେ କୃଷକମାନେ ଦିଲ୍ଲୀରେ ଶୋଭାଯାତ୍ରା କରିଥିଲେ, ସେତେବେଳେ ସେମାନଙ୍କୁ ଲୁହବୁହା ଗ୍ୟାସ୍‌ ଏବଂ  ପାଣିମାଡ଼ ସହ ସ୍ଵାଗତ କରାଯାଇଥିଲା। ଶ୍ରୀ ସିଂ କୁହନ୍ତି, ‘‘କୃଷକମାନେ ଯେ ସମସ୍ୟାରେ ଅଛନ୍ତି, ଏକଥା ସରକାର ଏପର୍ଯ୍ୟନ୍ତ ସ୍ଵୀକାର କରିନାହାନ୍ତି। ଉତ୍ତରପ୍ରଦେଶର କନୌଜ ଜିଲ୍ଲାର ତେରାରାଗି ଗ୍ରାମର ସେ ମୂଳ ବାସିନ୍ଦା। ସେ କୁହନ୍ତି, ‘‘ଆମକୁ କୁହାଗଲା, ଆମର ଋଣ ଛାଡ଼ ହୋଇଯିବ। ମୋର ୧ଲକ୍ଷ ଟଙ୍କାରୁ ଅଧିକ ଋଣ ଅଛି। କିନ୍ତୁ କିଛି ହେଲା ନାହିଁ। ମୁଁ ମୁଖ୍ୟତଃ ଆଳୁ ଏବଂ କିଛି ଧାନ ଚାଷ କରେ। ଦାମ କେବଳ ଖସୁଛି। ମୋ ବାପାଙ୍କ ସମୟରେ ଆମର ୧୨ ଏକର ଚାଷଜମି ଥିଲା। ଗତ ୨୦ବର୍ଷ ମଧ୍ୟରେ ଆମେ ଚିକିତ୍ସା ଖର୍ଚ୍ଚ, ମୋ ଝିଅର ବିବାହ ଏବଂ କୃଷି ଋଣ ପରିଶୋଧ ପାଇଁ ଖଣ୍ଡେ ଖଣ୍ଡେ ଜମି ବିକି ଚାଲିଛୁ। ଆଜି ଆମର ମାତ୍ର ୧ଏକର ଜମି ଅଛି। ମୁଁ ଏଥିରେ କେମିତି ପରିବାର ପୋଷି ପାରିବି?’’

Tent poles at Ramlila Maidan
PHOTO • Shrirang Swarge

ତିନୋଟି କନ୍ୟା ଏବଂ ତିନୋଟି ପୁତ୍ର ସନ୍ତାନର ଜନକ ଶ୍ରୀ ସିଂ କୁହନ୍ତି, ‘‘ମୁଁ ମାସରେ ପ୍ରାୟ ୮ ହଜାର ଟଙ୍କା, ବେଳେ ବେଳେ ଅଧିକ ରୋଜଗାର କରେ। ମୋତେ ଏଠାରେ ଭଡ଼ା ଦେବାକୁ ହୁଏ, ଖାଦ୍ୟ କିଣିବାକୁ ହୁଏ ଏବଂ ଘରକୁ ଅର୍ଥ ପଠାଇବାକୁ ହୁଏ। ଏହାପରେ ମୁଁ ମୋ ପିଲାମାନଙ୍କ ପାଇଁ କେତେ ସଞ୍ଚୟ କରିପାରିବି? ମୁଁ ଜାଣିନି ଏହି ପ୍ରତିବାଦ ପ୍ରକୃତରେ କୃଷକମାନଙ୍କୁ ସାହାଯ୍ୟ କରିବ ନା ନାହିଁ। କିନ୍ତୁ ଏହା ସେମାନଙ୍କୁ ଆମ ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରିବ। କେବଳ ଧନୀମାନେ ଅର୍ଥ ରୋଜଗାର କରୁଛନ୍ତି। କିନ୍ତୁ ଆମେ କିଛି ପାଉନୁ।’’

ତାଙ୍କ ସହଯୋଗୀ ୩୯ବର୍ଷ ବୟସ୍କ ମନ୍‌ପାଲ୍‌ ସିଂ କୁହନ୍ତି, ‘‘ଆପଣ ଆମକୁ ଆମର ସମସ୍ୟା ବିଷୟରେ ପଚାରୁଛନ୍ତି? କୃଷକର ଜୀବନ ହିଁ ଏକ ସମସ୍ୟା।’’

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Other stories by Parth M.N.