ଶହ ଶହ ବର୍ଷ ଧରି, ରାଜସ୍ଥାନର ପାଲି ଜିଲ୍ଲାର ସାଦ୍ରି ଗ୍ରାମରେ ବାସ କରୁଥିବା ରାଇକା ସମ୍ପ୍ରଦାୟର ଲୋକମାନେ ଓଟ ପାଳନକରି ଆସୁଛନ୍ତି । ୨୦୧୪ରେ ଓଟକୁ ରାଜସ୍ଥାନର ପ୍ରାଦେଶିକ ପଶୁ ଭାବେ ଘୋଷଣା କରାଗଲା ଓ ଏହା ସେହି ଜିନିଷକୁ ଉପସ୍ଥାପନ କରିଥାଏ, ଯାହା ସହିତ ଏହି ରାଜ୍ୟର ଅଧିକାଂଶ ଲୋକ ଯୋଡି ହୋଇ ରହିଛନ୍ତି – ମରୁଭୂମି । ପଶୁଚାରଣକାରୀଙ୍କ ପାଇଁ ଓଟ ଅତ୍ୟନ୍ତ ଜରୁରୀ ପଶୁ ଅଟେ କାରଣ ଏହା ଉଚ୍ଚ ତାପମାତ୍ରା ସହ୍ୟ କରିପାରେ, ବଞ୍ଚିବା ପାଇଁ ଅଳ୍ପ ଜଳ ଆବଶ୍ୟକ ହୋଇଥାଏ ଓ ପ୍ରତିବଦଳରେ ତାର ଦୁଗ୍ଧ ଓ କେଶ ପ୍ରଦାନ କରିଥାଏ ।

ବର୍ତ୍ତମାନ, କିନ୍ତୁ ପଶୁପାଳକମାନଙ୍କ ଜୀବନ ଘୋର ସଂକଟ ମଧ୍ୟ ଦେଇ ଗତି କରୁଛି । ରାଇକାମାନଙ୍କୁ ଅନ୍ୟମାନେ ଘୃଣା ଚକ୍ଷୁରେ ଦେଖୁଥିବାରୁ ଓ ଅନେକ ସମୟରେ ସେମାନଙ୍କ ଯାଯାବର ପରମ୍ପରା ପାଇଁ ସେମାନଙ୍କୁ ପ୍ରବଳ ବିରୋଧ କରାଯାଉଥିବାରୁ, ବଞ୍ଚିବା ପାଇଁ ରାଇକାମାନଙ୍କୁ ସଂଘର୍ଷ କରିବାକୁ ପଡୁଛି ।

ଯୋଗାରାମ୍‌ଜୀ ରାଇକା ହେଉଛନ୍ତି ଏହି ସମ୍ପ୍ରଦାୟର ଜଣେ ବୟୋଜ୍ୟେଷ୍ଠ ପଶୁପାଳକ, ଏହା ସହିତ ସେ ଜଣେ ଧାର୍ମିକ ଗୁରୁ ମଧ୍ୟ- ବା ଭୋପାଜି । ସେ ରାଇକାମାନେ ଯେଉଁ ଭଗବାନଙ୍କୁ ପୂଜା କରନ୍ତି, ତାଙ୍କ ସହିତ ଯୋଗାଯୋଗ ରକ୍ଷା କରିଥାନ୍ତି – ସେମାନଙ୍କ ମୂଳ ଭଗବାନ ହେଉଛନ୍ତି ପାବୁଜି । ଭୋପାଜି ଆତ୍ମାଗୁଡିକ ସହିତ ଯୋଗାଯୋଗ କରିବା ବେଳେ ଅନେକ ସମୟରେ ସଂଜ୍ଞାହୀନ ହୋଇପଡନ୍ତି ।

PHOTO • Sweta Daga

ଯୋଗାରାମଙ୍କ ପୂଜା କରିବା ପାଇଁ ବ୍ୟକ୍ତିଗତ ସ୍ଥାନ

ମୁଁ ଯେତେବେଳେ ପ୍ରଥମେ ଯୋଗାରାମଜୀଙ୍କୁ ଭେଟିଥିଲି, ସେତେବେଳେ ସେ ଅଫିମ ତେଲର ଏକ ମିଶ୍ରଣ ପ୍ରସ୍ତୁତ କରିବା ସହିତ ସମ୍ପ୍ରଦାୟର ଅନ୍ୟ ସଦସ୍ୟମାନଙ୍କ ସହିତ କିଛି କଥା ହେବାରେ ବ୍ୟସ୍ତ ଥିଲେ । ସେ ଦିନସାରା କିଛି ସମୟ ବ୍ୟବଧାନରେ ଏଥିରୁ କିଛି ଧୂଆଁ ଭାବେ ଗ୍ରହଣ କରିଥାନ୍ତି ବା ଖାଇଥାନ୍ତି । ତାଙ୍କ ସ୍ତ୍ରୀ ଜଳଖିଆ ପ୍ରସ୍ତୁତ କରିବାରେ ବ୍ୟସ୍ତ ଥିଲେ ।

PHOTO • Sweta Daga

ଏହି ତେଲ ଏଠାରେ ପ୍ରସ୍ତୁତ କରାଯାଏ – ସାନ୍ଦ୍ର ଅଫିମକୁ ପକାଯାଏ ଓ ଏହା ତେଲ ରୂପରେ ବାହାରି ଥାଏ

ବିଭିନ୍ନ ବିଷୟ ସମ୍ବନ୍ଧରେ ସଦସ୍ୟମାନେ ଭୋପାଜୀଙ୍କ ସହିତ ପରାମର୍ଶ କରିଥାନ୍ତି, ଉଭୟ ବ୍ୟକ୍ତିଗତ ଓ ସମ୍ପ୍ରଦାୟ ସମ୍ବନ୍ଧୀୟ । ଜମିଜମା ସମ୍ବନ୍ଧୀୟ ସମସ୍ୟା ସମାଧାନ ପାଇଁ ନିଷ୍ପତି ଗ୍ରହଣ କରିବା ଦାୟିତ୍ୱ ବା ସାଧାରଣ ଭାବେ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରିବା କାର୍ଯ୍ୟ ସେ ତୁଲାଇଥାନ୍ତି ।

PHOTO • Sweta Daga

ପ୍ରତିଦିନ ସମ୍ପ୍ରଦାୟର ବିଭିନ୍ନ ସଦସ୍ୟ ଭୋପାଜିଙ୍କୁ ଦେଖା କରିବାବାକୁ ଆସିଥାନ୍ତି

ଯୋଗରାମଜୀ, ସମ୍ପ୍ରଦାୟର ବିଭିନ୍ନ ସମସ୍ୟା ଓ ତାଙ୍କ ପରିବାର ବିଷୟରେ କହିଲେ । ଆଜିକାଲି ସମସ୍ତେ ଔପଚାରିକ ଶିକ୍ଷା ଗ୍ରହଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଲେ, କିଛି ନହେଲେ ବୋଧଗମ୍ୟ ହେବା ଭଳି ଓ ତାଙ୍କ ଝିଅ ରେଖାକୁ ସେ ନିଶ୍ଚିତ ଭାବେ ବିଦ୍ୟାଳୟକୁ ପାଠାଇବେ । “ବିଦ୍ୟାଳୟକୁ ଗଲେ ସମ୍ମାନ ମିଳିଥାଏ,’’ ସେ ବର୍ଣ୍ଣନା କରି କୁହନ୍ତି ।  “ଆମେମାନେ ବିଦ୍ୟାଳୟ ଗଲୁନାହିଁ, ଏଣୁ ଲୋକମାନେ ଆମପ୍ରତି ସମ୍ମାନ ପ୍ରଦର୍ଶନ କରୁନାହାନ୍ତି କାରଣ ସେମାନେ ଭାବନ୍ତି ସାରା ବିଶ୍ୱ ଗୋଟିଏ ବିଷୟକୁ ଯେଉଁଭଳି ବୁଝିଥାଏ ଆମେ ସେଭଳି ବୁଝିବାକୁ ଅସମର୍ଥ ଅଟୁ । ଅଧିକନ୍ତୁ, ସିଏ ଝିଅପିଲା । ନିଜକୁ ସୁରକ୍ଷିତ ରଖିବା ପାଇଁ ତା ପାଖରେ ଏକାଧିକ ରାସ୍ତା ଉପଲବ୍ଧ ହେବା ଆବଶ୍ୟକ ।’’

ଏହା ସହିତ, ସେ ରେଖାକୁ ନିଜର ପରମ୍ପରା ସମ୍ବନ୍ଧୀୟ ଶିକ୍ଷା ମଧ୍ୟ ପ୍ରଦାନ କରିବେ । ପଶୁପାଳକ ସମ୍ପ୍ରଦାୟର ଝିଅ ଭାବେ ସେ ବଢୁଥିବାରୁ, ତାର ସେହି ସମସ୍ତ ସ୍ୱାଧୀନତା ରହିଛି ଯାହା ସାଧାରଣତଃ ଅନ୍ୟମାନଙ୍କୁ ଦିଆଯାଏ ନାହିଁ-  ସେ ଏକ ଓଟ ସହିତ ଖେଳୁଥିବା ଦୃଶ୍ୟ, ସେ କିଭଳି ଭାବେ ପଶୁମାନଙ୍କ ସହିତ ସହଜରେ ରହିପାରୁଛି, ତାହା ଦର୍ଶାଇଥାଏ ।

PHOTO • Sweta Daga

ରେଖା, ଭୋପାଜୀଙ୍କ ଝିଅ, ଓଟଗୁଡିକ ସହିତ ସହଜରେ ରହିପାରୁଛି

ରାଇକାମାନେ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସେମାନଙ୍କ ପଶୁମାନଙ୍କ ସହିତ ମିଶି ରହିଥାନ୍ତି – ଯଦିଓ ୫୦ବର୍ଷରୁ ଉର୍ଦ୍ଧ୍ୱ ସମୟ ବଞ୍ଚୁଥିବା ଏହି ପଶୁମାନେ ବେଳେବେଳେ ସେମାନଙ୍କ ମାଲିକଙ୍କଠାରୁ ମଧ୍ୟ ଦୀର୍ଘାୟୁ ହୋଇଥାନ୍ତି । ଏପରିକି, ବେଳେବେଳେ କେତେକ ରାଇକା ଲୋକମାନଙ୍କଠାରୁ ଅଧିକ ସଂଖ୍ୟକ ପଶୁଙ୍କ ଗହଣରେ ମଧ୍ୟ ବଢିଥାନ୍ତି ।

PHOTO • Sweta Daga

ଜଣେ ପଶୁପାଳକ ଦିନରର୍ଯ୍ୟା ଆରମ୍ଭ କରୁଛି

ରାଇକାମାନେ ହେଉଛନ୍ତି ସେହି ଲୋକ ଯେଉଁମାନେ ଓଟର ଲୋମ କାଟି ଡିଜାଇନ୍‌ ପ୍ରସ୍ତୁତ କରିଥାନ୍ତି – କେବଳ ପଶୁପାଳକ ଓ ତାର ପଶୁମାନଙ୍କ ମଧ୍ୟରେ ରହିଥିବା ଗଭୀର ବିଶ୍ୱାସ ଯୋଗୁ ଏପରି କରିବା ସମ୍ଭବପର ହୋଇଥାଏ । ଏହି ସମ୍ପ୍ରଦାୟର ଲୋକମାନଙ୍କ ବ୍ୟତୀତ , ଏହାକୁ ଦେଖୁଥିବା ଦେଖଣାହାରୀମାନଙ୍କୁ  ଲୋମ କାଟି ବାହାର କରିବା ବେଳେ ଓଟଟି ଗଭୀର ଯନ୍ତ୍ରଣା ଅନୁଭବ କରିବା ଭଳି ଦେଖା ଯାଇପାରେ । କିନ୍ତୁ ରାଇକାମାନେ ସେମାନଙ୍କ ପଶୁମାନଙ୍କ ସହିତ ଯୋଗାଯୋଗ ସ୍ଥାପନ କରିବାରେ ଏପରି ଅଭ୍ୟସ୍ତ ଅଟନ୍ତି, ଯେ ପଶୁମାନେ ସାମାନ୍ୟ ଭାବେ ସେମାନଙ୍କ ମୁଣ୍ଡ ବା ହାତ ହଲାଇଲେ ମଧ୍ୟ ସେମାନେ ତାଙ୍କ ଭାବନାକୁ ବୁଝିପାରନ୍ତି ଓ ଏହିପରି ଭାବେ ସେମାନେ ପଶୁକୁ କ୍ଷତାକ୍ତ କରିବାଠାରୁ ବଞ୍ଚିଯାଆନ୍ତି । ଓଟର କେଶ କାର୍ପେଟ୍‌ ତିଆରି କରିବା ପାଇଁ ବ୍ୟବହାର କରାଯାଏ ଓ ଲୋମ କାଟି ବାହାର କରିଦେବା ଦ୍ୱାରା ସେମାନେ ଶୀତଳ ଅନୁଭବ କରନ୍ତି ।

PHOTO • Sweta Daga

ସାଦ୍ରୀରେ ଏକ ଏନ୍‌ଜିଓ ପାଖରେ ଥିବା ଓଟଗୁଡିକର ଶରୀରରୁ ରାଇକାମାନେ ଲୋମ କାଟି ବାହାର କରୁଛନ୍ତି

ମୁଁ ଅନ୍ୟ ଜଣେ ଅନୁଭବୀ ପଶୁପାଳକ ଫୁୟାରାମ୍‌ଜୀଙ୍କ ସହିତ ଚଡିୟେରେ ଗଲି – ଯେତେବେଳେ ପଶୁମାନଙ୍କୁ ଚରାଇବା ପାଇଁ ନିଆଯାଏ। ସାଧାରଣତଃ, ଏହା ଦିନସାରା ଚାଲିଥାଏ ।

PHOTO • Sweta Daga

ଫୁୟାରାମଜି ଦିନସାରା ଓଟମାନଙ୍କୁ ଚରାଇଥାନ୍ତି

ଚା ଓ ଖାଦ୍ୟ ପାଇଁ ଆବଶ୍ୟକ ସାମଗ୍ରୀଗୁଡିକ ନିଜ ପଗଡିରେ ଖୋସି ସେ ଭୋର୍‌ରୁ ବାହାରି ଯାଆନ୍ତି ଓ ଉତ୍ତୀର୍ଣ୍ଣ ସନ୍ଧ୍ୟା କାଳରେ ଫେରିଥାନ୍ତି । ରାଜସ୍ଥାନରେ ଗ୍ରୀଷ୍ମ ଋତୁର ଜାଳିଦେବା ଭଳି ସେହି ଉତ୍ତାପକୁ ଖାତିର ନକରି ଓ ୨୦ଟି ଓଟର ଦେଖରେଖା କରିବାକୁ ଥିଲେ ମଧ୍ୟ, ସେ ଆମ ଦୁଇଜଣଙ୍କ ପାଇଁ ଚାହା ପ୍ରସ୍ତୁତ କଲେ ।

PHOTO • Sweta Daga

‘ଚଡିୟେ’ରେ ଥିବାବେଳେ ଚାହା ପ୍ରସ୍ତୁତ କରୁଛନ୍ତି

ପୂର୍ବେ, ଅର୍ଥ ଉପାର୍ଜନ କରିବା ପାଇଁ ରାଇକାମାନେ କେବଳ ପୁରୁଷ ଓଟ ଛୁଆ ବିକ୍ରି କରୁଥିଲେ । ତେବେ ବର୍ତ୍ତମାନ ତାହା ଆଉ ପର୍ଯ୍ୟାପ୍ତ ହେଉନାହିଁ । ନିଜର ଉପାର୍ଜନ ବୃଦ୍ଧି କରିବା ପାଇଁ ସେମାନେ ବର୍ତ୍ତମାନ ଓଟଠାରୁ ମିଳୁଥିବା ବିଭିନ୍ନ ଉତ୍ପାଦ ବିକ୍ରି କରୁଛନ୍ତି । କିନ୍ତୁ ତାହା କଷ୍ଟସାଧ୍ୟ ଅଟେ, ବୋଲି ଫୁୟାରାମ୍‌ଜି କୁହନ୍ତି । ପୋଷକ ତତ୍ତ୍ୱରେ ଭର୍‌ପୁର୍‌ ଓଟର ଦୁଗ୍ଧକୁ “ଉଚ୍ଚକୋଟୀର ଖାଦ୍ୟ ବା ସୁପର୍‌ ଫୁଡ୍‌” ବୋଲି ବିବେଚନା କରାଯାଏ । କିନ୍ତୁ ଭାରତୀୟ ବଜାରରେ ଏହାର ବିକ୍ରି ନେଇ ସରକାରୀ ଡାୟିରିଗୁଡିକରେ ବିଭିନ୍ନ କଟକଣା ରହିଥିବାରୁ ଏହାର ବିକ୍ରି ହୋଇ ପାରୁନାହିଁ । ଏହାକୁ ବିକ୍ରି କରିବା ସମ୍ଭବ ହୋଇପାରୁ ନଥିବାରୁ, ନିଜକୁ ବଞ୍ଚାଇ ରଖିବାର ରାଇକାମାନଙ୍କ ସାମର୍ଥ୍ୟ ଦିନକୁଦିନ କମିବାରେ ଲାଗିଛି । ଯାହାଫଳରେ, ଅନେକ ଜୀବିକା ଅର୍ଜନ କରିବା ପାଇଁ ବିକଳ୍ପ ପନ୍ଥା ଖୋଜିବା ପାଇଁ ନିଜ ସମ୍ପ୍ରଦାୟକୁ ଛାଡି ଚାଲି ଯାଉଛନ୍ତି ।

ପଶୁଚିକିତ୍ସକ, ଆକ୍ଟିଭିଷ୍ଟ ଓ ୨୦୧୪ରେ ପ୍ରକାଶିତ କ୍ୟାମେଲ୍‌ କର୍ମର ଲେଖକ, ଆଇଲ୍‌ସ୍‌ କୋହଲର୍‌—ରୋଲେଫ୍‌ସନ୍‌ଙ୍କ ଅନୁସାରେ, ‘‘ପରବର୍ତ୍ତୀ ପିଢିର ସଦସ୍ୟମାନେ ସେମାନଙ୍କ ପରମ୍ପରାକୁ କିଛି ପରିମାଣରେ ବଜାୟ ରଖିବା ପାଇଁ ଆଗ୍ରହୀ ଅଛନ୍ତି, କିନ୍ତୁ ସେମାନଙ୍କ ହାତ ବାନ୍ଧି ହୋଇଯାଇଛି । ଜଣେ ପଶୁପାଳକ ପାଇଁ କନ୍ୟା ଖୋଜିବାକୁ ଚେଷ୍ଟା କରନ୍ତୁ: କେହି ମିଳିବେ ନାହିଁ । ଅନେକ ରାଇକା ବର୍ତ୍ତମାନ ଶ୍ରମିକ ଭାବେ କାମ କରୁଛନ୍ତି ।’’

ଫୁୟାରାମ୍‌ଜୀ ବୋଧହୁଏ ଏହା ଜାଣି ପାରିଛନ୍ତି ଯେ, ତାଙ୍କ ପରିବାରର କେହି ମଧ୍ୟ ତାଙ୍କ ଚଲାପଥ ଅନୁସରଣ କରିବେ ନାହିଁ । ପଶୁଚାରଣକାରୀଙ୍କ ଅଧିକାର ସୀମା ମଧ୍ୟରେ ଆସୁଥିବା କେତେକ ଜମି ମଧ୍ୟ ଦେଇ ଆମେ ଯେତେବେଳେ ଚାଲିଚାଲି ଯାଉଥିଲୁ. ସେତେବେଳେ ସେ ମୋତେ ଏକ ସମୟରେ ରାଇକାମାନେ କିଭଳି ଭାବେ ସଦ୍ରୀର ଜଙ୍ଗଲ ଓ ଚାଷଜମିଗୁଡିକରେ ମୁକ୍ତ ଭାବେ ବୁଲିପାରୁଥିଲେ, ରାସ୍ତାରେ ଯେଉଁମାନେ ମିଶୁଥିଲେ ସେମାନଙ୍କ ସହିତ କିଭଳି ବନ୍ଧୁତ୍ୱ ସ୍ଥାପନ କରୁଥିଲେ, ସେ ବିଷୟରେ କହିଲେ ।

PHOTO • Sweta Daga

ଓଟମାନେ ଚରୁଛନ୍ତି, ଗଛରୁ ଖାଉଛନ୍ତି

କୋଡିଏ ବର୍ଷ ପୂର୍ବେ, ପଶୁଚାରଣକାରୀ ଓ ଚାଷୀମାନେ ଉଭୟ ଅର୍ଥନୈତିକ ଓ ସାମାଜିକ ସ୍ତରରେ ପରସ୍ପର ସହିତ ସମ୍ପର୍କରେ ଥିଲେ । ଯେତେବେଳେ ପଶୁପାଳକମାନେ ସେମାନଙ୍କ ପଶୁମାନଙ୍କୁ ନେଇ ଲମ୍ବା ଯାତ୍ରାରେ ବାହାରୁଥିଲେ, ସେତେବେଳେ ସେମାନଙ୍କୁ ଅନେକ ଚାଷଜମି ଡେଇଁ ଯିବାକୁ ହେଉଥିଲା । ଏଠାରେ ପଶୁଚାରଣକାରୀମାନେ କୃଷକମାନଙ୍କୁ ଉଚ୍ଚକୋଟୀର ସାର ଓ ଓଟର ତାଜା ଦୁଗ୍ଧ ପ୍ରଦାନ କରୁଥିଲେ । ପ୍ରତିବଦଳରେ, କୃଷକମାନେ ପଶୁଚାରଣକାରୀମାନଙ୍କୁ ଖାଦ୍ୟ ଯୋଗାଉଥିଲେ । ଯେହେତୁ ପଶୁପାଳକମାନଙ୍କ ଯାତ୍ରାପଥ କ୍ୱଚିତ୍‌ ବଦଳୁଥିଲା, ଏଣୁ ଦୁଇ ଗୋଷ୍ଠୀ ମଧ୍ୟରେ ବନ୍ଧୁତା ପୂର୍ଣ୍ଣ ସମ୍ପର୍କ ଗଢି ଉଠୁଥିଲା ଯାହା ଅନେକ ପିଢି ପର୍ଯ୍ୟନ୍ତ ବଜାୟ ରହୁଥିଲା । ତେବେ, ବର୍ତ୍ତମାନ ଅନେକ କୃଷକ, ପଶୁପାଳକମାନେ ସେମାନଙ୍କ ଜମି ନଷ୍ଟ କରିଦେବେ ବା ଓଟମାନେ ସେମାନଙ୍କ ଶସ୍ୟ ଖାଇଦେବେ, ଏହି ଆଶଙ୍କାରେ ସେମାନଙ୍କୁ ନିଜ ଜମି ଭିତରକୁ ପ୍ରବେଶ କରିବାକୁ ଦେଉନାହାନ୍ତି ।

PHOTO • Sweta Daga

ଫୁୟାରାମ୍‌ଜୀଙ୍କ ଓଟମାନେ ଖାଇବାରେ ବ୍ୟସ୍ତ ଥିବା ବେଳେ ସେ ସେମାନଙ୍କୁ ଜଗି ରହିଛନ୍ତି

ନୂଆ ନିୟମ ଓ ପଲିସିଗୁଡିକ, ଯେଉଁଗୁଡିକୁ କେତେକ ପରିବେଶବିତ୍‌ ଓ ପଶୁମାନଙ୍କ ଅଧିକାର ପାଇଁ ଲଢୁଥିବା ସଂଗଠନ ସମର୍ଥନ କରୁଛନ୍ତି, ସେମାନଙ୍କ ଯୋଗୁ ରାଇକାମାନଙ୍କ ଗତିବିଧି ହ୍ରାସ ପାଇଛି ଓ ସେମାନଙ୍କ ଜୀବନଶୈଳି ବଦଳି ଯାଇଛି । ରାଜ୍‌ସମନ୍ଦ ଜିଲ୍ଲାରେ ଅବସ୍ଥିତ କୁମ୍ଭାଲ୍‌ଗଡ ପରି ଜାତୀୟ ଉଦ୍ୟାନରେ ପଶୁଚାରଣକାରୀମାନଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି, ଯାହାଦ୍ୱାରା ଶହଶହ ବର୍ଷ ପୁରାତନ ସେମାନଙ୍କ ଦେଶାନ୍ତରୀକରଣ ଶୈଳୀଗୁଡିକ ସୀମିତ ହୋଇଯାଇଛି ।

ନୂଆ ନୂଆ ନିୟନ୍ତ୍ରଣକାରୀ ଆଇନ୍‌ ଆସିବା ଓଟ ପାଳକମାନେ ଜମି ଓ ସମ୍ବଳ ପାଖରେ ପହଞ୍ଚିବା କଷ୍ଟକର ହୋଇପଡିଛି । ରାଇକାମାନେ ପୁଷ୍କର ଯାତ୍ରାରେ ମାଇ ଓଟ ବିକ୍ରି କରିବା ପାଇଁ ବାଧ୍ୟ ହେଉଛନ୍ତି । ୨୦୦୦ ମସିହା ପୂର୍ବରୁ ସେମାନେ କେବେ ମଧ୍ୟ ଏଭଳି କରିନଥିଲେ – ସେତେବେଳେ କେବଳ ଅଣ଼୍ଡିରା ଓଟ ବିକ୍ରି କରାଯାଉଥିଲା । ଜଣେ ରାଇକା ପାଇଁ ମାଇ ଓଟ ବିକ୍ରି କରିବା ଅର୍ଥ ହେଉଛି ନିଜ ପଦବୀ ପରିତ୍ୟାଗ କରିବାର ସର୍ବଶେଷ ନିଦର୍ଶନ: ଏହି ପଶୁମାନଙ୍କ ଅନୁପସ୍ଥିତିରେ, ପଶୁପଲର ଆକାର ବୃଦ୍ଧିର କୌଣସି ସମ୍ଭାବନା ନାହିଁ ।

ଏହାର ପ୍ରତିକ୍ରିୟାରେ, ଅନ୍ୟ ରାଇକାମାନେ ଏହି ପ୍ରଜାତିର ସଂରକ୍ଷଣ କରିବା ପାଇଁ ଖାଦ୍ୟ ପାଇଁ ମାଇ ଓଟମାନଙ୍କୁ ହତ୍ୟା କରାଯିବା ଉପରେ ପ୍ରତିବନ୍ଧକ ଲଗେଇବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି । ଅପରପକ୍ଷରେ, ମାର୍ଚ୍ଚ ୨୦୧୫ରେ ସରକାର ଉଭୟ ମାଇ ଓ ଅଣ୍ଡିରା ଓଟଗୁଡିକୁ ହତ୍ୟା କରାଯିବା ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିଛନ୍ତି- ଯାହାଦ୍ୱାରା ରାଇକାମାନଙ୍କ ଉପାର୍ଜନର ଏକ ସ୍ଥିର ଉତ୍ସ ବନ୍ଦ ହୋଇଯାଇଛି ।

“ଅଧିକାଂଶ ସମୟରେ, ଏହି ବ୍ଲାଙ୍କେଟ୍‌ ପଲିସିଗୁକରେ ଏହି ସମ୍ପ୍ରଦାୟଗୁଡିକର ଛୋଟଛୋଟ ବାସ୍ତବତା ପ୍ରତି ଧ୍ୟାନ ଦିଆଯାଇ ନଥାଏ,’’ ବୋଲି ହନ୍‌ୱନ୍ତ ସିଂ ରାଠୋର୍‌, ସାଦ୍ରୀ ସ୍ଥିତ ଲୋକହିତ ପଶୁପାଳକ ସଂସ୍ଥା – ଏକ ବେସରକାରୀ ସଂଗଠନର ମୁଖ୍ୟ ପରିଚାଳକ କହିଛନ୍ତି । “ରାଇକାମାନଙ୍କ କଣ ସବୁ ଅସୁବିଧା ରହିଛି, ତାହାମଧ୍ୟ ସରକାର ଶୁଣିବାକୁ ଆଗ୍ରହ ଦେଖାଉନାହାନ୍ତି. ଯଦିଓ ସେମାନେ ସେମାନଙ୍କ ପରିବେଶର ସଠିକ୍‌ ସନ୍ତୁଳନ କପରି ରକ୍ଷା କରାଯାଇ ପାରିବ ତାହା ଭଲଭାବେ ଜାଣନ୍ତି । ଗୋଟିଏ ପିଢ଼ିର ଲୋକ ପୂର୍ବ ପିଢିର ଲୋକଙ୍କ ଠାରୁ ଏ ସମ୍ପର୍କିତ ଜ୍ଞାନ କ୍ରମାଗତ ଭାବେ ଆହରଣ କରି ଆସୁଛନ୍ତି, ଯାହା ଏହାକୁ ଅମୂଲ୍ୟ ସମ୍ପଦରେ ପରିଣତ କରିଛି । ସେମାନେ ନିଜ ଜମିକୁ ଭଲଭାବେ ଚିହ୍ନନ୍ତି ଓ କିଭଳି ଭାବେ ପଶୁମାନଙ୍କ ଯତ୍ନ ନିଆଯାଇ ପାରିବ ତାହା ମଧ୍ୟ ଜାଣନ୍ତି ।’’

PHOTO • Sweta Daga

ଭୋପାଜୀ ତାଙ୍କ ପଶୁପଲ ସହିତ

ଆପଣ ଏହା ପଢିବା ସହିତ ଜାଣିପାରୁଥିବେ ଯେ, ବନ ବିଭାଗ ବଳପୂର୍ବକ ରାଇକା ସମ୍ପ୍ରଦାୟଠାରୁ ଏହାର ଚାରଣ ଭୂମି ଉପରେ ରହିଥିବା ଅଧିକାରକୁ ଛଡାଇ ନେଇଛନ୍ତି । “ଅଧିକ ଶକ୍ତିଶାଳୀ ସମ୍ପ୍ରଦାୟମାନେ ରାଇକାମାନଙ୍କ ଚାରଣଭୂମି ସମ୍ବନ୍ଧିତ ଅଧିକାରକୁ ସେମାନଙ୍କଠାରୁ ଛଡାଇ ନେବା ପାଇଁ ଚେଷ୍ଟା ଜାରି ରଖିଛନ୍ତି,’’ ବୋଲି ରାଠୋର୍‌ କୁହନ୍ତି । “ସେମାନେ ଭାବନ୍ତି ଯେ ସେମାନଙ୍କ ମଇଁଷିମାନେ ଓଟମାନଙ୍କୁ ଦେଖି ଡରି ଯାଆନ୍ତି ଓ ଏଥିପାଇଁ ସେମାନେ ଚାରଣ ଭୂମିର ପ୍ରବେଶ ପଥରେ ବନବିଭାଗର ଗାର୍ଡ ରଖିବାକୁ ଅନୁରୋଧ କରିଛନ୍ତି ।

“ଉପର ଜାତିର ସମ୍ପ୍ରଦାୟଗୁଡିକ ରାଇକାମାନଙ୍କୁ ସାମାଜିକ ବାସନ୍ଦ କରିବା ପାଇଁ ଡାକରା ଦେଉଛନ୍ତି, ସେମାନଙ୍କୁ ସମସ୍ତଙ୍କଠାରୁ ଅଲଗା କରିଦେବାକୁ କହୁଛନ୍ତି । ଏହାକୁ ରୋକିବା ପାଇଁ ଆମେ ଆମର ରାଜନୈତିକ ପ୍ରତିନିଧିମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛୁ । ଯଦି ଏହା ଜାରି ରହେ, ତେବେ ରାଇକାମାନେ ଦିନେ ନିଶ୍ଚିହ୍ନ ହୋଇଯିବେ ଏଥିରେ ସନ୍ଦେହ ନାହିଁ । ଓ ଆସନ୍ତା ପାଞ୍ଚ ବର୍ଷ ପରେ, ରାଜସ୍ଥାନରେ ଆଉ ଓଟମାନଙ୍କ ସତ୍ତା ମଧ୍ୟ ରହିବ ନାହିଁ ।’’

ରାଇକା ସମ୍ପ୍ରଦାୟର କଳ୍ପନା ଓ ସେମାନଙ୍କ ଚରେଇବା ଅଧିକାରକୁ କୌଣସି ପ୍ରକାରେ ଚ୍ୟାଲେଞ୍ଜ କରିବା ଅର୍ଥ ନିଶ୍ଚିତଭାବେ ସେମାନଙ୍କ ଜୀବନଶୈଳୀକୁ ଚ୍ୟାଲେଞ୍ଜ କରିବା ହେବ । “ଆମେମାନେ ଏହାକୁ ଜୀବନ୍ତ ରଖିବାକୁ ଆପ୍ରାଣ ଉଦ୍ୟମ କରିବୁ,” ବୋଲି ଯୋଗରାମ୍‌ଜୀ କହିଲେ, ‘‘କିନ୍ତୁ ଯଦି କେହି ମଧ୍ୟ ଏହି ଅଧିକାର ପାଇବା ପାଇଁ ଆମେ ଯୋଗ୍ୟ ବୋଲି ଭାବୁନାହାନ୍ତି ତେବେ ଆମ କଣ ପାଇଁ ସଂଘର୍ଷ କରୁଛୁ?’’

ଲେଖକ, ରାଇକା ସମ୍ପ୍ରଦାୟ, ଲୋଖିତ୍‌ ପଶୁପାଳକ ସଂସ୍ଥା ଓ ହର୍ଷବର୍ଦ୍ଧନ, ଆସିଷ୍ଟାଣ୍ଟ ଫଟୋଗ୍ରାଫର୍‌ ଆଦି ସମସ୍ତଙ୍କୁ ଏହି ଆଲେଖ୍ୟ ପ୍ରସ୍ତୁତ କରିବାରେ ସେମାନଙ୍କ ସାହାଯ୍ୟ ଓ ଯୋଗଦାନ ପାଇଁ ଧନ୍ୟବାଦ ଜଣାଉଛନ୍ତି ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Sweta Daga

ଶ୍ୱେତା ଦାଗା ବାଙ୍ଗାଲୋରର ଜଣେ ଲେଖକ ଓ ଫଟୋଗ୍ରାଫର । ସେ, ପିପୁଲ୍‌ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆ ଏବଂ ସେଣ୍ଟର୍‌ ଫର୍‌ ସାଇନ୍‌ସ୍‌ ଆଣ୍ଡ୍‌ ଏନ୍‌ଭାଇରନ୍‌ମେଣ୍ଟ୍‌ ସହିତ ଫେଲୋସିପ୍‌ ସମେତ ବିଭିନ୍ନ ମଲ୍‌ଟି ମିଡିଆ ପ୍ରକଳ୍ପରେ କାର୍ଯ୍ୟରତ ।

Other stories by Sweta Daga