PHOTO • P. Sainath

“ମୁଁହେଉଛି ଚାଷୀ, ସେ କିଛି ଚାଷବାସ କରନ୍ତିନି । ସେ କେବଳ ତାଙ୍କ ଗାଈଗୋରୁଙ୍କ କଥା ଭାବନ୍ତି । ସେ ସେଇ ଗାଈମାନଙ୍କୁ ଭଲ ପାଆନ୍ତି (ଯଦିଓ ସେମାନେ ପ୍ରତ୍ୟେକ ଗୋଟିଏ ଲିଟର ଲେଖାଏଁ କ୍ଷୀର ଦିଅନ୍ତି) । ଗାଁର ପୁରୁଷମାନେ ଏଣେତେଣେ ବୁଲୁଥାଆନ୍ତି, ମହିଳାମାନେ କ୍ଷେତରେ କାମ କରନ୍ତି । ୟବତମାଲର ବେଶ୍‌ ଜଣାଶୁଣା ଚାଷୀଙ୍କ ମଧ୍ୟରୁ ଜଣଙ୍କର କଥା କହୁଛନ୍ତି ଲୀଲାବାଇ। ସେଇ ଜଣକ ହେଲେ ଆଶାନା ଟୋଟାୱାର । କହିବାକୁ ଗଲେ ସେ ଜଣେ କିମ୍ବଦନ୍ତୀ । ୟବତମାଲରେ ଗୁରୁତର ଫସଲହାନି ଘଟିଥିବା ବର୍ଷରେ ବି ସେ କପା ଓ ସୋୟାବିନ୍‌ ଅମଳରେ ରେକର୍ଡ ସୃଷ୍ଟି କରିଛନ୍ତି । ଆଶାନା ଜଣେ ଭଦ୍ର ଓ ଅଭିଜ୍ଞ ବ୍ୟକ୍ତି । ୫୦ ବର୍ଷ ଧରି ସେ ବିଦର୍ଭ ଅଞ୍ଚଳରେ ଚାଷବାସକୁ ଅତି ନିକଟରୁ ଦେଖିଆସିଛନ୍ତି । ସେ ମଧ୍ୟ ଲୀଲୀବାଇଙ୍କ ସ୍ୱାମୀ । କପା କାରବାର ଲାଗି ଜଣାଶୁଣା ମହାରାଷ୍ଟ୍ରର ୟବତମାଲ ଜିଲ୍ଲା ଅନ୍ତର୍ଗତ ପାଣ୍ଡେରକୌଡ଼ା ସହର ନିକଟବର୍ତ୍ତୀ ପିମ୍ପ୍ରି ଗାଁରେ ଏହି ଦମ୍ପତି ରହନ୍ତି ।

ସ୍ୱାମୀଙ୍କ ପ୍ରତି ଲୀଲାବାଇଙ୍କର ଗଭୀର ସମ୍ମାନ ଓ ଶ୍ରଦ୍ଧା ରହିଛି । ସେ ଅଳ୍ପ ପାଠ ପଢ଼ିଛନ୍ତି, କିନ୍ତୁ ନିଜ ଅନୁଭୂତିରୁ ସେ ଖୁବ୍‌ ଦକ୍ଷତା ଓ ପ୍ରଶିକ୍ଷଣ ହାସଲ କରିଛନ୍ତି । ଚାଷବାସ ସଂପର୍କରେ ଯାହା ଯେମିତି, ତାକୁ ଠିକ୍‌ ସେମିତି କହିବାରେ ସେ ବିଶ୍ୱାସ କରନ୍ତି । ବିଶେଷତଃ, ପ୍ରକୃତରେ କିଏ ଚାଷକାମ କରନ୍ତି ବୋଲି କଥା ଉଠିଲେ । ସେ କହନ୍ତି, “ବାଇ (ମହିଳାମାନେ), ‘‘ଏବଂ ସେମାନେ ଏହାକୁ ବେଶୀ ଭଲ ଭାବରେ କରନ୍ତି ।”

ଦଶନ୍ଧି ଦଶନ୍ଧି ଧରି ଏକ ସଫଳ କୃଷିକ୍ଷେତ୍ରର ମୁଖ୍ୟ ଚାଷୀ ଭାବରେ ତାଙ୍କର ଜ୍ଞାନ ଖୁବ୍‌ ପ୍ରଶଂସନୀୟ । ଏହାର ଆଉ ଏକ କାରଣ ଯେ ଚାଷବାସ ଏବଂ ଅର୍ଥ ଲଗାଣ କ୍ଷେତ୍ରରେ ସେ ନିର୍ଣ୍ଣାୟକ ଭୂମିକାରେ ରହି ଆସିଛନ୍ତି ।

ଲଳିତା ଆନନ୍ଦରାଓ ଗାନ୍ଧେୱାରଙ୍କ ଘରେ ଆମେ ଲୀଲାବାଇଙ୍କୁ ଭେଟିଲୁ । ଏ ବର୍ଷ ମେ ମାସ ୨୦ ତାରିଖରେ ଲଳିତାଙ୍କ ସ୍ୱାମୀ ନାମଦେଓ ଆତ୍ମହତ୍ୟା କରିଥିଲେ । ମହାରାଷ୍ଟ୍ରରେ ଚାଷୀ ଆତ୍ମହତ୍ୟାର ଭୟାନକ ସଂଖ୍ୟାରେ ଆଉ ଏକ ଅଙ୍କ ଯୋଡ଼ି ହୋଇଯାଇଥିଲା । (ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଅନୁସାରେ, ଗତ ବର୍ଷ ପାଇଁ ଏହି ସଂଖ୍ୟା ୩,୭୮୬ରୁ କମ୍‌ ନୁହେଁ ।) ଆଶାନା ମଧ୍ୟ ଗାନ୍ଧେୱାରଙ୍କ ଘରେ ଥିଲେ ।

ନାମଦେଓଙ୍କ ଆତ୍ମହତ୍ୟାର କାରଣ ସଂପର୍କରେ ଲଳିତାଙ୍କ ସହ କଥା ହେଲା ପରେ ଆମେ କିମ୍ବଦନ୍ତୀ କୃଷକ ଆଶାନାଙ୍କ ସହ କଥାବାର୍ତ୍ତା କଲୁ । ଅନ୍ଧାରୁଆ ଘର ଭିତରେ, ପାଖ କୋଠରିର ଚଟାଣରେ ଲୀଲାବାଇ ବସିଥିଲେ। ତେଣୁ ତାଙ୍କୁ ମଧ୍ୟ ଆମେ ଦେଖିପାରୁ ନଥିଲୁ । କିନ୍ତୁ ସେ ତାଙ୍କ କଥା ଶୁଣାଉଥିଲେ, ମଝିରେ ମଝିରେ ଆମ ଅଜ୍ଞତାକୁ ସହଜରେ ସୁଧାରି ନେଉଥିଲେ ।

ଚାଷଜମିରେ

“ଯେତେ ଶୀଘ୍ର ସମ୍ଭବ ଆମେ ଆହୁରି ପ୍ରଭାବଶାଳୀ ଢଙ୍ଗରେ ଚାଷ କରିବା ଦରକାର । ଚାଷବାସର ଖର୍ଚ୍ଚ ଏବଂ ଆମ ଫସଲ ପାଇଁ ଉପଯୁକ୍ତ ମୂଲ୍ୟର ଅଭାବ- ଆମକୁ ବରବାଦ କରୁଛି ।”

ପରେ, ସେମାନଙ୍କ ନିଜ ଘରେ ଆମକୁ ତାଙ୍କ ନିଜକଥା କହିଲେ ଲୀଲାବାଇ ।

“ପ୍ରଥମ କରି ଆମେ ଯେତେବେଳେ ଚାଷକାମ ଆରମ୍ଭ କଲୁ, କେତେକ ଜାଗାରେ ୧୦,୦୦୦ ଟଙ୍କାରେ ୪୦ ଏକର ଜମି କିଣିବା ସମ୍ଭବ ହେଉଥିଲା । ଆଜି ଆପଣ ଯେଉଁଠିକୁ ଯାଆନ୍ତୁ ନା କାହିଁକି ୪୦,୦୦୦ ଟଙ୍କାରେ ଗୋଟିଏ ଏକର ପାଇବେନି ।”

“ଆଜିକାଲି ଆମେ ଯେଉଁ ସାମଗ୍ରୀ ସବୁ ଉପଯୋଗ କରୁଛୁ ସେଥିରେ ବହୁ ଗୁରୁତର ସମସ୍ୟା ରହିଛି । ଉଦାହରଣତଃ, ଅନାବନା ଘାସ ନଷ୍ଟ କରିବାକୁ ଥିବା ଔଷଧ ଘାସ ବଢ଼ିବାକୁ ରୋକୁନାହିଁ, ଗଛ ଓ ମାଟିର କ୍ଷତି କରୁଛି । ଏହା ସହିତ ଅନ୍ୟ ରାସାୟନିକ ଦ୍ରବ୍ୟ ସବୁ ମାଟିର ଉର୍ବରତା କ୍ଷୟ କରୁଛନ୍ତି। ମାଟିକୁ ଆମେ ନଷ୍ଟ କରିଦେଉଛୁ ।

“ଦଶ ବର୍ଷ ତଳେ, ଆମେ ଖୁବ୍‌ କମ୍‌ କୀଟନାଶକ ବ୍ୟବହାର କରୁଥିଲୁ । ଏବେ, ଯଦିଓ ବେଶୀ ଅମଳ ହେଉଛି, ଲାଭ କମ୍‌ ମିଳୁଛି ।

“ଆମେ ଯାହା କରୁଛୁ, ସେଥିରେ ବହୁତ କିଛି ବଦଳାଇବା ଦରକାର । ତା’ ନହେଲେ ଆମେ କୃଷିକୁ ନଷ୍ଟ କରିଦେବା ।”

PHOTO • P. Sainath

୧୯୬୫ରେ ବିବାହ କରିବା ସମୟରେ ସେମାନେ ଦୁହେଁ ସାନପିଲା ଥିଲେ । ତାଙ୍କ ସ୍ୱାମୀ ଥିଲେ ଜଣେ ଗୃହହୀନ ଅନାଥ ଏବଂ ଲୀଲାବାଇଙ୍କ ପରିବାର ସହ ତାଙ୍କର କିଛିଟା ସଂପର୍କ ଥିଲା । ଜେଜେବାପା ଓ ଜେଜେମାଆ ତାଙ୍କୁ ଲୀଲାବାଇଙ୍କ ସ୍ୱାମୀ ରୂପରେ ପସନ୍ଦ କରିଥିଲେ । ତାଙ୍କୁ ବିବାହ କରିବା ପୂର୍ବରୁ ଲୀଲାବାଇ ଚତୁର୍ଥ ଶ୍ରେଣୀରୁ ପାଠ ଛାଡ଼ିଥିଲେ । ତାଙ୍କୁ ଲାଗେ, ଏବେ ତାଙ୍କୁ ୬୩ ଏବଂ ତାଙ୍କ ସ୍ୱାମୀଙ୍କୁ ୬୭ ବର୍ଷ । ଯଦିଓ ଉଭୟଙ୍କ ବୟସ ଅଧିକ ହୋଇପାରେ । କିନ୍ତୁ କେହି ଠିକ୍‌ ଭାବରେ କହିପାରିବେନି । କାରଣ, ସେ ସମୟରେଖୁବ୍‌ କମ ଲୋକ କାଗଜପତ୍ର ସାଇତି ରଖୁଥିଲେ । ଉଭୟଙ୍କ ମଧ୍ୟରୁ କାହାରି ନାଁରେ ଇଞ୍ଚେ ହେଲେ ଜମି ନ ଥିଲା । ବିବାହ ପରେ ଏହାକୁ ବଦଳାଇବାରେ ଲାଗିଲେ ଲୀଲାବାଇ । ଭଲ ରୋଜଗାର ସହିତ ଉଚ୍ଚମାନର କୃଷିକ୍ଷେତ୍ର କରିବା ଲାଗି କ୍ଷେତରେ ହାଡ଼ଭଙ୍ଗା ପରିଶ୍ରମ କଲେ ।

ସ୍ୱୀକୃତି ନାଁକୁ ମାତ୍ର

ଏମିତି ଏକ ସମାଜରେ, ଯେଉଁଠି ପୁରୁଷ ହିଁ କୃଷକ ଏବଂ “ପରିବାରର ମୁଖ୍ୟ” ବୋଲି ବିବେଚିତ ହୁଅନ୍ତି, ସେଠାରେ, ଅବଶ୍ୟମ୍ଭାବୀ ଭାବରେ ସବୁ ଶ୍ରେୟର ଅଧିକାରୀ ହେଲେ (ଏବଂ ଏବେ ବି ଅଛନ୍ତି ) ଆଶାନା । ସାରା ଭାରତରେ ମହିଳା ଚାଷୀଙ୍କ କ୍ଷେତ୍ରରେ ଯାହା ହୁଏ ତାଙ୍କ କ୍ଷେତ୍ରରେ ବି ସେଇଆ ହେଲା ଏବଂ ଲୀଲାବାଇ ନିଜେ ଜଣେ ମହିଳା ଚାଷୀ ଭାବରେ ନୁହେଁ, ବରଂ ଜଣେ “କୃଷକଙ୍କ ପତ୍ନୀ” ରୂପରେ ପରିଗଣିତ ହେଲେ । ଅନ୍ୟାନ୍ୟ ସ୍ଥାନ ଭଳି ଏଠାରେ ବି ମହିଳାମାନେ ବେଶୀ ଭାଗ ଚାଷକାମ କରନ୍ତି । କିନ୍ତୁ ସେମାନଙ୍କର ଏହି ବଡ଼ ଅବଦାନକୁ ଅନୁରୂପ ସ୍ୱୀକୃତି ମିଳେନାହିଁ । ଆଶାନା ଏ ଅଞ୍ଚଳର କୃଷି କ୍ଷେତ୍ରରେ ସଫଳତାର ଏକ ପ୍ରତୀକ । କିନ୍ତୁ ଲୀଲାବାଇ ସେହି ସଫଳତାର ସ୍ଥପତି । ଆଶାନାଙ୍କ କ୍ଷେତ୍ରରେ, ସେ ଏହାକୁ ସ୍ୱୀକାର କରନ୍ତି । ଲୀଲାବାଇଙ୍କ କ୍ଷେତ୍ରରେ, ସେ ଏ ସଂପର୍କରେ ନିଃସନ୍ଦେହ ।

“ମୁଁ ହିଁ ସବୁଦିନିଆ ଚାଷୀ ଥିଲି । ଆଶାନା ତ ଦୀର୍ଘ କାଳ ପେଟ୍ରୋଲ ପମ୍ପରେ ଆଟେଣ୍ଡାଣ୍ଟ୍‌ ଚାକିରି କରି ମାସକୁ ୭୦ ଟଙ୍କା ରୋଜଗାର କରୁଥିଲେ ।” (୧୫ ବର୍ଷ ତଳେ ସେ ଚାକିରି ଛାଡ଼ିଥିଲେ ବୋଲି ଆଶାନା ସ୍ୱୀକାର କରନ୍ତି । ସେତେବେଳକୁ ତାଙ୍କ ସ୍ତ୍ରୀ ଏକ ସମୃଦ୍ଧ କୃଷିକ୍ଷେତ୍ର ଗଢ଼ି ସାରିଥିଲେ ।)

“ପ୍ରଥମେ, ମୁଁ କାମ କରି ସଞ୍ଚିଥିବା ଟଙ୍କାରେ ଏକରକୁ ୧,୦୦୦ ଟଙ୍କା ହିସାବରେ ଚାରି ଏକର ଜମି କିଣିଲି । ତାହା ଥିଲା ୧୯୬୯ ମସିହାର କଥା ।”

କଥା ଖାଲି ଏକରର ନୁହେଁ, ଅତି ଉତ୍କୃଷ୍ଟ କୃଷ୍ଣ କାର୍ପାସ ମୃତ୍ତିକା ଥିବା ଜମିକୁ ସେ ନିଜେ ବାଛିଲେ ।

“ସେଇ ଚାରି ଏକର ଜମି ଏବେ ୫୦ ଲକ୍ଷ ଟଙ୍କା । (ଏହି ଜମି ଏକ ରାଜପଥ କଡ଼ରେ ରହିଛି ଏବଂ ସେଠାରେ ଜମି ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି) । ତା’ ପରେ, ୧୯୭୧ ମସିହାରେ ମୁଁ ୯,୦୦୦ ଟଙ୍କାରେ ମୋ ପସନ୍ଦର ୨୦ ଏକର ଜମି କିଣିଲି ।

ଏହା ପରେ, ୧୯୭୩ରେ ସେ ୨୫,୦୦୦ ଟଙ୍କାରେ ୧୫ ଏକର ଜମି କିଣିଲେ ଏବଂ ୧୯୮୫ରେ ୩୫,୦୦୦ ଟଙ୍କାରେ ଆଉ ଚାରି ଏକର ଜମି କିଣିଲେ । ଏବଂ ଶେଷରେ୧୯୯୧ରେ ୭୦,୦୦୦ ଟଙ୍କାରେ ଆଉ ୧୦ ଏକର ।

“ଏହା ଭିତରେ ମୁଁ ଆଉ କିଛି ଏକର ବିକି ଦେଇଛି । ତେଣୁ ଏବେ ଆମର ୪୦ ଏକର ଅଛି ।”

“ଆମର ସବୁ ଖାଦ୍ୟ ଆମ ନିଜ ଜମିରୁ ଆସେ । ଗୋଟିଏ ଏକରରେ ମୁଁ ଧାନଚାଷ କରେ, ଦୁଇ ଏକରରେ ଗହମ ଏବଂ ୧୦ ଏକରରରେ ଯଅ । (ଏ ଅଞ୍ଚଳରେ ୧୦ ଏକର ଜମିରେ ଯଅ ଚାଷ କରିବା ଅତି ବିରଳ କଥା।) ବଳକା ଜମିରେ ସମାନ ଭାବରେ କପାସ୍‌ (କପା) ଓ ସୋୟାବିନ୍‌ ଚାଷ କରୁ ।” କୃଷି କ୍ଷେତ୍ରରେ କ’ଣ ଓ କେଉଁଠି ଏବଂ କେତେବେଳେ ଚାଷ ହେବ ତାହା ଲୀଲାବାଇ ହିଁ ସ୍ଥିର କରନ୍ତି । ଆଉ ଅଧିକାଂଶ ଦିନ, ଅଧିକ ସମୟ ଧରି ସେ ଚାଷଜମିରେ ରହି କାମ କରନ୍ତି । ଏହା ଫଳରେ ଉଭୟ କପା ଓ ସୋୟାବିନ୍‌ରେ ନିୟମିତ ଭାବେ ସେମାନଙ୍କର ଏକର ପିଛା ୧୦ କୁଇଣ୍ଟାଲ ଅମଳ ହୁଏ । ଏ ଅଞ୍ଚଳର ହାରାହାରି ଅମଳ ଏହାଠାରୁ ଯଥେଷ୍ଟ କମ୍‌ ।

ସେ ଏକ ସୁନ୍ଦର ଘର ତୋଳିଛନ୍ତି-ଏବଂ ଫସଲ ସାଇତି ରଖିବା ଦିଗରେ ଧ୍ୟାନ ଦେଇ ଏହା ଚାରିପଟେ ପର୍ଯ୍ୟାପ୍ତ ଖାଲି ଜାଗା ରଖିଛନ୍ତି । ଏହା ଫଳରେ ସେ ତାଙ୍କ କପାକୁ ନିରାପଦରେ ଏବଂ ଦୀର୍ଘ ଦିନ ଯାଏ ସାଇତି ରଖନ୍ତି ଏବଂ ଭଲ ଦାମ୍‌ରେ ବ୍ୟବସାୟୀମାନଙ୍କୁ ବିକ୍ରି କରନ୍ତି । ୨୦୧୨ ଶେଷ ଆଡ଼କୁ ଏ ଅଞ୍ଚଳର ଅଧିକାଂଶ କପାଚାଷୀ ସେମାନଙ୍କ ଫସଲକୁ କୁଇଣ୍ଟାଲ୍‌ ପିଛା ପ୍ରାୟ ୩,୮୦୦ ଟଙ୍କାରେ ବିକିଥିଲା ବେଳେ ଲୀଲାବାଇଙ୍କ ପରିବାର ଏହାକୁ ଏ ବର୍ଷ ଫେବ୍ରୁଆରୀ ପର୍ଯ୍ୟନ୍ତ ସାଇତି ରଖିଥିଲେ । ଶେଷରେ ସେ କୁଇଣ୍ଟାଲ ପିଛା ୪,୨୦୦ ଟଙ୍କା ଦରରେ ବିକିଲେ ।

“ଆମର ମଧ୍ୟ ୧୪ଟି ଗୃହପାଳିତ ପଶୁ ଅଛନ୍ତି । ସେଥିରେ ଅଛନ୍ତି ଛଅଟି ବଳଦ, ପାଞ୍ଚଟି ଗାଈ ଏବଂ ତିନିଟି ମଇଁଷି ।”

ନିଜ ସ୍ୱାମୀଙ୍କ ଆଡ଼କୁ ଚାହିଁ ଅଳ୍ପ ହସି ସେ କହନ୍ତି, “ସେ ସେମାନଙ୍କ କଥା ବୁଝନ୍ତି । ପ୍ରକୃତରେ ସେ ସେହି ପ୍ରାଣୀମାନଙ୍କୁ ଭଲ ପାଆନ୍ତି (ଯଦିଓ ସେମାନେ ଏତେଟା ଫାଇଦା ଦିଅନ୍ତି ନାହିଁ) । ଆମେ କେବେ ବି ଡାକ୍ତରଙ୍କ ପାଖକୁ ଯିବା ଦରକାର ହୁଏନି । କାରଣ, ଆମେ କେବଳ ଏହି କ୍ଷୀର ପିଉ ଏବଂ ଆମ ନିଜ ଜମିରେ ନିଜେ ଚାଷ କରିଥିବା ଖାଦ୍ୟ ଖାଉ ।”

କିନ୍ତୁ କୃଷି କ୍ଷେତ୍ରରେ: “କିଛିଟା ବଦଳିବା କଥା । ଏବେ ଯେମିତି ହେଉଛି, ସେମିତି ଚାଲିପାରିବ ନାହିଁ । ଚାଷବାସର ଏତେ ଖର୍ଚ୍ଚ କେହି ତୁଲାଇ ପାରିବେନି । ଆମକୁ ଶସ୍ତାରେ ସାମଗ୍ରୀ ମିଳିବା ଦରକାର । ଏବଂ ଆମ କପା ଓ ସୋୟାବିନକୁ ଆହୁରି ଅଧିକ ଦର ମିଳିବା କଥା । ଯଦି କିଛି ପରିବର୍ତ୍ତନ ନ ହୁଏ, ତେବେ ହୁଏତ ଆମେ ସମସ୍ତେ ନାମଦେଓ ଗାନ୍ଧେୱାରଙ୍କ ପଛକୁ ଧାଡ଼ିରେ ଠିଆ ହୋଇଥିବୁ ।”

ଏହି ଲେଖା ପ୍ରଥମେ ‘ଦି ହିନ୍ଦୁ’http://www.thehindu.com/opinion/columns/sainath/when-leelabai-runs-the-farm/article4921390.eceରେ ପ୍ରକାଶିତ ହୋଇଥିଲା

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ପି.ସାଇନାଥ ପିପୁଲ୍ସ ଆର୍କାଇବ ରୁରାଲ ଇଣ୍ଡିଆର ସଂସ୍ଥାପକ ସମ୍ପାଦକ, ସେ କେଇ ଦଶକ ଧରି ଜଣେ ଗ୍ରାମୀଣ ସମ୍ବାଦଦାତା ଭାବରେ କାର୍ଯ୍ୟ କରିଛନ୍ତି ଏବଂ ସେ ‘ଏଭ୍ରିବଡି ଲଭ୍ସ ଏ ଗୁଡ୍ ଡ୍ରଟ୍’ର ଲେଖକ।

Other stories by P. Sainath