ମିନାକ୍ଷୀ କହିଲେ, ‘‘ତୁମକୁ ୩,୦୦୦ ଥର ପିଟିବାକୁ ପଡ଼ିବ। ଏହା କରିବାକୁ ହିଁ ସେ ପ୍ରସ୍ତୁତ ହେଉଥିଲେ। ଏହା ପୋଡ଼ା ଯାଇନଥିବା ଏକ ମାଟିପାତ୍ର ଯାହା ଅନ୍ୟ ରନ୍ଧନ ପାତ୍ର ଭଳି ଦେଖାଯାଉଛି। ସେ ଏହାକୁ ମାଟିରେ ନିର୍ମିତ ଏକ ବାଦ୍ୟଯନ୍ତ୍ରର ରୂପ ଦେବେ। ଏହାକୁ କୋଳ ଉପରେ ରଖି ତାର ଉଭୟ ପାର୍ଶ୍ୱକୁ ଏକ ବଡ଼ କାଠ ଖଣ୍ଡ ସାହାଯ୍ୟରେ ପିଟିବାକୁ ଲାଗିଲେ। ସଂପୂର୍ଣ୍ଣ ହେଲେ ଏହି ପାତ୍ରଟି ଘଟମ ହେବ। ଘଟମ ଏକ ବାଦ୍ୟଯନ୍ତ୍ର ଯାହା ଦକ୍ଷିଣ ଭାରତର କର୍ଣ୍ଣାଟକୀ ଧୁନ୍ରେ ବ୍ୟବହୃତ ହୁଏ। ମିନାକ୍ଷୀ କେଶବନ ହେଉଛନ୍ତି ଜଣେ ଦକ୍ଷ ଘଟମ୍ କାରିଗର। କେବଳ ୬୩ ବର୍ଷୀୟ ଏହି ମହିଳା ଏବଂ ତାଙ୍କ ପରିବାର ମନମଦୁରାଇରେ ଏକ ସ୍ୱତନ୍ତ୍ର ପ୍ରକାର ଘଟମ ତିଆରି କରନ୍ତି।   

ଘଟମ ପାଇଁ ମିନାକ୍ଷୀଙ୍କ ସହର ମନମଦୁରାଇ ବେଶ ପ୍ରସିଦ୍ଧ। ତାମିଲନାଡ଼ୁର ମଦୁରାଇଠାରୁ ମନମଦୁରାଇର ଦୂରତା ଏକ ଘଣ୍ଟାର ବାଟ। ୧୫ ବର୍ଷ ବୟସରେ ‘‘ଯେଉଁ ପରିବାରରେ ମୋର ବାହାଘର ହେଲା ସେହି ପରିବାର ଅତି କମରେ ଚାରି ପୁରୁଷ ଧରି ଏହି ବାଜା ତିଆରି କରିଛନ୍ତି। ’’ ସେ ଏହି କାମ ତାଙ୍କ ସ୍ୱାମୀ ଓ ଶ୍ୱଶୁରଙ୍କଠାରୁ ଶିଖିଛନ୍ତି। ତାଙ୍କ ପୁଅ ରମେଶ କହିଲେ, ‘‘ଏଥିରେ ପୋଖତ ହେବାକୁ ୬ ବର୍ଷ ଲାଗିବ।’’ ଏହା ହିଁ ସବୁଠୁ ଶୀଘ୍ର। ‘‘ଯଦି ପାରଂପରିକ ଭାବେ ଆପଣ ମାଟି କାରିଗର ହୋଇ ନଥିବେ ତେବେ ଆହୁରି ଅଧିକ ସମୟ ଲାଗିବ।’’ 

ମିନାକ୍ଷୀ କହିଲେ, ‘‘କୁଶଳ କାର୍ଯ୍ୟଟି ହେଉଛି ଘଟମ କୁ ଟେମ୍ପର ଦେଇ ତାର ସ୍ୱରକୁ ଉଚ୍ଚା କରିବା’’ । ସେ ଡାହଣ ହାତରେ ଘଟମକୁ ଘୂରାଉଥିଲେ। ବାଁ ହାତରେ ଗୋଟିଏ ଗୋଲାକାର ପଥର ଧରି ପାତ୍ର ଭିତରେ ବୁଲାଉଥିଲେ। ସେ କହିଲେ, ‘‘ଯେପରି ଏହାର କାନ୍ଥ ଭାଂଗି ନଯାଏ ତାକୁ ଦୃଷ୍ଟି ଦେବାକୁ ହୁଏ ଏବଂ ଏହାକୁ ଚିକ୍କଣ କରିବାକୁ ହୁଏ। ’’ ସେ କିଛି ସମୟ ପାଇଁ ବିଶ୍ରାମ ଦେଲେ। କାଦୁଅକୁ ଆକୃତି ଦେବାର ଚାରି ଦଶନ୍ଧି ପରେ ଏବେ ତାଙ୍କ ହାତରେ ସବୁବେଳେ ଯନ୍ତ୍ରଣା ଅନୁଭବ ହେଉଛି। ଅବଶ ହୋଇପଡ଼ିଥିବା କାନ୍ଧ ପାଖରୁ ଯନ୍ତ୍ରଣା କିଭଳି ଆଙ୍ଗୁଠିର ଅଗ୍ରଭାଗ ପର୍ଯ୍ୟନ୍ତ ଓହ୍ଲାଇ ଆସେ ସେ କଥା ସେ ବର୍ଣ୍ଣନା କଲେ। କିନ୍ତୁ ଗୋଟିଏ ମିନିଟ୍ ପରେ ସେ ପୁଣି କୋଳ ଉପରେ ପାତ୍ରଟି ରଖି କାଠ ଏବଂ ପଥର ଖଣ୍ଡକ ଧରିଲେ। ପୁଣି ବାଡ଼େଇବା ଆରମ୍ଭ ହୋଇଗଲା। 

PHOTO • Aparna Karthikeyan

ମିନାକ୍ଷୀ ଗୋଟିଏ ଘଟମକୁ ପିଟୁଛନ୍ତି (ବାମ); ସେ ହାତରେ ପଥର ଖଣ୍ଡେ ଧରିଛନ୍ତି, ପାତ୍ରଟିର କାନ୍ଥକୁ ଚିକ୍କଣ କରିବା ପାଇଁ ଏହାକୁ ଭିତର ପଟେ ବ୍ୟବହାର କରାଯାଏ (ଦକ୍ଷିଣ) 

‘‘ପୁରସ୍କୃତ ହୋଇଥିବା ଜଣେ କୁମ୍ଭାର’ଙ୍କୁ ଭେଟିବା ପାଇଁ ଆମେ ମନମଦୁରାଇରେ ଥିଲୁ, ତାଙ୍କୁ ଶ୍ରଦ୍ଧାରେ ଏହି ନାଁରେ ଡକାଯାଏ। ସମ୍ମାନଜନକ ସଂଗୀତ ନାଟକ ଏକାଡେମୀ ପୁରସ୍କାର ମଧ୍ୟରୁ ଏହା ଅନ୍ୟତମ। ଭାରତର ରାଷ୍ଟ୍ରପତିଙ୍କଠାରୁ ମିନାକ୍ଷୀ ପୁରସ୍କାର ଗ୍ରହଣ କରୁଥିବାର ଏକ ବିରାଟ ବନ୍ଧେଇ ଫଟୋଗ୍ରାଫ ରହିଛି। ସେ ରହୁଥିବା କୋଠରୀର କାନ୍ଥରେ, ଫୁଲମାଳ ପଡ଼ିଥିବା ତାଙ୍କ ମୃତ ସ୍ୱାମୀଙ୍କ ଫାଟୋଚିତ୍ର ପାଖରେ ଟଙ୍ଗା ଯାଇଛି। ସେଇ ସ୍ମରଣୀୟ ଦିଲ୍ଲୀ ଯାତ୍ରାକୁ ରମେଶ ମନେ ପକାନ୍ତି। ‘‘ଏହା ମୋ ମାଆଙ୍କର  ପ୍ରଥମ ଉଡାଜାହାଜ ଯାତ୍ରା ଥିଲା।  ସେ ଉଭୟ ଉତ୍ସାହିତ ଏବଂ ଭୟଭୀତ ଥିଲେ।’’ ୨୦୧୪, ଏପ୍ରିଲ୍ ୧୧ରେ, ‘‘ଆମେ ରାଷ୍ଟ୍ରପତି ଭବନ ଲାଗି ଏକ ଏୟାର କଣ୍ଡିସନ୍ ବସ୍ରେ ବସିଲୁ। ସେହି ସନ୍ଧ୍ୟା, ସେ ପ୍ରଥମ ବ୍ୟକ୍ତି ଥିଲା ଦେଶରେ ଇନଷ୍ଟ୍ରୁମେଣ୍ଟ ମେକର ପାଇଁ ରାଷ୍ଟ୍ରପତିଙ୍କଠାରୁ ସମ୍ମାନ ପାଇବ।’’

PHOTO • Aparna Karthikeyan

ଏକାଡେମୀ ପୁରସ୍କାର ସହ ମିନାକ୍ଷୀ (ଦକ୍ଷିଣ) ଏବଂ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରୁଥିବା ସମୟର ବନ୍ଧେଇ ଫଟୋ (ବାମ) 

ନିଜେ ଜଣେ ଦକ୍ଷ କାରିଗର ହୋଇ ବି ରମେଶ ତାଙ୍କ ମାଆଙ୍କ କାମକୁ ନେଇ ଗର୍ବିତ। ସେ ଏକାଡ଼େମୀର ଏକ ପୁସ୍ତିକା ଦେଖାଇଲେ, ଏଥିରେ ମିନାକ୍ଷୀଙ୍କୁ ଏଭଳି ତାରିଫ କରାଯାଇଥିଲା, ‘‘ସମ୍ଭବତଃ ଏକମାତ୍ର ଘଟମ ଗଢାଳି ଯାହାଙ୍କର ଉଚ୍ଚ ମାନର ଘଟମ ଗଢିବାରେ ପୂର୍ଣ୍ଣ ଜ୍ଞାନ ରହିଛି।’’ ଆହୁରି କୁହାଯାଇଥିଲା, ‘‘ତାଙ୍କ ହାତରେ ଗଢା ଯାଇଥିବା ଶତାଧିକ ଘଟମ ବାଦ୍ୟକାରଙ୍କ ସହ ସାରା ପୃଥିବୀ ବୁଲିଛି।’’ 

ପ୍ରତି ବାଦ୍ୟଯନ୍ତ୍ରରେ ଲାଗିଥିବା କାଦୁଅ ମଧ୍ୟ କିଛି ଦୂରତା ଅତିକ୍ରମ କରେ। ରମେଶ କହିଲେ, ‘‘ଆମେ ପାଞ୍ଚ ଛଅଟି ପୋଖରୀରୁ କାଦୁଅ ସଂଗ୍ରହ କରୁ।’’ ଏହା ଗୋଟିଏ ଦିନ ଶୁଖେ ଏବଂ ତାପରେ ବୈଗାଇ ନଦୀରୁ ଆସିଥିବା ସଫା ବାଲି ଏଥିରେ ମିଶାଯାଏ। ‘‘ଶବ୍ଦର ମାନ ବଢାଇବାକୁ ଏଥିରେ ଆମେ ଗ୍ରାଫାଇଟ୍ ଏବଂ ଶିସା ମିଶ୍ରଣ କରୁ, ୬ ଘଣ୍ଟା ପାଇଁ ମୁଦ୍ରାଙ୍କିତ କରାଯାଏ ଏବଂ ଅଲଗା କରି ଦୁଇଦିନ ରଖାଯାଏ। ଯେତେବେଳେ କାଦୁଅ ଟାଣ ହାଇଯାଏ, ସେତେବେଳେ ଆମେ ପାତ୍ରଟିକୁ ହାଲ୍କା ରଙ୍ଗ କରୁ।’’

ରମେଶ ଏହାକୁ ବିନା ପରିଶ୍ରମରେ କରିପାରିବା ଭଳି ଜଣାପଡନ୍ତି। ସେ ବିଦ୍ୟୁତ ଚକ ପାଖରେ ବସନ୍ତି, ଟେଳାଏ କାଦୁଅ ଧରି ଥାପୁଡ଼ାନ୍ତି ଏବଂ ଏହାକୁ କେନ୍ଦ୍ରରେ ରଖନ୍ତି। ଘୂରିବା ଆରମ୍ଭ କଲେ ସେ ଶୀଘ୍ରଶୀଘ୍ର ହାତ ଚଳାଇ ଏହାକୁ ଆକାର ଦିଅନ୍ତି। ପାତ୍ରଟି ପ୍ରସ୍ତୁତ ହୋଇଗଲେ ଏହାର ଦୁଇ ପାର୍ଶ୍ୱକୁ ବାଡ଼େଇ ବାଡ଼େଇ ଏହାକୁ ସଂପୂର୍ଣ୍ଣ କରାଯାଏ। (ଏହି ଜାଗା ଉପରେ ମିନାକ୍ଷୀ ଗଢୁଥିବା ପ୍ରତିଟି କଂଚା ପାତ୍ରର ଓଜନ ୧୬ କିଲୋଗ୍ରାମ୍)। ପର ଦୁଇ ସପ୍ତାହରେ ଘଟମ ଗୁଡ଼ିକ ଛାଇରେ ଶୁଖେ ଏବଂ ତାତିଲା ଖରାରେ ୪ ଘଣ୍ଟା ରଖାଯାଏ। ପରେ ହଳଦିଆ ଏବଂ ନାଲି ରଙ୍ଗର ପ୍ରଲେପ ଦେଇ ପାତ୍ର ଗୁଡ଼ିକୁ ଭାଟିରେ ୧୨ ଘଣ୍ଟା ପୋଡ଼ାଯାଏ। ଭାଟିରୁ ବାହାରିବା ପରେ ବେଳେ ଏହାର ଅଧା ଓଜନ କମିଯାଇଥାଏ। ଶେଷରେ ୮ କିଲୋଗ୍ରାମର କାଦୁଅ ସୁନ୍ଦର ସ୍ୱର ତୋଳେ। 

PHOTO • Aparna Karthikeyan

ରମେଶ ବୈଦ୍ୟୁତିକ ଚକଟି ଘୂରାଉଛନ୍ତି (ବାମ); କାଦୁଅକୁ ଆଙ୍କୁଛନ୍ତି ଏବଂ ଏହାକୁ ଆକାର ଦେଉଛନ୍ତି (ଦକ୍ଷିଣ)

ରମେଶ ବୈଦ୍ୟୁତିକ ଚକଟି ଘୂରାଉଛନ୍ତି (ବାମ); କାଦୁଅକୁ ଆଙ୍କୁଛନ୍ତି ଏବଂ ଏହାକୁ ଆକାର ଦେଉଛନ୍ତି (ଦକ୍ଷିଣ)। ବିଗତ ବର୍ଷ ଗୁଡ଼ିକରେ ଘଟମ ତିଆରିରେ ଅନେକ ପରିବର୍ତ୍ତନ ଦେଖିଛି। ଏବେ ବାଦ୍ୟକାରଙ୍କ ଚାହିଁବା ମୁତାବକ ପାତ୍ର ଗୁଡ଼ିକ ତିଆରି କରାଯାଉଛି - ହାଲ୍କା, ଛୋଟ ଏବଂ ଅଧିକ ସୁନ୍ଦର। ରମେଶ ପାତ୍ର ଗୁଡ଼ିକୁ ଦେଖାଇ କହିଲେ, ‘‘ ଏଗୁଡ଼ିକ ସହଜରେ ନେଇ ହେଉଛି। ମନମଦୁରାଇର ଘଟମଗୁଡ଼ିକ ଏବେ ବି ଓଜନିଆ ଧରଣର। ଏଗୁଡ଼ିକର ଓଜନ ଏକ ରନ୍ଧନ ପାତ୍ରର ପ୍ରାୟ ତିନିଗୁଣ, ଏବଂ ନିହାତି କମ୍ରେ ଦୁଇ ଗୁଣ ମୋଟେଇ। ଚେନ୍ନାଇ ଏବଂ ବେଙ୍ଗାଲୁରୁରେ ତିଆରି ହେଉଥିବା ଘଟମଗୁଡ଼ିକ ହାଲ୍କା ଏବଂ ପତଳା। 

ବୈଷୟିକ କୌଶଳ ଛଡ଼ା, ଚମତ୍କାରିତା ପାଇଁ ମଦୁରାଇ ଅଞ୍ଚଳର କାଦୁଅର ମଧ୍ୟ ଶ୍ରେୟ ରହିଛି। କିନ୍ତୁ ଦୁଃଖର କଥା, ସବୁଠୁ ଉତ୍ତମ ମାଟି ଏବେ ଏବେ ଇଟା ତିଆରିରେ ଲାଗୁଛି, ଯାହା ଏହି କାରିଗରଙ୍କ ଜୀବିକାକୁ ପ୍ରଭାବିତ କରୁଛି। ତଥାପି ରମେଶ ଖୁସି ଯେ ସେ ତାଙ୍କ ପରିବାରର ପଞ୍ଚମ ପିଢିରେ ତାଙ୍କ ଝିଅ, ପୁତୁରା ଏବଂ ଝିଆରୀଙ୍କୁ ଘଟମ ତିଆରି ଶିଖାଉଛନ୍ତି। ଏହା ଟଙ୍କାର କଥା ନୁହେଁ। ‘‘ଗୋଟିଏ ଘଟମର ଦାମ୍ ପ୍ରାୟ ୬ଶହ ଟଙ୍କା।’’ ତୁଳନା କଲେ ଏହା ଏକ ଛୋଟ, ଲଗଜରି ବ୍ରାଣ୍ଡ, ବୋନ୍ ଚାଇନା ବାଉଲ - ଠାରୁ ମଧ୍ୟ କମ ଯାହାର ଦାମ୍ କେତେ ହଜାର ଟଙ୍କା ହେବ। 

PHOTO • Aparna Karthikeyan

ରମେଶ କଞ୍ଚା କାଦୁଅ ପାତ୍ରଟି ଆଣି ଘର ଭିତକରୁ ନେଇଗଲେ।

ତଥାପି ୧୬୦-ବର୍ଷର ପୁରୁଣା କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ସଂଘର୍ଷ କରିବାକୁ ପଡ଼ୁଛି, କିନ୍ତୁ ଏହି ପରିବାର ଏହାକୁ ବଞ୍ଚାଇ ରଖିଛି। ରମେଶ କହିଲେ, ‘‘ମୁଁ ଯେତେବେଳେ ୧୦ ବର୍ଷର ହୋଇଥିଲି, ଆମେରିକାର ଜଣେ ସାମ୍ବାଦିକ ଆମ ଘରକୁ ଆସିଥିଲେ। ଆମ ପରିବାରର ଏତେ କମ୍ ଆୟ ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିଲେ। ଉଟିର ଏକ କନଭେଣ୍ଟ ସ୍କୁଲକୁ ମୋତେ ଏବଂ ମୋ ଭଉଣୀଙ୍କୁ ପଠାଇବାକୁ ସେ ସହାୟତା ଯାଚିଲେ। ମୋ ବାପା ମନା କରିଦେଲେ। ସେ ଚାହୁଁଥିଲେ ଆମକୁ ଏହି କଳା ଶିଖାଇବାକୁ।’’ ତାଙ୍କ ୯୦-ବର୍ଷୀୟ ଜେଜେବାପାଙ୍କ ଠାରୁ ଏହା ଶିଖିଥିଲେ ବାଳକ ରମେଶ, ଯିଏକି ମୃତ୍ୟୁର ମାତ୍ର ଦୁଇ ଦିନ ପୂର୍ବରୁ ମଧ୍ୟ କାମ କରୁଥିଲେ। ମିନାକ୍ଷୀ କହିବାକୁ ଚାହୁଁଥିଲେ ଯେ, ତାଙ୍କ ଶ୍ୱଶୁର ଦୀର୍ଘ ଜୀବନ ବଞ୍ଚିଥିଲେ କାରଣ ସେ ତାଙ୍କ ଫଟୋ ଉଠାଇବାକୁ କାହାକୁ ଅନୁମତି ଦେଉ ନଥିଲେ। ମୁଁ ଅପରାଧି ଭଳି କ୍ୟାମେରା ରଖିଦେଲି।   

ସେ ବହୁତ କମ୍ ପଇସା ପାଉଥିବା ମାନନ୍ତି, କିନ୍ତୁ ସଂଗୀତ ପାଇଁ କାମ କରୁଛନ୍ତି ବୋଲି ସେ ଭାବନ୍ତି। ବାଦ୍ୟଯନ୍ତ୍ର ତିଆରିରେ ଏକକ ସ୍ୱର ଏବେ ଆଉ ସାଧାରଣ ହୋଇ ନାହିଁ । ଗୋଟିଏ କାର୍ଯ୍ୟକ୍ରମରେ ଏକ ଦମ୍ପତି ତାଙ୍କ ଘଟମ ବଜାଉଥିବା ସେ ଦେଖିଛନ୍ତି। ରମେଶ ମୋତେ ପୁଙ୍ଖାନୁପୁଙ୍ଖ କହିଲେ। ତାଙ୍କ ମାଆ ବେଶି ମେଳାପି ନ ଥିଲେ। ସାକ୍ଷାତକାର ବେଳେ ଏକାଡେମୀ ପୁରସ୍କାର ସଂପର୍କରେ କିଛି କହିବା ପରେ ଆଉ କିଛି କହିବାକୁ ଅନାଗ୍ରହୀ ହେଲେ। ‘‘ସେ ଦେଇଥିବା ପ୍ରଥମ ଲମ୍ବା ସାକ୍ଷାତକାର ଗତ ବର୍ଷ ଆକାଶବାଣୀରେ ପ୍ରସାରିତ ହୋଇଥିଲା। ସେ ମଧ୍ୟ ମୋ ବାପା ଭଲପାଉଥିବା କୋଝାମ୍ବୁ (ଆଚାର) ବିଷୟରେ କହିଲେ,’’ ରମେଶ ହସିଲେ। 

ସେ ବ୍ୟବସାୟ ସଂପର୍କରେ ଅଳ୍ପ କିଛି କହିଲେ। ତାଙ୍କ ରୋଜଗାରର ମୂଖ୍ୟ ଘଟମ ନୁହେଁ। ତାଙ୍କ ନିୟମିତ ଆୟ ହାଣ୍ଡି ଗଢିବାରୁ ଆସେ। ସେ ବିଭିନ୍ନ ପ୍ରକାର ମାଟିପାତ୍ର ତିଆରି କରିନ୍ତି, ତା ଭିତରେ ରହିଛି ସିଦ୍ଧ ଔଷଧ ରାନ୍ଧିବା ପାତ୍ର। ଗୋଟିଏ ବର୍ଷ ଭିତରେ ମିନାକ୍ଷୀ, ରମେଶ, ତାଙ୍କ ସ୍ତ୍ରୀ ମୋହନା ଓ ତାଙ୍କ ଭଉଣୀ କେ. ପରମେଶ୍ୱରୀ ଏବଂ କିଛି ସହଯୋଗୀଙ୍କୁ ନେଇ ସେମାନେ ମୋଟ ୪୦୦ ଟି ଘଟମ ତିଆରି କରିପାରନ୍ତି। ଏଥିରୁ ଅଧା ବିକ୍ରୀ ହୋଇପାରେ । ବାକି ଅଧାରେ ଠିକ୍ ଭାବେ ଶବ୍ଦ ସୃଷ୍ଟି ହୁଏ ନାହିଁ। ଘଟମକୁ ପୋଡ଼ି ସାରିବା ପରେ ଏହାର ପରୀକ୍ଷା ହୁଏ। ବେଳେବେଳେ ସବୁଠୁ ସୁନ୍ଦର ଦେଖାଯାଉଥିବା ଘଟମ ମଧ୍ୟ ଅଯୋଗ୍ୟ ହୋଇଯାଏ। 

ରମେଶ କହିଲେ, ‘‘ଏହି ବ୍ୟବସାୟରେ କୌଣସି ଆର୍ଥିକ ସହାୟତା ନାହିଁ। ସରକାର ଏହି କଳାକୁ ପ୍ରୋତ୍ସାହନ ଦେଉନାହାନ୍ତି। ଏହାର ବାଦକଙ୍କ ଭଳି ଆମକୁ ମଧ୍ୟ କୌଣସି ପୁରସ୍କାର ଦେଇ ଉତ୍ସାହିତ କରାଯାଉନି।’’ ତଥାପି ସେ ଏକଥାରେ ଗର୍ବିତ ଯେ, କିଛି ଲୋକଙ୍କ ପାଇଁ ତାଙ୍କ ପରିବାର ବଞ୍ଚିବାର ମାଧ୍ୟମ ହୋଇପାରିଛି ।   

ଆମେ ଯେଉଁଦିନ ଯାଇଥିଲୁ, ସେଦିନ ହାଲ୍କା ହାଲ୍କା ବର୍ଷା ହେଉଥିଲା, ଅଧା ଶୁଖିଥିବା ପାତ୍ରଗୁଡ଼ିକୁ କାମ କରୁଥିବା ଲୋକେ ଘର ଭିତରକୁ ନେଉଥିଲେ। ଘର ଭିତରେ ଟେରାକୋଟା ଭର୍ତ୍ତି ହୋଇଥିଲା। ଆକାଶ, ପାଗର ହାବଭାବ ଏବଂ ମେଘର ଗର୍ଜନ ଏକ ଓଦାଳିଆ ଅପରାହ୍ଣର ପ୍ରତିଶ୍ରୁତି ଦେଉଥିଲା। ମୌସୁମୀ ଏକ ଅଶ୍ୱସ୍ତିକର ଋତୁ, ସେମାନେ ଅଭିଯୋଗ କଲେ। ତାଙ୍କ କାମରେ ବ୍ୟାଘାତ ଘଟିଛି। ରମେଶ ଘଟମ ବଜାଇବାରେ ମନ ଦେଲେ। ତାଙ୍କ ପାଦ ଏବଂ ହାତରେ ଚନ୍ଦନକାଠର ରଙ୍ଗ ଲାଗିଥିଲା, କିଛି ସମୟ ତଳେ ସେ କାଦୁଅରେ ମିଶାଉଥିଲେ। ପାତ୍ରର ମୁହଁରେ ସେ ଆଙ୍ଗୁଠି ଚଳାଇଲେ। ଖୁବ ଗମ୍ଭୀର ଏବଂ ଧାତବ ଶବ୍ଦ ସୃଷ୍ଟି ହେଉଥିଲା। ସେ କହିଲେ, ‘‘ମୁଁ ବିଧିବଦ୍ଧ ଶିକ୍ଷା କରିନି, କିନ୍ତୁ ଏହାର ଛନ୍ଦକୁ ଖୁବ ସାଂଘାତିକ ଭାବେ କାନ ଦେଇଛି।’’ 

ଢୋଲ ଭଳି ଅଧିକାଂଶ ବାଦ୍ୟ ଯନ୍ତ୍ରରେ ପଶୁ ଚମଡ଼ା ବ୍ୟବହାର ହୋଇଥାଏ। ‘‘ଘଟମ ପାଞ୍ଚଟି ପଦାର୍ଥରେ ତିଆରି ହୋଇଥାଏ।’’ ପୃଥିବୀରୁ ମାଟି, ଶୁଖିବା ପାଇଁ ସୂର୍ଯ୍ୟ କିରଣ ଏବଂ ପବନ। ପାଣି ଏହାକୁ ଆକାର ଦିଏ ଏବଂ ନିଆଁ ଏହାକୁ ପୋଡେ। ରମେଶ ମଣିଷର ଶ୍ରମ କଥା କହନ୍ତିନି। କାରଣ ଘର ଭିତରୁ ଆମେ ଯାହା ଶୁଣୁଥିଲୁ ମିନାକ୍ଷୀ ଘଟମ୍ ପିଟୁଥିଲେ। ତାର ଦୁଇ ପାର୍ଶ୍ୱ ଚିକ୍କଣ ହେବା ଏବଂ ସଠିକ ଶବ୍ଦ ବାହାରିବା ପର୍ଯ୍ୟନ୍ତ ସେ ପିଟନ୍ତି।  

PHOTO • Aparna Karthikeyan

ଘର ଭିତରେ ଟେରାକୋଟା ଭର୍ତ୍ତି ହୋଇଥିଲା; କେବଳ ଘଟମ୍ଟି ଏକ ପ୍ଲାଷ୍ଟିକ ଚୌକି ଉପରେ ରଖାଯାଇଛି। ଦେଖନ୍ତୁ ଯେତେବେଳେ ପାତ୍ରକୁ ୩୦୦୦ ଥର ବାଡ଼ାନ୍ତି। 

ଅନୁବାଦ: ଓଡ଼ିଶାଲାଇଭ୍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Aparna Karthikeyan

ଅପର୍ଣ୍ଣା କାର୍ତ୍ତିକେୟନ ଜଣେ ସ୍ୱାଧୀନ ମଲ୍ଟିମିଡିଆ ସାମ୍ବାଦିକ। ଗ୍ରାମୀଣ ତାମିଲନାଡୁରେ ହଜି ଯାଉଥିବା ଜୀବିକା ଉପରେ ଲେଖୁଛନ୍ତି ଏବଂ ପରୀ ପାଇଁ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟ କରୁଛନ୍ତି।

Other stories by Aparna Karthikeyan