“ଏହା କିପରି ସମ୍ଭବ ଯେ ଜଣେ ପୂର୍ଣ୍ଣ ସମୟ ଚାଷୀ ହେବ ଏବଂ ଆବଶ୍ୟକ ଅର୍ଥ ରୋଜଗାର କରିପାରିବ? ” ସି.ଜେୟାବଲ ପ୍ରଶ୍ନ କରନ୍ତି। “ସେହି ଲୋକମାନଙ୍କୁ ଦେଖନ୍ତୁ ?” ଆମେ ତାମିଲନାଡୁରେ ଥିବା ତାଙ୍କ ଧାନ ଜମି କଡ଼େ କଡ଼େ ଯାଉଥିବା ବେଳେ ସେ ବରଗଛ ତଳେ ଜମା ହୋଇଥିବା ଦଳେ ଲୋକଙ୍କ ଆଡ଼କୁ ଦେଖାଇ କହିଲେ।“ ଏମାନଙ୍କ ମଧ୍ୟରୁ କେହି ବି ଚାଷ ଦ୍ୱାରା ଜୀବିକା ନିର୍ବାହ କରନ୍ତି ନାହିଁ। ଜଣେ ଟ୍ରାକ୍ଟର ଚଳାନ୍ତି, ଆଉ ଜଣେ ଟ୍ରକରେ ନିର୍ମାଣ ସାମଗ୍ରୀ ପରିବହନ କରନ୍ତି, ତୃତୀୟ ଜଣକ ଗୋଟିଏ ବକେରୀ ଚଳାନ୍ତି। ଆଉ ମୁଁ, ଏଠାରୁ ୨୫ କିଲୋମିଟର ଦୂର ମଦୁରାଇର ଗୋଟିଏ ହୋଟେଲରେ ପହଁରିବା ଶିଖାଇଥାଏ।”

ମଦୁରାଇ ଜିଲ୍ଲାର ନଦୁମୁଦାଲାଇକୁଲମ ଗାଁରେ ଥିବା ଜେୟାବଲଙ୍କ ଚାଷ ଜମି ସାଧାରଣ। ତାଙ୍କର ୧.୫ ଏକର ଚାଷ ଜମି ରହିଛି, ଯାହାକି ସେ ତାଙ୍କ ବାପା  ୭୫ ବର୍ଷୀୟ ଚିନ୍ନାଥେଭରଙ୍କଠାରୁ, ଉତ୍ତରାଧିକାର ସୂତ୍ରରେ ପାଇଥିଲେ। ଅନ୍ୟ ଦୁଇ ଏକର ସେ ଭାଗ ବଖରା ସୂତ୍ରରେ ଆଣିଛନ୍ତି । ବର୍ଷକୁ ତିନିଥର ସେ ଧାନ ଅମଳ କରନ୍ତି। ଏହା ଏମିତି ଏକ ଚାଷ ଯାହାର ଚାହିଦା ରହିଛି, କିନ୍ତୁ ବେଳେ ବେଳେ ଲାଭ ମିଳିଥାଏ। ହଳ କରିବା ଲାଗି ସେ ବାର୍ଷିକ ୨୦,୦୦୦ ଟଙ୍କା ଖର୍ଚ୍ଚ କରନ୍ତି। କିନ୍ତୁ ଅମଳ ବେଳେ ମାତ୍ର ଅଳ୍ପ କିଛି ଲାଭ କରନ୍ତି। ଆଉ ଏଥିଲାଗି ଜେୟାବଲ ଓ ତାଙ୍କ ସ୍ତ୍ରୀଙ୍କୁ ଦୈନିକ ୧୨ ଘଣ୍ଟା ଜମିରେ ପରିଶ୍ରମ କରିବାକୁ ପଡ଼େ। ଏଥିରୁ ମାତ୍ର ମିଳିଥାଏ ଏକର ପିଛା ଘଣ୍ଟା ପ୍ରତି ଜଣ ପିଛା ୯.୨୫ ଟଙ୍କା । “ମୋ ପୁଅମାନେ କାହିଁକି ଏହି କାମ କରିବାକୁ ଯିବେ?” ସେ ପଚାରିଲେ।

PHOTO • Aparna Karthikeyan

ଜଣେ ମହିଳା କୃଷି ଶ୍ରମିକ ଧାନ ରୋଉଛନ୍ତି

ତାମିଲନାଡୁରେ ଚାଷ ଆଉ ଏକ ଲୋକପ୍ରିୟ ଜୀବିକା ହୋଇ ରହିନାହିଁ । ୨୦୧୧ ଜନଗଣନା ଅନୁଯାୟୀ, ୨୦୦୧-୨୦୧୧ ମଧ୍ୟରେ ପୂର୍ଣ୍ଣ ସମୟ ଚାଷ କରୁଥିବା ଚାଷୀ ସଂଖ୍ୟାରେ ୮.୭ଲକ୍ଷ ହ୍ରାସ ପାଇଛି । ଅନେକ ନିଜ ପେଶାରେ ପରିବର୍ତ୍ତନ କରିଛନ୍ତି, କିମ୍ବା ଋଣ ଯୋଗୁଁ ନିଜ ଚାଷ ଜମି ହରାଇଛନ୍ତି । ସେମାନେ କେଉଁଆଡ଼େ ଗଲେ ? ଜନଗଣନାରୁ ଆମକୁ ଏ ସଂପର୍କରେ ଗୋଟିଏ ଉତ୍ତର ମିଳୁଛି : ଏହି ଦଶକରେ କୃଷି ଶ୍ରମିକ ସଂଖ୍ୟାରେ ୯.୭ ଲକ୍ଷ ବୃଦ୍ଧି ଘଟିଛି ।

ତେବେ ଜେୟାବଲ ଚାଷକୁ ଭଲ ପାଆନ୍ତି। ସେ ମାଟିକୁ ଭଲ ପାଆନ୍ତି। ଫସଲକୁ ଭଲ ପାଆନ୍ତି। ୩୬ ବର୍ଷ ବୟସ୍କ ଏହି ଚାଷୀ ଜଣକ ନିଜ ଗାଁକୁ ନେଇ ଗର୍ବ କରନ୍ତି, ଆଉ ଭଲ ପାଆନ୍ତି ଗାଁ ଚାରି କଡ଼ରେ ଥିବା ୫୦୦୦ ଏକର ଚାଷ ଜମିକୁ। ଚାଷ ଜମିରେ ବରପ୍ପୁ (ହିଡ଼)କୁ ଡେଇଁ ଡେଇଁ ସେ ବେଶ କ୍ଷୀପ୍ର ଗତିରେ ଚାଲିଥାନ୍ତି। ମୁଁ କିନ୍ତୁ ତାଳ ଦେଇ ପାରେନା, ମୋର ଗୋଡ଼ ଖସିଯାଏ, ବେଳେ ବେଳେ ତଳେ ପଡୁ ପଡୁ ମୁଁ ଅଳ୍ପକେ ବଞ୍ଚିଯାଇଛି। ଏହାକୁ ଦେଖି ମହିଳାମାନେ ହସି ପକାଇଲେ। ସେତେବେଳକୁ ବେଳ ମାତ୍ର ୧୧ଟା ବାଜିଥିଲା। କିନ୍ତୁ ସେମାନେ ସେତେବେଳେକୁ ୬ ଘଣ୍ଟା ଖଟି ସାରିଥିଲେ। ପ୍ରଥମ ତିନି ଘଣ୍ଟା ଘର, ଆଉ ବାକି ସମୟ ତକ ଜମିରେ ବାଳୁଙ୍ଗା ବାଛି।

PHOTO • Aparna Karthikeyan

ବିଲର ହିଡ଼ ଡେଇଁ ଜେୟାବଲ ଚାଲୁଥିବାର ଦୃଶ୍ୟ

ଏହି ଦୃଶ୍ୟ ତାମିଲ ସିନେମାର ସଂଗୀତ ଭଳି ପ୍ରତୀୟମାନ ହେଉଥିଲା। ଡିସେମ୍ବରରେ ଅସମୟରେ ହୋଇଥିବା ବର୍ଷା ଯୋଗୁଁ ପାହାଡ଼ ବେଶ ସବୁଜ ଥିଲା। ପୋଖରୀଗୁଡ଼ିକ ମଧ୍ୟ ପୂର୍ଣ୍ଣ ଥିଲା।  ଗଛ ଉପରେ ବଗ ସବୁ ଧଳା ଧଳା ଫୁଲ ଭଳି ଦେଖାଯାଉଥିଲା। ମହିଳାମାନେ ଧାଡ଼ି କରି ଛିଡ଼ା ହୋଇଥିଲେ। ସେମାନଙ୍କର ନୋଥ ଓ ଆଣ୍ଠୁ ଗୋଟିଏ ସରଳ ରେଖାରେ ଥିଲା। ଗୋଇଠି ସବୁ ମାଟି କାଦୁଅରେ ପଶି ରହିଥିଲା।  ସେମାନେ ଛୋଟ ଛୋଟ ତଳି ସବୁକୁ ନରମ କାଦୁଅରେ ପୋତି ଚାଲିଥିଲେ। କେବେବି ଅଣ୍ଟା ସଳଖିବା ଲାଗି ସେମାନଙ୍କ ପାଖରେ ବେଳ ନଥିଲା।

PHOTO • Aparna Karthikeyan

ନଦୁମୁଦାଲାଇକୁଲମର ସୁନ୍ଦର ପ୍ରାକୃତିକ ଦୃଶ୍ୟ

କେବଳ କଠିନ ପରିଶ୍ରମ ନୁହେଁ, “ତୁମକୁ ନୂଆ ନୂଆ ପ୍ରଣାଳୀ ମଧ୍ୟ ଆପଣାଇବାକୁ ହେବ, କିଛିଟା ରିସ୍କ ମଧ୍ୟ ନେବାକୁ ହେବ। ୪ ବର୍ଷ ପୂର୍ବରୁ, ମୁଁ ଛୋଟ ଦାନା ଥିବା “ଅକ୍ଷୟ” ଧାନ ବୁଣି ଗୋଟାଏ ରିସ୍କ ନେଲି, ମୁଁ ଏକର ପିଛା ୩୫ ବସ୍ତା ଅମଳ କଲି, ଯାହାକୁ ବସ୍ତା ପିଛା ୧୫୦୦ ଟଙ୍କାରେ ବିକିଲି। କିନ୍ତୁ...,”ସେ ହସି ଉଠିଲେ, ‘‘ଯେତେବେଳେ ମୁଁ ଏହାକୁ ନିଜ ଗାଁରେ ଅମଳ କରିବା ଆରମ୍ଭ କଲି, ନିଶ୍ଚିତ ଭାବରେ ଦର ଖସିଗଲା।” ଜେୟାବଲ ଏବର୍ଷ ମଧ୍ୟ ଭଲ ଦର ପାଇବେ ବୋଲ ଆଶାବାଦୀ।  ଅସାଧାରଣ ଭାବେ ଏଥର ପ୍ରବଳ ବର୍ଷା ଯୋଗୁଁ ସାରା ରାଜ୍ୟରେ ଫସଲ ନଷ୍ଟ ହୋଇଛି, ଫଳରେ ଧାନର ଦର ବଢ଼ିଛି ।

ତାଙ୍କ ଘରକୁ ଫେରିବା ବାଟରେ, ଜେୟାବଲ ବର୍ଷା, ପାଣି, ସୂର୍ଯ୍ୟ, ଗାଈ ଓ ପୋଖରୀ ବିଷୟରେ ବଖାଣୁଥିଲେ। ଏସବୁ ତାଙ୍କ ଜୀବନଜୀବିକା ସହ ଜଡ଼ିତ। ସେ କେଉଁ ଫସଲ ଚାଷ କରିବେ, ତାହା ମୁଖ୍ୟତଃ  ନିର୍ଭର କରେ ୯ କିଲୋମିଟର ଦୂରରେ ଥିବା ଚିକାନୁରାନି ସହରର ଛୋଟ ଦୋକାନ ଉପରେ। ଯେଉଁଠାରୁ ସେ ସାର ଓ ବିହନ କିଣିଥାନ୍ତି। ଗାଁରେ ତାଙ୍କର ନିତିଦିନିଆ କାମ ହେଲା- ଫସଲ ବୁଣିବା, ପାଣି ମଡ଼ାଇବା, ଔଷଧ ସିଞ୍ଚିବା, ଘାସ କାଟିବା ଇତ୍ୟାଦି। ଯେତେବେଳେ ସେ ସ୍ୱିମିଂ ପୁଲ ଡ୍ୟୁଟିରେ ନଥାନ୍ତି, ଏସବୁରେ ତାଙ୍କର ଅଧିକାଂଶ ସମୟ ବିତେ ।

ସପ୍ତାହକୁ ୬ ଦିନ, ଦିନକୁ ୯ ଘଣ୍ଟା, ଜେୟାବଲ ଚିକ ମଦୁରାଇର ହୋଟେଲରେ ଏକ ଭିନ୍ନ ଦୁନିଆକୁ ଦେଖିଥାନ୍ତି।  “ପ୍ରତିଦିନ ସକାଳେ ମୁଁ ଘଣ୍ଟାଏ ଦି ଘଣ୍ଟା ଜମିରେ କାମ କରେ। ଯଦି ମୁଁ ସକାଳୁଆ ସିଫ୍ଟ (ସକାଳ ୮ରୁ ସଂଧ୍ୟା ୫)ରେ ଥାଏ, ମୁଁ ନିଜ ମୋଟର ସାଇକେଲରେ ସିଧା ଜମିରୁ ହୋଟେଲକୁ ଯାଇଥାଏ। ସେତେବେଳେ ଜଳଖିଆ ଖାଇବାକୁ ବେଳ କେଉଁଠି ଥାଏ ?”  ସେଠାରେ ପହଞ୍ଚିବା ପରେ, ମୁଁ ଡ୍ୟୁଟି ଅନୁଯାୟୀ ଟ୍ରାଉଜର ଓ ସାର୍ଟ ପିନ୍ଧିଥାଏ। ଗୋଟିଏ ଆଭିଜାତ୍ୟପୂର୍ଣ୍ଣ ପୁଲ କଡ଼ରେ ଛିଡ଼ାହୁଏ, ଆଉ ଅତିଥିମାନଙ୍କୁ ସହଯୋଗ କରେ। ସେ କାମ କରୁଥିବା ସମୟରେ ଶିଖିଥିବା ଇଂରାଜୀରେ ମଦୁରାଇ ସଂପର୍କରେ ଅତିଥିମାନଙ୍କ ସହ କଥା ହୁଅନ୍ତି। ଏ କାମକୁ ସେ ପସନ୍ଦ କରନ୍ତି, ଆଉ ଏଥିରୁ ମିଳୁଥିବା ମାସିକ ୧୦,୦୦୦ ଟଙ୍କା ମଧ୍ୟ ସହାୟକ ହୋଇଥାଏ । ବର୍ତ୍ତମାନ କୌଣସି କ୍ରୀଡ଼ା ସହ ଏହା ତାଙ୍କର ଏକମାତ୍ର ଯୋଗାଯୋଗ। ଦଶନ୍ଧି ପୂର୍ବରୁ ଏହା ଥିଲା ତାଙ୍କ ପାଇଁ ସବୁକିଛି ।

PHOTO • Aparna Karthikeyan

ଜେୟାବଲ ତାଙ୍କ ଜମିରେ (ବାମ) ଏବଂ ତାଙ୍କ ମଦୁରାଇ ହୋଟେଲରେ (ଦକ୍ଷିଣ)

ମଦୁରାଇ ଅଞ୍ଚଳ ଜାଲିକଟ୍ଟୁ (ବଳଦ ଦୌଡ଼) ପାଇଁ ପ୍ରସିଦ୍ଧ । ଜେୟାବଲ ଏହି ଖେଳରେ ଧୂରନ୍ଧର।  ସେ କବାଡ଼ି, ସଟପୁଟ ଓ ଡିସ୍କସ ଖେଳରେ ମଧ୍ୟ ଜିତିଛି। ତାଙ୍କ ଘରେ ତାଙ୍କ ସ୍ତ୍ରୀ ପୋଢୁମଣି ଥାକରେ ଥିବା ଗୋଟିଏ ଫାଇଲରୁ ଅନେକ ପ୍ରମାଣପତ୍ର ଆମକୁ ଦେଖାଉଥିଲେ। ଘରର ସାମ୍ନା ବଖରାଟି ବଡ଼ ଓ ଆୟତାକାର । ତା’ପାଖକୁ ରହିବା ଘର ଓ ରୋଷେଇ ଘର। ଯାହା କି ଚୂନ ଧଉଳା ମାଟି କାନ୍ଥ ଦ୍ୱାରା ବିଭାଜିତ । କପଡ଼ା, ମୁଣା, ପଶୁଖାଦ୍ୟ ରଖିବା ପାଇଁ ଗୋଟିଏ ଜାଗା। କାନ୍ଥରେ ଟଙ୍ଗା ହୋଇଛି ସେମାନଙ୍କର ବାହାଘର ବେଳର ୨୦୦୨ର ଫଟୋ।

PHOTO • Aparna Karthikeyan

ଜେୟାବଲ ହାସଲ କରିଥିବା ସମସ୍ତ ପ୍ରମାଣପତ୍ର

ଜେୟାବଲ ପାଇଥିବା କ୍ରୀଡ଼ା ପ୍ରମାଣପତ୍ରର ତାଲିକା କରୁଥିଲେ।  ‘‘ସ୍ଵର୍ଣ୍ଣ ମୁଦ୍ରା କୁଥୁଭିଲାକ୍କୁ (ପାରଂପାରିକ ଦୀପ), ଟିଭି, ସାଇକେଲ, ଏପରିକି ଆପଣ ଦେଖୁଥିବା ସେ ଗ୍ରାଇଣ୍ଡର, ମୁଁ ସବୁକିଛି ପାଇଛି’’।  କିନ୍ତୁ ୨୦୦୩ରୁ ୨୦୦୭ ଭିତରେ ମରୁଡ଼ି ସବୁ କିଛି ସାରିଦେଲା। ‘‘ଆମ ପାଖରେ ଖାଦ୍ୟ ନଥିଲା। ପଇସା ନଥିଲା। ମୋ ପାଖରେ ସ୍ତ୍ରୀ ଓ ଦୁଇ ପୁଅ ଥିଲେ। ମୁଁ ଦିନ ମଜୁରିଆ ଭାବେ କାମ କରିବାକୁ ଗଲି। ତାପରେ ୨୦୦୮ରେ ମୁଁ ସେ କାମ କରିବାକୁ ଲାଗିଲି, ଯାହା ମୋ ପରିବାର ସବୁବେଳେ କରିଆସୁଥିଲେ, ଚାଷ’’ । ସେହିବର୍ଷ ସେ ହୋଟେଲରେ କାମ କରିବାକୁ ଲାଗିଲେ। ସେ ଦର୍ଶାଇଲେ ଦୁଇଟି ଯାକ, ପୂର୍ଣ୍ଣ ସମୟ କାମ। ‘‘ଗୋଟିଏ ରୋଜଗାରରେ କାମ ଚଳାଇବା ସମ୍ଭବପର ନଥିଲା’’।

ପୁରୁଷ ହିସାବରେ ଜେୟାବଲ ନିଜ ଶ୍ରମ ପାଇଁ ନଗଦ ଅର୍ଥ ପାଉଥିଲେ।  ପୋଢୁମଣି ଦୀର୍ଘ ସମୟ କାମ କରି ବି ଅଳ୍ପ ରୋଜଗାର କରୁଥିଲେ। ଗାଁର ଅନ୍ୟ ମହିଳାମାନଙ୍କ ଭଳି, ଯେମିତିକି ଜେୟାବଲଙ୍କ ୭୦ ବର୍ଷ ବୟସ୍କା ମା କାନ୍ନାମାଲ- ସେ ପ୍ରତିଦିନ ଅନେକ ସିଫ୍ଟରେ କାମ କରନ୍ତି । ପ୍ରଥମେ ଘରେ ସକାଳ ୫ଟାରେ, ଦ୍ଵିତୀୟରେ ଚାଷ ଜମିରେ ସକାଳ ୮ଟାରୁ ଦିନ ୩ଟା ପର୍ଯ୍ୟନ୍ତ । ବିଳମ୍ବରେ ଖାଦ୍ୟ ଖାଇବା ପରେ ସେ ପଶୁଙ୍କ ଘାସ ଓ ରୋଷେଇ ପାଇଁ ଜାଳ କାଠ ସଂଗ୍ରହ କରନ୍ତି। ସେ ଗୁହାଳ ପୋଛନ୍ତି, କ୍ଷୀର ଦୁହଁନ୍ତି, ଛେଳିମାନଙ୍କୁ ବାହାରକୁ ଚରାଇବାକୁ ନିଅନ୍ତି। ତାପରେ ପୁଣି ରୋଷେଇ ଘରେ କାମ କରନ୍ତି। ତା’ ବିନା ମୁଁ ଦୁଇଟା ଜାଗାରେ କାମ କରିପାରନ୍ତି ନାହିଁ, ଆମେ ଆମ ଘର ଚଳାଇ ପାରନ୍ତୁ ନାହିଁ, ଜେୟାବଲ ଆଶ୍ଵାସନାର ସହ କହିଲେ।

PHOTO • Aparna Karthikeyan

ସେମାନଙ୍କ ଘରେ ଜେୟାବଲ ଓ ପୋଢୁମଣି

ନଦୁମୁଦାଲାଇକୁଲମରେ ମହିଳାମାନଙ୍କ ଲାଗି କାମ କରିବାକୁ ଅଳ୍ପ ସୁଯୋଗ ରହିଛି । ଗାଁର ୧୫୦୦ ଲୋକଙ୍କ ଭିତରୁ ବୟସ୍କମାନେ ମୁଖ୍ୟତଃ କୃଷି କ୍ଷେତ୍ରରେ କାମ କରିଥାନ୍ତି। କିନ୍ତୁ ପିଲାମାନଙ୍କର ଅନ୍ୟ ପ୍ରକାର ଯୋଜନା ଥାଏ । ସେମାନେ କାମ କରିବା ସହ ପାଠ ବି ପଢ଼ିବାକୁ ଚାହାନ୍ତି। ସେମାନେ ତାଙ୍କ ବାପ-ମାଆଙ୍କ ସ୍ୱଳ୍ପ ଆୟ ଓ କଠିନ ପରିଶ୍ରମ ଯୋଗୁଁ ଏସବୁ କରିପାରନ୍ତି ନାହିଁ। ଜଣେ କୃଷି ଶ୍ରମିକ ଦିନକୁ ମାତ୍ର ୧୦୦ ଟଙ୍କା ରୋଜଗାର କରିଥାଏ।  ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ରୋଜଗାର ଯୋଜନାରେ ଜଣେ ଦୈନିକ ୧୪୦ ଟଙ୍କା ରୋଜଗାର କରିପାରିବ। କିନ୍ତୁ ଏହି କାମ ସବୁବେଳେ ମିଳିନଥାଏ, ଆଉ ଆବଶ୍ୟକ ସମୟରେ ମିଳିନଥାଏ। ସେମାନେ ଫସଲ ରୋଇବା, ବୁଣିବା ଓ ଅମଳ ସମୟରେ ହିଁ କାମ ଦେଇଥାନ୍ତି।  ସେତେବେଳେ ଶ୍ରମିକ ବି ଅଧିକ ନଥାନ୍ତି। ଆମକୁ ଲୋକମାନଙ୍କୁ ଅଧିକ ମଜୁରୀ ଦେଇ ପ୍ରଲୋଭିତ କରିବାକୁ ପଡ଼େ କିମ୍ବା ଖାଦ୍ୟ, ଚା କିମ୍ବା ବରା ଆଦି ଦେବାକୁ ପଡ଼େ, ଜେୟାବଲ ଦୁଃଖର ସହ କହନ୍ତି ।

“ଋଣ ଫାଶରେ ପଡ଼ିବା ଭରି ସହଜ”। ନିଜ ଗାଁ ଚାରିକଡ଼େ ମୋଟରସାଇକେଲରେ ବୁଲାଉଥିବା ବେଳେ ଜେୟାବଲ ମୋତେ କହୁଥିଲେ। ଥରେ ଫସଲ ନଷ୍ଟ ହୋଇଗଲେ, ଯ।ହା ଅର୍ଥ ଲଗାଇଥିବେ ତାହା ଗଲା।  ତା’ ଛଡ଼ା ଭାଗ ବଖରାରେ ନେଇଥିବା ଜମି ପାଇଁ ଭଡ଼ା ବି ରହିଛି। ପୁଣି ଅନ୍ୟ ଦୈନନ୍ଦିନ ଓ ଅକସ୍ମାତ ଖର୍ଚ୍ଚ ବି ରହିଛି ।  “ମୋ ବାପାଙ୍କ ଅମଳରେ ପୁରୁଷ ଲୋକେ ଅଧିକ ସବଳ ଓ ଅଧିକ ଦକ୍ଷ ଥିଲେ। ଏପରିକି ସେମାନେ ବନ୍ଧ ତିଆରି କରି ପାରୁଥିଲେ। କିନ୍ତୁ  ମୋ ପିଢ଼ି ଗୁରୁତ୍ୱପୂର୍ଣ୍ଣ ଜ୍ଞାନ ହରାଉଛନ୍ତି। ଏବେ ଆମେ ଜଳସ୍ତର ନିୟନ୍ତ୍ରଣ ଲାଗି କେବଳ ତାକୁ ଭାଙ୍ଗିବା ଜାଣିଛୁ। ଆମ ଜମିକୁ ଠିକ ରଖିବା ଲାଗି ଆମେ ଅନ୍ୟକୁ ହଇରାଣରେ ପକାଉଛୁ।" ଏହା କେବଳ ଆଗାମୀ ଦିନ ଲାଗି ଅନେକ ଅସୁବିଧା ସୃଷ୍ଟି କରିବ, ସେ ପୂର୍ବାନୁମାନ କରୁଥିଲେ।

“ମୁଁ ପାଠଶାଠ ପଢ଼ି ନଥିବାରୁ ଜଣେ ଚାଷୀ ହେଲି। ମୁଁ ଦ୍ୱାଦଶ ଶ୍ରେଣୀ ବି ସାରି ପାରିନଥିଲି। ମୋ ପାଖରେ ଏତେ ବିକଳ୍ପ ନଥିଲା। ମୋ ପୁଅମାନେ ହଂସବର୍ଦ୍ଧନ ୧୩ ଓ ଆକାଶ, ୧୧ ପାଠପଢ଼ି ଅଫିସ ଚାକିରି କରିବାକୁ ଚାହାନ୍ତି। ସେମାନେ ମୋତେ କହନ୍ତି: ଯଦି ତୁମେ ପଇସା ଚାହଁ ତେବେ ଆମେ ଏହାକୁ ମୁଦୁରାଇରୁ ରୋଜଗାର କରିପାରିବୁ ।

ସେମାନେ ଏହି ପ୍ରକାର ଜୀବନ ଚାହାନ୍ତି ନାହିଁ।” ନଦୁମୁଦାଲାଇକୁଲମର ଏକର ଏକର ସବୁଜ ଧାନ ଫସଲ ଆଡ଼କୁ ହାତ ଦେଖାଇ ସେ କହୁଥିଲେ।

ଏ ଆଲେଖ୍ୟଟି “ଗ୍ରାମୀଣ ତାମିଲନାଡୁର ଜୀବିକା ହଜିଯାଉଛି” ଶୀର୍ଷକ ଗୋଟିଏ ପ୍ରବନ୍ଧମାଳାର ଅଂଶ ବିଶେଷ। ଏହାକୁ ସହାୟତା କରୁଛନ୍ତି, ଲେଖକଙ୍କ ନ୍ୟାସନାଲ ଫାଉଣ୍ଡେସନ ଫର ଇଣ୍ଡିଆ ମିଡିଆ ଆୱାର୍ଡ, ୨୦୧୫।

ଅନୁବାଦ: ଓଡ଼ିଶାଲାଇଭ୍‍

Aparna Karthikeyan

Aparna Karthikeyan is an independent journalist, author and Senior Fellow, PARI. Her non-fiction book 'Nine Rupees an Hour' documents the disappearing livelihoods of Tamil Nadu. She has written five books for children. Aparna lives in Chennai with her family and dogs.

Other stories by Aparna Karthikeyan
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE