ଭୀମା ସୋଦି କହନ୍ତି, “ଆମେ କେବେ ବି ଫେରିବୁ ନାହିଁ, ଶାନ୍ତିରେ ବଞ୍ଚିବା ପାଇଁ ଆମେ ଗାଁ ଛାଡିଦେଲୁ। କାରଣ ଆମର ପୈତୃକ ଗାଁରେ ଉଭୟ ଜଙ୍ଗଲୱାଲେ(ନକ୍ସଲବାଦୀ) ଏବଂ ଜୁଡୁମୱାଲେ(ସଲୱାଜୁଡୁମ ବାହିନୀ) ଆମକୁ ହଇରାଣ କରୁଥିଲେ। ”

ସୋୟମ ଲିଙ୍ଗମା କହନ୍ତି, “ସେ ମଧ୍ୟ ଛତିଶଗଡ ଦାନ୍ତେୱାଡାରେ ସ୍ଥିତ ତାଙ୍କ ଗାଁ ଭଣ୍ଡାରେପଦରକୁ କେବେ ବି ଫେରିବେ ନାହିଁ। ଆମେ ସେଠାରୁ ପଳାଇ ଆସିଛୁ...”  ସେ ଏବଂ ଭୀମା ଛତିଶଗଡରୁ ପଳାଇ ଆସିଥିବା ସେହି ୨୭ଟି ପରିବାର ମଧ୍ୟରେ ଅଛନ୍ତି, ଯେଉଁମାନେ ଏବେ ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲା ବୁରଗାମପାଡୁ ମଣ୍ଡଳ ଅଧୀନ ଚିପ୍ରୁପାଡୁରେ ରହୁଛନ୍ତି।

ଏହା ହେଉଛି ଆନ୍ଧ୍ରପ୍ରଦେଶର ପୂର୍ବ ଓ ପଶ୍ଚିମ ଗୋଦାବରୀ ଜିଲ୍ଲା ଏବଂ ତେଲେଙ୍ଗାନାର ଖାମାମ ଓ ୱାରାଙ୍ଗାଲ ଜିଲ୍ଲାରେ ଅନ୍ତରୀଣ ଭାବେ ସ୍ଥାନାନ୍ତର ହୋଇଥିବା ଲୋକଙ୍କୁ ଥଇଥାନ ପାଇଁ ସ୍ଥାପିତ ବସ୍ତି ଗୁଡିକ ମଧ୍ୟରୁ ଗୋଟିଏ।

ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ରହିଛି ହିଂସାତ୍ମକ କାହାଣୀ। ସୁକମା ଜିଲ୍ଲା କୋନ୍ତା ମଣ୍ଡଳ ତାଡମେଟଲା ଗାଁର ବାସିନ୍ଦା ୩୦ ବର୍ଷୀୟ ରବି ସୋଦି କହନ୍ତି, “ଆମ ଘର ଉପରେ ଆକ୍ରମଣ ହେବାରୁ ୨୦୦୫ରେ ଆମେ ଘର ଛାଡିଦେଲୁ। ଗାଁର ସବୁ ଲୋକ ଜଙ୍ଗଲକୁ ପଳାଇଗଲେ। କିନ୍ତୁ ୩୦ ବର୍ଷ ବୟସ୍କ ମୋର କକା ଭିତରେ ରହିଗଲେ। ତାଙ୍କୁ ଧରି ହତ୍ୟା କଲେ ଓ ପୁରା ଗାଁରେ ନିଆଁ ଲଗାଇଦେଲେ। ଭୟରେ ଆମେ ଗାଁ ଛାଡି ଏଠାକୁ ପଳାଇଆସିଲୁ। ସୋଦି ଏବେ ଖାମ୍ମାମ ଜିଲ୍ଲାର ଚିନ୍ତାଲାପାଡୁ ଗାଁରେ ରହୁଛନ୍ତି।”

The displaced tribals from Chhattisgarh settled in a ID village Chintalpadu in the forest of Telangana
PHOTO • Purusottam Thakur

ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ଘଞ୍ଚ ଜଙ୍ଗଲରେ ଅନ୍ତରୀଣ ଭାବେ ବାସଚ୍ୟୁତ ହୋଇଥିବା ଲୋକମାନଙ୍କୁ ନେଇ ଏହିପରି ପ୍ରାୟ ୨୦୦ ବସ୍ତି ରହିଛି।

ଛତିଶଗଡର ସୀମାନ୍ତବର୍ତ୍ତୀ ଜିଲ୍ଲା ସୁକମା, ଦାନ୍ତେୱାଡା ଏବଂ ବିଜାପୁରର ଆଦିବାସୀ ସଂପ୍ରଦାୟ ବିଶେଷ କରି ଗଣ୍ଡ(ବା ବସ୍ତରର ମୁରିଆ ଏବଂ ଆନ୍ଧ୍ରର କୋୟା) ମାନେ ଦୀର୍ଘ ଦିନ ଧରି ରାଜ୍ୟର ସୀମା ପାର କରି ଋତୁ କାଳୀନ କୃଷି ଶ୍ରମିକ ଭାବେ କାମ କରିବାକୁ ସ୍ଥାନାନ୍ତରିତ ହୋଇଥାଆନ୍ତି। କିନ୍ତୁ ନକ୍ସଲଙ୍କ ଗତିବିଧି ଏବଂ ଛତିଶଗଡରେ ୨୦୦୫ରୁ ନକ୍ସଲଙ୍କ ବିରୋଧରେ ଆରମ୍ଭ ହୋଇଥିବା ସଲୱାଜୁଡୁମ ବାହିନୀ ମଧ୍ୟରେ ହେଉଥିବା ହିଂସାରେ ଫସିଯାଇ ଏହି ଆଦିବାସୀମାନେ ବହୁ ସଂଖ୍ୟାରେ ସ୍ଥାନାନ୍ତରିତ ହେବାକୁ ବାଧ୍ୟ ହେଉଛନ୍ତି। ଏହି ସଂଘର୍ଷ ମଧ୍ୟରେ ଅନେକ ସେମାନଙ୍କର ପୈତୃକ ଜମି ଓ ଜଙ୍ଗଲ ହରାଇଛନ୍ତି।

ଅନେକ କହନ୍ତି, ସେମାନେ ସେମାନଙ୍କର ନୂଆ ଘରେ ସୁରକ୍ଷିତ ଅନୁଭବ କରୁଛନ୍ତି। ଏବଂ ସ୍ଥାନୀୟ ଚାଷୀଙ୍କ ଜମିରେ ଦିନ ମଜୁରୀ ପାଉଛନ୍ତି। ୧୯ ବର୍ଷୀୟ ଆରତୀ କାଲମ ମଧ୍ୟ ଚିପ୍ରୁପାଡୁରେ ରହନ୍ତି, ସେ ମୁରିଆ ଆଦିବାସୀ ମଙ୍ଗୁଙ୍କୁ ୨୦୧୫ରେ ବାହା ହେବା ପରେ ଛତିଶଗଡ ସୁକମା ଜିଲ୍ଲାର ବଡକୋ ଗାଁରୁ ଏଠାକୁ ଆସିଥିଲେ। ମଙ୍ଗୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିବାବେଳେ ଗାଁ ସ୍କୁଲରେ ମାସିକ ୩,୦୦୦ ଟଙ୍କା ଦରମାରେ ଶିକ୍ଷକ ଭାବେ କାମ କରୁଛନ୍ତି। ଆରତୀ କହନ୍ତି, “ମଙ୍ଗୁ ଖୁବ୍ ଭଲ ଓ ସେ ଜଣେ ଶିକ୍ଷିତ ଲୋକ। ଗାଁ ଲୋକମାନେ ତାଙ୍କୁ ଏଠାକୁ ଆଣିଛନ୍ତି। କାରଣ ସେମାନଙ୍କର ପିଲାଙ୍କୁ ପଢାଇବାକୁ କେହି ନ ଥିଲେ। ମୁଁ ଏଠାକୁ ଆସି ଖୁସି ଅଛି।”

ଏହି ଅଞ୍ଚଳରେ ଲୋକଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରୁଥିବା ଗୋଟିଏ ବେସରକାରୀ ସଂଗଠନର ହିସାବ ଅନୁସାରେ ଏହିପରି ପ୍ରାୟ ୫୦,୦୦୦ ବିସ୍ଥାପିତଙ୍କୁ ଆଶ୍ରୟ ଦେଇଥିବା ୨୦୦ଟି ବସ୍ତି ମଧ୍ୟରୁ ଚିପୁରୁପାଡୁ ଗୋଟିଏ। ସ୍ଥାନୀୟ ଲୋକଙ୍କ ସହ ସଂଘର୍ଷ ବା ବିବାଦକୁ ଏଡାଇବା ପାଇଁ ଏହି ହାମଲେଟ୍ ଗୁଡିକ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି। ଆଦିବାସୀମାନେ ଜଙ୍ଗଲ ପରିବେଶ ସହିତ ଜଡିତ, ଏଠାରେ ସେମାନଙ୍କୁ ଚାଷ ପାଇଁ ଜମି ମିଳିଯାଏ, ସେମାନଙ୍କ କୁଡିଆ ଘର ତିଆରି କରିବାକୁ ଜାଗା ମିଳିଯାଏ। ଯେହେତୁ ଏମାନେ କମ୍ ପାଉଣାରେ କଠିନ ପରିଶ୍ରମ କରିପାରନ୍ତି, ସ୍ଥାନୀୟ ଲୋକଙ୍କ ପାଇଁ ଏମାନେ ଶ୍ରମିକ ଭାବେ କାମ କରନ୍ତି ଏବଂ ଏହି କାରଣରୁ ସ୍ଥାନୀୟ ଲୋକେ ଏହି ନୂଆ କରି ଆସି ରହୁଥିବା ଲୋକଙ୍କୁ ବିରୋଧ କରନ୍ତି ନାହିଁ। ଉଭୟ ପକ୍ଷ ସମାନ ଭାଷା କହୁଥିବାରୁ ଯୋଗାଯୋଗ ସହଜ ହେଉଛି।

ଶ୍ରମିକମାନଙ୍କ ମଧ୍ୟରେ ଅଛନ୍ତି ଭୀମା ସୋଦି ଓ ତାଙ୍କ ସ୍ତ୍ରୀ ସୋଦି ମାଙ୍ଗି। ଦୈନିକ ୧୨୦ ଟଙ୍କା ମଜୁରୀ ବଦଳରେ ସେମାନେ ଲଙ୍କା ତୋଳିବା କାମ କରନ୍ତି, ଯଦିଓ ସେମାନେ ଲଙ୍କା ହିସାବରେ ମଜୁରୀ ନେବାକୁ ପସନ୍ଦ କରନ୍ତି-ଯାହାକି ପ୍ରତି ୧୨ କିଲୋ ଲଙ୍କା ତୋଳିଲେ ଗୋଟିଏ କିଲୋ। ଏହି ଦମ୍ପତିଙ୍କର ଗୋଟିଏ ଛଅ ବର୍ଷୀୟ ଝିଅ ଲକ୍ଷ୍ମୀ ଏବଂ ତିନି ବର୍ଷର ପୁଅ ପୋଜା ଅଛି। ଏମାନେ ସମୟ ସମୟରେ ମନରେଗା ପ୍ରକଳ୍ପରେ ବି କାମ କରନ୍ତି। ସେମାନେ ଧାନ ଓ ମକା ଭଳି କିଛି ଫସଲ ମଧ୍ୟ ଚାଷ କରନ୍ତି। ଭୀମା କହନ୍ତି, “ମୁଁ ଏଠାରେ ମୋ ନିଜର ଜମି ପ୍ରସ୍ତୁତ କରିଛି”। ଯଦିଓ ସେ ପ୍ରସ୍ତୁତ କରିଥିବା ଜମି ଜବରଦଖଲ ହୋଇଥିବା ଜଙ୍ଗଲ ଜମି ଏବଂ ତାଙ୍କ ନିକଟରେ ତାର କୌଣସି ପଟ୍ଟା(ମାଲିକାନା କାଗଜପତ୍ର) ନାହିଁ, ତଥାପି ସେ ଏହାକୁ ନେଇ ଖୁବ୍ ଦୃଢ।

The ID Village (internally displaced village ) Chintalpadu has no water facilities in the village. People are dependent on the nearby nalla in the forest. They collect water both for drinking and other purposes.
PHOTO • Purusottam Thakur
Local people from the other villages going to forest to collect firewood
PHOTO • Purusottam Thakur

ଛତିଶଗଡରୁ ସ୍ଥାନାନ୍ତରିତ ହୋଇଥିବା ଲୋକମାନଙ୍କପାଖରେ ସର୍ବନିମ୍ନ ମୌଳିକ ସୁବିଧା ନାହିଁ, କିନ୍ତୁ ସେମାନେ ଫେରିବାକୁ ଚାହାନ୍ତି ନାହିଁ, ’କାରଣ ଏହି ସ୍ଥାନ ଖୁବ୍ ଭଲ”।

ଅନ୍ୟମାନେ ଲଙ୍କା ତୋଳିବା ଋତୁରେ ଫେବ୍ରୁୟାରୀରୁ ଏପ୍ରିଲ ମଧ୍ୟରେ ଆସିବାକୁ ପସନ୍ଦ କରନ୍ତି। ଏବଂ ତା ପରେ ଘରକୁ ଫେରି ଯାଆନ୍ତି। ଆମେ ସମ୍ପର୍କୀୟଙ୍କ ସହ ରହୁଛୁ, ଯେଉଁ କାମ ପାଇବୁ ସେହି କାମ କରିବାକୁ ଚାହୁଁଛୁ। ଏକ ୧୨ ଜଣିଆ ଦଳର ଜଣେ ଶ୍ରମିକ(ନାମ ପ୍ରକାଶ କରିବାକୁ ସେ ଅନିଚ୍ଛୁକ) କହନ୍ତି “ଛତିଶଗଡରେ ଥିବା ଆମ ଗାଁରେ ଆମେ ଫସଲ ଅମଳ କରିସାରିଛୁ। ଏବଂ ଏଠାରେ ଜମାଇ(ୟୁକାଲିପଟାସ) ଗଛ କାଟିବା କାମ  ପାଇବାକୁ ଆଶା କରିଛୁ। ” ସେ ଓ ଅନ୍ୟମାନେ ମଧ୍ୟ ଲଙ୍କା ତୋଳନ୍ତି-ମଜୁରୀ ଭାବେ ସେମାନେ ପାଉଥିବା ଲଙ୍କା ଏହି ଦୁର୍ଗମ ଆଦିବାସୀ ଅଞ୍ଚଳରେ ଖାଦ୍ୟର ପ୍ରମୁଖ ଅଂଶ।

ଋତୁକାଳୀନ ଭାବେ ସ୍ଥାନାନ୍ତର ହେଉଥିବା କିଛି ଶ୍ରମିକଙ୍କୁ ମଙ୍ଗରାଜ ସୋଦି ନିଜ ଘରେ ଆଶ୍ରୟ ଦେଇଥାନ୍ତି। ସେ କହନ୍ତି, “ମୁଁ ୧୦ ବର୍ଷ ତଳେ ଏଠାକୁ ଆସିଥିଲି। ସେତେବେଳେ ମୋତେ ୧୨ ବର୍ଷରୁ ଅଧିକ ହୋଇନଥିଲା, ମୁଁ ଏକ ଆଶ୍ରମ ସ୍କୁଲରେ ୭ମ ଶ୍ରେଣୀରେ ପଢୁଥିଲି। ମୋ ପରିବାର ମୋତେ ସମର୍ଥନ କରିବାକୁ ସମର୍ଥ ନଥିବାରୁ ମୁଁ ସ୍କୁଲ ଛାଡ଼ିଦେଲି। ଅନ୍ୟ ଶ୍ରମିକମାନଙ୍କ ସହିତ ମୁଁ ଏଠାକୁ ଆସିଲି ଏବଂ ଏଠାରେ ରହିଗଲି। ମୁଁ କିଛି ଜଙ୍ଗଲ ସଫା କରି ଜଙ୍ଗଲଜମିରେ ଚାଷ କରିଛି। ସେଇ ଜମିର ପରିମାଣ କେତେ କିମ୍ବା ଆମ ଗାଁରେ ଆମର କେତେ ଜମି ଥିଲା ତାହା ମୁଁ ଜାଣେନାହିଁ”।

ଆଉ ଜଣେ ଗ୍ରାମବାସୀ ମାଡକମ୍ ନନ୍ଦ କହନ୍ତି, “ଯେତେବେଳେ ଡୋରନପାଲ ଓ ପୋଲାମପାଲ୍ଲି ଗାଁର ଲୋକଙ୍କୁ ସଲୱା ଜୁଡୁମ୍ ବାଲା ପିଟିଲେ ଆମେ ଘର ଛାଡ଼ିଦେଲୁ। ଆମେ ନିକଟସ୍ଥ ଟୁମରପାଲ ଗାଁର ବାସିନ୍ଦା। ମୋର ଦୁଇ ଭାଇଙ୍କ ସମେତ ଆମେ ଚାରିଜଣ ସେଠାରୁ ପଳାଇ ଆସିଲୁ”। “ତୁମେ ଫେରିବାକୁ ଚାହିଁବ କି?”, ମୁଁ ପଚାରିଲି। ସେ ସାଧାରଣ ଜବାବ ଦେଲେ, “ନାଁ, କେବେ ନୁହେଁ। କାରଣ ଏହି ସ୍ଥାନ ଖୁବ୍ ଭଲ”।

A boy looking after his younger brother.
PHOTO • Purusottam Thakur

ରାସନ ଓ ସ୍ୱାସ୍ଥ୍ୟସେବା ପରି ଏଠାରେ ସ୍କୁଲର ମଧ୍ୟ ସଙ୍କଟ ରହିଛି।

ସେ ଯାହା ହେଉ ପୁଣିଥରେ ବ୍ୟବସ୍ଥିତ ଭାବେ ବସବାସ କରୁଥିବା ଆଦିବାସୀମାନେ ଏବେ ଯାଏ ସେମାନଙ୍କର ଜମି ସଂପର୍କିତ କାଗଜପତ୍ର ପାଇନାହାନ୍ତି। ମାନବାଧିକାର ସଂଗଠନଗୁଡ଼ିକ ଦ୍ୱାରା ବହୁତ ଉଦ୍ୟମ କରାଯିବା ପରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ସରକାର ସେମାନଙ୍କୁ ରାସନ କାର୍ଡ, ଆଧାର କାର୍ଡ ଓ କେତେକ କ୍ଷେତ୍ରରେ ଭୋଟର କାର୍ଡ ପ୍ରଦାନ କରିଛନ୍ତି। ତେବେ ନୂଆ କରି ଗଢ଼ିଉଠିଥିବା ଅଧିକାଂଶ ଜନବସତିରେ ପାଣି ଓ ବିଜୁଳି ସମସ୍ୟା ରହିଛି। ସେହିଭଳି ସ୍ୱାସ୍ଥ୍ୟସେବା ଓ ଶିକ୍ଷାଗ୍ରହଣର ସୁଯୋଗ ନାହିଁ ବା ବିପର୍ଯ୍ୟସ୍ତ କହିଲେ ଚଳେ। ମାଡକମ୍ ନନ୍ଦ କହନ୍ତି, “ଆମକୁ ନିକଟସ୍ଥ ରାସନ(ସାଧାରଣ ବଣ୍ଟନ ବ୍ୟବସ୍ଥା) କେନ୍ଦ୍ର କୋଣ୍ଡାପାଲ୍ଲିରେ ପହଞ୍ଚିବା ପାଇଁ ଚିପୁରୁପାଡୁରୁ ୭ କିମି ରାସ୍ତା ପାଦରେ ଚାଲି ଯିବାକୁ ହୋଇଥାଏ”।

ଚିପୁରୁପାଡୁରୁ ୩୦ କିମି ଦୂର ପଶ୍ଚିମ ଗୋଦାବରୀ ଜିଲ୍ଲାର ବିଞ୍ଜାରାମ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜିନେଲଗୁଡ଼ା ଗାଁରେ ୪୫ ବର୍ଷୀୟ ଗାଙ୍ଗି ତାଙ୍କ ଘର ବାହାରେ ଚୁଲିରେ ରୋଷେଇ କରୁଥିଲେ। ସେତେବେଳେ ସନ୍ଧ୍ୟା ହୋଇଥିଲା, ସେହି ଅଞ୍ଚଳକୁ ଏକ ସୋଲାର ଲ୍ୟାମ୍ପ ଆଲୋକିତ କରୁଥିଲା। ସେ କହିଲେ, “ଏହି ଘରଟି ମାଡକମ୍ ଦେବାଙ୍କର ଯିଏକି ଦାନ୍ତେୱାଡା ଜିଲ୍ଲାର ଡୋରନାପାଲ ପୁଲିସ ଷ୍ଟେସନ୍ ନିକଟସ୍ଥ ଏକ ଗାଁ ନାଗାଲଗୋଣ୍ଡାରେ ଅଛନ୍ତି। ତାଙ୍କର ପ୍ରଥମ ପତ୍ନୀ ଓ ପିଲାମାନେ ସେଠାରେ କାମ କରୁଛନ୍ତି। ଆମର କେହି ପିଲା ନାହାନ୍ତି। କିନ୍ତୁ ପ୍ରଥମ ପତ୍ନୀଙ୍କ ଆଡୁ ତାଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଆମର ସେଠାରେ ୪-୫ ଏକର ଜମି ରହିଛି, ଯାହାକି ଦୁଇ ପୁଅଙ୍କ ପାଇଁ ଯଥେଷ୍ଟ ନୁହେଁ। ୨୦୦୨ରେ ଆମେ ପ୍ରଥମେ କୋଣ୍ଡାପାଲ୍ଲିକୁ ଲଙ୍କା ତୋଳିବାକୁ ଆସିଥିଲୁ। ତା’ପରେ ଲୋକମାନେ ଆମକୁ ଏହି ସ୍ଥାନ କଥା କହିଲେ। ଆମେ ଏହି ସ୍ଥାନକୁ ପସନ୍ଦ ବି କଲୁ କାରଣ ଏଠାରେ ଜଙ୍ଗଲ ଓ ଜମି ଅଛି। ତେଣୁ ଆମେ ଏଠାରେ ରହିଗଲୁ”।

ଜିନେଲଗୁଡ଼ାରେ ନୂଆ କରି ତିଆରି ହୋଇଥିବା ମାଟି ଘରଗୁଡ଼ିକ ମଧ୍ୟରେ ଆମେ ମାଡକମ୍ ଦୁଲେଙ୍କୁ ଭେଟିଲୁ। ମାସକ ପୂର୍ବରୁ ସେ ତାଙ୍କ ଛୋଟ ଘରକୁ ତିଆରି କରିଥିଲେ। “ପୂର୍ବରୁ ଆମେ ସ୍ଥାନୀୟ ଲୋକଙ୍କ ଜମିରେ ପ୍ରତିଷ୍ଠିତ ଏକ ପୁରୁଣା ଗାଁ ବଡ଼ଲାମଗଡ଼ିରେ ରହୁଥିଲୁ। କିନ୍ତୁ ଆମ ଜମି ଓ ଘର ମଧ୍ୟରେ ଦୂରତା ବହୁତ ବେଶୀ ଥିଲା, ତେଣୁ ଆମେ ଏଠାକୁ ପଳାଇ ଆସିଲୁ। ଯେହେତୁ ଆମମାନଙ୍କର ଘର ଜଙ୍ଗଲ ଜମି ଉପରେ ତିଆରି ହୋଇଛି, ତେଣୁ ଜଙ୍ଗଲ ଅଧିକାରୀମାନେ ନିୟମିତ ଭାବେ ପରିଦର୍ଶନ ପାଇଁ ଆସୁଛନ୍ତି, ଆମକୁ ଘର ଭାଙ୍ଗି ପଳାଇ ଯିବାକୁ କହୁଛନ୍ତି। କିନ୍ତୁ ଅନ୍ୟ କେଉଁଠିକୁ ଯିବାପାଇଁ ଆମ ପାଖରେ ବିକଳ୍ପ ନାହିଁ”।

ମାଡକାମ୍ ଦୁଲେ ଆମକୁ କୁକୁନୁରୁ ମଣ୍ଡଳର ବିଞ୍ଜରାମ ଗ୍ରାମ ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ(ଆମେ ଗସ୍ତ କରିବା ସମୟରେ) କଲୁରୁ ଭିମୟାଙ୍କ ସହ ପରିଚିତ କରାଇଲେ। ସେ ହସି କରି କହିଲେ, “ମୁଁ ଛତିଶଗଡ଼ରେ କଲମୁ ଭିମା ଭାବେ ପରିଚିତ ଥିଲି”। କିନ୍ତୁ ଆନ୍ଧ୍ରପ୍ରଦେଶରେ  କଲୁରୁ ଭିମୟା ହୋଇଯାଇଛି। ଆନ୍ଧ୍ରପ୍ରଦେଶ ସରକାର ଏହିଭଳି ମୋ ନାଁ ରେକର୍ଡ କରିରଖିଛନ୍ତି।

A man and a woman in front of their home in Chintalpadu village
PHOTO • Purusottam Thakur

ସ୍ଥାନାନ୍ତର ହେବା ପୂର୍ବରୁ ଏଲମା ଦେବା ନକ୍ସଲବାଦୀ ଓ ସଲୱାଜୁଡୁମ୍ବାଲାଙ୍କଠାରୁ ଅନୁମତି ଆଣିଥିଲେ।

ନକ୍ସଲବାଦୀଙ୍କ ଗତିବିଧି ଓ ଛତିଶଗଡ଼ର ସଲୱା ଜୁଡୁମ ବାହିନୀଙ୍କ ହିଂସକ କାର୍ଯ୍ୟକଳାପ ମଧ୍ୟରେ ଫଶିଯିବାରୁ ସ୍ଥାନାନ୍ତର ହୋଇଥିବା ବହୁ ଆଦିବାସୀ ସେମାନଙ୍କର ପୈତୃକ ଜମି ଓ ଜଙ୍ଗଲ ହରାଇଛନ୍ତି।

ଛତିଶଗଡ଼ର ସୁକମା ଜିଲ୍ଲାର ମୂଳ ବାସିନ୍ଦା କଲମୁଙ୍କ ଗାଁର ଲୋକମାନଙ୍କୁ ସଲୱାଜୁଡୁମ ବାହିନୀ ଡୋରନାପାଲରେ ଥିବା ଏକ ରିଲିଫ୍ କ୍ୟାମ୍ପକୁ ଯିବାକୁ ବାଧ୍ୟ କରିବାରୁ ସେ ଏଠାକୁ ଆସିଲେ। ସେମାନେ କ୍ୟାମ୍ପରେ ମାସେ ଧରି ରହିବା ପରେ ପଳାଇ ଆସିଲେ।

ସ୍ଥାନ ପରିବର୍ତ୍ତନ ପରେ ନୂଆ ପରିଚୟପତ୍ର ପାଇଥିବା ଲୋକମାନଙ୍କ ମଧ୍ୟରେ କଲମୁ ଏକୁଟିଆ ନୁହନ୍ତି, ଚିପୁରୁପାଡୁରୁ ପ୍ରାୟ ୨୫-୩୦ କିଲୋମିଟର ଦୂରରେ ଥିବା ଖାମାମ୍ ଜିଲ୍ଲାର ଉପାପା ପଞ୍ଚାୟତ ଅନ୍ତର୍ଗତ ଚିନ୍ତାଲପାଡୁ ଗାଁରେ ରହୁଥିବା ଜଣେ ଯୁବକ ହସିକରି କହନ୍ତି, “ସେଠାରେ ଏଲମା ଦେବା ଏଠାରେ ସେଲମା ଦେବୟା”। “ତେଲୁଗୁ ଭାଷାରେ ଦେବା ଦେବୟା ହୋଇଯାଏ, କିନ୍ତୁ ମୁଁ ନାଁ ନେଇ କିଛି ଦୁଃଖୀ ନାହିଁ, ମୁଁ ଉଭୟ ନାଁରେ ଖୁସିା ଏଲମା ତାଙ୍କ ଗାଁକୁ ଫେରିବାକୁ ଚାହାନ୍ତି ନାହିଁ। ଏହି ସ୍ଥାନ ଶାନ୍ତିପୂର୍ଣ୍ଣ ଏବଂ ଆମେ ଏଠାରେ ଭଲରେ ଅଛୁ। ଯେତେବେଳେ ଆମେ ଛତିଶଗଡ ଛାଡିଲୁ, ସେତେବେଳେ ଉଭୟ ନକ୍ସଲବାଦୀ ଓ ସଲୱାଜୁଡୁମ ବାଲାଙ୍କଠାରୁ ଅନୁମତି ନେଇଥିଲୁ।   ଯେପରିକି ସେମାନେ ଭାବିବେ ନାହିଁ ଯେ ଆମେ ସେମାନଙ୍କ ମଧ୍ୟରୁ କାହାର ସଂଗଠନରେ ସାମିଲ୍ ହୋଇଛୁ। ”

ସ୍ଥାନୀୟ ଲୋକଙ୍କ ଆକଳନ ଅନୁସାରେ ପ୍ରାୟ ୨୨ଟି ପରିବାର ଚିନ୍ତାଲପାଡୁରେ ରହିଗଲେଣି। ସେମାନେ ସମସ୍ତେ ନକ୍ସଲବାଦ ଦ୍ୱାରା ପ୍ରଭାବିତ ସୁକମା, ଦାନ୍ତେୱାଡା ଏବଂ ବିଜାପୁର ଜିଲ୍ଲାରୁ ଆସିଛନ୍ତି। ଗାଁକୁ କୌଣସି ପକ୍କା ରାସ୍ତା ନ ଥିବାବେଳେ ଗ୍ରାମବାସୀଙ୍କୁ ଚାରି କିମି ଦୂରରେ ଥିବା ନାରାୟଣପୁରମରୁ ସେମାନଙ୍କର ରାସନ ସଂଗ୍ରହ କରିବାକୁ ପଡେ।

ଚିନ୍ତାଲପାଡୁକୁ ସ୍ଥାନାନ୍ତରିତ ହୋଇଥିବା ଲୋକମାନେ ଦୀର୍ଘ ସଂଘର୍ଷ ପରେ ରାସନ କାର୍ଡ, ଭୋଟର କାର୍ଡ ଏବଂ ଆଧାର କାର୍ଡ ମଧ୍ୟ ପାଇ ସାରିଲେଣି। କିନ୍ତୁ ସର୍ବନିମ୍ନ ମୌଳିକ ସୁବିଧା, ଯେପରିକି ପିଇବା ପାଣି, ରାସ୍ତା, ବିଜୁଳି, ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷାର ସୁବିଧା ପାଇନାହାନ୍ତି। ସ୍ଥାନୀୟ ପୋଲିସ, ଜଙ୍ଗଲ ବିଭାଗ ସେମାନଙ୍କ ବିରୋଧରେ ମାମଲା ରୁଜୁ କରୁଛି, ଏବଂ ଆବଶ୍ୟକ ପଡିଲେ ଆଦିବାସୀମାନଙ୍କୁ ପୋଲିସ ଷ୍ଟେସନରେ ହାଜର ହେବାକୁ ମଧ୍ୟ ପଡୁଛି।

୨୦୧୧-୧୨ରେ ସଲୱାଜୁଡୁମଙ୍କୁ ଭାଙ୍ଗି ଦିଆଯିବା ସମୟରେ ଏବଂ ତା ପରେ, ସେମାନଙ୍କ ମଧ୍ୟରୁ ଅନେକ ଘରକୁ ଫେରିବା ସୁରକ୍ଷିତ  ହେବ ବୋଲି ମନେ କରି ଛତିଶଗଡକୁ ଫେରିଆସିଲେ। କିନ୍ତୁ ସ୍ଥାନାନ୍ତରିତ ହୋଇଥିବା ଅନ୍ୟ ଆଦିବାସୀଙ୍କ ପାଇଁ ଏକ ନୂଆ ସ୍ଥାନରେ ଶାନ୍ତିର ପ୍ରତିଶ୍ରୁତି, ଚାଷ ପାଇଁ ଖଣ୍ଡିଏ ଜମି ମିଳିବା ଏବଂ ଜୀବିକାର୍ଜନର ମାଧ୍ୟମ ମିଳିବା କଷ୍ଟକର ହୋଇପଡୁଛି।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ପୁରୁଷୋତ୍ତମ ଠାକୁର ୨୦୧୫ ମସିହାରେ ପରି ପାଇଁ ମୁକ୍ତବୃତ୍ତ ସାମ୍ବାଦିକ, ଫଟୋଗ୍ରାଫର ଏବଂ ପ୍ରମାଣିକ ଚଳଚ୍ଚିତ୍ର ନିର୍ମାତା ଭାବରେ ଛତିଶଗଡ଼ ଓ ଓଡ଼ିଶାରୁ ରିପୋର୍ଟ କରୁଥିଲେ। ସେ ମଧ୍ୟ ଅଜିମ୍ ପ୍ରେମଜୀ ଫାଉଣ୍ଡେସନ ପାଇଁ କାର୍ଯ୍ୟ କରୁଛନ୍ତି।

Other stories by Purusottam Thakur