ଗତ ତିନି ବର୍ଷ ଭିତରେ ଚିକିତ୍ସା ପାଇଁ ଆପଣ କେତେଟା ହାସପାତାଳକୁ ଯାଇଛନ୍ତି ?

ଏହି ପ୍ରଶ୍ନ ଶୁଣିବା ମାତ୍ରେ ହିଁ ସୁଶୀଳା ଦେବୀ ଏବଂ ତାଙ୍କ ସ୍ୱାମୀ ମନୋଜ କୁମାରଙ୍କ ମୁହଁରେ କ୍ଳାନ୍ତି ଓ ନୈରାଶ୍ୟର ଏକ କଳାବାଦଲ ଘୋଟିଯାଏ । ୨୦୧୭ ମସିହା ଜୁନ୍‌ ମାସରେ ବାନ୍ଦିକୁଇ ସହରର ମଧୁର ହସ୍‌ପିଟାଲରେ ସୁଶୀଳା ଦେବୀଙ୍କର ପ୍ରଥମ ନସବନ୍ଦୀ (ଏକ ବନ୍ଧ୍ୟାକରଣ ପ୍ରକ୍ରିୟା) ହେବା ପରଠାରୁ, ଉଭୟ ପତିପତ୍ନୀ (ଏଠାରେ ସେମାନଙ୍କ ନାଁ ବଦଳାଇ ଦିଆଯାଇଛି) ହାସପାତାଳ, ଡାକ୍ତରୀ ପରୀକ୍ଷା ଏବଂ ରୋଗ ଚିହ୍ନଟ ସଂପର୍କରେ ବିରୋଧାଭାସ ଜଡ଼ିତ ରିପୋର୍ଟର ସଂଖ୍ୟା ଗଣିବା ଭୁଲିଯାଇଛନ୍ତି।

ବିବାହର ୧୦ ବର୍ଷ ଭିତରେ ତିନିଟି ଝିଅ ଜନ୍ମ ହେବା ପରେ ଚତୁର୍ଥ ସନ୍ତାନ ରୂପରେ ପୁଅଟିଏ ଜନ୍ମ ନେଇଥିଲା । ବର୍ଷକ ପରେ ୨୭ ବର୍ଷୀୟା ସୁଶୀଳାଙ୍କର ଗର୍ଭନିରୋଧ ଅସ୍ତ୍ରୋପଚାର କରାଇବା ଲାଗି ଏହି ଦମ୍ପତି ସ୍ଥିର କରିଥିଲେ ଏବଂ ସେମାନଙ୍କ ପାରିବାରିକ ଜୀବନ ଆଉ ଟିକେ ଭଲରେ କଟିବ ବୋଲି ଆଶା ରଖିଥିଲେ। ରାଜସ୍ଥାନର ଦୌସା ତହସିଲ ଅନ୍ତର୍ଗତ ତାଙ୍କ ଗାଁ ଧାନି ଜାମାରୁ ମାତ୍ର ତିନି କିଲୋମିଟର ଦୂର କୁନ୍ଦଲ ଗାଁରେ ସରକାରୀ ସର୍ବସାଧାରଣ ସ୍ୱାସ୍ଥ୍ୟ କେନ୍ଦ୍ର (PHC) ଥିବା ସତ୍ତ୍ୱେ ୨୦ କିଲୋମିଟର ଦୂର ବାନ୍ଦିକୁଇର ଏକ ଘରୋଇ ହାସପାତାଳ ହିଁ ସେମାନଙ୍କର ପ୍ରଥମ ପସନ୍ଦ ଥିଲା ।

ଜଣେ ମାନ୍ୟତାପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ (ଆଶା) ୩୧ ବର୍ଷୀୟା ସୁନୀତା ଦେବୀ କହନ୍ତି, “ସାଧାରଣତଃ ଶୀତ ମାସରେ ହିଁ (ସରକାରୀ) ସ୍ୱାସ୍ଥ୍ୟ କେନ୍ଦ୍ରରେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ଶିବିର ଆୟୋଜିତ ହୋଇଥାଏ । ଶୀତ ଦିନରେ ଏହି ପ୍ରକ୍ରିୟା କରାଇ ନେବାକୁ ମହିଳାମାନେ ପସନ୍ଦ କରନ୍ତି, କାରଣ ଏହି ସମୟରେ କ୍ଷତ ସ୍ଥାନ ଶୀଘ୍ର ଶୁଖିଥାଏ । ଗ୍ରୀଷ୍ମ ଦିନରେ ସେମାନେ ଏହା କରାଇବାକୁ ଚାହିଁଲେ ଆମେ ସେମାନଙ୍କୁ ଦୌସା ଓ ବାନ୍ଦିକୁଇର ବେସରକାରୀ ହାସପାତାଳକୁ ନେଇଯାଉ।” ସେ ଏହି ଦମ୍ପତିଙ୍କୁ ସାଙ୍ଗରେ ନେଇ ୨୫ ଶଯ୍ୟା ବିଶିଷ୍ଟ ଏକ ସାଧାରଣ ହାସପାତାଳ-ମଧୁର ହସ୍‌ପିଟାଲକୁ ଯାଇଥିଲେ । ରାଜ୍ୟ ସରକାରଙ୍କର ଏକ ପରିବାର କଲ୍ୟାଣ ଯୋଜନାରେ ଏହା ପଞ୍ଜୀକୃତ ହୋଇଛି ଏବଂ ତେଣୁ ସୁଶୀଳାଙ୍କ ଗର୍ଭନିରୋଧ ଅସ୍ତ୍ରୋପଚାର ଲାଗି କୌଣସି ଦେୟ ଦେବାକୁ ପଡ଼ି ନଥିଲା । ତା’ ବଦଳରେ ତାଙ୍କୁ ୧,୪୦୦ ଟଙ୍କାର ପ୍ରୋତ୍ସାହନ ରାଶି ମିଳିଥିଲା ।

ଅସ୍ତ୍ରୋପଚାରର କିଛି ଦିନ ପରେ, ସୁଶୀଳାଙ୍କର ମାସିକ ଋତୁସ୍ରାବ ହୋଇଥିଲା ଏବଂ ତା ସହିତ ଆରମ୍ଭ ହୋଇଥିଲା ଅସହ୍ୟ ଯନ୍ତ୍ରଣା ଏବଂ କ୍ଳାନ୍ତିର ଏମିତି ଏକ ଅଧ୍ୟାୟ, ଯାହା ପରବର୍ତ୍ତୀ ତିନି ବର୍ଷ ଯାଏଁ ଲାଗି ରହିବାର ଥିଲା ।

ତାଙ୍କ ସ୍ୱାମୀ, ୨୯ ବର୍ଷୀୟ ମନୋଜ କହନ୍ତି, “ପ୍ରଥମେ ଯେତେବେଳେ ଯନ୍ତ୍ରଣା ହେଲା, ମୁଁ ତାଙ୍କୁ ଘରେ ଥିବା ପେନ୍‌କିଲର୍‌ ଦେଲି । ଏଥିରୁ ଯନ୍ତ୍ରଣାର କିଛିଟା ଉପଶମ ହେଲା । ପ୍ରତି ମାସରେ ଯେତେବେଳେ ବି ତାଙ୍କର ମାସିକ ଋତୁସ୍ରାବ ହୁଏ ସେ କାନ୍ଦି ପକାନ୍ତି।”

ସୁଶୀଳା୮ମ ଶ୍ରେଣୀ ଯାଏଁ ପାଠ ପଢ଼ିଥିବା ଜଣେ ଗୃହିଣୀ ଏବଂ ସେ କହନ୍ତି “କଷ୍ଟ ବଢ଼ିବାରେ ଲାଗିଲା ଏବଂ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ମତେ ବାନ୍ତି ମାଡ଼ିଲା ଭଳି ଲାଗିଲା । ସବୁ ସମୟରେ ମତେ ଦୁର୍ବଳ ଲାଗିଲା ।”

ତିନି ମାସ ପର୍ଯ୍ୟନ୍ତ ଏଭଳି ଚାଲିବା ପରେ, ଦ୍ୱିଧାଗ୍ରସ୍ତ ଭାବରେ ଏହି ଦମ୍ପତି କୁନ୍ଦଲରେ ଥିବା ସାଧାରଣ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗଲେ ।

Susheela and Manoj from Dhani Jama village have been caught in a web of hospitals, tests and diagnoses since Susheela's nasbandi
PHOTO • Sanskriti Talwar
Susheela and Manoj from Dhani Jama village have been caught in a web of hospitals, tests and diagnoses since Susheela's nasbandi
PHOTO • Sanskriti Talwar

ସୁଶୀଳାଙ୍କ ଗର୍ଭନିରୋଧ ଅସ୍ତ୍ରୋପଚାର ପରଠାରୁ ହାସପାତାଳ, ପରୀକ୍ଷଣ ଏବଂ ରୋଗ ନିରୂପଣର ଏକ ଜାଲରେ ଛନ୍ଦି ହୋଇପଡ଼ିଛନ୍ତି ଧାନି ଜାମା ଗାଁର ମନୋଜ ଓ ସୁଶୀଳା

ମନୋଜ କହନ୍ତି, “ୱହାଁ ଜ୍ୟାଦାତର ଷ୍ଟାଫ୍‌ ହୋତା କହାଁ ହୈ ? (ଅଧିକାଂଶ ସମୟରେ ସେଠି କର୍ମଚାରୀ ରହନ୍ତି ନାହିଁ)”। ସୁଶୀଳାଙ୍କୁ ପରୀକ୍ଷା ନ କରି ବି ଯନ୍ତ୍ରଣା କମ୍‌ କରିବା ପାଇଁ ପିଏଚ୍‌ସି କେତେକ ବଟିକା ଦେଇଦେଲା ବୋଲି ସେ ଆମକୁ କହନ୍ତି ।

ସେତେବେଳକୁ, ଶରୀରକୁ ଦୁର୍ବଳ କରିଦେଉଥିବା ଏହି ଯନ୍ତ୍ରଣାର ପ୍ରଭାବ ସେମାନଙ୍କ ବୈବାହିକ ଜୀବନର ସବୁ କ୍ଷେତ୍ରକୁ ପ୍ରଭାବିତ କରିସାରିଥିଲା । ଗର୍ଭନିରୋଧ ଅସ୍ତ୍ରୋପଚାରର ପାଞ୍ଚ ମାସ ପରେ, ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କୁ ଦେଖା କରିବା ପାଇଁ ସୁଶୀଳା ବାନ୍ଦିକୁଇର ମଧୁର ହସପିଟାଲକୁ ଆସିଲେ ।

ତଳିପେଟରେ ସୋନୋଗ୍ରାଫି ସମେତ ଅନେକ ଡାକ୍ତରୀ ପରୀକ୍ଷଣ ପରେ, ଡାକ୍ତର କହିଲେ ଯେ, ଗର୍ଭାଶୟ ନଳୀରେ ସଂକ୍ରମଣ ହୋଇଛି ଏବଂ ତିନି ମାସ ପାଇଁ ଔଷଧ ଖାଇବାକୁ ପ୍ରେସ୍‌କ୍ରିପ୍‌ସନ ଲେଖିଦେଲେ ।

“ମୋ ସ୍ତ୍ରୀ କେମିତି ସଂକ୍ରମିତ ହେଲେ ? ଆପଣ ଠିକ୍‌ ଭାବରେ ଅସ୍ତ୍ରୋପଚାର କରିନଥିଲେ ?”ରାଗ ଜରଜର ହୋଇ ମନୋଜ ଡାକ୍ତରଙ୍କୁ କହିଲେ । ଉତ୍ତରରେ ସେମାନଙ୍କୁ ଯାହା କୁହାଯାଇଥିଲା ଏହି ଦମ୍ପତିଙ୍କର ତାହା ଏବେ ବି ମନେ ଅଛି:“ହମ୍‌ନେ ଅପ୍‌ନା କାମ ସହି କିୟା ହୈ, ୟେ ତୁହ୍ମାରୀ କିସ୍‌ମତ ହୈ (ଆମେ ଆମ କାମ ଠିକ୍‌ରେ କରିଛୁ । ଏଇଟା ତୁମମାନଙ୍କର ଭାଗ୍ୟ)” ଏହା କହି ଡାକ୍ତର ସେଠାରୁ ଚାଲି ଯାଇଥିଲେ ।

ପରବର୍ତ୍ତୀ ତିନି ମାସ ପାଇଁ, ପ୍ରାୟ ପ୍ରତି ୧୦ ଦିନରେ ଥରେ, ଏହି ଦମ୍ପତି ସକାଳ ୧୦ଟାରୁ ଘରୁ ବାହାରି ମୋଟର ସାଇକେଲରେ ମଧୁର ହସ୍‌ପିଟାଲ ଯାଆନ୍ତି । ସେଠାରେ, ରୋଗ ଯାଞ୍ଚ, ଡାକ୍ତରୀ ପରୀକ୍ଷଣ ଏବଂ ପ୍ରେସ୍‌କ୍ରିପ୍‌ସନରେ ଥିବା ଔଷଧ କିଣିବାରେ ପୂରା ଦିନ କଟିଯାଏ । ମନୋଜ ତାଙ୍କ କାମ ପାଇଁ  ଯାଇପାରନ୍ତି ନାହିଁ ଏବଂ ତାଙ୍କର ତିନି ଝିଅ (ଏବେ ନଅ, ସାତ ଏବଂ ପାଞ୍ଚ ବର୍ଷର) ଏବଂ ପୁଅ (ଏବେ ଚାରି ବର୍ଷର) ଧାନି ଜାମାରେ ସେମାନଙ୍କ ଜେଜେବାପା ଓ ଜେଜେମାଆଙ୍କ ସହିତ ରହନ୍ତି । ପ୍ରତି ଥର ହସ୍‌ପିଟାଲ ଯିବାରେ ୨,୦୦୦ରୁ୩,୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୁଏ ।

ତିନି ମାସର ଚିକିତ୍ସା ସରିବା ବେଳକୁ ସଂପର୍କୀୟମାନଙ୍କ ନିକଟରୁ ଧାର କରିଥିବା ୫୦,୦୦୦ ଟଙ୍କାର ବହୁ ଭାଗ ମନୋଜ ଖର୍ଚ୍ଚ କରିସାରିଥିଲେ । ଯଦିଓ ସେ ବିଏ ପାସ୍‌ କରିଛନ୍ତି, ତଥାପି ତାଙ୍କୁ କେବଳ ବେଲ୍‌ଦାରି (ନିର୍ମାଣସ୍ଥଳ କିମ୍ବା କ୍ଷେତରେ ଶ୍ରମିକ କାମ) କାମ ହିଁ ମିଳେ ଏବଂ ଯଦି ନିୟମିତ କାମ ମିଳେ, ତେବେ ସେ ମାସକୁ ୧୦,୦୦୦ ଟଙ୍କା ରୋଜଗାର କରନ୍ତି । ସୁଶୀଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଅପରିବର୍ତ୍ତିତ ରହିଥିବା ବେଳେ ପରିବାରର ଋଣଭାର ବଢ଼ିବା ସହିତ ରୋଜଗାର କମିବାରେ ଲାଗିଥିଲା । ଜୀବନ ଝାପସା ହୋଇଆସୁଥିଲା ବୋଲି କହନ୍ତି ସୁଶୀଳା ।

ସେ କହନ୍ତି, “ମାସିକ ଋତୁସ୍ରାବ ବେଳେ ହୁଏତ ଯନ୍ତ୍ରଣାରେ ମୋ ଦେହ ଅବଶ ହୋଇଉଠୁଥିଲା କିମ୍ବା ତା ପରେ ଏତେ ଦୁର୍ବଳ ଲାଗୁଥିଲା ଯେ କାମ କରିପାରୁ ନଥିଲି ।”

Susheela first got a nasbandi at Madhur Hospital, Bandikui town, in June 2017
PHOTO • Sanskriti Talwar

୨୦୧୭ରେ ପ୍ରଥମେ ବାନ୍ଦିକୁଇ ସହରର ମଧୁର ହସ୍‌ପିଟାଲରେ ସୁଶୀଳାଙ୍କର ଗର୍ଭନିରୋଧ ଅସ୍ତ୍ରୋପଚାର ହୋଇଥିଲା

୨୦୧୮ନଭେମ୍ବରରେ ତାଙ୍କ ଗାଁରୁ ୨୦ କିଲୋମିଟର ଦୂର ଦୌସା ଜିଲ୍ଲା ସଦର ମହକୁମାର ଜିଲ୍ଲା ହାସପାତାଳକୁ ନେବା ପାଇଁ ମନୋଜ ସ୍ଥିର କଲେ । ଏକ ପୃଥକ୍‌ ମାତୃ ସ୍ୱାସ୍ଥ୍ୟ ସେବା ବିଭାଗ ରହିଥିବା ଏହି ୨୫୦ ଶଯ୍ୟା ବିଶିଷ୍ଟ ହାସପାତାଳକୁ ଯେଉଁଦିନ ସେମାନେ ଗଲେ, ବାରଣ୍ଡାରେ ରୋଗୀମାନଙ୍କର ଲମ୍ବା ଧାଡ଼ି ଲାଗିଥିଲା ।

ମନୋଜ କହନ୍ତି, “ଲାଇନ୍‌ରେ ଠିଆ ହୋଇ ମତେ ହୁଏତ ପୂରା ଦିନଟା ବିତାଇବାକୁ ପଡ଼ିଥାଆନ୍ତା । ମୁଁ ଅଧୈର୍ଯ୍ୟ ହୋଇପଡ଼ିଥିଲି । ତେଣୁ ସେଠାରୁ ଦୌସାର ଏକ ବେସରକାରୀ ହାସପାତାଳକୁ ଯିବା ପାଇଁ ଆମେ ସ୍ଥିର କଲୁ ।” ସେତେବେଳେ ସେମାନଙ୍କୁ ଜଣା ନଥିଲା ଯେ ପୁଣି ସେମାନେ ହାସପାତାଳ ଗସ୍ତ, ଡାକ୍ତରୀ ପରୀକ୍ଷାର ଆଉ ଏକ ଅନ୍ତହୀନ ଗୋଲକଧନ୍ଦାରେ ପଡ଼ିବାକୁ ଯାଉଛନ୍ତି ଏବଂ ସେଥିରୁ ବି ରୋଗ ନିରୂପଣ ହୋଇପାରିବନି ।


ଜିଲ୍ଲା ହାସପାତାଳରେ ଧାଡ଼ିରେ ଠିଆ ହୋଇଥିବା ସମୟରେ କେହି ଜଣେ ତାଙ୍କୁ ଦୌସାର ରାଜଧାନୀ ହସ୍‌ପିଟାଲ ଆଣ୍ଡ ମ୍ୟାଟର୍‌ନିଟି ହୋମ୍‌ କଥା କହିଥିଲେ । ସେଠାରେ ପୂର୍ବରୁ ସୁଶୀଳାଙ୍କ ହୋଇଥିବା ସୋନୋଗ୍ରାଫି ରିପୋର୍ଟ ଅଗ୍ରାହ୍ୟ ହୋଇଯାଇଥିଲା ଏବଂ ସାନି ପରୀକ୍ଷା କରାଇବାକୁ କୁହାଗଲା ।

ଏହା ପରେ କ’ଣ କରିବାକୁ ହେବ ବୋଲି ଦ୍ୱନ୍ଦ୍ୱ ଓ ଅନିଶ୍ଚିତତାରେ ରହିବାର କିଛି ସପ୍ତାହ ପରେ ଦୌସାର ଖଣ୍ଡେଲୱାଲ ନର୍ସିଂ ହୋମ୍‌କୁ ଯିବା ଲାଗି ମନୋଜଙ୍କୁ ତାଙ୍କ ଗାଁର କେହି ଜଣେ କହିଥିଲେ । ଏଠାରେ ପୁଣି ଥରେ ସୋନୋଗ୍ରାଫି କରାଗଲା ଏବଂ ସୁଶୀଳାଙ୍କ ଗର୍ଭାଶୟ ନଳୀ ଫୁଲିଯାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଥିଲା । ତା’ ପରେ ଔଷଧ ଖାଇବାର ଆଉ ଏକ ପର୍ଯ୍ୟାୟ ।

ମନୋଜ କହନ୍ତି, “ଘରୋଇ ହାସପାତାଳରେ କାମ କରୁଥିବା ଲୋକେ ଜାଣନ୍ତି ଯେ ଗାଁ ଲୋକେ ଏ ସବୁ ଡାକ୍ତରୀ ପ୍ରକ୍ରିୟା ସଂପର୍କରେ କିଛି ବୁଝନ୍ତି ନାହିଁ । ସେମାନେ ଜାଣନ୍ତି ଯେ, ସେମାନେ ଯାହା କହିବେ, ଆମେ ମାନିନେବୁ ।” ସେମାନଙ୍କ ପାଇଁ ତୃତୀୟ ଘରୋଇ ହାସପାତାଳ ଥିଲା ଦୌସାର ଶ୍ରୀ କ୍ରିଷ୍ଣା ହସ୍‌ପିଟାଲ ଏବଂ ସେଠାରେ ସେମାନେ କିପରି ପହଞ୍ଚିଲେ ବୋଲି ଏବେ ଠିକ୍‌ରେ ମନେ ପଡୁ ନାହିଁ । ହେଲେ ସେଠାରେ ଆହୁରି ପରୀକ୍ଷା, ଆଉ ଥରେ ସୋନୋଗ୍ରାଫି କରାଯାଇଥିଲା ଏବଂ ସୁଶୀଳାଙ୍କ ଅନ୍ତ୍ର ସାମାନ୍ୟ ଫୁଲିଯାଇଛି  ବୋଲି କୁହାଯାଇଥିଲା ।

ସୁଶୀଳା କହନ୍ତି, “ଗୋଟିଏ ହାସପାତାଳ ଆମକୁ କହିବ ଯେ ଅନ୍ତ୍ରର ନଳୀ ଫୁଲିଯାଇଛି, ଆଉ ଗୋଟିଏ କହିବ ଏହା ସଂକ୍ରମଣ ଏବଂ ତୃତୀୟଟି ଅନ୍ତରିୟା (ଅନ୍ତ୍ର) କଥା କହିବ । ପ୍ରତିଟି ହାସପାତାଳ ସେହି ଅନୁସାରେ ଔଷଧ ଲେଖିଦେଲେ । ଗୋଟିଏରୁ ଆଉ ଗୋଟିଏ ଜାଗା ବୁଲି ବୁଲି ଆମେ ପାଗଳ ପ୍ରାୟ ହୋଇଯାଇଥିଲୁ, କିଏ ସତ କହୁଛି ଏବଂ କ’ଣ ସବୁ ଘଟୁଛି ବୋଲି ଜାଣି ପାରୁନଥିଲୁ ।” ପ୍ରତିଟି ହାସପାତାଳ ଯେଉଁ ସବୁ ଚିକିତ୍ସା କରିବାକୁ କହିଲେ, ସେ ସବୁ କଲେ, କିନ୍ତୁ ତାଙ୍କ ରୋଗର ଲକ୍ଷଣ ଦୂର ହେଲାନାହିଁ ।

ଦୌସାର ଏହି ତିନିଟି ଘରୋଇ ହାସପାତାଳକୁ ଯିବା  ଦ୍ୱାରା ମନୋଜଙ୍କ ଋଣ ପରିମାଣ ଆଉ ୨୫,୦୦୦ ଟଙ୍କା ବଢ଼ିଗଲା ।

ଜୟପୁରରେ ରହୁଥିବା ଜଣେ ଦୂର ସଂପର୍କୀୟଙ୍କ ସମେତ ପରିବାରର ସମସ୍ତେ କହିଲେ ଯେ ସେମାନଙ୍କ ଗାଁଠାରୁ ୭୬ କିଲୋମିଟର ଦୂର ରାଜ୍ୟ ରାଜଧାନୀର କୌଣସି ଏକ ଭଲ ଡାକ୍ତରଖାନାକୁ ଯିବା ହିଁ ସବୁଠାରୁ ଭଲ ହେବ ।

ସେମାନଙ୍କ ପାଖରେ ନଥିବା ଟଙ୍କା ଖର୍ଚ୍ଚ କରି ପୁଣି ଥରେ ଏହି ଦମ୍ପତି ଜୟପୁର ଯିବାକୁ ଘରୁ ବାହାରିଲେ ଏବଂ ସେଠାରେ ଡକ୍‌ଟର ସର୍ଦ୍ଦାର ସିଂହ ମେମୋରିଆଲ୍‌ ହସ୍‌ପିଟାଲରେ ଆଉ ଥରେ ସୋନୋଗ୍ରାଫି କରାଯାଇ ଜଣାପଡ଼ିଲା ଯେ ସୁଶୀଳାଙ୍କ ଗର୍ଭାଶୟରେ ଏକ ‘ଗାଣ୍ଠ’ (ମାଂସବୃଦ୍ଧି) ସୃଷ୍ଟି ହୋଇଛି ।

ସୁଶୀଳା ଆମକୁ କହନ୍ତି, “ଏହି ଗାଣ୍ଠ ବଢ଼ିବାରେ ଲାଗିବ ବୋଲି ଡାକ୍ତର ଆମକୁ କହିଲେ । ମୋତେ ବଚ୍ଚେଦାନୀ କା ଅପରେସନ୍‌ (ଗର୍ଭାଶୟ ଅପସାରଣ ଅସ୍ତ୍ରୋପଚାର-ହିଷ୍ଟେରେକ୍‌ଟୋମୀ) କରାଇବାକୁ ପଡ଼ିବ ବୋଲି ସେ ଅତି ସ୍ପଷ୍ଟ ଭାବରେ କହିଲେ ।”

Illustration: Labani Jangi

ଚିତ୍ରସଜ୍ଜା: ଲବଣି ଜାଙ୍ଗି

ସୂଟନା ଅଧିକାର ଆଇନ ବଳରେ (ରାଜସ୍ଥାନର ବାନ୍ଦିକୁଇ ସହରର) ପାଞ୍ଚଟି ଘରୋଇ ହାସପାତାଳରୁ ମିଳିଥିବା ତଥ୍ୟ ଅନୁସାରେ ୨୦୧୦ ଏପ୍ରିଲରୁ ଅକ୍‌ଟୋବର ମାସ ମଧ୍ୟରେ କରାଯାଇଥିବା ମହିଳାମାନଙ୍କର ୩୮୫ଟି ଅସ୍ତ୍ରୋପଚାରରୁ ୨୮୬ଟି ଗର୍ଭାଶୟ ଅପସାରଣ ଅସ୍ତ୍ରୋପଚାର । ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳାଙ୍କ ବୟସ ୩୦ରୁ କମ୍‌ ଏବଂ ସବୁଠାରୁ ସାନ ମହିଳାଙ୍କ ବୟସ ଠିକ୍‌ ୧୮ ବର୍ଷ ।

ଶେଷରେ, ୩୦ ମାସ ଆଉ ଆଠଟି ହାସପାତାଳକୁ ଦୌଡ଼ିବା ପରେ, ୨୦୧୯ ଡିସେମ୍ବର ୨୭ ତାରିଖ ଦିନ ଦୌସାର ଶୁଭି ପଲ୍‌ସ ହସ୍‌ପିଟାଲ ଆଣ୍ଡ ଟ୍ରମା ସେଣ୍ଟର ନାମକ ଅନ୍ୟ ଏକ ଘରୋଇ ହାସାପାତାଳରେ ସୁଶୀଳାଙ୍କ ଗର୍ଭାଶୟ ଅପସାରଣ ନିମନ୍ତେ ଅସ୍ତ୍ରୋପଚାର କରାଗଲା । ଗର୍ଭାଶୟ ଅପସାରଣ ଅସ୍ତ୍ରୋପଚାର ବା ହିଷ୍ଟେରେକ୍‌ଟୋମୀ ପାଇଁ ମନୋଜ ୨୦,୦୦୦ ଟଙ୍କା ଖର୍ଚ୍ଚ କଲେ ଏବଂ ପରବର୍ତ୍ତୀ ସମୟର ଔଷଧପତ୍ର ପାଇଁ ଆଉ ୧୦,୦୦୦ ଟଙ୍କା ଖର୍ଚ୍ଚ ହେଲା ।

ଯନ୍ତ୍ରଣା ଓ ଋଣର ଚକ୍ରବ୍ୟୂହରୁ ମୁକୁଳିବାକୁ ହେଲେ ଗର୍ଭାଶୟ ଅପସାରଣ ହିଁ ଏକମାତ୍ର ଉପାୟ ବୋଲି ଗ୍ରହଣ କରିନେବାକୁ ଏହି ଦମ୍ପତି ବାଧ୍ୟ ହେଲେ ।

ବାନ୍ଦିକୁଇର ପାଞ୍ଚଟି ଘରୋଇ ହାସପାତାଳରେ କରାଯାଇଥିବା ଗର୍ଭାଶୟ ଅପସାରଣ ଅସ୍ତ୍ରୋପଚାର ସଂଖ୍ୟା ସଂପର୍କରେ ଅନୁସନ୍ଧାନ କରିବାଲାଗି,୨୦୧୦ ନଭେମ୍ବରରେ ସୂଚନା ଅଧିକାର ଆଇନ (RTI) ଅନୁସାରେ ଆବେଦନ କରିଥିବା ଅଖିଳ ଭାରତ ଗ୍ରାହକ ପଞ୍ଚାୟତ ନାମକ ଏକ ବେସରକାରୀ ଅନୁଷ୍ଠାନର ଆଇନଜୀବୀ ଦୁର୍ଗା ପ୍ରସାଦ ସୈନିଙ୍କୁ ଆମେ ମନୋଜ ଓ ସୁଶୀଳାଙ୍କ ଦୁର୍ଦ୍ଦଶାପୂର୍ଣ୍ଣ କାହାଣୀ ଶୁଣାଇଲୁ ।

ସୂଚନା ଅଧିକାର ଆଇନ ବଳରେ ପାଞ୍ଚଟିରୁ ତିନିଟି ହାସପାତାଳ ଦେଇଥିବା ତଥ୍ୟ ଅନୁସାରେ, ୨୦୧୦ମସିହା ଏପ୍ରିଲରୁ ଅକ୍ଟୋବର ମାସ ମଧ୍ୟରେ କରାଯାଇଥିବା ୩୮୫ଟି ଅସ୍ତ୍ରୋପଚାରରୁ ୨୮୬ଟି ଗର୍ଭାଶୟ ଅପସାରଣ ଅସ୍ତ୍ରୋପଚାର । ଯେଉଁ ସାର୍ବଜନୀନ ହାସପାତାଳ ସଂପର୍କରେ କୁହାଯାଇଥିଲା ସେଗୁଡ଼ିକ ହେଉଛି ମଧୁର ହସ୍‌ପିଟାଲ (ଯେଉଁଠି ସୁଶୀଳାଙ୍କର ଗର୍ଭନିରୋଧ ଅସ୍ତ୍ରୋପଚାର କରାଯାଇଥିଲା), ମଦନ ନର୍ସିଂ ହୋମ୍‌, ବାଲାଜୀ ହସ୍‌ପିଟାଲ, ବିଜୟ ହସ୍‌ପିଟାଲ ଏବଂ କାଟ୍ଟା ହସ୍‌ପିଟାଲ । ଗର୍ଭାଶୟ ଅପସାରଣ ଅସ୍ତ୍ରୋପଚାର କରାଇଥିବା ଅଧିକାଂଶ ମହିଳାଙ୍କ ବୟସ ୩୦ରୁ କମ୍‌ ଏବଂ ସବୁଠାରୁ କମ୍‌ ବୟସର ମହିଳାଙ୍କ ବୟସ୍‌ ଠିକ୍‌ ୧୮ ବର୍ଷ । ଅଧିକାଂଶ ମହିଳା ଜିଲ୍ଲାର ଅଧିସୂଚିତ ଜାତି ଓ ଅଧିସୂଚିତ ଜନଜାତି ସଂପ୍ରଦାୟର, ଯେମିତି କି ବୈରୱା, ଗୁଜ୍ଜର ଏବଂ ମାଲି । ମନୋଜ ଓ ସୁଶୀଳା ବୈରୱା ସଂପ୍ରଦାୟର ଏବଂ ସେମାନଙ୍କ ଗାଁ ଧାନି ଜାମାର ୯୭ ପ୍ରତିଶତ ଲୋକ ଅଧିସୂଚିତ ଜାତି ଅନ୍ତର୍ଭୁକ୍ତ ।

ସୈନି କହନ୍ତି, “ସେତେବଳେ ଆମେ କନ୍ୟା ଭ୍ରୂଣହତ୍ୟା ସଂପର୍କରେ ଆଲୋଚନା କରୁଥିବା ବେଳେ କେହି ଜଣେ ମନ୍ତବ୍ୟ ଦେଇଥିଲେଯେ, ପର୍‌ କୋଖ୍‌ ହୈ କହାଁ (କେତେ ଜଣ ମହିଳାଙ୍କର ଆଉ ଗର୍ଭାଶୟ ବା ଅଛି)”। ଏହି ମନ୍ତବ୍ୟରୁ ହିଁ କିଛି ଗୋଟାଏ ଭୁଲ କାମ ହେଉଥିଲା ବୋଲି ସେମାନଙ୍କର ସନ୍ଦେହ ହୋଇଥିଲା ।

ସୈନିଙ୍କ ରିପୋର୍ଟରେ ଉଲ୍ଲେଖ କରାଯାଇଛି, “ଆମର ବିଶ୍ୱାସ ଯେ ଏହା (ଏତେ ବେଶୀ ସଂଖ୍ୟାରେ ଅନାବଶ୍ୟକ ଗର୍ଭାଶୟ ଅପସାରଣ ଅସ୍ତ୍ରୋପଚାର) ପଛରେ ଡାକ୍ତର, ସାର୍ବଜନୀନ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଆଶା କର୍ମୀମାନଙ୍କର ଏକ ସଂଯୋଜିତ ଗୋଷ୍ଠୀର ହାତ ରହିଛି । କିନ୍ତୁ ଆମେ ଏହା ପ୍ରମାଣ କରିପାରି ନଥିଲୁ ।” ରାଜସ୍ଥାନ, ବିହାର ଓ ଛତିଶଗଡ଼ର ବିଭିନ୍ନ ଲାଭଖୋର ବେସରକାରୀ ହାସପାତାଳରେ ଚାଲିଥିବା “ଗର୍ଭାଶୟ ଅପସାରଣ ଅସ୍ତ୍ରୋପଚାର ଦୁର୍ନୀତି” ବିରୋଧରେ ରାଜସ୍ଥାନର ଏକ ଅଣ-ଲାଭକାରୀ ସଂଗଠନ ‘ପ୍ରୟାସ’ର ପ୍ରତିଷ୍ଠାତା ଡକ୍ଟର ନରେନ୍ଦ୍ର ଗୁପ୍ତାଙ୍କ ଦ୍ୱାରା, ୨୦୧୩ରେ ସୁପ୍ରିମ କୋର୍ଟରେ ଦାୟର ଏକ ଜନସ୍ୱାର୍ଥ ସମ୍ବଳିତ ମାମଲା(PIL)ରେ ବାନ୍ଦିକୁଇ ଅନୁସନ୍ଧାନରୁ ମିଳିଥିବା ତଥ୍ୟକୁ ସାମିଲ କରାଯାଇଥିଲା । ଏହି ଆବେଦନପତ୍ରରେ ଅସ୍ତ୍ରୋପଚାର କରାଇଥିବା ମହିଳାମାନଙ୍କୁ କ୍ଷତିପୂରଣ ପ୍ରଦାନ ସହିତ ଏ ସଂକ୍ରାନ୍ତ ସରକାରୀ ନୀତିରେ ଉପଯୁକ୍ତ ପରିବର୍ତ୍ତନ ଲାଗି ଆବେଦନ କରାଯାଇଥିଲା ।

ଏହି ଜନସ୍ୱାର୍ଥ ସମ୍ବଳିତ ମାମଲାରେ ଉଲ୍ଲେଖ କରାଯାଇଥିଲା ଯେ, “ସାକ୍ଷାତକାରରେ ଭାଗ ନେଇଥିବା ବିହାର, ଛତିଶଗଡ଼ ଓ ରାଜସ୍ଥାନରେ ଅନେକ ମହିଳାଙ୍କୁ ଅସ୍ତ୍ରୋପଚାର ସଂପର୍କରେ ଭୁଲ ତଥ୍ୟ ଦିଆଯାଇ ଏହା କରାଇ ନେବା ନିହାତି ଜରୁରୀ ବୋଲି କୁହାଯାଇଥିଲା । ଡାକ୍ତରଙ୍କ ପରାମର୍ଶ ନ ମାନିଲେ ଶରୀରରେ କ୍ୟାନ୍‌ସର ହୋଇଯାଇପାରେ ବୋଲି ସେମାନଙ୍କର ଧାରଣା ସୃଷ୍ଟି କରାଯାଇଥିଲା ।”

'We believed it [the unnecessary hysterectomies] was the result of a nexus...But we couldn’t prove it', said advocate Durga Prasad Saini
PHOTO • Sanskriti Talwar

‘ଆମେ ବିଶ୍ୱାସ କରୁଥିଲୁ ଯେ ଏହା (ଅନାବଶ୍ୟକ ଗର୍ଭାଶୟ ଅପସାରଣ ଅସ୍ତ୍ରୋପଚାର) ପଛରେ ସଂଯୋଜିତ ସ୍ୱାର୍ଥର ଏକ ଗୋଷ୍ଠୀ ରହିଛି... କିନ୍ତୁ ଆମେ ଏହାକୁ ପ୍ରମାଣିତ କରାଇପାରିଲୁନି” ବୋଲି କହନ୍ତି ଆଇନଜୀବୀ ଦୁର୍ଗା ପ୍ରସାଦ ସୈନି

ଆବେଦନରେ ଏହା ମଧ୍ୟ ଦର୍ଶାଯାଇଥିଲା ଯେ, ଗର୍ଭାଶୟ ଅପସାରଣ ଅସ୍ତ୍ରୋପଚାରରେ ସନ୍ନିହିତ ବିପଦ ଆଶଙ୍କା ଏବଂ ଦୀର୍ଘକାଳ ପାଇଁ ସମ୍ଭାବିତ ପାର୍ଶ୍ୱ ପ୍ରତିକ୍ରିୟା ସମେତ ଅନେକ ଜରୁରୀ ସୂଚନା ମହିଳାମାନଙ୍କୁ ଦିଆଯାଉ ନଥିଲା ଏବଂ ଏହା ଫଳରେ ଅସ୍ତ୍ରୋପଚାର ପାଇଁ ସେମାନଙ୍କୁ ନିଆଯିବା ପୂର୍ବରୁ ସେ ସଂପର୍କିତ ତଥ୍ୟପ୍ରଦାନ ପୂର୍ବକ ସେମାନଙ୍କ ସ୍ୱୀକୃତି ନିଆଯାଇଥିବା ସଂପର୍କରେ ସନ୍ଦେହ ସୃଷ୍ଟି ହୋଇଛି ।

ବିଭିନ୍ନ ଘରୋଇ ହାସପାତାଳ ପକ୍ଷରୁ ଗଣମାଧ୍ୟମରେ ଉଠିଥିବା ଏହି ସବୁ ଅଭିଯୋଗକୁ ଅସ୍ୱୀକାର କରାଯାଇଥିଲା ଏବଂ କେବଳ ଆବଶ୍ୟକ ସ୍ଥଳରେ ହିଁ ଅସ୍ତ୍ରୋପଚାର କରାଯାଇଥିଲା ବୋଲି କୁହାଯାଇଥିାଲ ।

ସୈନି କହନ୍ତି, “ଏବେ କେବଳ ଡାକ୍ତରଙ୍କ ପରାମର୍ଶ ଭିତ୍ତିରେ ହିଁ ବେସରକାରୀ ହାସପାତାଳମାନଙ୍କରେ ଗର୍ଭାଶୟ ଅପସାରଣ ଅସ୍ତ୍ରୋପଚାର କରାଯାଉଛି । କିନ୍ତୁ ପୂର୍ବରୁ ଏଭଳି ହେଉ ନଥିଲା । ବିନା ଯାଞ୍ଚରେ ଏବଂ ଅନିୟନ୍ତ୍ରିତ ଭାବରେ ଏହା କରାଯାଉଥିଲା । ଗାଁ ଲୋକେ ପ୍ରତାରିତ ହେଉଥିଲେ । ଋତୁସ୍ରାବ ସଂପର୍କିତ ତଳିପେଟରେ ଯେ କୌଣସି ଯନ୍ତ୍ରଣାର ଚିକିତ୍ସା ପାଇଁ ଆସୁଥିବା ମହିଳାମାନଙ୍କୁ ଗୋଟିଏରୁ ଆଉ ଗୋଟିଏ ଜାଗାକୁ ପଠାଯାଉଥିଲା ଏବଂ ଶେଷରେ ଗର୍ଭାଶୟ ବାହାର କରିବାକୁ କୁହାଯାଉଥିଲା ।”

ଡକ୍ଟର ଗୁପ୍ତାଙ୍କ ଆବେଦନ ଯୋଗୁଁ, ୨୦୧୫-୧୬ରେ କରାଯାଇଥିବା ଚତୁର୍ଥ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ (NFHS-4) ରିପୋର୍ଟରେ ଗର୍ଭାଶୟ ଅପସାରଣ ଅସ୍ତ୍ରୋପଚାରକୁ ସରକାର ସାମିଲ କଲେ ଏବଂ ଏଥିରୁ ଜଣାପଡ଼ିଥିଲା ଯେ ଭାରତରେ ୧୫ରୁ ୪୯ ବର୍ଷ ବୟସର ମହିଳାଙ୍କ ମଧ୍ୟରୁ ୩.୨ ପ୍ରତିଶତ ମହିଳାଙ୍କର ଗର୍ଭାଶୟ ଅପସାରଣ ଅସ୍ତ୍ରୋପଚାର କରାଯାଇଛି । ଏଥିରୁ ୬୭ ପ୍ରତିଶତରୁ ଅଧିକ ଅସ୍ତ୍ରୋପଚାର ଘରୋଇ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କରାଯାଇଛି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୪ ଅନୁସାରେ ରାଜସ୍ଥାନରେ ୧୫ରୁ୪୯ ବର୍ଷ ମହିଳାଙ୍କ ମଧ୍ୟରୁ ୨.୩ ପ୍ରତିଶତ ମହିଳାଙ୍କର ଗର୍ଭାଶୟ ଅପସାରଣ ଅସ୍ତ୍ରୋପଚାର କରାଯାଇଛି ।

‘ପ୍ରୟାସ’ ସଂଗଠନର ତଥ୍ୟ ଅନୁସନ୍ଧାନକାରୀ ଦଳ ଯେଉଁ ମହିଳାମାନଙ୍କ ସହ ସଂପର୍କ ସ୍ଥାପନ କରିଥିଲା ସେମାନଙ୍କ ମଧ୍ୟରୁ ଅନେକ କହିଥିଲେ ଯେ ଗର୍ଭାଶୟ ଅପସାରଣ ଅସ୍ତ୍ରୋପଚାର ପରେ ବି ରୋଗର ଲକ୍ଷଣ ଦେଖା ଦେଉଥିଲା । ଗର୍ଭାଶୟ ଅପସାରଣ ଅସ୍ତ୍ରୋପଚାରର ଦୁଇ ମାସ ପରେ ଆମେ ଯେତେବେଳେ ସୁଶୀଳାଙ୍କୁ ସାକ୍ଷାତ କରିଥିଲୁ, ସେତେବେଳେ ଯଦିଓ ତାଙ୍କ ଶରୀରରେ ଅସ୍ତ୍ରୋପଚାର ଜନିତ କ୍ଷତ ଶୁଖି ନଥିଲା ଏବଂ ତାଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା, ତଥାପି ସେ ବାଲ୍‌ଟି ଉଠାଉଥିଲେ ଏବଂ ଅନ୍ୟାନ୍ୟ ଘରକାମ କରୁଥିଲେ । ମନୋଜ ପୁଣି କର୍ମକ୍ଷେତ୍ରକୁ ଫେରିଯାଇଥିଲେ ଏବଂ ତାଙ୍କ ରୋଜଗାରର ଅଧାରୁ ଅଧିକ ଭାଗ ସୁଶୀଳାଙ୍କ ଚିକିତ୍ସା ପାଇଁ ସାହୁକାର ଓ ବନ୍ଧୁବାନ୍ଧବଙ୍କ ନିକଟରୁ ଉଧାର କରିଥିବା ପ୍ରାୟ ୧ ଲକ୍ଷ ଟଙ୍କା ଶୁଝିବା ବାବଦରେ ଲାଗୁଥିଲା । ସେମାନେ ସୁଶୀଳାଙ୍କର ସମସ୍ତ ଗହଣା ମଧ୍ୟ ୨୦,୦୦୦-୩୦,୦୦୦ ଟଙ୍କାରେ ବିକ୍ରି କରିଦେଇଥିଲେ ।

ଗତ ତିନି ବର୍ଷର ଘଟଣାଚକ୍ରରେ ପେଷି ହୋଇଯାଇଥିବା ଏହି ଦମ୍ପତି ଏବେ ବି ନିଶ୍ଚିତ ନୁହଁନ୍ତି ଯେ ଏତେ ଦିନ ଧରି ତାଙ୍କର କାହିଁକି ଯନ୍ତ୍ରଣା ଓ ରକ୍ତସ୍ରାବ ହେଉଥିଲା ଏବଂ ଗର୍ଭାଶୟ ବାହାର କରିନେବା ହିଁ ଏହାର ଚୂଡ଼ାନ୍ତ ଓ ସଠିକ୍‌ ଚିକିତ୍ସା ଥିଲା କି ନାହିଁ । ସେମାନେ କେବଳ ଏତିକିରେ ଆଶ୍ୱସ୍ତ ଯେ ଏ ପର୍ଯ୍ୟନ୍ତ ସୁଶୀଳାଙ୍କର ଆଉ ଯନ୍ତ୍ରଣା ହୋଇନାହିଁ ।

ମନୋଜ କହନ୍ତି,“ପୈସା ଲଗାତେ ଲଗାତେ ଆଦମୀ ଥକ ଜାୟେ ତୋ ଆଖିର ମେଁ ୟହି କର୍‌ ସକ୍‌ତା ହୈ ।” ପଇସା ଖର୍ଚ୍ଚ କରି କରି ଥକିଗଲେ, ଶେଷରେ ସେ ଯାହା କରିଛି, ଠିକ୍‌ କରିଛି ବୋଲି ମଣିଷ ଆଶା କରିବା ହିଁ ସାର ହେବ।

ପ୍ରଚ୍ଛଦ ଅଙ୍କନ: ଲାବଣି ଜାଙ୍ଗି, ମୂଳତଃ ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର ଏକ କ୍ଷୁଦ୍ର ସହର ନିବାସୀ, କୋଲକାତାର ସେଣ୍ଟର ଫର୍‌ ଷ୍ଟଡିଜ୍‌ ଇନ୍‌ ସୋସିଆଲ୍‌ ସାଇନ୍‌ସେସ୍‌ରେ ବଙ୍ଗାଳୀ ଶ୍ରମିକଙ୍କ ପ୍ରବାସନ ଉପରେ ପିଏଚ୍‌ଡି ଡିଗ୍ରୀ ପାଇଁ ଅଧ୍ୟୟନରତ । ସେ ଜଣେ ଆତ୍ମଶିକ୍ଷିତ ଚିତ୍ରକର ଏବଂ ଭ୍ରମଣ କରିବାକୁ ଭଲ ପାଆନ୍ତି 

ପରୀ ଏବଂ କାଉଣ୍ଟର ମିଡିଆ ଟ୍ରଷ୍ଟର ଉଦ୍ୟମକ୍ରମେ ଗ୍ରାମୀଣ ଭାରତର କିଶୋରୀ ଝିଅ ଏବଂ ଯୁବତୀମାନଙ୍କ ସଂପର୍କରେ ସମଗ୍ର ଦେଶରୁ ଖବର ସଂଗ୍ରହ କରିବା ଏବଂ ଏହି ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଅବହେଳିତ ଗୋଷ୍ଠୀର ସ୍ଥିତିକୁ ସାଧାରଣ ଲୋକଙ୍କ ସ୍ୱର ଏବଂ ଅଙ୍ଗେନିଭା ଅନୁଭୂତି ଜରିଆରେ ଉପସ୍ଥାପନ କରିବାର ଏହି ପ୍ରକଳ୍ପ, ପପୁଲେସନ ଫାଉଣ୍ଡେସନ୍‌ ଅଫ୍‌ ଇଣ୍ଡିଆ ସହାୟତାରେ ଆରମ୍ଭ ହୋଇଥିବା ଏକ ଅଭିଯାନର ଅଂଶବିଶେଷ । 

ଏହି ଲେଖାର ପୁନଃପ୍ରକାଶନ ଚାହୁଁଛନ୍ତି କି ? ଦୟାକରି [email protected]  ମେଲ୍‌ ଆଇଡିରେ ଲେଖନ୍ତୁ ଏବଂ [email protected]କୁ କପି ପଠାନ୍ତୁ ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଅନୁଭା ଭୋଁସଲେ୨୦୧୫ର ଜଣେ ପରୀ ଫେଲୋ, ସ୍ୱାଧୀନ ସାମ୍ବାଦିକ ଏବଂ ଆଇସିଏଫ୍‌ଜେ ନାଇଟ୍‌ ଫେଲୋ, ଏବଂ ମଣିପୁରର ଅଶାନ୍ତ ଇତିହାସ ଏବଂ ସଶସ୍ତ୍ର ସେନାବାହିନୀର ବିଶେଷ କ୍ଷମତା ଆଇନର ପ୍ରଭାବ ଉପରେ ଲିଖିତ ‘‘ ମଦର୍ ହ୍ୱେୟାର୍ ଇଜ୍ ମାଇଁ କଣ୍ଟ୍ରିର ପ୍ରଣେତା।

Other stories by Anubha Bhonsle
Sanskriti Talwar

ସଂସ୍କୃତି ତଲୱାର ଦିଲ୍ଲୀର ଜଣେ ସ୍ଵାଧୀନ ସାମ୍ବାଦିକ । ସେ ଲିଙ୍ଗଭିତ୍ତିକ ସଙ୍ଗରେ ଖବର ସଂଗ୍ରହ କରନ୍ତି ।

Other stories by Sanskriti Talwar